AFFILIATE MARKETING

https://binomo.com?a=90810425bb57&t=0

Sunday, August 10, 2025

ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ: ପୁରୁଷ ବନ୍ଧୁ ଗିରଫମୋବାଇଲରୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ପ୍ରମାଣ

ମୋବାଇଲରୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ପ୍ରମାଣ

କେନ୍ଦ୍ରାପଡ଼ା, ୧୦/୮: ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ। ଗତ ୬ ତାରିଖରେ ଯୁବତୀ ମୃତ୍ୟୁ ମାମଲାରେ ତାଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ ହୋଇଛନ୍ତି। ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ଗିରଫଦାରୀ ନେଇ କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ ସୂଚନା ଦେଇଛନ୍ତି।

ଏସପି କହିଛନ୍ତି, “ମୃତ ଯୁବତୀଙ୍କ ଅଶ୍ଳୀଳ ଫଟୋ ପ୍ରମୋଦଙ୍କ ମୋବାଇଲରୁ ମିଳିଛି। ଘଟଣାର କିଛି ସମୟ ପୂର୍ବରୁ ଯୁବତୀଙ୍କ ସହ କଥା ହୋଇଥିଲେ ପ୍ରମୋଦ। ଜୁଲାଇ ୧୭ରେ ଅଶ୍ଳୀଳ ଭିଡିଓ ଯୁବତୀଙ୍କ ବାପାଙ୍କ ପାଖକୁ ପଠାଇଥିଲେ। ଆଉ ୨ ଜଣଙ୍କ ମୋବାଇଲକୁ ମଧ୍ୟ ଭାଇରାଲ୍ ଉଦ୍ଦେଶ୍ୟରେ ପଠାଇଥିଲେ। କାଠିଆପଡ଼ାରେ ଲାଗିଥିବା ସିସିଟିଭିରୁ ଆଉ କିଛି ତଥ୍ୟ ହସ୍ତଗତ ହୋଇଛି। ମୃତ ଯୁବତୀଙ୍କ ବାପା ଘରୁ ଯିବା ଓ ଫେରିବାର ଦୃଶ୍ୟ ହସ୍ତଗତ ହୋଇଛି। ସେହିଦିନ ୧୧ଟା ୪୦ ବେଳେ ଗାଁ ଲୋକଙ୍କ ଧାଁ ଦୌଡ଼ ମଧ୍ୟ ସାମ୍ନାକୁ ଆସିଛି।”

ସୂଚନାଯୋଗ୍ୟ, ଗତ ୬ ତାରିଖରେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଠିଆପଡ଼ା ଗାଁରେ ଯୁକ୍ତ ତିନିରେ ପଢୁଥିବା ଜଣେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ଛାତ୍ରୀଙ୍କ ବାପା ତାଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ‌। ପୁରୁଷ ବନ୍ଧୁ ତାଙ୍କ ଝିଅର କିଛି ଆପତ୍ତିଜନକ ଫଟୋ ଓ ଭିଡ଼ିଓ ଭାଇରାଲ କରିଥିଲା। ଯାହା ଫଳରେ ସେ ଚାପ ଗ୍ରସ୍ତ ହୋଇ ନିଜ ଜୀବନ ସାରିଥିବା ଅଭିଯୋଗ ଆଣିଥିଲେ ଯୁବତୀଙ୍କ ବାପା। ଏହା ପରେ ପୋଲିସ ଏହା ଯୋଜନାବଦ୍ଧ ହତ୍ୟା ନା ଆତ୍ମହତ୍ୟା ବୋଲି ତନାଘନା କରୁଥିଲା। ଗତ କାଲି ଯୁବତୀଙ୍କ ବାପା ପୁରୁଷ ବନ୍ଧୁଙ୍କ ନାଁରେ ମାମଲା ରୁଜୁ କରିଥିଲେ। ଗତ ୮ ତାରିଖରେ ପ୍ରମୋଦଙ୍କୁ ଚେନ୍ନାଇରୁ ଉଠାଇ ଆଣିଥିଲା ପୋଲିସ।

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁଗୁଳି ବିନିମୟ ଜାରି

ଗୁଳି ବିନିମୟ ଜାରି

କିସ୍ତୱାର, ୧୦/୮: ଜମ୍ମୁ ଓ କାଶ୍ମୀରର କିସ୍ତୱାର ଜିଲ୍ଲାରେ ରବିବାର ମିଳିତ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଛି।

ନାଗ୍ରୋଟା ମୁଖ୍ୟାଳୟସ୍ଥିତ ସେନାର ହ୍ୱାଇଟ୍ ନାଇଟ୍ କର୍ପସ X ରେ କହିଛି, “୧୦ ଅଗଷ୍ଟ ସକାଳେ କିସ୍ତୱାରର ଦୁଲ୍ ଅଞ୍ଚଳରେ ଏକ ଗୁପ୍ତ ସୂଚନା ଆଧାରରେ ଅପରେସନ୍ କରୁଥିବା ସମୟରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଅପରେସନ୍ ଜାରି ରହିଛି”।

ସୂଚନାଯୋଗ୍ୟ, କାଶ୍ମୀରର କୁଲଗାମ ଜିଲ୍ଲାର ଅଖଲ ଦେବସର ଜଙ୍ଗଲ ଅଞ୍ଚଳରେ ପ୍ରାୟ ୧୦ ଦିନ ଧରି ଆତଙ୍କବାଦୀ ବିରୋଧୀ ଅଭିଯାନ ଚାଲିଛି। ଏପର୍ଯ୍ୟନ୍ତ ଏହି ଅଭିଯାନରେ ଜଣେ ସ୍ଥାନୀୟ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଦୁଇ ଜଣ ସେନା ଯବାନ ସହିଦ ହୋଇଛନ୍ତି ଏବଂ ଚାରି ଜଣ ସୈନିକ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଲୁଚି ରହିଥିବା ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ସେନା ରୁଦ୍ର ହେଲିକପ୍ଟର, ଡ୍ରୋନ ଏବଂ ପାରା କମାଣ୍ଡୋ ନିୟୋଜିତ କରିଛି।

Saturday, August 9, 2025

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର

ଯିବା ଆସିବା ଟିକେଟ୍ ଏକାଥରେ କିଣିଲେ ୨୦% ରିହାତି

ନୂଆଦିଲ୍ଲୀ, ୯/୮: ଯେବେ କୌଣସି ପର୍ବ ପର୍ବାଣୀ ଆସେ, ପ୍ରାୟ ପ୍ରତ୍ୟେକ ରେଳ ଷ୍ଟେସନରେ ପ୍ରବଳ ଭିଡ଼ ଦେଖାଯାଏ । ଲୋକଙ୍କୁ ହଜାର ହଜାର କିଲୋମିଟର ଠିଆ ହୋଇ ଯାତ୍ରା କରିବାକୁ ପଡ଼େ । ଏହି ଭିଡ଼ ଏବଂ ସୁରକ୍ଷିତ ଯାତ୍ରା ପାଇଁ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ଼ ଉପହାର ଦେଇଛନ୍ତି ।

ଏହା ଅନୁଯାୟୀ, ଯଦି ଆପଣ ଏକାଠି ଯିବା ଏବଂ ଆସିବା ପାଇଁ ଟିକେଟ୍ ବୁକ୍ କରନ୍ତି, ତେବେ ଆପଣଙ୍କୁ ୨୦ ପ୍ରତିଶତ ରିହାତି ଦିଆଯିବ । ଏହି ସମ୍ପର୍କରେ, ରେଳ ମନ୍ତ୍ରଣାଳୟ ଏକ “ରାଉଣ୍ଡ ଟ୍ରିପ୍ ପ୍ୟାକେଜ୍” ଆରମ୍ଭ କରିଛି ।

ପାର୍ବଣ ଋତୁରେ ଟ୍ରେନରେ ପ୍ରବଳ ଭିଡ଼ ଏବଂ ଟିକେଟ୍ ପାଇଁ ଭିଡ଼କୁ ଏଡାଇବା ପାଇଁ, ଭାରତୀୟ ରେଳବାଇ ଏକ ନୂତନ ଯୋଜନା ଆରମ୍ଭ କରିଛି । ଏହାର ନାମ ହେଉଛି ‘ରାଉଣ୍ଡ ଟ୍ରିପ୍ ପ୍ୟାକେଜ୍ ଫର ଫେଷ୍ଟିଭାଲ୍ ରଶ୍’ । ଏହି ଯୋଜନାର ଲକ୍ଷ୍ୟ ହେଉଛି ଭିନ୍ନ ଭିନ୍ନ ଦିନରେ ଭିଡ଼କୁ ବାଣ୍ଟିବା ଏବଂ ଯାତ୍ରୀମାନଙ୍କୁ ଶସ୍ତା ମୂଲ୍ୟରେ ଉଭୟ ଯାତ୍ରା ପାଇଁ ଟିକେଟ୍ ପ୍ରଦାନ କରିବା ଯାହା ଦ୍ଵାରା ଯାତ୍ରା ଆରାମଦାୟକ ଏବଂ ସୁବିଧାଜନକ ହୋଇପାରିବ ।

ଏହି ଯୋଜନାର ରିହାତି କାହାକୁ ମିଳିବ?

ରେଳବାଇ ଅନୁଯାୟୀ, ଏହି ଯୋଜନା ଅନୁଯାୟୀ, ଯଦି ଜଣେ ଯାତ୍ରୀ ଏକତ୍ର ଫେରିବା ଯାତ୍ରା ପାଇଁ ଉଭୟ ଟିକେଟ ବୁକ୍ କରନ୍ତି, ତେବେ ଫେରିବା ଯାତ୍ରାର ମୂଳ ଭଡ଼ାରେ ୨୦% ରିହାତି ଦିଆଯିବ ।

ଏହି ରିହାତି କେବଳ ସେହି ଯାତ୍ରୀମାନଙ୍କୁ ଦିଆଯିବ ଯେଉଁମାନେ ସମାନ ନାମ ଏବଂ ବିବରଣୀ ସହିତ ଆସିବା ଏବଂ ଯିବା ପାଇଁ ଟିକେଟ ବୁକ୍ କରିବେ । ଉଭୟ ଟିକେଟ ସମାନ ଶ୍ରେଣୀ ଏବଂ ସମାନ ଷ୍ଟେସନ ଯୋଡ଼ା (O-D ଯୋଡ଼ା) ହେବା ଉଚିତ । ଫେରିବା ଟିକେଟ: ୧୩ ଅକ୍ଟୋବରରୁ ୨୬ ଅକ୍ଟୋବର ୨୦୨୫ ମଧ୍ୟରେ ଯାତ୍ରା ପାଇଁ ହେବା ଉଚିତ । ଯେତେବେଳେ ଫେରିବା ଟିକେଟ ୧୭ ନଭେମ୍ବରରୁ ୧ ଡିସେମ୍ବର ୨୦୨୫ ମଧ୍ୟରେ ଯାତ୍ରା ପାଇଁ ହେବା ଉଚିତ ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମପାଟି, ଓଡ଼ିଶାର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ । • ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଶିକ୍ଷାତ୍ମକ ଭବନ -୧ର ଉଦଘାଟନ ଓ ପିଏମ୍-ଉଷା ଯୋଜନାରେ ଗବେଷକ ଓ ଗବେଷିକା ଛାତ୍ରାବାସ ସମେତ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ‌।

ଗବେଷଣା ମାଧ୍ୟମରେ ଇନୋଭେସନର କଳ୍ପନା କରିବା: ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମପୁର, ୯/୮: ୨୦୩୬ ମସିହାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ । ଏହି ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କେବଳ ଡିଗ୍ରୀ ଓ ସାର୍ଟିଫିକେଟ୍ ଦେବାରେ ସୀମିତ ନରହି ଗବେଷଣା ମାଧ୍ୟମରେ ନବସୃଜନର କଳ୍ପନା କରିବା ଉଚିତ୍ ବୋଲି ଶନିବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଏବଂ ବିଶ୍ୱ ଆଦିବାସୀ ଦିବସ ମଧ୍ୟ । କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ ଗଞ୍ଜାମ ଜିଲ୍ଲା ଜନଜାତି ମାନଙ୍କର ମୂଳ ପେଣ୍ଠସ୍ଥଳ । ବୀର ଚକରା ବିଶୋୟୀ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ଓ ବିଶ୍ୱନାଥ ଦାଶଙ୍କ ପରି ମହାପୁରୁଷମାନେ ଏହି ମାଟିରେ ଜନ୍ମନେଇ ଗଞ୍ଜାମ ମାଟିକୁ ପବିତ୍ର କରିଛନ୍ତି । ଓଡ଼ିଶାର ଭାଷା ଆନ୍ଦୋଳନ, ସାହିତ୍ୟ ଆନ୍ଦୋଳନ ସହ ଶ୍ରମଜୀବୀଙ୍କ କ୍ଷେତ୍ରରେ ନୂଆ ବେଞ୍ଚମାର୍କ ତିଆରି କରିବାରେ ଗଞ୍ଜାମର ଅବଦାନ ବହୁତ ଅଧିକ । ଜିଲ୍ଲାର ପରିଶ୍ରମୀ ଲୋକଙ୍କ ହାତରେ ଗୁଜୁରାଟର ସୁରତ ସମେତ ଆମ ରାଜ୍ୟ ଓ ଦେଶର ଅର୍ଥନୀତି ମଜଭୂତ୍ ହୋଇଛି । ତେଣୁ ଏଠାରେ ଲୋକମାନଙ୍କୁ ବାହାରକୁ ନହେଁ ବରଂ ସେମାନଙ୍କର ରୋଜଗାର ବ୍ୟବସ୍ଥା କରାଇବା ପାଇଁ ଦାୟିତ୍ୱ ନେବା ଦରକାର । ଓଡ଼ିଆ ଯୁବକଙ୍କୁ ସୁଯୋଗ ଦେଲେ ସେମାନେ ସବୁ କାମ କରିପାରିବେ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ସହ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଡବଲ ଇଞ୍ଜିନ ସରକାର ପିଏମ୍ ଉଷା ଯୋଜନାରେ ୧୦୦ କୋଟି ଟଙ୍କା ସମେତ ରାଜ୍ୟ ବଜେଟରୁ ୭୫ କୋଟି ଟଙ୍କା ଦେଇଛନ୍ତି । ସବୁ ଯୋଜନାକୁ ମିଶାଇଲେ ପ୍ରାୟ ୨୦୦ କୋଟି ଟଙ୍କା ଏହି ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯାଇଛି, ଯାହା ଖୁସିର ବିଷୟ ।

