AFFILIATE MARKETING

https://binomo.com?a=90810425bb57&t=0

Saturday, August 5, 2023

ଆମେରିକାର ନ୍ୟୁୟର୍କ ରାସ୍ତାରେ ବିଶୃଙ୍ଖଳା

 ଆମେରିକାର ନ୍ୟୁୟର୍କ ରାସ୍ତାରେ ବିଶୃଙ୍ଖଳା 




ଓ୍ବାଶିଂଟନ,୫।୮: ଶୁକ୍ରବାର ଆମେରିକାର ନ୍ୟୁୟର୍କ ରାସ୍ତାରେ ବିଶୃଙ୍ଖଳା ଏବଂ ଦଙ୍ଗାର ପରିବେଶ ସୃଷ୍ଟି ହୋଇଥିଲା। ବାସ୍ତବରେ, ରାସ୍ତାରେ ବହୁ ସଂଖ୍ୟାରେ ଯୁବକ ଏକତ୍ରିତ ହୋଇଥିଲେ ଏବଂ ଦେଖଉ ଦେଖୁ ସେଠାରେ ଝଗଡା ଓ ପଥର ମାଡ ଆରମ୍ଭ ହୋଇଯାଇଥିଲା। ଏଥିରେ ଅନେକ ଲୋକ ଆହତ ହୋଇଥିଲେ ଏବଂ ଗାଡିଗୁଡିକ ଭଙ୍ଗାରୁଜା କରାଯାଇଥିଲା। ଏସବୁ ଘଟଣା ଜଣେ ସୋସିଆଲ ମିଡିଆ ସେଲିବ୍ରିଟି ବା ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ଏକ ବାର୍ତ୍ତା ଯୋଗୁ ଘଟିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ପ୍ରସିଦ୍ଧ ୟୁଟ୍ୟୁବର୍‌ କାଇ ସେନାଟ ଇନଷ୍ଟାଗ୍ରାମରେ ଏକ ଭିଡିଓରେ ଲାଇଭ ଆସି କହିଛନ୍ତି ଯେ ସେ ତାଙ୍କ ପ୍ରଶଂସକଙ୍କୁ ମ୍ୟାନହେଟନର ତଳ ଅଞ୍ଚଳରେ ଭେଟିବେ ଏବଂ ସେମାନଙ୍କୁ ଉପହାର ଦେବେ। ଏହି ଉପହାର ଗୁଡ଼ିକରେ, କେ ସେନାଟ ପ୍ଲେ ଷ୍ଟେସନ ୫ ଦେବା କଥା କହିଥିଲେ। କେ ସେନାଟଙ୍କ ଏହି ଭିଡିଓ ପୋଷ୍ଟ ହେବା ମାତ୍ରେ ଭାଇରାଲ ହୋଇଥିଲା ଏବଂ ୟଟ୍ୟୁବର୍‌ ଦ୍ୱାରା ଉଲ୍ଲେଖ କରାଯାଇଥିବା ସ୍ଥାନରେ ବହୁ ସଂଖ୍ୟକ ଯୁବକ ଏକତ୍ରିତ ହେବାକୁ ଲାଗିଲେ। ଭିଡ ବଢିବାରୁ କେତେଜଣ ଯୁବକ ଭିଡର ସୁଯୋଗ ନେଇ ପୋଲିସ ଉପରକୁ ପଥର ମାଡ କରିଥିଲେ ଓ କିଛି ଗାଡି ଭଙ୍ଗାରୁଜା କରିବାରୁ ହିଂସା ପରିସ୍ଥିତି ଉପୁଜିଥିଲା।

ଏମ୍‌ସ ଭୁବନେଶ୍ୱର ରେଡିଓଡାଇଗ୍ନୋସିସ୍‌ ବିଭାଗ ପକ୍ଷରୁ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି(ଆଇଆର) ସମ୍ମିଳନୀ

 ଏମ୍‌ସ ଭୁବନେଶ୍ୱର ରେଡିଓଡାଇଗ୍ନୋସିସ୍‌ ବିଭାଗ ପକ୍ଷରୁ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି(ଆଇଆର) ସମ୍ମିଳନୀ 



ଭୁବନେଶ୍ବର - ଏମ୍‌ସ ଭୁବନେଶ୍ୱର ରେଡିଓଡାଇଗ୍ନୋସିସ୍‌ ବିଭାଗ ପକ୍ଷରୁ ରାଜ୍ୟରେ ପ୍ରଥମ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି(ଆଇଆର) ସମ୍ମିଳନୀ ଏଆଇଆର ଏଡିସିଓଏନ୍‌ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ଦୁଇ ଦିନିଆ ସମ୍ମିଳନୀରେ ଆଇଆର୍‌ର ବ୍ୟାପକ ବ୍ୟବହାର ତଥା ଏହାର କାର୍ଯ୍ୟକାରୀତା ଉପରେ ମାନସମନ୍ଥନ ହୋଇଥିଲା। ଏହି ଜ୍ଞାନକୌଶଳର ସଫଳ ଉପଯୋଗ କରି ରୋଗୀ ସେବାକୁ ସୁଗମ ଏବଂ ସରଳ କରିବା ନିମ‌ନ୍ତେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀରେ ବିଭିନ୍ନ ଯକୃତ କର୍କଟର ଚିକିତ୍ସା, ଯକୃତ(ଲିଭର୍‌) ସିରୋସିସ୍ ଚିକିତ୍ସା, ଭେରିକୋଜ୍ ଭେନ୍‌, ଶିରା ଓ ଧମନୀଜନିତ ବିଭିନ୍ନ ଜଟିଳ ରୋଗର ଚିକିତ୍ସା ପାଇଁ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଥିଲା । 

ଆଇଏସ୍‌ଭିଆଇଆର (ଜାତୀୟ ଭାସ୍କୁଲାର ଏବଂ ଇଣ୍ଟରଭେନସନାଲ ରେଡିଓଲୋଜି ସୋସାଇଟି) ଏବଂ ଓରିଆ (ଓଡ଼ିଶା ରେଡିଓଲୋଜି ଏବଂ ଇମେଜିଙ୍ଗ ଆସୋସିଏସନ୍) ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଦେଶ ବିଦେଶରୁ ବହୁ ଖ୍ୟାତିସମ୍ପନ୍ନ ବିଶେଷଜ୍ଞ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ଚିକିତ୍ସକ ଅଂଶଗ୍ରହଣ କରି ଏହି କ୍ଷେତ୍ରରେ ଏକ ସୁଗମ ପରିବେଶ ସୃଷ୍ଟି କରିବାକୁ ମତ ରଖିଥିଲେ । ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ସମସ୍ତ ପ୍ରତିନିଧିଙ୍କୁ ଏମ୍‌ସକୁ ସ୍ବାଗତ କରିବା ସହିତ ଏଭଳି ଏକ ଅଭିନବ ସମ୍ମିଳନୀ ପାଇଁ ଆୟୋଜକଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ହାର୍ଭାର୍ଡ ମେଡିକାଲ୍ ସ୍କୁଲର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ବ ଡ. ସଞ୍ଜୀବ କଲ୍‌ଭାଙ୍କ ସହ ଜାତୀୟସ୍ତରରେ ସୁପରିଚିତ ଡ. ଅଜିତ ଯାଦବ, ଡ. ରୋଚନ୍ ପନ୍ଥ, ଡ. ଅମର ମୁକୁନ୍ଦ୍‌, ଡ. ଯଶୱନ୍ତ ପଟ୍ଟିଦାର, ଡ. ରଶ୍ମୀ ପାଢ଼ୀ, ଡ. ଦୟାନନ୍ଦ ଏଲ୍‌, ଡ. ପୁଲକିତ ରଙ୍ଗର ଏବଂ ଡ. କରମଭୀର ଚାନ୍ଦେଲ ପ୍ରମୁଖ ଏହି ସମ୍ମିଳନୀ ମାଧ୍ୟମରେ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି(ଆଇଆର) ବିଭିନ୍ନ ଜଟିଳ ରୋଗର ଚିକିତ୍ସାରେ ନିର୍ବାହ କରୁଥିବା ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ। 

ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ୱ ଡ. ମାଥ୍ୟୁ ଚେରିୟାନ୍ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କ ପ୍ରେରଣାଦାୟୀ ଅଭିଭାଷଣରେ ଯୁବ ଚିକିତ୍ସକ ତଥା ବିଶେଷଜ୍ଞମାନଙ୍କୁ ଅଭିଭୂତ କରିଥିଲେ । ଗୁରୁତର ରୋଗର ସଫଳ ଚିକିତ୍ସା‌ କ୍ଷେତ୍ରରେ ଆଇଆର୍‌ ଉପଯୋଗ କରି ରୋଗୀର ଜୀବନରେ ଗୁଣବତ୍ତା ଆଣିବା ଦିଗରେ ଏହି ସମ୍ମିଳନୀ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ଡ. ଚେରିୟାନ୍‌ ପ୍ରକାଶ କରିଥିଲେ । ଓଡ଼ିଶାରେ ଆଇଆରକୁ ବ୍ୟାପକ ଭାବେ ପ୍ରୟୋଗ କରି ଚିକିତ୍ସା କ୍ଷେତ୍ରରେ ଅନନ୍ୟ ଧାରା ପ୍ରବର୍ତ୍ତନ କରିବା ନେଇ ସେ ପ୍ରସ୍ତାବ ରଖିଥିଲେ । ଏହି ସମ୍ମିଳନୀକୁ ଉଦ୍‌ଘାଟନ କରି ରାଜ୍ୟ ଡିଏମ୍‌ଇଟି ଡ. ସଚ୍ଚିଦାନନ୍ଦ ମହାନ୍ତି ରାଜ୍ୟର ସରକାରୀ ମେଡିକାଲ୍ କଲେଜଗୁଡ଼ିକରେ ଆଇଆର ବ୍ୟବହାର ବ୍ୟାପକ କରିବା ଉପ‌ରେ ମତ ରଖିଥିଲେ । ଏହି ଅବସରରେ ଏମ୍‌ସ ଭୁବନେଶ୍ୱର ଡିନ୍‌ ଡ. ପି ଆର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । 

