AFFILIATE MARKETING

https://binomo.com?a=90810425bb57&t=0

Sunday, June 9, 2024

COASTAL NEWS ODIA 1866 ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ ମୋଦୀ

COASTAL NEWS ODIA 1866

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ ମୋଦୀ 


ନୂଆଦିଲ୍ଲୀ - (CNO) ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ ମୋଦୀ ଶୁକ୍ରବାର ଦିନ ସେ ଏନଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ରାଷ୍ଟ୍ରପତିଙ୍କ ସମ୍ମୁଖରେ ସରକାର ଗଠନ କରିବାକୁ ଦାବି କରିଥିଲେ। ରବିବାର ସରକାର ଗଠନ କରିବାକୁ ରାଷ୍ଟ୍ରପତି ତାଙ୍କୁ ନିମନ୍ତ୍ରଣ କରିଥିଲେ । ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ବହୁ ଦେଶର ମୁଖ୍ୟ ଯୋଗଦେବେ। ଯେଉଁଥି ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । 

ପ୍ରତ୍ୟେକ କୋଣ ଅନୁକୋଣରେ ପୋଲିସର ନଜର ରହିବ। ରାଷ୍ଟ୍ରପତି ଭବନଙ୍କ ସୁରକ୍ଷାକୁ ମଧ୍ୟ ବୃଦ୍ଧି କରାଯାଇଛି। 

1 ଶପଥ ନେଲେ ହରଦୀପ ସିଂହ ପୁରୀ ଶପଥ ନେଲେ ହରଦୀପ ସିଂହ ପୁରୀ 

2 ଶପଥ ନେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ 

3 ଶପଥ ନେଲେ ଜୁଏଲ ଓରାମ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ଜୁଏଲ ଓରାମ  

4 ଶପଥ ନେଲେ ସର୍ବାନନ୍ଦ ସୋନବାଲ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ସର୍ବାନନ୍ଦ ସୋନବାଲ 

5 ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ 

6 ଶପଥ ଗ୍ରହଣ କଲେ ପିୟୁଷ ଗୋୟଲ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ପିୟୁଷ ଗୋୟଲ 

7 ଶପଥ ଗ୍ରହଣ କଲେ କୁମାରସ୍ଵାମୀ କ୍ୟାବିନେଟ ମନ୍ତ୍ରୀ 

8 ଶପଥ ଗ୍ରହଣ କଲେ ମନହୋର ଲାଲ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ମନହୋର ଲାଲ ଖଟର । 

9 ଶପଥ ଗ୍ରହଣ କଲେ ଜୟଶଙ୍କର କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଜୟଶଙ୍କର । 

10 ନିର୍ମଳା ସିଥାରମଣ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ନିର୍ମଳା ସିଥାରମଣ । 

11 ଶପଥ ଗ୍ରହଣ କଲେ ଶିବରାଜ ସିଂହ ଚୌହାନ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଶିବରାଜ ସିଂହ ଚୌହାନ । 

12 ଶପଥ ଗ୍ରହଣ କଲେ ଜେପି ନଡା କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଜେପି ନଡା । 

13 ଶପଥ ଗ୍ରହଣ କଲେ ନିତିନ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ନିତିନ ଗଡକାରୀ । 

14 ଶପଥ ଗ୍ରହଣ କଲେ ଅମିତ ଶାହ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଅମିତ ଶାହ । 

15 ଶପଥ ଗ୍ରହଣ କଲେ ରାଜନାଥ ସିଂହ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ରାଜନାଥ ସିଂହ । 

16 ଶପଥ ଗ୍ରହଣ କଲେ କିରଣ ରିଜିଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ବିଜେପି ନେତା କିରଣ ରିଜିଜୁ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

17  ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ତୃତୀୟ ଇନିଂସ ଆରମ୍ଭ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନରେନ୍ଦ୍ର ମୋଦି । ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶ, ବିଦେଶର ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ନେଲେ ଶପଥ । 


Thursday, June 6, 2024

*ସାବିତ୍ରୀ ବ୍ରତରେ ନାରୀ*

COASTAL NEWS ODIA 1865


*ସାବିତ୍ରୀ ବ୍ରତରେ ନାରୀ* 



ଗୃହଲକ୍ଷ୍ମୀ ସିଏ ମମତା ସାଗର 
ଶାନ୍ତିଦାୟୀ ପ୍ରେମମୟୀ
ପତି ଭକ୍ତି ପାଇଁ ଏ ମହୀ ମଣ୍ଡଳେ
ହୁଏ ସିଏ କାଳଜୟୀ। 

କୁଳବଧୂ ରୂପେ କର୍ତ୍ତବ୍ୟ କରିକି 
ଘରକୁ ସଜେଇ ଦିଏ 
ଘରଣୀ ବେଶରେ ସ୍ନେହ ପରସରେ
ସବୁ ମନ ମୋହି ନିଏ। 

ପତିବ୍ରତା ହୋଇ ସ୍ଵାମୀ ଦେବ ପାଇଁ 
ସାବିତ୍ରୀ ବ୍ରତଟି କରେ 
ସ୍ୱାମୀଙ୍କର ସବୁ ସଫଳତା ପାଇଁ
ପ୍ରେରଣା ହୃଦୟେ ଭରେ। 


ଦୁଃଖ କଷ୍ଟ ସବୁ ସହିଯାଏ ବୋଲି 
ସର୍ବଂସହା ନାମ ତାର
ଶ୍ରେଷ୍ଠ ସୃଷ୍ଟି ସିଏ ବ୍ରହ୍ମଦେବଙ୍କର 
ନାରୀ ରୂପୀ ଅବତାର। 

ସତୀ ରୂପେ ସେହି ଧର୍ମରାଜ ଠାରୁ
ଅବିଳମ୍ବେ କଲେ ଜୟ
ସତ୍ୟ ନିଷ୍ଠା ପାଇଁ ସତ୍ୟବାନଙ୍କୁ ସେ
ହେବାକୁ ଦେଲେନି କ୍ଷୟ। 

ଯେଉଁ ସ୍ଥାନେ ନାରୀ ସମ୍ମାନୀତ ହୁଏ 
ଦେବତାଙ୍କ ବାସ ସେଠି
ସକଳ ସୁଖକୁ ସେହି ଘର ପାଇଁ
ଦେବତା ଦିଅନ୍ତି ଭେଟି। 

COASTAL NEWS ODIA 1864 *ବିଶେଷ ଖବର*

COASTAL NEWS ODIA 1864

*ବିଶେଷ ଖବର* 



୧-ଦୀର୍ଘ ୨୪ ବର୍ଷ ବିଜେଡି ସରକାରର ଅବସାନ, ପ୍ରଥମ ଥର ଓଡ଼ିଶାରେ ସରକାର ଗଢିବାକୁ ଯାଉଛି ବିଜେପି।

୨-ନବୀନ କ୍ୟାବିନେଟ୍‌ରେ ପରାଜିତ ହେଲେ ୧୨ ମନ୍ତ୍ରୀ, ସମ୍ମାନ ରଖିଲେ ୭ ନେତା।

୩-ଲୋକସଭାରେ ଖାତା ବି ଖୋଲି ପାରିଲାନି ବିଜେଡି, ୨୦ ସିଟ୍ ପୋଛି ନେଲା ବିଜେପି। କୋରାପୁଟ ଆସନ ବଜାୟ ରଖିଲା କଂଗ୍ରେସ।

୪-୨୪ବର୍ଷର ସେବା ପାଇଁ କୃତଜ୍ଞତା ଜଣାଇଲା ବିଜେଡ଼ି, ଓଡ଼ିଶାବାସୀ ସେବା ଜାରି ରଖିବୁ,ହାରିବା କାରଣ ଆଗକୁ ଜଣାଇବୁ।

୫-ବିଜେପି ବିଜୟର ବଡ଼ କାରଣ କୁହାଯାଉଛି:'ଓଡ଼ିଆ ଅସ୍ମିତା' ଓ  ଓଡ଼ିଆ ସ୍ବାଭିମାନ।

୬-ଚାନ୍ଦବାଲିରେ ହାରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ ବିଜୟୀ।

୭-ଭୁବନେଶ୍ୱର:ବାଜି ମାରିଲେ ଅଭିନେତା ସିଦ୍ଧାନ୍ତ ଓ ଆକାଶ ଦାସ ନାୟକ ‌।

୮-ଦଳ ଡେଇଁ ମାଟି କାମୁଡ଼ିଲେ: ହତାଶ ହେଲେ ଭୃଗୁ,ଲେଖାଶ୍ରୀ,ପରିଣିତା,ହାରିଲେ ପ୍ରିୟଦର୍ଶୀ, ଅଂଶୁମାନ ଓ ଦେବାଶିଷ।

୯-ଝାରସୁଗୁଡ଼ାରେ ଚିତ୍‌ପଟାଙ୍ଗ ବିଜେଡ଼ି, ଦୀପାଳିଙ୍କୁ ହରାଇ ଜିତିଲେ ଟଙ୍କଧର।

୧୦-ସାଲେପୁରରେ ହାରିଗଲେ ଅରିନ୍ଦମ ରାୟ: ୭ ହଜାର ୫୯୪ ଭୋଟରେ ଜିତିଲେ ବିଜେଡିର ପ୍ରଶାନ୍ତ ବେହେରା।

୧୦-କଣ୍ଟାବାଞ୍ଜିରୁ ହାରିଲେ ବିଜେଡି ସୁପ୍ରିମୋ: ଜିତିଲେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍।

୧୧-ଘଷିପୁରାରୁ ହାରିଗଲେ ସୌମ୍ୟ, ବାଜି ମାରିଲେ ବଦ୍ରି।

୧୨-ଭୁବନେଶ୍ବର ମଧ୍ୟ ଆସନ ହାତେଇଲେ ଅନନ୍ତ ନାରାୟଣ ଜେନା।

୧୩-କେନ୍ଦ୍ରରେ ପୁଣି କ୍ଷମତାକୁ ଫେରୁଛି ଏନଡିଏ, ବିରୋଧୀ ଆସନରେ ଇଣ୍ଡି ମେଣ୍ଟ।

୧୪-ଓଡ଼ିଶା ହୋଇକୋର୍ଟରେ ପୂରଣ ହେବ ୩୫ଟି ଜୁନିୟର୍ ଷ୍ଟେନୋଗ୍ରାଫର୍ ପଦବୀ।

୧୫-ବାରବାଟୀ-କଟକରେ ନିଜ ଗଡ ବଞ୍ଚାଇ ରଖିଲା କଂଗ୍ରେସ, ୨୦୨୪ ବାଜିରେ ବିଜୟୀ ହେଲେ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ୍।

୧୬-ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ, ହାରିଲେ ବର୍ଷା ପ୍ରିୟଦର୍ଶିନୀ, ଜିତିଲେ ଅମର ନାୟକ।

୧୭-ନାଶିକରେ ଦୁର୍ଘଟଣାର ସମ୍ମୁଖୀନ ହେଲା ବାୟୁସେନା ବିମାନ, ଅଳ୍ପକେ ରକ୍ଷା ପାଇଲେ ୨ ପାଇଲଟ।

୧୮-ଆମେଥିରୁ ହାରିଲେ ସ୍ମୃତି ଇରାନୀ, ଦେଢ଼ ଲକ୍ଷରୁ ଅଧିକ ଭୋଟ୍‌ରେ ହରାଇଲେ କିଶୋରୀ ଲାଲ୍‌

୧୯-୧୧୦ ସିଟ୍ ସହିତ ଆନ୍ଧ୍ରରେ ସରକାର ଗଢ଼ିବ ତେଲୁଗୁ ଦେଶମ ପାର୍ଟି।

୨୦-ଚଳିତ ନିର୍ବାଚନ ଭାରତୀୟ ସମ୍ବିଧାନ ଉପରେ ଆସ୍ଥାର ବିଜୟ – ନରେନ୍ଦ୍ର ମୋଦୀ।

୨୧-ନ୍ୟୁୟର୍କ: ଟ୍ବେଣ୍ଟି ୨୦ ବିଶ୍ବକପ୍ -ଭାରତ ଆୟରଲ୍ୟାଣ୍ଡ ମୁକାବିଲା ଆଜି।

୨୨-ମୁମ୍ବାଇ: ପୁଞ୍ଜି ବଜାର ଧରାଶାୟୀ,ନିବେଶକ ହରାଇଲେ ୩୦ ଲକ୍ଷ କୋଟି।

Wednesday, June 5, 2024

COASTAL NEWS ODIA 1863 ବିଜେଡି ବିପର୍ଯ୍ୟୟ: ନବୀନ ଓ ବିଜେଡିକୁ ମହଙ୍ଗା ପଡ଼ିଲା 'ପାଣ୍ଡିଆନ' ସାଇଡ୍ ଇଫେକ୍ଟ

COASTAL NEWS ODIA 1863

ବିଜେଡି ବିପର୍ଯ୍ୟୟ: ନବୀନ ଓ ବିଜେଡିକୁ ମହଙ୍ଗା ପଡ଼ିଲା 'ପାଣ୍ଡିଆନ' ସାଇଡ୍ ଇଫେକ୍ଟ 



ଭୁବନେଶ୍ବର - (CNO) ଦୀର୍ଘ ଅଢ଼େଇ ଦଶନ୍ଧି ଧରି ଓଡ଼ିଶାରେ କ୍ଷମତାସୀନ ବିଜେଡିକୁ ଶକ୍ତ ଝଟକା ଦେଇ ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ନିଜ ଦମରେ ସରକାର ଗଢ଼ିବାକୁ ଯାଉଛି । ସାଧାରଣ ନିର୍ବାଚନ ଫଳାଫଳ ବିଜେଡି ପାଇଁ ଅପ୍ରତ୍ୟାଶିତ ରହିଛି । ତେବେ ବିଜେଡି ସରକାରର ମାଳମାଳ ସ୍କିମ୍ , ବହୁଳ ପରିମାଣର ବିଜ୍ଞାପନ ଓ ପ୍ରଚାରପ୍ରସାର ବ୍ୟୟ, ପାଖାପାଖି ୧୫୦୦କୋଟି ଟଙ୍କାର ନିର୍ବାଚନୀ ଖର୍ଚ୍ଚ ସହ ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରାୟ ୭ଥର ସର୍ଭେ କରାଇ ଦଳକୁ ସଂଖ୍ୟାଗରିଷ୍ଠତା ମିଳୁଥିବା ନେଇ ଦମ୍ଭୋକ୍ତି ବାଢ଼ୁଥିବା ବିଜେଡି ବଡ଼ପଣ୍ଡାଙ୍କ ସବୁ ଅଙ୍କ ଫେଲ୍ ମାରିଛି ।

