AFFILIATE MARKETING

https://binomo.com?a=90810425bb57&t=0

Saturday, August 12, 2023

ବ୍ରିଟିଶ ଅମଳର ୩ ଟି ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା ହଟିଯିବ

ବ୍ରିଟିଶ ଅମଳର ୩ ଟି ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା ହଟିଯିବ



ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ସଂସଦରେ ୩ ଟି ବିଧେୟକ ଆଗତ କରିଛନ୍ତି। ଏହି ବିଧେୟକ ଗୁଡ଼ିକ ଦେଶର ଆଇନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ଏହି ବିଧେୟକ ଉପରେ ଶାହା କହିଛନ୍ତି ଯେ, ବର୍ତ୍ତମାନ ବ୍ରିଟିଶମାନେ ଆଣିଥିବା ଆଇନ ଦେଶରେ କାମ କରିବ ନାହିଁ ଏବଂ ଭାରତୀୟ ଅପରାଧିକ ଆଇନରେ ପରିବର୍ତ୍ତନ ଆସିବ।

ଏହି ବିଲ୍‌‌ ଅନୁଯାୟୀ, ବ୍ରିଟିଶ ଅମଳର ୩ ଟି ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା ହଟିଯିବ। ଆଇପିସି, ସିଆରପିସି ଏବଂ ଆଇଇଏ ହଟାଇବାକୁ ବ୍ୟବସ୍ଥା ହୋଇଛି। ଆଇପିସି ହଟି ତା’ସ୍ଥାନରେ ଆସିବ ଭାରତୀୟ ନ୍ୟାୟ ସଂହିତା -୨୦୨୩ , ସିଆର୍‌‌ପିସି ହଟି ସ୍ଥାନ ନେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଆଇଇଏ ହଟି ତା ସ୍ଥାନରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ବ୍ୟବସ୍ଥା ଆସିବ। ବିଧେୟକ ଆଗତ ବେଳେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦଣ୍ଡ ଦେବା ନୁହେଁ, ସମସ୍ତଙ୍କୁ ନ୍ୟାୟ ଦେବା ଆଇନର ଉଦ୍ଦେଶ୍ୟ। ଆଇପିସିରେ ୫୧୧ଟି ଧାରା ଥିଲା। ଏବେ ୩୫୬ଟି ଧାରା ରହିବ। ୧୭୫ଟି ଧାରାରେ ପରିବର୍ତ୍ତନ ହୋଇ ୮ ନୂଆ ଧାରା ଯୋଡାଯିବ। ଆଇପିସିରୁ ୨୨ଟି ଅନାବଶ୍ୟକ ଧାରା ହଟିବ ବୋଲି ଗୃହମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ସେହିପରି ସିଆରପିସିରେ ୫୩୩ଟି ଧାରା ରହିବ ଓ ୧୬୦ଟି ବଦଳିବ। ସିଆରପିସିରେ ୯ଟି ନୂଆ ଧାରା ସାମିଲ ହେବା ସହ ୯ଟି ଧାରା ଉଚ୍ଛେଦ ହେବ। ନୂଆ ବ୍ୟବସ୍ଥାରେ ସର୍ବାଧିକ ୩ଟି ବର୍ଷ ଭିତରେ ନ୍ୟାୟ ମିଳିବ।

ନୂଆ ଫୌଜଦାରୀ ଆଇନ ସମ୍ପର୍କରେ ଗୃହ ମନ୍ତ୍ରୀଙ୍କ ଠାରୁ ମିଳିଥିବା ସୂଚନାନୁଯାୟୀ, ଆଇନରେ ବ୍ୟାପକ ସଂସ୍କାର କରାଯାଇଛି। ଗଣଦୁଷ୍କର୍ମ କ୍ଷେତ୍ରରେ ଅପରାଧୀଙ୍କୁ ୨୦ ବର୍ଷ ବା ଆଜୀବନ ସଜା ମିଳିବ। ନୂଆ ଆଇନରେ ନାବାଳିକା ଗଣଦୁଷ୍କର୍ମୀଙ୍କୁ ମିଳିବ ମୃତ୍ୟୁଦଣ୍ଡ। ଭିଡ ହିଂସା ପାଇଁ ୭ ବର୍ଷ, ଆଜୀବନ ବା ମୃତ୍ୟୁଦଣ୍ଡ ମିଳିବ। ନୂଆ ଆଇନରେ ୯୦ ଦିନ ଭିତରେ ଚାର୍ଜସିଟ୍‌‌ ପାଇଁ ବ୍ୟବସ୍ଥା ହୋଇଛି। କୋର୍ଟ ଚାହିଁଲେ ଚାର୍ଜସିଟ୍‌‌ ପାଇଁ ଆଉ ୯୦ ଦିନ ଦେଇପାରିବେ। ଚାର୍ଜସିଟ୍‌‌ ଦାଖଲର ୬୦ ଦିନ ଭିତରେ ଚାର୍ଜଫ୍ରେମ୍‌‌ ହେବ। ୯୦ ଦିନ ଭିତରେ ଶୁଣାଣି ସାରି କୋର୍ଟ ରାୟ ଶୁଣାଇବେ। ଏହା ସହ ଉଚ୍ଛେଦ ହେବ ବ୍ରିଟିଶ ଅମଳର ରାଜଦ୍ରୋହ ଅପରାଧ ସଜା। ରାଜଦ୍ରୋହ ହଟାଯିବା ନେଇ ଶ୍ରୀ ଶାହା କହିଛନ୍ତି। ଏହା ଲୋକତନ୍ତ୍ର, ସମସ୍ତଙ୍କର କହିବାର ଅଧିକାର ଅଛି ବୋଲି ଗୃହମନ୍ତ୍ରୀ କହିଛନ୍ତି।

ଗୋଟେପଟେ ସ୍ୱାମୀ, ଗୋଟେପଟେ ଝିଅ, କାହାକୁ ବାଛିଥାନ୍ତେ ମହିଳା ଜଣକ

 ଗୋଟେପଟେ ସ୍ୱାମୀ, ଗୋଟେପଟେ ଝିଅ, କାହାକୁ ବାଛିଥାନ୍ତେ ମହିଳା ଜଣକ



 

ଗୋଟେପଟେ ସ୍ୱାମୀ, ଗୋଟେପଟେ ଝିଅ, କାହାକୁ ବାଛିଥାନ୍ତେ ମହିଳା ଜଣକ । ନିଜ ଗର୍ଭରେ ରଖି ଯାହାକୁ ଅନ୍ତଫାଡି ଜନ୍ମ ଦେଇଥିଲେ ନା ଯାହା ହାତଧରି ଭବିଷ୍ୟତର ସ୍ୱପ୍ନ ଦେଖୁଥିଲେ । ଏମିତି ଏକ ପରିସ୍ଥିତିରେ ବୋଧେ କେହି କେବେ ଜୀବନରେ ପଡ଼ିନଥିବେ । ଯେତେବେଳେ ନିଜ ଛୁଆ ଓ ନିଜ ସ୍ୱାମୀଙ୍କ ଭିତରୁ ଜଣଙ୍କୁ ବାଛିବାକୁ ପଡେ । ନା ଦଶମାସର କଷ୍ଟକୁ ଭୁଲିପାରୁଛନ୍ତି ନା ଜୀବନସାଥୀର ପ୍ରେମକୁ । ତଥାପି ମା'ର ମମତା ଆଗରେ ହାର ମାନିଯାଇଥିଲା ଜୀବନର ପ୍ରେମ ।

Friday, August 11, 2023

ସ୍କୁଲ୍ ସଭାପତି ଙ୍କ କାରନାମା

 ସ୍କୁଲ୍ ସଭାପତି ଙ୍କ କାରନାମା 




ଏ ମହାଶୟକୁ ଦେଖନ୍ତୁ । ଇଏ ହେଉଛନ୍ତି ସ୍କୁଲ ସଭାପତି । ହେଲେ ବାବୁଙ୍କ କାରନାମା ଶୁଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ । ଯଦି ସୁଲ ମାନଙ୍କରେ ଏଭଳି ସଭାପତି ରହିବେ ତାହେଲେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ କେତେ ଉଜ୍ଜଳ ହେବ ତାହା ଏହି ଘଟଣା ଜାଣିଲେ ଆପଣମାନେ ଚିନ୍ତା କରିବେ । ସ୍କୁଲ ଚାଲିଥିଲା ଆଉ ଏହି ସମୟରେ ପହଞ୍ଚିଥିଲେ ସ୍କୁଲ ପରିଚାଳନା କମିଟିର ସଭାପତି ସଦାନନ୍ଦ ବନଛୋର । ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପଚାରିଥିଲେ 5-T କାମ କେଉଁ ସ୍ଥାନରେ ଚାଲିଛି ।

ଧାରୁଆ ଅସ୍ତ୍ରରେ ଝିଅକୁ ହତ୍ୟା କରିଲା ଜଣେ ବାପା

ଧାରୁଆ ଅସ୍ତ୍ରରେ ଝିଅକୁ ହତ୍ୟା କରିଲା ଜଣେ ବାପା



ପଞ୍ଜାବ - କ୍ରୋଧ ଆଉ ଅହଂ ଭାବ ମଣିଷକୁ ଏମିତି ବି ପିଶାଚ କରିଦିଏ। ଝିଅର ଚରିତ୍ରକୁ ସନ୍ଦେହ କରୁଥିଲେ ବୋଲି ଜଣେ ବାପା ଏପରି କାଣ୍ଡ ଭିଆଇଛନ୍ତି, ଯାହାକୁ ଶୁଣିଲେ ଲୋମ ଟାଙ୍କୁରି ଉଠିବ। ଧାରୁଆ ଅସ୍ତ୍ରରେ ଝିଅକୁ ହତ୍ୟା କରି ଜଣେ ବାପା ନିଜ କୁକର୍ମକୁ ଲୁଚାଇବା ପାଇଁ ଶବକୁ ବାଇକରେ ବାନ୍ଧି ଘୋଷାଡି ଘୋଷାଡି ନେଇଛି। ରେଲୱେ ଟ୍ରାକରେ ମୃତଦେହ ଫିଙ୍ଗିବା ପାଇଁ ଏପରି କରିଛି ଜଣେ ବାପା। ପଞ୍ଜାବର ଅମୃତସର ଜିଲ୍ଲାରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା।