ରେଡିଓଡାଇଗ୍ନୋସିସ୍ ବିଭାଗ ମୁଖ୍ୟ ଡ. ଏନ୍‌ ଦୀପ୍‌ ବାଗ୍‌, ଡ. ସୁପ୍ରଭା ନାଏକଙ୍କ ସମେତ ଆୟୋଜନ କମିଟି ସଚିବ ଡ. ସୁଦୀପ୍ତା ମହାକୁଡ଼, ଡ. ମନୋଜ ନାୟକ, ଡ. ରଂଜନ ପଟେଲ ଏବଂ ଡ. ତାରା ପ୍ରସାଦ ତ୍ରିପାଠୀ ପ୍ରମୁଖଙ୍କ ତତ୍ତ୍ବାବଧାନରେ ଏହି ସମ୍ମିଳନୀ ସଂପାଦିତ ହୋଇଥିଲା । ଉଲ୍ଲେଖଯୋଗ୍ୟଯେ ବିଭିନ୍ନ ପ୍ରକାରର ରେଡିଓଡାଇଗ୍ନୋସିସ୍‌ ନିମନ୍ତେ ଜନସାଧାରଣଙ୍କୁ ଘରୋଇ ଡାକ୍ତରଖାନାରେ ଅଧିକ ମୂଲ୍ୟ ଦେବାକୁ ପଡିଥାଏ କିମ୍ବା ରାଜ୍ୟ ବାହାରକୁ ଯିବାକୁ ପଡିଥାଏ । ମାତ୍ର ସାମ୍ପ୍ରତିକ ବର୍ଷଗୁଡିକରେ, ଏମ୍‌ସ ଭୁବନେଶ୍ୱର ରେଡିଓଲୋଜି ବିଭାଗରେ କାର୍ଯ୍ୟରତ ଦକ୍ଷ, ଯୁବ ଚିକିତ୍ସକଙ୍କ ଦ୍ବାରା ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ସହିତ ବିଭିନ୍ନ ଜଟିଳ ରୋଗର ସରଳ ଚିକିତ୍ସା ପଦ୍ଧତି ହାତକୁ ନିଆଯାଉଛି । ଏହା ଫଳରେ ସାଧାରଣଲୋକଙ୍କୁ ଏମ୍‌ସରେ ଯଥେଷ୍ଟ ଉପକାର ମିଳୁଛି ।

ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷ ପାଇଁ ଖୁସି ଖବର ଓ ମୁସଲିମ ପକ୍ଷକୁ ପୁଣି ଝଟକା ।

 ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷ ପାଇଁ ଖୁସି ଖବର ଓ ମୁସଲିମ ପକ୍ଷକୁ ପୁଣି ଝଟକା । 



ବାରଣାସୀ - ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷ ପାଇଁ ଖୁସି ଖବର ଓ ମୁସଲିମ ପକ୍ଷକୁ ପୁଣି ଝଟକା । ସପ୍ତଦଶ ଶତାବ୍ଦୀରେ ଜ୍ଞାନବାପି ମସ୍‌ଜିଦ ନିର୍ମାଣ ପୂର୍ବରୁ ସେଠାରେ ମନ୍ଦିର ଥିଲା କି ନାହିଁ, ତାହା ନିଶ୍ଚିତ କରିବା ପାଇଁ ମସ୍‌ଜିଦ ପରିସରରେ ବିଜ୍ଞାନ ସମ୍ମତ ସର୍ଭେ କରିବାକୁ ଆଲ୍ଲାହାବାଦ ହାଇକୋର୍ଟ ରାୟ ଦେଇଥିଲେ । ଏହା ଉପରେ ସ୍ଥଗିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି । 

ତେବେ ସର୍ଭେ ସମୟରେ ମସ୍‌ଜିଦ ପରିସରରେ ଯେପରି କୌଣସି କ୍ଷତି ନ ହୁଏ, ତାହା ଦେଖିବା ପାଇଁ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି । 

ସର୍ଭେ ବେଳେ କୌଣସି ଖନନ କିମ୍ବା ମସ୍‌ଜିଦ ଢାଞ୍ଚା ପ୍ରତି କ୍ଷତି ପହଞ୍ଚବା ଭଳି କିଛି କାର୍ଯ୍ୟ କରାଯିବ ନାହିଁ ବୋଲି ଏଏସ୍‌ଆଇ ଏବଂ ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଦାଲତଙ୍କୁ କହିଥିଲେ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମୁସଲମାନ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତକାଲିଠାରୁ ଏଏସଆଇ ସର୍ଭେ ଆରମ୍ଭ ହୋଇଛି । ଘଣ୍ଟାଘଣ୍ଟା ଧରି ମସଜିଦ ଭିତରେ ସର୍ଭେ କରିଥିଲେ ଏଏସଆଇ ଟିମ୍ ।

ତୁଚ୍ଛ ହେଲା ରକ୍ତ ସମ୍ପର୍କ ଭାଇକୁ ହତ୍ୟା କଲା ଭାଇ

 ତୁଚ୍ଛ ହେଲା ରକ୍ତ ସମ୍ପର୍କ ଭାଇକୁ ହତ୍ୟା କଲା ଭାଇ 



ଢେଙ୍କାନାଳ - ତୁଚ୍ଛ ହେଲା ରକ୍ତ ସମ୍ପର୍କ। ସାନ ଭାଇକୁ ଜଣେ ବ୍ୟକ୍ତି କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ସୋଗରପଷୀ ଦେହୁରୀ ସାହିରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଅଭୟ ଦେହୁରୀ। ପୁଲିସ ପ୍ରଶାନ୍ତ ଦେହୁରୀଙ୍କୁ ଗିରଫ କରି ପଚରାଉଚରା କରୁଛି।

ଗତକାଲି ସନ୍ଧ୍ୟା ସମୟରେ ଅଭୟ କୋଠ ଘରୁ ଘରକୁ ଫେରୁଥିଲେ। ଏହି ସମୟରେ ବାଟରେ ଅଭୟଙ୍କୁ କଟୁରୀରେ ଆକ୍ରମଣ କରିଥିଲେ ପ୍ରଶାନ୍ତ। ସ୍ଥାନୀୟ ଲୋକେ ଅଭୟଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ପ୍ରଶାନ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି।

କେଉଁ କାରଣ ପାଇଁ ପ୍ରଶାନ୍ତ ଅଭୟଙ୍କୁ ହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ। ଅଭୟଙ୍କ ସହ ପ୍ରଶାନ୍ତଙ୍କର କୌଣସି ପୂର୍ବ ଶତ୍ରୁତା ନଥିବା ପରିବାର ଲୋକେ କହିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Friday, August 4, 2023

ରାଜସ୍ଥାନ ହେଲା ୫୦ ଜିଲା ୧୦ ଡିଭିଜନ ବିଶିଷ୍ଟ ରାଜ୍ୟ

 ରାଜସ୍ଥାନ ହେଲା ୫୦ ଜିଲା ୧୦ ଡିଭିଜନ ବିଶିଷ୍ଟ ରାଜ୍ୟ




 

ଜୟପୁର,୪।୮: ନିର୍ବାଚନ ବର୍ଷରେ ବଜେଟ ସମୟରେ ରାଜ୍ୟରେ ୧୯ଟି ନଆ ଜିଲା ଏବଂ ତିନୋଟି ନୂତନ ଡିଭିଜନ ଗଠନ କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଘୋଷଣା କରିଥିଲେ। ବର୍ତ୍ତମାନ ଗେହଲୋଟ କ୍ୟାବିନେଟ ଏହି ନୂଆ ଜିଲା ଏବଂ ଡିଭିଜନଗୁଡ଼ିକୁ ଅନୁମୋଦନ କରିଛ। ଏହାପରେ ଏବେ ରାଜସ୍ଥାନ ୫୦ଟି ଜିଲା ଏବଂ ୧୦ଟି ଡିଭିଜନ ସହିତ ଏକ ରାଜ୍ୟ ହୋଇପାରିଛି। ଅଗଷ୍ଟ ୭ରେ ନୂତନ ଜିଲା ପ୍ରତିଷ୍ଠା ହେବ। ଏହା ସହିତ ସର୍ବଧର୍ମ ସଭା ଏବଂ ପୂଜା ପାଠ ମଧ୍ୟ କରାଯିବ।