ଉଭୟ ବିଜେଡି ଓ ସରକାରରେ ଭିକେ ପାଣ୍ଡିଆନଙ୍କ ଏକଛତ୍ରବାଦୀ ନୀତି ଏବଂ ‘ପାଣ୍ଡିଆନଙ୍କ ନିଜସ୍ୱ ଅଫିସର ଟିମ୍’କୁ ହଜମ କରିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏବେ ମହଙ୍ଗା ପଡ଼ିଛି । ପାଣ୍ଡିଆନଙ୍କୁ ହଜମ କରବାର ସାଇଡ୍ ଇଫେକ୍ଟ ଯୋଗୁ ନବୀନଙ୍କୁ ଏବେ ଗାଦିଚ୍ୟୁତ ହେବାକୁ ପଡ଼ିଛି । ଆଉ ଦେଶର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡର ଅଧିକାରୀ ହେବାକୁ ଚାହିଁଥିବା ନବୀନ ଏବେ ନିଜେ ଇତିହାସ ପାଲଟି ଯାଇଛନ୍ତି ।

ବିଜେଡିର ଏଭଳି ବିପର୍ଯ୍ୟୟର  ୯ ପ୍ରମୁଖ କାରଣ 

୧- ୨୦୧୪ ଓ ୨୦୧୯ରେ ସମଗ୍ର ଦେଶରେ ନରେନ୍ଦ୍ର ମୋଦି ଲହରକୁ ମୁକାବିଲା କରି ରାଜ୍ୟରେ ସ୍ପଷ୍ଟ ଜନାଦେଶ ହାତେଇଥିବା ବିଜେଡି ନିଜର ମୃତ୍ୟୁ ପାଇଁ ଗାତ ୨୦୧୯ ମସିହା ନିର୍ବାଚନ ପରଠୁ ନିଜେ ଖୋଳିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ଦଳ ଓ ସରକାରରୁ ଦୂରେଇ ରହିଲେ ଆଉ ଭିକେ ପାଣ୍ଡିଆନ ତାଙ୍କର ପ୍ରତିନିଧି ଭାବେ ଉଭୟ ବିଜେଡି ଓ ସରକାରରେ ସର୍ବେସର୍ବା ପାଲଟିଗଲେ । ପରିସ୍ଥିତି ଏଭଳି ହେଲା ଯେ, ନବୀନଙ୍କୁ ତାଙ୍କ ସରକାରର ମନ୍ତ୍ରୀ, ବିଧାୟକ, ମୁଖ୍ୟ ସଚିବ ଓ ପୁଲିସ ଡିଜି ମଧ୍ୟ ଭେଟିବା ସମ୍ଭବପର ହେଲାନି । 

ପାଣ୍ଡିଆନଙ୍କ ବିନା ଅନୁମତିରେ ନବୀନଙ୍କ ବାସଭବନ ଓ ସରକାରୀ କଳରେ ପତ୍ରଟିଏ ହଲିପାରିଲା ନାହିଁ । ଯାହାକୁ ନେଇ ଉଭୟ ଦଳ ଓ ସରକାରୀ ଅଫିସରଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଲା । ଏପରିକି ନିଜ ପ୍ରିୟ ନେତା(ବିଧାୟକ, ସାଂସଦ ଓ ମନ୍ତ୍ରୀମାନଙ୍କୁ) ପାଣ୍ଡିଆନଙ୍କ ଆଗରେ ଏଭଳି ବିବଶ ହେଉଥିବା ଦେଖି ଭୋଟର ମଧ୍ୟ ପ୍ରତିକ୍ରିୟାଶୀଳ ହେଲେ । ମାତ୍ର ସଠିକ୍ ସମୟକୁ ଅପେକ୍ଷା କରି ରହିଥିଲେ । ଆଉ ବିଜେପି ଚଳିତ ନିର୍ବାଚନରେ ‘ଓଡ଼ିଆ ଅସ୍ମିତା’କୁ ମୁଖ୍ୟ ପ୍ରସଙ୍ଗ କରି ସାଧାରଣ ଲୋକଙ୍କ ମନରେ ଥିବା ଏହି ପ୍ରତିକ୍ରିୟାକୁ ନିଜ ଭୋଟରେ ପରିବର୍ତ୍ତନ କରାଇବାରେ ସକ୍ଷମ ହେଲା । ବିଜେପିର ଘନଘନ ଆକ୍ରମଣାତ୍ମକ ପ୍ରଚାର ଶୈଳୀ, ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶାରେ ସରକାର ଗଠନର ଦମ୍ଭୋକ୍ତି ସହ ପ୍ରଚ୍ଛଦପଟ୍ଟରେ ବିଜେପି ନେତୃତ୍ୱଙ୍କ ରଣନୀତି ମଧ୍ୟ ବିଜେଡିଠୁ ଭୋଟରଙ୍କୁ ମୁହଁ ଫେରାଇବା ଦିଗରେ ସହାୟକ ହୋଇଛି ।

୨- ବିଜେଡି ପ୍ରାର୍ଥୀ ଚୟନବେଳେ ସମ୍ପୂର୍ଣ୍ଣ ମନମୁଖୀ ନିଷ୍ପତ୍ତି ନେଇଥିଲା । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଡିଏସ କୁଟ୍ଟେଙ୍କ ଉପରେ ଭରସା କରି ପାଣ୍ଡିଆନ ବିଭିନ୍ନ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ଚୂଡ଼ାନ୍ତ କରିଥିଲେ । ଶ୍ରୀ କୁଟ୍ଟେ ଯେଉଁ ସର୍ଭେ ରିପୋର୍ଟ ପ୍ରସ୍ତୁତ କରି ପାଣ୍ଡିଆନଙ୍କୁ ଦେଉଥିଲେ ତା’ର ସତ୍ୟତା ଯାଂଚ ପାଇଁ ବିଜେଡି ପକ୍ଷରୁ ପ୍ରୟାସ ହୋଇନଥିଲା । ଫଳରେ କୁଟ୍ଟେ ନିଜକୁ ସୁହାଇବା ପାଇଁ ଦଳର କିଛି ନେତାଙ୍କୁ ଡଷ୍ଟବିନକୁ ପକାଇଥିଲେ ତ କିଛି ନେତାଙ୍କୁ କୋଳେଇ ନେଇଥିଲେ । ନିଜର ଖାସ୍ ଅନୁଗତ ମାନସ ମଙ୍ଗରାଜଙ୍କ ମାଧ୍ୟମରେ କୁଟ୍ଟେ ବିଜେଡିରେ ନିଜର ଏକ ସମାନ୍ତରାଳ ସାମ୍ରାଜ୍ୟ ଗଢ଼ି ଚାଲିଥିଲେ । କର୍ପୋରେଟ ଚାନ୍ଦା ଆଦାୟଠୁ ଆରମ୍ଭ କରି ପୁଲିସକୁ ବେଆଇନ ଭାବେ ବିରୋଧୀଙ୍କ ପଛରେ ଲଗାଇବା କାର୍ଯ୍ୟ ଶ୍ରୀ କୁଟ୍ଟେଙ୍କ ଦ୍ୱାରା ହେଉଥିଲା । ଯାହା ସାଧାରଣରେ ପ୍ରତିଫଳିତ ହେଉଥିଲା, ମାତ୍ର କାର୍ଯ୍ୟାନୁଷ୍ଠାନ ଆଶଙ୍କାରେ ଓ ଆକ୍ରୋଶର ସମ୍ମୁଖୀନ ହେବା ଭୟରେ ସମସ୍ତେ ନିରବ ରହୁଥିଲେ । କୁଟ୍ଟେ ମଧ୍ୟ ଏହି ସୁଯୋଗରେ କିଛି ସ୍ଥାନରେ ବିଜେଡି ଟିକେଟ୍ ଦେଣନେଣରେ ହାତଚିକ୍କଣ କରିବାର ସୁଯୋଗ ପାଇଥିଲେ ।

୩- ବିଜେଡିରେ ପୁରୁଖା ନେତାମାନଙ୍କୁ ସମ୍ପୂର୍ଣ୍ଣ କୋଣଠେସା କରି ଦଳରେ ଯେଉଁ କିଛି ହାତଗଣତି ନେତାଙ୍କୁ ସମସ୍ତ ସାଂଗଠନ କାର୍ଯ୍ୟରେ ଗୁରୁତ୍ୱ ମିଳୁଥିଲା ସେମାନେ କେହି ସାଧାରଣ ଲୋକଙ୍କ ପାଖରେ ଗ୍ରହଣୀୟ ହୋଇନାହାନ୍ତି । ମାନସ ମଙ୍ଗରାଜଙ୍କଠୁ ଆରମ୍ଭ କରି ସସ୍ମିତ ପାତ୍ର, ସୁଲତା ଦେଓ, ଲେନିନ୍ ମହାନ୍ତି, ପ୍ରିୟବ୍ରତ ମାଝୀଙ୍କ ଭଳି କିଛି ଲୋକଙ୍କ ଶଙ୍ଖ ଭବନ(ବିଜେଡି ଅଫିସ)ର ଦାୟିତ୍ୱ ଦେଇ ପାଣ୍ଡିଆନ ଓ କୁଟ୍ଟେ ଯୋଡ଼ି ଖୋଲାଖୋଲି ଭାବେ ନିଜର ହାକିମାତି ଦେଖାଇଲେ । ଯାହାକୁ ସମଗ୍ର ରାଜ୍ୟ ଅନୁଭବ ବି କଲା । କିନ୍ତୁ ଆକ୍ରୋଶର ଶିକାର ହେବା ଭୟରେ ବିଜେଡି ନେତାମାନେ ନିରବ ରହି ଏହାକୁ ସହ୍ୟ କଲେ । ବିରୋଧ କି ଆପତ୍ତି କଲେ ବି ତାହା କେଉଁଠି କରିବେ ଓ କିଏ ଶୁଣିବ ସେଥିପାଇଁ ଫୋରମ୍ ମଧ୍ୟ ପାଇଲେ ନାହିଁ । ନିଜ ଭାଗ୍ୟକୁ ଆଦରି ଗୋଟିଏ ପରିବର୍ତ୍ତନକୁ ଅପେକ୍ଷାରେ ରହିଲେ । ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ମଧ୍ୟ ନିଜର ଗୋଟିଏ ଗୋଷ୍ଠୀ ଧରି ରହିଲେ । ଆଉ ସେମାନଙ୍କୁ କିଭଳି ଅଧିକ ସୁବିଧାସୁଯୋଗ ମିଳିବ ସେହି ବ୍ୟବସାୟିକ ଚକ୍କରରେ କାର୍ଯ୍ୟ କଲେ । ଦଳରେ ସାଧାରଣ କର୍ମୀ ଓ ସମର୍ପିତ ନେତାମାନେ ନିଜକୁ ଅସହାୟ ମନେ କଲେ ।

୪- ବିଜେଡିର କୌଣସି ନେତା-ମନ୍ତ୍ରୀଙ୍କୁ ବିଗତ ୫ବର୍ଷ ମଧ୍ୟରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଏକୁଟିଆ ଭେଟିବାର ସୁଯୋଗ ଦିଆଗଲାନି । ନବୀନ ମଧ୍ୟ କ୍ଷମତାରେ ଅନ୍ଧ ହୋଇ ନିଜର ରାଜକୀୟ କାର୍ଯ୍ୟ ଭୁଲିଗଲେ । ଦୈନିକ ସଚିବାଳୟ ଆସୁଥିବା ନବୀନ ବିଗତ ୫ବର୍ଷ ମଧ୍ୟରେ ମାତ୍ର ୨୦ରୁ ୩୦ଥର ସଚିବାଳୟ ଯାଇଥିବେ । ନବୀନଙ୍କ ଅପାରଗତାର ସୁଯୋଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର(ପିଅନଠୁ ଆରମ୍ଭ କରି ଅଫିସର ପର୍ଯ୍ୟନ୍ତ) କର୍ମଚାରୀମାନେ ସମସ୍ତେ ନିଜକୁ ସୁପର ସିଏମ୍ ଭାବେ ଉପସ୍ଥାପିତ କଲେ । ଆଉ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର କିଛି କର୍ମଚାରୀ ମଧ୍ୟ ବିଜେଡିର ମନ୍ତ୍ରୀ ଓ ବିଧାୟକମାନଙ୍କୁ ଦୁର୍ବବ୍ୟହାର କରିବାକୁ ପଛାଇଲେ ନାହିଁ । ବିଜେଡି ନେତା-ମନ୍ତ୍ରୀମାନେ ନିଜ ଅଂଚଳରେ ସାଧାରଣ ଲୋକଙ୍କୁ ଭେଟିବାବେଳେ ନିଜର ଅସହାୟତାକୁ ପରିପ୍ରକାଶ କଲେ ଏବଂ ପରୋକ୍ଷରେ ସେମାନଙ୍କର ଆପତ୍ତ-ଅଭିଯୋଗର ସମାଧାନ ଦାୟିତ୍ୱ ତୁଲାଇ ପାରିବେ ନାହିଁ ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ-ଫାଇଭ-ଟିକୁ ଚିଠି ଲେଖି ଜଣାଅ ବୋଲି କହିବାକୁ ବାଧ୍ୟ ହେଲେ । ଯାହା ଲୋକଙ୍କ ମନରେ ନିଜର ନେତାମାନଙ୍କ ପ୍ରତି ଏକ ନକରାତ୍ମକ ଛବି ତିଆରି କରିବାରେ ସକ୍ଷମ ହେଲା ।