ସେ କହିଛନ୍ତି ଯେ ଦେଶରେ ଜାତୀୟ ଶିକ୍ଷା ନୀତି -୨୦୨୦ ଲାଗୁ ହୋଇଛି ଏବଂ ଏହି ଶିକ୍ଷା ନୀତି କାର୍ଯ୍ୟକାରୀ ହେବାର ୫ ବର୍ଷ ପୂର୍ତ୍ତି ହୋଇଛି । ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ଗୁଣାତ୍ମକ ଉଚ୍ଚ ଶିକ୍ଷାନୁଷ୍ଠାନ ସବୁ ରହିଛି । ଆଇଜର ବ୍ରହ୍ମପୁର, ଏମକେସିଜି ମେଡିକାଲ କଲେଜ, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ, କଲେଜ ଅଫ୍ ଆର୍ଟ ଆଣ୍ଡ୍ କ୍ରାଫ୍ଟସ୍, ଖଲ୍ଲିକୋଟ, ଆର୍ମି ଡିଫେନ୍ସ କଲେଜ, କଲେଜ ଅଫ ଫିସରିଜ ଭଳି ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକ ରହିଛି । ଏଠାରେ ବିରଳ ମୂର୍ତ୍ତିକାର ଖଣିଜ ପଦାର୍ଥ ଓ ଗୋପାଳପୁର ଭଳି ବନ୍ଦର ଅଛି । ପର୍ଯ୍ୟଟନର ଅପାର ସମ୍ଭାବନା ମଧ୍ୟ ରହିଛି । ଏ ଅଞ୍ଚଳର ସମ୍ଭାବନାକୁ ଆଧାର କରି ବ୍ରହ୍ମପୁରକୁ ନ୍ୟୁ ଏଜ୍ ଇକେନୋମୀ ବା ନୂଆ ସମୟର ଅର୍ଥନୀତି କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ଏହାସହ ବିକଶିତ ଗଞ୍ଜାମ ଓ ବିକଶିତ ଓଡ଼ିଶାର ସ୍ୱପ୍ନକୁ ପୂରଣ କରିବା ଏବଂ ବ୍ରହ୍ମପୁରକୁ ଅର୍ଥନୈତିକ ଓ ଜ୍ଞାନର ପେଣ୍ଠସ୍ଥଳ କରିବା ଦିଗରେ ସହଯୋଗୀ ହେବ ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ଆଜିର ଶୁଭ ଅବସରରେ ଦେଶର ବିଶିଷ୍ଟ ବୈଜ୍ଞାନିକ ତଥା ଭାରତର କ୍ଷେପଣାସ୍ତ୍ର ମହିଳା ଡକ୍ଟର ଟେସୀ ଥୋମସ, ମିଲେଟ୍ ରାଣୀ ରାଈମତି ଘିଉରିଆ ଏବଂ ବୈଜ୍ଞାନିକ ଡକ୍ଟର ଅଜିତ୍ କୁମାର ମହାନ୍ତି ସମ୍ମାନିତ ହୋଇଥିବାରୁ ଅଭିନନ୍ଦନ । ଏହି ବ୍ୟକ୍ତିବିଶେଷମାନେ ଆମ ଦେଶକୁ ଗର୍ବିତ କରିଛନ୍ତି । ପିଏଚଡ଼ି ଓ ସ୍ନାତକଧାରୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ଏହି ସମାବର୍ତ୍ତନ ଉତ୍ସବ ନୂତନ ଯାତ୍ରାର ଅୟମାରମ୍ଭ ଏବଂ ଡିଗ୍ରି ଲାଭ କରୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ହେଉଛନ୍ତି ଜଣେ ପରିବର୍ତ୍ତନର ବାହକ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଶିକ୍ଷାତ୍ମକ ଭବନ -୧ର ଉଦଘାଟନ କରିଥିଲେ । ଏହାସହ ବହୁମୁଖୀ ଶିକ୍ଷା ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ (ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ) ଯୋଜନା ଅନ୍ତର୍ଭୃକ୍ତ ପ୍ରକଳ୍ପ ସମୂହ ଯଥା ଗବେଷକ ଓ ଗବେଷିକା ଛାତ୍ରାବାସ, ସ୍ନାତକୋତ୍ତର ଛାତ୍ରାବାସ ଓ ଛାତ୍ରୀ ନିବାସ, ଦକ୍ଷିଣ ଓଡ଼ିଶା ସାଂସ୍କୃତିକ ସଂଗ୍ରହାଳୟ ପାଇଁ ବହୁଉଦ୍ଦେଶ୍ୟ ସାଧନ କେନ୍ଦ୍ର, କେନ୍ଦ୍ରୀୟ କମ୍ପ୍ୟୁଟର ପରୀକ୍ଷାଗାର, ନୂତନ ସାମାଜିକ ବିଜ୍ଞାନ ଏବଂ ମାନସିକ ବିଷୟ ସମୂହ ଶିକ୍ଷାତ୍ମକ ଭବନ, ନୂତନ ବିଜ୍ଞାନ ଶିକ୍ଷାତ୍ମକ ଭବନ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ସବୁ ପ୍ରକଳ୍ପ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ପୂରଣ କରିବା ସହ ବିଶ୍ୱବିଦ୍ୟାଳୟର ପରିଚୟକୁ ଆଗେଇ ନେବାରେ ସହାୟକ ହେବ ।

ଏହି ସମାବର୍ତ୍ତନ କାର୍ଯ୍ୟକ୍ରମରେ ଓଡ଼ିଶାର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ଓ ଅଞ୍ଚଳର ବିଧାୟକମାନେ ପ୍ରମୁଖ ଯୋଗଦେଇଥିଲେ।

ଶଙ୍ଖ ଭବନରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ଆଦିବାସୀଙ୍କ ସ୍ୱାର୍ଥକୁ ଭୁଲିଯାଇ କେବଳ ଗପ ଶୁଣାଉଛନ୍ତି ରାଜ୍ୟ ସରକାର: ବିଜେଡି

ଆଦିବାସୀ ବିରୋଧୀ ଆଭିମୁଖ୍ୟରେ ପରିବର୍ତ୍ତନ ନ ହେଲେ ଭୟଙ୍କର ଆନ୍ଦୋଳନ ହେବ

ଭୁବନେଶ୍ୱର, ୯/୮: : ରାଜ୍ୟ ସରକାର ଗତ ୧୩ ମାସ ଶାସନ ସମୟରେ ଆଦିବାସୀମାନଙ୍କ ସ୍ୱାର୍ଥକୁ ଅଣଦେଖା କରିଛନ୍ତି । ଯେଉଁଥିପାଇଁ ଆଦିବାସୀ ଭାଇଭଉଣୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଜୁ ଜନତା ଦଳର ଆଦିବାସୀ ସେଲ୍ର ଆବାହକତ୍ୱରେ ଆଜି ରାଜ୍ୟସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ଶଙ୍ଖ ଭବନରେ ପାଳନ ହୋଇଥିଲା । ଆଜି ସକାଳୁ ଭଗବାନ ବିର୍ସା ମୁଣ୍ଡାଙ୍କ ସମେତ ବହୁ ଆଦିବାସୀ ମହାପୁରୁଷଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯିବା ସହ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ଓ ଗୀତ ପରିବେଷଣ ହୋଇଥିଲା । ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମକୁ ଆଦିବାସୀ ସେଲ୍ର ଅଧ୍ୟକ୍ଷ ଶ୍ରୀ ମଙ୍ଗଳା କିଷାନ ଅଧ୍ୟକ୍ଷତା କରିଥିବା ବେଳେ ମିଡିଆ ସଂଯୋଜକ ତଥା ଆଦିବାସୀ ନେତା ଡ଼ ପି୍ରୟବ୍ରତ ମାଝୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ପ୍ରତାପ ଜେନା, ଶ୍ରୀ ଅଶୋକ ପଣ୍ଡା, ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀ ମଙ୍ଗଳା କିଷାନ, ଶ୍ରୀ ସୁଦାମ ମାରାଣ୍ଡି, ଶ୍ରୀ ସୁଶାନ୍ତ ରାଉତ, ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ଶ୍ରୀମତୀ ମଞ୍ଜୁଲତା କହଁର, ଶ୍ରୀ ମନ୍ମଥ ରାଉତରାୟ, ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀ ପ୍ରଦୀପ ଦିଶାରୀ, ଡ଼ ଲେନିନ୍ ମହାନ୍ତି, ଶ୍ରୀ ତୁମ୍ବନାଥ ପଣ୍ଡା, ଶ୍ରୀ ଅରୂପ ଶ୍ରୀଚନ୍ଦନ, ସୋଫିଆ ଆଲାମ, ଶ୍ରୀ ବିଜୟ ନାୟକ, ଶ୍ରୀ ନାରାୟଣ ଜେନା, ଶ୍ରୀମତୀ ଭାରତୀ ସିଂ, ଶ୍ରୀମତୀ ବାସନ୍ତୀ ସିଂ, ଶ୍ରୀ ସାଲକାନ୍ କିସ୍କୁ, ଶ୍ରୀ କାରୁ ମୁର୍ମୁ ପ୍ରମୁଖ ଯୋଗଦେଇ ଆଦିବାସୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ସେଲ୍ର ଆବାହକ ଶ୍ରୀ ମଙ୍ଗଳା କିଷାନ, ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି ଓ ମିଡିଆ ସଂଯୋଜକ ଡ଼ ପି୍ରୟବ୍ରତ ମାଝୀ ସରକାରଙ୍କ ଆଦିବାସୀ ମାରଣା ନୀତି ବିରୋଧରେ ବର୍ଷିଥିଲେ ।

ଶ୍ରୀ ମଙ୍ଗଳା କିଷାନ କହିଥିଲେ, ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ସମୟରେ ରାଜ୍ୟରେ ଆଦିବାସୀମାନେ ଚରମ ଅବହେଳାର ସମ୍ମୁଖୀନ ହେଉଥିବା ବେଳେ, ସରକାର କେବଳ ଗପ ଶୁଣାଇବାରେ ବ୍ୟସ୍ତ ରହୁଛନ୍ତି । ସରକାର ଆଦିବାସୀଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ନିମନ୍ତେ ଦେଇଥିବା ପ୍ରତିଶ୍ରୁତିକୁ ଭୁଲିଯାଇ ଆଦିବାସୀ କଲ୍ୟାଣ ବିଭାଗର ବଜେଟ୍ କାଟ୍, ଆଦିବାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ୍ ବନ୍ଦ ଭଳି ଆଦିବାସୀ ବିରୋଧୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସରକାର ଏହି ଆଭିମୁଖ୍ୟରେ ପରିବର୍ତ୍ତନ ନ ଆଣିଲେ ଆଗାମୀ ଦିନରେ ଭୟଙ୍କର ଆନେ୍ଦାଳନ ହେବ ।

କଟକ ରେଳ ଷ୍ଟେସନ ପୁନଃବିକାଶ କାର୍ଯ୍ୟ

ନରାଜ ମାର୍ଥାପୁର ଦେଇ ତିନୋଟି ଦୂରଗାମୀ ଟ୍ରେନର ଅସ୍ଥାୟୀ ପରିବର୍ତ୍ତନ

ଭୁବନେଶ୍ୱର, ୯/୮: ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ କଟକ ରେଳ ଷ୍ଟେସନରେ ଏୟାର କନକୋର୍ସ ଗ୍ରୀଡ୍ ନିର୍ମାଣ, ଗ୍ରାନାଇଟ୍ ଫ୍ଲୋରିଂ ଏବଂ ପ୍ରିକାଷ୍ଟ କପିଂ ବ୍ଲକ୍ ସହିତ ପ୍ଲାଟଫର୍ମ ପୃଷ୍ଠର ନବୀକରଣ, ପ୍ଲାଟଫର୍ମ ଆଶ୍ରୟସ୍ଥଳ, ଏୟାର କନକୋର୍ସ ପାଇଁ ପାଇଲ୍ ଫାଉଣ୍ଡେସନ୍ ଏବଂ ଷ୍ଟିଲ୍ ସ୍ତମ୍ଭ ଏବଂ ଅନ୍ୟାନ୍ୟ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, ୧୧.୦୮.୨୦୨୫ ରୁ ୨୧.୦୯.୨୦୨୫ ପର୍ଯ୍ୟନ୍ତ ୪୦ ଦିନ ପାଇଁ ଡାଇଭର୍ଟ ରୁଟ୍ ମାଧ୍ୟମରେ ତିନୋଟି ଦୂରଗାମୀ ଟ୍ରେନ ଚଳାଚଳ କରିବ।

ବାରଙ୍ଗ-କଟକ-କପିଲାସ ରୋଡ୍ ଦେଇ ନିର୍ଦ୍ଧାରିତ ପଥ ପରିବର୍ତ୍ତେ ବାରଙ୍ଗ-ନରାଜ ମାର୍ଥାପୁର-କପିଲାସ ରୋଡ୍ ଦେଇ ତିନୋଟି ଦୂରଗାମୀ ଟ୍ରେନ ଚଳାଚଳ କରିବ। କଟକ ଷ୍ଟେସନରେ ଏହି ଟ୍ରେନଗୁଡ଼ିକର ରହଣି ବାଦ୍ ଦିଆଯିବ ଏବଂ ୧୧ ଅଗଷ୍ଟରୁ ୨୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ଅସ୍ଥାୟୀ ରହଣି ଯୋଗାଇ ଦିଆଯିବ।