ଏଥି ସହିତ ଜୟପୁରର ଦୁଇ ଭାଗରେ ଚାଲିଥିବା ବିବାଦ ମଧ୍ୟ ବର୍ତ୍ତମାନ ବନ୍ଦ ହୋଇଯାଇଛି। ବାସ୍ତବରେ ଜୟପୁରକୁ ଦୁଇ ଭାଗରେ ବିଭକ୍ତ କରି ଜୟପୁର ସହର ଏବଂ ଜୟପୁର ଗ୍ରାମୀଣ ଦୁଇଟି ନୂତନ ଜିଲା ଭାବରେ ସୃଷ୍ଟି ହୋଇଛି। ସେହିଭଳି ଯୋଧପୁର ସହର ଏବଂ ଯୋଧପୁର ଗ୍ରାମୀଣ ମଧ୍ୟ ଅଲଗା ହୋଇ ଦୁଇଟି ନୂତନ ଜିଲା ଗଠନ କରାଯାଇଛି। ଅନ୍ୟପକ୍ଷରେ, ଡୁଡୁକୁ ନେଇ ମଧ୍ୟ ଗେହଲୋଟଙ୍କ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଜୟପୁର ଗ୍ରାମ୍ୟରେ ଡୁଡୁରେ ଅନ୍ତର୍ଭୂକ୍ତ ହେବାକୁ ଚାହୁଁ ନ ଥିବା ଅଞ୍ଚଳକୁ ଯୋଡି କ୍ୟାବିନେଟ ଡୁଡୁକୁ ଏକ ଅଲଗା ଜିଲା କରିପାରିଛି। ଏହା ପରେ ଡୁଡୁ ରାଜସ୍ଥାନର ସବୁଠାରୁ ଛୋଟ ଜିଲା ହୋଇପାରିଛି। ଏହା ପୂର୍ବରୁ ଧୋଲପୁର ରାଜସ୍ଥାନର ସବୁଠାରୁ ଛୋଟ ଜିଲା ଥିଲା।

ମୋଦି ସରନେମ୍‌ ମାମଲାରେ ରାହୁଲ ଗାନ୍ଧିଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ମୋଦି ସରନେମ ମାନହାନୀ ମାମଲାରେ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଗୁଜରାଟର ସୁରଟ ସେସନ କୋର୍ଟ ରାହୁଲଙ୍କୁ ୨ ବର୍ଷର ଦଣ୍ଡାଦେଶ ଶୁଣାଇଥିବା ବେଳେ ଏହା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ।

ମୋଦି ସରନେମ୍‌ ମାମଲାରେ ରାହୁଲ ଗାନ୍ଧିଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ମୋଦି ସରନେମ ମାନହାନୀ ମାମଲାରେ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଗୁଜରାଟର ସୁରଟ ସେସନ କୋର୍ଟ ରାହୁଲଙ୍କୁ ୨ ବର୍ଷର ଦଣ୍ଡାଦେଶ ଶୁଣାଇଥିବା ବେଳେ ଏହା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ।



ନୂଆଦିଲ୍ଲୀ: ‘ମୋଦୀ ସାଙ୍ଗିଆ’ ଟିପ୍ପଣୀ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ପ୍ରତି ‌ହୋଇଥିବା ଦଣ୍ଡାଦେଶ ଉପରେ ଆଜି ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିଛନ୍ତି।

ରାୟ ଶୁଣାଇ ସୁପ୍ରିମ୍‌ କୋର୍ଟ କହିଛନ୍ତି, ଏହି ମାମଲାରେ ‘ଟ୍ରାଏଲ୍‌ ଜଜ୍‌’ ସର୍ବାଧିକ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି, କିନ୍ତୁ ଦଣ୍ଡାଦେଶ ଗୋଟିଏ ଦିନ କମ୍‌ ହୋଇଥିଲେ ସେ ଅଯୋଗ୍ୟ ଘୋଷିତ ହୋଇ ନ ଥାନ୍ତେ। କିନ୍ତୁ, ‘ଟ୍ରାଏଲ୍‌ ଜଜ୍‌’ ସର୍ବାଧିକ ଦଣ୍ଡାଦେଶ ଦିଆଯିବାର କାରଣ ଦର୍ଶାଇ ନାହାନ୍ତି। ତେଣୁ, ଚୂଡ଼ାନ୍ତ ବିଚାର ହେବା ପର୍ଯ୍ୟନ୍ତ ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି ରହିଲା।

ସୁପ୍ରିମ୍‌ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଏକଥା ନିଃସନ୍ଦେହ ଯେ, ଆବେଦନକାରୀ ଦେଇଥିବା ଟିପ୍ପଣୀ ରୁଚିକର ନୁହେଁ। ଭାଷଣ ଦେବା ବେଳେ ଆବେଦନକାରୀ ଅଧିକ ସାବଧାନତା ଅବଲମ୍ବନ କରିବା ଉଚିତ।

କିନ୍ତୁ, ଅଯୋଗ୍ୟତାର ପରିଣାମ କେବଳ ବ୍ୟକ୍ତି ଅଧିକାରକୁ ପ୍ରଭାବିତ କରୁନାହିଁ ଭୋଟର୍‌ମାନଙ୍କୁ ବି ପ୍ରଭାବିତ କରୁଛି ବୋଲି ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ବିଚାରପତି ବି.ଆର୍‌. ଗୱାଇ, ପି. ଏସ୍‌. ନରସିଂହ ଓ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବା ପାଇଁ ରାହୁଲ୍‌ ଗାନ୍ଧୀ କରିଥିବା ଆବେଦନର ଶୁଣାଣି କରୁଥିଲେ।

ସୁରତ ଅଦାଲତ ଦେଇଥିବା ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବାକୁ ପୂର୍ବରୁ ଗୁଜରାଟ ହାଇକୋର୍ଟ ଅଗ୍ରାହ୍ୟ କରିଥିଲେ।

ରାହୁଲ୍‌ଙ୍କ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଡ୍‌ଭୋକେଟ୍‌ ଅଭିଷେକ ମନୁ ସିଂହୱି କହିଲେ ଯେ, ବିଚାର ଶେଷ କରାଯାଇ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। କିନ୍ତୁ, ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ପ୍ରମାଣ ମିଳିନାହିଁ।

ସିଂହୱି ଯୁକ୍ତି ବାଢ଼ିଥିଲେ ଯେ, ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀଙ୍କ ମୂଳ ସାଙ୍ଗିଆ ‘ମୋଦୀ’ ନ ଥିଲା। ସେ ସାଙ୍ଗିଆ ପରିବର୍ତ୍ତନ କରି ‘ମୋଦୀ’ କରିଛନ୍ତି। ସେ ନିଜେ ମଧ୍ୟ କହିଛନ୍ତି ଯେ, ସେ ‘ମୋଧ ବଣିକ ସମାଜ’ ସମ୍ପ୍ରଦାୟର। କିନ୍ତୁ, ଭାଷଣରେ ରାହୁଲ୍‌ ‘ମୋଧ ବଣିକ ସମାଜ’ ସମ୍ପ୍ରଦାୟର କାହାରି ନାଁ ଧରି ନାହାନ୍ତି।

ଅଦ୍ଭୁତ ପ୍ରାଣୀ

 ଅଦ୍ଭୁତ ପ୍ରାଣୀ




ଦୁନିଆରେ ଏତେ ଅଦ୍ଭୁତ ପ୍ରାଣୀ ଅଛନ୍ତି, ଯାହାକୁ ଦେଖିଲେ ଆଖିକୁ ବିଶ୍ୱାସ କରି ହୁଏନା। ବେଳେବେଳେ ସୋସିଆଲ ମିଡିଆରେ ଏପରି ଚମତ୍କାରୀ ଜୀବଙ୍କ ଫଟୋ କିମ୍ବା ଭିଡିଓ ଭାଇରାଲ ହୋଇଥାଏ। ସେତେବେଳେ ଲୋକେ ଭାବନ୍ତି ଦୁନିଆରେ ଏପରି ଜୀବ ଅଛନ୍ତି ସତରେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଜୀବର ଭିଡିଓ ଭାଇରାଲ ହେଉଛି। ଯାହା ଏକ ମାଛର ଭିଡିଓ। ଏହି ମାଛଟି ପୂରା କାଚ ପରି ସ୍ବଚ୍ଛ।

@ThebestFigen ନାମକ ଏକ ଟୁଇଟର ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏହାକୁ ଧରିଥିବା ବ୍ୟକ୍ତି ଜଣକ ତାଙ୍କ ଆଙ୍ଗୁଠିରେ ମାଛ ଦେଖାଉଛନ୍ତି। ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି ମାଛର ଶରୀରର କୌଣସି ଅଂଶ ଦେଖାଯାଉନାହିଁ। କେବଳ ଆଖି ଦେଖାଯାଉଛି। ବ୍ୟକ୍ତି ଜଣକ ମଧ୍ୟ ମାଛକୁ ନିଜ ହାତରେ ବୁଲାଇ ଦେଖାନ୍ତି, ତଥାପି କିଛି ଦେଖାଯାଉନାହିଁି।

ଏହି ଭିଡିଓଟି ୧୪ଲକ୍ଷରୁ ଅଧିକ ଭ୍ୟୁ ପାଇଥିବା ବେଳେ ଅନେକ ଲୋକ ମନ୍ତବ୍ୟ ଜରିଆରେ ନିଜର ମତାମତ ଦେଇଛନ୍ତି। ଜଣେ ପଚାରିଛନ୍ତି, ଏହି ମାଛ କୌଣସି ଅଙ୍ଗ ବିନା କିପରି ଜୀବନ୍ତ? ଆଉ ଜଣେ ୟୁଜର କହିଛନ୍ତି, ଯଦି ଏକ ବଡ଼ ଶିକାରୀ ପ୍ରାଣୀ ଏହିପରି ସ୍ବଚ୍ଛ ହୋଇଯାଏ ତେବେ କ’ଣ ହେବ? ସେହିପରି କିଛି ଲୋକ ଭିଡିଓ ଉପରେ ସନ୍ଦେହ କରି ମାଛକୁ ନକଲି ବୋଲି କହିଛନ୍ତି। ଏହି ମାଛର ନାମ କେହି କହିବାକୁ ସକ୍ଷମ ନୁହନ୍ତି। ନ୍ୟାଶନାଲ ଜିଓଗ୍ରାଫିକ୍‌ର ଏକ ୟୁଟ୍ୟୁବ ଭିଡିଓ ଏବଂ ମୋଣ୍ଟେରୀ ଓ୍ବେ ଆକ୍ୱାରିୟମର ଏକ ରିପୋର୍ଟ ଅନୁଯାୟୀ, ପ୍ରକୃତିରେ ଏକ ସ୍ବଚ୍ଛ ମାଛ ଅଛି, ଯାହାକୁ ବାରେଲି ମାଛ କୁହାଯାଏ। କିନ୍ତୁ ଏହା ଏହି ଭିଡିଓରେ ଦେଖାଯାଇଥିବା ମାଛଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ଦିଲ୍ଲୀ ସର୍ଭିସ ବିଲକୁ ସମର୍ଥନ ଦେଇ ବିଜେଡି ଏବେ ହରଡ଼ଘଣାରେ