୫- ନିର୍ବାଚନର ଯଥେଷ୍ଟ ପୂର୍ବରୁ ବିଜେଡି ନିଜର ୬୦ରୁ ଅଧିକ ବିଧାୟକମାନଙ୍କୁ ଡାକି ନିଜ ନିଜ ସ୍ଥାନରେ ଲଢ଼ିବା ପାଇଁ ସବୁଜସଙ୍କେତ ଦେଲା । ନବୀନଙ୍କ ନାଁରେ ଉଭୟ ଦଳ ଓ ସରକାରରେ ଅଘୋଷିତ ମୁଖ୍ୟ ପାଲଟିଥିବା ପାଣ୍ଡିଆନ ନିଜର ଟିମ୍ ଦେଇଥିବା ତାଲିକା ଆଧାରରେ ବିଜେଡି ବିଧାୟକ ଓ ମନ୍ତ୍ରୀମାନଙ୍କୁ ପୁଣିଥରେ ଲଢ଼ିବାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ । ତେବେ ଏହି ବିଧାୟକମାନେ ନିଜ ନିଜ ଅଂଚଳରେ କେତେ ଗ୍ରହଣୀୟ ତା’ର ନିରପେକ୍ଷ ଯାଂଚ କରାଗଲାନି । କେବଳ କୁଟ୍ଟେ ଯେଉଁ ସର୍ଭେ ରିପୋର୍ଟ ଦେଲେ ତାକୁ ଭରସା କରି ବିଜେଡି ନେତାମାନଙ୍କ ଗ୍ରହଣୀୟତା ଆକଳନ କରାଗଲା । କୁଟ୍ଟେ ନିଜର ଖାସ୍ ଅନୁଗତ ମାନସ ମଙ୍ଗରାଜଙ୍କ ମାଧ୍ୟମରେ ବିଜେଡି ପାଇଁ ବ୍ୟବସାୟିକ ସାମ୍ରାଜ୍ୟ ଗଢ଼ିବାରେ ଲାଗିଥିଲେ । ଆଉ ଯେଉଁଠି ତାଙ୍କର ବ୍ୟବସାୟିକ ସମ୍ପର୍କ ଥିଲା ସେହି ଅଂଚଳର ବିଜେଡି ଟିକେଟ୍ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମିଳିବା ନିଶ୍ଚିତ ହୋଇଯାଇଥିଲା । ବିଜେଡି ସମର୍ଥିତ ଗୋଟିଏ ଟିଭି ଚ୍ୟାନେଲ ଓ ଗୋଟିଏ ଖବର କାଗଜ ପ୍ରସାରଣ ପାଇଁ କେଉଁଠି ଟଙ୍କା ଆସୁଥିଲା ତାହା କେବଳ ମାନସ ଓ କୁଟ୍ଟେଙ୍କୁ ଜଣାଥିଲା । ବିଜେଡିର କୌଣସି ନେତା ଏହାର ଟେର ପାଉନଥିଲେ ।

୬- ସରକାର ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଛତ୍ରଛାୟାରେ ରହିଥିବା ଅଫିସର ଓ କିଛି ନେତାଙ୍କ ବିରୁଦ୍ଧରେ ବହୁ ଦୁର୍ନୀତି ଅଭିଯୋଗ ଆସୁଥିଲେ ମଧ୍ୟ ନବୀନ ଚୁପ୍ ରହିଲେ । ରାଜ୍ୟ ଓ ଦଳରେ କ’ଣ ଚାଲିଛି ସେ ଖବର ନବୀନ ରଖିବାରେ ଆଗ୍ରହ ଦେଖାଇଲେ ନାହିଁ । ପୋଷା ଶୁଆ ଭଳି ପାଣ୍ଡିଆନ ଯେଭଳି ନଚେଇଲେ ଓ କହିଲେ ତାହା କହି ନିଜ ଦାୟିତ୍ୱ ଶେଷ କଲେ । ପାଣ୍ଡିଆନଙ୍କୁ ଖୁସି କରିବାକୁ କୁଟ୍ଟେଙ୍କ ଟିମ୍ ଅଧିକ ହିଂସାତ୍ମକ ଆଭିମୁଖ୍ୟ ପୋଷଣ କରି ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ ଏବଂ କିଛି ଗଣମାଧ୍ୟମ ସଂସ୍ଥା ବିରୁଦ୍ଧରେ ଅଯଥା କାର୍ଯ୍ୟାନୁଷ୍ଠାନ କଲେ । ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ କୁଟ୍ଟେ ନିଜର ୩/୪ଜଣ ତୋଷାମଦକାରୀ ବିଜେଡି ନେତା(ପୂର୍ବରୁ ଅନ୍ୟଦଳରେ ଥିଲେ)ମାନଙ୍କ ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀ କରି ଓଲଟା ଅବାନ୍ତର ଯୁକ୍ତି ବାଢ଼ିଲେ । ଯାହାକୁ ସାଧାରଣ ଲୋକେ ସହଜରେ ଗ୍ରହଣ କରିନଥିଲେ ।

୭- ପାଣ୍ଡିଆନ ନିଜକୁ ମୁଖ୍ୟମନ୍ତ୍ରୀ ଭାବେ ଚିତ୍ରଣ କରି ରାଜ୍ୟର ବିଭିନ୍ନ ଅଂଚଳ ବୁଲିଲେ । ଜଣେ ପ୍ରଶାସନିକ ଅଫିସର ଭାବେ ଏଭଳି ବୁଲିବାକୁ ନେଇ ବିଜେପି ଆପତ୍ତି କଲେ ମଧ୍ୟ ତା’ର ପ୍ରଭାବ ତାଙ୍କ ଉପରେ ପଡ଼ିଲା ନାହିଁ । ଫାଇଭ-ଟି କାର୍ଯ୍ୟକ୍ରମ ନାଁରେ ବୁଲିଲେ ଓ ସରକାରୀ କଳକୁ ଉପଯୋଗ କରି ଲୋକଙ୍କୁ ଆଣି ନିଜେ ବାହାବା ନେଲେ । ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସେ ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଲେ । ଆଉ ଦଳର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି ସତ୍ତ୍ୱେ ନିଜେ ୧୪୭ ବିଧାନସଭା କ୍ଷେତ୍ର ବୁଲି ଏକାକୀ ପ୍ରଚାର କଲେ । ନବୀନଙ୍କୁ ମାତ୍ର ୧୪ଦିନ ପ୍ରଚାରକୁ ଓହ୍ଲାଇଲେ । ପାଣ୍ଡିଆନଙ୍କ ଏଭଳି ମାତ୍ରାଧିକ ଆତ୍ମପ୍ରଚାରକୁ ସ୍ୱାଭିମାନୀ ଓଡ଼ିଆ ସହଜରେ ନେଲେନି । ଏହାର ଜବାବ ବିଜେଡିକୁ ଭୋଟ୍
ଆକାରରେ ଦେଲେ । କେବଳ ସେତିକି ନୁହେଁ ପାଣ୍ଡିଆନ ପ୍ରଚାର କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ନେତାମାନଙ୍କୁ ଯେଉଁ ଟାର୍ଗେଟ୍ କଲେ ତାହା ତାଙ୍କ ମଧ୍ୟରେ ଅହଙ୍କାରକୁ ଦର୍ଶାଇଲା । ଲୋକେ ପାଣ୍ଡିଆନ ଉପରେ ରାଗ ଶୁଝାଇବା ପାଇଁ ବିଜେପିକୁ ଭୋଟ୍ ଦେଲେ ଓ ତାଙ୍କୁ ତାଙ୍କର ପ୍ରକୃତ ସ୍ଥିତି ଜଣାଇଦେଲେ ।

୮- ବିଜେଡି ନିର୍ବାଚନର ବହୁ ପୂର୍ବରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟକ୍କର ଦେବାକୁ ନିଜର ଜଣେ ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଆଗକୁ ଆଣିଲା । ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସମସ୍ତ ଦଳୀୟ ବିଧାୟକ ଓ ନେତାମାନଙ୍କୁ ବସାଇ ଶ୍ରୀମୟୀଙ୍କୁ ପ୍ରାର୍ଥୀ ଘୋଷଣା କରାଗଲା । ମିଶନଶକ୍ତି ଚେହେରା ତଥା ମହିଳା ଚେହେରା ଭାବେ ଶ୍ରୀମୟୀଙ୍କୁ ମଧ୍ୟ ଦଳ ୬ମାସ ବୁଲାଇଲା । ସବୁ ପ୍ରକାରର ସହଯୋଗ ଦେଲା । ନବୀନଙ୍କ ନିଷ୍ପତ୍ତି ସତ୍ତ୍ୱେ ସର୍ଭେ ରିପୋର୍ଟ ଆଳ ଦେଖାଇ କୁଟ୍ଟେ ନିଜର ବ୍ୟବସାୟିକ ସ୍ୱାର୍ଥ ପାଇଁ ଶ୍ରୀମୟୀଙ୍କୁ ବଳି ପକାଇ ଦେଲେ ବୋଲି ଚର୍ଚ୍ଚା ହେଲା । ବିଧାୟକ ସୁର ରାଉତରାୟଙ୍କ ମୁହଁ ଚୁପ୍ କରିବାକୁ ତାଙ୍କ ପୁଅ ମନ୍ମଥଙ୍କୁ ବିଜେଡି ଟିକେଟ୍ ଧରାଇଲା । ଆଉ ଖୋର୍ଦ୍ଧା ଜିଲ୍ଲାରେ କିଛି ମୂଲ୍ୟବାନ ଜମିକୁ ହାତେଇବା ପାଇଁ ମଧ୍ୟ ବିଜେଡି ଗୋଟିଏ ବିଧାୟକ ଟିକେଟ୍ ମଧ୍ୟ ଜଣେ ନେତାଙ୍କୁ ଦେବାକୁ ଏହି ଟିମ୍ ପଛାଇ ନଥିବା ଚର୍ଚ୍ଚା ହେଉଛି । କେବଳ ଖୋର୍ଦ୍ଧାରେ ନୁହେଁ ପଶ୍ଚିମ ଓଡ଼ିଶା ସମେତ ଅନ୍ୟ କିଛି ସ୍ଥାନରେ ବିଜେଡିର ଏହି ଟିମ୍ ଖୋଲାଖୋଲି ଭାବେ ଦଳୀୟ ଟିକେଟ୍ ବିକ୍ରି କରିଥିବାର ଅଭିଯୋଗ ହେଲା । ଦଳ ନିଜଆଡ଼ୁ ଶ୍ରୀମୟୀଙ୍କୁ ବୁଲାଇଥିଲା ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ସତ୍ୱେ କୁଟ୍ଟେ ଚକ୍ରାନ୍ତ କରି ଶ୍ରୀମୟୀଙ୍କ ଟିକେଟ୍ କାଟି ସୁରଙ୍କ ପୁଅକୁ ଦେବାକୁ ମଧ୍ୟ ବିଜେଡି ସହ ଜଡ଼ିତ ରାଜ୍ୟର ମିଶନଶକ୍ତି ମହିଳାମାନେ ସହଜରେ ନେଲେନି ଓ ପ୍ରତିକ୍ରିୟାଶୀଳ ହେଲେ । ଆଉ ତା’ର ପରିଣାମ ମଧ୍ୟ ବିଜେଡିକୁ ଏବେ ଭୋଗିବାକୁ ପଡ଼ିଛି ।

୯- ନବୀନଙ୍କ ତୁଳନାରେ ପାଣ୍ଡିଆନଙ୍କ ପ୍ରଭାବ ବୃଦ୍ଧି, ସରକାରରେ ସମସ୍ତଙ୍କ ଭୂମିକା ଗୌଣ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପ ନାଁରେ କୋଟିକୋଟି ଟଙ୍କା ଲୁଟ୍, ମହାପ୍ରଭୁଙ୍କ ନାଁରେ ଚାଉଳ ସଂଗ୍ରହ କରି ତାକୁ ନଷ୍ଟ କରିବା, ବାହାର ରାଜ୍ୟର ଠିକାଦାରମାନଙ୍କ ପ୍ରଭାବ ବିସ୍ତାର ଓ ଓଡ଼ିଆମାନଙ୍କୁ ଅଣଦେଖାକୁ ନେଇ ରାଜ୍ୟବ୍ୟାପୀ ଚାପା ଅସନ୍ତୋଷ ରହିଥିଲା । ଯାହାକୁ ବିଜେଡି ନେତାମାନେ ଅନୁଭବ କରୁଥିଲେ ମଧ୍ୟ ପାଣ୍ଡିଆନ ଓ ତାଙ୍କ ଟିମ ଭୟରେ ମୁହଁ ଖୋଲୁନଥିଲେ । ପାଣ୍ଡିଆନ ନିଜର ଟିମରେ ମୁଖ୍ୟ ଭାବେ କୁଟ୍ଟେଙ୍କୁ ରଖିଥିଲେ । ସଂଗଠନ ସମ୍ପାଦକ ପ୍ରଣବପ୍ରକାଶଙ୍କୁ ସାଇଡ୍ କରି ମାନସ ମଙ୍ଗରାଜଙ୍କୁ ଆଗକୁ ଆଣି ନିଜର ବ୍ୟବସାୟିକ ସାମ୍ରାଜ୍ୟ ବୃଦ୍ଧି ପାଇଁ କୁଟ୍ଟେ ଦୀର୍ଘଦିନ ଧରି ପ୍ରୟାସ କରି ଆସୁଥିଲେ । ଚଳିତ ନିର୍ବାଚନରେ ସର୍ଭେ ରିପୋର୍ଟ ଆଳ ଦେଖାଇ ପ୍ରଣବପ୍ରକାଶଙ୍କ ରାଜନୀତିକ କ୍ୟାରିୟର ସଫା କରିବା ନିମନ୍ତେ ତାଙ୍କୁ ସମ୍ବଲପୁରରେ ସାଂସଦ ପ୍ରାର୍ଥୀ କରିଥିଲେ ବୋଲି ଚର୍ଚ୍ଚା । ଆଉ ପାଣ୍ଡିଆନ-କୁଟ୍ଟେଙ୍କ ମାମଲାତିରେ ବିଜେଡି ତଳିତଳାନ୍ତ ହେବାରେ ଲାଗିଲା ଓ ସାଧାରଣ ଲୋକଙ୍କଠୁ ଦୂରେଇ ଯାଇଥିଲା । କିନ୍ତୁ ନିଜ ଆତ୍ମପ୍ରଚାର ଓ ଚାରିପଟେ ରହିଥିବା ତୋଷାମଦକାରୀଙ୍କ ପ୍ରଂଶସାରେ ପାଣ୍ଡିଆନ ଧରାକୁ ସରା ମଣି କାର୍ଯ୍ୟ କରିବାରୁ ବିଜେଡିକୁ ଏଭଳି ହୀନସ୍ତା ହେବାକୁ ପଡ଼ିଛି । ଆଉ ଦଳର କ୍ଷମତାରୁ ଦୂରେଇବାକୁ ବାଧ୍ୟ ହୋଇଥିବା ଚର୍ଚ୍ଚା ।


COASTAL NEWS ODIA 1862 ଓଡ଼ିଶାରୁ ଗୋଟେ ବି ଲୋକସଭା ଆସନ ଜିତିଲାନି ବିଜେଡ଼ି, କିଏ କିଏ ହେଲେ ଏମପି ?