ଗତକାଲି ଏହି ଘଟଣା ଘଟିଥିବା ବେଳେ ଅପରାଧର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ମୃତ ଯୁବତୀଙ୍କ ଜେଜେମାଙ୍କ କହିବା ଅନୁସାରେ, ନାତୁଣୀ ଘରୁ ବାହାରକୁ ଯାଇଥିଲେ। ସେ ଫେରିବା ପରେ ତାଙ୍କ ବାପା ଖୁବ୍ ଜୋରରେ ରାଗିଯାଇଥିଲେ। ହଠାତ୍ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ମୃତଦେହ ଲୁଚାଇବା ପାଇଁ ସେ ଏକ ବ୍ୟାଗ୍ ସାହାଯ୍ୟରେ ବାନ୍ଧି ବାଇକରେ ଘୋଷାଡି ଘୋଷାଡି ନେଇ ଅମୃତସରର ରେଲୱେ ଟ୍ରାକରେ ଫିଙ୍ଗି ଦେଇଥିଲେ।

ଘଟଣା ବାବଦରେ କାହାକୁ ନ କହିବା ପାଇଁ ଅନ୍ୟ ପରିବାର ସଦସ୍ୟଙ୍କୁ ମଧ୍ୟ ଧମକ-ଚମକ ଦେଇଥିଲେ। ଏପରିକି ଯଦି ସେମାନେ ଏ ବାବଦରେ ମୁହଁ ଖୋଲନ୍ତି, ତେବେ ତାଙ୍କୁ ମଧ୍ୟ ମାରିଦେବାକୁ ଧମକ ଦେଇଥିଲେ। ଭୟଭୀତ ହୋଇ ପରିବାର ଲୋକେ ବାହାରକୁ ଆସିପାରି ନଥିଲେ କି କାହାକୁ କିଛି ଜଣାଇ ନଥିବା ପୁଲିସ କହିଛି। ସିସିଟିଭ୍ ଫୁଟେଜରୁ ସବୁ ସତ ସାମ୍ନାକୁ ଆସିଛି।

ଝିଅର ଚରିତ୍ରକୁ ସନ୍ଦେହ କରି ହତ୍ୟା କରାଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଅନୁମାନ କରାଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ବୋଲି ପୁଲିସ କହିଛି। ଅଭିଯୁକ୍ତକୁ ଗିରଫ କରିବା ଖୋଜାଖୋଜି କରୁଛି ପୁଲିସ୍।

ଜନ୍ମକଲା ମା’ବାପା ନିଜର ୩ ଶିଶୁଙ୍କୁ ବଡ଼ବିଲସ୍ଥିତ ହରିହର ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଛାଡ଼ିଦେଇ ପଳାଇ ଗଲେ

 ଜନ୍ମକଲା ମା’ବାପା ନିଜର ୩ ଶିଶୁଙ୍କୁ ବଡ଼ବିଲସ୍ଥିତ ହରିହର ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଛାଡ଼ିଦେଇ ପଳାଇ ଗଲେ 




ବଡ଼ବିଲ, :ସନ୍ତାନଟିଏ ପାଇବାକୁ ମା’ବାପା ବ୍ରତ ଉପବାସ, ମାନସିକ କରିବା ସହ ମନ୍ଦିର ସମ୍ମୁଖରେ ଅଧିଆ ପଡୁଛନ୍ତି। ହେଲେ ଏମିତି ବି ମା’-ବାପା ଅଛନ୍ତି ଯେଉଁମାନେ ନିଜ ପିଲାଙ୍କୁ ଅନାଥ କରିବାକୁ ପଛାଉନାହାନ୍ତି। ଏଭଳି ଏକ ଦୁଃଖଦ ଘଟଣା କେନ୍ଦୁଝର ଜିଲା ବଡ଼ବିଲ ଥାନାଞ୍ଚଳରେ ଦେଖିବାକୁ ମିଳିଛି। ଜନ୍ମକଲା ମା’ବାପା ନିଜର ୩ ଶିଶୁଙ୍କୁ ବଡ଼ବିଲସ୍ଥିତ ହରିହର ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଛାଡ଼ିଦେଇ ପଳାଇଥିବା ଆଲୋଡ଼ନ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ବୁଧବାର ରାତିରେ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ୩ ଶିଶୁଙ୍କ କ୍ରନ୍ଦନ ଶୁଣି ମନ୍ଦିରର କର୍ମଚାରୀ ସଞ୍ଜିତ ସେମାନଙ୍କ ପରିଚୟ ପଚାରି ବୁଝିଥିଲେ। ୩ ଶିଶୁଙ୍କ ମଧ୍ୟରୁ ୨ ଜଣ ୯ ଓ ୬ବର୍ଷର ଶିଶୁକନ୍ୟା ଏବଂ ୩ ବର୍ଷୀୟ ପୁତ୍ର ସନ୍ତାନ ରହିଛନ୍ତି। ସେମାନଙ୍କ ଘର ପାଲହଟିଂ ଅଞ୍ଚଳରେ କହିଥିବା ବେଳେ ସେମାନଙ୍କ ମା’ ସତୀ ଏବଂ ବାପା ମୁନ୍ନା ସିଂ ସେମାନଙ୍କୁ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଛାଡ଼ିଦେଇ ପଳାଇଥିବା କହିଥିଲେ। ଗଲାବେଳେ ଶିଶୁମାନଙ୍କ ସହ ଏକ ଲୁଗା ଭର୍ତ୍ତି ବ୍ୟାଗ ମଧ୍ୟ ଛାଡ଼ିଯାଇଥିବା ଜଣାପଡ଼ିଛି। ଶିଶୁମାନଙ୍କୁ ନିଷ୍ଠୁରତାର ସହ ଘରକୁ ନ ଫେରିବାକୁ ତାଗିଦା କରିବା ସହ ଫେରିଲେ ହତ୍ୟା ଧମକ ଦେଇଥିବା ଶିଶୁମାନେ କହିଥିଲେ। ତେବେ ମନ୍ଦିର କର୍ମଚାରୀ ୩ ଶିଶୁଙ୍କୁ ମନ୍ଦିର ଭିତରକୁ ନେଇ ଖାଇବାକୁ ଦେଇ ସକାଳ ହେବା ପର୍ଯ୍ୟନ୍ତ ମା’ବାପାଙ୍କ ଆସିବା ନିମନ୍ତେ ଅପେକ୍ଷା କରିଥିଲେ। ଗୁରୁବାର ସକାଳେ କେହି ନେବାକୁ ନ ଆସିବାରୁ ମନ୍ଦିର କର୍ତ୍ତୃପକ୍ଷ ବଡ଼ବିଲ ପୋଲିସକୁ ଅବଗତ କରିଥିଲେ। ପୋଲିସ ପହଞ୍ଚତ୍ ୩ ଶିଶୁଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ଚାଇଲ୍ଡ ଲାଇନକୁ ଖବର ଦେବା ସହ ନିଷ୍ଠୁର ମା’ବାପାଙ୍କୁ ଖୋଜାଖୋଜି ଆରମ୍ଭ କରିଥିବା ଜଣାପଡ଼ିଛି। ଏ ନେଇ ବଡ଼ବିଲ ଥାନା ଇନ୍ସପେକ୍ଟର ପ୍ରମୋଦିନୀ ସାହୁ କହିଛନ୍ତି, ପାଲହଟିଂରେ ସେହି ନାମଧାରୀ କେହି ବ୍ୟକ୍ତି ନ ଥିବା ଜଣାପଡ଼ିଛି। ଚାଇଲ୍ଡ ଲାଇନ୍‌କୁ ଶିଶୁମାନଙ୍କ ଉଦ୍ଧାର ନେଇ ଖବର ଦିଆଯାଇଛି। ସେମାନେ ଆସି ନ ଥିବାରୁ ଶିଶୁଙ୍କୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସେରେଣ୍ଡାସ୍ଥିତ ଆଦିବାସୀ ବିକାଶ ସମିତିରେ ଦିନକ ପାଇଁ ରଖାଯାଇଛି। ଶିଶୁମାନଙ୍କ ମା’ବାପାଙ୍କର କିଛି ଖୋଜ ଖବର ମିଳିପାରିନାହିଁ। ମା’ବାପାଙ୍କର କୌଣସି ପତ୍ତା ନ ମିଳିଲେ ଶୁକ୍ରବାର ସିଡବ୍ଲ୍ୟୁସି (ଚାଇଲ୍ଡ ୱେଲଫେୟାର କମିଟି)କୁ ହସ୍ତାନ୍ତର କରାଯିବ।

ଆଜିଠାରୁ ଆରମ୍ଭ ହେଉଛି ହର ଘର ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ

 ଆରମ୍ଭ ହେଉଛି ଆଜିଠାରୁ ଆରମ୍ଭ ହେଉଛି ହର ଘର ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ ହର ଘର ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ 



ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ହର ଘର ତ୍ରିରଙ୍ଗା ୨.୦ କାର୍ଯ୍ୟକ୍ରମ । ୭୭ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ଦାୟିତ୍ୱବାନ ନାଗରିକ ଭାବରେ ନିଜ ଘରେ ବା ଅଫିସରେ ତ୍ରିରଙ୍ଗା ପତାକାକୁ ସମ୍ମାନ ଦେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରକାଶ ଯେ, ଗତବର୍ଷ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ସୂଚନା ଅନୁସାରେ, ଆଜିଠାରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ସାରା ଦେଶରେ ହର ଘର ତ୍ରିରଙ୍ଗା କ୍ୟାମ୍ପେନ ଜାରି ରହିବ। ନିଜ ଘର ସହିତ ଅଫିସ ଏବଂ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡ଼ାଇବେ ପ୍ରତିଟି ଭାରତୀୟ । ଦେଶର ଲକ୍ଷେ ୬୦ ହଜାରରୁ ଅଧିକ ପୋଷ୍ଟ ଅଫିସରେ ୨୫ ଟଙ୍କାରେ ମିଳୁଛି ତ୍ରିରଙ୍ଗା । ପ୍ରକାଶ ଯେ, ସାମ୍ବାଧାନିକ ପଦରେ ଥିବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟଙ୍କ ଯାନରେ ତ୍ରିରଙ୍ଗା ଲଗାଇବାର ଅନୁମତି ରହିଛି ।