 ଦିଲ୍ଲୀ ସର୍ଭିସ ବିଲକୁ ସମର୍ଥନ ଦେଇ ବିଜେଡି ଏବେ ହରଡ଼ଘଣାରେ



ଭୁବନେଶ୍ବର - ଦିଲ୍ଲୀ ସର୍ଭିସ ବିଲକୁ ସମର୍ଥନ ଦେଇ ବିଜେଡି ଏବେ ହରଡ଼ଘଣାରେ । ଜାତୀୟସ୍ତରରେ ବିଜେଡିକୁ ତୀବ୍ର ସମାଲୋଚନା ହେଉଥିବାବେଳେ ଦଳ ଭିତରେ ବି ଚାପା ଅସନ୍ତୋଷ ବଢ଼ିବାରେ ଲାଗିଛି । ରାଜ୍ୟରେ ବିଜେପି ବିରୁଦ୍ଧରେ ବିଜେଡି ଲଢ଼େଇ କରୁଥିବାବେଳେ ଦିଲ୍ଲୀ ବିଲ୍ ଓ ଅନାସ୍ଥା ପ୍ରସ୍ତାବ ଉପରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଏଭଳି ଅଯାଚିତ ସମର୍ଥନ ଯୋଗୁ ବିଜେଡିର ନେତା ଓ ସମର୍ଥକମାନଙ୍କ ଚାପା ଅସନ୍ତୋଷ ଦେଖାଦେଇଛି । ଯେଉଁଥିପାଇଁ ଦଳ ପକ୍ଷରୁ ଆଜି ସ୍ପଷ୍ଟୀକରଣ ଦିଆଯାଇଥିବା ଜଣାପଡ଼ିଛି ।

ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି ଯେ, ଦିଲ୍ଲୀ ବିଲକୁ ସାମ୍ବିଧାନିକ ଦୃଷ୍ଟିକୋଣରୁ ବିଜେଡି ସମର୍ଥନ କରିଛି । ଏହା ବିଜେପିକୁ ସମର୍ଥନ ନୁହେଁ ବରଂ ଏକ ବିଲକୁ କାର୍ଯ୍ୟକାରୀ କରିବା ପାଇଁ ସଂସଦର କ୍ଷମତାକୁ ବିଜେଡି ସମର୍ଥନ  ଦେଇଛି । ସମ୍ବିଧାନର ଧାରା ୨୩୯(କକ)ରେ ସଂସଦକୁ ଦିଲ୍ଲୀ ମାମଲାରେ ଆଇନ ପ୍ରଣୟନ କରିବାର କ୍ଷମତା ମିଳିଛି । ତେଣୁ ବିଜେପିକୁ ତାଙ୍କ ଦଳ ଖୋଲା ସମର୍ଥନ କରୁନି । ରାଜ୍ୟରେ ବିଜେପି ହିଁ ବିଜେଡିର ପ୍ରମୁଖ ବିରୋଧୀ । ଓଡ଼ିଶାରେ କଂଗ୍ରେସ ସମ୍ପୂର୍ଣ୍ଣ ମୂଳପୋଛ ହୋଇଗଲାଣି । କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ୱ ନୀତିରେ ବିଜେଡି କାଏମ ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ତେବେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିର୍ବାଚନୀ ବର୍ଷରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ସୁହାଇବା ଭଳି ସମର୍ଥନ ଦେବାକୁ ନେଇ ବିଜେଡିରେ ଅସନ୍ତୋଷ ଦେଖାଦେଇଛି । ଦଳର ବରିଷ୍ଠ ନେତାମାନେ ଏହାକୁ ନାପସନ୍ଦ କରିଛନ୍ତି । ଯଦିଓ ଦଳୀୟ ପ୍ରସଙ୍ଗରେ ବିଜେଡି ନେତୃତ୍ୱଙ୍କ ସମସ୍ତ ନିଷ୍ପତ୍ତିକୁ ଦଳର କର୍ମୀ ଓ ନେତାମାନେ ମାନିବାକୁ ବାଧ୍ୟ । ମାତ୍ର ନିର୍ବାଚନୀ ବର୍ଷରେ ରାଜ୍ୟରେ ତୃଣମୂଳସ୍ତରରେ ବିଜେପି ସହ ବିଜେଡି ଲଢ଼ୁଥିବାବେଳେ ଏପରି ନିଷ୍ପତ୍ତି ଯୋଗୁ ସାଧାରଣ ଭୋଟରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ସେହି ଦ୍ୱନ୍ଦ୍ୱକୁ ଦୂର କରିବାକୁ ବିଜେଡି କର୍ମୀ ଓ ନେତାମାନଙ୍କୁ ବେଶ୍ ପରିଶ୍ରମ କରିବାକୁ ପଡ଼ିବ ବୋଲି ଦଳୀୟ ନେତାମାନେ ଆଶଙ୍କା କରୁଛନ୍ତି । ସମ୍ଭବତଃ ଦଳ ଭିତରେ ବଢ଼ୁଥିବା ଆକ୍ରୋଶ ଓ ଜାତୀୟସ୍ତରରେ ବିଜେଡିର ସୁବିଧାବାଦୀ ଚରିତ୍ରକୁ ନେଇ ହେଉଥିବା ସମାଲୋଚନା ଯୋଗୁ ବିଜେଡି ବାଧ୍ୟ ହୋଇ ସ୍ପଷ୍ଠୀକରଣ ରଖିଛି ବୋଲି ଚର୍ଚ୍ଚା ।

ଆଜି ଭୁବନେଶ୍ୱର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଜି ଭୁବନେଶ୍ୱର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ



ଭୁବନେଶ୍ବର - ଆଜି ଭୁବନେଶ୍ୱର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରାତି ୧୦ଟା ୪୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଶନିବାର ଶାହଙ୍କର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରହିଛି। ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହାସହ ନକ୍ସଲ୍ ଦମନ ଓ ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ।


ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ। ଯେଉଁଠି ଦଳୀୟ ସଂଗଠନର ସ୍ଥିତି ଓ ପୂର୍ବରୁ ଦିଆଯାଇଥିବା ଟାସ୍କ କେତେ ଦୂର କାର୍ଯ୍ୟକାରୀ ହୋଇଛି ସେ ସଂପର୍କରେ ସମୀକ୍ଷା କରିବେ ଶାହ।


୨୦୨୪ ସାଧାରଣ ନିର୍ବାଚନ ଉପରେ ଫୋକସ୍ କରି ଆଗାମୀ ଦିନରେ ବିଜେପିର ରୋଡମ୍ୟାପ୍ ନେଇ ବି ମାନସ ମନ୍ଥନ ହେବ। ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ଶାହଙ୍କ ଏହି ଗସ୍ତ ବିଜେପି ପାଇଁ କେତେ ସହାୟକ ହେବ ତା’ଉପରେ ନଜର ରହିଛି।

ଆଗକୁ ମୋଦି ଜୀଙ୍କର କୌଣସି କଥାରେ ବିଶ୍ୱାସ କରିବେନି’- କେଜରିୱାଲ

 ‘ଆଗକୁ ମୋଦି ଜୀଙ୍କର କୌଣସି କଥାରେ ବିଶ୍ୱାସ କରିବେନି’- କେଜରିୱାଲ 



 

ନୂଆଦିଲ୍ଲୀ,୪।୮: ଦିଲ୍ଲୀର ସେବା ପ୍ରଶାସନକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିଲ୍‌ ଲୋକ ସଭାରେ ଗୃହୀତ ହୋଇଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଏହା ଉପରେ ଆସି ସେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ମୁଖ୍ୟମନ୍ତ୍ରୀ କେଜ୍‌ରିୱାଲ ଟୁଇଟ୍‌ କରି କହିଛନ୍ତି ଯେ, ପ୍ରତ୍ୟେକ ଥର ଭାଜପା ପ୍ରତିଶ୍ରୁତି ଦେଇଛି ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ପ୍ରଦାନ କରିବ। ୨୦୧୪ରେ ମୋଦି ନିଜେ କହିଥିଲେ ପ୍ରଧାନମନ୍ତ୍ରୀ ହେବା ପରେ ସେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ପ୍ରଦାନ କରିବେ। କିନ୍ତୁ ଆଜି ଏହି ଲୋକମାନେ ଦିଲ୍ଲୀର ଲୋକଙ୍କୁ ପଛପଟୁ ଛୁରି ମାରିଛନ୍ତି। ଆଗକୁ ମୋଦି ଜୀଙ୍କର କୌଣସି କଥାରେ ବିଶ୍ୱାସ କରନ୍ତୁନି।

