AFFILIATE MARKETING

https://binomo.com?a=90810425bb57&t=0

Monday, June 16, 2025

ପୃଥିବୀ ମାତାଙ୍କ ଜନ୍ମକଥା

*ପୃଥିବୀ ମାତାଙ୍କ ଜନ୍ମକଥା*
        
ପ୍ରାଚୀନ କାଳର କଥା l ସେତେବେଳେ ଏ ସମସ୍ତ ଜଗତ ଜଳମଗ୍ନ ହୋଇ ରହିଥାଏ l ସେହି ପ୍ରଳୟ ଜଳରେ ଭଗବାନ୍ ବିଷ୍ଣୁ, ଅନନ୍ତ ଶଯ୍ୟାରେ ଶୟନ କରିଥାନ୍ତି l ବିଷ୍ଣୁଙ୍କ କର୍ଣ୍ଣମୂଳ ମଳରୁ ଦୁଇଟି ଦାନବ ଜନ୍ମ ହେଲେ, ମଧୁ ଓ କୈଟଭ l ସମୟକ୍ରମେ ମଧୁ ଓ କୈଟଭ ଦାନବଦ୍ବୟ ଖୁବ୍ ଦୁର୍ଦ୍ଧାନ୍ତ ଓ ବଳଶାଳୀ ହୋଇ ପଡ଼ିଲେ l ଦିନେ ଅଗାଧ ଜଳରେ ସେମାନେ କ୍ରୀଡ଼ା କରୁଥିବାବେଳେ କହିଲେ ଏହି ଜଳ କୁଆଡୁ ଆସିଲା,ଏହାକୁ ସୃଷ୍ଟିକଲା କିଏ, ଆମକୁ ସୃଷ୍ଟିକଲା କିଏ? ଏ ଜଳ ମଧ୍ୟରେ ନିଶ୍ଚୟ କୌଣସି ଶକ୍ତି ଅଛି ଓ ସେହି ଶକ୍ତି ଆମକୁ ସୃଷ୍ଟି କରିଛି l ସେହି ଶକ୍ତିକୁ ଚାଲ ଅନୁସନ୍ଧାନକରିବା l ସେମାନେ ଏପରି ଭାବୁ ଥିବା ସମୟରେ ଅନ୍ତରୀକ୍ଷରୁ "ବାଗବୀଜ" ବୋଲି ଗୋଟିଏ ଶବ୍ଦ ଶୁଣିବାକୁ ମିଳିଲା l ସେମାନେ ସେହି ଧ୍ୱନୀକୁ ବାରମ୍ବାର ଉଚ୍ଚାରଣ କରିବାରେ ଲାଗିଲେ l ଏପରି ପ୍ରାୟ ଏକ ହଜାର ବର୍ଷ ବିତି ଗଲା l ସେହି ଧ୍ଵନୀ ଥିଲା ମାଆ ମହାମାୟାଙ୍କ ବୀଜମନ୍ତ୍ର l 

ଦିନେ ସେମାନେ ଜଳରେ ବିଚରଣ କରୁଥାନ୍ତି ଏହି ସମୟରେ ଆକାଶରୁ ସେମାନେ ଗୋଟିଏ ନାରୀର କଣ୍ଠସ୍ବର ଶୁଣିଲେ, ହେ ଦୈତ୍ୟଦ୍ୱୟ ! ତୁମ ମାନଙ୍କ ପ୍ରାର୍ଥନାରେ ମୁଁ ସନ୍ତୁଷ୍ଟହୋଇଛି l ତୁମେ ମୋତେ କି ବରମାଗୁଛ ମାଗ l ମଧୁ କୈଟଭ କହିଲେ, ମାଆ ! ଆପଣ ଆମକୁ ଇଚ୍ଛାମୃତ୍ୟୁର ବର ପ୍ରଦାନ କରନ୍ତୁ l ସେହି କଣ୍ଠସ୍ୱର ପୁଣି କହିଲା,ରେ ଦାନବ ! ତୁମର ମୃତ୍ୟୁ ତୁମର ଇଚ୍ଛାଧୀନ ହେବ ନାହିଁ l ମୁଁ ଚାହିଁଲେ ଯାଇ ତୁମର ମୃତ୍ୟୁ ହେବ l ତେବେ ମୁଁ ତୁମକୁ ବର ଦେଉଛି,ଦେବ ବା ଦାନବ କେହି ତୁମକୁ ପରାଜିତ କରି ପାରିବେନାହିଁ l ମାଆଙ୍କ ସେହି ବରକୁ ଅମର ବର ମଣି ଦୈତ୍ୟ ଦ୍ବୟ ଆନନ୍ଦିତ ହେଲେ l 

