AFFILIATE MARKETING

https://binomo.com?a=90810425bb57&t=0

Friday, August 8, 2025

ରାଜ୍ୟରେ ଜୈବ-ଅର୍ଥନୀତିର ବିକାଶ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ

ଆଇଆଇଏମ୍‌, ସମ୍ବଲପୁର ସହ ଚୁକ୍ତି କଲା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ

ଭୁବନେଶ୍ୱର, ୭/୮: ରାଜ୍ୟରେ ଜୈବ-ପ୍ରଯୁକ୍ତି ଓ ଜୈବ-ସମ୍ବଳକୁ ଆଧାର କରି ଜୈବ-ଅର୍ଥନୀତି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ଜୈବ-ପ୍ରଯୁକ୍ତି ବିଦ୍ୟା ଏକ ଉଦୀୟମାନ କ୍ଷେତ୍ର ହୋଇଥିବାରୁ ଜୈବ-ଅର୍ଥନୀତି ରାଜ୍ୟର ବିକାଶ ଧାରାରେ ପ୍ରମୁକ ଯୋଗଦାନ କରିବାର ବ୍ୟାପକ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଆଇଆଇଏମ୍‌, ସମ୍ବଲପୁର ମଧ୍ୟରେ ଏକ ବୁଝାମଣାପତ୍ର ଆଜି ଖାରବେଳ ଭବନରେ ସ୍ୱାକ୍ଷରିତ ହୋଇଛି । ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍‌ଙ୍କ ଉପସ୍ଥିତିରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ପୂଜା ମିଶ୍ର ଏବଂ ଆଇଆଇଏମ୍‌ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।

ଏହି ବୁଝାମଣାପତ୍ର ଅନୁଯାୟୀ ରାଜ୍ୟରେ ଜୈବ-ଅର୍ଥନୀତି ସମ୍ଭାବନା ଥିବା କ୍ଷେତ୍ରଗୁଡ଼ିକୁ ବିଚାରକୁ ନେଇ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଆଇଆଇଏମ୍‌, ସମ୍ବଲପୁର ପକ୍ଷରୁ ପ୍ରଦାନ କରାଯିବ । ଜୈବ-ଅର୍ଥନୀତି ରିପୋର୍ଟ ବିକଶିତ କରିବା, ଏ କ୍ଷେତ୍ରରେ ଥିବା ପ୍ରମୁଖ ଆହ୍ୱାନ ଓ ବିକାଶ ସୁଯୋଗର ମୂଲ୍ୟାୟନ କରି ଏକ ତଥ୍ୟଭିତ୍ତିକ ରିପୋର୍ଟ ପ୍ରସ୍ତୁତ କରାଯିବ । ଏହି ରିପୋର୍ଟ ଭବିଷ୍ୟତର ଜୈବ ଉଦ୍ୟୋଗ, ବିଶେଷ କରି ଜୈବ-ଅର୍ଥନୀତି ଏବଂ ସାଧାରଣ ଭାବେ ଆର୍ଥିକ ଅଭିବୃଦ୍ଧି ଦିଗରେ ଏକ ମାନଦଣ୍ଡ ଭାବେ ଉଭାହେବ ବୋଲି ଉଭୟ ପକ୍ଷ ଆଶାବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି, ବିତ୍ତ ପରାମର୍ଶଦାତା ଶ୍ରୀମତୀ ବିଦୁ୍ୟତପ୍ରଭା ରାଉତ, ଶ୍ରୀମତୀ ଉର୍ମିପ୍ରଭା ମହାରଣା, ଆଇଆଇଏମ୍‌, ସମ୍ବଲପୁରର ଅଧ୍ୟାପକ ଶ୍ରୀ ଆର୍‌.କେ. ପାଢ଼ୀ ଏବଂ ଶ୍ରୀ ସନ୍ଦୀପ ମୁଖୋପାଧ୍ୟାୟଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Thursday, August 7, 2025

ନାଲକୋ ୨୦୨୫-୨୬ ର ପ୍ରଥମ ତ୍ରୈମାସିକ ଫଳାଫଳ: ୭୭% ଅଭିବୃଦ୍ଧି ସହ ୧୦୬୪ କୋଟି ଟଙ୍କାର ନିଟ ଲାଭ

ନାଲକୋ ବୋର୍ଡ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରତି ଇକ୍ସିଟି ସେୟାର ପିଛା ୨.୫୦ ଟଙ୍କା ଚୂଡ଼ାନ୍ତ ଲାଭାଂଶ ସୁପାରିଶ କରିଛି ଯାହାର ପରିମାଣ ୪୫୯.୧୬ କୋଟି ଟଙ୍କା।

ଘରୋଇ ବଜାରରେ ସର୍ବକାଳୀନ ସର୍ବାଧିକ ଆଲୁମିନା ଏବଂ ଆଲୁମିନିୟମ ବିକ୍ରିର ରେକର୍ଡ

ଭୁବନେଶ୍ବର, ୭/୮: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ତଥା ଦେଶର ଅଗ୍ରଣୀ ଆଲୁମିନା ଏବଂ ଆଲୁମିନିୟମ ଉତ୍ପାଦକ ଏବଂ ରପ୍ତାନିକାରୀ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ଼ (ନାଲକୋ) ପକ୍ଷରୁ ଆର୍ଥିକ ବର୍ଷ ୨୦୨୫-୨୬ ର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷିତ ହୋଇଛି। ପ୍ରଥମ ତ୍ରୈମାସିକରେ କମ୍ପାନୀ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା ବେଳେ ଆର୍ଥିକ କ୍ଷେତ୍ରରେ ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ଅଭିବୃଦ୍ଧି ହାସଲ କରିଛି।

ଆଜି ଭୁବନେଶ୍ଵରରେ ଅନୁଷ୍ଠିତ ନିର୍ଦ୍ଦେଶକ ମଣ୍ଡଳୀର ବୈଠକରେ ରେକର୍ଡରେ କରାଯାଇଥିବା ଫଳାଫଳ ଅନୁଯାୟୀ, ନାଲକୋ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଜୁନ୍ ୩୦ ତାରିଖରେ ଶେଷ ହୋଇଥିବା ପ୍ରଥମ ତ୍ରୈମାସିକରେ ୭୭% ଅଭିବୃଦ୍ଧି ସହ ୧୦୬୪ କୋଟି ଟଙ୍କାର ନିଟ୍ ଲାଭ ଅର୍ଜନ କରିଛି, ଯାହା ପୂର୍ବ ବର୍ଷର ସମାନ ତ୍ରୈମାସିକରେ ୬୦୧ କୋଟି ଟଙ୍କା ଥିଲା। ଚଳିତ ତ୍ରୈମାସିକରେ କମ୍ପାନୀ ମଧ୍ୟ ୩୮୦୭ କୋଟି ଟଙ୍କାର ବ୍ୟବସାୟ କରିଛି।

ନାଲକୋ ବୋର୍ଡ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରତି ଇକ୍ୱିଟି ସେୟାର ପିଛା ଟ ୨.୫୦ଙ୍କା ହିସାବରେ ୪୫୯.୧୬ କୋଟି ଟଙ୍କା ଚୂଡ଼ାନ୍ତ ଲାଭାଂଶ ସୁପାରିଶ କରିଛି, ଯାହା ଆଗାମୀ ୪୪ତମ ବାର୍ଷିକ ସାଧାରଣ ବୈଠକରେ ସେୟାରଧାରକମାନଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନା କରାଯିବ। ଏଥିସହ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ଲାଭାଂଶ ପ୍ରଦାନ ପରିମାଣ ୧୯୨୮.୪୬ କୋଟି ଟଙ୍କା ହେବ।

ନାଲକୋ ବୋର୍ଡର ସକ୍ଷମ ମାର୍ଗଦର୍ଶନ ତଥା କର୍ମଚାରୀ, ସହଯୋଗୀ ଏବଂ ଅଂଶୀଦାରମାନଙ୍କ ପ୍ରତିବଦ୍ଧତା ଫଳରେ କମ୍ପାନୀ ପ୍ରଥମ ତ୍ରୈମାସିକର ଉଲ୍ଲେଖନୀୟ ପ୍ରଦର୍ଶନ ହାସଲ କରିଛି ବୋଲି ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି। ଶ୍ରୀ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ, କମ୍ପାନୀର ଦୃଢ଼ ଫଳାଫଳ ମୂଲ୍ୟ-ଦକ୍ଷ କାର୍ଯ୍ୟ, ଅନୁକୂଳ ଘରୋଇ ବ୍ୟବସାୟିକ ପରିବେଶ, ଏବଂ ସାମଗ୍ରିକ ଟେକ୍ନୋ-ଅର୍ଥନୈତିକ ପାରାମିଟରରେ ଉନ୍ନତିର ମିଶ୍ରଣ ଦ୍ବାରା ସମ୍ଭବ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ପ୍ରଦର୍ଶନ ତୁଳନାରେ, ବକ୍ସାଇଟ୍ ପରିବହନରେ ୬.୫୬% ବୃଦ୍ଧି ଘଟିଥିବାବେଳେ ଆଲୁମିନା ହାଇଡ୍ରେଟ୍, କାଲସାଇଣ୍ଡ ଆଲୁମିନା ଏବଂ ଆଲୁମିନିୟମ୍ କାଷ୍ଟ ଧାତୁର ଉତ୍ପାଦନ ଯଥାକ୍ରମେ ୩୫.୫%, ୫୨.୨୫% ଏବଂ ୨.୬୮% ବୃଦ୍ଧି ପାଇଛି।

ସେହିପରି, ବିକ୍ରୟ କ୍ଷେତ୍ରରେ, କମ୍ପାନୀ ବଳିଷ୍ଠ ପ୍ରଦର୍ଶନ ସହ ଆଲୁମିନା ରପ୍ତାନି କ୍ଷେତ୍ରରେ ୨୦୯% ଅଭିବୃଦ୍ଧି ହାସଲ କରିଛି। ଏଥ୍ ସହ ଘରୋଇ ବଜାରରେ ଆଲୁମିନା ଏବଂ ଆଲୁମିନିୟମର ସର୍ବାଧୂକ ଘରୋଇ ବିକ୍ରୟ ରେକର୍ଡ ମଧ୍ଯ ହାସଲ କରିଛି।

ଫଳାଫଳ ସମ୍ବନ୍ଧରେ ନିଜର ମତ ପ୍ରକଟ କରିବା ସହ ଶ୍ରୀ ସିଂହ କହିଛନ୍ତି ଯେ, ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ଉଭା ହେବା ସହି ସହିତ, ଆଲୁ ଲୁମିନିୟମ୍ କ୍ଷେତ୍ର ଗୁରୁତ୍ବପୂର୍ଣ୍ଣ ପ୍ରଗତି ହାସଲ କରୁଛି, ଚାହିଦା ୯ -୧୦% ବୃଦ୍ଧି ପାଇଛି ଏବଂ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ “ପରିବହନ, ନିର୍ମାଣ ଏବଂ ବୈଦ୍ୟୁତିକ କ୍ଷେତ୍ରଗୁଡ଼ିକ ବଡ଼ ଧରଣର ଅଭିବୃଦ୍ଧି ପାଇଁ ପ୍ରସ୍ତୁତ, ଏବଂ ୨୦୩୦ ସୁଦ୍ଧା, ଭାରତରେ ଆଲୁମିନିୟମ୍ ବ୍ୟବହାର ବାର୍ଷିକ ୭.୫ ରୁ ୮ ନିୟୁତ ଟନ୍ ପହଞ୍ଚିବ ବୋଲି ଆକଳନ କରାଯାଇଛି। “ନାଲକୋର ଦୃଢ଼ ତ୍ରୟମାସିକ ଉତ୍କର୍ଷତା ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ, ଏବଂ ଆମେ ଏହି ଗତିକୁ ବଜାୟ ରଖିବା ପାଇଁ ଆଶାବାଦୀ ଅଛୁ,”।

ଉଲ୍ଲେଖନୀୟ ଯେ, ଆଲୁମିନିୟମ ଏବଂ ଆଲୁମିନା ମୂଲ୍ୟ ଶୃଙ୍ଖଳାରେ ସ୍ଥିର ଉନ୍ନତି ସହିତ ନାଲକୋ ନିରନ୍ତର ଭାବରେ ଦୃଢ଼ ବ୍ୟବସାୟିକ ପ୍ରଦର୍ଶନ କରିଆସୁଅଛି। କମ୍ପାନୀ ମଧ୍ୟ ସକ୍ରିୟ ଭାବରେ ଏହାର ଆଲୁମିନା ରିଫାଇନାରୀ ସମ୍ପ୍ରସାରଣକୁ ଆଗକୁ ବଢାଇବା ସହ ପୋଟାଙ୍ଗି ବକ୍ସାଇଟ୍ ଖଣିକୁ କାର୍ଯ୍ୟକ୍ଷମ କରିବା ଦିଗରେ କାର୍ଯ୍ୟ କରୁଛି।