ଦିଲ୍ଲୀର ପ୍ରଶାସନିକ ଅଧିକାରୀମାନଙ୍କ ନିଯୁକ୍ତି ଓ ବଦଳି କ୍ଷମତା ଦିଲ୍ଲୀ ସରକାରଙ୍କର ରହିଛି ବୋଲି ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ଅକାମୀ କରିବା ଲାଗି କେନ୍ଦ୍ର ସରକାର ଗତ ମେ’ ୧୯ରେ ଅଧ୍ୟାଦେଶ ଲଗାଇଥିଲେ। ଅଧ୍ୟାଦେଶ ଉପରେ ସ୍ଥଗିତାଦେଶ ଜାରି ପାଇଁ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଅଦାଲତ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ବିଲ୍‌ ଅନୁଯାୟୀ ଜାତୀୟ ରାଜଧାନୀ ସିଭିଲ୍‌ ସର୍ଭିସେସ୍‌ ଅଥରିଟିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଦିଲ୍ଲୀ ମୁଖ୍ୟ ସଚିବ ଏବଂ ଦିଲ୍ଲୀ ଗୃହ ସଚିବ ରହିବେ। ଦିଲ୍ଲୀର ଅଫିସରମାନଙ୍କ ନିଯୁକ୍ତି, ବଦଳି ପାଇଁ ଉକ୍ତ ଅଥରିଟି ଉପରାଜ୍ୟପାଳଙ୍କୁ ସୁପାରିସ କରିବେ। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା କ୍ଷମତା ଉପରାଜ୍ୟପାଳଙ୍କୁ ଦିଆଯାଇଛି।

Wednesday, August 2, 2023

ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍

ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍




ଭୁବନେଶ୍ବରବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ୍ । ହାଇକୋର୍ଟରୁ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ଦୁଇଟି ମାମଲାରେ ତାଙ୍କୁ ଜାମିନ ମିଳିଛି । ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିଛି । ତଦନ୍ତରେ ସହଯୋଗ କରିବାକୁ ସର୍ତ୍ତ ରଖାଯାଇଛି । ମାମଲାକୁ ନେଇ ବାହାରେ ସେ କିଛି ପ୍ରତିକ୍ରିୟା ରଖିପାରିବେନି ।

କୋଷ୍ଟାଲ ନ୍ୟୁଜ ସକ୍ଷିପ୍ତ ସମ୍ବାଦ

  •  କୋଷ୍ଟାଲ ନ୍ୟୁଜ ସକ୍ଷିପ୍ତ ସମ୍ବାଦ 



ଲଗାଣ ବର୍ଷା ଜାରି, ୧୪ ଜିଲାରେ ଛୁଟି ଘୋଷଣା


ଢ଼େଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, କଳାହାଣ୍ଡି, ସମ୍ବଲପୁର, ନୂଆପଡ଼ା, ବୌଦ୍ଧ, ଦେବଗଡ଼, କନ୍ଧମାଳ, ବାଲେଶ୍ବର, କେନ୍ଦୁଝର ଓ ବଲାଙ୍ଗୀର, ନୟାଗଡ଼, ସୁବର୍ଣ୍ଣପୂର ଜିଲାରେ ସମସ୍ତ ଅଙ୍ଗନବାଡ଼ି ଓ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା..


ପ୍ରବଳ ବର୍ଷା ନେଇ କଟକ ଓ ଭୁବନେଶ୍ୱରକୁ ସତର୍କ ସୂଚନା, ଗତକାଲି ରାତିରୁ ଚାଲିଛି ବର୍ଷା..


ତଳିଆ ଅଂଚଳରେ ପାଣି ଜମିବା ଓ ଟ୍ରାଫିକ ସମସ୍ୟା ନେଇ ସତର୍କ କରାଇଲା ଆଞ୍ଚଳିକ ପାଣିପାଗ ବିଭାଗ..


ପ୍ରବଳ ବର୍ଷା ଯୋଗୁ ବଲାଙ୍ଗୀର ଜିଲ୍ଲାରେ ଆଜି ଓ ଆସନ୍ତାକାଲି ବନ୍ଦ ରହିବ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର, ନିର୍ଦ୍ଦେଶ ଜାରି କଲେ ଜିଲ୍ଲାପାଳ..


ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝରରେ ଆଜି ପାଇଁ ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ..


ଟ୍ୱିନ ସିଟିକୁ ବର୍ଷା ସତର୍କତା: ଆଜି ମଧ୍ୟ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ସୂଚନା ଦେଲା ପାଣିପାଗ ବିଭାଗ..


ସୁବର୍ଣ୍ଣପୂର ଜିଲାରେ ସମସ୍ତ ଅଙ୍ଗନବାଡ଼ି ଓ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା..


ସୋର : ପୋଖରୀ ଭିତରେ ପଶିଗଲା କାର ..


ଅଳ୍ପକେ ବର୍ତ୍ତିଲେ ୫ ଜଣ..


କାର ଭିତରୁ ୫ ଜଣଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ..


୪ ଜଣ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି, ଜଣେ ଗୁରୁତର ଥିବା ସୂଚନା..


ଲଘୁଚାପ ବର୍ଷା : ସାରା ରାଜ୍ୟରେ ପ୍ରବଳ ବର୍ଷିବ; ୪ ଜିଲାକୁ ରେର୍ଡ଼ ଆଲର୍ଟ; ୯ ଜିଲାକୁ ଅରେଞ୍ଜ ୱାର୍ଣ୍ଣି..


କେନ୍ଦୁଝର : ଜୁଡ଼ିଆ ଘାଟିରେ ଭୂସ୍ଖଳନ..


ରେଳୱେ ଇଞ୍ଜିନ ଲାଇନ୍‌ଚ୍ୟୁତ୍‌ .. ଅନୁଗୂଳ ମାଲବାହୀ ଟ୍ରେନ୍‌ ଉପରେ ପାହାଡ଼ରୁ ଖସିଲା ପଥର..


ରାଉରକେଲାରୁ ସମ୍ବଲପୁର ଅଭିମୁଖେ ଯାଉଥିବାବେଳେ ଘଟିଲା ଅଘଟଣ..


ରେଳବାଇ କର୍ମଚାରୀ ସୁରକ୍ଷିତ..


ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ସୂଚନା..


ଲଗାଣ ବର୍ଷା ଜାରି..


୧୩ ଜିଲାରେ ଛୁଟି ଘୋଷଣା ..


ଢ଼େଙ୍କାନାଳ, ଅନୁଗୂଳ, ମୟୂରଭଞ୍ଜ, କଳାହାଣ୍ଡି, ସମ୍ବଲପୁର, ନୂଆପଡ଼ା, ବୌଦ୍ଧ, କନ୍ଧମାଳ, ବାଲେଶ୍ବର, କେନ୍ଦୁଝର ଓ ବଲାଙ୍ଗୀର, ନୟାଗଡ଼, ସୁବର୍ଣ୍ଣପୂର ଜିଲାରେ ସମସ୍ତ ଅଙ୍ଗନବାଡ଼ି ଓ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା..


ଲଗାଣ ବର୍ଷାର ସ୍ଥିତି ନେଇ ଏସ୍‌ଆରସିଙ୍କ ସମୀକ୍ଷା..


ପ୍ରସିଦ୍ଧ ନିର୍ଦେଶକ ନିତିନ ଚନ୍ଦ୍ରକାନ୍ତ ଦେଶାଇଙ୍କ ଆତ୍ମହତ୍ୟା..


ଲଗାଣ ବର୍ଷା : ଦେବଗଡ଼ରେ ଜିଲାରେ ସମସ୍ତ ଅଙ୍ଗନବାଡ଼ି ଓ ବିଦ୍ୟାଳୟ ଦୁଇ ଦିନ ଛୁଟି ଘୋଷଣା ସୂଚନା..


ନିକୋବର ଦ୍ୱୀପରେ ଭୂକମ୍ପ ଝଟକା

ରାସ୍ତା ନଥିବାରୁ ଭାରରେ ବୁହା ହେଲେ ଗର୍ଭବତୀ

 ରାସ୍ତା ନଥିବାରୁ ଭାରରେ ବୁହା ହେଲେ ଗର୍ଭବତୀ 



ଦଶମନ୍ତପୁର : ରାସ୍ତା ଖରାପ ଯୋଗୁ ଗାଁକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ଝଡ ବର୍ଷାରେ ୨ କିମି ଭାରରେ ବୁହା ହେବାପରେ ଆମ୍ବୁଲାନ୍ସରେ ଡାକ୍ତରଖାନା ଗଲେ ଗର୍ଭବତୀ। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲା ପଞ୍ଚାୟତ ଅଧୀନ ତେଙ୍ଗଡାସିଲ୍‌ ଗାଁରେ ମଙ୍ଗଳବାର ଏଭଳି ଜନନୀ ଯନ୍ତ୍ରଣାର ଦୃଶ୍ୟ ସାମ୍ନାକୁ ଆସିଛି। ମଙ୍ଗଳବାର ପୂର୍ବାହ୍ନରେ ଗାଁର ପ୍ରଫୁଲ୍ଲ ଗୌଡ଼ଙ୍କ ସ୍ତ୍ରୀ ମାୟାବତୀ (୨୫)ଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଗର୍ଭକୁ ମାତ୍ର ୬ମାସ ହୋଇଥିବାରୁ ସେମାନେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ। ଏହାପରେ ତାଙ୍କ ପାଟିରୁ ରକ୍ତସ୍ରାବ ହୋଇଥିଲା। ଏ ସମ୍ପର୍କରେ ପ୍ରଫୁଲ୍ଲ ଗ୍ରାମର ଆଶାକର୍ମୀଙ୍କୁ ଜଣାଇଥିଲେ। ଆଶାକର୍ମୀ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଗାଁ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଗ୍ରାମଠାରୁ ୨ କି.ମି. ଦୂର କେମିଲି ବେଢ଼ାପଦର ଗ୍ରାମ ଛକଠାରେ ଅପେକ୍ଷା କରିଥିଲା। ବର୍ଷା ପ୍ରବଳ ହେଉଥିବା ସତ୍ତ୍ୱେ ବାଧ୍ୟ ହୋଇ ଗ୍ରାମର ଗୋକୁଳ ଗୌଡ଼ ଓ ଅନ୍ୟମାନେ ଏକ ଭାରରେ ମାୟାବତୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ତାଙ୍କୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଛି। ଏବେ ମାୟବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି।