ବେଆଇନ ପଥର ଉତ୍ତୋଳନ କରିବାକୁ ବ୍ଲାଷ୍ଟିଂ

  ବେଆଇନ ପଥର ଉତ୍ତୋଳନ କରିବାକୁ ବ୍ଲାଷ୍ଟିଂ



ଧର୍ମଶାଳା -- ସଞ୍ଜ ହେଲେ ବେଆଇନ ପଥର ଉତ୍ତୋଳନ କରିବାକୁ ବ୍ଲାଷ୍ଟିଂ ଚାଲିଛି। ସେହି ଶବ୍ଦ ଅଞ୍ଚଳବାସୀଙ୍କ ଛାତି ଥରାଇ ଦେଉଛି। ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନସ୍ଥ ଡଙ୍କାରୀ ଓ ବାରମାଣ ମୌଜାରେ ଏବେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଜଙ୍ଗଲ ଜମିରୁ ଏବେ ପଥର ବ୍ୟବସାୟୀମାନେ ଏକାଧିକ ମେଶିନ ଓ ହାଇୱାରେ କଳାପଥର ଉତ୍ତୋଳନ କରି ଲୁଟ କରୁଥିବା ଦେଖିବାକୁ ମିଳୁଛି। ଫଳରେ ସରକାରଙ୍କ ବିପୁଳ ରାଜସ୍ବ ହାନୀ ହେଉଛି। ତେବେ ତହସିଲ ପ୍ରଶାସନ କର୍ତ୍ତୃପକ୍ଷ ଏହା ଜାଣି ସୁଦ୍ଧା ନ ଜାଣିଲା ଭଳି ଅଭିନୟ କରୁଥିବାର ଅଭିଯୋଗ ହେଉଛି। ବାରମାଣ ମୌଜା ଏବେ ଏପରି ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ଏହି ମୌଜାରେ କଳାପଥର ଉତ୍ତୋଳନ ଜାରି ରଖି ନିକଟସ୍ଥ କ୍ରଶରକୁ ଯୋଗାଇ ଦିଆଯାଉଛି। ଦୀର୍ଘଦିନ ଧରି ଏହି ପଥର ବ୍ୟବସାୟୀମାନେ ନିଜର ଆଧିପତ୍ୟକୁ ବିସ୍ତାର କରିଛନ୍ତି। ଡଙ୍କାରୀ ମୌଜାର ଜଙ୍ଗଲ କିସମ ଜମିରୁ ବାରମାଣ ଅଞ୍ଚଳର ପଥର ବ୍ୟବସାୟୀମାନେ ଦୁଇଟି ମେଶିନ, ୩ଟି କମ୍ପ୍ରେସର ଓ ୪ଟି ହାଇୱା ଦ୍ୱାରା ପ୍ରତିଦିନ ୩୦ରୁ ଅଧିକ ଟ୍ରିପ କଳାପଥର ଚାଲାଣ କରୁଛନ୍ତି । କେବଳ ଦିନ ନୁହେଁ ରାତିଅଧିଆ ସେମାନେ ବେଶ ସକ୍ରିୟ ହୋଇ ଏହି ଚୋରାଚାଲାଣ କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ପୂର୍ବରୁ ତହସିଲ ପ୍ରଶାସନ ଏହି ପାହାଡ଼ ଲୁଟେରାଙ୍କୁ ଧରିବାରେ ସକ୍ଷମ ହେବା ସହିତ ବେଆଇନ ବ୍ଲାଷ୍ଟିଂ କରି କଳାପଥର ଚୋରି କାରବାରକୁ ରୋକ୍‌ ଲଗାଇଥିଲେ। ସେତେବେଳେ ଚଢଉ ସମୟରେ ମେଶିନ ଓ ଏକ ପିକ୍‌ଅପ ଭ୍ୟାନକୁ ଜବତ କରିବାବେଳେ ଜଣେ ପଥର ବ୍ୟବସାୟୀ ଖସି ପଳାଇବାକୁ ଉଦ୍ୟମ କରି ପାହାଡ଼ ଉପରକୁ ଚଢ଼ି ଯାଇଥିଲେ। ତେବେ ଚଢଉକାରୀ ଦଳ ଚାରିପାଖରୁ ଘେରିଯିବାରୁ ସେ ବାଧ୍ୟ ହୋଇ ଧରା ପଡିଥିଲେ। ପରେ ତହସିଲଦାରଙ୍କ ସୁଚନା ପାଇ ଜେନାପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଓ ମେଶିନକୁ ଜବତ କରିଥିଲେ। ପରବର୍ତ୍ତୀ ସମୟରେ ତହସିଲ କର୍ତ୍ତୃପକ୍ଷ ଏବଂ ପଥର ବ୍ୟବସାୟୀଙ୍କ ମଧ୍ୟରେ ସାଲିସ କରାଯାଇ ପୁଣି ସେଠାରୁ କଳାପଥର ବେଆଇନ ଉତ୍ତୋଳନ ଜୋରସୋରରେ ଚାଲିଥିବା ଅଭିଯୋଗ ହେଉଛି। ଗତ ପ୍ରାୟ ୧ ବର୍ଷ ହେବ ତହସିଲ ପ୍ରଶାସନ ପକ୍ଷରୁ ସାଟୋଲାଇଟ ମାପଚୁପ କରି ବେଆଇନ ଉତ୍ତୋଳନକାରୀଙ୍କ ଠାରୁ ଜରିମାନା ଆଦାୟ କରିବାକୁ ନୋଟିସ ଜାରି କରିଛି। ଏହାସହ କେତେକ ଖାଦାନର ମାପଚୁପ ସରିଥିଲେ ହେଁ ସେମାନଙ୍କ ନାମରେ ଏଯାଏ ଜରିମାନା ନୋଟିସ ହୋଇ ନ ଥିବାର ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ବୁଧବାର ରାତି ପ୍ରାୟ ୮ଟା ୨୩ ମିନିଟରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।

Thursday, August 10, 2023

ଭାରତ ଫାଇନାନ୍ସ ଇନ୍‌କ୍ଲୁଜନ ଲିମିଟେଡ଼ର ୨ ଜଣ କର୍ମଚାରୀ ସ୍ଥାନୀୟ ଅଞ୍ଚଳରୁ କିସ୍ତି ଟଙ୍କା ନେଇ ଫେରାର୍

 ଭାରତ ଫାଇନାନ୍ସ ଇନ୍‌କ୍ଲୁଜନ ଲିମିଟେଡ଼ର ୨ ଜଣ କର୍ମଚାରୀ ସ୍ଥାନୀୟ ଅଞ୍ଚଳରୁ କିସ୍ତି ଟଙ୍କା ନେଇ ଫେରାର୍ 



ବାଲିଗୁଡ଼ା,୧୦ା୮ : କନ୍ଧମାଳ ଜିଲା ବାଲିଗଡ଼ା ଉପଖଣ୍ଡ ଅଧୀନ ଟିକାବାଲି ଥାନା ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଥିବା ଭାରତ ଫାଇନାନ୍ସ ଇନ୍‌କ୍ଲୁଜନ ଲିମିଟେଡ଼ର ୨ ଜଣ କର୍ମଚାରୀ ସ୍ଥାନୀୟ ଅଞ୍ଚଳରୁ କିସ୍ତି ବାବଦକୁ ୨ ଲକ୍ଷ ୯୦ ହଜାର ୩୫ ଟଙ୍କା ଆଦାୟ କରି କେଉଁଆଡ଼େ ଚମ୍ପଟ ମାରିଥିବା ସଂସ୍ଥାର ଶାଖା ପରିଚାଳକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। କର୍ମଚାରୀ ଦ୍ୱୟ ହେଲେ ଗଞ୍ଜାମର ଦିବାକର ରାଉତ ଓ ରାୟଗଡ଼ାର ଜଗନ୍ନାଥ ବେହେରା।

ସଂସ୍ଥା ଶାଖା ପରିଚାଳକ ନୟାଗଡ଼ ଜିଲା ଶରଣକୁଳ ଗ୍ରାମର ଋଷିକେଶ ରାଉତ ଏନେଇ ଟିକାବାଲି ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ମାମଲା(ନଂ. ୧୧୧/୨୩) ରୁଜୁ କରି ତଦନ୍ତ ଚଲାଇଥିବା ବିଷୟ ଥାନା ଅଧିକାରୀ କଲ୍ୟାଣୀମୟୀ ଷେଣ୍ଢ ସୂଚନା ଦେଇଛନ୍ତି।

ଓଡ଼ିଶାର ପ୍ରଥମ ମହିଳା ମେୟର ନିବେଦିତା ପ୍ରଧାନଙ୍କ ନିଧନ

 ଓଡ଼ିଶାର ପ୍ରଥମ ମହିଳା ମେୟର ନିବେଦିତା ପ୍ରଧାନଙ୍କ ନିଧନ 



କଟକ : କଟକ ମହାନଗର ନିଗମରୁ ନିର୍ବାଚିତ ହୋଇ ଓଡ଼ିଶାର ପ୍ରଥମ ମହିଳା ମେୟର ହୋଇଥିବା ନିବେଦିତା ପ୍ରଧାନଙ୍କ ବିୟୋଗ ଘଟିଛି। ନିବେଦିତା ୨୦୦୦ ମସିହାରେ ବିଜେପି ଟିକେଟରେ କଟକ ସଦର ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।

ବିରୋଧୀଙ୍କ ଅନୁପସ୍ଥିତରେ ହୋଇଥିବା ଭୋଟିଂରେ ମୋଦି ସରକାର ଅନାସ୍ଥା ବିରୋଧରେ ବିଜୟ ହାସଲ କରିଛନ୍ତି।

 ବିରୋଧୀଙ୍କ ଅନୁପସ୍ଥିତରେ ହୋଇଥିବା ଭୋଟିଂରେ ମୋଦି ସରକାର ଅନାସ୍ଥା ବିରୋଧରେ ବିଜୟ ହାସଲ କରିଛନ୍ତି।