COASTAL NEWS ODIA 1862

ଓଡ଼ିଶାରୁ ଗୋଟେ ବି ଲୋକସଭା ଆସନ ଜିତିଲାନି ବିଜେଡ଼ି, କିଏ କିଏ ହେଲେ ଏମପି ?  


ଭୁବନେଶ୍ବର - (CNO) ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ଭୋଗିଛି ୨୫ ବର୍ଷର ଶାସକ ଦଳ ବିଜେଡି । ବିଧାନସଭାରେ ମାତ୍ର ୫୧ ସିଟ୍ ଜିତି ନିଜର ସମ୍ମାନ ରଖି ପାରିଥିବା ବିଜେଡି କିନ୍ତୁ ଲୋକସଭା ନିର୍ବାଚନରେ ମାଟି କାମୁଡିଛି । ଦଳ ଅତି ଲଜ୍ଜାଜନକ ପରାଜୟ ଭୋଗିଛି । 

ଓଡିଶାର ୨୧ ଲୋକସଭା ସିଟରୁ ଦଳ ଗୋଟିଏ ହେଲେ ଜିତି ପାରିଲା ନାହିଁ ।  ଅର୍ଥାତ ଦଳ ଖାତା ବି ଖୋଲି ପାରିଲା ନାହିଁ । ୨୦ଟି ଆସନ ବିଜେପି ପୋଛି ନେଇଥିବା ବେଳେ କଂଗ୍ରେସ ନିଜର କୋରାପୁଟ ଆସନ ବଞ୍ଚାଇବାରେ ସଫଳ ହୋଇଛି ।  

୨୦୧୪ ଲୋକସଭା ନିର୍ବାଚନରେ ଯେଉଁ ବିଜେଡି ୨୦ ଏବଂ ୨୦୧୯ରେ ୧୨ଟି ସିଟ୍ ଜିତିଥିଲା ସେହି ଦଳ ଆଜି ଖାତା ବି ଖୋଲି ପାରିନି । ବିଜେଡି ଏମିତି ଧରାଶାୟୀ ହେବ କେହି କେବେ ହେଲେ ଭାବି ପାରି ନ ଥିଲେ । ଆଉ ଇଣ୍ଡିଆ ଟୁଡେ ଏକ୍ସିସ ମାଇ ଇଣ୍ଡିଆର ଏକଜିଟ୍ ପୋଲ ସତ ପ୍ରମାଣିତ ହୋଇଛି । ଏହି ପୋଲରେ କୁହାଯାଇଥିଲା ଯେ, ବିଜେଡି ୧୮ରୁ ୨୦ ଏବଂ ବିଜେଡି ୧ରୁ ୩ ଆସନ ଜିତିବ । 

କିନ୍ତୁ ବିଜେପି ତ ୨୦ ଜିତିଲା ହେଲେ ବିଜେଡି ଗୋଟିଏ ହେଲେ ଜିତି ପାରିଲା ନାହିଁ । ଯେଉଁ ଗୋଟିଏ ଆସନରେ ଦଳ ଶେଷ ପର୍ଯ୍ୟନ୍ତ ଅଗ୍ରଣୀ ଥିଲା ସେହି ଯାଜପୁର ସିଟରେ ବି ହାତରୁ ଖସିଛି । ଯାଜପୁର ସିଟରେ ଶର୍ମିଷ୍ଠା ସେଠୀ ଆଗରେ ଥିଲେ। ହେଲେ ତାଙ୍କ ପରାଜୟ ସହ ବିଜେଡି ଓଡିଶାରେ ଲୋକସଭାରୁ ଖାତା ଖୋଲିବାରେ ବିଫଳ ହୋଇଛି। ଓଡ଼ିଶା ବିଧାନସଭା ନିର୍ବାଚନ: ହାରିଲେ ତିନି ଦଳର ମୁଖିଆ, ନବୀନ, ମନମୋହନ, ଶରତ  

ସଂଗୃହୀତ ତଥ୍ୟରୁ ପ୍ରକାଶ 

ଆସ୍କା- ଅନିତା ଶୁଭଦର୍ଶିନୀ 
ବାଲେଶ୍ଵର- ପ୍ରତାପ ଷଡ଼ଙ୍ଗୀ 
ବରଗଡ଼- ପ୍ରଦୀପ ପୁରୋହିତ 
ବ୍ରହ୍ମପୁର- ପ୍ରଦୀପ ପାଣିଗ୍ରାହୀ 
ଭଦ୍ରକ- ଅଭିମନ୍ୟୁ ସେଠୀ 
ଭୁବନେଶ୍ଵର- ଅପରାଜିତା 
ଷଡ଼ଙ୍ଗୀ ବଲାଙ୍ଗୀର- ସଙ୍ଗୀତା କୁମାରୀ ସିଂହ ଦେଓ 
କଟକ- ଭର୍ତ୍ତୃହରି ମହତାବ 
ଢେଙ୍କାନାଳ- ରୁଦ୍ର ନାରାୟଣ ପାଣି 
ଜଗତସିଂହପୁର- ବିଭୂ ପ୍ରସାଦ ତରାଇ 
ଯାଜପୁର- ରବୀନ୍ଦ୍ର ନାରାୟଣ ବେହେରା 
କଳାହାଣ୍ଡି- ମାଳବିକା ଦେବୀ 
କନ୍ଧମାଳ- ସୁକାନ୍ତ କୁମାର ପାଣିଗ୍ରାହୀ 
କେନ୍ଦ୍ରାପଡ଼ା- ବୈଜୟନ୍ତ ପଣ୍ଡା 
କେନ୍ଦୁଝର- ଅନନ୍ତ ନାୟକ 
ମୟୂରଭଞ୍ଜ- ନବଚରଣ ମାଝୀ 
ନବରଙ୍ଗପୁର- ବଳଭଦ୍ର ମାଝୀ 
ପୁରୀ- ସମ୍ବିତ ପାତ୍ର 
ସମ୍ବଲପୁର- ଧର୍ମେନ୍ଦ୍ର ପ୍ରଧାନ 
ସୁନ୍ଦରଗଡ଼- ଜୁଏଲ ଓରାମ କଂଗ୍ରେସର ବିଜୟୀ ପ୍ରାର୍ଥୀ ହାରିଗଲେ ୩ ଦଳର ଅନେକ ଟାଣୁଆ ନେତା; ବିଜେଡିରୁ ସର୍ବାଧିକ ହେଭିୱେଟ ନେତା ପରାଜିତ 
କୋରାପୁଟ- ସପ୍ତଗିରି ଉଲାକା

ଓଡ଼ିଶା ଲୋକସଭା ଆସନରେ ଖାତା ଖୋଲିପାରିଲାନି ବିଜେଡି। ପ୍ରାୟ ସବୁ ପୋଛିନେଲା ବିଜେପି। ରାଜ୍ୟର ୨୧ ଲୋକସଭା ଆସନରୁ ୨୦ଟି ସିଟ୍ ଏକାକୀ ଜିତିଛି ବିଜେପି। କଂଗ୍ରେସ ଖାତାକୁ ଯାଇଛି କେବଳ କୋରାପୁଟ ଆସନ। ବିଜେଡି ଖାତା ପୂରା ଶୂନ।

କେନ୍ଦ୍ରାପଡ଼ାରେ ବଡ଼ ବିଜୟ ହାସଲ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ମୋଟ ୬ ଲକ୍ଷ ୧୫ ହଜାର ୭୦୫ ଭୋଟ୍ ପାଇଛନ୍ତି ବୈଜୟନ୍ତ। ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ୬୬ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। 

ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ, କଳାହାଣ୍ଡିରେ ମାଳବିକା ଦେଓ, ନବରଙ୍ଗପୁରରେ ବଳଭଦ୍ର ମାଝୀ, ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀ, ଆସ୍କାରେ ଅନୀତା ଶୁଭଦର୍ଶିନୀ, ବଲାଙ୍ଗିରରେ ସଙ୍ଗୀତା କୁମାରୀ ସିଂଦେଓ, ବରଗଡ଼ରେ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରେ ଜୁଏଲ ଓରାମ, କନ୍ଧମାଳରେ ସୁକାନ୍ତ ପାଣିଗ୍ରାହୀ, କେନ୍ଦୁଝରରେ ଅନନ୍ତ ନାୟକ, ଢେଙ୍କାନାଳରେ ରୁଦ୍ରନାରାୟଣ ପାଣି, କଟକରେ ଭର୍ତ୍ତୃହରି ମହତାବ, ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ, ପୁରୀରେ ସମ୍ବିତ ପାତ୍ର, ବାଲେଶ୍ୱରରେ ପ୍ରତାପ ଷଡ଼ଙ୍ଗୀ, ଭଦ୍ରକରେ ଅଭିମନ୍ୟୁ ସେଠୀ, ଯାଜପୁରରେ ରବୀନ୍ଦ୍ର ନାରାୟଣ ବେହେରା, ଜଗତସିଂହପୁରରେ ବିଭୁପ୍ରସାଦ ତରାଇ ଓ ମୟୂରଭଞ୍ଜରେ ନବଚରଣ ମାଝୀ ବିଜୟୀ ହୋଇଛନ୍ତି। କୋରାପୁଟ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି କଂଗ୍ରେସର ସପ୍ତଗିରି ଉଲ୍ଲାକା।

ଲୋକସଭା ନିର୍ବାଚନରେ ପରାଜିତ ହୋଇଛନ୍ତି ବିଜେଡିର ବହୁ ବଡ଼ ଚେହେରା। ପ୍ରଣବ ପ୍ରକାଶ ଦାସ, ଅଚ୍ୟୁତ ସାମନ୍ତ, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର, ସଂତୃପ୍ତ ମିଶ୍ର, ଭୃଗୁ ବକ୍ସିପାତ୍ର ପ୍ରମୁଖ ପରାଜୟର ସାମ୍ନା କରିଛନ୍ତି।

Monday, June 3, 2024

COASTAL NEWS ODIA 1861 ଆଜିଠୁ ଯୁକ୍ତତିନି ନାମଲେଖା ପାଇଁ ହେବ ଆବେଦନ; ଜୁନ ୧୭ ପର୍ଯ୍ୟନ୍ତ ଆବେଦନ

COASTAL NEWS ODIA 1861

ଆଜିଠୁ ଯୁକ୍ତତିନି ନାମଲେଖା ପାଇଁ ହେବ ଆବେଦନ; ଜୁନ ୧୭ ପର୍ଯ୍ୟନ୍ତ ଆବେଦନ 



ଭୁବନେଶ୍ବର - (CNO) ଆଜିଠୁ ଯୁକ୍ତତିନି ନାମଲେଖା ପାଇଁ ହେବ ଆବେଦନ । samsodisha.gov.in ୱେବସାଇଟ ମାଧ୍ୟମରେ ଜୁନ ୧୭ ପର୍ଯ୍ୟନ୍ତ ଏହି ଆବେଦନ ପାଇଁ ସୁଯୋଗ ରହିବ । ଆବେଦନ ପରେ ଜୁନ୍ ୧୮ ତାରିଖରୁ ୧୯ ତାରିଖ ମଧ୍ୟରେ CAFର ତ୍ରୁଟି ସୁଧାରି ପାରିବେ । ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ତିନି ନାମଲେଖା ପକ୍ରିୟା ଆରମ୍ଭ ହେବ । ଅପରାହ୍ନ ୪ଟା ସମୟରୁ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । 


ଜୁନ୍ ୨୫ ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା । ତେବେ ଜୁନ ୨୫ ତାରିଖରୁ ୨୮ ତାରିଖ ଯାଏଁ ସ୍ଲାଇଡ୍ ଅପ୍ସନ ଚୟନ କରିପାରିବେ ଛାତ୍ରଛାତ୍ରୀ । ଜୁନ୍ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ କଲେଜକୁ ଯାଇ ରିପୋର୍ଟ କରିବେ । ଜୁଲାଇ ୫ ତାରିଖ ଅପରାହ୍ନ ୪ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ ।   

ତେବେ ଜୁଲାଇ ୫ ତାରିଖରୁ ୮ ତାରିଖ ଯାଏଁ ସ୍ଲାଇଡ୍ ଅପସନ ଚୟନ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ରିପୋର୍ଟ କରିବେ । ଜୁଲାଇ ୧୫ ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ । ରାଜ୍ୟରେ ସ୍ଵୟଂଶାସିତ କଲେଜ ଏବଂ ଯୁକ୍ତ ତିନି ମୋଟ କଲେଜ ହେଉଛି ୧୦୩୭ ।  

ସେଥିମଧ୍ୟରୁ ୨ ଲକ୍ଷ ୭୩ ହଜାର ୧୫ଟି ସିଟ ରହିଛି । ତେବେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୪ ହଜାର ୫୫୨ ସିଟ ରହିଥିବା ବେଳେ ଦ୍ଵିତୀୟ ସର୍ବାଧିକ କଟକ ଜିଲ୍ଲାରେ ରହିଛି । କଟକରେ ସିଟ ସଂଖ୍ୟା ୨୧ ହଜାର ୮୧୨ ରହିଛି ଏବଂ ଖୋର୍ଦ୍ଧା ଜିଲ୍ଲାରେ ସିଟ ରହିଛି ୨୧ ହଜାର ୧୨୩ ।