ପ୍ରବଳ ବର୍ଷା ଯୋଗୁ ଭାରସାମ୍ୟ ହରାଇ ପୋଖରୀରେ ପଶିଗଲା କାର୍‌

 ପ୍ରବଳ ବର୍ଷା ଯୋଗୁ ଭାରସାମ୍ୟ ହରାଇ ପୋଖରୀରେ ପଶିଗଲା କାର୍‌



ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାର୍କୋଣା ବଜାର ସାହି ନିକଟରେ ଆଜି ସକାଳୁ ସକାଳୁ ଘଟିଛି ଅଘଟଣ । ପ୍ରବଳ ବର୍ଷା ଯୋଗୁ ଭାରସାମ୍ୟ ହରାଇ ନିକଟସ୍ଥ ପୋଖରୀରେ ଏକ କାର୍‌ ପଶି ଯାଇଥିବା ଜଣାଯାଇଛି। ତେବେ କାର୍‌ରେ ଥିବା ୫ ଜଣଙ୍କୁ ସ୍ଥାନୀୟ ଲୋକେ ବହୁ ପରିଶ୍ରମ କରି ବାହାର କରିଥିବା ଜଣାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। 

 ଆଜି ଭୋରୁ ଏକ କାର୍‌ରେ ୫ ଯୁବକ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିଲେ।  ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାର୍କୋଣା ବଜାର ସାହି ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଦଳ ପୋଖରୀ ଭିତରେ ପଶି ଯାଇଥିଲା। ଉକ୍ତ ସମୟରେ କାର୍‌ରେ ଥିବା ଯୁବକଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ପହଞ୍ଚିଥିଲେ। ଏହାପରେ ସେମାନେ ବହୁ କଷ୍ଟ କରି କାର୍‌ର କାଚ ଭାଙ୍ଗି ସମସ୍ତ ୫ ଜଣଙ୍କୁ ଉଦ୍ଧାର କରିଥିଲେ।    

ସମସ୍ତଙ୍କୁ ପ୍ରଥମେ ସିମୁଳିଆ ଓ ପରେ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ ପୁଲିସ୍‌ କିମ୍ବା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି। 

ଗତକିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷା ହେତୁ ସୋରରୁ ଔପଦା ରାସ୍ତାରେ ୫ରୁ ୭ ଫୁଟର ଘାଇ ସୃଷ୍ଟି ହୋଇ ପ୍ରଖର ଗତିରେ ପାଣି ପ୍ରବାହିତ ହେଉଛି। ଫଳରେ ବହୁ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ଔପଦା, ସୋର, ବାହାନଗା, ଖଇରା, ସିମୁଳିଆ ଆଦି ଅଞ୍ଚଳରେ ଗତକାଲିଠୁ ବର୍ଷା ଲାଗି ରହିଛି। କାଂଶବାଂଶ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଏଥିଯୋଗୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ଲୋକସଭାରେ ଦିଲ୍ଲୀ ବିଧେୟକ ଆଗତ

 ଲୋକସଭାରେ ଦିଲ୍ଲୀ ବିଧେୟକ ଆଗତ 



ନୂଆଦିଲ୍ଲୀ,୦୧/୦୮: ଲୋକସଭାରେ ଦିଲ୍ଲୀ ବିଧେୟକ ଆଗତ କରାଯାଇଛି। ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହାକୁ ଲୋକସଭାରେ ଉପସ୍ଥାପନ କରିଥିଲେ। ତେବେ ଏହି ବିଧେୟକକୁ ବିରୋଧ କରିଥିଲେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ। ସେ କହିଛନ୍ତି ଯେ, ଏହି ବିଧେୟକ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ବିରୋଧ ଅଟେ, ଏହା ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ସହିତ ଜଡିତ। ଲୋକସଭାରେ ଦିଲ୍ଲୀ ବିଧେୟକ ଆଗତ ହେବା ମାତ୍ରେ ଉତ୍ତେଜନା ଆରମ୍ଭ ହୋଇଥିଲା। ଆମ୍ ଆଦମୀ ପାର୍ଟି ଏହାକୁ ଆଜି ପର୍ଯ୍ୟନ୍ତ ସଂସଦରେ ଉପସ୍ଥାପିତ ହୋଇଥିବା ସବୁଠାରୁ ଅଗଣତାନ୍ତ୍ରିକ ଓ ବେଆଇନ ଡକ୍ୟୁମେଣ୍ଟ ବୋଲି କହିଛି। ସୂଚନାଥାଉକି ତମାମ ମାମଲା ବିଚାର କରିବାକୁ ପୂର୍ବରୁ ଏହାକୁ ସାମ୍ବିଧାନିକ ଖଣ୍ଡପିଠଙ୍କ ପାଖକୁ ପଠାଇଥିଲେ ସୁପ୍ରିମକୋର୍ଟ।


ଆମ୍‌ ଆଦ୍‌ମୀ ପାର୍ଟି ଏହି ବିଧେୟକକୁ ବିରୋଧ କରିବାକୁ ଅନେକ ଦଳଙ୍କ ଠାରୁ ସମର୍ଥନ ମା‌ଗିଥିଲେ। ତେବେ ଲୋକସଭାରେ ଏହି ବିଧେୟକ ଉପସ୍ଥାପିତ ହେବା ପରେ ଆପ୍‌ କହିଥିଲା ଯେ,’ଦିଲ୍ଲୀ ଅଧ୍ୟାଦେଶର ସ୍ଥାନ ନେବାକୁ ଥିବା ବିଧେୟକ ହେଉଛି ସଂସଦରେ ଉପସ୍ଥାପିତ ହୋଇଥିବା ସବୁଠାରୁ ଅଗଣତାନ୍ତ୍ରିକ, ବେଆଇନ ଦଲିଲ। ଜାତୀୟ ରାଜଧାନୀ ଦିଲ୍ଲୀ ସରକାର (ସଂଶୋଧନ) ବିଧେୟକ ୨୦୨୩, ଗଣତନ୍ତ୍ରକୁ ହଟାଇ ହାକିମ ଶାସନ ଲାଗୁ କରିବ ବୋଲି କହିଛି ଆମ୍‌ ଆଦ୍‌ମୀ ପାର୍ଟି। ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସମସ୍ତ ସଦସ୍ୟ ତଥା ସମ୍ବିଧାନକୁ ସମ୍ମାନ କରୁଥିବା ସଦସ୍ୟମାନେ ଦିଲ୍ଲୀ ସେବା ଅଧ୍ୟାଦେଶର ସ୍ଥାନ ନେବାକୁ ଥିବା ବିଧେୟକକୁ ଦୃଢ଼ ବିରୋଧ କରିବ।’

ମୋଦୀ ସରକାରଙ୍କୁ ମିଳିଳା ବିଜେଡିର ସମର୍ଥନ

ମୋଦୀ ସରକାରଙ୍କୁ ମିଳିଳା ବିଜେଡିର ସମର୍ଥନ



ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାରଙ୍କୁ ମିଳିଳା ବିଜେଡିର ସମର୍ଥନ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭାରେ ଆଗତ ହୋଇଥିବା ଦିଲ୍ଲୀ ସର୍ଭିସ ବିଲକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡି ସମର୍ଥନ କରିବ । ଏହାସହ ମିଳିତ ବିରୋଧୀ ମେଣ୍ଟ ଦ୍ୱାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ । ଏନେଇ ସୂଚନା ଦେଇଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ।


ସମ୍ୱାଦ ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ପ୍ରତିକ୍ରିୟାରେ ରାଜ୍ୟସଭା ସାଂସଦ ତଥା ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ‘ଦିଲ୍ଲୀ ସର୍ଭିସ ବିଲକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡି ସମର୍ଥନ କରିବ । ଏହାସହ ବିରୋଧୀ ମେଣ୍ଟ ଦ୍ୱାରା ଆଗତ କରାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ସଂସଦରେ ବିରୋଧ କରିବ । ଏଥିପାଇଁ ପାର୍ଟି ପକ୍ଷରୁ ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ଦଳର ସାଂସଦଙ୍କୁ ଉପସ୍ଥିତ ରହିବା ପାଇଁ ତିନି ଲାଇନର ହ୍ୱିପ୍ ଜାରି କରାଯାଇଛି’ ।


ୱାଇଏସଆର କଂଗ୍ରେସ ପରେ ଏନଡିଏ ବାହାରେ ଦ୍ୱିତୀୟ ଦଳ ଭାବେ ବିଜେଡି ଦିଲ୍ଲୀ ସର୍ଭିସ୍ ବିଲକୁ ସମର୍ଥନ କରିଛି । ଆମ ଆଦାମୀ ପାର୍ଟି, କଂଗ୍ରେସ ଏବଂ ବିରୋଧୀ ମେଣ୍ଟ ପାଇଁ ଏହା ଏକ ବଡ଼ ଝଟକା । ରାଜ୍ୟସଭାରେ ବିଜେଡିର ୯ ସାଂସଦ ଅଛନ୍ତି । ୱାଇଏସଆର କଂଗ୍ରେସର ମଧ୍ୟ ନଅ ସାଂସଦ ଅଛନ୍ତି । ଦୁଇ ଦଳର ମୋଟ ୧୮ ସାଂସଦ ସମର୍ଥନରେ ବିଧେୟକ ପାରିତ ହେବା ଏକ ପ୍ରକାର ନିଶ୍ଚିତ । ରାଜ୍ୟସଭାରେ ବିଜେପି ପାଖରେ ବହୁମତ ନଥିବା ସତ୍ତ୍ୱେ ବି ସହଜରେ ସେ ଏହାକୁ ପାରିତ କରିଦେବ । ଆନୁଷ୍ଠାନିକ ଭାବେ ଶାସକ ଦଳ ମେଣ୍ଟର ଅଂଶ ନଥାଇ ମଧ୍ୟ ଦୁଇ ଦଳ ଅଧିଂକାଶ ପ୍ରସଙ୍ଗରେ ସଂସଦରେ ସରକାରଙ୍କୁ ସମର୍ଥନ କରୁଛନ୍ତି । ଏନଡିଏ ପାଖରେ ରାଜ୍ୟସଭାରେ ମୋଟ ୧୦୦ ସାଂସଦ ଅଛନ୍ତି ।