୧୨୫୧୫ କୋଏମ୍ବାଟୁର-ସିଲଚର ସାପ୍ତାହିକ ସୁପର-ଫାଷ୍ଟ ଏକ୍ସପ୍ରେସ, ୨୨୬୪୩ ଏର୍ଣ୍ଣାକୁଲମ-ପାଟନା ଦ୍ୱି-ସାପ୍ତାହିକ ଏକ୍ସପ୍ରେସ ଏବଂ ୧୨୫୦୯ ବେଙ୍ଗାଲୁରୁ-ଗୌହାଟି ତ୍ରି-ସାପ୍ତାହିକ ଏକ୍ସପ୍ରେସକୁ ୧୧ ଅଗଷ୍ଟରୁ ୨୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ କଟକ ରେଳ ଷ୍ଟେସନ ପରିବର୍ତ୍ତେ ନରାଜ ମାର୍ଥାପୁର ରେଳ ଷ୍ଟେସନରେ ରହଣି ପ୍ରଦାନ କରାଯିବ। ଏହି ତିନୋଟି ଏକ୍ସପ୍ରେସ ଟ୍ରେନ ଡାଇଭର୍ସନ ଅବଧି ସମୟରେ ୦୨.୩୫ ଘଣ୍ଟାରେ ନରାଜ ମାର୍ଥାପୁର ଠାରେ ପହଞ୍ଚିବ ଏବଂ ୦୨.୩୭ ଘଣ୍ଟାରେ ପ୍ରସ୍ଥାନ କରିବ।

କଟକ ରେଳ ଷ୍ଟେସନ ଏହାର ଭିତ୍ତିଭୂମିର ବିକାଶ ସହ ସାମଗ୍ରିକ ଯାତ୍ରୀ ଅଭିଜ୍ଞତାକୁ ଉନ୍ନତ କରିବା ଲକ୍ଷ୍ୟରେ ଏକ ଯୁଗାନ୍ତକାରି ପରିବର୍ତ୍ତନର ଯାତ୍ରା ଆରମ୍ଭ କରିଛି। ଏହି ପୁନଃବିକାଶ ପଦକ୍ଷେପଗୁଡ଼ିକ କଟକ ଷ୍ଟେସନର ସମସାମୟିକ ଅଭିମୂଖ୍ୟ ଏବଂ କଟକକୁ ଏହି ଅଞ୍ଚଳର ଏକ ପ୍ରମୁଖ ରେଳ ହବ୍ ଭାବରେ ସ୍ଥାପନ କରିବା ଦିଗରେ ପୂର୍ବତଟ ରେଳପଥର ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

୧୪ ପର୍ଯ୍ୟନ୍ତ “ଅପରେସନ ଗରୁଡ଼”: ଡିଜି

ଜାମିନ ବିହୀନ ୱାରେଣ୍ଟ (NBW)କୁ କାର୍ଯ୍ୟକାରୀକୁ ଗୁରୁତ୍ବ

ଭୁବନେଶ୍ୱର, ୯/୮: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ “ଗରୁଡ଼” ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଚଳିତ ଅଗଷ୍ଟ 14 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ସୂଚନା ଦେଇଛନ୍ତି। ଅପରାଧ ଏବଂ ଅପରାଧୀଙ୍କ ଉପରେ ରୋକ ଲଗାଇବାକୁ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (NBW)କୁ କାର୍ଯ୍ୟକାରୀ କରିବା, ନିଶା ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ଏବଂ ଅପରାଧୀଙ୍କୁ ଗିରଫ କରିବା, ଜୁଆ ଆଡ୍ଡା ଉପରେ ଚଢ଼ାଉ ଏବଂ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅପରେସନର ପ୍ରଥମ ସପ୍ତାହରେ ସମସ୍ତ ଜିଲ୍ଲାର ଏସପି ଓ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ବଧାନରେ ଏହି ଅପରେସନ ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି।

୧. କାର୍ଯ୍ୟକାରୀ ହୋଇଥିବା NBW :-3189

୨. ଅବକାରୀ ମାମଲା :-890 ମାମଲା ଏବଂ 17069.55 ଲିଟର ମଦ ଜବତ

୩. ଜବତ ହୋଇଥିବା ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଟଙ୍କା :- 51 ଅସ୍ତ୍ରଶସ୍ତ୍ର, 95 ଗୁଳିଗୋଳା ଏବଂ ୧,୪୫,୫୦୦ ଟଙ୍କା

୪. ଗଞ୍ଜେଇ ଜବତ ସହିତ ଏନଡିପିଏସ୍ ମାମଲା:- 11ଟି ମାମଲା ସହିତ 888 କିଲୋଗ୍ରାମ ଗଞ୍ଜେଇ ଏବଂ 68.57 ଗ୍ରାମ ବ୍ରାଉନସୁଗାର ଜବତ, (୦୨ଟି କାର ଏବଂ ୬୩,୭୫୦ ଟଙ୍କା)

୫. ଜୁଆ ମାମଲା :- 11ଟି ମାମଲା ସହିତ 2,79,485 ଟଙ୍କା

୬. ଗିରଫ ହୋଇଥିବା ଅପରାଧୀଙ୍କ ସଂଖ୍ୟା:- 129।

7. ନିଶା ଶକ୍ତ ଅବସ୍ଥାରେ ଗାଡି ଚାଳନା- 115 ମାମଲା, 115 ଯାନ ଜବତ

ଉଲ୍ଲେଖଯୋଗ୍ୟ ଯେ, ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କ୍ଷେତ୍ରରେ ଗଞ୍ଜାମ ପୋଲିସ ଜିଲ୍ଲା 10 ଟି ବନ୍ଧୁକ ଜବତ କରିବା ସହ 13 ଜଣଙ୍କୁ ଗିରଫ କରିଛି। ସେହିପରି ରାଉରକେଲା ପୋଲିସ ଜିଲ୍ଲା ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତା’ ନିକଟରୁ ଏକକାଳୀନ 10 ଟି ବନ୍ଧୁକ ଜବତ କରିଛି। NDPS ମାମଲାରେ କନ୍ଧମାଳ ପୋଲିସ 535 କେଜି ଜବତ କରିବା ସହ 15 ଜଣଙ୍କୁ ଗିରଫ କରିଛି। ଅବକାରୀ ମାମଲାରେ କେନ୍ଦୁଝର ପୋଲିସ ଜିଲ୍ଲା ସର୍ବାଧିକ 107ଟି ମାମଲା ରୁଜୁ କରିଥିବା ବେଳେ 1509 ଲିଟର ମଦ ଜବତ କରିଛି। ସେହିପରି ଜୁଆ ଆଡ୍ଡା ଉପରେ ଚଢ଼ାଉ କ୍ଷେତ୍ରରେ ରାଉରକେଲା ଜିଲ୍ଲା ପୋଲିସ 3 ଟି ମାମଲା ରୁଜୁ କରି 1,48,330 ଟଙ୍କା ଜବତ କରିବା ସହ 17 ଜଣଙ୍କୁ ଗିରଫ କରିଛି।

ସାଧାରଣ ଲୋକଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଦେବାକୁ ଓଡିଶା ପୋଲିସ ପ୍ରତିଶୃତିବଦ୍ଧ। ଆଗାମୀ ଦିନରେ ମଧ୍ୟ ଅପରାଧ ଏବଂ ଅପରାଧୀମାନଙ୍କ ବିରୁଦ୍ଧରେ ଏହିପରି ଅଭିଯାନ ଜାରି ରହିବ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଂଜୟ କୁମାର କହିଛନ୍ତି।

Friday, August 8, 2025

ରାହୁଲ ଆଣିଲେ ଅଭିଯୋଗ, ପ୍ରମାଣ ମାଗିଲେ ଇସିଆଇ

ରାହୁଲ ଆଣିଲେ ଅଭିଯୋଗ, ପ୍ରମାଣ ମାଗିଲେ ଇସିଆଇ

ନୂଆଦିଲ୍ଲୀ, ୭/୮: ଗୁରୁବାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛନ୍ତି। ମହାରାଷ୍ଟ୍ରର ନିର୍ବାଚନ ତଥ୍ୟ ଦେଖାଇ ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ବିଧାନସଭା ନିର୍ବାଚନରେ ଜାଲିଆତି ହୋଇଛି ଏବଂ ରହସ୍ୟମୟ ଭାବରେ ୪୦ ଲକ୍ଷ ଭୋଟ ଯୋଡାଯାଇଛି। ଏହାକୁ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଜବାବ ଦେଇଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ ରାହୁଲ ଲିଖିତ ଭାବରେ ଏକ ଦସ୍ତଖତ ଥିବା ଶପଥ ପାଠ ସହିତ ଅଭିଯୋଗ ଦିଅନ୍ତୁ ନଚେତ୍ ସେ ଭାରତର ଲୋକମାନଙ୍କୁ ଭ୍ରମିତ କରନ୍ତୁ ନାହିଁ ଏବଂ ନିର୍ବାଚନ କମିଶନଙ୍କ ବିରୁଦ୍ଧରେ ଭିତ୍ତିହୀନ ଅଭିଯୋଗ କରିବା ବନ୍ଦ କରନ୍ତୁ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଅନିୟମିତତାର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ମହାରାଷ୍ଟ୍ରରେ ୫ ମାସ ମଧ୍ୟରେ ଲକ୍ଷ ଲକ୍ଷ ଭୋଟରଙ୍କ ନାମ ତାଲିକାରେ ଯୋଡାଯାଇଛି, ଯାହା ବହୁତ ଚିନ୍ତାଜନକ। ନୂତନ ଭୋଟରଙ୍କ ଯୋଡା ହେବା ଆମର ସନ୍ଦେହକୁ ଆହୁରି ବଢାଇଥିଲା ଏବଂ ତା’ପରେ ସନ୍ଧ୍ୟା ୫ଟା ପରେ ମତଦାନରେ ଏକ ବିରାଟ ବୃଦ୍ଧି ଦେଖାଯାଇଥିଲା। ଲୋକସଭା ନିର୍ବାଚନରେ ଆମର ମେଣ୍ଟ ଏକ ଚମତ୍କାର ବିଜୟ ହାସଲ କରିଥିଲା, କିନ୍ତୁ ବିଧାନସଭା ନିର୍ବାଚନରେ ଆମର ମେଣ୍ଟ ସମ୍ପୂର୍ଣ୍ଣ ପରାଜୟର ସମ୍ମୁଖୀନ ହୋଇଥିଲା, ଯାହା ବହୁତ ସନ୍ଦେହଜନକ।’

ସେ କହିଛନ୍ତି, ‘ଆମର ବିଶ୍ଳେଷଣରୁ ଜଣାପଡିଛି ଯେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ମଧ୍ୟରେ ଏକ କୋଟି ନୂତନ ଭୋଟର ଯୋଡି ହୋଇଛନ୍ତି। ଆମେ ଏହି ପ୍ରସଙ୍ଗକୁ ନିର୍ବାଚନ କମିଶନଙ୍କ ସମ୍ମୁଖରେ ଉଠାଇଥିଲୁ ଏବଂ ମହାରାଷ୍ଟ୍ର ନିର୍ବାଚନ ଚୋରି ହୋଇଯାଇଛି ବୋଲି କହିଥିଲୁ।’ ରାହୁଲ ଅଭିଯୋଗ କରିଥିଲେ ଯେ ଭୋଟର ତାଲିକା ଏହି ଦେଶର ସମ୍ପତ୍ତି, କିନ୍ତୁ ନିର୍ବାଚନ କମିଶନ ଏହାକୁ ଦେବାକୁ ମନା କରିଦେଇଥିଲେ। ଏହା ସହିତ, କମିଶନ ସିସିଟିଭି ଫୁଟେଜ୍ ନଷ୍ଟ କରିବା ବିଷୟରେ କହିଥିଲେ, ଯାହା ଆଶ୍ଚର୍ଯ୍ୟଜନକ ଥିଲା। ସନ୍ଧ୍ୟା ୫ଟା ୩୦ ପରେ ମହାରାଷ୍ଟ୍ରରେ ଅଧିକ ଭୋଟିଂ ହୋଇଥିବାର କୁହାଯାଉଥିଲା, କିନ୍ତୁ ଆମର ଲୋକମାନେ କହିଥିଲେ ଯେ ମତଦାନ କେନ୍ଦ୍ରରେ ଏତେ ମାତ୍ରାରେ ଭୋଟିଂ ହୋଇନାହିଁ। ଏହି ଦୁଇଟି ଜିନିଷ ଆମକୁ ନିଶ୍ଚିତ କରିଛି ଯେ ନିର୍ବାଚନ କମିଶନ ବିଜେପି ସହିତ ମିଶି ଭୋଟ୍ ଚୋରି କରୁଛି।

ମେରିଟ୍ ଯୋଜନା କାର୍ଯ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

• ୪୨୦୦ କୋଟି ଟଙ୍କା ବ୍ୟୟବରାଦ ସହିତ ‘ବୈଷୟିକ ଶିକ୍ଷାରେ ବହୁବିଧ ଶିକ୍ଷା ଏବଂ ଗବେଷଣା ଉନ୍ନତି’ (ମେରିଟ୍) ଯୋଜନା କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ ଅନୁମୋଦନ ସ୍ୱାଗତଯୋଗ୍ୟ । • ପିଏମ ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ୧୨,୦୦୦ କୋଟି ଟଙ୍କା ସବସିଡି ଜାରି ନିଷ୍ପତି ସ୍ୱାଗତଯୋଗ୍ୟ ।