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ହସ୍ତତନ୍ତ ମେଳା “ଏକତା”

ଆମ ହସ୍ତତନ୍ତ ଏକ ଜୀବନ୍ତ କଳା ଯାହା ରାଷ୍ଟ୍ରୀୟ ଓ ଅନ୍ତର୍ଜାତୀୟ ମାର୍କେଟରେ ଓଡ଼ିଶାକୁ ଗୌରବାନ୍ୱିତ କରାଉଛି: ମୁଖ୍ୟମନ୍ତ୍ରୀ

ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର ହେଲେ ମାଧୁରୀ ଦୀକ୍ଷିତ

ଭୁବନେଶ୍ୱର, ୭/୮: ଜାତୀୟ ହସ୍ତତନ୍ତ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜନତା ମୈଦାନ ଠାରେ ଆୟୋଜିତ ହସ୍ତତନ୍ତ ମେଳା “ଏକତା” କୁ ଉଦ୍ଘାଟନ କରି କହିଛନ୍ତି ଯେ ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ। ଆମର ‘ହସ୍ତତନ୍ତ କ୍ଷେତ୍ର’ କେବଳ ଏକ ଆର୍ଥିକ ସ୍ତମ୍ଭ ନୁହେଁ ବରଂ ଏହା ଜାତୀୟ ଗର୍ବ ଓ ଗରିମାର ପ୍ରତୀକ। ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟରୁ ଆରମ୍ଭ କରି ବର୍ତ୍ତମାନର ବିଶ୍ୱ ଫ୍ୟାଶନ୍ ପ୍ଲାଟଫର୍ମ ପର୍ଯ୍ୟନ୍ତ, ଆମର ବୟନ ସର୍ବଦା ଉତ୍କର୍ଷତା, ଆଧ୍ୟାତ୍ମିକତା ଓ ସଂସ୍କୃତିର ଜୟଗାନ କରିଆସିଛି । ହସ୍ତତନ୍ତ ଉନ୍ନୟନ ଯୋଜନା ମାଧ୍ୟମରେ ବୁଣାକାରମାନଙ୍କ ସାମାଜିକ-ଆର୍ଥିକ ଅବସ୍ଥାକୁ ଉନ୍ନତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଏକ ବର୍ଷ ପାଇଁ ଓଡିଶା ହ୍ୟାଣ୍ଡଲୁମର ବ୍ରାଣ୍ଡ ଆମ୍ବାସାଡର ଭାବେ ଅନୁବନ୍ଧିତ କରାଯାଇଛି ବୋଲି ଘୋଷଣା କରିଥିଲେ। ମାଧୁରୀ ଦୀକ୍ଷିତଙ୍କ ସକ୍ରିୟ ସହଯୋଗରେ ଓଡିଶା ହସ୍ତତନ୍ତରୁ ପ୍ରସ୍ତୁତ ପୋଷାକ ଦେଶ ବିଦେଶର ଫେସନ ଜଗତରେ ପ୍ରତିଷ୍ଠା ଅର୍ଜନ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ୩୦ଟି ଜିଲ୍ଲାରେ ୧ ଲକ୍ଷ ୩୦ ହଜାରରୁ ଅଧିକ ବୁଣାକାର ଓ ସହାୟକ ଶ୍ରମିକ ହସ୍ତତନ୍ତ କ୍ଷେତ୍ରରେ ସିଧାସଳଖ ନିୟୋଜିତ ଅଛନ୍ତି । ପ୍ରାଥମିକ ବୁଣାକାର ସମବାୟ ସମିତି, ସ୍ଵୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ଜରିଆରେ ଆମର ବୁଣାକାର ବନ୍ଧୁମାନେ ସଂଗଠିତ ହୋଇ ବୟନ ଐତିହ୍ୟକୁ ବଜାୟ ରଖିବା ପାଇଁ କାର୍ଯ୍ୟ କରିଆସୁଛନ୍ତି । ପୂର୍ବ ଭାରତର ସର୍ବବୃହତ ଓଡିଶା ଟେକ୍ସଟାଇଲ କନକ୍ଲେଭରେ ରାଜ୍ୟରେ ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଠା ପାଇଁ ୭ ହଜାର ୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୩୩ଟି MOU ସ୍ୱାକ୍ଷରିତ ହୋଇଛି ଏବଂ ଏହା ମାଧ୍ୟମରେ ଟେକ୍ସଟାଇଲ କ୍ଷେତ୍ରରେ ୫୩ ହଜାର ୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ଯେ ଭିତ୍ତିଭୂମି ଓ ପ୍ରତିଷ୍ଠାନଗତ ସହାୟତା ଦିଗରେ ଆମ ସରକାର ତତ୍ପର ଅଛନ୍ତି । ଆମେ ବରଗଡ଼, କଟକରେ ଡାଇ ହାଉସ୍, ଗୋଦାମ, ଡିଜାଇନ୍ ଷ୍ଟୁଡିଓ, ଗୁଣବତ୍ତା ନିୟନ୍ତ୍ରଣ ପରୀକ୍ଷାଗାର ଭଳି ସାଧାରଣ ସୁବିଧା ସହିତ ହସ୍ତତନ୍ତ ପାର୍କ ବିକଶିତ କରୁଛୁ। ଉତ୍କର୍ଷତା ଏବଂ ନବସୃଜନ ପାଇଁ ଓଡ଼ିଶାର ୪୦ରୁ ଅଧିକ ମାଷ୍ଟର ବୁଣାକାରଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ୧୨୦ ବର୍ଷ ପୂର୍ବେ ଯେଉଁ ସ୍ଵଦେଶୀ ଆନ୍ଦୋଳନକୁ ଚରିତାର୍ଥ କରିବା ପାଇଁ ଏହା ଆରମ୍ଭ ହୋଇଥିଲା, ଆଜି ମଧ୍ୟ ସମୟ ଆସିଛି ଆମେ ଆମ ବୁଣାକାରଙ୍କୁ ସମ୍ମାନ ଦେବା ଏବଂ ତାଙ୍କ ପ୍ରସ୍ତୁତ ବସ୍ତ୍ର ବ୍ୟବହାର କରିବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଦିବସର ମାସ୍କଟ “ରେଶା” ଏବଂ ହସ୍ତତନ୍ତ ଶିଳ୍ପ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଉନ୍ମୋଚନ କରିଥିଲେ। ତତ୍‌ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟର ହସ୍ତତନ୍ତ ବୁଣାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସୂଚନା ଯୋଗ୍ୟ ଯେ ଏହି ହସ୍ତତନ୍ତ ମେଳା ଆଜିଠାରୁ ଆରମ୍ଭ ହୋଇ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଜନତା ମୈଦାନ ଠାରେ ଚାଲିବ।

କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡର ମାଧୁରୀ ଦୀକ୍ଷିତ କହିଥିଲେ ଯେ ସେ ବୁଣାକାରଙ୍କ ହୃଦୟର ସ୍ପନ୍ଦନକୁ ଅନୁଭବ କରନ୍ତି। ଏହି ଶିଳ୍ପ କେବଳ ବସ୍ତ୍ର ନୁହେଁ ପ୍ରତ୍ୟେକ ଓଡ଼ିଆର ପରିଚୟ ଏବଂ ଏହା ହିଁ ଓଡ଼ିଆ ଅସ୍ମିତା। ହସ୍ତତନ୍ତ କେବଳ ଜୀବିକା ନୁହେଁ, ଏହା ହେଉଛି ଆମ ସଂସ୍କୃତି ଓ ଆମ ଜୀବନଶୈଳୀର ଏକ ଅଭିନ୍ନ ଅଙ୍ଗ ବୋଲି ସେ କହିଥିଲେ।

ଏହି ଅବସରରେ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ତଥା ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ, ଆମ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ, ବୟନ ଶିଳ୍ପର ଗୌରବମୟ ପରମ୍ପରାକୁ ବଜାୟ ରଖି ଏହାକୁ ଏକ ଆଧୁନିକ ବଜାର-ଚାହିଦା ଭିତ୍ତିକ ଉତ୍ପାଦରେ ପରିଣତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଶ୍ରମିକ ସମ୍ମାନ ଯୋଜନା, ହସ୍ତତନ୍ତ ଶିଳ୍ପୀ ସଂପ୍ରସାରଣ ନୀତି, ଏବଂ ବିଭିନ୍ନ ଶିଳ୍ପ ମେଳା ଓ ଅନୁଦାନ ଯୋଜନା ମାଧ୍ୟମରେ ହସ୍ତତନ୍ତ ଶିଳ୍ପୀଙ୍କ ଉନ୍ନତି ସୁନିଶ୍ଚିତ କରାଯାଇଛି। ରାଜ୍ୟର ନୂଆ ପିଢିକୁ ଆହ୍ୱାନ ଦେଇ ସେ କହିଥିଲେ ଯେ- ଆମ ଓଡ଼ିଶାର ହସ୍ତତନ୍ତ ପୋଷାକ ପିନ୍ଧନ୍ତୁ, ଶିଳ୍ପୀଙ୍କୁ ସମ୍ମାନ କରନ୍ତୁ, ସ୍ୱଦେଶୀ ଉତ୍ପାଦନକୁ ଗ୍ରହଣ କରନ୍ତୁ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଉପସ୍ଥିତ ଥିଲେ। ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ନିର୍ଦ୍ଦେଶକ ପ୍ରେମ ଚାନ୍ଦ ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ରାହୁଲ ଗାନ୍ଧୀ ବନାମ ନିର୍ବାଚନ କମିଶନ

ରାହୁଲ ଆଣିଲେ ଅଭିଯୋଗ, ପ୍ରମାଣ ମାଗିଲେ ଇସିଆଇ

ନୂଆଦିଲ୍ଲୀ, ୭/୮: ଗୁରୁବାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛନ୍ତି। ମହାରାଷ୍ଟ୍ରର ନିର୍ବାଚନ ତଥ୍ୟ ଦେଖାଇ ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ବିଧାନସଭା ନିର୍ବାଚନରେ ଜାଲିଆତି ହୋଇଛି ଏବଂ ରହସ୍ୟମୟ ଭାବରେ ୪୦ ଲକ୍ଷ ଭୋଟ ଯୋଡାଯାଇଛି। ଏହାକୁ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଜବାବ ଦେଇଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ ରାହୁଲ ଲିଖିତ ଭାବରେ ଏକ ଦସ୍ତଖତ ଥିବା ଶପଥ ପାଠ ସହିତ ଅଭିଯୋଗ ଦିଅନ୍ତୁ ନଚେତ୍ ସେ ଭାରତର ଲୋକମାନଙ୍କୁ ଭ୍ରମିତ କରନ୍ତୁ ନାହିଁ ଏବଂ ନିର୍ବାଚନ କମିଶନଙ୍କ ବିରୁଦ୍ଧରେ ଭିତ୍ତିହୀନ ଅଭିଯୋଗ କରିବା ବନ୍ଦ କରନ୍ତୁ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଅନିୟମିତତାର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ମହାରାଷ୍ଟ୍ରରେ ୫ ମାସ ମଧ୍ୟରେ ଲକ୍ଷ ଲକ୍ଷ ଭୋଟରଙ୍କ ନାମ ତାଲିକାରେ ଯୋଡାଯାଇଛି, ଯାହା ବହୁତ ଚିନ୍ତାଜନକ। ନୂତନ ଭୋଟରଙ୍କ ଯୋଡା ହେବା ଆମର ସନ୍ଦେହକୁ ଆହୁରି ବଢାଇଥିଲା ଏବଂ ତା’ପରେ ସନ୍ଧ୍ୟା ୫ଟା ପରେ ମତଦାନରେ ଏକ ବିରାଟ ବୃଦ୍ଧି ଦେଖାଯାଇଥିଲା। ଲୋକସଭା ନିର୍ବାଚନରେ ଆମର ମେଣ୍ଟ ଏକ ଚମତ୍କାର ବିଜୟ ହାସଲ କରିଥିଲା, କିନ୍ତୁ ବିଧାନସଭା ନିର୍ବାଚନରେ ଆମର ମେଣ୍ଟ ସମ୍ପୂର୍ଣ୍ଣ ପରାଜୟର ସମ୍ମୁଖୀନ ହୋଇଥିଲା, ଯାହା ବହୁତ ସନ୍ଦେହଜନକ।’