ନୂଆଦିଲ୍ଲୀ - ମୋଦି ସରକାର କ୍ରମାଗତ ଦ୍ୱିତୀୟ ଥର ପାଇଁ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ମାତ ଦେଇଛନ୍ତି। ସଂସଦରେ ଆସ୍ଥା ରଖିବାକୁ ସକ୍ଷମ ହୋଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ବେଳେ ବିରୋଧୀ କକ୍ଷତ୍ୟାଗ କରିଥିଲେ। ବିରୋଧୀଙ୍କ ଅନୁପସ୍ଥିତରେ ହୋଇଥିବା ଭୋଟିଂରେ ମୋଦି ସରକାର ଅନାସ୍ଥା ବିରୋଧରେ ବିଜୟ ହାସଲ କରିଛନ୍ତି।

ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦମାନେ ଅନୁପସ୍ଥିତ ଥିବାରୁ ବାଚନିକ ବା ଭୟସ ଭୋଟ ଦ୍ୱାରା ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ବିଜେପି ନାତୃତ୍ୱାଧୀନ ଏନଡିଏର ସବୁ ସାଂସଦ ସାମିଲ ହୋଇଥିଲେ।

ସେହିପରି ଏନଡିଏରେ ବିଧିବଦ୍ଧ ଭାବେ ସାମିଲ ହୋଇ ନଥିବା ବିଜେଡି, ୱାଇଏସ୍‌ଆର କଂଗ୍ରେସ, ବିଏସ୍‌ପି, ଅକାଳୀ ଦଳ, ସ୍ୱାଧୀନ ସାଂସଦ ସିମରନଜିତ ମାନ୍‌ ଓ ନବନୀତ ରାଣା ଉପସ୍ଥିତ ରହିଥିଲେ। ସେମାନଙ୍କ ଉପସ୍ଥିତରେ ଭୟସ ଭୋଟ ଦ୍ୱାରା ଅନାସ୍ଥା ପ୍ରସ୍ତାବ ଉପରେ ନିଷ୍ପତ୍ତି ହୋଇଥିଲା।

ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପକ୍ଷ ରଖିଥିଲେ। ସେ ମଣିପୁର ଉପରେ କମ ଓ ବିରୋଧୀଙ୍କୁ ବେଶର ଟାର୍ଗେଟ କରିଥିଲେ। ସେ ନିଜ ଭାଷଣର ପ୍ରଥମ ଦେଢ଼ ଘଣ୍ଟାରୁ ଅଧିକ ସମୟ କେବଳ ବିରୋଧୀଙ୍କୁ ସମାଲୋଚନା କରିଥିଲେ।

ଏହାକୁ ବିରୋଧ କରି ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦମାନେ କକ୍ଷ ତ୍ୟାଗ କରିଥିଲେ। ଏହାପରେ ମୋଦି ମଣିପୁର ଉପରେ ମାତ୍ର କିଛି ମିନିଟ ପାଇଁ ମତ ରଖିଥିଲେ। ମଣିପୁରରେ ନୂଆ ସୂର୍ଯ୍ୟ ଉଦୟ ହେବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।

ବୁଧବାର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଦୀର୍ଘ ୨ ଘଣ୍ଟା କାଳ ଭାଷଣ ଦେଇଥିଲେ। ସେ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିବା ସହ ମଣିପୁର ହିଂସା ପାଇଁ ହାଇକୋର୍ଟଙ୍କୁ ଦାୟୀ କରିଥିଲେ।

ମଣିପୁରରେ ମେ’ ୩ରୁ ହିଂସା ଆରମ୍ଭ ହୋଇଛି। ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ପୂରା ରାଜ୍ୟ ଜଳୁଛି। ତେବେ ପ୍ରଧାନମନ୍ତ୍ରୀ ଜୁଲାଇ ୨୦ରେ ମଣିପର ହିଂସା ସମ୍ପର୍କରେ ମାତ୍ର କିଛି ସେକେଣ୍ଡ ପାଇଁ ମୁହଁ ଖୋଲିଥିଲେ। ଏହାର ଦିନକ ପୂର୍ବରୁ ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ବିଚ୍‌ ରାସ୍ତାରେ ଚଲାଇ ଚଲାଇ ନେବାର ଭିଡିଓ ସାମ୍ନାକୁ ଆସିଥିଲା।

ତେଣୁ ମୋଦି ସଂସଦ ବାହାରେ ଏହି ଘଟଣାରେ ଗଭୀର ମର୍ମାହତ ଓ ବ୍ୟଥିତ ଥିବା କହିଥିଲେ। ଏଥିସହ ସେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହାପରେ ମୋଦି ମଣିପୁରକୁ ନେଇ ଗୃହ ଭିତରେ କିମ୍ବା ବାହାରେ ଏଯାଏ କୌଣସି ପ୍ରକାରର ବିବୃତି ସିଧାସଳଖ ରଖି ନଥିଲେ। ଅବଶ୍ୟ ସରକାରୀ ସୂତ୍ର ଅନୁସାରେ, ମୋଦି ନିୟମିତ ମଣିପୁରର ସ୍ଥିତି ସମୀକ୍ଷା କରୁଥିବା ରିପୋର୍ଟ ପ୍ରକାଶ ପାଉଛି।

ଏସବୁ ଭିତରେ ବିରୋଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତି ଦାବି କରି ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ନାରାବାଜୀ କରିଥିଲେ। ତଥାପି ମୋଦି କିଛି ନ କହିବାରୁ ସେମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।

ନିଶାସକ୍ତ ଅବସ୍ଥାରେ ପବ୍‌ରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା

 ନିଶାସକ୍ତ ଅବସ୍ଥାରେ ପବ୍‌ରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା



ଗୋଆ - ନିଶାସକ୍ତ ଅବସ୍ଥାରେ ପବ୍‌ରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା। ଏପରି ସାଂଘାତିକ ଅଭିଯୋଗ ଆସିବା ପରେ ଗୋଆର ଡିଆଇଜି ଡ. ଏ. କୋଆନଙ୍କୁ ତୁରନ୍ତ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଏଥିସହ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ଗତ ସୋମବାର ରାତିରେ ଡିଆଇଜି ନିଶାସକ୍ତ ଅବସ୍ଥାରେ ଗୋଆର ଏକ ନାଇଟ କ୍ଲବକୁ ଯାଇଥିଲେ। ସେଠାରେ ଜଣେ ମହିଳାଙ୍କୁ ସେ ଅସଦ୍‌ ବ୍ୟବହାର କରିବାରୁ ମହିଳାଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମହିଳାଜଣକ ତାଙ୍କ ଗାଲକୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଏହାପରେ କ୍ଲବରେ ହଙ୍ଗାମା ସୃଷ୍ଟି ହୋଇଥିଲା।

ଉକ୍ତ କ୍ଲବଟି ଗୋଆର ଜଣେ ପ୍ରତିଷ୍ଠିତ ରାଜନେତାଙ୍କର ବୋଲି ଜଣାଯାଇଛି। ବରିଷ୍ଠ ଆଇପିଏସ୍‌ ଅଧିକାରୀ ଡ. ଏ. କୋଆନ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଥିବା ବେଳେ କ୍ଲବରେ କ’ଣ କରୁଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ଖବର ପ୍ରଚାରିତ ହେବା ପରେ ଡିଆଇଜିଙ୍କୁ ତୁରନ୍ତ ତାଙ୍କ ପଦରୁ ହଟାଯିବା ସହ ଡିଜିପିଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଏହି ଘଟଣାକୁ ନେଇ ଗୋଆ ବିଧାନସଭାରେ ହଙ୍ଗାମା ହୋଇଛି।

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାବନ୍ତ ବୁଧବାର ଗୃହରେ ଏ ବିଷୟରେ ନିଜ ମତ ରଖିଛନ୍ତି। ଭାରତୀୟ ପୁଲିସ୍‌ ସେବାର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଗୃହରେ କହିଛନ୍ତି ।

ଗୋଆ ପୁଲିସ୍‌ ପକ୍ଷରୁ ଏହି ଘଟଣାରେ ବିଭାଗୀୟ ଯାଞ୍ଚ ଆରମ୍ଭ ହୋଇଛି। ଯାଞ୍ଚ ଆଧାରରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛି। ଘଟଣା ସମୟରେ ଉକ୍ତ ବାର୍‌ର ସିସିଟିଭି ସାମନାକୁ ଆସିଛି, ଯେଉଁଥିରେ ଡିଜିପି ମହିଳାଙ୍କ ସହ ଅଭଦ୍ର ଆଚରଣ କରୁଥିବା ଦେଖିବାକୁ ମିଳିଛି।

ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡା ଥାନାରେ ଅଟକ ସୂଚନା

 ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡା ଥାନାରେ ଅଟକ ସୂଚନା 



ବଲାଙ୍ଗୀର: ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ରଣ୍ଡା ଉଚ୍ଚବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି। ସୂଚନା ଯେ, ମୃଣ୍ମୟୀଙ୍କ ସହ ୪ଜଣ ଶିକ୍ଷକ ନକଲି ସାର୍ଟିଫିକେଟରେ ଚାକିରି କରିଥିବାନେଇ ଟାଉନଥାନାରେ ଅଭିଯୋଗ କରିଥିଲେ ଜିଲା ଶିକ୍ଷାଧିକାରୀ । ଅଭିଯୋଗ ଆଧାରରେ ମୃଣ୍ମୟୀଙ୍କୁ ଥାନାରେ ଅଟକ ରଖାଯାଇଛି। ୨୦୧୩ ମସିହାରୁ ଗତ ୧୦ ବର୍ଷ ଧରି ନକଲି ବିଇଡି ସାର୍ଟିଫିକେଟରେ ମୃଣ୍ମୟୀ ଚାକିରି କରିଥିବା ଅଭିଯୋଗ ହୋଇଛି I ମୃଣ୍ମୟୀ ପ୍ରଦାନ କରିଥିବା ସାର୍ଟିଫିକେଟ ଅନୁସାରେ ଗୋଟିଏ ବର୍ଷରେ ସେ ଯୁକ୍ତ ଦୁଇ ଓ ହିନ୍ଦୀ ଟିଚର୍ସ ଟ୍ରେନିଂ ପାସ କରିଥିଲେ ବୋଲି ଜିଲା ଶିକ୍ଷା ବିଭାଗ ମାମଲାର ତଦନ୍ତ କରି ସତ ଜାଣିବାକୁ ପାଇଛି । ଏହି ମାମଲାରେ ଅନ୍ୟ ତିନି ନକଲି ଶିକ୍ଷକ ଫେରାର ଅଛନ୍ତି।