Saturday, June 1, 2024

ଇଞ୍ଜିନିୟରିଂ ଛାତ୍ରଙ୍କ ବିଜେଡି ନିର୍ବାଚନ ଖର୍ଚ୍ଚ ପାଇଁ ଅବଦାନ

COASTAL NEWS ODIA 1860

ଇଞ୍ଜିନିୟରିଂ ଛାତ୍ରଙ୍କ ବିଜେଡି ନିର୍ବାଚନ ଖର୍ଚ୍ଚ ପାଇଁ ଭେଟି 


ଆଳି - (CNO) ଆଳି ବ୍ଲକ ଅନ୍ତର୍ଗତ କୋଳିଡିହ ପଞ୍ଚାୟତ ର ତଅଁଳାଡିଆ ଗ୍ରାମର ସମାଜସେବୀ ରବିନ୍ଦ୍ର ମହାନ୍ତି ଓ ଭଗବତୀ ମହାନ୍ତି ଙ୍କ ବଡ଼ ପୁତ୍ର  ନିହାର ରଞ୍ଜନ ମହାନ୍ତି ଭୁବନେଶ୍ୱର ଠାରେ ଥିବା ଏମ ସି ଏ (ଇଂଜିନିୟରିଙ୍ଗ) କଲେଜରେ ଅଧ୍ୟୟନ କରନ୍ତି  l ତାଙ୍କ ଘରୁ ପାଇଥିବା ତାଙ୍କର ପକେଟ ଖର୍ଚ୍ଚ ରୁ ବଞ୍ଚେଇ ରଖିଥିବା ଅର୍ଥ ରୁ ୫୦୦୦ ଟଙ୍କା ଓଡିଶା ରାଜ୍ୟ ସରକାରଙ୍କ ମନ୍ତ୍ରୀ ତଥା ଆଳିର ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରତାପ ଦେବ ଙ୍କୁ ନିର୍ବାଚନ ଖର୍ଚ୍ଚ ପାଇଁ ଛୋଟ ସାହାର୍ଯ୍ୟର ହାତ ବଢ଼ାଇ ସେ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି l 


ଏହାଦ୍ବାରା ପ୍ରାର୍ଥୀ ଶ୍ରୀଦେବ ଙ୍କ ପ୍ରତି ତାଙ୍କର ଥିବା ଶ୍ରଦ୍ଧା ଓ ଭଲପାଇବା ପ୍ରତିଫଳିତ ହୋଇଛି ଓ ସମାଜରେ ସକାରାତ୍ମକ ଚିନ୍ତାଧାରା ଉଦ୍ରେକ ହୋଇଛି ବୋଲି ଆଲୋଚନା ହେଉଛି l ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଙ୍କ ର ଲୋକପ୍ରିୟତାର ଏହା ଏକ ନମୁନା l

Friday, May 31, 2024

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ, ନିୟୋଜିତ ହେବେ ୩୬ ହଜାର ପୋଲିସ ଫୋର୍ସ

COASTAL NEWS ODIA 1859

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ, ନିୟୋଜିତ ହେବେ ୩୬ ହଜାର ପୋଲିସ ଫୋର୍ସ 


ଭୁବନେଶ୍ବର - (CNO) ଆସନ୍ତାକାଲି ଓଡ଼ିଶାରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଭୋଟ୍ ଦବେ ଓଡ଼ିଶା । ସବୁଠି ନିର୍ବାଚନ ମାହୋଲ । ଚତୁର୍ଥ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଆସନ୍ତାକାଲି ନିର୍ବାଚନ ହେବ । ଏହି ପର୍ଯ୍ୟାୟରେ କୌଣସି ସ୍ଥାନରେ ମାଓବାଦୀ କାର୍ଯ୍ୟକଳାପ ନାହିଁ ବୋଲି କହିଲେ ଡିଜି ଅରୁଣ ଷଡଙ୍ଗୀ । ତାଙ୍କ କହିବା ଅନୁସାରେ, ପ୍ରଥମ ଥର ପାଇଁ ୨୫ ବର୍ଷ ପରେ ମାଓବାଦୀ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇଛି । 

ଏଥର ୧୦ ହଜାର ୮୮୨ ଟି ବୁଥ୍ ଅଛି। ଏହା ଭିତରେ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ । ୩୬ ହଜାର ପୋଲିସ ଫୋର୍ସ ଏହି ନିର୍ବାଚନରେ ନିୟୋଜିତ ହେବେ । ୧୨୬ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ , ୮୬ ପ୍ଲାଟୁନ ଓଡିଶା ଆର୍ମ ପୋଲିସ ରହିବେ । ବୁଥ ତଦାରଖ ପାଇଁ ୮୪୩ ଟି ମୋବାଇଲ ପେଟ୍ରୋଲିଂ ପାର୍ଟି କାମ କରୁଛି । ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମକୁ ମନିଟର କରିବ ପେଟ୍ରୋଲିଂ ପାର୍ଟି ।  

ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଏସଡିପିଓ ଓ ଡିଏସପି ଦାୟିତ୍ୱରେ ରହିବେ । ସମ୍ବେଦନଶୀଳ ସ୍ଥାନରେ କୁଇକ ଆକ୍ସନ ଟିମ କାମ କରିବ । ସମ୍ବେଦନଶୀଳ ବୁଥରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛି । ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ସୀମାରେ ଥିବା ୨୧ ଟି ବର୍ଡର ଚେକ ପୋଷ୍ଟ ରେ କଡାକଡି ଚେକିଂ ଚାଲିଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୨୫୫ ଟି ଫ୍ଲାଇଁ ସ୍କ୍ୱାର୍ଡ ବୁଲୁଛି। ଏହା ବ୍ୟତୀତ ୨୫୫ ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛି । ଏହି ୧୩ ଟି ସ୍ଥାନରେ ଇଭିଏମ ଷ୍ଟ୍ରଙ୍ଗ ରୁମ ରହିଛି । ସେଠାରେ ମଧ୍ୟ ଇନର କାର୍ଡନ ଦାୟିତ୍ୱରେ ଅର୍ଦ୍ଧ ସାମରିକ ବାହିନୀ କାମ କରିବ । 

ଆଉଟର କର୍ଡନ ଦାୟିତ୍ୱରେ ଓଡିଶା ପୋଲିସ ରହିବ । ନିର୍ବାଚନ ଅବସରରେ ୬ ଲକ୍ଷ ଲିଟର ମଦ ଜବତ କରାଯାଇଛି। ୨୬ ହଜାର ରୁ ଅଧିକ ଏନଡିପିଏସ୍ କେସ ହୋଇଛି। ୮୬୦ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ୫ ହଜାର ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ୫ କେଜି ବ୍ରାଉନସୁଗର କରାଯାଇଛି । ସମୁଦାୟ ନିଶା ସାମଗ୍ରୀ ନଗତ ଟଙ୍କା ଜବତ ମୂଲ୍ୟ ଆନୁମାନିକ ୮୯ କୋଟି ହେବ । 

ଆଚରଣ ବିଧି ଉଲଂଘନ ନେଇ କେସ ହୋଇଥିବା ବେଳେ ସମୁଦାୟ ୩୬ ଟି କେସ ରୁଜୁ ହୋଇଛି । ୪୯ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜାନୁଆରୀ ମାସ ପ୍ରଥମ ସପ୍ତାହ ରୁ ଆଜି ଭିତରେ ୩୪ ହଜାର ୬୦୨ ୱାରେଣ୍ଟ ଇସ୍ୟୁ ହୋଇଛି । ୪ ହଜାର ପଳାତକଙ୍କ ବିରୋଧରେ ଲଟକା ଲାଗିଛି । ୧ ହଜାରରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଦଫା ୧୦୭, ୧୦୯, ୧୧୦ ଜରିଆରେ ଅଭିଯୁକ୍ତଙ୍କୁ ଦମନ କରାଯାଇଛି। ସମୁଦାୟ ୫୧ ହଜାରରୁ ଅଧିକ ପ୍ରୋସିଡିଂ ଜାରି ହୋଇଛି। 


ଭୁବନେଶ୍ୱର କଟକରେ ୩ ଜଣଙ୍କୁ ତଡିପାର ଘୋଷଣା କରାଯାଇଛି । ଅନ୍ୟପଟେ ୧୧ ଜଣଙ୍କୁ ଏନଏସଏରେ ବୁକ କରାଯାଇଛି । ସ୍ପେଶାଲ ଡ୍ରାଇଭ ବଳରେ ୨୮୧ ଜଣଙ୍କ ଠାରୁ ବେଆଇନ ଅସ୍ତ୍ର ଶସ୍ତ୍ର ଜବତ କରାଯାଇଛି । ୩ଟି ବନ୍ଧୁକ ତିଆରି ସ୍ଥାନ ଠାବ କରାଯାଇଛି । ଏସଏସଟି ପକ୍ଷରୁ ଚଢ଼ାଉ କରାଯାଇ ଗାଡି ଭିତରୁ ୬.୨୯ କୋଟିରୁ ଅଧିକ ଟଙ୍କା ବିଭିନ୍ନ ସ୍ଥାନରୁ ଜବତ କରାଯାଇଛି । 

ସୋସିଆଲ ମିଡିଆ ମନିଟରିଂ ସେଲ ଗଠନ କରାଯାଇ ଆପତ୍ତିଜନକ ପୋଷ୍ଟ ହଟାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ କେସ ରୁଜୁ ହୋଇଛି । ଅବାଧ, ମୁକ୍ତ, ନିରପେକ୍ଷ ନିର୍ବାଚନ ପାଇଁ ଓଡିଶା ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ପୋଲିସ ଡିଜିପି ।

Wednesday, May 29, 2024

ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪: କ୍ଷମତାକୁ ଆସିଲେ କିଏ ହେବେ ବିଜେପିର ମୁଖ୍ୟମନ୍ତ୍ରୀ ?

COASTAL NEWS ODIA 1858

ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪: କ୍ଷମତାକୁ ଆସିଲେ କିଏ ହେବେ ବିଜେପିର ମୁଖ୍ୟମନ୍ତ୍ରୀ ? 
 
ଭୁବନେଶ୍ବର - (CNO) କ୍ଷମତାକୁ ଆସିଲେ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ? ବିଜେପି ଫୋକସରେ ଓଡ଼ିଶା ଥିବା ବେଳେ ବାରମ୍ବାର କେନ୍ଦ୍ରୀୟ ନେତାଙ୍କ ଆଗମନ ନୂଆ ସମ୍ଭାବନା ସୃଷ୍ଟି କରୁଛିରହୁଛି । ତେବେ ଯଦି ବିଜେପି ଯେଣେତେଣେ ଉପରେ ସରକାର କରେ ତେବେ କିଏ ହୋଇପାରନ୍ତି ମୂଖ୍ୟମନ୍ତ୍ରୀ   ।
 

ଧର୍ମେନ୍ଦ୍ର ପ୍ରଧାନ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ଆସିଲେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ତାଙ୍କର ମଧ୍ୟ ଭଲ ଦକ୍ଷତା ରହିଛି । ସେ ମୋଦିଙ୍କ କ୍ୟାବିନେଟରେ ଦୁଇ ଥର ମନ୍ତ୍ରୀ ହୋଇଛନ୍ତି । ସାରା ଦେଶରେ ଉଜ୍ଜଳା ମ୍ୟାନ୍ ଭାବରେ ସେ ଜଣାଶୁଣା । ସେ ଚଳିତ ଥର୍ ସମ୍ବଲପୁରରୁ ସାଂସଦ ଭାବରେ ପ୍ରତିଦ୍ବନ୍ଦିତା କରିଛନ୍ତି । 


ସମ୍ବିତ ପାତ୍ର: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବି ଏହି ରେସରେ ଅଛନ୍ତି । ବିଭିନ୍ନ ରାଷ୍ଟ୍ରୀୟ ଗଣମାଧ୍ୟମରେ ତାଙ୍କୁ ଦେଖାଯାଏ । ସେ ମଧ୍ୟ ଦକ୍ଷତାର ସହ ନିଜକୁ ପ୍ରତପାଦିତ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ବି ତାଙ୍କର ଭଲ ଚାହିଦା ରହିଛି । ସେ ଚଳିତ ଥର୍ ପୁରୀରୁ ସାଂସଦ ଭାବରେ ପ୍ରତିଦ୍ବନ୍ଦିତା କରିଛନ୍ତି । 


ଅପରାଜିତା ଷଡ଼ଙ୍ଗୀ : ମ୍ୟାଡାମ ଅପରାଜିତା ଭାବରେ ସେ ଜଣାଶୁଣା । ସେ ବିଜେପିର ମୁଖ୍ୟମନ୍ତ୍ରୀ ପାଇଁ ବି ଉପଯୁକ୍ତ । ସାରା ଓଡ଼ିଶାର ଲୋକେ ତାଙ୍କୁ ବେଶ୍ ଭଲ ପାଆନ୍ତି । ଭୁବନେଶ୍ୱର ସାଂସଦ ଭାବରେ ଜିତିବା ପରେ ସେ ବେଶ୍ ଆଦୃତ ଲାଭ କରିଛନ୍ତି । ପ୍ରଶାସନିକ ଦକ୍ଷତା ତାଙ୍କର ରହିଛି । 


ବୈଜୟନ୍ତ ପଣ୍ଡା: ବୈଜୟନ୍ତ ପଣ୍ଡା ବିଜେପିର ରାଷ୍ଟ୍ରୀୟ ଉପସଭାପତି । ତାଙ୍କୁ ଲୋକେ ବେଶ୍ ଆଦୃତ କରିଛନ୍ତି । ସେ କେନ୍ଦ୍ରାପଡ଼ାର ସାଂସଦ ଥିବା ବେଳେ ଭଲ କାମ କରିଛନ୍ତି । ତାଙ୍କୁ ବିଜେପିର ସବୁ ବଡ ବଡ ଇଭେଣ୍ଟରେ ଦେଖିବାକୁ ମିଳେ । 


ପ୍ରତାପ ଷଡ଼ଙ୍ଗୀ : ଏହି ଲିଷ୍ଟରେ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ବି ଆସିପାରେ । ସେ ବିଜେପିର ଜଣେ ସୁସଂଗଠକ । ହିନ୍ଦୁତ୍ବକୁ ନେଇ ଆଗକୁ ବଢୁଥିବା ନନା ସମସ୍ତଙ୍କ ଭାରି ପ୍ରିୟ । ବିଜେପିର ଅନ୍ୟ ନେତା ମାନେ ମଧ୍ୟ ତାଙ୍କୁ ମାନନ୍ତି । ସଦାବେଳେ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ କଥା ଉଠାଇଛନ୍ତି । ସେ ବିଜେପି ଓ ଆରଏସଏ ସହ ଅନେକ ବର୍ଷରୁ ଜଡ଼ିତ । 