କ୍ରେନ୍ ଖସି ପଡ଼ିବାରୁ ୧୬ ଜଣଙ୍କ ମୃତ୍ୟୁ

କ୍ରେନ୍ ଖସି ପଡ଼ିବାରୁ ୧୬ ଜଣଙ୍କ ମୃତ୍ୟୁ



ମୁମ୍ବାଇ: ମହାରାଷ୍ଟ୍ରର ଥାନେରେ ବଡ଼ ଦୁର୍ଘଟଣା । କ୍ରେନ୍ ଖସି ପଡ଼ିବାରୁ ୧୬ ଜଣଙ୍କ ମୃତ୍ୟୁ । ଏଥିରେ ୩ଜଣ ଆହତ ହୋଇଥିବା ବେଳେ କିଛି ଶ୍ରମିକ ଫସିରହିଥିବା ଆଶଙ୍କା କରାଯାଉଛି । ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଥାନେ ଜିଲ୍ଲା ଶାହାପୁର ଠାରେ କାମ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ସମୃଦ୍ଧି ଏକ୍ସପ୍ରେସ ହାଇୱେ’ ନିର୍ମାଣ କାମରେ ନିୟୋଜିତ ଏହି କ୍ରେନ୍ । କାମ ଚାଲିଥିବା ବେଳେ ହଠାତ୍‌ କ୍ରେନ୍‌ଟି ଖସପିଡିଥିଲା । ଯାହାଫଳରେ କ୍ରେନ୍ ତଳେ କିଛି ଶ୍ରମିକ ଫସି ରହିଥିଲେ । ଏହାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ସେତେବେଳକୁ ଏକାଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା । ଏବେ ସୁଦ୍ଧା ଏହି ଦୁର୍ଘଟଣାରେ ମୋଟ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେହିପରି ଏବେବି କିଛି ଲୋକ କ୍ରେନ୍‌ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଏନଡିଆରଏଫର ୨ଟି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମହାରାଷ୍ଟ୍ର MSRDC ମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ୭୦୩ କିଲୋମିଟର ବିଶିଷ୍ଟ ଏହି ସମୃଦ୍ଧି ଏକ୍ସପ୍ରେସ ହାଇୱେ’ ମୁମ୍ବାଇରୁ ନାଗପୁରକୁ ସଂଯୋଗ କରିବ ।

କଲଭର୍ଟ ଭୁଶୁଡ଼ି ୫ ମୃତ୍ୟୁ ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ

 କଲଭର୍ଟ ଭୁଶୁଡ଼ି ୫ ମୃତ୍ୟୁ ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ


 


ରାୟଗଡ଼ା : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଉପରସାଜା ଗ୍ରାମରେ ସୋମବାର କଲଭର୍ଟ ଭୁଶୁଡି ୫ ଜଣଙ୍କ ମୃତ୍ୟୁ ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ସମ୍ପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ସରକାର ୩ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ଭେଙ୍କଟ ରମଣ ମୁଦୁଲି ଏବଂ କନିଷ୍ଠ ଯନ୍ତ୍ରୀ ରାଜେଶ ମଣ୍ଡଳଙ୍କୁ ନିଲମ୍ବିତ କରିଛନ୍ତି।

ଅନ୍ୟପକ୍ଷରେ କଲ୍ୟାଣସିଂହପୁର ଥାନାରେ ଠିକାଦାର ବୁଗଡା ଜ୍ୟୋତିଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିବା ଜିଲାପାଳ ନେଇ ସୂଚନା ଦେଇଛନ୍ତି। ସ୍ଥାନୀୟ ସରପଞ୍ଚଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି।

ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ

ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ




କାଞ୍ଜିପାଣି - ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ। ବ୍ୟାପକ ସଚେତନତା ସତ୍ତ୍ୱେ ମଣିଷ ସେହି ଗଳିରୁ ବାହାରି ପାରୁନି। ନିଜ ସମ୍ପର୍କୀୟଙ୍କ ରକ୍ତରେ ଖେଳୁଛି ହୋଲି ମଣିଷ। ଗୁଣିଗାରେଡି ସନ୍ଦେହରେ କେତେବେଳେ ପତ୍ନୀକୁ ହତ୍ୟା କରୁଛି ସ୍ୱାମୀ ତ ଆଉ କେତେବେଳେ ସ୍ୱାମୀକୁ ବଳି ଦେଉଛି ସ୍ତ୍ରୀ। ଆଉ କେତେବେଳେ ଦାଦାକୁ ହତ୍ୟା କରୁଛି ପୁତୁରା। ଏମିତି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ କାଞ୍ଜିପାଣି ଥାନା ଅଞ୍ଚଳରେ।

ଦୀର୍ଘ ଦିନ ହେଲା ରୁଗୁଡ଼ିକସଡ଼ା ଗାଁର ଛବି ଦେହୁରୀଙ୍କ ସ୍ୱାସ୍ଥ୍ୟ ଖରାପ ହେଉଥିଲା। ଏଥିରେ ତାଙ୍କ ଦାଦା ଅଜୟ ଦେହୁରୀଙ୍କର ହାତ ଥିବା ସେ ସନ୍ଦେହ କରୁଥିଲେ। ଅଜୟ ଗୁଣିଗାରେଡି କରୁଥିବାରୁ ଛବି ଅସୁସ୍ଥ ହେଉଥିବା ସନ୍ଦେହ କରୁଥିଲେ। ଏହାକୁ ନେଇ ଦୀର୍ଘ ଦିନ ହେଲା ଛବି ଓ ତାଙ୍କ ଦାଦାଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା। ହେଲେ ରବିବାର ସନ୍ଧ୍ୟା ବେଳେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା।

ଅଭିଯୋଗରୁ ପ୍ରକାଶ, ଛବି ମଦ ନିଶାରେ ଅଜୟ ଦେହୁରୀଙ୍କ ଘରେ ପହଞ୍ଚି ଥିଲେ। ଗୁଣି ଗାରେଡିକୁ ନେଇ ସେଠାରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଛବି ଏକ ଟାଙ୍ଗିଆରେ ତାଙ୍କ କାକା ଅଜୟ ଦେହୁରୀଙ୍କୁ ପଛ ପାର୍ଶ୍ୱରୁ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ଅଜୟଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ କାଞ୍ଜିପାଣି ଥାନା ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ହତ୍ୟାକାଣ୍ଡରେ ଛବିକୁ ଗିରଫ କରିଛି ପୁଲିସ୍‌।

ନିର୍ମାଣାଧୀନ କଲଭର୍ଟ ଭୁଶୁଡିବା ଫଳରେ ଚାରି ଜଣ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ

 ନିର୍ମାଣାଧୀନ କଲଭର୍ଟ ଭୁଶୁଡିବା ଫଳରେ ଚାରି ଜଣ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ



ଭୁବନେଶ୍ବର : ଆଜି ସକାଳେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ଏକ ନିର୍ମାଣାଧୀନ କଲଭର୍ଟ ଭୁଶୁଡିବା ଫଳରେ ଚାରି ଜଣ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହାସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣା ପାଇଁ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ କାରାଦଣ୍ଡ

 ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ କାରାଦଣ୍ଡ 



ଭୁବନେଶ୍ବର - ସିପିଆଇ ନେତା ତଥା ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍। ଏକ ହତ୍ୟା ମାମଲାରେ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୩ କୋର୍ଟ। ୧୯୯୮ ମସିହାରେ ପୁଲିସ୍‌ ଆର୍‌ଆଇ ହତ୍ୟା ମାମଲାରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ନାରାୟଣଙ୍କ ସହ ମୋଟ ୧୩ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି।


ଜଜମେଣ୍ଟ ନେଇ ନାରାୟଣ ରେଡ୍ଡୀ କହିଛନ୍ତି, ଲୋକଙ୍କ ଉପରେ ପୁଲିସ୍‌ ଆକ୍ରମଣ କଲା। ଆଉ ପୁଲିସ୍ ଉପରେ କିଏ ଜଣେ ବୋମାଟିଏ ଫିଙ୍ଗିଦେଲା। ବୋମା ଫିଙ୍ଗିବେ ନାହିଁ ତ ଆଉ କ’ଣ କରିଥାଆନ୍ତେ? ଲୋକଙ୍କ ଉପରେ ଆକ୍ରମଣ କରିବାର ଅଧିକାର ପୁଲିସ୍‌ର ରହିଛି। ହେଲେ ପୁଲିସ୍‌ ଉପରକୁ ବୋମା ଫିଙ୍ଗିବାର ଅଧିକାର କାହିଁକି ନାହିଁ? ତେବେ ଯିଏ ବୋମା ଫିଙ୍ଗିଛି, ତାକୁ ଦଣ୍ଡିତ କର। ସାଧାରଣ ଲୋକ ଓ ଚାଷୀଙ୍କୁ ନ୍ୟାୟ ନାହିଁ। ଆମେ ମର୍ମାହତ। ରାୟ ବିରୋଧରେ ଉପର କୋର୍ଟକୁ ଯିବୁ ବୋଲି କହିଛନ୍ତି ନାରାୟଣ ରେଡ୍ଡୀ।