ମ୍ୟାନେଜମେଣ୍ଟ କୋଟାରେ ଏମ୍‌ବିବିଏସ୍‌ ସିଟ୍‌ରେ ନାମ ଲେଖାଇବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ

 ମ୍ୟାନେଜମେଣ୍ଟ କୋଟାରେ ଏମ୍‌ବିବିଏସ୍‌ ସିଟ୍‌ରେ ନାମ ଲେଖାଇବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ



ଭୁବନେଶ୍ବର : ମ୍ୟାନେଜମେଣ୍ଟ କୋଟାରେ ଏମ୍‌ବିବିଏସ୍‌ ସିଟ୍‌ରେ ନାମ ଲେଖାଇବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ ମାମଲାର ୨ ଅଭିଯୁକ୍ତଙ୍କ ନିକଟରୁ ଜବତ ୪୬ ଲକ୍ଷ ଟଙ୍କାର ସମ୍ପତ୍ତିକୁ ବ୍ୟାଜାପ୍ତି କରିବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ ଆବେଦନ କରିଛି । ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭୁବନେଶ୍ୱରସ୍ଥିତ ସ୍ପେଶାଲ ପିଏମଏଲ୍ଏ ଅଦାଲତରେ ପ୍ରସିକ୍ୟୁସନ୍ ଅଭିଯୋଗ ଦାଖଲ କରିଥିବା ସୂଚନା ମିଳିଛି। ପ୍ରକାଶଯେ, ଅଭିଯୁକ୍ତମାନେ ଏମ୍‌ବିବିଏସ୍‌ ସିଟ୍‌ରେ ବିଭିନ୍ନ କଲେଜର ମ୍ୟାନେଜମେଣ୍ଟ କୋଟାରେ ନାମ ଲେଖାଇବା ନାଁରେ ବହୁ ଆଶାୟୀଙ୍କଠାରୁ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତଙ୍କ ବିରୋଧରେ ପ୍ରସିକ୍ୟୁସନ୍ ଅଭିଯୋଗ ଦାଖଲ କରିବା ସହ ୪୬ ଲକ୍ଷ ଟଙ୍କା ବ୍ୟାଜାପ୍ତି କରିବାକୁ ଆଦେଦନ କରିଛି।

ବିବାହ କରିବା ଭୋଜି ରେ ଅତିଥି ଭାଲୁ

 ବିବାହ କରିବା ଭୋଜି ରେ ଅତିଥି ଭାଲୁ 



ଓ୍ବାଶିଂଟନ: ନିମନ୍ତ୍ରିତ ଅତିଥିମାନେ ବିବାହ ଭୋଜିରେ ଯୋଗଦେବା ସାଧାରଣ କଥା। କିଛି ଲୋକ କେବଳ ଖାଦ୍ୟ ଲୋଭରେ ବିବାହ ଭୋଜିକୁ ଆସିଥାନ୍ତି। ଏହି ବିଷୟରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବି ଦେଖିଥିବେ। ମାତ୍ର କେବେ ଭାବିଛନ୍ତି କିମ୍ବା ଦେଖିଛନ୍ତି ଏକ ଭାଲୁ ମଧ୍ୟ ବିବାହ ଭୋଜିକୁ ଆସି ଖାଦ୍ୟ ଖାଇବାର। ଆମେରିକାର ଏକ ବିବାହ ଉତ୍ସବରେ ଏମିତି ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେଉଁଠାରେ ଏକ ଭାଲୁ ବିବାହରେ ପ୍ରବେଶ କରି ଅତିଥିମାନଙ୍କ ସାମ୍ନାରେ ସେମାନଙ୍କ ପାଇଁ ପ୍ରସ୍ତୁତ ମିଠା ସବୁ ଖାଇଦେଲା।

ନିକଟରେ ବ୍ରେଣ୍ଡନ ମାର୍ଟିନେଜ ଏବଂ କେଲିନ ମ୍ୟାକ୍ରୋସି-ମାର୍ଟିନେଜ କଲରାଡୋର ବୋଲ୍ଡର୍‌ କାଉଣ୍ଟିରେ ବିବାହ କରିଥିଲେ। ମାର୍ଟିନେଜ ଏହି ବିବାହ ସହ ଜଡ଼ିତ ଅନେକ ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଏବଂ ତାଙ୍କ ସ୍ବାମୀ ବିବାହ କରିଥିବା ନଜର ଆସିଛନ୍ତି। କିନ୍ତୁ ଗୋଟିଏ ଫଟୋ ସବୁଠାରୁ ଚକିତକର ବିଷୟ। ଏହି ଫଟୋରେ, ଭାଲୁ ବିବାହ ସ୍ଥାନ ଭିତରେ ରହିଥିବା ଦେଖିବାକୁ ମିଳିଛି।

ଫଟୋ ପୋଷ୍ଟ କରି ସେ କ୍ୟାପଶନ ଲେଖିଛନ୍ତି, ଶେଷରେ ଏକ ଭାଲୁ ଆମର ମିଠା ଖାଇଲା। ଫଟୋରେ ଭାଲୁ ଏକ ଟେବୁଲ ଉପରେ ବସି ଖୁସିରେ ମିଠା ଖାଉଥିବା ଦେଖିବାକୁ ମିଳିଛି । ଏହା ସ୍ପଷ୍ଟ ଯେ କେହି ଭାଲୁ ନିକଟକୁ ଯିବାକୁ ସାହସ କରିନାହାନ୍ତି। କାରଣ ଏହି ସ୍ଥାନଟି ସମ୍ପୂର୍ଣ୍ଣ ଖାଲି ଦେଖାଯାଉଛି।

ଏକ ରିପୋର୍ଟ ଅନୁଯାୟୀ, ହାଇସ୍କୁଲ ଦିନରୁ ଏହି ଦୁଇ କପଲ ପରସ୍ପରକୁ ଭଲ ପାଉଥିଲେ। ସେମାନଙ୍କ ବିବାହ ସମୟରେ ଏତେ ବର୍ଷା ହେଉଥିଲା ଯେ, ସେମାନଙ୍କୁ ଛତା ତଳେ ଠିଆ ହୋଇ ବିବାହ କରିବାକୁ ପଡ଼ିଲା। ଏହା ପରେ ଭାଲୁ ସହ ଏହି ଘଟଣା ଘଟିଥିଲା। ଯେଉଁ କାରଣରୁ ବିବାହଟି ସମ୍ପୂର୍ଣ୍ଣ ସ୍ମରଣୀୟ ହୋଇରହିଗଲା।

ନବଦମ୍ପତି କହିଛନ୍ତି, ତୁରନ୍ତ କର୍ମଚାରୀମାନେ ଆସି ପହଞ୍ଚି ଭାଲୁକୁ ଗୋଡ଼ାଇଥିଲେ। ଯେପରି କାହାରି କିଛି କ୍ଷତି ନ ହୁଏ। କନ୍ୟା କହିଛନ୍ତି, ଭାଲୁଟି ପୂରା ଟେବୁଲରେ ଥିବା ପ୍ଲେଟ୍‌କୁ ଚାଟି ସଫା କରିଦେଇଛି। ସେମାନେ କେବଳ ଏହି ଦୃଶ୍ୟ ଦେଖୁଥିଲେ। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ରାଜ୍ୟରେ ‘ମୋ ଜଙ୍ଗଲ ଜମି ଯୋଜନା’ ଆରମ୍ଭ

 ରାଜ୍ୟରେ ‘ମୋ ଜଙ୍ଗଲ ଜମି ଯୋଜନା’ ଆରମ୍ଭ 



ଭୁବନେଶ୍ବର - ରାଜ୍ୟରେ ‘ମୋ ଜଙ୍ଗଲ ଜମି ଯୋଜନା’ ଆରମ୍ଭ ହୋଇଛି । ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଆରମ୍ଭ କରିଛନ୍ତି । ଏହା ଦ୍ବାରା ସମସ୍ତଙ୍କ ସହଯୋଗରେ ଜନଜାତିମାନଙ୍କ ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଧିକାରକୁ ସୁନିଶ୍ଟିତ କରିବା ଏହି ଯୋଜନାର ଲକ୍ଷ୍ୟ । ଏହା ସହିତ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଏହି ଯୋଜନା ସହିତ ଯୋଡ଼ି ଜନଜାତିମାନଙ୍କ ଜୀବିକାରେ ସ୍ଥାୟିତ୍ବ ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ସର୍ଭେ ହୋଇ ନ ଥିବା ଜଙ୍ଗଲ ଗାଁଗୁଡ଼ିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ ମୋ ଜଙ୍ଗଲ ଜମି‌ ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଆମର ଲକ୍ଷ୍ୟ । କେହି ଜଣେ ବି ଯୋଗ୍ୟ ବ୍ୟକ୍ତି ଯେପରି ବଞ୍ଚିତ ନ ହେବ, ତାହାକୁ ସୁନିଶ୍ଟିତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଜଙ୍ଗଲ ସମ୍ପଦର ନିରନ୍ତର ବିକାଶ ଦିଗରେ ଜନଜାତିମାନଙ୍କର ଅବଦାନକୁ ଏହା ମାଧ୍ୟମରେ ସ୍ବୀକୃତି ପ୍ରଦାନ କରାଯିବ। ଜଙ୍ଗଲ ଜମି ଅଧିକାର ପ୍ରଦାନରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏପର୍ଯ୍ୟନ୍ତ ୪ ଲକ୍ଷ ୫୦ ହଜାର ଜନଜାତି ଓ ବନବାସୀ ପରିବାରକୁ ଜଙ୍ଗଲ ଜମି ଉପରେ ସତ୍ତ୍ବ ପ୍ରଦାନ କରାଯାଇଛି। ସେହିପରି ୪ ହଜାରରୁ ଅଧିକ ଗ୍ରାମସଭାକୁ ଗୋଷ୍ଠୀ ଅଧିକାର ଦିଆଯାଇଛି ।