ଗିରିଶ ମୁର୍ମୁ: ମୁଖ୍ୟମନ୍ତ୍ରୀ ଚେହେରା ହୋଇପାରନ୍ତି ଗିରିଶ ମୁର୍ମୁ ।ଗୁଜରାଟ କ୍ୟାଡରର ୧୯୮୫ ବ୍ୟାଚ୍‌ ଓଡ଼ିଆ ଆଇଏଏସ୍‌ ଅଧିକାରୀ ଶ୍ରୀ ମୁର୍ମୁଙ୍କ ଘର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ । ତେବେ ନରେନ୍ଦ୍ର ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ମୋଦୀଙ୍କ ପ୍ରମୁଖ ସଚିବ ଥିଲେ। ସେ ଯଦି ମୁଖ୍ୟମନ୍ତ୍ରୀ ହେବେ ଆଦିବାସୀ ଚେହେରା ହେବେ । 


ଶକ୍ତିକାନ୍ତ ଦାସ: ମୁଖ୍ୟମନ୍ତ୍ରୀ ଚେହେରା ହୋଇପାରନ୍ତି ଶକ୍ତିକାନ୍ତ ଦାସ । ଜଣେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅଟନ୍ତି । ୨୦୧୮ ଡିସେମ୍ବର ୧୧ତାରିଖରେ ସେ ଭାରତର ୨୫ତମ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ନିଯୁକ୍ତ ହୋଇଥିଲେ । ଏହି ପଦ ହାସଲ କରିବାରେ ଶକ୍ତିକାନ୍ତ ପ୍ରଥମ ଓଡ଼ିଆ ଥିଲେ ।

ଏଥର ଶୀଘ୍ର ଆସିବ ମୌସୁମୀ ! ୫ ଦିନ ମଧ୍ୟରେ କେରଳ ଛୁଇଁବ

COASTAL NEWS ODIA 1857

ଏଥର ଶୀଘ୍ର ଆସିବ ମୌସୁମୀ ! ୫ ଦିନ ମଧ୍ୟରେ କେରଳ ଛୁଇଁବ 

ଭୁବନେଶ୍ବର - (CNO) ଏଥର ଶୀଘ୍ର ଆସିବ ମୌସୁମୀ । ଭାରତ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଗାମୀ ୫ ଦିନ ଭିତରେ କେରଳ ଛୁଇଁପାରେ ମୌସୁମୀ । ପାଣିପାଗ ବିଜ୍ଞାନୀମାନେ କହିଛନ୍ତି ଯେ, ଏହି ସମୟରେ ମୌସୁମୀ ପାଇଁ କେରଳରେ ପାଗ ଅନୁକୂଳ ମଧ୍ୟ ରହିଛି । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଅବସ୍ଥିତ ଭାରତ ପାଣିପାଗ ବିଭାଗ କେନ୍ଦ୍ର ଅନୁଯାୟୀ ଆସନ୍ତା ୫ ଦିନ ମଧ୍ୟରେ କେରଳରେ ମୌସୁମୀ ଆରମ୍ଭ ହେବା ପାଇଁ ଯାଉଛି ପାଗ ଅନୁକୂଳ ରହିଛି । 

ଦକ୍ଷିଣ-ପଶ୍ଚିମ ମୌସୁମୀ ଦକ୍ଷିଣ ଆରବ ସାଗରର କିଛି ଅଂଶ, ମାଲଦ୍ୱୀପ ଏବଂ କୋମରିନ୍ ଅଞ୍ଚଳର ଅବଶିଷ୍ଟ ଅଂଶକୁ ଯାଇପାରେ। ଏହି ସମୟ ମଧ୍ୟରେ ଲକ୍ଷଦ୍ୱୀପ ଅଞ୍ଚଳ, କେରଳର କିଛି ଅଂଶ, ଦକ୍ଷିଣ-ପଶ୍ଚିମ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର କିଛି ଅଂଶରେ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି । IMD ସୂଚନା ଅନୁସାରେ, ଉପକୂଳ ବାଂଲାଦେଶ ଏବଂ ଏହାର ଉପକୂଳବର୍ତ୍ତୀ ପଶ୍ଚିମବଙ୍ଗ ଉପରେ ବାତ୍ୟା "ରେମାଲ୍" ଗତ 6 ଘଣ୍ଟା ମଧ୍ୟରେ 15 କିଲୋମିଟର ବେଗରେ ପ୍ରାୟ ଉତ୍ତର ଦିଗକୁ ଗତି କରିଛି ଏବଂ ଧୀରେ ଧୀରେ ଏହାର ପ୍ରଭାବ କମିବାରେ ଲାଗିଛି ।

Sunday, May 26, 2024

ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ୫୯.୭୨% ମତଦାନ

COASTAL NEWS ODIA

ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ୫୯.୭୨% ମତଦାନ  



ଭୁବନେଶ୍ବର (CNO) ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି । ତେବେ ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ମୋଟ୍ ୫୯.୭୨% ମତଦାନ ହୋଇଛି । ସେହିପରି ଭୁବନେଶ୍ୱରରେ ୫୩.୫୪ ପ୍ରତିଶତ ଭୋଟଗ୍ରହଣ ହୋଇଥିବା ବେଳେ କଟକରେ ୫୪.୩୬%, ଢେଙ୍କାନାଳରେ ୬୦.୮୮%, କେନ୍ଦୁଝରରେ ୬୨.୪୩%, ପୁରୀରେ ୬୧.୧୭% ଏବଂ ସମ୍ବଲପୁରରେ ୬୬.୬୭% ମତଦାନ ହୋଇଛି । 

ଇଭିଏମରେ ସିଲ ହେଲା ବହୁ ହେଭିୱେଟଙ୍କ ଭାଗ୍ୟ । କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ସରିଛି ମତଦାନ। ୨୯ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ  | 

ଷଷ୍ଠ ପର୍ଯ୍ୟାୟରେ ୫୯% ମତଦାନ, ସବୁଠୁ ଆଗରେ ପଶ୍ଚିମବଙ୍ଗ ଷଷ୍ଠ ପର୍ଯ୍ୟାୟରେ ୫୯% ମତଦାନ, ସବୁଠୁ ଆଗରେ ପଶ୍ଚିମ ବଙ୍ଗ ବଙ୍ଗଳା ଭୋଟରଙ୍କ ମତଦାନ ଆପରେ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ପଶ୍ଚିମବଙ୍ଗ ୭୮% ରୁ ଅଧିକ ଭୋଟ୍ ଗହଣ ସହିତ ରହିଛି ସବୁଠୁ ଆଗରେ । 

 ସଂନ୍ଧ୍ୟା ୫ଟା ସୁଦ୍ଧା ଦେଶରେ ୫୭% ମତଦାନ ସଂନ୍ଧ୍ୟା ୫ଟା ସୁଦ୍ଧା ଦେଶରେ ୫୭% ମତଦାନ ହୋଇଛି । ବିହାର- ୫୨.୨୪% ହରିୟାଣା -୫୫.୯୩% ଜାମ୍ମୁ-କାଶ୍ମୀର -୫୧.୩୫% ଝାଡଖଣ୍ଡ -୬୧.୪୧% ଦିଲ୍ଲୀ-୫୩.୭୩% ଓଡିଶା -୫୯.୬୦% ଉତ୍ତରପ୍ରଦେଶ -୫୨.୦୨% ପଶ୍ଚିମବଙ୍ଗ -୭୭.୯୯% 

୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ମତଦାନ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ମତଦାନ ହୋଇଛି। ଦେବଗଡ଼ରେ ସର୍ବାଧିକ ୬୭ ପ୍ରତିଶତ ମତଦାନ ହୋଇଛି। ଅନୁଗୁଳରେ ୬୫.୧୯, କଟକରେ ୫୩.୧୪, ଢେଙ୍କାନାଳରେ ୫୮.୬୯, ପୁରୀରେ ୬୧.୯୬, ନୟାଗଡ଼ରେ ୬୧.୦୮, ସମ୍ବଲପୁରରେ ୬୫.୬୧ ,‌ କେନ୍ଦୁଝର ୬୨.୫୯, ମୟୂରଭଂଜ ୬୧.୩୮, ପ୍ରତିଶତ ମତଦାନ ହୋଇଛି। 

ରାଜ୍ୟରେ ୫ଟା ସୁଦ୍ଧା ୫୯.୬୦%ପ୍ରତିଶତ ମତଦାନ ରାଜ୍ୟରେ ୫ଟା ସୁଦ୍ଧା ୫୯.୬୦%ପ୍ରତିଶତ ମତଦାନ । ସୂଚନା ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ । 

ଭୋଟ ଦେଲେ ଧର୍ମେନ୍ଦ୍ର ଭୋଟ ଦେବା ପରେ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା । କହିଲେ, ଭୋଟରଙ୍କ ମୁଡ୍ କହୁଛି ପରିବର୍ତ୍ତନ ହେବ । ବିଜେପି ଓଡିଶାରେ ବହୁମତ ପାଇବ । 

'୧୫୦ ଆସନ ପାର କରିପାରିବ ନାହିଁ ବିଜେପ' କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା କହିଛନ୍ତି, "ମୁଁ ଗଣତନ୍ତ୍ରର ଏହି ପର୍ବରେ ଅଂଶଗ୍ରହଣ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରୁଛି । ବିଜେପି ଚଳିତ ନିର୍ବାଚନରେ ୧୫୦ ଟି ଆସନ ଅତିକ୍ରମ କରିପାରିବ ନାହିଁ । ଦେଶରେ ରୋଜଗାରର ଆବଶ୍ୟକତା ରହିଛି, ମୁଦ୍ରାସ୍ଫୀତିରୁ ମୁକ୍ତି ଆବଶ୍ୟକ, ଏକ ଶକ୍ତିଶାଳୀ ଅର୍ଥନୀତି ଆବଶ୍ୟକ, ଘୃଣା ରାଜନୀତିର ସମାପ୍ତି ଆବଶ୍ୟକ ... ଭୋଟରମାନେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ରଣଦୀପ ସିଂ ସୁରଜେୱାଲା । 

୪ ଜୁନ୍‌ରେ ହେବ ୪୦୦ ପାର୍‌ ରାଜସ୍ଥାନ ସିଏମ ଭଜନଲାଲ ଶର୍ମା କହିଛନ୍ତି, "ମୁଁ ଯେଉଁ ଭଳି ଭାବରେ ସାରା ଦେଶ ଭ୍ରମଣ କରିଛି, ମୁଁ କହିପାରେ ଯେ '୪ ଜୁନ୍ ରେ ବିଜେପି ୪୦୦ ଅତିକ୍ରମ କରିବ' .. ଲୋକମାନଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିଶ୍ୱାସ ଅଛି । 

ଅଜୟ ମାକେନଙ୍କ ବୟାନ, କହିଲେ ସମସ୍ତେ ଇଣ୍ଡିଆ ମେଣ୍ଟ ସପକ୍ଷରେ ଭୋଟ୍ ଦେଉଛନ୍ତ କଂଗ୍ରେସ ନେତା ଅଜୟ ମାକେନ୍ କହିଛନ୍ତି, "ପରିବେଶ ବହୁତ ଭଲ ରହିଛି । ସମସ୍ତେ ଇଣ୍ଡିଆ ମେ ସପକ୍ଷରେ ଭୋଟ୍ ଦେଉଛନ୍ତି ... 

ଦେଶରେ ଦିନ ୩ଟା ସୁଦ୍ଧା ମୋଟ ୪୯.୨୦% ମତଦାନ ଦେଶରେ ୫୮ ଟି ଆସନରେ ମତଦାନ ଜାରି ରହିଛି, ଦିନ ୩ଟା ସୁଦ୍ଧା ଦେଶରେ ହୋଇଛି ୪୯.୨୦% ଭୋଟ୍ । ଲୋକସଭା ନିର୍ବାଚନ ୨୦୨୪ ର ଷଷ୍ଠ ପର୍ଯ୍ୟାୟରେ ୬ ଟି ରାଜ୍ୟ ଏବଂ ୨ ଟି ୟୁନିଅନର ୫୮ ଟି ସିଟ୍ ପାଇଁ ଭୋଟ୍ ଚାଲିଛି । ଅପରାହ୍ନ ୩ ଟା ସୁଦ୍ଧା ଦେଶରେ ୪୯.୨୦% ମତଦାନ ଗ୍ରହଣ ହୋଇଛି । ବିହାରରେ ୪୫.୨୧%, ହରିୟାଣାରେ ୪୬.୨୬%, ଜାମ୍ମୁ କାଶ୍ମୀରରେ ୪୪.୪୧%, ଝାଡଖଣ୍ଡରେ ୫୪.୩୪%, ଦିଲ୍ଲୀରେ ୪୪.୫୮%, ଓଡିଶାରେ ୪୮.୪୪%, ଉତ୍ତରପ୍ରଦେଶରେ ୪୩.୯୫% ଏବଂ ପଶ୍ଚିମବଙ୍ଗରେ ୭୦.୧୯% ମତଦାନ ଗ୍ରହଣ ହୋଇଛି । 

ଭୋଟ ଦେଲେ ଭର୍ତ୍ତୃହରି ମହାତାବ ପରିବାର ସହ ଆସି ଭୋଟଦେଲେ କଟକ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହାତାବ । 

ଅପରାହ୍‌ଣ ୩ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ ଆଜି ଅପରାହ୍‌ଣ ୩ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ ହୋଇଛି। ଅନୁଗୁଳ ଜିଲ୍ଲାରେ ୫୩.୧୩ ପ୍ରତିଶତ ମତଦାନ ହୋଇଛି। ସେହିପରି କଟକ ଜିଲ୍ଲାରେ ୪୨.୧୧%, ଦେବଗଡ଼ରେ ୫୬%, ‌‌ଢେଙ୍କାନାଳରେ ୪୭.୮୯%, କେନ୍ଦୁଝରରେ ୫୩.୬୧%, ଖୋର୍ଦ୍ଧାରେ ୪୩.୩୭%, ମୟୂରଭଂଜରେ ୫୧.୦୫%, ନୟାଗଡ଼ରେ ୪୬.୭୬% ଭୋଟିଂ ହୋଇଛି। 