କିଛିଦିନ ପରେ, ଦୈତ୍ୟ ଦ୍ୱୟ ଦିନେ ଜଳରେ ଘୁରି ବୁଲୁଥିଲା ବେଳେ ତାଙ୍କ ଦୃଷ୍ଟି ପଡ଼ିଲା କମଳ ପୁଷ୍ପ ଉପରେ ବିରାଜମାନ କରିଥିବା, ବ୍ରହ୍ମାଙ୍କ ଉପରେ l
ବ୍ରହ୍ମା ଭଗଵାନ ବିଷ୍ଣୁଙ୍କ ନାଭି କମଳରୁ ଜନ୍ମ ହୋଇ କମଳ ପୁଷ୍ପ ଉପରେ ବସି ସୃଷ୍ଟି ସର୍ଜନା ପାଇଁ ଚକ୍ଷୁ ମୁଦ୍ରିତକରି ଭଗବାନ ବିଷ୍ଣୁଙ୍କ ଧ୍ୟାନରେ ବସିଥିଲେ l 

ପୂର୍ବରୁ କୌଣସି ଜୀବଙ୍କୁ ଦେଖି ନଥିବା ଅସୁରଦ୍ବୟ ବ୍ରହ୍ମାଙ୍କୁ ଦେଖିବାମାତ୍ରେ ତାଙ୍କୁ କହିଲେ, ଆସ ଆମ ସହିତ ଯୁଦ୍ଧକର,ଏମିତି ଆଖି ବୁଜି ବସିଛ କଅଣ l ଵେଦପତି ଖୁବ ଭୟଭୀତହୋଇ ଅନନ୍ତ ଶଯ୍ୟାରେ ଯୋଗନିଦ୍ରାରେ ଶୟନ କରିଥିବା ଭଗବାନ ବିଷ୍ଣୁଙ୍କୁ ସ୍ତୁତି କରିବାକୁ ଲାଗିଲେ l ମାତ୍ର ବ୍ରହ୍ମା ଯେତେ ସ୍ତୁତି କଲେ ମଧ୍ୟ ତାଙ୍କ ଯୋଗ ନିଦ୍ରା ଭଙ୍ଗ ହେଲା ନାହିଁ l ବ୍ରହ୍ମା ତାଙ୍କୁ ଜାଗ୍ରତ କରାଇବା ପାଇଁ ଶେଷକୁ ମାଆ ଯୋଗନିଦ୍ରାଙ୍କୁ ସ୍ତୁତି କଲେ l

ବ୍ରହ୍ମାଙ୍କ ସ୍ତୁତିରେ ଦେବୀ ମହାମାୟା ସନ୍ତୁଷ୍ଟ ହୋଇ ବିଷ୍ଣୁଙ୍କ ଉପରୁ ତାଙ୍କ ମାୟା ଉଠାଇ ନେବାରୁ ବିଷ୍ଣୁ ଜାଗ୍ରତ ହେଲେ l ଭଗବାନ ସମ୍ମୁଖରେ ଯୋଡ଼ହସ୍ତ ବ୍ରହ୍ମାଙ୍କୁ ଦେଖି କହିଲେ, ପଦ୍ମଯୋନି ! ଆପଣ ଜପ ତପ ଛାଡ଼ି ଏପରି ଭୟଭୀତହୋଇ ଏଠାରେ ଛିଡ଼ା ହୋଇଛନ୍ତି କାହିଁକି? ବ୍ରହ୍ମା ତାଙ୍କୁ ସମସ୍ତ କଥା କହି ଦୈତ୍ୟଙ୍କ କବଳରୁ ରକ୍ଷା କରନ୍ତୁ ବୋଲି କହିଲେ l ବିଷ୍ଣୁ ତାଙ୍କୁ ଅଭୟ ଦେଇ କହିଲେ, ଆପଣ ଆଦୌ ଭୟ କରନ୍ତୁ ନାହିଁ l ଆପଣ ଏଠାରେ ନିରାପଦରେ ଅବସ୍ଥାନକରନ୍ତୁ l ଦୈତ୍ୟଦ୍ୱୟ ଆପଣଙ୍କୁ ଆକ୍ରମଣ କରିବାକୁ ଆସିଲେ, ମୁଁ ତାଙ୍କୁ ଏଇଠି ବଧ କରିବି l  ସେମାନେ କିଛି କରିପାରିବେ ନାହିଁ l