ବୈଷୟିକ ଶିକ୍ଷାକୁ ଗୁଣାତ୍ମକ, ସର୍ବବ୍ୟାପୀ ଏବଂ ସର୍ବସ୍ପର୍ଶୀ କରିବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୮/୮: ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଶିକ୍ଷା ଦୃଶ୍ୟପଟ୍ଟରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଦିଗରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଜାତୀୟ ଶିକ୍ଷା ନୀତି ସହ ସମନ୍ୱୟ ରଖି ୧୭୫ ଇଞ୍ଜିନିୟରିଂ ପ୍ରତିଷ୍ଠାନ ଏବଂ ୧୦୦ ପଲିଟେକନିକକୁ ନେଇ ଗଠିତ ୨୭୫ଟି ବୈଷୟିକ ପ୍ରତିଷ୍ଠାନରେ ‘ବୈଷୟିକ ଶିକ୍ଷାରେ ବହୁବିଧ ଶିକ୍ଷା ଏବଂ ଗବେଷଣା ଉନ୍ନତି’ (ମେରିଟ୍) ଯୋଜନା କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି, ଯାହା ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ରାକ୍ଷୀ ପୂର୍ଣ୍ଣିମାର ପୂର୍ବ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଛାତ୍ରଛାତ୍ରୀ ଏବଂ ଶିକ୍ଷା ସମୁଦାୟକୁ ଉପହାର । ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବୈଷୟିକ ଶିକ୍ଷାକୁ ଗୁଣାତ୍ମକ, ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଏବଂ ଶାସନକୁ ଉନ୍ନତ କରିବା ମେରିଟ୍ ଯୋଜନାର ଉଦ୍ଦେଶ୍ୟ । ଏହି ‘କେନ୍ଦ୍ରୀୟ କ୍ଷେତ୍ର ଯୋଜନା’କୁ କାର୍ଯ୍ୟକାରୀ କରିବା ପାଇଁ ୨୦୨୫-୨୬ ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୪୨୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୪୨୦୦ କୋଟି ଟଙ୍କା ମଧ୍ୟରୁ ବିଶ୍ୱ ବ୍ୟାଙ୍କରୁ ଋଣ ଭାବରେ ୨୧୦୦ କୋଟି ଟଙ୍କା ସହାୟତା ମିଳିବ । ଏହି ଯୋଜନା ଅଧୀନରେ ପ୍ରାୟ ୨୭୫ଟି ସରକାରୀ/ସରକାରୀ ସହାୟତା ପ୍ରାପ୍ତ ବୈଷୟିକ ପ୍ରତିଷ୍ଠାନକୁ ଚୟନ ଏବଂ ସମର୍ଥନ କରାଯିବାର ଆଶା କରାଯାଉଛି । ଏଥିରେ ମନୋନୀତ ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଏନଆଇଟି), ରାଜ୍ୟ ଇଞ୍ଜିନିୟରିଂ ପ୍ରତିଷ୍ଠାନ, ପଲିଟେକନିକ୍ ଏବଂ ଆଫିଲିଏଟିଂ ବୈଷୟିକ ବିଶ୍ୱବିଦ୍ୟାଳୟ (ଏଟିୟୁ) ସାମିଲ ହେବ। ଏହା ବ୍ୟତୀତ, ବୈଷୟିକ ଶିକ୍ଷା କ୍ଷେତ୍ର ପରିଚାଳନା କରୁଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଭାଗଗୁଡ଼ିକୁ ମଧ୍ୟ ମେରିଟ୍ ଯୋଜନା ମାଧ୍ୟମରେ ସହାୟତା ଦିଆଯିବ। ଏହା ବ୍ୟତୀତ ପ୍ରାୟ ୭.୫ ଲକ୍ଷ ଛାତ୍ରଛାତ୍ରୀ ଏହି ଯୋଜନାରୁ ଉପକୃତ ହେବେ ।

ବୈଷୟିକ ଶିକ୍ଷାରେ ବହୁବିଧ ଶିକ୍ଷା ଏବଂ ଗବେଷଣା ଉନ୍ନତିରେ ଆମ ଯୁବପିଢ଼ିଙ୍କୁ ଏକବିଂଶ ଶତାବ୍ଦୀର ବୈଷୟିକ ଶିକ୍ଷା ପ୍ରଦାନ କରିବା ଦିଗରେ ଆଉ ଏକ ପଦକ୍ଷେପ । ମେରିଟ୍ ଆମର ବୈଷୟିକ ଶିକ୍ଷାକୁ ଭବିଷ୍ୟତ ଆଧାରିତ କରାଇବା ସହ ସର୍ବବ୍ୟାପୀ ଏବଂ ନବସୃଜନକୁ ଆଗେଇ ନେବ । ବହୁବିଧ ଶିକ୍ଷା, ପାଠ୍ୟକ୍ରମ ଏବଂ ଶିକ୍ଷା ସଂସ୍କାର, ଡିଜିଟାଲାଇଜେସନ୍ ଏବଂ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ମାଧ୍ୟମରେ ବୈଷୟିକ ଶିକ୍ଷାର ସାମଗ୍ରିକ ଗୁଣବତ୍ତା ବୃଦ୍ଧି କରିବ । ସମାନତା ଏବଂ ଉପଲବ୍ଧିରେ ଅସନ୍ତୁଳନକୁ ଦୂର କରିବ । ଗବେଷଣା, ନବସୃଜନ ଏବଂ ଉଦ୍ୟମିତା ଦୃଶ୍ୟପଟ୍ଟକୁ ଆହୁରି ସୁଦୃଢ଼ କରିବ । ସାଂସ୍ଥାଗତ ସୁଶାସନକୁ ମଜବୁତ କରିବ । ରୋଜଗର କ୍ଷମତାକୁ ଉନ୍ନତ କରିବା ସହ ୭.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବ ।

ଏହାବ୍ୟତୀତ ସେହିପରି କେନ୍ଦ୍ର କ୍ୟାବିନେଟ ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁଓ୍ୱାଇ)ର ହିତାଧିକାରୀମାନଙ୍କ ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁସାରେ ୧୨,୦୦୦ କୋଟି ଟଙ୍କା ସବସିଡି ଜାରି ରଖିବାକୁ ମଞ୍ଜୁର ଦେଇଛି । ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦.୩୩ କୋଟି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀ ଅଛନ୍ତି । ଏହା ଦ୍ୱାରା ଗରିବ ପରିବାର ଶସ୍ତାରେ ଏଲପିଜି ସିଲିଣ୍ଡର ପାଇପାରିବେ । ଅପରପକ୍ଷରେ କେନ୍ଦ୍ର ସରକାର ସୁଲଭ ମୂଲ୍ୟରେ ଏଲପିଜି ସିଲିଣ୍ଡର ଯୋଗାଇ ଦେବାକୁ ସରକାରୀ କ୍ଷେତ୍ରର ତୈଳ ବିପଣନ କମ୍ପାନିଗୁଡ଼ିକ ପାଇଁ ୩୦ ହଜାର କୋଟି ଟଙ୍କାର ସବସିଡି ଘୋଷଣା କରିବା ନିଷ୍ପତିକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି ।

ବାଚସ୍ପତିଙ୍କ ଦ୍ୱାରା ଓଡ଼ିଶା ବିଧାନସଭାର ନୂଆ ୱେବସାଇଟ୍ ଉନ୍ମୋଚିତ

ଜନସାଧାରଣଙ୍କ ଅଂଶଗ୍ରହଣ ଓ ସମ୍ପୃକ୍ତିକୁ ଏହା ପ୍ରୋତ୍ସାହିତ କରିବ: ବାଚସ୍ପତି

ଭୁବନେଶ୍ୱର, ୮/୮: ଆଜି ଓଡ଼ିଶା ବିଧାନସଭାର ନୂତନ ୱେବ୍‌ସାଇଟ୍‌ ଉନ୍ମୋଚିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଏହି ୱେବ୍‌ସାଇଟ୍‌କୁ ଉନ୍ମୋଚନ କରି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଲେ ଯେ ଏଭଳି ପ୍ରୟାସ ଅଧିକ ସ୍ୱଚ୍ଛ ଓ ପାରଦର୍ଶିତା ଦିଗରେ ଆମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଓଡ଼ିଶା ସରକାରଙ୍କ ଆଇଟି ଓ ଇଟି ବିଭାଗ ଏବଂ ଭାରତ ସରକାରଙ୍କ ଏନ୍‌ଆଇସିର ବୈଷୟିକ ପରାମର୍ଶରେ ବିକଶିତ ହୋଇଥିବା ଏହି ନୂତନ ୱେବ୍‌ସାଇଟ୍‌ ବିଧାନସଭା କାର୍ଯ୍ୟଧାରାକୁ ଜନସାଧାରଣଙ୍କ ପାଇଁ ଅଧିକ ସୁଗମ ଏବଂ ସ୍ୱଚ୍ଛ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ନାଗରିକମାନଙ୍କୁ ବିଧାନସଭାର କାର୍ଯ୍ୟକଳାପ, ନିଷ୍ପତ୍ତି ଏବଂ ପଦକ୍ଷେପ ବିଷୟରେ ସଠିକ୍‌ ଏବଂ ସବିଶେଷ ସୂଚନା ପ୍ରଦାନ କରିବ ବୋଲି ଶ୍ରୀମତୀ ପାଢ଼ୀ ପ୍ରକାଶ କରିଥିଲେ ।

ଏହି ଉନ୍ମୋଚନ ସୁଶାସନ ଏବଂ ନାଗରିକ ସମ୍ପୃକ୍ତି ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରିବା କ୍ଷେତ୍ରରେ ପ୍ରତିବଦ୍ଧତାର ଏକ ନିଦର୍ଶନ । ଏହି ପ୍ଲାଟ୍‌ଫର୍ମ କେବଳ ବିଧାନସଭାର କାର୍ଯ୍ୟକାରିତାକୁ ବୃଦ୍ଧି କରିବ ନାହିଁ ବରଂ ଓଡ଼ିଶାର ଜନସାଧାରଣଙ୍କ ଅଧିକ ଅଂଶଗ୍ରହଣ ଏବଂ ସମ୍ପୃକ୍ତିକୁ ମଧ୍ୟ ପ୍ରୋତ୍ସାହିତ କରିବ ।

ଚଳିତ ଅଗଷ୍ଟ ମାସ ୨୯ ଓ ୩୦ ତାରିଖରେ ଦୁଇଦିନ ଧରି ଓଡ଼ିଶାରେ ଜାତୀୟ ସ୍ତରର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷମାନଙ୍କ ସମ୍ମିଳନୀ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ଲୋକସଭାର ମାନ୍ୟବର ବାଚସ୍ପତି ଓ ରାଜ୍ୟସଭାର ମାନ୍ୟବର ଉପାଧ୍ୟକ୍ଷ ଏବଂ ସଂସଦର ଉଭୟ ଗୃହ ଓ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ କମିଟିମାନଙ୍କର ଅଧ୍ୟକ୍ଷ ଓ ସଦସ୍ୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅତିଥିମାନେ ଏହି ନୂତନ ୱେବ୍‌ସାଇଟ୍‌ରେ ପାର୍ଲାମେଣ୍ଟ ଦ୍ୱାରା ପ୍ରଦତ୍ତ ଲିଙ୍କ୍‌ରେ ରେଜିଷ୍ଟେସନ୍‌ କରିବାର ସୁବିଧା ପାଇବେ ।

ଏହି ଅବସରରେ ଶକ୍ତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ, ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ଓକାକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଦୀପ ରାଉତ, ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଦୁର୍ଗେଶ ନନ୍ଦିନୀ ସାହୁ, ବିଧାନସଭାରେ କାର୍ଯ୍ୟରତ ଏନ୍‌ଆଇସିର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଅଶୋକ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ଜଳ ସାଜିଲା କାଳ: ହଠାତ୍ ମାଡ଼ି ଆସିଲା ବନ୍ୟା୧୦ ମୃତ, ୩୦ରୁ ଉର୍ଦ୍ଧ୍ବ ନିଖୋଜ

୧୦ ମୃତ, ୩୦ରୁ ଉର୍ଦ୍ଧ୍ବ ନିଖୋଜ

ଚୀନ, ୮/୮: ଚୀନର ଉତ୍ତର-ପଶ୍ଚିମ ଗାନସୁ ପ୍ରଦେଶରେ ହଠାତ୍ ବନ୍ୟା ପାଣି ମାଡ଼ି ଆସିବା ଫଳରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ନିଖୋଜ ଅଛନ୍ତି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ଠାରୁ ମୁସଳଧାର ବର୍ଷା ଯୋଗୁଁ ବେଶୀ ପ୍ରଭାବିତ ହୋଇଛି ୟୁଜୋଙ୍ଗ କାଉଣ୍ଟି। ଯାହା ଫଳରେ ଏହି ଅଞ୍ଚଳର ଲାନଝୋଉ ସହରରେ ହଠାତ୍ ବନ୍ୟା ଆସିବା ସ‌ହ ଭୂସ୍ଖଳନ ହୋଇଛି। ଝଡ଼ବର୍ଷା ଯୋଗୁଁ ଜିଙ୍ଗଲଙ୍ଗ ପର୍ବତ ଅଞ୍ଚଳରେ ବିଦ୍ୟୁତ୍ ଏବଂ ଫୋନ୍ ସେବା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଯାହା ଫଳରେ ଚାରୋଟି ଗ୍ରାମର ୪,୦୦୦ ରୁ ଅଧିକ ବାସିନ୍ଦା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି। ଉଦ୍ଧାରକାରୀ ଦଳ ଫସି ରହିଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି।

ବନ୍ୟା ଆସିବା ଫଳରେ ରାସ୍ତା ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି, ଗଛ ଭାଙ୍ଗି ଯାଇ ରାସ୍ତା ଅବରୋଧ ହୋଇଥିବାର ନଜର ଆସିଛି। ପ୍ରବଳ ବର୍ଷା ଯୋଗୁଁ ବିମାନ ଉଡ଼ାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି – ବୁଧବାର ଗ୍ୱାଙ୍ଗଜୁର ବାଇୟୁନ୍ ବିମାନବନ୍ଦରରୁ ୩୬୦ରୁ ଅଧିକ ବିମାନ ଉଡାଣ ବାତିଲ ହୋଇଛି। ଏବଂ ୩୦୦ରୁ ଉର୍ଦ୍ଧ୍ବ ବିମାନ ବିଳମ୍ବରେ ଉଡାଣ କରିଛି।

ଏନ୍ ଡି ଏ ପ୍ରାର୍ଥୀଙ୍କୁ‌ ସମର୍ଥନ କରିବ ନାହିଁ ବିଜେଡି:

ଏନ୍ ଡି ଏ  ପ୍ରାର୍ଥୀଙ୍କୁ‌ ସମର୍ଥନ କରିବ ନାହିଁ ବିଜେଡି: ମହେଶ

ଭୁବନେଶ୍ୱର, ୮/୮: ଆଗକୁ ଆସୁଛି ଉପରାଷ୍ଟ୍ରପତି ନିର୍ବାଚନ। ଏହାରି ଭିତରେ ବିଜୁ ଜନତା ଦଳ ରଖିଛି ବଡ଼ ମତ। ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ସ୍ପଷ୍ଟ ଭାବରେ ମନା କରିଦେଇଛି ବିଜୁ ଜନତା ଦଳ।