୧୯୯୮ ମସିହାରେ ଗଞ୍ଜମ ଜିଲ୍ଲା ସିନ୍ଧି ଗାଁରେ ଟାଟା ଅଧିକୃତ ଜମିକୁ ନେଇ ଏକ ସଭା ହୋଇଥିଲା। ସଭାରେ ୨୦୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ। ସଭା ଚାଲିଥିବା ବେଳେ ହଠାତ୍‌ ଗଣ୍ଡଗୋଳ ଓ ମାରପିଟ୍‌ ହୋଇଥିଲା। ଏଥିରେ ପୁଲିସ୍‌ ଆର୍‌ଆଇ ବିନୋଦ ମେହେରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା।


ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। ତଥ୍ୟ ପ୍ରମାଣ ଓ ସାକ୍ଷୀଙ୍କ ବୟାନ୍‌ ଆଧାରରେ ଏଡିଜି-୩ କୋର୍ଟ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସମସ୍ତଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ଥ ସ୍ଵାସ୍ଥ୍ୟାବସ୍ଥା

 ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ଥ ସ୍ଵାସ୍ଥ୍ୟାବସ୍ଥା



ରାୟଗଡ଼ା,୩୧।୭ : ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ଅବ୍ୟବସ୍ଥା ଲାଗି ରହିଛି। ବର୍ଷା ଦିନେ ଶିଶୁଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଶଯ୍ୟା ଅଭାବରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ମେଡିକାଲର ଭେଷଜ ବିଭାଗରେ ୩୭ଟି ଶଯ୍ୟା ଥିବାବେଳେ ରବିବାର ୯୦ ରୋଗୀ ଆଡମିଟ୍‌ ହୋଇଛନ୍ତି। ସେହିପରି ଶିଶୁ ବିଭାଗରେ ୩୫ଟି ଶଯ୍ୟା ଥିବାବେଳେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ୪୯ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ଏକ ସପ୍ତାହ ହେଲାଣି ବିଭିନ୍ନ ରୋଗୀ ଆସି ଆଡମିଟ ହେଉଥିବା ବେଳେ ଶଯ୍ୟା ଅଭାବରୁ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଛନ୍ତି। ଶିଶୁ ଚିକିତ୍ସା ବିଭାଗରେ ରବିବାର ୪୯ ଶିଶୁ ରୋଗୀ ରହିଥିଲେ। ସେଥିରେ ପ୍ରାୟ ୨୫ ଜଣ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ତେବେ ଦୈନିକ ୮ରୁ ୧୦ ଶିଶୁ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଜଣାପଡ଼ିଛି। ତେବେ ସବୁଠୁ ବିପର୍ଯ୍ୟସ୍ତ ହୋଇପଡ଼ିଛି ଭେଷଜ ବିଭାଗ। ସେଠାରେ ୩୭ଟି ଶଯ୍ୟା ରହିଥିବା ବେଳେ ରହିବାର ୯୦ରୁ ଊର୍ଦ୍ଧ୍ୱ ରୋଗୀ ଆଡ଼ମିଟ୍‌ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ଜଣ ମ୍ୟାଲେରିଆ ଆକ୍ରାନ୍ତ ରହିଥିବା ଜଣାପଡ଼ିଛି। ଆବଶ୍ୟକ ବେଡ୍‌ ନ ଥିବାରୁ ସେମାନେ ବିଭାଗର ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଛନ୍ତି। ସଂକ୍ରମିତ ୱର୍ଡ୍‌ରେ ୧୦ ଶଯ୍ୟା ବ୍ୟବସ୍ଥା ରହିଥିବା ବେଳେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ୧୦ଜଣ ରୋଗୀ ରହିଥିବା ଜଣାପଡ଼ିଛି। ବର୍ଷାଦିନେ ଏହି ରୋଗ ଅଧିକା ବ୍ୟାପିବାର ଆଶଙ୍କା ରହିଥିବା ବେଳେ ଆବଶ୍ୟକ ସୁବିଧା ନାହିଁ। ସେହିଭଳି ପ୍ରସୂତି ବିଭାଗରେ ୪୫ ଶଯ୍ୟା, ଏସଏନସିୟୁରେ ୨୪, ଏନ୍‌ଆରସିରେ ୧୫, କେମୋଥେରାପିରେ ୪, ଚକ୍ଷୁ ବିଭାଗରେ ୨୦ ଏବଂ ଆଇସୋଲେଶନ ୱାର୍ଡ଼ରେ ୧୨ ଶଯ୍ୟା ବ୍ୟବସ୍ଥା ରହିଛି। ମଡିକାଲରେ ୨୨୯ ଶଯ୍ୟା ବ୍ୟବସ୍ଥା ରହିଥିବା ବେଳେ ୧୪୯ଟି ଅନୁମୋଦିତ ହୋଇଛି। କିନ୍ତୁ ରୋଗୀ ସଂଖ୍ୟା ଦିନକୁ ପ୍ରାୟ ୩ ଶହରୁ ଊର୍ଦ୍ଧ୍ୱ ରହୁଥିବା ଜଣାପଡ଼ିଛି। ଫଳରେ ରୋଗୀ ବାଧ୍ୟ ହୋଇ ବାରଣ୍ଡାରେ ଶୋଇ ଚିକିତ୍ସା ହେବା ସହ ସାଲାଇନ, ଇଞ୍ଜେକ୍ସନ ନେଉଥିବା ଦେଖିବାକୁ ମଳୁଛି।

ଅନ୍ୟପକ୍ଷରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଷ୍ଟାଫ ନର୍ସ ନ ଥିବାରୁ ରୋଗୀସେବାରେ ବାଧା ସୃଷ୍ଟି ହେଉଛି। ସରକାରୀ ନିୟମାନୁସାରେ ଜଣେ ଷ୍ଟାଫ ନର୍ସ ୬ ଜଣ ରୋଗୀଙ୍କ ଦାୟିତ୍ୱରେ ରହିବାକୁ ଥିବାବେଳେ ନର୍ସ ଅଭାବରୁ ଜଣେ ୩୦ ରୋଗୀଙ୍କ ଦାୟିତ୍ୱ ନେବାକୁ ପଡ଼ୁଛି। ଚିକିତ୍ସାଳୟରେ ୧୪୨ ଷ୍ଟାଫ ନର୍ସ ପାଇଁ ଅନୁମୋଦନ ରହିଥିବା ବେଳେ ମାତ୍ର ୭୩ ଷ୍ଟାଫ ନର୍ସ ରହିଛନ୍ତି। ଏଭଳିକି ଆବଶ୍ୟକ ଡାକ୍ତର ମଧ୍ୟ ନାହାନ୍ତି। ବର୍ତ୍ତମାନ ହୋଇଥିବା ନିଯୁକ୍ତିରେ ସବ୍‌ ସେଣ୍ଟର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତିକୁ ପ୍ରାଥମିକତା ଦିଆଯାଇଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଶାନୂରୂପ ଡାକ୍ତର ନିଯୁକ୍ତି ହୋଇପାରିନାହାନ୍ତି। ଏଭଳିକି ଅଲଟ୍ରାସାଉଣ୍ଡ ପାଇଁ ରେଡ଼ିଓଗ୍ରାଫରର ଆବଶ୍ୟକତା ରହିଥିଲେ ମଧ୍ୟ ଆରମ୍ଭରୁ ଏହି ପଦବୀ ଖାଲିପଡ଼ିଛି।

ସୂଚନାଯୋଗ୍ୟ, ୧୯୯୨ ମସିହାରେ ରାୟଗଡ଼ା ଜିଲା ଘୋଷଣା ହେବା ପରେ ରାୟଗଡ଼ା ସଦର ଚିକିତ୍ସାଳୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରିବର୍ତ୍ତନ ହୋଇଥିଲା। ରାୟଗଡ଼ା ଜିଲା ଏକ ଆଦିବାସୀ ଓ ଆଦିମ ଜନଜାତି ବହୁଳ ଅଞ୍ଚଳ ହୋଇଥିବାରୁ ସ୍ବଳ୍ପ ଖର୍ଚ୍ଚରେ ଚିକିତ୍ସା ପାଇଁ ରୋଗୀ ସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି। ଏହି ବିଷୟରେ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ସମସ୍ତେ ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଏ ସବୁ ଅବ୍ୟବସ୍ଥା ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ଲାଲମୋହନ ରାଉତରାୟଙ୍କୁ ଯୋଗାଯୋଗ କରିବାରୁ ସେ ଛୁଟିରେ ଥିବା ଜଣାପଡ଼ିଛି। ତେଣୁ ଦାୟିତ୍ୱରେ ରହିଥିବା ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ରାୟଙ୍କୁ ପଚାରିବାରୁ ଏଠାରେ ରହିଥିବା ଆବଶ୍ୟକତା ନେଇ ବାରମ୍ବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ତେବେ ସେ ନେଇ କ’ଣ ପଦକ୍ଷେପ ନିଆଯାଇଛି ସେ ବିଷୟରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କହିପାରିବେ ବୋଲି ସେ କହିଛନ୍ତି। ଏଥିସହିତ ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ନେଇ ପଚାରିବାରୁ ଲୋକେ ନିଜେ ସଜାଗ ହେଲେ ମ୍ୟାଲେରିଆ ରୋଗକୁ ନିୟନ୍ତ୍ରଣ କରିହେବ ବୋଲି କହିଛନ୍ତି।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...