ବ୍ରହ୍ମାଙ୍କୁ ଅନୁସରଣ କରି, ମଧୁ କୈଟଭ ସେଠାରେ ଆସି ପହଞ୍ଚି କହିଲେ, ଆରେ ତୁ ଆମ ସହିତ ଯୁଦ୍ଧ ନକରି ଏଠାକୁ ପଳାଇ ଆସିଛୁ l ଏ କ'ଣ ତୋତେ ରକ୍ଷାକରିବ l ଆମେ ଆଗେ ତୋତେ ବଧ କରିବୁ l ତାପରେ ତା କଥା l ଯଦି ତୁ ଆମସହ ଯୁଦ୍ଧ ନକରି ପାରୁ ତେବେ ଆମ ଶରଣ ପଶ l
ବିଷ୍ଣୁ ରାକ୍ଷସ ଦୁହିଁଙ୍କ ଆହ୍ବାନ ଶୁଣି କହିଲେ, ତୁମେ ଦୁହେଁ ଅତୀବ ବଳଶାଳୀ ଜଣାପଡୁଛ l ହେ ବୀର ! ଯଦି ତୁମର ଯୁଦ୍ଧ କରିବାକୁ ଇଚ୍ଛା, ତୁମେ ମୋ ସହ ଯୁଦ୍ଧକରି ତୁମର ଅଭିଳାଷ ପୂର୍ଣ୍ଣ କର l 
ଏଥିରେ ମଧୁ ଓ କୈଟଭ ସମ୍ମତ ହେଲେ l ବିଷ୍ଣୁଙ୍କ ସହ ତାଙ୍କର ଭୟଂକର ବାହୁ ଯୁଦ୍ଧ ଆରମ୍ଭ ହୋଇ ଗଲା l ଏହି ଯୁଦ୍ଧ ପାଞ୍ଚହଜାର ବର୍ଷ ଧରି ଚାଲିଲା l ବିଷ୍ଣୁ ଦୈତ୍ୟଙ୍କ ସହ ଯୁଦ୍ଧ କରି କରି ଅତ୍ୟନ୍ତ କ୍ଳାନ୍ତ ହୋଇପଡ଼ି ଭାବିଲେ,ଏମାନେ ଧୈର୍ଯ୍ୟର ସହ ଯୁଦ୍ଧ କରୁଛନ୍ତି, ଅଥଚ ମୁଁ କାହିଁକି କ୍ଳାନ୍ତ ହୋଇ ପଡ଼ୁଛି l ବିଷ୍ଣୁ ରାକ୍ଷସ ଦୁହିଁଙ୍କୁ କହିଲେ, ଆରେ ! ତୁମେ ଦୁଇ ଜଣ ମୋସହ ଲଢେ଼ଇ କରୁଛ, ମୁଁ ଏକା ଏକା ତୁମ ସହ ଲଢ଼ି, ଥକି ପଡ଼ିଲିଣି l ମୋର ଟିକିଏ ବିଶ୍ରାମ ଆବଶ୍ୟକ l ମୋତେ ଟିକିଏ ବିଶ୍ରାମ ଦିଅ l

ଦୈତ୍ୟ ମଧୁ ଓ କୈଟଭ ଏଥିରେ ସମ୍ମତ ହେଲେ l ବିଷ୍ଣୁ ବିଶ୍ରାମ ନେଉଥିଲା ବେଳେ, ଦୈତ୍ୟ ଦ୍ୱୟଙ୍କୁ ଅଭୟ ଦେଇଥିବା ମା' ଭଗବତୀଙ୍କୁ ଧ୍ୟାନ କଲେ l ମାଆ ପ୍ରସନ୍ନହୋଇ କହିଲେ, ହେ ବିଷ୍ଣୁ ! ଜଗତର ମଙ୍ଗଳପାଇଁ ମୁଁ ମାୟା ବିସ୍ତାରକରି ଏହି ରାକ୍ଷସଙ୍କୁ ମୋହିତ କରିଦେବି l ସେହି ସମୟରେ ରାକ୍ଷସଙ୍କୁ ତୁମେ ନିଧନ କରିବ l ତୁମେ ପୁନଃ ଯୁଦ୍ଧକର l

ପୁଣି ବିଷ୍ଣୁଙ୍କସହ ରାକ୍ଷସଙ୍କର ପ୍ରବଳ ଯୁଦ୍ଧ ଆରମ୍ଭ ହୋଇଗଲା l ଏହି ସମୟରେ, ମୋହିନୀ ରୂପରେ  ମହାଦେବୀ, ରାକ୍ଷସ ଦ୍ବୟଙ୍କୁ ମୋହିତ କରି ନିର୍ବଳ କରି ଦେଲେ l ସେମାନେ ଆଉ ଯୁଦ୍ଧକରି ପାରିଲେ ନାହିଁ l ଏତିକିବେଳେ ଭଗବାନ୍ ବିଷ୍ଣୁ କହିଲେ, ହେ ମହାବୀର ! ମୁଁ ତୁମ ସହ ଯୁଦ୍ଧ କରି ଅତ୍ୟନ୍ତ ପ୍ରୀତ ହୋଇଛି l ତୁମେ ମୋତେ କି ବର ମାଗୁଛ, ମାଗ l ମାୟାମୋହିତ ରାକ୍ଷସ କହିଲେ, ତୁମେ ଆମକୁ କି ବର ଦେବ ହେ l ବରଂ ତୁମେ ଆମକୁ ବର ମାଗ l ବିଷ୍ଣୁ କହିଲେ, ହେଉ ! ତା ହେଲେ ତୁମେ ମୋତେ ଏହି ବର ଦିଅ, ତୁମେ ମୋ' ହାତରେ ମୃତ ହେବ l