ସେ କହିଛନ୍ତି, ‘ଆମର ବିଶ୍ଳେଷଣରୁ ଜଣାପଡିଛି ଯେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ମଧ୍ୟରେ ଏକ କୋଟି ନୂତନ ଭୋଟର ଯୋଡି ହୋଇଛନ୍ତି। ଆମେ ଏହି ପ୍ରସଙ୍ଗକୁ ନିର୍ବାଚନ କମିଶନଙ୍କ ସମ୍ମୁଖରେ ଉଠାଇଥିଲୁ ଏବଂ ମହାରାଷ୍ଟ୍ର ନିର୍ବାଚନ ଚୋରି ହୋଇଯାଇଛି ବୋଲି କହିଥିଲୁ।’ ରାହୁଲ ଅଭିଯୋଗ କରିଥିଲେ ଯେ ଭୋଟର ତାଲିକା ଏହି ଦେଶର ସମ୍ପତ୍ତି, କିନ୍ତୁ ନିର୍ବାଚନ କମିଶନ ଏହାକୁ ଦେବାକୁ ମନା କରିଦେଇଥିଲେ। ଏହା ସହିତ, କମିଶନ ସିସିଟିଭି ଫୁଟେଜ୍ ନଷ୍ଟ କରିବା ବିଷୟରେ କହିଥିଲେ, ଯାହା ଆଶ୍ଚର୍ଯ୍ୟଜନକ ଥିଲା। ସନ୍ଧ୍ୟା ୫ଟା ୩୦ ପରେ ମହାରାଷ୍ଟ୍ରରେ ଅଧିକ ଭୋଟିଂ ହୋଇଥିବାର କୁହାଯାଉଥିଲା, କିନ୍ତୁ ଆମର ଲୋକମାନେ କହିଥିଲେ ଯେ ମତଦାନ କେନ୍ଦ୍ରରେ ଏତେ ମାତ୍ରାରେ ଭୋଟିଂ ହୋଇନାହିଁ। ଏହି ଦୁଇଟି ଜିନିଷ ଆମକୁ ନିଶ୍ଚିତ କରିଛି ଯେ ନିର୍ବାଚନ କମିଶନ ବିଜେପି ସହିତ ମିଶି ଭୋଟ୍ ଚୋରି କରୁଛି।

ନୃଶଂସତା: ଦୁଇ ଦିନରେ ୨୫ କୁକୁରଙ୍କୁ ଗୁଳି କରି ହତ୍ୟାଦୁଇ ଯୁବକଙ୍କ ନାରକୀୟ କାଣ୍ଡ

ଦୁଇ ଯୁବକଙ୍କ ନାରକୀୟ କାଣ୍ଡ

ଜୟପୁର, ୭/୮: ରାଜସ୍ଥାନର ଝୁନଝୁନୁ ଜିଲ୍ଲାର କୁମାବାସ ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି। ଦୁଇ ଦିନରେ ଜଣେ ବ୍ୟକ୍ତି ୨୫ଟି କୁକୁରଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଗଷ୍ଟ ୨ ଏବଂ ୩ ତାରିଖରେ ଜଣେ ବ୍ୟକ୍ତି ମାତ୍ର ଦୁଇ ଦିନରେ ୨୫ ରୁ ଅଧିକ କୁକୁରଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ବ୍ୟାପକ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି।

ଅଭିଯୁକ୍ତ‌ ଜଣକ ହେଉଛି ଡୁମରାର ବାସିନ୍ଦା ଶେଓଚାନ୍ଦ ବାଭାରିଆ। ସେ ଖୋଲାଖୋଲି ଭାବରେ ଗାଁରେ ରାଇଫଲ୍ ଧରି ବୁଲୁଥିଲେ ଏବଂ ବୁଲା କୁକୁରମାନଙ୍କୁ ଦେଖିବା ମାତ୍ରେ ଗୁଳି କରୁଥିଲେ। ଗାଁର ରାସ୍ତା ଏବଂ କ୍ଷେତରେ ରକ୍ତାକ୍ତ କୁକୁରଙ୍କ ମୃତଦେହ ବିଛାଇ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଏହା ପଶୁପ୍ରେମୀଙ୍କ ମନକୁ ଅତ୍ୟନ୍ତ ବ୍ୟଥିତ କରିଛି। ଭିଡ଼ିଓରେ ଦେଖାଯାଇଛି, କୁକୁରମାନେ ନିଜ ଜୀବନ ବଞ୍ଚାଇବାକୁ ଇଆଡେ ସିଆଡେ ଦୌଡ଼ୁଛନ୍ତି।

ଭିଡିଓ ଫୁଟେଜରେ ଦୁଇଜଣ ବ୍ୟକ୍ତି ଏକ ମୋଟରସାଇକେଲରେ ରାଇଫଲ୍ ଧରି ବୁଲା କୁକୁରଙ୍କ ପିଛା କରୁଛନ୍ତି ଏବଂ ଗୁଳି ଚଳାଇ ସେମାନଙ୍କର ରକ୍ତାକ୍ତ ମୃତଦେହକୁ ଗାଁ ରାସ୍ତା ଏବଂ କ୍ଷେତରେ ଫିଙ୍ଗୁଛନ୍ତି। ଅନ୍ୟ ଜଣେ ତୃତୀୟ ବ୍ୟକ୍ତି, ଏକ ଅଲଗା ମୋଟରସାଇକେଲରେ ଦୁଇ ଜଣଙ୍କୁ ପିଛା କରି ଘଟଣାର ଭିଡ଼ିଓ ରେକର୍ଡିଂ କରୁଛନ୍ତି। ତେବେ ସେ ଏହି ବ୍ୟକ୍ତି ଅପରାଧରେ ସମ୍ପୃକ୍ତ ଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପୋଲିସ ଅଧିକ୍ଷକ ବ୍ରିଜେଶ ଜ୍ୟୋତି ଉପାଧ୍ୟାୟ ନିଶ୍ଚିତ କରିଛନ୍ତି ଯେ ଭିଡିଓଟି ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଅଗଷ୍ଟ ୪ ତାରିଖରେ ତଦନ୍ତ ଆରମ୍ଭ କରାଯାଇଥିଲା। ଭାରତୀୟ ଦଣ୍ଡ ସଂହିତା ଏବଂ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ବାଭାରିଆ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଫେରାର ଥିବା ବେଳେ, ପୋଲିସ ତାର ଗିରଫଦାରୀ ପାଇଁ ପ୍ରୟାସ କରୁଛି।

ପଶୁପ୍ରେମୀ ଏବଂ ଗ୍ରାମବାସୀମାନେ ଏହି ବର୍ବର କାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୋଲିସ ଶୀଘ୍ର ଗିରଫଦାରୀ ପାଇଁ ପ୍ରତିଶ୍ରୁତି ଦେଇଛି। ଅଞ୍ଚଳର କିଛି ସଚେତନ ଲୋକ ମଧ୍ୟ ଏହି ସମ୍ପୂର୍ଣ୍ଣ ଘଟଣା ବିଷୟରେ କେନ୍ଦ୍ର ସରକାର ଏବଂ ଉଚ୍ଚପଦସ୍ଥ ଅଧିକାରୀ ଏବଂ ମନ୍ତ୍ରୀମାନଙ୍କୁ ଅବଗତ କରାଇଛନ୍ତି।

ବର୍ଣ୍ଣ ବୈଷମ୍ୟ ଓ ଜାତିଆଣା: ୬ ବର୍ଷର ଝିଅକୁ ଚୁଟି ଟାଣି ମାରିଲେ

ଭାରତ ଫେରିଯିବାକୁ ଧମକ ଦେଲେ

ଆୟାରଲ୍ୟାଣ୍ଡ, ୭/୮: ଆୟାରଲ୍ୟାଣ୍ଡର ୱାଟରଫୋର୍ଡରେ ଜଣେ ଛଅ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଝିଅଙ୍କୁ ଆକ୍ରମଣ କରିଛନ୍ତି ଆୟାରଲ୍ୟାଣ୍ଡର କିଛି ନାଗରିକ। ଏହି ନାଗରିକ ମାନେ ହେଉଛନ୍ତି ମାତ୍ର ୮ରୁ ୧୦ ବର୍ଷ ବୟସର। ଏହି ପିଲାମାନେ ଛୋଟ ଝିଅଙ୍କୁ ମୁଥା ମାରିଥିଲେ, ତାଙ୍କ ଗୁପ୍ତାଙ୍ଗକୁ ସାଇକେଲରେ ଆଘାତ କରିଥିଲେ ଏବଂ ଜାତିଭେଦପୂର୍ଣ୍ଣ ଗାଳି ଦେଇ ତାଙ୍କୁ “ଭାରତ ଫେରିଯାଅ” ବୋଲି କହିଥିଲେ।

ସୂଚନା ଅନୁଯାୟୀ, ତାଙ୍କ ମାଆ ଜଣେ ନର୍ସ ଓ ସେ ନିକଟରେ ହିଁ ଆୟରଲ୍ୟାଣ୍ଡ ନାଗରିକତା ପାଇଛନ୍ତି। ସେ କହିଛନ୍ତି ଯେ ପିଲାଟି ଏବେ ବାହାରେ ଖେଳିବାକୁ ଭୟ କରୁଛି ଏବଂ ପରିବାର ମଧ୍ଯ ଅସୁରକ୍ଷିତ ଅନୁଭବ କରୁଛନ୍ତି।

ଅଗଷ୍ଟ ୪ ତାରିଖ ସୋମବାର ସନ୍ଧ୍ୟାରେ ସେ ତାଙ୍କ ବନ୍ଧୁମାନଙ୍କ ସହିତ ତାଙ୍କ ଘର ବାହାରେ ଖେଳୁଥିବା ସମୟରେ ଏହି ଆକ୍ରମଣ ଘଟିଥିଲା। ଆକ୍ରମଣ କରିଥିବା ଏହି ଗ୍ୟାଙ୍ଗରେ ପ୍ରାୟ ଆଠ ବର୍ଷର ଏକ ଝିଅ ଏବଂ ୧୨ ରୁ ୧୪ ବର୍ଷର ଏକାଧିକ ପୁଅ ଥିଲେ।

ଏହା ଆୟରଲ୍ୟାଣ୍ଡରେ ପ୍ରଥମ ମାମଲା ନୁହେଁ। ଭାରତୀୟ ବଂଶୋଦ୍ଭବଙ୍କ ଉପରେ ପୂର୍ବରୁ ମଧ୍ୟ ଆକ୍ରମଣ ହୋଇଛି। ଆୟରଲ୍ୟାଣ୍ଡରେ ଭାରତୀୟମାନଙ୍କ ବିରୁଦ୍ଧରେ ଜାତିଭେଦ ଆକ୍ରମଣ ବୃଦ୍ଧି ପାଇବା ଦ୍ୱାରା ସୁରକ୍ଷା ଚିନ୍ତାକୁ ବୃଦ୍ଧି କରିଛି।

ବଦଳିଲେ ପଟ୍ଟାମୁଣ୍ଡାଇ ASI ଶୈଳେନ୍ଦ୍ର ପଲେଇ

ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର

କେନ୍ଦ୍ରାପଡା, ୭/୮: ପଟ୍ଟାମୁଣ୍ଡାଇରେ ଯୁବତୀ ଆତ୍ମଦାହ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏସଆଇ ଶୈଳେନ୍ଦ୍ର ପଲେଇଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି କେନ୍ଦ୍ରାପଡ଼ା ଏସପି। ଯୁବତୀଙ୍କ ବାପା ଏସଆଇ ପଲେଇଙ୍କ ନାଁରେ ଅଭିଯୋଗ ଆଣିଥିଲେ। ତାଙ୍କ ଝିଅ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପଲେଇ ବାବୁ ଅଭିଯୋଗ ରଖିନଥିଲେ ଏବଂ ଅତି ହାଲୁକାର ସହ ଘଟଣାକୁ ନେଇଥିଲେ ବୋଲି ଅଭିଯୋଗ କରିଛନ୍ତି। ଯୁବତୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ, ଗତ କାଲି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଠିଆପଡ଼ା ଗାଁର ଯୁକ୍ତ ୩ ଶେଷ ବର୍ଷର ଜଣେ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ଭାଇରାଲ କରିବା ପାଇଁ ବ୍ଲାକମେଲ କରୁଥିଲେ। ଯାହା ପରେ ସେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ ବୋଲି ଯୁବତୀଙ୍କ ବାପା ଅଭିଯୋଗ ଆଣିଥିଲେ। ଏହି ଘଟଣା ୮ ମାସ ଧରି ଘଟିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।

ଓଏସଇଏଫଡ଼ି ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ବାଚସ୍ପତି ସୁରମା ପାଢ଼ୀଙ୍କୁ ସାକ୍ଷାତ

ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ଆଲୋଚ଼ନା

ଭୁବନେଶ୍ୱର, ୭/୮: ଆଜି ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଓଏସଇଏଫଡ଼ି ନୟାଗଡ଼ ଜିଲ୍ଲା ଶାଖାର ସଭାପତି ତୃପ୍ତିମୟୀ ପ୍ରଧାନ,ସମ୍ପାଦିକା ଶୁଭସ୍ମିତା ମିଶ୍ର, ରାଜ୍ୟ କୋଷାଧ୍ୟକ୍ଷ ଅଭିଷେକ ଆଚ଼ାର୍ଯ୍ୟ, କାର୍ଯ୍ୟକାରିଣୀ ସଦସ୍ୟ ହିତେଶ କୁମାର ମହନ୍ତ ପ୍ରମୁଖ ବାଚସ୍ପତିଙ୍କ ବାସଭବନରେ ସାକ୍ଷାତ କରି ଓଡ଼ିଶାର ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ଆଲୋଚ଼ନା କରିବା ସହ ଅଧିକ ପୋଷ୍ଟ ଓ ସ୍ଥାୟୀ ନିଯୁକ୍ତି ନିମନ୍ତେ ବିଶଦ ଆଲୋଚନା କରିଥିଲେ। ସୂଚନାଥାଉକି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ପ୍ରତ୍ୟେକ କ୍ଲଷ୍ଟରରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେବେ,୨୦୨୫-୨୦୨୭ ଶିକ୍ଷାବର୍ଷ ମଧ୍ୟରେ ୪୧୬୦ ପୋଷ୍ଟ ନିଯୁକ୍ତି ଦିଆଯିବା। କିନ୍ତୁ ସୁପ୍ରିମକୋର୍ଟଙ୍କ ସାରଣୀ ଅନୁସାରେ ଓଡିଶାକୁ ପ୍ରାରମ୍ଭିକ ସ୍ତରରେ ୧୨୨୬୮ ସ୍ଥାୟୀ ପଦବୀର ଆବଶ୍ୟକତା ଅଛି | ସଂଘର ଦାବି ରହିଛି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏକାକାଳୀନ ସମସ୍ତ ପଦ ପୂରଣ କରାଗଲେ ନୟାଗଡ଼ ଜିଲ୍ଲା ତଥା ଓଡିଶାର ସମସ୍ତ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଉତ୍ତମ ଶିକ୍ଷା ପାଇପାରିବେ। ଏହାକୁ ମାନନୀୟା ବାଚସ୍ପତି ଶ୍ରୀମତୀ ପାଢ଼ୀ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରିବା ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ଆଜି ଜାତୀୟ ହସ୍ତତନ୍ତ ଦିବସ

ଅଧିକ ଜାଣିବା ପାଇଁ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’

ଆଜିର ତାରିଖ ୭ ଅଗଷ୍ଟ ୨୦୨୫

ଜାତୀୟ ହସ୍ତତନ୍ତ ଦିବସ:- ହସ୍ତତନ୍ତ କ୍ଷେତ୍ର ଆମ ଦେଶର ସମୃଦ୍ଧ ଏବଂ ବିବିଧ ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଆମ ଦେଶର ଗ୍ରାମୀଣ ଏବଂ ଅର୍ଦ୍ଧ-ଗ୍ରାମାଞ୍ଚଳରେ ଜୀବିକା ନିର୍ବାହର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଏହା ଏପରି ଏକ କ୍ଷେତ୍ର ଯାହା ମହିଳା ସଶକ୍ତିକରଣକୁ ସିଧାସଳଖ ପ୍ରୋତ୍ସାହିତ କରେ। ସମସ୍ତ ବୁଣାକାର ଏବଂ ସହଯୋଗୀ ଶ୍ରମିକଙ୍କ ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ ମହିଳା।

୭ ଅଗଷ୍ଟ, ୧୯୦୫ରେ ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନ ସ୍ୱଦେଶୀ ଶିଳ୍ପ ଏବଂ ବିଶେଷକରି ହସ୍ତତନ୍ତ ବୁଣାକାରମାନଙ୍କୁ ଉତ୍ସାହିତ କରିଥିଲା। ୨୦୧୫ରେ ଭାରତ ସରକାର ପ୍ରତିବର୍ଷ ୭ ଅଗଷ୍ଟକୁ ଜାତୀୟ ହସ୍ତତନ୍ତ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଜାତୀୟ ହସ୍ତତନ୍ତ ଦିବସ ୭ ଅଗଷ୍ଟ ୨୦୧୫ରେ ଚେନ୍ନାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା। ହସ୍ତତନ୍ତ ଏବଂ ବୁଣାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ଅବନୀନ୍ଦ୍ରନାଥ ଟାଗୋର (୭ ଅଗଷ୍ଟ ୧୮୭୧ – ୫ ଡିସେମ୍ବର ୧୯୫୧) “ଇଣ୍ଡିଆନ୍ ସୋସାଇଟି ଅଫ୍ ଓରିଏଣ୍ଟାଲ୍ ଆର୍ଟ”ର ପ୍ରତିଷ୍ଠାତା ଏବଂ ପ୍ରମୁଖ କଳାକାର ଥିଲେ। ସେ ବଙ୍ଗଳା କଳା ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ, ଯାହା ଆଧୁନିକ ଭାରତୀୟ ଚିତ୍ରକଳା ବିକାଶରେ ଅବଦାନ ରଖିଥିଲା। ସେ ବ୍ରିଟିଶ ଭାରତର କଲିକତାର ଜୋରାସାଙ୍କୋରେ ଗୁଣେନ୍ଦ୍ରନାଥ ଟାଗୋର ଏବଂ ସୌଦାମିନୀ ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଗିରୀନ୍ଦ୍ରନାଥ ଟାଗୋର ଥିଲେ, ଯିଏ “ରାଜକୁମାର୍” ଦ୍ୱାରକାନାଥ ଟାଗୋରଙ୍କ ଦ୍ୱିତୀୟ ପୁତ୍ର ଥିଲେ। ଟାଗୋର ପରିବାରର ଜଣେ ସଦସ୍ୟ। ସେ କବି ରବିନ୍ଦ୍ରନାଥ ଟାଗୋରଙ୍କ ଭଣଜା ଥିଲେ। ତାଙ୍କ ବଡ଼ ଭାଇ ଗଗନେନ୍ଦ୍ରନାଥ ଟାଗୋର ମଧ୍ୟ ଜଣେ କଳାକାର ଥିଲେ।

୨. ମାନକୋମ୍ବୁ ସାମ୍ବାସିଭାନ ସ୍ୱାମୀନାଥନ (୭ ଅଗଷ୍ଟ ୧୯୨୫), ଜଣେ ଭାରତୀୟ କୃଷିବିଜ୍ଞାନୀ, ଉଦ୍ଭିଦ ଜେନେଟିସିଷ୍ଟ, ପ୍ରଶାସକ ଏବଂ ମାନବବାଦୀ। ସବୁଜ ବିପ୍ଳବରେ, ସ୍ୱାମୀନାଥନଙ୍କୁ ବିଶ୍ୱ ନେତା ଭାବରେ ବିବେଚନା କରାଯାଏ।  ଭାରତରେ ଉଚ୍ଚ ଅମଳକ୍ଷମ ଗହମ ଏବଂ ଧାନ କିସମ ପ୍ରଚଳନ ଏବଂ ଆହୁରି ବିକାଶ କରିବାରେ ତାଙ୍କର ଭୂମିକା ପାଇଁ, ତାଙ୍କୁ ସବୁଜ ବିପ୍ଳବର ପ୍ରମୁଖ ସ୍ଥପତି ବୋଲି କୁହାଯାଏ। ଫିଲିପାଇନ୍ସରେ ଆନ୍ତର୍ଜାତୀୟ ଚାଉଳ ଗବେଷଣା ପ୍ରତିଷ୍ଠାନ (IRRI)ର ମହାନିର୍ଦ୍ଦେଶକ ଭାବରେ ତାଙ୍କର ନେତୃତ୍ୱ ଯୋଗୁଁ ତାଙ୍କୁ ୧୯୮୭ ମସିହାରେ ପ୍ରଥମ ବିଶ୍ୱ ଖାଦ୍ୟ ପୁରସ୍କାର, ନୋବେଲ ପୁରସ୍କାର ମିଳିଥିଲା। ତାଙ୍କୁ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ଦ୍ୱାରା ‘ଅର୍ଥନୈତିକ ପରିବେଶର ଜନକ’ ଭାବରେ ସମ୍ବୋଧିତ କରାଯାଇଛି।

୩. ସୁରେଶ ଈଶ୍ୱର (୭ ଅଗଷ୍ଟ ୧୯୫୫), ୱାଡକର ଜଣେ ଭାରତୀୟ ପ୍ଲେବ୍ୟାକ୍ ଗାୟକ। ସେ ହିନ୍ଦୀ ଏବଂ ମରାଠୀ ଉଭୟ ଚଳଚ୍ଚିତ୍ରରେ ଅଭିନୟ କରନ୍ତି। ସେ କିଛି ଭୋଜପୁରୀ ଚଳଚ୍ଚିତ୍ର, ଓଡ଼ିଆ ଗୀତ ଗୀତ ଗାଇଛନ୍ତି। ତାଙ୍କୁ ୨୦୧୮ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୨୦ ମସିହାରେ, ଭାରତ ସରକାର ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ।

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ରବୀନ୍ଦ୍ରନାଥ ଟାଗୋର (୭ ମଇ ୧୮୬୧ – ୭ ଅଗଷ୍ଟ ୧୯୪୧) ଜଣେ ବଙ୍ଗାଳୀ କବି, ଲେଖକ, ନାଟ୍ୟକାର, ସଂଗୀତଜ୍ଞ, ଦାର୍ଶନିକ, ସମାଜ ସଂସ୍କାରକ ଏବଂ ଚିତ୍ରକର ଥିଲେ। ସେ କେବଳ ଭାରତ ଏବଂ ବାଂଲାଦେଶ ଦୁଇଟି ଦେଶ ପାଇଁ ଜାତୀୟ ସଙ୍ଗୀତ ପ୍ରଦାନ କରିନଥିଲେ ବରଂ ତାଙ୍କର ଜଣେ ଛାତ୍ରଙ୍କୁ ଶ୍ରୀଲଙ୍କାର ଜାତୀୟ ସଙ୍ଗୀତ ଲେଖିବା ଏବଂ ରଚନା କରିବା ପାଇଁ ପ୍ରେରଣା ଦେଇଥିଲେ।

୨. ଏମ କରୁଣାନିଧି (୩ ଜୁନ୍ ୧୯୨୪ – ୭ ଅଗଷ୍ଟ ୨୦୧୮) ଜଣେ ଭାରତୀୟ ଲେଖକ ଏବଂ ରାଜନେତା ଥିଲେ ଯିଏ ୧୯୬୯ ରୁ ୨୦୧୧ ମଧ୍ୟରେ ପାଞ୍ଚ ଥର ପାଇଁ ପ୍ରାୟ ଦୁଇ ଦଶନ୍ଧି ଧରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ସର୍ବାଧିକ କାର୍ଯ୍ୟକାଳ ଥିଲା ୬,୮୬୩ ଦିନ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ତାମିଲ ଚଳଚ୍ଚିତ୍ର ଶିଳ୍ପରେ ଜଣେ ଚିତ୍ରନାଟ୍ୟ ଲେଖକ ଭାବରେ କାର୍ଯ୍ୟ କରିଥିଲେ।


ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୯୦୫: ସ୍ୱଦେଶୀ ଆନ୍ଦୋଳନ, ଏକ ଗୁରୁତ୍ୱପୂର୍ଣ୍ଣ ବ୍ରିଟିଶ ବିରୋଧୀ ଆନ୍ଦୋଳନ, ଭାରତରେ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା।

୧୯୦୫ – ଭାରତୀୟ ଜାତୀୟ କଂଗ୍ରେସ ବ୍ରିଟିଶ ସାମଗ୍ରୀ ବର୍ଜନ କରିବା ପାଇଁ ଘୋଷଣା କରିଥିଲା।

୧୯୪୭ – ବମ୍ବେ ମ୍ୟୁନିସିପାଲ୍ କର୍ପୋରେସନ୍ ଆନୁଷ୍ଠାନିକ ଭାବରେ ବମ୍ବେ ଇଲେକ୍ଟ୍ରିକ୍ ସପ୍ଲାଏ ଆଣ୍ଡ୍ ଟ୍ରାନ୍ସପୋର୍ଟ (BEST) କୁ ଗ୍ରହଣ କଲା।

୧୯୪୭ – ହାଇଦ୍ରାବାଦ ରାଜ୍ୟ କଂଗ୍ରେସ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କଲା।

୧୯୪୭ – ମହମ୍ମଦ ଅଲି ଜିନ୍ନା ଭାରତ ଛାଡିଥିଲେ।

୧୯୮୫ – ଗୀତ୍ ସେଠି ବିଶ୍ୱର ଆର୍ମେଚର ବିଲିଆର୍ଡସ୍ ଚାମ୍ପିଅନ୍ ହେବାରେ ତୃତୀୟ ଭାରତୀୟ ହୋଇଥିଲେ।