ବରିଷ୍ଠ ବିଜେଡି ନେତା ମହେଶ ସାହୁ ଶୁକ୍ରବାର ଦଳର ମତକୁ ନିଶ୍ଚିତ କରି କହିଛନ୍ତି ଯେ ବିଜେଡି ‘ଏନଡିଏ ପ୍ରାର୍ଥୀଙ୍କୁ କୌଣସି ପ୍ରକାରେ ସମର୍ଥନ କରିବ ନାହିଁ। ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଶାର ଝିଅ ଥିଲେ ବୋଲି ଆମେ ସମର୍ଥନ କରିଥିଲୁ। କିନ୍ତୁ ଏଥର ସେ ପରିସ୍ଥିତି ନାହିଁ। ଏଥର ବିଜେପିକୁ ନିଶ୍ଚିତ ବିରୋଧ ହେବ ବୋଲି କହିଛନ୍ତି ମହେଶ।

ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ ୱାକଫ ବୋର୍ଡ ପ୍ରସଙ୍ଗ ଭଳି ବର୍ତ୍ତମାନ ପରିସ୍ଥିତି ନାହିଁ, କିନ୍ତୁ ଉପରାଷ୍ଟ୍ରପତି ନିର୍ବାଚନ ଉପରେ ବିଜେଡ଼ିର ନିଷ୍ପତ୍ତି ଦୃଢ଼ ରହିଛି। ତେବେ ବିଜେଡ଼ି ପକ୍ଷରୁ ଏପର୍ଯ୍ୟନ୍ତ କୋୖଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ। ଅନ୍ୟପଟେ ମହେଶ ସାହୁଙ୍କ ବୟାନ ଉପରେ‌ ବିଜେପି ମଧ୍ୟ କୌଣସି ପ୍ରତିକ୍ରିୟା ରଖି ନାହିଁ।

ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଅଟକ

ମୁଖ୍ୟ ଅଭିଯୁକ୍ତକୁ ଧରିଲା କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋଲିସର ସ୍ୱତନ୍ତ୍ର ଟିମ୍

ପଟ୍ଟାମୁଣ୍ଡାଇ, ୮/୮: ପଟ୍ଟାମୁଣ୍ଡାଇ ଯୁବତୀଙ୍କ ମୃତ୍ୟୁ ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖିଛି। ଚେନ୍ନାଇରୁ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଧରିଛି କେନ୍ଦ୍ରାପଡ଼ା ପୋଲିସର ସ୍ୱତନ୍ତ୍ର ଟିମ୍। ଯୁବତୀଙ୍କ ପୁରୁଷ ବନ୍ଧୁ, କେନ୍ଦ୍ରାପଡ଼ା ଜିଲ୍ଲାର ବିଲିକାନା ପଞ୍ଚାୟତ ଅନ୍ତର୍ଗତ ତେରୋଇ ଗ୍ରାମର ବାସିନ୍ଦା ପ୍ରମୋଦ ବେହେରା ବୋଲି ଚିହ୍ନଟ କରାଯାଇଛି। ତାଙ୍କୁ ଅଧିକ ପଚରାଉଚରା ପାଇଁ କେନ୍ଦ୍ରାପଡ଼ା ଅଣାଯାଉଛି।

ଅଗଷ୍ଟ ୬ ତାରିଖରେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଠିଆପଡ଼ା ଗାଁର ଯୁକ୍ତ ତିନିରେ ପଢୁଥିବା ଜଣେ ଯୁବତୀ ନିଜ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ପରେ ସେ ଗୁରୁତର ଭାବେ ପୋଡ଼ିଯାଇ ମୃତ୍ୟୁବରଣ କରିଥିଲେ।

ଯୁବତୀଙ୍କ ବାପାଙ୍କ କହିବାନୁଯାୟୀ, ଜଣେ ଯୁବକ ତାଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଲିକ୍ କରିବାକୁ ବ୍ଲାକମେଲ କରୁଥିବାରୁ ସେ ଅତ୍ୟନ୍ତ ମାନସିକ ଚାପରେ ଥିଲେ। ତେଣୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିଲା। ସେ ଅଭିଯୋଗ କରିଥିଲେ ଯେ ଅଭିଯୁକ୍ତ ତାଙ୍କୁ ୬ରୁ ୮ ମାସ ଧରି ମାନସିକ ଚାପ ପକାଉଥିଲେ। ଏହି ଅଭିଯୋଗ ପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା ଏବଂ ପ୍ରମୋଦଙ୍କୁ ଚେନ୍ନାଇରୁ ପାଇଥିଲା।

ରାଜ୍ୟରେ ଜୈବ-ଅର୍ଥନୀତିର ବିକାଶ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ

ଆଇଆଇଏମ୍‌, ସମ୍ବଲପୁର ସହ ଚୁକ୍ତି କଲା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ

ଭୁବନେଶ୍ୱର, ୭/୮: ରାଜ୍ୟରେ ଜୈବ-ପ୍ରଯୁକ୍ତି ଓ ଜୈବ-ସମ୍ବଳକୁ ଆଧାର କରି ଜୈବ-ଅର୍ଥନୀତି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ଜୈବ-ପ୍ରଯୁକ୍ତି ବିଦ୍ୟା ଏକ ଉଦୀୟମାନ କ୍ଷେତ୍ର ହୋଇଥିବାରୁ ଜୈବ-ଅର୍ଥନୀତି ରାଜ୍ୟର ବିକାଶ ଧାରାରେ ପ୍ରମୁକ ଯୋଗଦାନ କରିବାର ବ୍ୟାପକ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଆଇଆଇଏମ୍‌, ସମ୍ବଲପୁର ମଧ୍ୟରେ ଏକ ବୁଝାମଣାପତ୍ର ଆଜି ଖାରବେଳ ଭବନରେ ସ୍ୱାକ୍ଷରିତ ହୋଇଛି । ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍‌ଙ୍କ ଉପସ୍ଥିତିରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ପୂଜା ମିଶ୍ର ଏବଂ ଆଇଆଇଏମ୍‌ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।

ଏହି ବୁଝାମଣାପତ୍ର ଅନୁଯାୟୀ ରାଜ୍ୟରେ ଜୈବ-ଅର୍ଥନୀତି ସମ୍ଭାବନା ଥିବା କ୍ଷେତ୍ରଗୁଡ଼ିକୁ ବିଚାରକୁ ନେଇ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଆଇଆଇଏମ୍‌, ସମ୍ବଲପୁର ପକ୍ଷରୁ ପ୍ରଦାନ କରାଯିବ । ଜୈବ-ଅର୍ଥନୀତି ରିପୋର୍ଟ ବିକଶିତ କରିବା, ଏ କ୍ଷେତ୍ରରେ ଥିବା ପ୍ରମୁଖ ଆହ୍ୱାନ ଓ ବିକାଶ ସୁଯୋଗର ମୂଲ୍ୟାୟନ କରି ଏକ ତଥ୍ୟଭିତ୍ତିକ ରିପୋର୍ଟ ପ୍ରସ୍ତୁତ କରାଯିବ । ଏହି ରିପୋର୍ଟ ଭବିଷ୍ୟତର ଜୈବ ଉଦ୍ୟୋଗ, ବିଶେଷ କରି ଜୈବ-ଅର୍ଥନୀତି ଏବଂ ସାଧାରଣ ଭାବେ ଆର୍ଥିକ ଅଭିବୃଦ୍ଧି ଦିଗରେ ଏକ ମାନଦଣ୍ଡ ଭାବେ ଉଭାହେବ ବୋଲି ଉଭୟ ପକ୍ଷ ଆଶାବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି, ବିତ୍ତ ପରାମର୍ଶଦାତା ଶ୍ରୀମତୀ ବିଦୁ୍ୟତପ୍ରଭା ରାଉତ, ଶ୍ରୀମତୀ ଉର୍ମିପ୍ରଭା ମହାରଣା, ଆଇଆଇଏମ୍‌, ସମ୍ବଲପୁରର ଅଧ୍ୟାପକ ଶ୍ରୀ ଆର୍‌.କେ. ପାଢ଼ୀ ଏବଂ ଶ୍ରୀ ସନ୍ଦୀପ ମୁଖୋପାଧ୍ୟାୟଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Thursday, August 7, 2025

ନାଲକୋ ୨୦୨୫-୨୬ ର ପ୍ରଥମ ତ୍ରୈମାସିକ ଫଳାଫଳ: ୭୭% ଅଭିବୃଦ୍ଧି ସହ ୧୦୬୪ କୋଟି ଟଙ୍କାର ନିଟ ଲାଭ

ନାଲକୋ ବୋର୍ଡ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରତି ଇକ୍ସିଟି ସେୟାର ପିଛା ୨.୫୦ ଟଙ୍କା ଚୂଡ଼ାନ୍ତ ଲାଭାଂଶ ସୁପାରିଶ କରିଛି ଯାହାର ପରିମାଣ ୪୫୯.୧୬ କୋଟି ଟଙ୍କା।

ଘରୋଇ ବଜାରରେ ସର୍ବକାଳୀନ ସର୍ବାଧିକ ଆଲୁମିନା ଏବଂ ଆଲୁମିନିୟମ ବିକ୍ରିର ରେକର୍ଡ

ଭୁବନେଶ୍ବର, ୭/୮: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ତଥା ଦେଶର ଅଗ୍ରଣୀ ଆଲୁମିନା ଏବଂ ଆଲୁମିନିୟମ ଉତ୍ପାଦକ ଏବଂ ରପ୍ତାନିକାରୀ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ଼ (ନାଲକୋ) ପକ୍ଷରୁ ଆର୍ଥିକ ବର୍ଷ ୨୦୨୫-୨୬ ର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷିତ ହୋଇଛି। ପ୍ରଥମ ତ୍ରୈମାସିକରେ କମ୍ପାନୀ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା ବେଳେ ଆର୍ଥିକ କ୍ଷେତ୍ରରେ ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ଅଭିବୃଦ୍ଧି ହାସଲ କରିଛି।

ଆଜି ଭୁବନେଶ୍ଵରରେ ଅନୁଷ୍ଠିତ ନିର୍ଦ୍ଦେଶକ ମଣ୍ଡଳୀର ବୈଠକରେ ରେକର୍ଡରେ କରାଯାଇଥିବା ଫଳାଫଳ ଅନୁଯାୟୀ, ନାଲକୋ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଜୁନ୍ ୩୦ ତାରିଖରେ ଶେଷ ହୋଇଥିବା ପ୍ରଥମ ତ୍ରୈମାସିକରେ ୭୭% ଅଭିବୃଦ୍ଧି ସହ ୧୦୬୪ କୋଟି ଟଙ୍କାର ନିଟ୍ ଲାଭ ଅର୍ଜନ କରିଛି, ଯାହା ପୂର୍ବ ବର୍ଷର ସମାନ ତ୍ରୈମାସିକରେ ୬୦୧ କୋଟି ଟଙ୍କା ଥିଲା। ଚଳିତ ତ୍ରୈମାସିକରେ କମ୍ପାନୀ ମଧ୍ୟ ୩୮୦୭ କୋଟି ଟଙ୍କାର ବ୍ୟବସାୟ କରିଛି।

ନାଲକୋ ବୋର୍ଡ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରତି ଇକ୍ୱିଟି ସେୟାର ପିଛା ଟ ୨.୫୦ଙ୍କା ହିସାବରେ ୪୫୯.୧୬ କୋଟି ଟଙ୍କା ଚୂଡ଼ାନ୍ତ ଲାଭାଂଶ ସୁପାରିଶ କରିଛି, ଯାହା ଆଗାମୀ ୪୪ତମ ବାର୍ଷିକ ସାଧାରଣ ବୈଠକରେ ସେୟାରଧାରକମାନଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନା କରାଯିବ। ଏଥିସହ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ଲାଭାଂଶ ପ୍ରଦାନ ପରିମାଣ ୧୯୨୮.୪୬ କୋଟି ଟଙ୍କା ହେବ।

ନାଲକୋ ବୋର୍ଡର ସକ୍ଷମ ମାର୍ଗଦର୍ଶନ ତଥା କର୍ମଚାରୀ, ସହଯୋଗୀ ଏବଂ ଅଂଶୀଦାରମାନଙ୍କ ପ୍ରତିବଦ୍ଧତା ଫଳରେ କମ୍ପାନୀ ପ୍ରଥମ ତ୍ରୈମାସିକର ଉଲ୍ଲେଖନୀୟ ପ୍ରଦର୍ଶନ ହାସଲ କରିଛି ବୋଲି ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି। ଶ୍ରୀ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ, କମ୍ପାନୀର ଦୃଢ଼ ଫଳାଫଳ ମୂଲ୍ୟ-ଦକ୍ଷ କାର୍ଯ୍ୟ, ଅନୁକୂଳ ଘରୋଇ ବ୍ୟବସାୟିକ ପରିବେଶ, ଏବଂ ସାମଗ୍ରିକ ଟେକ୍ନୋ-ଅର୍ଥନୈତିକ ପାରାମିଟରରେ ଉନ୍ନତିର ମିଶ୍ରଣ ଦ୍ବାରା ସମ୍ଭବ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ପ୍ରଦର୍ଶନ ତୁଳନାରେ, ବକ୍ସାଇଟ୍ ପରିବହନରେ ୬.୫୬% ବୃଦ୍ଧି ଘଟିଥିବାବେଳେ ଆଲୁମିନା ହାଇଡ୍ରେଟ୍, କାଲସାଇଣ୍ଡ ଆଲୁମିନା ଏବଂ ଆଲୁମିନିୟମ୍ କାଷ୍ଟ ଧାତୁର ଉତ୍ପାଦନ ଯଥାକ୍ରମେ ୩୫.୫%, ୫୨.୨୫% ଏବଂ ୨.୬୮% ବୃଦ୍ଧି ପାଇଛି।