ମଧୁ କୈଟଭ ଦୁଇଭାଇ ନିଜ ଜାଲରେ ନିଜେ ଛନ୍ଦି ହୋଇ ପଡ଼ିଲେ l ଚତୁର୍ଦ୍ଦିଗରେ ଅନନ୍ତ ଜଳରାଶିକୁ ଚାହିଁ, ସେମାନେ ଟିକିଏ ଚିନ୍ତାକରି, କହିଲେ, ଠିକ୍ ଅଛି ! ଆମକୁ କୌଣସି ଏକ ଜଳଶୁନ୍ୟ ଯାଗାରେ ପକେଇ ମାରି ପାରିବ ତ ଦେଖ l ସେମାନେ ଭାବି ଥିଲେ ଚାରିଆଡ଼େ ତ ଜଳ l ଜଳଶୁନ୍ୟ ଯାଗା ଅଛି ଯେ ଇଏ ଆମକୁ ପକାଇ ମାରିବ l

ଭଗବାନ ବିଷ୍ଣୁ ଆଉ କାଳବିଳମ୍ୱ ନକରି ସୁଦର୍ଶନ ଚକ୍ରକୁ ସ୍ମରଣ ପୂର୍ବକ ନିଜର ଜାନୁକୁ ଚାରି ହଜାର କ୍ରୋଶ ଯାଏ ବିସ୍ତାର କଲେ l ବିଷ୍ଣୁ ଦୈତ୍ୟ ଦ୍ୱୟଙ୍କୁ କହିଲେ, ଦେଖ ସମ୍ପୂର୍ଣ୍ଣରୂପେ ଏ ଜଳଶୂନ୍ୟ ସ୍ଥାନ l ତୁମ ମସ୍ତକକୁ ଏଠାରେ ରଖ l ମଧୁକୈଟଭ ବିସ୍ମିତ ହୋଇ ତାଙ୍କ ଶିରକୁ ରଖି ଦେଲେ l ଭଗଵାନ ବିଷ୍ଣୁ ତତ୍କ୍ଷଣାତ୍ ସୁଦର୍ଶନ ଚକ୍ରରେ ରାକ୍ଷସ ଦ୍ୱୟଙ୍କ ମସ୍ତକ ଛେଦନକଲେ l ବ୍ରହ୍ମା ରକ୍ଷା ପାଇଗଲେ l ଦେବୀଙ୍କ ମଧୁ କୈଟଭଙ୍କୁ ବର ମଧ୍ୟ ସଫଳ ହେଲା l

ବିଶାଳ ଶରୀର ଧାରୀ ସେହି ଦୈତ୍ୟଦ୍ବୟଙ୍କ ମେଦ, ମଜ୍ଜା ଓ ରୁଧିରରେ ବିସ୍ତୃତ ଜଳ ଭାଗର କେତେକ ଅଂଶ ପୁରି ଉଠିଲା l ମେଦରୁ ସୃଷ୍ଟ, ସେହି ଅଂଶକୁ ମେଦିନୀ କୁହାଗଲା l ରାଜା ପୃଥୁଙ୍କ ନାମାନୁସାରେ ତାହା ପୁଣି ପୃଥିବୀ ବୋଲି ପରିଚିତହେଲା l ରାଜା ପୃଥୁ, ଗାଭୀ ରୂପୀ, ଧରଣୀଙ୍କୁ ଦୋହନ କରି ଥିଲେ ବୋଲି ପୌରାଣିକ କାହାଣୀ ରହିଛି l

ନୈମିଷାରଣ୍ୟରେ ସମବେତ ୠଷିମୁନିମାନଙ୍କୁ ସୂତ ମୁନି ଶ୍ରୀମଦ ଦେବୀ ଭାଗବତରେ ମାଆ ପରାଶକ୍ତି ମହାମାୟାଙ୍କ ଲୀଳାକଥା ଶୁଣାଇ ମେଦିନୀ ସୃଷ୍ଟିର ଏହି ସୁନ୍ଦର କାହାଣୀ କହିଥିଲେ l

           !!! ଜୟ ମାଆ ଧରିତ୍ରୀ !!!

No comments:

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...