୨୦୧୮ – ସ୍ୱିଡିସ୍ ଫର୍ଣ୍ଣିଚର ବ୍ରାଣ୍ଡ୍ Ikea ହାଇଦ୍ରାବାଦରେ ଭାରତରେ ଏହାର ପ୍ରଥମ ଷ୍ଟୋର ଖୋଲିଥିଲା।

୨୦୨୪ – ଭାରତର ଐତିହାସିକ ଜାଭେଲିନ୍ ସଫଳତାକୁ ମନେ ପକାଇବା ପାଇଁ ଭାରତରେ ଜାତୀୟ ଜାଭେଲିନ୍ ଦିବସ ପାଳନ କରାଯାଏ।

ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ

୩ ଥର ଖଣ୍ଡପଡ଼ାରୁ ବିଧାୟକ ଥିଲେ

ଭୁବନେଶ୍ୱର, ୭/୮: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ ଘଟିଛି। ଖଣ୍ଡପଡ଼ାଗଡ଼ର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିବାର ସୂଚନା ମିଳିଛି। ହୃଦଜନିତ ସମସ୍ୟା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବୁଧବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।

ସେ ୧୯୮୦, ୧୯୮୫ ଏବଂ ୧୯୯୫ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୩ ଥର ଖଣ୍ଡପଡ଼ା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଉପବାଚସ୍ପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇ ଥିଲେ। କଂଗ୍ରେସ ଦଳ ସହ ଦୀର୍ଘ ବର୍ଷ ଧରି ଜଡ଼ିତ ଥିଲେ।

ଟ୍ରମ୍ପଙ୍କ ଅତିରିକ୍ତ ଟାରିଫ ଘୋଷଣା; ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଲା ଭାରତ

ଭାରତ ଉପରେ ଟାରିଫ ‘ଅନ୍ୟାୟ, ଅନୁଚିତ ଓ ଅଯୌକ୍ତିକ’: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୬/୮: ରୁଷୀୟ ତୈଳ କିଣିବା ନେଇ ଭାରତୀୟ ସାମଗ୍ରୀ ଆମଦାନୀ ଉପରେ ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିବା ପରେ ପ୍ରତିକ୍ରିୟା ରଖିଛି ଭାରତ। ଭାରତ ଏହାକୁ “ଅନ୍ୟାୟ, ଅନୁଚିତ ଏବଂ ଅଯୌକ୍ତିକ” ବୋଲି କହିଛି। ଭାରତ କହିଛି ଯେ ତାର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଯାହା ସମ୍ଭବ ସେ ତାହା କରିବ ଏବଂ ସାମଗ୍ରିକ ଶୁଳ୍କକୁ ୫୦ ପ୍ରତିଶତ ବୃଦ୍ଧି କରିବା ପାଇଁ ଆମେରିକାର ପଦକ୍ଷେପ “ଅତ୍ୟନ୍ତ ଦୁର୍ଭାଗ୍ୟଜନକ” ବୋଲି କହିଛି।

ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ରୁଷରୁ ତୈଳ କ୍ରୟ ଉପରେ ଜରିମାନା ପାଇଁ ଚେତାବନୀ ଦେବା ପରେ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ବାଣିଜ୍ୟ ଶୁଳ୍କ ଘୋଷଣା କରିଥିଲେ। ଯାହା ପରେ ମୋଟ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ହୋଇଥିଲା। ଟ୍ରମ୍ପଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ଆଦେଶ ଅନୁଯାୟୀ, ଅତିରିକ୍ତ ଶୁଳ୍କ ଆଜିଠାରୁ ୨୧ ଦିନ ପରେ ଲାଗୁ ହେବ, ଯାହା ୨୭ ଅଗଷ୍ଟରୁ କାର୍ଯ୍ୟକାରୀ ହେବ

ବୈଦେଶିକ ମନ୍ତ୍ରଣାଳୟ କହିଛି, “ଆମେରିକା ଗତ କିଛି ଦିନ ମଧ୍ୟରେ ରୁଷରୁ ଭାରତ ତୈଳ ଆମଦାନୀ କରୁଥିବାରୁ ଟାର୍ଗେଟ କରିଛି। ଆମେ ଏହା ଉପରେ ଆମର ପକ୍ଷ ସ୍ପଷ୍ଟ କରିସାରିଛୁ। ଆମର ଆମଦାନୀ ବଜାର ସୁଲଭ ଅଟେ ଏବଂ ଭାରତର ୧୪୨ କୋଟି ଲୋକଙ୍କ ଶକ୍ତି ସୁରକ୍ଷା ଉଦ୍ଦେଶ୍ୟରେ ଆମେ ଏହା କରୁଛୁ। ତେଣୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଆମେରିକା ଭାରତ ଉପରେ ଅତିରିକ୍ତ ଶୁଳ୍କ ଲଗାଇଛି। ଯାହାକି ଅନେକ ଦେଶ ମଧ୍ୟ ନିଜ ଜାତୀୟ ସ୍ୱାର୍ଥ ପାଇଁ ରୁଷରୁ ତୈଳ ନେଉଛନ୍ତି। ତେଣୁ ଆମେରିକା ର ଏପରି କାର୍ଯ୍ୟ ଅନ୍ୟାୟ, ଅନୁଚିତ ଓ ଅଯୌକ୍ତିକ। ଭାରତ ତା’ର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବ।”

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ସମୟରେ ଟ୍ରମ୍ପ ପ୍ରଥମେ ଭାରତ ଉପରେ ରେସିପ୍ରୋକାଲ ବା ଯେସାକୁ ତେସା ଶୁଳ୍କ ଘୋଷଣା କରିଥିଲେ। ଏପ୍ରିଲରେ କାର୍ଯ୍ୟକାରୀ ହେବାକୁ ଥିବା ଶୁଳ୍କକୁ ଟ୍ରମ୍ପ ପ୍ରଶାସନ ୯୦ ଦିନ ପାଇଁ ସ୍ଥଗିତ ରଖିଥିଲା। ତଥାପି, ଟ୍ରମ୍ପ ଭାରତୀୟ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଥିଲେ ଏବଂ ଲାଗୁ କରିଥିଲେ। ତେବେ ବୁଧବାର ଆଉ ୨୫ ପ୍ରତିଶତ ଟାରିଫ ଅଧିକ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି।

ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ୨୫% ଟାରିଫ ଲଗେଇଲେ ଟ୍ରମ୍ପ

ଆମେରିକାର ଡବଲ ଟାରିଫ ମାଡ଼

ନୂଆଦିଲ୍ଲୀ, ୬/୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦିନ ଭାରତ ଉପରେ ପୁଣି ୨୫ ପ୍ରତିଶତ ଅତିରିକ୍ତ ଟାରିଫ ଲଗେଇଛନ୍ତି। ଭାରତ ରୁଷୀୟ ତୈଳ କିଣିବା ଜାରି ରଖିଥିବାରୁ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରିଛନ୍ତି। ଏହି ନୂତନ ଶୁଳ୍କ ଅଗଷ୍ଟ ୨୭ ତାରିଖରୁ କାର୍ଯ୍ୟକାରୀ ହେବ।

ଟ୍ରମ୍ଫ ପ୍ରଶାସନ ପୂର୍ବରୁ ଅତିରିକ୍ତ ଜରିମାନା ସହିତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିସାରିଛି। ଭାରତ ରୁଷିଆରୁ ତୈଳ ଆମଦାନୀ ଜାରି ରଖିବା ଏବଂ ଦୀର୍ଘକାଳୀନ ବାଣିଜ୍ୟ ପ୍ରତିବନ୍ଧକ ଯୋଗୁଁ ହୋଇଛି। ଏହା ଅଗଷ୍ଟ ୧ ତାରିଖରୁ କାର୍ଯ୍ୟକାରୀ ହୋଇଥିଲା। ବର୍ତ୍ତମାନ, ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ମୋଟ ଟାରିଫ ୫୦ ପ୍ରତିଶତକୁ ଛୁଇଁଛି। ଏହା ଆଜିଠାରୁ ୨୧ ଦିନ ମଧ୍ୟରେ, ଅର୍ଥାତ୍ ଅଗଷ୍ଟ ୨୭ ତାରିଖରୁ କାର୍ଯ୍ୟକାରୀ ହେବ।

ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ରୁଷରୁ ‘ବିପୁଳ ପରିମାଣର’ ତେଲ କିଣିବା ପାଇଁ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ରେ ଭାରତକୁ ବହୁ ପରିମାଣରେ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେବାର ଦୁଇ ଦିନ ପରେ ଘୋଷଣା କରିଛନ୍ତି। ଗତକାଲି, ଟ୍ରମ୍ପ ଭାରତ ରୁଷରୁ ତୈଳ ଆମଦାନୀ ସମ୍ପର୍କରେ ଚେତାବନୀ ଦେଇ କହିଥିଲେ ଯେ “ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତିରିକ୍ତ ଶୁଳ୍କ ଲାଗୁ ହୋଇପାରେ।”

Wednesday, August 6, 2025

‘ଗିନିଜ ୱାର୍ଲଡ ରେକର୍ଡ’ରେ ସ୍ଥାନ ପାଇଲା ପରୀକ୍ଷା ପେ ଚର୍ଚ୍ଚା

ପ୍ରଧାନମନ୍ତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ୬/୮: ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ‘ପରୀକ୍ଷା ପେ ଚର୍ଚ୍ଚା’ ପାଇଁ ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡର ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସାଥୀରେ ଅଛନ୍ତି କେନ୍ଦ୍ର ରେଳ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରୀକ୍ଷା ପେ ଆଲୋଚନା (PPC) “ଗୋଟିଏ ମାସରେ ନାଗରିକ ନିବେଶ ପ୍ଲାଟଫର୍ମରେ ସର୍ବାଧିକ ଲୋକ ପଞ୍ଜିକୃତ” ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି। ଚଳିତ ବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ କାର୍ଯ୍ୟକ୍ରମର ୮ମ ସଂସ୍କରଣରେ MyGov ପ୍ଲାଟଫର୍ମରେ ରେକର୍ଡ ୩.୫୩ କୋଟି ବୈଧ ପଞ୍ଜିକରଣ ପାଇବା ପରେ ଏହି ମାନ୍ୟତା ମିଳିଛି।

ନୂଆଦିଲ୍ଲୀରେ ଏକ ସମାରୋହରେ ଏହି ପୁରସ୍କାର ଆନୁଷ୍ଠାନିକ ଭାବରେ ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ପ୍ରଦାନ ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ଓ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଜିତିନ ପ୍ରସାଦ, ଶିକ୍ଷା ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

୨୦୧୮ ମସିହାରେ ଆରମ୍ଭ ହୋଇଥିବା, ପରୀକ୍ଷା ପେ ଆଲୋଚନା ଏକ ଅନନ୍ୟ ବିଶ୍ୱ ପ୍ଲାଟଫର୍ମ ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀ ସିଧାସଳଖ ଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ଆଲୋଚନା କରନ୍ତି। ପରୀକ୍ଷା ପାଇଁ ଚାପମୁକ୍ତ ପ୍ରସ୍ତୁତି ଏବଂ ସାମଗ୍ରିକ ଶିକ୍ଷାକୁ ଉତ୍ସାହିତ କରନ୍ତି। ୨୦୨୫ ସଂସ୍କରଣରେ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକରେ ୨୧ କୋଟିରୁ ଅଧିକ ଦର୍ଶକ ଦେଖିଥିଲେ।

ସ୍ତନ୍ୟପାନ ଯୋଗୁଁ ମା’ ହୃଦୟର ନିକଟତର ହୋଇପାରିବ ଶିଶୁ: ଉପମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୫ ଅନୁଷ୍ଠିତ ଚଳିତ ବର୍ଷର ଥିମ “ସ୍ତନ୍ୟପାନକୁ ପ୍ରାଥମିକତା ଦିଅନ୍ତୁ, ସ୍ଥାୟୀ ସମର୍ଥନ ବ୍ୟବସ୍ଥା ପ୍ରସ୍ତୁତ କରନ୍ତୁ” ଉପରେ ଆଲୋଚନା। ଏନଜିଓ ପଞ୍ଜିକରଣ ପାଇଁ “ଲୋକ କଲ୍ୟାଣ” ଅନଲାଇନ ୱେବ୍ ଲିଙ୍କ ଫର୍ମ ଲୋକାର୍ପଣ

ପ୍ରଥମଥର ପାଇଁ ଓଡ଼ିଶା ରାଜ୍ୟ ମହିଳା ଆୟୋଗ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ନିମନ୍ତେ ଶିଶୁ ସ୍ତନ୍ୟପାନ କକ୍ଷ ପ୍ରତିଷ୍ଠା