ଏହା ସହିତ ସର୍ଭେ ହୋଇ ନଥିବା ଜଙ୍ଗଲ ଗାଁଗୁଡ଼ିକୁ ମଧ୍ୟ ରାଜସ୍ବ ଗ୍ରାମର ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଜାରି ରହିଛି। ପ୍ରଥମରୁ ତାଙ୍କ ସରକାର ଜନଜାତିମାନଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ । ୨୦୦୦ ମସିହାରେ ତାଙ୍କ ସରକାର ଯେତେବେଳେ ପ୍ରଥମେ ଓଡ଼ିଶାରେ ସେବାର ଦାୟିତ୍ବ ଗ୍ରହଣ କଲା, ସେତେବେଳେ ତାଙ୍କ ସରକାରର ପ୍ରଥମ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଥିଲା ପଞ୍ଚାୟତମାନଙ୍କୁ ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ଅଧିକାର ପ୍ରଦାନ। ଆଜି ଏ ଦିଗରେ ଅନେକ କାମ ହୋଇଛି। ଜନଜାତିମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ବିଭିନ୍ନ କ୍ଷେତ୍ରରେ ଉନ୍ନତି ହେବା ସହିତ ସେମାନେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ମଧ୍ୟ ଅର୍ଜନ କରିପାରିଛନ୍ତି।

ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଉନ୍ନୟନ କମିସନର ଅନୁ ଗର୍ଗ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଯୋଜନାରେ ସାମିଲ ହୋଇଥିବା ବିଭିନ୍ନ ହିତାଧିକାରୀଙ୍କ ମଧ୍ୟରେ ମୟୁରଭଞ୍ଜର କପୁର ମାର୍ଣ୍ଡି, କନ୍ଧମାଳର ନରେନ୍ଦ୍ର ମଲ୍ଲିକ ଓ ରାୟଗଡ଼ାର ସୁରେଶ ଚନ୍ଦ୍ର ୱାଡାକା ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ୟୁଏନ୍‌ଡିପି, ବେସରକାରୀ ଅନୁଷ୍ଠାନ ବସୁନ୍ଧରା, ପ୍ରଦାନ ଆଦି ସଂସ୍ଥାର ପ୍ରତିନିଧି ଉପସ୍ଥିତ ଥିଲେ । ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ସଚିବ ରୂପାରୋଶନ ସାହୁ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ପରାମର୍ଶ ଅନୁଯାୟୀ ରାଷ୍ଟ୍ରପତି ଆରିଫ ଅଲ୍ଲୀ ବୁଧବାର ବିଳମ୍ବିତ ରାତିରେ ସଂସଦକୁ ଭଙ୍ଗ କରିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ପରାମର୍ଶ ଅନୁଯାୟୀ ରାଷ୍ଟ୍ରପତି ଆରିଫ ଅଲ୍ଲୀ ବୁଧବାର ବିଳମ୍ବିତ ରାତିରେ ସଂସଦକୁ ଭଙ୍ଗ କରିଛନ୍ତି




କରାଚି - ରାତି ଅଧରେ ପାକିସ୍ତାନରେ ଦେଖିବାକୁ ମିଳିଛି ହାଇଡ୍ରାମା। ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଜେଲ୍‌ ଚାରିକାନ୍ଥରେ ଥିବା ବେଳେ ଗତକାଲି ପାକିସ୍ତାନ ସଂସଦକୁ ଭାଙ୍ଗି ଦିଆଯାଇଛି। ସଂସଦ ଭଙ୍ଗ ହେବାର ୩ ମାସ ମଧ୍ୟରେ ପୁଣି ଥରେ ନିର୍ବାଚନ ହେବ । ତେବେ ଏବେ ଜେଲ୍‌ରେ ବନ୍ଦୀ ଥିବା ୭୦ ବର୍ଷ ବୟସ୍କ ଇମ୍ରାନ ଖାନ ପୁଣି ଥରେ ନିର୍ବାଚନ ଲଢ଼ି ପାରିବେ ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ପରାମର୍ଶ ଅନୁଯାୟୀ ରାଷ୍ଟ୍ରପତି ଆରିଫ ଅଲ୍ଲୀ ବୁଧବାର ବିଳମ୍ବିତ ରାତିରେ ସଂସଦକୁ ଭଙ୍ଗ କରିଛନ୍ତି। ସଂସଦର ନିମ୍ନ ସଦନ ନ୍ୟାସନାଲ ଆସେମ୍ବଲି ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବାର ୩ ଦିନ ପୂର୍ବରୁ ଭଙ୍ଗା ଯାଇଛି। ଏଥିସହ ଶାହବାଜ ଶରିଫଙ୍କ ଶାସନ କାଳ ମଧ୍ୟ ଶେଷ ହୋଇଛି। ସେ ଗତକାଲି ଶେଷଥର ସଂସଦରେ ନିଜ ଭାଷଣ ରଖିଥିଲେ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ସଂସଦ ଭଙ୍ଗ କରିବାକୁ ଅନୁରୋଧ କରିଥିଲେ। ପାକିସ୍ତାନ ସମ୍ବିଧାନ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ସୁପାରିସ୍‌ର ୪୮ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତି ସଂସଦ ଭଙ୍ଗ ନ କଲେ ତାହା ଆପେ ଆପେ ଭାଙ୍ଗି ଯାଇଥାଏ । ଆସନ୍ତା ୩ ଦିନ ମଧ୍ୟରେ ଦେଶର କେୟାରଟେକର ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇ ନ ପାରିଲେ ଗୃହର ସ୍ପିକରଙ୍କ ଦ୍ୱାରା ଗଠିତ ସମିତି ନିକଟକୁ ଏହି ମାମଲା ପଠାଯିବ । ଉକ୍ତ ସମିତି ୩ ଦିନ ମଧ୍ୟରେ ଦେଶର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀଙ୍କ ନାଁରେ ମୋହର ଲଗାଇବ ।

ହେଲେ ବାଚସ୍ପତିଙ୍କ ଦ୍ୱାରା ଗଠିତ ସମିତି ବି ଏନେଇ କୌଣସି ନିଷ୍ପତ୍ତି ନେଇ ନ ପାରିଲେ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଥିବା ପ୍ରାର୍ଥୀଙ୍କ ନାଁ ନିର୍ବାଚନ କମିଶନରଙ୍କ ନିକଟକୁ ପଠାଯିବ । ନିର୍ବାଚନ କମିଶନର ୨ ଦିନରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ରାଷ୍ଟ୍ରପତି ଅଲ୍ଲୀ ନିଜ କାର୍ଯ୍ୟକାଳ ଭିତରେ ଦ୍ୱିତୀୟ୍ ଥର ପାଇଁ ସଂସଦ ଭଙ୍ଗ କରିଛନ୍ତି। ଏହାପୂର୍ବରୁ ଗତବର୍ଷ ସେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁପାରସି କ୍ରମେ ପାକିସ୍ତାନ ସଂସଦକୁ ଭଙ୍ଗ କରିଥିଲେ। କିନ୍ତୁ ପରେ ସୁପ୍ରିମକୋର୍ଟ ତାହା ଉପରେ ରୋକ ଲଗାଇଥିଲେ।

ତୋଷଖାନା ମାମଲାରେ ଇସାଲାମାବାଦ ଟ୍ରାଏଲ କୋର୍ଟ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷର ଜେଲଦଣ୍ଡାଦେଶ ଶୁଣାଣି କରିଛନ୍ତି। ଏହାପରେ ଶନିବାରଠାରୁ ପୁଲିସ୍‌ ତାଙ୍କୁ ଗିରଫ କରିବା ସହ ଜେଲକୁ ପଠାଇ ଦେଇଛି । ତଳ କୋର୍ଟର ଏହି ରାୟ ବିରୋଧରେ ଇମ୍ରାନ ଖାନ ଇସଲାମାବାଦ ହାଇକୋର୍ଟରେ ଆବେଦନ କରିଛନ୍ତି।

ଇମ୍ରାନ ଖାନ ଏବେ ଜେଲ୍‌ରେ ଥିବା ବେଳେ ରାଜନୈତିକ କ୍ୟାରିଅର ନେଇ ଅନିଶ୍ଚିତତା ଦେଖାଦେଇଛି। କାରଣ ନିର୍ବାଚନ କମିଶନର ଆସନ୍ତା ୫ ବର୍ଷ ଇମ୍ରାନଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ୍‌ ଲଗାଇ ଦେଇଛନ୍ତି।

ଇମ୍ରାନ ଖାନ ତଳ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଇଛନ୍ତି। ଏପରିକି ଟ୍ରାଏଲ କୋର୍ଟ ଦ୍ୱାରା ତାଙ୍କୁ ଦିଆଯାଇଥିବା ଦଣ୍ଡାଦେଶ ଏକ ପାଖିଆ ରାୟ ବୋଲି ସେ ଅଭିଯୋଗ କରିଛନ୍ତି। ଏହା ନ୍ୟାୟିକ ପ୍ରକ୍ରିୟା ଉପରେ ଶକ୍ତ ଚାପୁଡ଼ା ମାରିବା ସଦୃଶ ହୋଇଥିବା ବେଳେ ତାହାର ମଜାକ ଉଡ଼ା ଯାଇଥିବା ସେ ଅଭିଯୋଗ କରିଛନ୍ତି।

ବାପାର କୋଦାଳ ମାଡ଼ରେ ପୁଅର ମୃତ୍ୟୁ

  ବାପାର କୋଦାଳ ମାଡ଼ରେ ପୁଅର ମୃତ୍ୟୁ



ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଙ୍ଗୀୟ ଗ୍ରାମ ୟୁଭି ୧୨ ଖାଣ୍ଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ବାପାର କୋଦାଳ ମାଡ଼ରେ ପୁଅର ମୃତ୍ୟୁ ହୋଇଛି। ହତ୍ୟା ପରେ ହତ୍ୟାକାରୀ ବାପା ଉମରକୋଟ ଥାନାରେ ଆତ୍ମ ସର୍ମପଣ କରିଛନ୍ତି । ମୃତକ ହେଲେ ସମୀର ରାୟ।