ସେହିପରି, ବିକ୍ରୟ କ୍ଷେତ୍ରରେ, କମ୍ପାନୀ ବଳିଷ୍ଠ ପ୍ରଦର୍ଶନ ସହ ଆଲୁମିନା ରପ୍ତାନି କ୍ଷେତ୍ରରେ ୨୦୯% ଅଭିବୃଦ୍ଧି ହାସଲ କରିଛି। ଏଥ୍ ସହ ଘରୋଇ ବଜାରରେ ଆଲୁମିନା ଏବଂ ଆଲୁମିନିୟମର ସର୍ବାଧୂକ ଘରୋଇ ବିକ୍ରୟ ରେକର୍ଡ ମଧ୍ଯ ହାସଲ କରିଛି।

ଫଳାଫଳ ସମ୍ବନ୍ଧରେ ନିଜର ମତ ପ୍ରକଟ କରିବା ସହ ଶ୍ରୀ ସିଂହ କହିଛନ୍ତି ଯେ, ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ଉଭା ହେବା ସହି ସହିତ, ଆଲୁ ଲୁମିନିୟମ୍ କ୍ଷେତ୍ର ଗୁରୁତ୍ବପୂର୍ଣ୍ଣ ପ୍ରଗତି ହାସଲ କରୁଛି, ଚାହିଦା ୯ -୧୦% ବୃଦ୍ଧି ପାଇଛି ଏବଂ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ “ପରିବହନ, ନିର୍ମାଣ ଏବଂ ବୈଦ୍ୟୁତିକ କ୍ଷେତ୍ରଗୁଡ଼ିକ ବଡ଼ ଧରଣର ଅଭିବୃଦ୍ଧି ପାଇଁ ପ୍ରସ୍ତୁତ, ଏବଂ ୨୦୩୦ ସୁଦ୍ଧା, ଭାରତରେ ଆଲୁମିନିୟମ୍ ବ୍ୟବହାର ବାର୍ଷିକ ୭.୫ ରୁ ୮ ନିୟୁତ ଟନ୍ ପହଞ୍ଚିବ ବୋଲି ଆକଳନ କରାଯାଇଛି। “ନାଲକୋର ଦୃଢ଼ ତ୍ରୟମାସିକ ଉତ୍କର୍ଷତା ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ, ଏବଂ ଆମେ ଏହି ଗତିକୁ ବଜାୟ ରଖିବା ପାଇଁ ଆଶାବାଦୀ ଅଛୁ,”।

ଉଲ୍ଲେଖନୀୟ ଯେ, ଆଲୁମିନିୟମ ଏବଂ ଆଲୁମିନା ମୂଲ୍ୟ ଶୃଙ୍ଖଳାରେ ସ୍ଥିର ଉନ୍ନତି ସହିତ ନାଲକୋ ନିରନ୍ତର ଭାବରେ ଦୃଢ଼ ବ୍ୟବସାୟିକ ପ୍ରଦର୍ଶନ କରିଆସୁଅଛି। କମ୍ପାନୀ ମଧ୍ୟ ସକ୍ରିୟ ଭାବରେ ଏହାର ଆଲୁମିନା ରିଫାଇନାରୀ ସମ୍ପ୍ରସାରଣକୁ ଆଗକୁ ବଢାଇବା ସହ ପୋଟାଙ୍ଗି ବକ୍ସାଇଟ୍ ଖଣିକୁ କାର୍ଯ୍ୟକ୍ଷମ କରିବା ଦିଗରେ କାର୍ଯ୍ୟ କରୁଛି।

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

ଆମ ହସ୍ତତନ୍ତ ଏକ ଜୀବନ୍ତ କଳା ଯାହା ରାଷ୍ଟ୍ରୀୟ ଓ ଅନ୍ତର୍ଜାତୀୟ ମାର୍କେଟରେ ଓଡ଼ିଶାକୁ ଗୌରବାନ୍ୱିତ କରାଉଛି: ମୁଖ୍ୟମନ୍ତ୍ରୀ

ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର ହେଲେ ମାଧୁରୀ ଦୀକ୍ଷିତ

ଭୁବନେଶ୍ୱର, ୭/୮: ଜାତୀୟ ହସ୍ତତନ୍ତ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜନତା ମୈଦାନ ଠାରେ ଆୟୋଜିତ ହସ୍ତତନ୍ତ ମେଳା “ଏକତା” କୁ ଉଦ୍ଘାଟନ କରି କହିଛନ୍ତି ଯେ ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ। ଆମର ‘ହସ୍ତତନ୍ତ କ୍ଷେତ୍ର’ କେବଳ ଏକ ଆର୍ଥିକ ସ୍ତମ୍ଭ ନୁହେଁ ବରଂ ଏହା ଜାତୀୟ ଗର୍ବ ଓ ଗରିମାର ପ୍ରତୀକ। ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟରୁ ଆରମ୍ଭ କରି ବର୍ତ୍ତମାନର ବିଶ୍ୱ ଫ୍ୟାଶନ୍ ପ୍ଲାଟଫର୍ମ ପର୍ଯ୍ୟନ୍ତ, ଆମର ବୟନ ସର୍ବଦା ଉତ୍କର୍ଷତା, ଆଧ୍ୟାତ୍ମିକତା ଓ ସଂସ୍କୃତିର ଜୟଗାନ କରିଆସିଛି । ହସ୍ତତନ୍ତ ଉନ୍ନୟନ ଯୋଜନା ମାଧ୍ୟମରେ ବୁଣାକାରମାନଙ୍କ ସାମାଜିକ-ଆର୍ଥିକ ଅବସ୍ଥାକୁ ଉନ୍ନତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଏକ ବର୍ଷ ପାଇଁ ଓଡିଶା ହ୍ୟାଣ୍ଡଲୁମର ବ୍ରାଣ୍ଡ ଆମ୍ବାସାଡର ଭାବେ ଅନୁବନ୍ଧିତ କରାଯାଇଛି ବୋଲି ଘୋଷଣା କରିଥିଲେ। ମାଧୁରୀ ଦୀକ୍ଷିତଙ୍କ ସକ୍ରିୟ ସହଯୋଗରେ ଓଡିଶା ହସ୍ତତନ୍ତରୁ ପ୍ରସ୍ତୁତ ପୋଷାକ ଦେଶ ବିଦେଶର ଫେସନ ଜଗତରେ ପ୍ରତିଷ୍ଠା ଅର୍ଜନ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ୩୦ଟି ଜିଲ୍ଲାରେ ୧ ଲକ୍ଷ ୩୦ ହଜାରରୁ ଅଧିକ ବୁଣାକାର ଓ ସହାୟକ ଶ୍ରମିକ ହସ୍ତତନ୍ତ କ୍ଷେତ୍ରରେ ସିଧାସଳଖ ନିୟୋଜିତ ଅଛନ୍ତି । ପ୍ରାଥମିକ ବୁଣାକାର ସମବାୟ ସମିତି, ସ୍ଵୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ଜରିଆରେ ଆମର ବୁଣାକାର ବନ୍ଧୁମାନେ ସଂଗଠିତ ହୋଇ ବୟନ ଐତିହ୍ୟକୁ ବଜାୟ ରଖିବା ପାଇଁ କାର୍ଯ୍ୟ କରିଆସୁଛନ୍ତି । ପୂର୍ବ ଭାରତର ସର୍ବବୃହତ ଓଡିଶା ଟେକ୍ସଟାଇଲ କନକ୍ଲେଭରେ ରାଜ୍ୟରେ ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଠା ପାଇଁ ୭ ହଜାର ୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୩୩ଟି MOU ସ୍ୱାକ୍ଷରିତ ହୋଇଛି ଏବଂ ଏହା ମାଧ୍ୟମରେ ଟେକ୍ସଟାଇଲ କ୍ଷେତ୍ରରେ ୫୩ ହଜାର ୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ଯେ ଭିତ୍ତିଭୂମି ଓ ପ୍ରତିଷ୍ଠାନଗତ ସହାୟତା ଦିଗରେ ଆମ ସରକାର ତତ୍ପର ଅଛନ୍ତି । ଆମେ ବରଗଡ଼, କଟକରେ ଡାଇ ହାଉସ୍, ଗୋଦାମ, ଡିଜାଇନ୍ ଷ୍ଟୁଡିଓ, ଗୁଣବତ୍ତା ନିୟନ୍ତ୍ରଣ ପରୀକ୍ଷାଗାର ଭଳି ସାଧାରଣ ସୁବିଧା ସହିତ ହସ୍ତତନ୍ତ ପାର୍କ ବିକଶିତ କରୁଛୁ। ଉତ୍କର୍ଷତା ଏବଂ ନବସୃଜନ ପାଇଁ ଓଡ଼ିଶାର ୪୦ରୁ ଅଧିକ ମାଷ୍ଟର ବୁଣାକାରଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ୧୨୦ ବର୍ଷ ପୂର୍ବେ ଯେଉଁ ସ୍ଵଦେଶୀ ଆନ୍ଦୋଳନକୁ ଚରିତାର୍ଥ କରିବା ପାଇଁ ଏହା ଆରମ୍ଭ ହୋଇଥିଲା, ଆଜି ମଧ୍ୟ ସମୟ ଆସିଛି ଆମେ ଆମ ବୁଣାକାରଙ୍କୁ ସମ୍ମାନ ଦେବା ଏବଂ ତାଙ୍କ ପ୍ରସ୍ତୁତ ବସ୍ତ୍ର ବ୍ୟବହାର କରିବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଦିବସର ମାସ୍କଟ “ରେଶା” ଏବଂ ହସ୍ତତନ୍ତ ଶିଳ୍ପ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଉନ୍ମୋଚନ କରିଥିଲେ। ତତ୍‌ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟର ହସ୍ତତନ୍ତ ବୁଣାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସୂଚନା ଯୋଗ୍ୟ ଯେ ଏହି ହସ୍ତତନ୍ତ ମେଳା ଆଜିଠାରୁ ଆରମ୍ଭ ହୋଇ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଜନତା ମୈଦାନ ଠାରେ ଚାଲିବ।

କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର ମାଧୁରୀ ଦୀକ୍ଷିତ କହିଥିଲେ ଯେ ସେ ବୁଣାକାରଙ୍କ ହୃଦୟର ସ୍ପନ୍ଦନକୁ ଅନୁଭବ କରନ୍ତି। ଏହି ଶିଳ୍ପ କେବଳ ବସ୍ତ୍ର ନୁହେଁ ପ୍ରତ୍ୟେକ ଓଡ଼ିଆର ପରିଚୟ ଏବଂ ଏହା ହିଁ ଓଡ଼ିଆ ଅସ୍ମିତା। ହସ୍ତତନ୍ତ କେବଳ ଜୀବିକା ନୁହେଁ, ଏହା ହେଉଛି ଆମ ସଂସ୍କୃତି ଓ ଆମ ଜୀବନଶୈଳୀର ଏକ ଅଭିନ୍ନ ଅଙ୍ଗ ବୋଲି ସେ କହିଥିଲେ।

ଏହି ଅବସରରେ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ତଥା ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ, ଆମ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ, ବୟନ ଶିଳ୍ପର ଗୌରବମୟ ପରମ୍ପରାକୁ ବଜାୟ ରଖି ଏହାକୁ ଏକ ଆଧୁନିକ ବଜାର-ଚାହିଦା ଭିତ୍ତିକ ଉତ୍ପାଦରେ ପରିଣତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଶ୍ରମିକ ସମ୍ମାନ ଯୋଜନା, ହସ୍ତତନ୍ତ ଶିଳ୍ପୀ ସଂପ୍ରସାରଣ ନୀତି, ଏବଂ ବିଭିନ୍ନ ଶିଳ୍ପ ମେଳା ଓ ଅନୁଦାନ ଯୋଜନା ମାଧ୍ୟମରେ ହସ୍ତତନ୍ତ ଶିଳ୍ପୀଙ୍କ ଉନ୍ନତି ସୁନିଶ୍ଚିତ କରାଯାଇଛି। ରାଜ୍ୟର ନୂଆ ପିଢିକୁ ଆହ୍ୱାନ ଦେଇ ସେ କହିଥିଲେ ଯେ- ଆମ ଓଡ଼ିଶାର ହସ୍ତତନ୍ତ ପୋଷାକ ପିନ୍ଧନ୍ତୁ, ଶିଳ୍ପୀଙ୍କୁ ସମ୍ମାନ କରନ୍ତୁ, ସ୍ୱଦେଶୀ ଉତ୍ପାଦନକୁ ଗ୍ରହଣ କରନ୍ତୁ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଉପସ୍ଥିତ ଥିଲେ। ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ନିର୍ଦ୍ଦେଶକ ପ୍ରେମ ଚାନ୍ଦ ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ରାହୁଲ ଗାନ୍ଧୀ ବନାମ ନିର୍ବାଚନ କମିଶନ

ରାହୁଲ ଆଣିଲେ ଅଭିଯୋଗ, ପ୍ରମାଣ ମାଗିଲେ ଇସିଆଇ

ନୂଆଦିଲ୍ଲୀ, ୭/୮: ଗୁରୁବାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛନ୍ତି। ମହାରାଷ୍ଟ୍ରର ନିର୍ବାଚନ ତଥ୍ୟ ଦେଖାଇ ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ବିଧାନସଭା ନିର୍ବାଚନରେ ଜାଲିଆତି ହୋଇଛି ଏବଂ ରହସ୍ୟମୟ ଭାବରେ ୪୦ ଲକ୍ଷ ଭୋଟ ଯୋଡାଯାଇଛି। ଏହାକୁ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଜବାବ ଦେଇଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ ରାହୁଲ ଲିଖିତ ଭାବରେ ଏକ ଦସ୍ତଖତ ଥିବା ଶପଥ ପାଠ ସହିତ ଅଭିଯୋଗ ଦିଅନ୍ତୁ ନଚେତ୍ ସେ ଭାରତର ଲୋକମାନଙ୍କୁ ଭ୍ରମିତ କରନ୍ତୁ ନାହିଁ ଏବଂ ନିର୍ବାଚନ କମିଶନଙ୍କ ବିରୁଦ୍ଧରେ ଭିତ୍ତିହୀନ ଅଭିଯୋଗ କରିବା ବନ୍ଦ କରନ୍ତୁ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଅନିୟମିତତାର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ମହାରାଷ୍ଟ୍ରରେ ୫ ମାସ ମଧ୍ୟରେ ଲକ୍ଷ ଲକ୍ଷ ଭୋଟରଙ୍କ ନାମ ତାଲିକାରେ ଯୋଡାଯାଇଛି, ଯାହା ବହୁତ ଚିନ୍ତାଜନକ। ନୂତନ ଭୋଟରଙ୍କ ଯୋଡା ହେବା ଆମର ସନ୍ଦେହକୁ ଆହୁରି ବଢାଇଥିଲା ଏବଂ ତା’ପରେ ସନ୍ଧ୍ୟା ୫ଟା ପରେ ମତଦାନରେ ଏକ ବିରାଟ ବୃଦ୍ଧି ଦେଖାଯାଇଥିଲା। ଲୋକସଭା ନିର୍ବାଚନରେ ଆମର ମେଣ୍ଟ ଏକ ଚମତ୍କାର ବିଜୟ ହାସଲ କରିଥିଲା, କିନ୍ତୁ ବିଧାନସଭା ନିର୍ବାଚନରେ ଆମର ମେଣ୍ଟ ସମ୍ପୂର୍ଣ୍ଣ ପରାଜୟର ସମ୍ମୁଖୀନ ହୋଇଥିଲା, ଯାହା ବହୁତ ସନ୍ଦେହଜନକ।’