ଭୁବନେଶ୍ୱର, ୬/୮: ସ୍ତନ୍ୟପାନ ଯୋଗୁଁ ଶିଶୁ ମା’ର କ୍ଲୋଜ଼ ଟୁ ହାର୍ଟ ଅର୍ଥାତ ମା’ ହୃଦୟର ଆହୁରି ନିକଟତର ହୋଇପାରିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ରାଜ୍ୟସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୫ ଅବସରରେ ମତବ୍ୟକ୍ତ କରିଛନ୍ତି । ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନ କନଭେନସେନ ସେଣ୍ଟରରେ ରାଜ୍ୟସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୫ ପାଳିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ତନ୍ୟପାନ ଦ୍ୱାରା ଉଭୟ ମାଆ ଓ ଶିଶୁର ସ୍ଵାସ୍ଥ୍ୟ ଭଲ ରହିବ ବୋଲି ମତ ପ୍ରକାଶ କରିଥିଲେ । ସ୍ତନ୍ୟପାନ ଦ୍ୱାରା ମହିଳାମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସ୍ତନ୍ୟ କର୍କଟ ଓ ଡିମ୍ବାଶୟ କର୍କଟ ଭଳି ଭୟଙ୍କର ରୋଗକୁ ବହୁ ମାତ୍ରାରେ ଏଡାଇ ଯାଇପାରିବ। ଶିଶୁର ପ୍ରାରମ୍ଭିକ ୬ ମାସର ନିରନ୍ତର ସ୍ତନ୍ୟପାନ ଉଭୟ ମା ଓ ଶିଶୁର ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକେଇଥାଏ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଓଡ଼ିଶାରେ ସ୍ତନ୍ୟପାନର ହାର ବୃଦ୍ଧି କରିବାକୁ ସେ ଆହ୍ଵାନ ଦେଇଥିଲେ।

ଆଭାଷୀ ମାଧ୍ୟମରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର କାର୍ଯ୍ୟାଳୟରେ ଏକ ଶିଶୁ ସ୍ତନ୍ୟପାନ କକ୍ଷ ଉଦଘାଟନ କରି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସମସ୍ତ ସରକାରୀ ଓ ଅଣସରକାରୀ ସର୍ବସାଧରଣ ସ୍ଥାନମାନଙ୍କରେ ଶିଶୁ ସ୍ତନ୍ୟପାନ କକ୍ଷ ପ୍ରତିଷ୍ଠା କରିବା ପାଇଁ ପରାମର୍ଶ ଦେଇଛନ୍ତି । ଅଙ୍ଗନବାଡି ହେଲା ଶିଶୁର ଦ୍ଵିତୀୟ ମା’ ଘର। ଅଙ୍ଗନବାଡିକୁ ଆହୁରି ଉନ୍ନତ କରିବା ପାଇଁ ଅଗଷ୍ଟ ୧ – ୧୫ରୁ “ଆସ ବୁଲିଯିବା ଅଙ୍ଗନବାଡି” ଅଭିଯାନରେ ଅଙ୍ଗନବାଡିକୁ ପରିଦର୍ଶନ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସହକାରୀ ନିର୍ଦ୍ଦେଶିକ ଡ. ଆଦିତ୍ୟ ମହାପାତ୍ର, ୟୁନିସେଫର ପୋଷଣ ବିଶେଷଜ୍ଞ ଶ୍ରୀ ସୌରଭ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶିକ ଡ. ଆଦିତ୍ୟ ମହାପାତ୍ର ଆଧୁନିକ ମା’ମାନେ ସ୍ତନ୍ୟପାନ କରେଇବା ପାଇଁ ନିରୂତ୍ସାହିତ ହେବାର କାରଣ ଗୁଡିକୁ ଉଲ୍ଲେଖ କରିଥିଲେ। ସ୍ତନ୍ୟପାନ କେବଳ ମା’ ମାନଙ୍କର ଦାୟିତ୍ଵ ନୁହେଁ, ଏହା ପରିବାର ସମାଜ, ସରକାର ସମସ୍ତଙ୍କ ସାମୂହିକ ଦାୟିତ୍ଵ। ମା’ମାନଙ୍କ ପାଇଁ ଉପଯୁକ୍ତ ବିଶ୍ରାମ, ପୁଷ୍ଟିକର ଖାଦ୍ୟ ଓ ଏକ ମାନସିକ ଚାପମୁକ୍ତ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଗର୍ଭବତୀ, ପ୍ରସୂତି ମା’ମାନଙ୍କ ପାଇଁ ତଥା ଶିଶୁମାନଙ୍କ ପାଇଁ ଉପଲବ୍ଧ ଥିବା ରାଜ୍ୟସରକାରଙ୍କ ସମସ୍ତ ଯୋଜନା ବିଷୟରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହ ଅତିରିକ୍ତ ସଚିବ ସ୍ଵୟଂପ୍ରଭା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ କରକମଳରେ “ଲୋକ କଲ୍ୟାଣ” – ଅନଲାଇନ ୱେବ୍ ଲିଙ୍କ ଫର୍ମ ଲୋକାର୍ପଣ ହୋଇଯାଇଛି । ଏହି ୱେବ୍ ଲିଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ (WCD) ଅଧୀନରେ କାର୍ଯ୍ୟ କରୁଥିବା ଓଡିଶା ରାଜ୍ୟ ସାମାଜିକ କଲ୍ୟାଣ ବୋର୍ଡ (SSWB) ଦ୍ଵାରା ପରିଚାଳିତ ହେବ। ଏହି ପଞ୍ଜିକରଣ ମାଧ୍ୟମରେ ଓଡିଶା ରାଜ୍ୟ ସାମାଜିକ କଲ୍ୟାଣ ବୋର୍ଡ(OSSWB) ଏକ ସକ୍ରିୟ ଏନଜିଓ ଡାଟାବେଶ ଗଠନ କରିବ।

ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ

ଲାଞ୍ଚ ନେଇ ଧରା ପଡିଲେ

କେନ୍ଦୁଝର, ୬/୮: ଭିଜିଲାନ୍ସ ଜାଲରେ କେନ୍ଦୁଝର ଭୂବନ୍ଦୋବସ୍ତ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ରେକର୍ଡ କିପର୍। ଲାଞ୍ଚ ନେଲା ବେଳେ ଧରା ପଡ଼ିଛନ୍ତି ଆସିଷ୍ଟାଣ୍ଟ ରେକର୍ଡ଼ କିପର ହାଡ଼ିବନ୍ଧୁ ବେହେରା। ଜଣେ ବ୍ୟକ୍ତିଙ୍କ ଠାରୁ ଅମିନ ରିପୋର୍ଟ ଦେବା ପାଇଁ ୩୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ଚଢ଼ାଉ ପରେ ହାଡ଼ିବନ୍ଧୁଙ୍କ ସରକାରୀ ଅଫିସ୍ ଓ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ।

ଜିଅନ୍ତା ଜଳିଗଲେ ଯୁବତୀ

ଯୁବତୀଙ୍କ ବାପା ଆଣିଲେ ସଙ୍ଗୀନ ଅଭିଯୋଗ

ପଟ୍ଟାମୁଣ୍ଡାଇ, ୬/୮: ପୁଣି ଜଳିଗଲେ ଯୁବତୀ। ଘର ଭିତରେ ଜିଅନ୍ତା ଜଳିଗଲେ ଯୁବତୀ। ଘରେ କେହି ନଥିବା ବେଳେ ନିଜ ଦେହରେ କିରାସିନି ଢାଳି ହୋଇ ଜଳି ଯାଇଛନ୍ତି ଯୁବତୀ। କେନ୍ଦ୍ରାପଡା ଜିଲ୍ଳାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଏହି ଅଘଟଣ ଘଟିଛି।

ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ। ହତ୍ୟା ନା ଆତ୍ମହତ୍ୟା ଏଯାଏଁ ସ୍ପଷ୍ଟ ହୋଇନି। ତେବେ କେହି ଜଣେ ବ୍ଲାକ୍‌ମେଲିଂ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ଯୁବତୀଙ୍କ ବାପା। ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ହୋଇଥିଲା। ମାନସିକ ନିର୍ଯାତନା ଦେଉଥିଲେ ପୁରୁଷ ବନ୍ଧୁ ବୋଲି ବାପା ଅଭିଯୋଗ କରିଛନ୍ତି। ପୋଲିସ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ସତ୍ୟାସତ୍ୟ ସ୍ପଷ୍ଟ ହୋଇନି।

ମହାବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀଙ୍କ ପ୍ରତିବାଦ; ଅଧ୍ୟକ୍ଷଙ୍କ ଲିଖିତ ପ୍ରତିଶ୍ରୁତି ପରେ ଓହରିଲେ ପିଲା

ମହାବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀଙ୍କ ପ୍ରତିବାଦ; ଅଧ୍ୟକ୍ଷଙ୍କ ଲିଖିତ ପ୍ରତିଶ୍ରୁତି ପରେ ବନ୍ଦ ରହିଲା ଆନ୍ଦୋଳନ 

ଆଳି - କେନ୍ଦ୍ରାପଡ଼ା ଜିଲ୍ଲା ଆଳି ମହାବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ତେଜିଲା ଆନ୍ଦୋଳନ । ଦୀର୍ଘ ଦିନ ଧରି ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ବୁଧବାର ଧାରଣାରେ ବସିଥିଲେ । ବାରମ୍ବାର ଅଭିଯୋଗ ଏବଂ ଗୁହାରୀ ପରେ ମଧ୍ୟ ପିଲାଙ୍କ ସମସ୍ୟାର ସମାଧାନ ହେଲା ନାହିଁ। ଫଳରେ ବାଧ୍ୟ ହୋଇ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ ନା ମୁତାବକ, ଗତ ୨୬ ତାରିଖରେ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ମାଧ୍ୟମରେ ମହାବିଦ୍ୟାଳୟରେ ବର୍ଷା ପାଣି ନିଷ୍କାସନ ନହେବା ଯୋଗୁଁ ପାଣି ଜମି ରହିବା, ସାଧାରଣ ଶୌଚାଳୟ ନଥିବା, ଖେଳ ପଡିଆର ସୁବିଧା ନଥିବା ଏବଂ ପରିଶେଷରେରେ ମହାବିଦ୍ୟାଳୟରେ ପାଠାଗାରର ସମସ୍ୟା ଗୁଡିକୁ ଧ୍ୟାନ ଦେବାକୁ ଅଧ୍ୟକ୍ଷଙ୍କୁ ଜଣାଇଥିଲେ । ଏହି ସମସ୍ୟାର ସମାଧାନ କଲାନଗଲେ ଅଗଷ୍ଟ ୬ ତାରିଖରେ ଧାରଣା ଦେବାକୁ ମଧ୍ୟ ଚେତାବନୀ ଦେଇଥିଲେ । କିନ୍ତୁ ଦୁଃଖର ବିଷୟ କି, ଅଭିଯୋଗର ୧୦ ଦିନ ବିତି ଯାଇଥିଲେ ମଧ୍ୟ ପିଲାଙ୍କ ଅଭିଯୋଗ ଉପରେ କଲେଜ କମିଟି ଧ୍ୟାନ ଦେଲେ ନାହିଁ । ଯାହା ଫଳରେ ଛାତ୍ରଛାତ୍ରୀମାନେ ବୁଧବାର ସକାଳୁ ଧାରଣାରେ ବସିବା ସହ ମହାବିଦ୍ୟାଳୟ ଗେଟରେ ତାଲା ପକାଇ ଦେଇଥିଲେ । ଅଧ୍ୟାପକ ମାନେ ବୁଝା ସୁଝା କରିବା ପରେ ମଧ୍ୟ ସେମାନେ ବୁଝି ନଥିଲେ । ଶେଷରେ ନୂତନ ଅଧ୍ୟକ୍ଷ ରବିନାରାୟଣ ଦାସ ଆସି ପିଲାମାନଙ୍କୁ ବୁଝାଇବା ସହ ଏହାର ସମାଧାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରିଛନ୍ତି ।

ଆସନ୍ତାବର୍ଷ ଫେବ୍ରୁଆରୀରେ ବାଂଲାଦେଶରେ ନିର୍ବାଚନ

ମହମ୍ମଦ ୟୁନୁସଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬/୮: ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ପରବର୍ତ୍ତୀ ସାଧାରଣ ନିର୍ବାଚନ ଆସନ୍ତାବର୍ଷ ଫେବୃଆରୀ ମାସରେ ଅନୁଷ୍ଠିତ ହେବ। ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ କ୍ଷମତାଚ୍ୟୁତ କରିଥିବା ‘ଜୁଲାଇ ବିଦ୍ରୋହ’ର ପ୍ରଥମ ବାର୍ଷିକୀ ପାଳନ ପାଇଁ ଢାକାରେ ଏକ ନାଲି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଟିଭିକୁ ସାକ୍ଷାତକାର ଦେବା ସମୟରେ ୟୁନୁସ ଏହା କହିଥିଲେ।