ରାଜ୍ୟରେ ଦିନ ୩ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ ରାଜ୍ୟରେ ଦିନ ୩ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ 

ଭୋଟ ଦେଲେ ପୃଥୀବଲ୍ଲଭ ପଟ୍ଟନାୟକ ଭୋଟ ଦେଲେ ବେଗୁନିଆ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ପୃଥୀବଲ୍ଲଭ ପଟ୍ଟନାୟକ । ସାଧାରଣ ଲୋକଙ୍କ ଭଳି ଧାଡିରେ ଛିଡା ହୋଇଦେଲେ ଭୋଟ । 

ବିଜେପି ପ୍ରାର୍ଥୀଙ୍କ କନଭେ ଉପରକୁ ହେଲା ପଥର ମାଡ଼ ପଶ୍ଚିମବଙ୍ଗର ଝାରଗ୍ରାମରୁ ବିଜେପି ପ୍ରାର୍ଥୀ ପ୍ରଣତ ଟୁଡୁଙ୍କ କନଭେ ଉପରକୁ ପଥର ମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି । କୁହାଯାଉଛି ଯେ ଏହି ପଥର ଫିଙ୍ଗିବାରେ ତାଙ୍କ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । 

ଭୋଟ ଦେଲେ ମନ୍ମଥ ନିଜ ଗାଁକୁ ଯାଇ ଭୋଟ ଦେଲେ, ମତଦାନ ପାଇଁ ଲୋକଙ୍କୁ ଅପିଲ କଲେ ଭୁବନେଶ୍ୱର ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । 

ଅରବିନ୍ଦର ସିଂ ଲଭଲିଙ୍କ ପ୍ରତିକ୍ରିୟା ବିଜେପି ନେତା ଅରବିନ୍ଦର ସିଂ ଲଭଲି କହିଛନ୍ତି ଯେ ମୁଁ ଗଣତନ୍ତ୍ରର ଏହି ପର୍ବ ପାଳନ କରିବାକୁ ଲୋକଙ୍କୁ ନିବେଦନ କରୁଛି । ପିଏମ ମୋଦୀଙ୍କୁ ଭୋଟ ଦେବା ପାଇଁ ଲୋକଙ୍କ ମନରେ ଯେଉଁଭଳି ଉତ୍ସାହ ଭରି ରହିଛି ମୁଁ ଏହା ପୂର୍ବରୁ ଦେଖି ନାହିଁ । ଦେଶର ବିକାଶ ପାଇଁ ଲୋକମାନେ ଭୋଟ୍ ଦେଉଛନ୍ତି ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ଯେ ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ । 

ବାଙ୍କୀ ବଳଭଦ୍ରପୁର ୨୧ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ଅସୁସ୍ଥ ବାଙ୍କୀ ବଳଭଦ୍ରପୁର ୨୧ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ଅସୁସ୍ଥ ଡ୍ୟୁଟି ବେଳେ ଅସୁସ୍ଥ ହେଲେ ପ୍ରିଜାଇଡିଂ ଅଫିସର । ପରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । କିଛି ସମୟ ପାଇଁ ମତଦାନ ହୋଇଥିଲା ପ୍ରଭାବିତ, ବିକଳ୍ପ ବ୍ୟବସ୍ଥା ପରେ ଭୋଟିଂ ହୋଇଛି ଆରମ୍ଭ 

 ଦିନ ୧ଟା ସୁଦ୍ଧା ୩୩.୫୫% ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି,ଦିନ ୧ଟା ସୁଦ୍ଧା ୩୩.୫୫% ମତଦାନ ସୂଚନା 

ଭୋଟ ଦେଲେ କୁମାରୀ ଶୈଲଜା ସିରସା ଲୋକସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ କୁମାରୀ ଶୈଲଜା ତାଙ୍କ ଭୋଟ୍ ଦେଇଛନ୍ତି । ସେ ଭୋଟ ଦେବା ପରେ କହିଛନ୍ତି, "ଲୋକମାନେ କଂଗ୍ରେସ ଏବଂ ମିଳିତ ମଞ୍ଚ ଆଡକୁ ଆକୃଷ୍ଠ ହୋଇଛନ୍ତି । ଲୋକମାନେ ବିକଳ୍ପ ଖୋଜୁଛନ୍ତି । ଲୋକମାନେ ସେମାନଙ୍କର (ବିଜେପି) ବାସ୍ତବତା ଜାଣିଛନ୍ତି । ହରିୟାଣାରେ ବେକାରୀ ସମସ୍ୟା ଏକ ବଡ ପ୍ରସଙ୍ଗ ହୋଇ ଉଭା ହୋଇଛି ବୋଲି କହିଛନ୍ତି ଶୈଲଜା । " 

ବିଜେପି ପ୍ରାର୍ଥୀଙ୍କ ଅଭିଯୋଗ ପଶ୍ଚିମବଙ୍ଗର ମେଦିନାପୁରରୁ ବିଜେପି ପ୍ରାର୍ଥୀ ଅଗ୍ନିମିତ୍ର ପଲ ଅଭିଯୋଗ କରିଛନ୍ତି ଯେ ବିଜେପି ଏଜେଣ୍ଟମାନଙ୍କୁ ମତଦାନ ବୁଥକୁ ଯିବାକୁ ଦିଆଯାଉ ନାହିଁ । 
 
୧ ଟା ସୁଦ୍ଧା ୩୯.୧୩% ଭୋଟ୍‌ ଷଷ୍ଠ ପର୍ଯ୍ୟାୟରେ ଦେଶର ୫୮ ଟି ଆସନରେ ଅନୁଷ୍ଠିତ ନିର୍ବାଚନରେ ମଧ୍ୟାହ୍ନ ୧ ଟା ସୁଦ୍ଧା ହୋଇଛି ୩୯.୧୩% ଭୋଟ୍ ଗ୍ରହଶ ହୋଇଛି ।  

ଦିନ 1 ଟା ପର୍ଯ୍ୟନ୍ତ 39.13% ମତଦାନ ପଶ୍ଚିମବଙ୍ଗରେ ସର୍ବାଧିକ 54.80 ପ୍ରତିଶତ ମତଦାନ ହୋଇଛି । ଉତ୍ତରପ୍ରଦେଶରେ 37.23 ପ୍ରତିଶତ, ବିହାରରେ 36.48 ପ୍ରତିଶତ, ଝାଡଖଣ୍ଡରେ 42.54 ପ୍ରତିଶତ, ହରିୟାଣାରେ 36.48 ପ୍ରତିଶତ, ଦିଲ୍ଲୀରେ 34.37 ପ୍ରତିଶତ ଏବଂ ଜାମ୍ମୁ କାଶ୍ମୀରର ଅନନ୍ତନାଗ ରଜୋରୀରେ 35.22 ପ୍ରତିଶତ ମତଦାନ ହୋଇଛି। 

ଭୋଟ୍ ଦେଲେ ନୁପୁର ଶର୍ମା ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମା ଦିଲ୍ଲୀର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି । 

ମତଦାନ ପରେ ମା ସୋନିଆଙ୍କ ସହ ସେଲଫି ନେଲେ ରାହୁଲ ମତଦାନ ପରେ ମା ସୋନିଆଙ୍କ ସହ ସେଲଫି ନେଲେ ରାହୁଲ ଗାନ୍ଧୀ । 

ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସ ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସ , ପଶ୍ଚିମବଙ୍ଗର ମେଦିନାପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ଏବଂ ଟିଏମସି କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ । 
 କେଜ୍ରିୱାଲଙ୍କ ସମର୍ଥନରେ ପାକିସ୍ତାନ ମନ୍ତ୍ରୀ କେଜ୍ରିୱାଲଙ୍କ ସମର୍ଥନରେ ବାହାରିଲେ ପାକିସ୍ତାନ ମନ୍ତ୍ରୀ ସେୟାର କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଫଟୋ । 

 ରାଜ୍ୟରେ ଦେବଗଡ଼ରେ ସର୍ବାଧିକ ୨୪% ଭୋଟିଂ ହୋଇଛି ରାଜ୍ୟରେ ଦେବଗଡ଼ରେ ସର୍ବାଧିକ ୨୪% ଭୋଟିଂ ହୋଇଛି । ସେହିପରି ଢେଙ୍କାନାଳରେ ୨୦.୯୨%, କେନ୍ଦୁଝରରେ ୨୦.୮୪ ପ୍ରତିଶତ, ଖୋର୍ଦ୍ଧାରେ ୨୧.୬୧ ପ୍ରତିଶତ. ମୟୂରଭଞ୍ଜରେ ୨୧.୨୪%, ନୟାଗଡ଼ରେ ୧୯.୩୦%, ପୁରୀରେ ୨୧.୬୪%, ସମ୍ବଲପୁରରେ ୨୨.୪୯ ପ୍ରତିଶତ ମତଦାନ ହୋଇଛି ।

Thursday, May 23, 2024

COASTAL NEWS ODIA 1854 ୬ଟି ସଂସଦୀୟ କ୍ଷେତ୍ର ଓ ୪୨ଟି ନିର୍ବାଚନ ମଣ୍ଡଳୀ ପାଇଁ ହେବ ମତଦାନ; ଭୋଟ୍ ଦେବେ ୯୪ଲକ୍ଷରୁ ଅଧିକ ଭୋଟର

COASTAL NEWS ODIA 1854

୬ଟି ସଂସଦୀୟ କ୍ଷେତ୍ର ଓ ୪୨ଟି ନିର୍ବାଚନ ମଣ୍ଡଳୀ ପାଇଁ ହେବ ମତଦାନ; ଭୋଟ୍ ଦେବେ ୯୪ଲକ୍ଷରୁ ଅଧିକ ଭୋଟର 


ଭୁବନେଶ୍ବର - (CNO) ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ । ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ଥିବା ବେଳେ ୬ଟି ସଂସଦୀୟ କ୍ଷେତ୍ର ଓ ୪୨ଟି ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବ । ୯୪ ଲକ୍ଷ ୪୮ ହଜାର ଭୋଟର ମତଦାନ କରିବେ । ବିଶେଷକରି ସହରୀ ଭୋଟର ଅଧିକ ସଂଖ୍ୟାରେ ଭୋଟ୍ ଦେବା ପାଇଁ ଅପିଲ୍ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । 

ତୃତୀୟ ପର୍ଯ୍ୟାୟରେ ୧୦,୫୫୧ ବୁଥରେ ଭୋଟ୍ ଗ୍ରହଣ କରାଯିବ । ୨ ହଜାର ମଡେଲ ପୋଲିଂ ଷ୍ଟେସନର ବ୍ୟବସ୍ଥା କରାଯାଇଛି । ୨୦ ପ୍ରତିଶତ ସମ୍ବେଦନଶୀଳ ପୋଲିଂ ଷ୍ଟେସନ ଚିହ୍ନଟ ହୋଇଛି । ସୁରକ୍ଷା ଦୃଷ୍ଟିରୁ ତୃତୀୟ ପର୍ଯ୍ୟାୟରେ ୧୨୧ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ (CAPF) ମୁତୟନ ରହିବେ । ନିର୍ବାଚନ ପରିଚାଳନା ପାଇଁ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ।  
 
ଲୋକସଭା ନିର୍ବାଚନ ୨୦୨୪ ଆସନ |  ଏହି ପର୍ଯ୍ୟାୟରେ ୯୪.୪୮ ଲକ୍ଷ ଭୋଟର ରହିଛନ୍ତି । ସେଥି ମଧ୍ୟରୁ ପୁରୁଷ ୪୮.୩୦ ଲକ୍ଷ, ମହିଳା ଭୋଟର ୪୬.୧୮ଲକ୍ଷ ରହିଛନ୍ତି । ୨୧ ପ୍ରତିଶତ ଯୁବ ଭୋଟର ଅଛନ୍ତି । ପୋଷ୍ଟାଲ ବାଲାଟରେ ୩୦ ହଜାରୁ ଅଧିକ ଭୋଟ୍ ଗ୍ରହଣ କରାଯାଇଛି । ୬ ସଂସଦୀୟ କ୍ଷେତ୍ର ପାଇଁ ୬୪ ପ୍ରାର୍ଥୀ, ୪୨ ବିଧାନସଭା ପାଇଁ ୩୮୩ ପ୍ରାର୍ଥୀ ରହିଛନ୍ତି ।

COASTAL NEWS ODIA ମମତା ବାନାର୍ଜୀଙ୍କୁ ଲାଗିଲା ବଡ଼ ଝଟକା , ୫ ଲକ୍ଷ ଓବିସି ସାର୍ଟିଫିକେଟକୁ ରଦ୍ଦ କଲେ ହାଇକୋର୍ଟ

COASTAL NEWS ODIA

ମମତା ବାନାର୍ଜୀଙ୍କୁ ଲାଗିଲା ବଡ଼ ଝଟକା , ୫ ଲକ୍ଷ ଓବିସି ସାର୍ଟିଫିକେଟକୁ ରଦ୍ଦ କଲେ ହାଇକୋର୍ଟ 


କୋଲକତା - (CNO) ପଶ୍ଚିମବଙ୍ଗର ମମତା ସରକାରଙ୍କୁ ବୁଧବାର (୨୨ ମଇ) କଲିକତା ହାଇକୋର୍ଟ ଏକ ବଡ ଝଟକା ଦେଇଛନ୍ତି । ୨୦୧୧ ମସିହାରୁ ଜାରି କରାଯାଇଥିବା ପ୍ରାୟ ୫ ଲକ୍ଷ ଓବିସି ପ୍ରମାଣପତ୍ରକୁ ବାତିଲ କରିବାକୁ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି । 

ଚାକିରି ଆବେଦନଗୁଡ଼ିକରେ ମଧ୍ୟ ଏହି ସାର୍ଟିଫିକେଟ୍ ଗ୍ରହଣ କରାଯିବ ନାହିଁ । ଏକ ଆବେଦନ ଉପରେ ଶୁଣାଣି ବେଳେ କଲିକତା ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ୨୦୧୧ ମସିହାରୁ ଜାରି କରାଯାଇଥିବା ଅନ୍ୟ ସମସ୍ତ ପଛୁଆ ଶ୍ରେଣୀ (ଓବିସି) ପ୍ରମାଣପତ୍ର ବାତିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