ସେ କହିଛନ୍ତି, ‘ଆମର ବିଶ୍ଳେଷଣରୁ ଜଣାପଡିଛି ଯେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ମଧ୍ୟରେ ଏକ କୋଟି ନୂତନ ଭୋଟର ଯୋଡି ହୋଇଛନ୍ତି। ଆମେ ଏହି ପ୍ରସଙ୍ଗକୁ ନିର୍ବାଚନ କମିଶନଙ୍କ ସମ୍ମୁଖରେ ଉଠାଇଥିଲୁ ଏବଂ ମହାରାଷ୍ଟ୍ର ନିର୍ବାଚନ ଚୋରି ହୋଇଯାଇଛି ବୋଲି କହିଥିଲୁ।’ ରାହୁଲ ଅଭିଯୋଗ କରିଥିଲେ ଯେ ଭୋଟର ତାଲିକା ଏହି ଦେଶର ସମ୍ପତ୍ତି, କିନ୍ତୁ ନିର୍ବାଚନ କମିଶନ ଏହାକୁ ଦେବାକୁ ମନା କରିଦେଇଥିଲେ। ଏହା ସହିତ, କମିଶନ ସିସିଟିଭି ଫୁଟେଜ୍ ନଷ୍ଟ କରିବା ବିଷୟରେ କହିଥିଲେ, ଯାହା ଆଶ୍ଚର୍ଯ୍ୟଜନକ ଥିଲା। ସନ୍ଧ୍ୟା ୫ଟା ୩୦ ପରେ ମହାରାଷ୍ଟ୍ରରେ ଅଧିକ ଭୋଟିଂ ହୋଇଥିବାର କୁହାଯାଉଥିଲା, କିନ୍ତୁ ଆମର ଲୋକମାନେ କହିଥିଲେ ଯେ ମତଦାନ କେନ୍ଦ୍ରରେ ଏତେ ମାତ୍ରାରେ ଭୋଟିଂ ହୋଇନାହିଁ। ଏହି ଦୁଇଟି ଜିନିଷ ଆମକୁ ନିଶ୍ଚିତ କରିଛି ଯେ ନିର୍ବାଚନ କମିଶନ ବିଜେପି ସହିତ ମିଶି ଭୋଟ୍ ଚୋରି କରୁଛି।

ନୃଶଂସତା: ଦୁଇ ଦିନରେ ୨୫ କୁକୁରଙ୍କୁ ଗୁଳି କରି ହତ୍ୟାଦୁଇ ଯୁବକଙ୍କ ନାରକୀୟ କାଣ୍ଡ

ଦୁଇ ଯୁବକଙ୍କ ନାରକୀୟ କାଣ୍ଡ

ଜୟପୁର, ୭/୮: ରାଜସ୍ଥାନର ଝୁନଝୁନୁ ଜିଲ୍ଲାର କୁମାବାସ ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି। ଦୁଇ ଦିନରେ ଜଣେ ବ୍ୟକ୍ତି ୨୫ଟି କୁକୁରଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଗଷ୍ଟ ୨ ଏବଂ ୩ ତାରିଖରେ ଜଣେ ବ୍ୟକ୍ତି ମାତ୍ର ଦୁଇ ଦିନରେ ୨୫ ରୁ ଅଧିକ କୁକୁରଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ବ୍ୟାପକ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି।

ଅଭିଯୁକ୍ତ‌ ଜଣକ ହେଉଛି ଡୁମରାର ବାସିନ୍ଦା ଶେଓଚାନ୍ଦ ବାଭାରିଆ। ସେ ଖୋଲାଖୋଲି ଭାବରେ ଗାଁରେ ରାଇଫଲ୍ ଧରି ବୁଲୁଥିଲେ ଏବଂ ବୁଲା କୁକୁରମାନଙ୍କୁ ଦେଖିବା ମାତ୍ରେ ଗୁଳି କରୁଥିଲେ। ଗାଁର ରାସ୍ତା ଏବଂ କ୍ଷେତରେ ରକ୍ତାକ୍ତ କୁକୁରଙ୍କ ମୃତଦେହ ବିଛାଇ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଏହା ପଶୁପ୍ରେମୀଙ୍କ ମନକୁ ଅତ୍ୟନ୍ତ ବ୍ୟଥିତ କରିଛି। ଭିଡ଼ିଓରେ ଦେଖାଯାଇଛି, କୁକୁରମାନେ ନିଜ ଜୀବନ ବଞ୍ଚାଇବାକୁ ଇଆଡେ ସିଆଡେ ଦୌଡ଼ୁଛନ୍ତି।

ଭିଡିଓ ଫୁଟେଜରେ ଦୁଇଜଣ ବ୍ୟକ୍ତି ଏକ ମୋଟରସାଇକେଲରେ ରାଇଫଲ୍ ଧରି ବୁଲା କୁକୁରଙ୍କ ପିଛା କରୁଛନ୍ତି ଏବଂ ଗୁଳି ଚଳାଇ ସେମାନଙ୍କର ରକ୍ତାକ୍ତ ମୃତଦେହକୁ ଗାଁ ରାସ୍ତା ଏବଂ କ୍ଷେତରେ ଫିଙ୍ଗୁଛନ୍ତି। ଅନ୍ୟ ଜଣେ ତୃତୀୟ ବ୍ୟକ୍ତି, ଏକ ଅଲଗା ମୋଟରସାଇକେଲରେ ଦୁଇ ଜଣଙ୍କୁ ପିଛା କରି ଘଟଣାର ଭିଡ଼ିଓ ରେକର୍ଡିଂ କରୁଛନ୍ତି। ତେବେ ସେ ଏହି ବ୍ୟକ୍ତି ଅପରାଧରେ ସମ୍ପୃକ୍ତ ଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପୋଲିସ ଅଧିକ୍ଷକ ବ୍ରିଜେଶ ଜ୍ୟୋତି ଉପାଧ୍ୟାୟ ନିଶ୍ଚିତ କରିଛନ୍ତି ଯେ ଭିଡିଓଟି ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଅଗଷ୍ଟ ୪ ତାରିଖରେ ତଦନ୍ତ ଆରମ୍ଭ କରାଯାଇଥିଲା। ଭାରତୀୟ ଦଣ୍ଡ ସଂହିତା ଏବଂ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ବାଭାରିଆ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଫେରାର ଥିବା ବେଳେ, ପୋଲିସ ତାର ଗିରଫଦାରୀ ପାଇଁ ପ୍ରୟାସ କରୁଛି।

ପଶୁପ୍ରେମୀ ଏବଂ ଗ୍ରାମବାସୀମାନେ ଏହି ବର୍ବର କାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୋଲିସ ଶୀଘ୍ର ଗିରଫଦାରୀ ପାଇଁ ପ୍ରତିଶ୍ରୁତି ଦେଇଛି। ଅଞ୍ଚଳର କିଛି ସଚେତନ ଲୋକ ମଧ୍ୟ ଏହି ସମ୍ପୂର୍ଣ୍ଣ ଘଟଣା ବିଷୟରେ କେନ୍ଦ୍ର ସରକାର ଏବଂ ଉଚ୍ଚପଦସ୍ଥ ଅଧିକାରୀ ଏବଂ ମନ୍ତ୍ରୀମାନଙ୍କୁ ଅବଗତ କରାଇଛନ୍ତି।

ବର୍ଣ୍ଣ ବୈଷମ୍ୟ ଓ ଜାତିଆଣା: ୬ ବର୍ଷର ଝିଅକୁ ଚୁଟି ଟାଣି ମାରିଲେ

ଭାରତ ଫେରିଯିବାକୁ ଧମକ ଦେଲେ

ଆୟାରଲ୍ୟାଣ୍ଡ, ୭/୮: ଆୟାରଲ୍ୟାଣ୍ଡର ୱାଟରଫୋର୍ଡରେ ଜଣେ ଛଅ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଝିଅଙ୍କୁ ଆକ୍ରମଣ କରିଛନ୍ତି ଆୟାରଲ୍ୟାଣ୍ଡର କିଛି ନାଗରିକ। ଏହି ନାଗରିକ ମାନେ ହେଉଛନ୍ତି ମାତ୍ର ୮ରୁ ୧୦ ବର୍ଷ ବୟସର। ଏହି ପିଲାମାନେ ଛୋଟ ଝିଅଙ୍କୁ ମୁଥା ମାରିଥିଲେ, ତାଙ୍କ ଗୁପ୍ତାଙ୍ଗକୁ ସାଇକେଲରେ ଆଘାତ କରିଥିଲେ ଏବଂ ଜାତିଭେଦପୂର୍ଣ୍ଣ ଗାଳି ଦେଇ ତାଙ୍କୁ “ଭାରତ ଫେରିଯାଅ” ବୋଲି କହିଥିଲେ।

ସୂଚନା ଅନୁଯାୟୀ, ତାଙ୍କ ମାଆ ଜଣେ ନର୍ସ ଓ ସେ ନିକଟରେ ହିଁ ଆୟରଲ୍ୟାଣ୍ଡ ନାଗରିକତା ପାଇଛନ୍ତି। ସେ କହିଛନ୍ତି ଯେ ପିଲାଟି ଏବେ ବାହାରେ ଖେଳିବାକୁ ଭୟ କରୁଛି ଏବଂ ପରିବାର ମଧ୍ଯ ଅସୁରକ୍ଷିତ ଅନୁଭବ କରୁଛନ୍ତି।

ଅଗଷ୍ଟ ୪ ତାରିଖ ସୋମବାର ସନ୍ଧ୍ୟାରେ ସେ ତାଙ୍କ ବନ୍ଧୁମାନଙ୍କ ସହିତ ତାଙ୍କ ଘର ବାହାରେ ଖେଳୁଥିବା ସମୟରେ ଏହି ଆକ୍ରମଣ ଘଟିଥିଲା। ଆକ୍ରମଣ କରିଥିବା ଏହି ଗ୍ୟାଙ୍ଗରେ ପ୍ରାୟ ଆଠ ବର୍ଷର ଏକ ଝିଅ ଏବଂ ୧୨ ରୁ ୧୪ ବର୍ଷର ଏକାଧିକ ପୁଅ ଥିଲେ।

ଏହା ଆୟରଲ୍ୟାଣ୍ଡରେ ପ୍ରଥମ ମାମଲା ନୁହେଁ। ଭାରତୀୟ ବଂଶୋଦ୍ଭବଙ୍କ ଉପରେ ପୂର୍ବରୁ ମଧ୍ୟ ଆକ୍ରମଣ ହୋଇଛି। ଆୟରଲ୍ୟାଣ୍ଡରେ ଭାରତୀୟମାନଙ୍କ ବିରୁଦ୍ଧରେ ଜାତିଭେଦ ଆକ୍ରମଣ ବୃଦ୍ଧି ପାଇବା ଦ୍ୱାରା ସୁରକ୍ଷା ଚିନ୍ତାକୁ ବୃଦ୍ଧି କରିଛି।

ବଦଳିଲେ ପଟ୍ଟାମୁଣ୍ଡାଇ ASI ଶୈଳେନ୍ଦ୍ର ପଲେଇ

ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର

କେନ୍ଦ୍ରାପଡା, ୭/୮: ପଟ୍ଟାମୁଣ୍ଡାଇରେ ଯୁବତୀ ଆତ୍ମଦାହ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏସଆଇ ଶୈଳେନ୍ଦ୍ର ପଲେଇଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି କେନ୍ଦ୍ରାପଡ଼ା ଏସପି। ଯୁବତୀଙ୍କ ବାପା ଏସଆଇ ପଲେଇଙ୍କ ନାଁରେ ଅଭିଯୋଗ ଆଣିଥିଲେ। ତାଙ୍କ ଝିଅ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପଲେଇ ବାବୁ ଅଭିଯୋଗ ରଖିନଥିଲେ ଏବଂ ଅତି ହାଲୁକାର ସହ ଘଟଣାକୁ ନେଇଥିଲେ ବୋଲି ଅଭିଯୋଗ କରିଛନ୍ତି। ଯୁବତୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ, ଗତ କାଲି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଠିଆପଡ଼ା ଗାଁର ଯୁକ୍ତ ୩ ଶେଷ ବର୍ଷର ଜଣେ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ଭାଇରାଲ କରିବା ପାଇଁ ବ୍ଲାକମେଲ କରୁଥିଲେ। ଯାହା ପରେ ସେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ ବୋଲି ଯୁବତୀଙ୍କ ବାପା ଅଭିଯୋଗ ଆଣିଥିଲେ। ଏହି ଘଟଣା ୮ ମାସ ଧରି ଘଟିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।

ଓଏସଇଏଫଡ଼ି ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ବାଚସ୍ପତି ସୁରମା ପାଢ଼ୀଙ୍କୁ ସାକ୍ଷାତ

ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ଆଲୋଚ଼ନା

ଭୁବନେଶ୍ୱର, ୭/୮: ଆଜି ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଓଏସଇଏଫଡ଼ି ନୟାଗଡ଼ ଜିଲ୍ଲା ଶାଖାର ସଭାପତି ତୃପ୍ତିମୟୀ ପ୍ରଧାନ,ସମ୍ପାଦିକା ଶୁଭସ୍ମିତା ମିଶ୍ର, ରାଜ୍ୟ କୋଷାଧ୍ୟକ୍ଷ ଅଭିଷେକ ଆଚ଼ାର୍ଯ୍ୟ, କାର୍ଯ୍ୟକାରିଣୀ ସଦସ୍ୟ ହିତେଶ କୁମାର ମହନ୍ତ ପ୍ରମୁଖ ବାଚସ୍ପତିଙ୍କ ବାସଭବନରେ ସାକ୍ଷାତ କରି ଓଡ଼ିଶାର ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ଆଲୋଚ଼ନା କରିବା ସହ ଅଧିକ ପୋଷ୍ଟ ଓ ସ୍ଥାୟୀ ନିଯୁକ୍ତି ନିମନ୍ତେ ବିଶଦ ଆଲୋଚନା କରିଥିଲେ। ସୂଚନାଥାଉକି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ପ୍ରତ୍ୟେକ କ୍ଲଷ୍ଟରରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେବେ,୨୦୨୫-୨୦୨୭ ଶିକ୍ଷାବର୍ଷ ମଧ୍ୟରେ ୪୧୬୦ ପୋଷ୍ଟ ନିଯୁକ୍ତି ଦିଆଯିବା। କିନ୍ତୁ ସୁପ୍ରିମକୋର୍ଟଙ୍କ ସାରଣୀ ଅନୁସାରେ ଓଡିଶାକୁ ପ୍ରାରମ୍ଭିକ ସ୍ତରରେ ୧୨୨୬୮ ସ୍ଥାୟୀ ପଦବୀର ଆବଶ୍ୟକତା ଅଛି | ସଂଘର ଦାବି ରହିଛି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏକାକାଳୀନ ସମସ୍ତ ପଦ ପୂରଣ କରାଗଲେ ନୟାଗଡ଼ ଜିଲ୍ଲା ତଥା ଓଡିଶାର ସମସ୍ତ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଉତ୍ତମ ଶିକ୍ଷା ପାଇପାରିବେ। ଏହାକୁ ମାନନୀୟା ବାଚସ୍ପତି ଶ୍ରୀମତୀ ପାଢ଼ୀ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରିବା ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ଆଜି ଜାତୀୟ ହସ୍ତତନ୍ତ ଦିବସ

ଅଧିକ ଜାଣିବା ପାଇଁ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’

ଆଜିର ତାରିଖ ୭ ଅଗଷ୍ଟ ୨୦୨୫

ଜାତୀୟ ହସ୍ତତନ୍ତ ଦିବସ:- ହସ୍ତତନ୍ତ କ୍ଷେତ୍ର ଆମ ଦେଶର ସମୃଦ୍ଧ ଏବଂ ବିବିଧ ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଆମ ଦେଶର ଗ୍ରାମୀଣ ଏବଂ ଅର୍ଦ୍ଧ-ଗ୍ରାମାଞ୍ଚଳରେ ଜୀବିକା ନିର୍ବାହର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଏହା ଏପରି ଏକ କ୍ଷେତ୍ର ଯାହା ମହିଳା ସଶକ୍ତିକରଣକୁ ସିଧାସଳଖ ପ୍ରୋତ୍ସାହିତ କରେ। ସମସ୍ତ ବୁଣାକାର ଏବଂ ସହଯୋଗୀ ଶ୍ରମିକଙ୍କ ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ ମହିଳା।

୭ ଅଗଷ୍ଟ, ୧୯୦୫ରେ ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନ ସ୍ୱଦେଶୀ ଶିଳ୍ପ ଏବଂ ବିଶେଷକରି ହସ୍ତତନ୍ତ ବୁଣାକାରମାନଙ୍କୁ ଉତ୍ସାହିତ କରିଥିଲା। ୨୦୧୫ରେ ଭାରତ ସରକାର ପ୍ରତିବର୍ଷ ୭ ଅଗଷ୍ଟକୁ ଜାତୀୟ ହସ୍ତତନ୍ତ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଜାତୀୟ ହସ୍ତତନ୍ତ ଦିବସ ୭ ଅଗଷ୍ଟ ୨୦୧୫ରେ ଚେନ୍ନାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ହସ୍ତତନ୍ତ ଏବଂ ବୁଣାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ଅବନୀନ୍ଦ୍ରନାଥ ଟାଗୋର (୭ ଅଗଷ୍ଟ ୧୮୭୧ – ୫ ଡିସେମ୍ବର ୧୯୫୧) “ଇଣ୍ଡିଆନ୍ ସୋସାଇଟି ଅଫ୍ ଓରିଏଣ୍ଟାଲ୍ ଆର୍ଟ”ର ପ୍ରତିଷ୍ଠାତା ଏବଂ ପ୍ରମୁଖ କଳାକାର ଥିଲେ। ସେ ବଙ୍ଗଳା କଳା ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ, ଯାହା ଆଧୁନିକ ଭାରତୀୟ ଚିତ୍ରକଳା ବିକାଶରେ ଅବଦାନ ରଖିଥିଲା। ସେ ବ୍ରିଟିଶ ଭାରତର କଲିକତାର ଜୋରାସାଙ୍କୋରେ ଗୁଣେନ୍ଦ୍ରନାଥ ଟାଗୋର ଏବଂ ସୌଦାମିନୀ ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଗିରୀନ୍ଦ୍ରନାଥ ଟାଗୋର ଥିଲେ, ଯିଏ “ରାଜକୁମାର୍” ଦ୍ୱାରକାନାଥ ଟାଗୋରଙ୍କ ଦ୍ୱିତୀୟ ପୁତ୍ର ଥିଲେ। ଟାଗୋର ପରିବାରର ଜଣେ ସଦସ୍ୟ। ସେ କବି ରବିନ୍ଦ୍ରନାଥ ଟାଗୋରଙ୍କ ଭଣଜା ଥିଲେ। ତାଙ୍କ ବଡ଼ ଭାଇ ଗଗନେନ୍ଦ୍ରନାଥ ଟାଗୋର ମଧ୍ୟ ଜଣେ କଳାକାର ଥିଲେ।

୨. ମାନକୋମ୍ବୁ ସାମ୍ବାସିଭାନ ସ୍ୱାମୀନାଥନ (୭ ଅଗଷ୍ଟ ୧୯୨୫), ଜଣେ ଭାରତୀୟ କୃଷିବିଜ୍ଞାନୀ, ଉଦ୍ଭିଦ ଜେନେଟିସିଷ୍ଟ, ପ୍ରଶାସକ ଏବଂ ମାନବବାଦୀ। ସବୁଜ ବିପ୍ଳବରେ, ସ୍ୱାମୀନାଥନଙ୍କୁ ବିଶ୍ୱ ନେତା ଭାବରେ ବିବେଚନା କରାଯାଏ।  ଭାରତରେ ଉଚ୍ଚ ଅମଳକ୍ଷମ ଗହମ ଏବଂ ଧାନ କିସମ ପ୍ରଚଳନ ଏବଂ ଆହୁରି ବିକାଶ କରିବାରେ ତାଙ୍କର ଭୂମିକା ପାଇଁ, ତାଙ୍କୁ ସବୁଜ ବିପ୍ଳବର ପ୍ରମୁଖ ସ୍ଥପତି ବୋଲି କୁହାଯାଏ। ଫିଲିପାଇନ୍ସରେ ଆନ୍ତର୍ଜାତୀୟ ଚାଉଳ ଗବେଷଣା ପ୍ରତିଷ୍ଠାନ (IRRI)ର ମହାନିର୍ଦ୍ଦେଶକ ଭାବରେ ତାଙ୍କର ନେତୃତ୍ୱ ଯୋଗୁଁ ତାଙ୍କୁ ୧୯୮୭ ମସିହାରେ ପ୍ରଥମ ବିଶ୍ୱ ଖାଦ୍ୟ ପୁରସ୍କାର, ନୋବେଲ ପୁରସ୍କାର ମିଳିଥିଲା। ତାଙ୍କୁ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ଦ୍ୱାରା ‘ଅର୍ଥନୈତିକ ପରିବେଶର ଜନକ’ ଭାବରେ ସମ୍ବୋଧିତ କରାଯାଇଛି।

୩. ସୁରେଶ ଈଶ୍ୱର (୭ ଅଗଷ୍ଟ ୧୯୫୫), ୱାଡକର ଜଣେ ଭାରତୀୟ ପ୍ଲେବ୍ୟାକ୍ ଗାୟକ। ସେ ହିନ୍ଦୀ ଏବଂ ମରାଠୀ ଉଭୟ ଚଳଚ୍ଚିତ୍ରରେ ଅଭିନୟ କରନ୍ତି। ସେ କିଛି ଭୋଜପୁରୀ ଚଳଚ୍ଚିତ୍ର, ଓଡ଼ିଆ ଗୀତ ଗୀତ ଗାଇଛନ୍ତି। ତାଙ୍କୁ ୨୦୧୮ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୨୦ ମସିହାରେ, ଭାରତ ସରକାର ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ।

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ରବୀନ୍ଦ୍ରନାଥ ଟାଗୋର (୭ ମଇ ୧୮୬୧ – ୭ ଅଗଷ୍ଟ ୧୯୪୧) ଜଣେ ବଙ୍ଗାଳୀ କବି, ଲେଖକ, ନାଟ୍ୟକାର, ସଂଗୀତଜ୍ଞ, ଦାର୍ଶନିକ, ସମାଜ ସଂସ୍କାରକ ଏବଂ ଚିତ୍ରକର ଥିଲେ। ସେ କେବଳ ଭାରତ ଏବଂ ବାଂଲାଦେଶ ଦୁଇଟି ଦେଶ ପାଇଁ ଜାତୀୟ ସଙ୍ଗୀତ ପ୍ରଦାନ କରିନଥିଲେ ବରଂ ତାଙ୍କର ଜଣେ ଛାତ୍ରଙ୍କୁ ଶ୍ରୀଲଙ୍କାର ଜାତୀୟ ସଙ୍ଗୀତ ଲେଖିବା ଏବଂ ରଚନା କରିବା ପାଇଁ ପ୍ରେରଣା ଦେଇଥିଲେ।

୨. ଏମ କରୁଣାନିଧି (୩ ଜୁନ୍ ୧୯୨୪ – ୭ ଅଗଷ୍ଟ ୨୦୧୮) ଜଣେ ଭାରତୀୟ ଲେଖକ ଏବଂ ରାଜନେତା ଥିଲେ ଯିଏ ୧୯୬୯ ରୁ ୨୦୧୧ ମଧ୍ୟରେ ପାଞ୍ଚ ଥର ପାଇଁ ପ୍ରାୟ ଦୁଇ ଦଶନ୍ଧି ଧରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ସର୍ବାଧିକ କାର୍ଯ୍ୟକାଳ ଥିଲା ୬,୮୬୩ ଦିନ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ତାମିଲ ଚଳଚ୍ଚିତ୍ର ଶିଳ୍ପରେ ଜଣେ ଚିତ୍ରନାଟ୍ୟ ଲେଖକ ଭାବରେ କାର୍ଯ୍ୟ କରିଥିଲେ।


ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୯୦୫: ସ୍ୱଦେଶୀ ଆନ୍ଦୋଳନ, ଏକ ଗୁରୁତ୍ୱପୂର୍ଣ୍ଣ ବ୍ରିଟିଶ ବିରୋଧୀ ଆନ୍ଦୋଳନ, ଭାରତରେ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା।

୧୯୦୫ – ଭାରତୀୟ ଜାତୀୟ କଂଗ୍ରେସ ବ୍ରିଟିଶ ସାମଗ୍ରୀ ବର୍ଜନ କରିବା ପାଇଁ ଘୋଷଣା କରିଥିଲା।

୧୯୪୭ – ବମ୍ବେ ମ୍ୟୁନିସିପାଲ୍ କର୍ପୋରେସନ୍ ଆନୁଷ୍ଠାନିକ ଭାବରେ ବମ୍ବେ ଇଲେକ୍ଟ୍ରିକ୍ ସପ୍ଲାଏ ଆଣ୍ଡ୍ ଟ୍ରାନ୍ସପୋର୍ଟ (BEST) କୁ ଗ୍ରହଣ କଲା।

୧୯୪୭ – ହାଇଦ୍ରାବାଦ ରାଜ୍ୟ କଂଗ୍ରେସ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କଲା।

୧୯୪୭ – ମହମ୍ମଦ ଅଲି ଜିନ୍ନା ଭାରତ ଛାଡିଥିଲେ।

୧୯୮୫ – ଗୀତ୍ ସେଠି ବିଶ୍ୱର ଆର୍ମେଚର ବିଲିଆର୍ଡସ୍ ଚାମ୍ପିଅନ୍ ହେବାରେ ତୃତୀୟ ଭାରତୀୟ ହୋଇଥିଲେ।

୨୦୧୮ – ସ୍ୱିଡିସ୍ ଫର୍ଣ୍ଣିଚର ବ୍ରାଣ୍ଡ୍ Ikea ହାଇଦ୍ରାବାଦରେ ଭାରତରେ ଏହାର ପ୍ରଥମ ଷ୍ଟୋର ଖୋଲିଥିଲା।

୨୦୨୪ – ଭାରତର ଐତିହାସିକ ଜାଭେଲିନ୍ ସଫଳତାକୁ ମନେ ପକାଇବା ପାଇଁ ଭାରତରେ ଜାତୀୟ ଜାଭେଲିନ୍ ଦିବସ ପାଳନ କରାଯାଏ।

COASTAL NEWS

ନଭେମ୍ବର ମାସିକ ରାଶିଫଳ

ନଭେମ୍ବର ୨୦୨୫ ମାସିକ ରାଶିଫଳ  ନମସ୍କାର ଦର୍ଶକ ବନ୍ଧୁ !  ସ୍ୱାଗତ ଆପଣଙ୍କୁ କୋଷ୍ଟାଲ୍ ନ୍ୟୁଜ୍ ଓଡ଼ିଆରେ। ଆମେ ଆଜି ଆପଣଙ୍କ ପାଇଁ ଆଣିଛୁ ନଭେମ୍ବର ୨୦୨୫...