“ଅନ୍ତରୀଣ ସରକାରଙ୍କ ପକ୍ଷରୁ, ମୁଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଏକ ଚିଠି ପଠାଇବି ଯେଉଁଥିରେ ନିର୍ବାଚନ କମିଶନଙ୍କୁ ରମଜାନ ପୂର୍ବରୁ ଫେବୃଆରୀ ୨୦୨୬ ରେ ଜାତୀୟ ନିର୍ବାଚନ କରିବାକୁ ଅନୁରୋଧ କରାଯିବ।” ବୋଲି ୟୁନୁସ କହିଥିଲେ।

ଆସନ୍ତା ବର୍ଷ ଫେବୃଆରୀ ୧୭ କିମ୍ବା ୧୮ ତାରିଖରେ ରମଜାନ ମାସ ଆରମ୍ଭ ହେବାକୁ ଯାଉଛି। ଯଦିଓ ପୂର୍ବରୁ, ବାଂଲାଦେଶରେ ସାଧାରଣ ନିର୍ବାଚନ ଆସନ୍ତା ବର୍ଷ ଏପ୍ରିଲ ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ହେବାର ଥିଲା।

“ଆମେ ଚାହୁଁଛୁ ଯେ ଏହି ନିର୍ବାଚନ ଆମ ଦେଶର ଇତିହାସରେ ସ୍ମରଣୀୟ ହେଉ। ଆନନ୍ଦ ଏବଂ ଉତ୍ସବ, ଶାନ୍ତି ଏବଂ ଶୃଙ୍ଖଳା, ଭୋଟରଙ୍କ ମତଦାନ ଏବଂ ସଦ୍ଭାବନା ଏବଂ ଆନ୍ତରିକତା ଦୃଷ୍ଟିରୁ ଏକ ମୁକ୍ତ, ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଏବଂ ଉତ୍ସବପୂର୍ଣ୍ଣ ନିର୍ବାଚନ ହେବ ବୋଲି କହିଥିଲେ।

ୟୁନୁସ୍ କହିଛନ୍ତି ଯେ ତାଙ୍କ ସରକାର ଆସନ୍ତାକାଲିଠାରୁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ପୂରଣ କରିବା ପାଇଁ ସାଂଗଠନିକ ପ୍ରସ୍ତୁତି ଆରମ୍ଭ କରିବ।

ଏହା ପୂର୍ବରୁ, ୟୁନୁସ ‘ଜୁଲାଇ ବିଦ୍ରୋହ’ ବାର୍ଷିକୀକୁ “ବାଂଲାଦେଶର ଇତିହାସର ଏକ ଅବିସ୍ମରଣୀୟ ଅଧ୍ୟାୟ” ବୋଲି କହିଥିଲେ। ସେ କହିଥିଲେ, ଏହା “ଆମ ଦେଶକୁ ଦୀର୍ଘକାଳୀନ ଏକଛତ୍ରବାଦୀ ଶାସନ କବଳରୁ ମୁକ୍ତ କରିବା ପାଇଁ ନେତୃତ୍ୱ ନେଇଥିଲା।”

“ବାଂଲାଦେଶର ଲୋକମାନେ ଚାହୁଁଛନ୍ତି ଯେ ୨୦୨୪ ର ଛାତ୍ର-ଜନତା ବିଦ୍ରୋହକୁ ଉପଯୁକ୍ତ ରାଷ୍ଟ୍ର ଏବଂ ସାମ୍ବିଧାନିକ ମାନ୍ୟତା ମିଳୁ ଏବଂ ପରବର୍ତ୍ତୀ ଜାତୀୟ ନିର୍ବାଚନ ମାଧ୍ୟମରେ ଆଗାମୀ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସଂସ୍କାରିତ ସମ୍ବିଧାନର ସୂଚୀରେ ଜୁଲାଇ ଘୋଷଣା ସ୍ଥାନିତ ହେଉ,” ବୋଲି ଜୁଲାଇ ଘୋଷଣାପତ୍ର ପାଠ କରି ୟୁନୁସ୍ କହିଛନ୍ତି।

ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଛାତ୍ର ନେତୃତ୍ୱାଧୀନ ବିଦ୍ରୋହକୁ ସାମ୍ବିଧାନିକ ମାନ୍ୟତା ଦେବାକୁ ଚାହୁଁଥିଲେ। ତେଣୁ ଏହି ସ୍ୱୀକୃତିକୁ ଜୁଲାଇ ଘୋଷଣାନାମା କୁହାଯାଏ।

ଗତବର୍ଷ ଅଗଷ୍ଟ ୮ ତାରିଖରେ ୟୁନୁସଙ୍କୁ ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତି ଦିଆଯାଇଥିଲା। ୧୬ ବର୍ଷର ଆୱାମୀ ଲିଗ୍ ଶାସନର ପତନ ହୋଇଥିଲା। ଶେଖ୍ ହାସିନା ଦେଶରୁ ପଳାୟନ କରିଥିଲେ। ଅନ୍ତରୀଣ ସରକାର ବିଦ୍ରୋହ ଦିବସ ବାର୍ଷିକୀକୁ ସାଧାରଣ ଛୁଟି ଘୋଷଣା କରିଥିଲା।

ଅନ୍ତ୍ୟୋଦୟ ଗୃହ ଯୋଜନା ପୋର୍ଟାଲ ମାଧ୍ୟମରେ ୫୭,୩୦୮ ହିତାଧିକାରୀ ପାଇ ସାରିଛନ୍ତି ପ୍ରଥମ କିସ୍ତି

୧,୩୬୮ ଜଣ ହିତାଧିକାରୀ ଦ୍ୱିତୀୟ କିସ୍ତି ପର୍ଯ୍ୟାୟକୁ ଉନ୍ନୀତ

ଭୁବନେଶ୍ଵର, ୪/୮: ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଣୀତ ଅନ୍ତ୍ୟୋଦୟ ଗୃହ ଯୋଜନା (AGJ) ଅଧୀନରେ ବିଭିନ୍ନ ବର୍ଗର ୫୭,୩୦୮ ଜଣ ହିତାଧିକାରୀ ପ୍ରଥମ କିସ୍ତି ଅର୍ଥରାଶି ପାଇସାରିଛନ୍ତି l ଏହା ରାଜ୍ୟ ସରକାରଙ୍କ ପ୍ରମୁଖ ଗ୍ରାମୀଣ ଗୃହ ନିର୍ମାଣ ପଦକ୍ଷେପର କାର୍ଯ୍ୟାନ୍ୱୟନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି । ପୋର୍ଟାଲର ସୁଗମ କାର୍ଯ୍ୟକ୍ଷମତା ଯୋଗୁ ବଣ୍ଟନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ସହ ଯୋଗ୍ୟ ହିତାଧିକାରୀଙ୍କୁ ସମୟୋଚିତ ଏବଂ ସ୍ୱଚ୍ଛ ଆର୍ଥିକ ସହାୟତା ପ୍ରଦାନ ସୁନିଶ୍ଚିତ ହୋଇଛି ।

ମୋଟ ୫୭,୩୦୮ ଜଣ ହିତାଧିକାରୀ ଅନ୍ତ୍ୟୋଦୟ ଗୃହ ଯୋଜନା (AGJ) ପୋର୍ଟାଲ ମାଧ୍ୟମରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସେମାନଙ୍କର ପ୍ରଥମ କିସ୍ତି ଗୃହ ସହାୟତା ପାଇଛନ୍ତି। ଏହା ବ୍ୟତୀତ, ୧,୩୬୮ ଜଣ ହିତାଧିକାରୀ ଦ୍ୱିତୀୟ କିସ୍ତି ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ନିର୍ମାଣ ପ୍ରଗତିର ସଫଳ ଯାଞ୍ଚ ଏବଂ କ୍ଷେତ୍ରସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ପ୍ରଭାବଶାଳୀ ତଦାରଖ ସ୍ବଚ୍ଛତା ଅବଲମ୍ବନରେ ସହାୟକ ହୋଇଛି । ସ୍ୱୟଂଚାଳିତ ଆଧାର-ଆଧାରିତ ପେମେଣ୍ଟ ସିଷ୍ଟମ (ABPS) ସମନ୍ୱୟ ତ୍ରୁଟିକୁ ହ୍ରାସ କରିବା ସହ ପାଣ୍ଠି ବଣ୍ଟନକୁ ତ୍ୱରାନ୍ୱିତ କରିଛି ।

ସୂଚନାଯୋଗ୍ୟ ଯେ ରାଜ୍ୟବାସୀଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ବାରା ପ୍ରଣୀତ ହୋଇଥିଲା ଅନ୍ତ୍ୟୋଦୟ ଗୃହ ଯୋଜନା l ହିତାଧିକାରୀ ତାଲିକାକୁ ଆହୁରି ସମବେଶୀ କରିବା ପାଇଁ ଦିବ୍ୟଙ୍ଗ ବିଭିନ୍ନ ବର୍ଗର ଗୃହହୀନ କିମ୍ବା କଚ୍ଚା ଘରେ ବାସ କରୁଥିବା ପରିବାର ଏହି ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବାର ପ୍ରାବଧାନ ରହିଛି । ଏହା ମଧ୍ୟରେ ପ୍ରାକୃତିକ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟରେ ଅଥବା ହାତୀ ଉପଦ୍ରବରେ ସମ୍ପୂର୍ଣ୍ଣ / ଭୀଷଣ ଭାବରେ ପ୍ରଭାବିତ ପରିବାର, ସରକାରୀ ପ୍ରକଳ୍ପ ସ୍ଥାନାନ୍ତରଣ ଆବଶ୍ୟକ କରୁଥିବା ସଂରକ୍ଷିତ ଅଞ୍ଚଳରେ ବସବାସ କରୁଥିବା ପରିବାର, ମୁଖ୍ୟ ଉପାର୍ଜନକାରୀ ଅତି କମ୍ ରେ ୪୦% ପ୍ରତିଶତ ଶାରୀରିକ ଭିନ୍ନକ୍ଷମ ଥିବା ପରିବାର, ନାବାଳକ ସନ୍ତାନ ଥିବା ବିଧବା ମହିଳା, ପରିବାରର ମୁଖ୍ୟ ଗୁରୁତର ରୋଗରେ ଆକ୍ରାନ୍ତ ଥିବା ପରିବାର, କୁଷ୍ଠ ରୋଗରୁ ମୁକ୍ତ, ମୁକ୍ତ ଗୋତି ଶ୍ରମିକ , ଶହୀଦ ପରିବାର , ଜାତୀୟ ପୁରସ୍କାରପ୍ରାପ୍ତ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର କ୍ରୀଡ଼ାବିତ୍, ଜଙ୍ଗଲ ଅଧିକାର ଆଇନ (FRA) ହିତାଧିକାରୀ, ତୁରନ୍ତ ଗୃହ ଆବଶ୍ୟକ କରୁଥିବା ପରିବାର ରହିଛନ୍ତି l

ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ AGJ ଯୋଜନାର ସୁଗମ କାର୍ଯ୍ୟକାରିତା ପାଇଁ ପ୍ରତିବଦ୍ଧ। ଏହା ଦ୍ୱାରା ପ୍ରତ୍ୟେକ ଯୋଗ୍ୟ ପରିବାରକୁ ଏକ ମର୍ଯ୍ୟାଦାପୂର୍ଣ୍ଣ ଏବଂ ସ୍ଥିର ଘର ନିର୍ମାଣ ପାଇଁ ଆବଶ୍ୟକ ସହାୟତା ମିଳିବ। ପୋର୍ଟାଲଟି ଏବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ସହିତ ଆଗାମୀ ସପ୍ତାହଗୁଡ଼ିକରେ କାର୍ଯ୍ୟାନ୍ୱୟନର ଗତି ଆହୁରି ତ୍ୱରାନ୍ୱିତ ହେବ ।

ବିଧାନସଭା ପରିସରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳିତ

ବିଧାନସଭାର ଗବେଷଣା ଶାଖା ପକ୍ଷରୁ ସଂକଳିତ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ୫/୮: ପ୍ରଚଣ୍ଡ ପ୍ରତିଭାଦୀପ୍ତ ଜ୍ଞାନପିପାସୁ ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କ ଛାତ୍ରଜୀବନରୁ ଜାତୀୟତାବାଦରେ ଉଦ୍‌ବୁଦ୍ଧ ହୋଇ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ । ସେ ତତ୍‌କାଳୀନ ସମାଜରେ ପ୍ରଚଳିତ ଏକାଧିକ କୁସଂସ୍କାର ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ । ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନରେ ନୀଳକଣ୍ଠ ସକି୍ରୟ ଯୋଗଦାନ କରିଥିଲେ । ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ମଣ୍ଡନ କରିବା ସହିତ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ମଧ୍ୟ ଅଳଙ୍କୃତ କରିଥିଲେ । ସେ ଥିଲେ ଏକାଧାରରେ ସଂଗ୍ରାମୀ, ସଂସ୍କାରକ, ଅଧ୍ୟାପକ, ଶିକ୍ଷାବିତ୍‌, ରାଜନେତା, ବାଗ୍ମୀ ଓ ସୁଲେଖକ । ଓଡ଼ିଶା ଇତିହାସରେ ତାଙ୍କର କୃତି ଓ କୀର୍ତ୍ତି ଚିର ଉଜ୍ଜ୍ୱଳ ରହିବ ।