ସୂଚନା ଅନୁସାରେ ମଦପ୍ୟ ବାପା ଓ ପୁଅ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଫଳରେ ବାପା ରାଗିଯାଇ ଏକ କୋଦାଳରେ ପୁଅକୁ ଆକ୍ରମଣ କରିଥିଲା ।ଯାହା ଫଳରେ ଘଟଣା ସ୍ଥଳରେ ପୁଅର ମୃତ୍ୟୁ ଘଟିଥିଲା । ହତ୍ୟା ପରେ ହତ୍ୟାକାରୀ ବାପା ଉମରକୋଟ ଥାନାରେ ଆତ୍ମସର୍ମପଣ କରିଛନ୍ତି । ମୃତକ ହେଲେ ସମୀର ରାୟ । ହତ୍ୟାକାରୀ ବାପା ହେଲେ ବିପୁଲ ରାୟ ।

ବାପାର କୋଦାଳ ମାଡ଼ରେ ପୁଅର ମୃତ୍ୟୁ

 ବାପାର କୋଦାଳ ମାଡ଼ରେ ପୁଅର ମୃତ୍ୟୁ



ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଙ୍ଗୀୟ ଗ୍ରାମ ୟୁଭି ୧୨ ଖାଣ୍ଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ବାପାର କୋଦାଳ ମାଡ଼ରେ ପୁଅର ମୃତ୍ୟୁ ହୋଇଛି। ହତ୍ୟା ପରେ ହତ୍ୟାକାରୀ ବାପା ଉମରକୋଟ ଥାନାରେ ଆତ୍ମ ସର୍ମପଣ କରିଛନ୍ତି । ମୃତକ ହେଲେ ସମୀର ରାୟ।

ସୂଚନା ଅନୁସାରେ ମଦପ୍ୟ ବାପା ଓ ପୁଅ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଫଳରେ ବାପା ରାଗିଯାଇ ଏକ କୋଦାଳରେ ପୁଅକୁ ଆକ୍ରମଣ କରିଥିଲା ।ଯାହା ଫଳରେ ଘଟଣା ସ୍ଥଳରେ ପୁଅର ମୃତ୍ୟୁ ଘଟିଥିଲା । ହତ୍ୟା ପରେ ହତ୍ୟାକାରୀ ବାପା ଉମରକୋଟ ଥାନାରେ ଆତ୍ମସର୍ମପଣ କରିଛନ୍ତି । ମୃତକ ହେଲେ ସମୀର ରାୟ । ହତ୍ୟାକାରୀ ବାପା ହେଲେ ବିପୁଲ ରାୟ ।

ପାରିପାରିକ କଳହକୁ ନେଇ ପୁରୀରେ ଏକ ହତ୍ୟାକାଣ୍ଡ

 ପାରିପାରିକ କଳହକୁ ନେଇ ପୁରୀରେ ଏକ ହତ୍ୟାକାଣ୍ଡ 



ପୁରୀ,୧୦।୮-ପାରିପାରିକ କଳହକୁ ନେଇ ପୁରୀରେ ଏକ ହତ୍ୟାକାଣ୍ଡ ଘଟିଛି। ମଉସା ଛୁରିରେ ଆକ୍ରମଣ କରିବାରୁ ପୁତୁରାଙ୍କ ମୃତ୍ୟୁ ଘଟିଥିବା ବେଳେ ଶ୍ୱଶୁର ଘର ଲୋକ ଗୁରୁତର ଆହତ ହୋଇଛନ୍ତି। କୁମ୍ଭାରପଡା ଥାନା ଅନ୍ତର୍ଗତ ପୁରୀ ଉପରମାଳି ସାହି ତାତାମ୍ବରୀ ଆଖଡା ମଠ ନିକଟରେ ବୁଧବାର ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଉଛନ୍ତି ଉପର ମାଳି ସାହିରେ ଭଡ଼ା ଘରେ ରହୁଥିବା ଛଇତନା ଅଧୀନ ଗଇଣ୍ଡୋଳ ଗ୍ରାମର ସୌମ୍ୟରଞ୍ଜନ ପ୍ରଧାନ (୨୨)। ସେହିପରି ଆକ୍ରମଣରେ ସୌମ୍ୟରଞ୍ଜନଙ୍କ ବାପା, ମା, ମାଉସୀ, ଆଇ ଆଦି ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ସୌମ୍ୟରଞ୍ଜନଙ୍କ ମଉସା ତଥା ଉକ୍ତ ଥାନା ଅନ୍ତର୍ଗତ ପୁରୀ ଉପରମାଳି ସାହିର ନୃସିଂହ ମହାନ୍ତି। ଏ ନେଇ ସୌମ୍ୟରଞ୍ଜନଙ୍କ ପରିବାରପକ୍ଷରୁ ହୋଇଥିବା ଅଭିଯୋଗକ୍ରମେ ପୋଲିସ ଏକ ମାମଲା(ନଂ.୧୭୧/୨୩) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ତେବେ ନୃସିଂହଙ୍କ ସ୍ତ୍ରୀ ନନ୍ଦିନୀ ମହାନ୍ତିଙ୍କ କହିବା ଅନୁଯାୟୀ, ତାଙ୍କ ସ୍ବାମୀ ଅଧିକାଂଶ ସମୟ ନିଶା ଖାଇ ଅସଭ୍ୟ ଭାଷାରେ ତାଙ୍କୁ ଗାଳିଗୁଲଜ କରିବା ସହ ସନ୍ଦେହ କରି ମାରପିଟ କରନ୍ତି। କିଛି ବର୍ଷ ହେବ ତାଙ୍କ ଦୁହିଁଙ୍କ ମଧ୍ୟରେ କୋର୍ଟରେ କେସ୍‌ ଚାଲିଛି। ଏପରିକି ନୃସିଂହଙ୍କ ନିର୍ଯାତନା ସହି ନପାରି ନନ୍ଦିନୀ ବାପଘରେ ଆସି ରହୁଥିଲେ। ତାଙ୍କ ବାପଘର ପାଖରେ ତାଙ୍କ ଭଉଣୀ ମଧ୍ୟ ଭଡ଼ାଘର ନେଇଛନ୍ତି। ଯେଉଁଠାରେ ତାଙ୍କ ଭଉଣୀଙ୍କ ପୁଅ, ଝିଅ ରହି ପାଠ ପଢୁଥିଲେ। ତେବେ ତାଙ୍କ ଭଉଣୀ ଜଣେ ଅଙ୍ଗନଓ୍ବାଡି କର୍ମୀ ହୋଇଥିବାରୁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମଙ୍ଗଳବାର ରାତିରେ ପୁରୀ ଆସିଥିଲେ। ତେବେ ନୃସିଂହ ବୁଧବାର ସକାଳେ ତାଙ୍କ ଘରକୁ ଆସି ନନ୍ଦିନୀ ଓ ପରିବାର ଲୋକଙ୍କ ପାଟିତୁଣ୍ଡ କରିବା ସହ ମାରିଦେବା ପାଇଁ ଧମକ ଦେଇଥିଲା। ତେବେ ଏ ଘଟଣାକୁ ନେଇ ନୃସିଂହ ପାଖକୁ ନନ୍ଦିନୀଙ୍କ ଭଉଣୀ, ଭିଣେଇ, ବାପା, ଭାଇ, ସୌମ୍ୟରଞ୍ଜନ ଯାଇ ପାଟିତୁଣ୍ଡ କରିଥିଲେ। ଏଥିରେ ନୃସିଂହ ଉତ୍ତ୍ୟକ୍ତ ହୋଇ ଅପରାହ୍ନ ୨ଟାରେ ଶ୍ୱଶୁରଘରକୁ ଯାଇ ଏକ ଧାରୁଆ ଛୁୁରି ଧରି ପରିବାରର ୫ଜଣଙ୍କୁ ଆକ୍ରମଣ କରିଥିଲା। ଫଳରେ ସୌମ୍ୟରଞ୍ଜନଙ୍କ ସମେତ ୫ଜଣ ଗୁରୁତର ହୋଇଥିଲେ। ତେବେ ସମସ୍ତଙ୍କୁ ଚିକିତ୍ସା ପାଇଁ ସଦରମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ସୌମ୍ୟଙ୍କୁ ଡାକ୍ତର ମୃତ ଘୋଷଣା କରି ବ୍ୟବଚ୍ଛେଦ କରିବା ପାଇଁ ପଠାଇଥିବା ବେଳେ ଅନ୍ୟ ଗୁରୁତରମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଅପରପକ୍ଷେ ଘଟଣା ସମ୍ପର୍କରେ ଅଭିଯୋଗ ହେବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ନୃସିଂହଙ୍କୁ ଗିରଫ କରିଛି।

ଶିକାରୀଙ୍କ କବଜାରେ ଶିମିଳିପାଳ ଅଭୟାରଣ୍ୟ

ଶିକାରୀଙ୍କ କବଜାରେ ଶିମିଳିପାଳ ଅଭୟାରଣ୍ୟ 



ଶିମିଳିପାଳ - ଶିକାରୀଙ୍କ କବଜାରେ ଶିମିଳିପାଳ ଅଭୟାରଣ୍ୟ । ବନ୍ଧୁକ ମୁନରେ ଅବାଧରେ ଚାଲିଛି ବନ୍ୟା ପ୍ରାଣୀ ଶିକାର। ଆଉ ଏହାକୁ ବିରୋଧ କରୁଥିବା ତଥା ପାଟ୍ରୋଲିଂକୁ କଡ଼ାକଡ଼ି କରୁଥିବା ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଦୁର୍ଦ୍ଦାନ୍ତ ଶିକାରୀ। ଏଥିପାଇଁ ଗତ କିଛି ମାସ ମଧ୍ୟରେ ଶିମିଳିପାଳରେ ଗଡ଼ିଲାଣି ୨ ବନ କର୍ମଚାରୀଙ୍କ ମୁଣ୍ଡ।

ଏହାପରେ ଶିମିଳିପାଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ବେଳେ ଯାହା ମିଳିଛି ସମସ୍ତଙ୍କ ଆଖି ତାଟକା ହୋଇ ଯାଇଛି। ସର୍ଚ୍ଚ ଅପରେସନ ବେଳେ ଶିମିଳିପାଳରୁ ୨୧ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଜବତ ହୋଇଛି ୧୬୫ ବନ୍ଧୁକ ।

ଏନେଇ ସୂଚନା ଦେଇ ମୟୂରଭଞ୍ଜ ଏସ୍ ପି ବି. ଗଙ୍ଗାଧର କହିଛନ୍ତି, ମୟୂରଭଞ୍ଜର ୧୪ଟି ଥାନା ଅଞ୍ଚଳରେ ସର୍ଚ୍ଚ ଅପରେସନ ପରେ ୧୬୫ ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ଯନ୍ତ୍ରାଂଶ ଜବତ କରଯାଇଛି । ଏଥିସହ ୫୦୦ ଗନ୍ ପାଉଡର, ବଜ୍ରକାପ୍ତା କାତି, ହରିଣ ଶିଙ୍ଗ ମଧ୍ୟ ଜବତ କରଯାଇଛି । ତେବେ ଏହି ଶିକାରୀମାନେ ଏତେ ପରିମାଣର ଅସ୍ତ୍ର କେଉଁଠୁ ଆଣିଲେ, କିଏ ଏହାକୁ ଯୋଗାଉଥିଲା ସେ ନେଇ ଖୋଳତାଡ ଚାଲିଛି।

ସୂଚନାଯୋଗ୍ୟ, ଶିମିଳିପାଳ ଅଭୟାରଣ୍ୟରେ ଶିକାରୀମାନେ ଫରେଷ୍ଟ ଗାର୍ଡ ବିମଳ କୁମାର ଜେନାଙ୍କୁ ଗତ ମେ’ ମାସରେ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ଏହା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।  ଏହାପରେ ଶିମିଳିପାଳର ୬ ଶହ ସୁରକ୍ଷା ସହାୟକ(ଠିକା ବନ କର୍ମଚାରୀ) ଆନ୍ଦୋଳନକୁ ଓହ୍ଲାଇଥିଲେ। ଫଳରେ ଦୁଇଟି ଡିଭିଜନରେ ଥିବା ମୋଟ ୧୬ଟି ରେଞ୍ଚକୁ ପୁଲିସ୍‌ କର୍ମଚାରୀ ଜଗିଥିଲେ। ଏଥିସହ ଶିମିଳିପାଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ବେଳେ ୩୦ରୁ ଅଧିକ ବନ୍ଧୁକ ମିଳିଥିଲା । ଏ ପର୍ଯ୍ୟନ୍ତ ୨ଶହରୁ ଅଧିକ ବନ୍ଧୁକ ଜିଲ୍ଲା ପୁଲିସ ଜବତ୍ କରିସାରିଥିବା ଏସପି ସୂଚନା ଦେଇଛନ୍ତି।

Wednesday, August 9, 2023

ଠକେଇ ଗ୍ୟାଙ୍ଗର ଶିକାର ହେଲେ ଦୁଇ ପୋଲିସ କର୍ମଚାରୀ

 ଠକେଇ ଗ୍ୟାଙ୍ଗର ଶିକାର ହେଲେ ଦୁଇ ପୋଲିସ କର୍ମଚାରୀ



ଭୁବନେଶ୍ବର - ପୋଲିସକୁ ଠକିଲେ ନକଲି ପୋଲିସ । ଠକେଇ ଗ୍ୟାଙ୍ଗର ଶିକାର ହେଲେ ଦୁଇ ପୋଲିସ କର୍ମଚାରୀ। ସ୍ପେଶାଲ ପୋଲିସର ପରିଚୟ ଦେଇ ନକଲି ପୋଲିସ ଅସଲି ପୋଲିସଂକୁ ଠକୁଥିଲେ। ଠକେଇ ଶିକାର ହୋଇଛନ୍ତି ଷଷ୍ଠ ବାଟାଲିୟନର ସିପାହୀ ମାନସ କୁମାର ବାରିକ ଓ ସରୋଜ କୁମାର ପଣ୍ଡା ।

ସେମାନଙ୍କ ଠାରୁ ୯ ଲକ୍ଷ ୮୦ ହଜାର ଟଙ୍କାର ଠକି ନେଇଥିଳେ । ଟଙ୍କା ବଦଳରେ କାଗଜ ବିଡା ଫେରାଇଥିଲେ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ ସରୋଜ କାନ୍ତ ଜେନା ସମେତ ଚାରି ଜଣ ଅଭିଯୁକ୍ତଂକୁ ଗିରଫ କରିଛି ପୋଲିସ ।

ସୁନା ଅଳଙ୍କାର ସହ ୧ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଛି। ପୂର୍ବରୁ ଢେଙ୍କାନାଳ, ସୁନ୍ଦରଗଡ଼, ଭୁବନେଶ୍ବର, କଟକ ଆଦି ଅଞ୍ଚଳରୁ ଠକେଇ କରିଥିବା କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର ସୂଚନା ଦେଇଛନ୍ତି।

୨ ଜଣ ଝିଅଙ୍କ ପ୍ରେମ କାହାଣୀ

 ୨ ଜଣ ଝିଅଙ୍କ ପ୍ରେମ କାହାଣୀ



ସିଓଲ: ନିକଟରେ ୨ ଜଣ ଝିଅଙ୍କ ପ୍ରେମ କାହାଣୀ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଦୁହେଁ କିଛି ବର୍ଷ ତଳେ ବିବାହ କରିଥିବାବେଳେ ଏବେ ସେ ମା’ ହେବାକୁ ଯାଉଥିବା ନେଇ ଫଟୋ ଶେୟାର କରିଛନ୍ତି। ସେମାନଙ୍କ ପାଇଁ ଏହା ଅତି ସହଜ ନ ଥିଲା। ଘରର କଟକଣା, ସମାଜର ପ୍ରତିବନ୍ଧକ ସହି ନ ପାରି ସେମାନଙ୍କୁ ପିଲା ଜନ୍ମ କରିବାକୁ ଅନ୍ୟ ଏକ ଦେଶକୁ ଯିବାକୁ ପଡ଼ିଛି। ରିପୋର୍ଟ ମୁତାବକ, ଦକ୍ଷିଣ କୋରିଆର ବାସିନ୍ଦା କିମ୍‌ କ୍ୟୁ-ଜିନ୍‌ ଏବଂ କିମ୍‌ ସେ-ୟେନ ନାମକ ୨ ଜଣ ସମଲିଙ୍ଗୀ। ସେମାନେ ୨୦୧୯ରେ ବିବାହ କରିଥିଲେ। ହେଲେ ଏବେ ତାଙ୍କ ପିଲା ଜନ୍ମ ପାଇଁ ନିୟମକାନୁନ ତାଙ୍କୁ ବାଧା ଦେଉଛି; ଯେଉଁଥିପାଇଁ ସେମାନଙ୍କୁ ଦକ୍ଷିଣ କୋରିଆ ଛାଡ଼ି ବେଲଜିୟମ୍‌ ଯିବାକୁ ପଡ଼ିଛି। ପ୍ରକୃତରେ ଦକ୍ଷିଣ କୋରିଆ ତାଙ୍କ ବିବାହକୁ ମାନ୍ୟତା ଦେଇନାହିଁ। ସମଲିଙ୍ଗୀ ଯୋଡ଼ିଙ୍କ ବିବାହକୁ ପଞ୍ଜୀକରଣ କରିବାକୁ ମନା କରିଦିଆଗଲା। ତେବେ ଦୁହିଁଙ୍କ ବିବାହ ନ୍ୟୁୟର୍କରେ ପଞ୍ଜୀକୃତ ହୋଇଛି। ଏହାପରେ ବିବାହର କିଛି ବର୍ଷ ପରେ ସେମାନେ ପିଲା ପାଇଁ ପ୍ରସ୍ତୁତ ହେଲେ। ସେଥିପାଇଁ ଦୁହିଁଙ୍କୁ ଦେଶ ଭିତରେ ଅନୁମତି ମିଳିଲାନାହିଁ। ଦକ୍ଷିଣ କୋରିଆରେ ଶୁକ୍ରାଣୁ ବ୍ୟାଙ୍କ ମଧ୍ୟ ସେମାନଙ୍କ ପାଇଁ ଅନୁମତି ଦେଲେ ନାହିଁ। କିମ୍‌ କ୍ୟୁ-ଜିନ୍‌ ବେଲଜିୟମ୍‌ର ଜଣେ ସ୍ପର୍ମ ଡୋନରଙ୍କ ସାହାଯ୍ୟରେ ଗର୍ଭଧାରଣ କରିଛନ୍ତି। ଏବେ ତାଙ୍କ ଗର୍ଭଧାରଣକୁ ୮ ମାସ ହେଲାଣି। ସେ ଇନ୍‌ ଭିଟ୍ରୋ ଫର୍ଟିଲାଇଜେଶନ (ଆଇଭିଏଫ୍‌) ପ୍ରଣାଳୀରେ ମା’ ହେବାକୁ ଯାଉଛନ୍ତି। ଦୁହେଁ ଦେଶରେ ସମଲିଙ୍ଗୀଭିତ୍ତିକ ପିତୃତ୍ୱ ବାବଦରେ ସଚେତନତା ବଢ଼ାଇବାକୁ ସେମାନଙ୍କ ଗର୍ଭାବସ୍ଥାକୁ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିନ୍‌ ଦକ୍ଷିଣ କୋରିଆର ସେହି ହସ୍ପିଟାଲରେ ତାଙ୍କ ପିଲା ଜନ୍ମଦେବାକୁ ଚାହୁଁଛନ୍ତି, ଯେଉଁଠାରେ ତାଙ୍କ ସ୍ତ୍ରୀ ୟେନ ଡାକ୍ତର ଅଛନ୍ତି। ତାଙ୍କ ମା’ ସହ ପିଲା ମଧ୍ୟ ସୁସ୍ଥ ରହିବ ବୋଲି ସେମାନେ ଆଶାବାଦୀ ଅଛନ୍ତି। ପିଲା ଜନ୍ମହେବା ପରେ ଦକ୍ଷିଣ କୋରିଆରେ ସେମାନେ ପିଲାର ନିୟମଗତ ମାତା ହେବେ ନାହିଁ। ସେଥିପାଇଁ ସେମାନେ ଦେଶ ବାହାରେ ରହିବାକୁ ଇଚ୍ଛା କରିଛନ୍ତି।

COASTAL NEWS

ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ.

‘ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ... ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ମନ୍ଥା’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ପ୍ରଭାବିତ ହୋ...