ପଣ୍ଡିତ ନୀଳକଣ୍ଠ ଦାସଙ୍କର ୧୪୧ତମ ଜୟନ୍ତୀ ଅବସରରେ ବିଧାନସଭା ପରିସରରେ ଆୟୋଜିତ ସଂକ୍ଷିପ୍ତ ଉତ୍ସବରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ଶ୍ରୀ ବାବୁ ସିଂ, ଶ୍ରୀ ଗଣେଶ୍ୱର ବେହେରା ଓ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା, ପୂଜ୍ୟପୂଜା ସଂସଦର ସଭାପତି ଶ୍ରୀ ପ୍ରଦୁ୍ୟମ୍ନ ଶତପଥି, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୀବ ମିଶ୍ର, ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ଗବେଷଣା ଶାଖାର ନିର୍ଦ୍ଦେଶକ ଡ. ତି୍ରବିକ୍ରମ ପ୍ରଧାନ ପ୍ରମୁଖ ପଣ୍ଡିତ ନୀଳକଣ୍ଠଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ବିଧାନସଭାର ଗବେଷଣା ଶାଖା ପକ୍ଷରୁ ସଂକଳିତ ପୁସ୍ତକ “Speeches of Finance Minister of Odisha from 2022 to 2025-26″କୁ ଉନ୍ମୋଚନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ୧୯୩୬ ମସିହା ଅପ୍ରେଲ ପହିଲାରେ ବ୍ରିଟିଶ ଶାସନାଧିନ ଭାରତ ବର୍ଷରେ ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଓଡ଼ିଶା ଶାସନଗତ କ୍ଷମତା ହାସଲ କରିଥିଲା । ସ୍ୱତନ୍ତ୍ର ଓଡ଼ିଶାର (ପ୍ରାକ୍‌-ସ୍ୱାଧୀନତା) ପ୍ରଥମ ବିଧାନସଭା ୧୯୩୬ ମସିହାଠାରୁ ୨୦୨୦-୨୧ ମସିହା ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବିଧାନସଭାରେ ମାନ୍ୟବର ଅର୍ଥମନ୍ତ୍ରୀଙ୍କ ଦ୍ୱାରା ବଜେଟ ଅଭିଭାଷଣ ଗବେଷଣା ଉପବିଭାଗ ଦ୍ୱାରା ସଂଗ୍ରହ କରାଯାଇ ପୁସ୍ତକର ଅଷ୍ଟମ ଖଣ୍ଡ (ଅଷ୍ଟମ ସଂସ୍କରଣ) ପ୍ରକାଶିତ ହୋଇଛି । ଏହି ପରିପ୍ରେକ୍ଷୀରେ ୨୦୨୧-୨୨ଠାରୁ ୨୦୨୫-୨୬ ଆର୍ଥିକ ବର୍ଷ ବଜେଟର ନବମ ସଂସ୍କରଣ ଆଜି ଉନ୍ମୋଚିତ ହୋଇଛି ।

କାର୍ଯ୍ୟକ୍ରମ ଶେଷରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା । ଶ୍ରୀ ଅବିନାଶ ପାଣି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ନୂଆଦିଲ୍ଲୀରେ ଭର୍ଜିନ୍ ଲ୍ୟାଣ୍ଡ ସିକ୍ୟୁରିଟି ଶିଖର ସମ୍ମିଳନୀ ଅନୁଷ୍ଠିତ

ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ

ଭୁବନେଶ୍ୱର, ୫/୮: ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦୟ ଇଣ୍ଡିଆ ଦ୍ୱାରା ପ୍ରାୟୋଜିତ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଅନୁଷ୍ଠିତ ଭର୍ଜିନ୍ ଲ୍ୟାଣ୍ଡ ସିକ୍ୟୁରିଟି ଶିଖର ସମ୍ମିଳନୀରେ ଆଜି ଯୋଗଦେଇଛନ୍ତି । ଭାରତରେ ୬୦ ନିୟୁତ ହେକ୍ଟରରୁ ଅଧିକ ଅନୁର୍ବର କିମ୍ବା ଅବ୍ୟବହୃତ ଜମି ଅଛି ଏବଂ ଏଥିରୁ ପ୍ରାୟ ୨୦ ନିୟୁତ ଜୈବିକ କୃଷି ପାଇଁ ଉପଯୁକ୍ତ। ଜୈବିକ ଉତ୍ପାଦର ବିଶ୍ୱ ଚାହିଦା ବୃଦ୍ଧି ପାଇବା ସହିତ, ଏହା ଆମର କୃଷକମାନଙ୍କ ପାଇଁ ସ୍ଥାୟୀ କୃଷି କ୍ଷେତ୍ରରେ ବିଶ୍ୱକୁ ନେତୃତ୍ୱ ନେବାର ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି, ବଳଭଦ୍ର ଜୈବିକଚାଷ ମିଶନ ସହିତ, ଆମେ ଆମର ପ୍ରାଚୀନ ଆଦିବାସୀ ଅଞ୍ଚଳଗୁଡ଼ିକୁ ଜୈବିକ କ୍ଲଷ୍ଟରରେ ପରିଣତ କରିବା ଆରମ୍ଭ କରିଛୁ। ଆମର ଚାଷଯୋଗ୍ୟ ଜମିର ପ୍ରାୟ ୩୨ ପ୍ରତିଶତରେ ସର୍ବନିମ୍ନ ରାସାୟନିକ ବ୍ୟବହାର ହେଉଛି। ଏବେ, ଆମେ ଗୋଟିଏ ଜିଲ୍ଲା – ଗୋଟିଏ ଜୈବିକ କ୍ଲଷ୍ଟର, ଆମ୍ବ, ହଳଦୀ, ବାଜରା ଏବଂ ଅଦା ପାଇଁ କୃଷି-ପ୍ରକ୍ରିୟାକରଣ ୟୁନିଟ୍, ରପ୍ତାନି-ମୁଖୀ କୃଷି ପାର୍କ, ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଏଫପିଓ ସହିତ ଜଡିତ ହୋଇ ଜୈବିକ ମୂଲ୍ୟ ଶୃଙ୍ଖଳ, ମାଣ୍ଡିଆ ଓ ବାଜରା-ଭିତ୍ତିକ ଉଦ୍ୟୋଗ ଏବଂ ଇକୋ-କୃଷି ହବ୍ ବୃଦ୍ଧି କରୁଛୁ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଏହା ମଧ୍ୟ କହିଛନ୍ତି ଯେ, ନିବେଶକ ଏବଂ ଉଦ୍ଭାବକମାନଙ୍କ ପାଇଁ ଓଡ଼ିଶା ଦୃଢ଼ ନୀତି, ଜମି, ବିଦ୍ୟୁତ୍, ସବସିଡି, ପୁଞ୍ଜି ପ୍ରୋତ୍ସାହନ ଏବଂ ଫାଷ୍ଟ-ଟ୍ରାକ୍ ମଞ୍ଜୁରୀ ପ୍ରଦାନ କରୁଛି । ବିଶ୍ୱସ୍ତରୀୟ ଅଂଶୀଦାର ଓ କୃଷି ଉଦ୍ୟୋଗୀମାନଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରି ଏହି ପରିବର୍ତ୍ତନରେ ଭାଗୀଦାର ହେବାକୁ କହିଛନ୍ତି । ସମ୍ମିଳନୀରେ ନରୱେର କୃଷି ଉଦ୍ୟୋଗୀ ଓଡ଼ିଶାର ପରିବେଶ-କୃଷି କ୍ଷେତ୍ରକୁ ପ୍ରଶଂସା କରିଥିଲେ। ସମ୍ମିଳନୀରେ ଉଦୟ ଇଣ୍ଡିଆ ପତ୍ରିକାର ସମ୍ପାଦକ ଶ୍ରୀ ଦୀପକ କୁମାର ରଥ, ନୀତି ନିର୍ଦ୍ଧାରକ, କୃଷି-ବ୍ୟବସାୟୀ ନେତା, ଚାଷୀ ସଂଗଠନ, ଭୂମି ସଂସ୍କାର ରପ୍ତାନି ଏବଂ ବିକାଶ ସଂସ୍ଥା ପ୍ରମୁଖ ଯୋଗଦେଇଥିଲେ ।

ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି

ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ କିଛି ଟ୍ରେନ ବାତିଲ

ଭୁବନେଶ୍ୱର, ୫/୮: ଯାତ୍ରୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି କରାଯାଇଛି। ଯାତ୍ରୀମାନଙ୍କୁ ନିରନ୍ତର ଯାତ୍ରା ସୁବିଧା ଯୋଗାଇବା ଏବଂ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଉଦ୍ଦେଶ୍ୟରେ, ପୂର୍ବ ତଟ ରେଳପଥ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି:

• ବିଶାଖାପାଟଣା-ତିରୁପତି-ବିଶାଖାପାଟଣା (08547/08548)

ଟ୍ରେନ୍ ନମ୍ବର 08547/08548 ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ବିଶାଖାପାଟଣା ରୁ 24 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ଏବଂ ତିରୁପତିରୁ 25 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ଚଳାଚଳରେ ବୃଦ୍ଧି କରାଯାଇଛି ।

• ବିଶାଖାପାଟଣା – ଚରଲାପାଲି-ବିଶାଖାପାଟଣା (08579/08580)

ଟ୍ରେନ୍ ନମ୍ବର 08579/08580 ବିଶାଖାପାଟଣା- ଚରଲାପାଲି- ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ 26 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ବିଶାଖାପାଟଣାରୁ ଏବଂ ଚରଲାପାଲିରୁ ଏହା 27 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ଚଳାଚଳରେ ବୃଦ୍ଧି କରାଯାଇଛି।

• ଉଧନା-ଖୋର୍ଦ୍ଧା ରୋଡ୍-ଉଧନା (09059/09060)

ଟ୍ରେନ୍ ନମ୍ବର 09059/09060 ଉଧନା-ଖୋର୍ଦ୍ଧା ରୋଡ୍-ଉଧନା ସ୍ୱତନ୍ତ୍ର ଟ୍ରେନ 24 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ଉଧନାରୁ ଏବଂ ଖୋର୍ଦ୍ଧା ରୋଡରୁ 26 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ଚଳାଚଳରେ ବୃଦ୍ଧି କରାଯାଇଛି।

ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ନିମ୍ନଲିଖିତ ଟ୍ରେନ୍ ବାତିଲ୍

ୱାଲଟିୟର ରେଳମଣ୍ଡଳ ଅନ୍ତର୍ଗତ କୋଟ୍ଟାଭାଲସା- ପେନ୍ଦୁର୍ତ୍ତି ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ 06 ଅଗଷ୍ଟ 2025 ରୁ 09 ଅଗଷ୍ଟ 2025 ପର୍ଯ୍ୟନ୍ତ, ନିମ୍ନଲିଖିତ ଟ୍ରେନ ଗୁଡିକ ବାତିଲ୍ କରାଯିବ।

• ବିଶାଖାପାଟଣାରୁ ଛାଡିବାକୁ ଥିବା ଟ୍ରେନ ନମ୍ବର 18526 ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସ 06 ଅଗଷ୍ଟ 2025 ରୁ 08 ଅଗଷ୍ଟ 2025 ପର୍ଯ୍ୟନ୍ତ ବାତିଲ କରାଯିବ।

• ବ୍ରହ୍ମପୁରରୁ ଛାଡିବାକୁ ଥିବା ଟ୍ରେନ ନମ୍ବର 18525 ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ 07 ଅଗଷ୍ଟ 2025 ରୁ 09 ଅଗଷ୍ଟ 2025 ପର୍ଯ୍ୟନ୍ତ ବାତିଲ କରାଯିବ।

COASTAL NEWS

ବିଜେପିରେ ମିଶିଲେ ନୂଆପଡ଼ା ନୂଆଗାଁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ

ବିଜେପିରେ ମିଶିଲେ ନୂଆପଡ଼ା ନୂଆଗାଁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଲେ ନୂଆପଡ଼ା/ଭୁବନେଶ୍ୱର, ୦୧।୧୧: ନୂଆପଡାରେ ରାଜ୍ୟ ଉ...