କୋଲକାତା ହାଇକୋର୍ଟ ଜଷ୍ଟିସ ତପବ୍ରତ ଚକ୍ରବର୍ତ୍ତୀ ଏବଂ ରାଜଶେଖର ମନ୍ଥାଙ୍କ ଡିଭିଜନ ବେଞ୍ଚ ବୁଧବାର ଏକ ଆବେଦନ ଶୁଣାଣି ବେଳେ ଏହି ନିଷ୍ପତ୍ତି ଦେଇଛନ୍ତି । ଏହି ଆବେଦନରେ ଓବିସି ସାର୍ଟିଫିକେଟ ପ୍ରଦାନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିଥିଲା । ଏହି ମାମଲାରେ କୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ୧୯୯୩ ଅଧିନିୟମ ଅନୁଯାୟୀ ଗଠିତ ପଶ୍ଚିମବଙ୍ଗ ପଛୁଆ ଆୟୋଗ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ପ୍ରକ୍ରିୟା ଅନୁଯାୟୀ ଓବିସି ସାର୍ଟିଫିକେଟ ପ୍ରସ୍ତୁତ କରାଯିବା ଉଚିତ । 
 
କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ବିଜେପି ନେତା ଅମିତ ମାଲଭିଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ଆବେଦନ ରାଜନୀତିରେ ଆଉ ଏକ ଝଟକା ଲାଗିଛି । ଓବିସି ଉପ-ବର୍ଗରେ ମୁସଲମାନମାନଙ୍କ ସଂରକ୍ଷଣକୁ କଲିକତା ହାଇକୋର୍ଟ ନିରସ୍ତ କରିଛନ୍ତି । 
 
ଏହା ସହିତ ହାଇକୋର୍ଟ ୨୦୧୦ ରୁ ୨୦୨୪ ମଧ୍ୟରେ ଦିଆଯାଇଥିବା ସମସ୍ତ ଓବିସି ପ୍ରମାଣପତ୍ରକୁ ମଧ୍ୟ ବାତିଲ କରିଦେଇଛନ୍ତି । ଏହି ଅବଧି ମଧ୍ୟରେ, ଯଦି ଆଡମିଶନ ହୋଇଥିବା ବ୍ୟକ୍ତିମାନେ ଚାକିରୀ ବଜାୟ ରଖିବାରେ ସଫଳ ହୁଅନ୍ତି, ତେବେ ସେମାନେ ଅନ୍ୟ କୌଣସି ସୁବିଧା ପାଇବାକୁ ଯୋଗ୍ୟ ହେବେ ନାହିଁ । 

Tuesday, May 14, 2024

COASTAL NEWS ODIA ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ, ସ୍ତ୍ରୀ ଛୁଆଙ୍କ ହତ୍ୟା କରିବା ପରେ ନିଜେ କଲେ ଆତ୍ମହତ୍ୟା

COASTAL NEWS ODIA 1853

ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ, ସ୍ତ୍ରୀ ଛୁଆଙ୍କ ହତ୍ୟା କରିବା ପରେ ନିଜେ କଲେ ଆତ୍ମହତ୍ୟା 


ସୀତାପୁର - (CNO) ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳର ଚହଳ ସୃଷ୍ଟି ହୋଇଛି । ଜଣେ ଯୁବକ ତାଙ୍କ ମା, ପତ୍ନୀ ଏବଂ ତିନି ଛୁଆଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଏପରି ଚାଞ୍ଚଲ୍ୟ କର ଘଟଣା ଉତ୍ତରପ୍ରଦେଶ ସିତାପୁର ରେ ଘଟିଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଯବତ କରିବା ସହ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ ।

 
ସୂଚନା ଅନୁସାରେ ଶନିବାର ସକାଳ ୫ଟାରେ ଏହି ଘଟଣା ଘଟିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ୟୁପିର ସୀତାପୁର ଜିଲ୍ଲା ରାମପୁର ମଥୁରା ପୋଲିସ ଷ୍ଟେସନ ଅଞ୍ଚଳର ବାଲାମାଉ ଗାଁର ଏପରି ଅଭାବନୀୟ ଘଟଣା ଘଟିଠି । ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଟ୍ରୋମା ସେଣ୍ଟରରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି ।

Monday, May 13, 2024

COASTAL NEWS ODIA 1852 ଓଡ଼ିଶା ବିଧାନସଭା ନିର୍ବାଚନ: ଚାଲିଛି ପ୍ରଥମ ଫେଜ୍‌ ଭୋଟିଂ

COASTAL NEWS ODIA 1852

ଓଡ଼ିଶା ବିଧାନସଭା ନିର୍ବାଚନ: ଚାଲିଛି ପ୍ରଥମ ଫେଜ୍‌ ଭୋଟିଂ 


ଭୁବନେଶ୍ବର - (CNO) ରାଜ୍ୟରେ ଚାଲିଥିବା ପ୍ରଥମ ଫେଜ୍‌ ଭୋଟିଂ ନେଇ CEO ସୂଚନା ଦେଇଛନ୍ତି । ତ୍ରୁଟି ପାଇଁ ୨ ପୋଲିଂ ଅଫିସରଙ୍କୁ ସସ୍‌ପେଣ୍ଡ କରାଯାଇଛି । ଗଞ୍ଜାମର ଜଣେ ଓ ନର୍ଲାର ଜଣେ ପୋଲିଂ ଅଫିସର ସସ୍‌ପେଣ୍ଡ୍‌। ସେହିପରି ଚିକିଟିରେ କିଛି ଘଟଣା ଘଟିଛି, ଜିଲ୍ଲାପାଳଙ୍କ ସହ କଥା ହୋଇଛି ବୋଲି ସେ କହିଛନ୍ତି । ମାତ୍ର ସେଠାରେ ମତଦାନ ଠିକ୍‌ଠାକ ଜାରି ରହିଛି ।


ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୨୩.୨୮% ମତଦାନ । ECI ଆପ୍‌ରୁ ମତଦାନ ନେଇ ସୂଚନା । ମୋହନା ୨୧.୪୭%, ନବରଙ୍ଗପୁର ୨୧.୫୦%, ନର୍ଲା ୨୬.୪୬%, ନୂଆପଡ଼ା ୨୭.୮୮% ମତଦାନ ହୋଇଛି । ପାରଳାଖେମୁଣ୍ଡି ୨୨.୬୪%, ପଟାଙ୍ଗୀ ୨୪.୮୧%, ରାୟଗଡ଼ା ୨୧% ଓ ଉମରକୋଟ ୨୬.୨୦% ମତଦାନ ହୋଇଛି ।


ଭୋଟିଂ ବେଳେ ବିଭିନ୍ନ ସ୍ଥାନରେ EVM ତ୍ରୁଟି ଖବର ସାମ୍ନାକୁ ଆସିଛି, ଯେଉଁଥି ପାଇଁ ଭୋଟର ଅସନ୍ତୁଷ୍ଟ ଏବଂ ମେସିନ୍ ଖରାପ ଯୋଗୁଁ ଭୋଟିଂରେ ବିଳମ୍ବ ହେବା ସହ ଲୋକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କୋରାପୁଟ ନିର୍ବାଚନ ମଣ୍ତଳୀର ଆଦର୍ଶ ମତଦାନ କେନ୍ଦ୍ରର ଏଭିଏମ୍ ଖରାପ ଯୋଗୁଁ ୧୩୯ ନମ୍ବର ବୁଥରେ ମତଦାନ ବେଳେ ବିଳମ୍ବ ହୋଇଛି ।

ସେହିପରି କଳାହାଣ୍ତି, ଭବାନୀପାଟଣା ୧୦୪, ୧୦୫ ଏବଂ ୧୦୬ ନମ୍ବର ବୁଥରେ ଭୋଟିଂ ଆରମ୍ଭ ହୋଇ ନଥିବା ବେଳେ ମାଲକାନଗିରି କମୁଡିଗୁଡା ୮୫ ନମ୍ବର ବୁଥରେ ଇଭିଏମ ଅଚଳ ନେଇ ସୂଚନା ରହିଛି । ମାଲକାନଗିରି ପୌରପରିଷଦର ବୁଥରେ ମଧ୍ୟ ଇଭିଏମ ତ୍ରୁଟି ନେଇ ସୂଚନା ।

ସୂଚନାଥାଉ ଯେ, ଆଜି ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନରେ ମତଦାନ ହେଉଛି । ଏଥର ଫୋକସରେ ମକ୍ସଲ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଭୋଟିଂ ଜାରି ରହିଛି, ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ୨୮୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଥିବା ବେଳେ,ମତଧିକାର ସାବ୍ୟସ୍ତ କରୁଛନ୍ତି ୬୨ ଲକ୍ଷରୁ ଅଧିକ ଭୋଟର୍ ।

ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ ହୋଇଥିଲା । ECI ଆପ୍‌ରୁ ମତଦାନ ନେଇ ସୂଚନା ମିଳିଛି । ଗଜପତିରେ ୧୦.୨୦%, ଗଞ୍ଜାମ ୬.୮୧%, କଳାହାଣ୍ଡି ୯.୦୬%, -କୋରାପୁଟ ୧୩.୧୪%, ମାଲକାନଗିରି ୯.୧୫%, ନବରଙ୍ଗପୁର ୮.୯୭%, ନୂଆପଡ଼ା ୯.୯୮%, ଓ ରାୟଗଡ଼ାରେ ୭.୫୨% ମତଦାନ ହୋଇଛି ।

Sunday, May 12, 2024

COASTAL NEWS ODIA 1852 ସ୍ତ୍ରୀ ଓ ଝିଅକୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା

COASTAL NEWS ODIA 1852

ସ୍ତ୍ରୀ ଓ ଝିଅକୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା  


ଝାରସୁଗୁଡ଼ା - (CNO) ଝାରସୁଗୁଡ଼ାରେ ଚାଞ୍ଚଲ୍ୟ । ଖେଳ ପଡ଼ିଆରେ କାରରୁ ମିଳିଲା ତିନି ଜଣଙ୍କ ମୃତଦେହ । ସ୍ତ୍ରୀ ଓ ଝିଅକୁ ଫାୟାରିଂ କରି ହତ୍ୟା କରିବା ପରେ ନିଜକୁ ଗୁଳି ଗଲେ ବ୍ୟକ୍ତି । ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବାଣୀପାହାଡ଼ ନିକଟରେଏପରି ଘଟଣା ଘଟିଛି । ମୃତକ ହେଲେ ଓରିଏଣ୍ଟ ଥାନା ଅଞ୍ଚଳର କାଳୀନଗରର ସୁଜିତ ରାୟ, ସ୍ତ୍ରୀ ଖୁସବୁ ରାୟ ଓ ଝିଅ ଅର୍ପିତା ରାୟ । 

ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଛି। ଆଜି ସକାଳେ ଖେଳପଡ଼ିଆ ଥିବା କାରରୁ ୩ ଜଣଙ୍କ ଗୁଳିବିନ୍ଧ ଉଦ୍ଧାର କରାଯାଇଥିଲା। କାର୍‌ ଭିତରେ ୩ ଜଣ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ କାର୍ ଡୋର୍ ଲକ୍ ଭାଙ୍ଗି ମୃତଦେହକୁ ‌ଉଦ୍ଧାର କରିଥିଲା।  ବ୍ୟକ୍ତି ଜଣଙ୍କ ପ୍ରଥମେ ମା' ଓ ଝିଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । କାହିଁକି ବ୍ୟକ୍ତି ଜଣଙ୍କ ଏପରି କଲେ ତାର କାରଣ ଜଣାପଡ଼ିନାହିଁ । 


ପୁଲିସ କାର ଓ ବନ୍ଧୁକ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ସାଇଣ୍ଟିଫିକ୍‌ ଟିମ୍ ପହଞ୍ଚି ଖୋଳତାଡ ଜାରି ରଖିଛି। ଗତକାଲି ଠାରୁ ସୁଜିତ ନିଜ ପତ୍ନୀ ଓ ଝିଅକୁ ନେଇ ଘରୁ ବାହାରି ଆସିଥିଲେ । ଦୀର୍ଘ ସମୟ ଧରି ଏମାନଙ୍କ ସହ ଯୋଗାଯୋଗ ହୋଇ ନପାରିବାରୁ ପରିବାର ଲୋକେ ନିଖୋଜ ହେବାର ଏତଲା ଦେଇଥିଲେ । ପରେ ପୋଲିସ ସୁଜିତଙ୍କ ମୋବାଇଲ ନମ୍ବରକୁ ଟ୍ରାକ୍ କରି ଲଖନପୁର ଖେଳପଡିଆରେ ପହଞ୍ଚିଥିଲା । ସେଠାରେ କାର ଭିତରେ ତିନି ଜଣଙ୍କ ମୃତଦେହ ମିଳିଥିଲା ।

ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକ ୩ ଜଣ ଓରିଏଣ୍ଟ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି ।

Friday, May 10, 2024

COASTAL NEWS ODIA 1850 ଅକ୍ଷୟ ତୃତୀୟା ରେ କାହିଁକି କିଣାଯାଏ ସୁନା,

COASTAL NEWS ODIA 1850

ଅକ୍ଷୟ ତୃତୀୟା ରେ କାହିଁକି କିଣାଯାଏ ସୁନା


ଭୁବନେଶ୍ବର - (CNO) ହିନ୍ଦୁ ଧର୍ମରେ ପର୍ବପର୍ବାଣୀ ମଧ୍ୟରେ ଅକ୍ଷୟ ତୃତୀୟାର ବିଶେଷ ମହତ୍ତ୍ୱ ରହିଛି । ବୈଶାଖ ମାସର ଶୁକ୍ଲ ପକ୍ଷର ତୃତୀୟା ତିଥିକୁ ପ୍ରତିବର୍ଷ ଅକ୍ଷୟ ତୃତୀୟା ଭାବେ ପାଳ କରାଯାଇଥାଏ । ଏହି ଦିନ ରଥ କାଠ ଅନୁକୂଳ, ଚାଷୀଭାଇମାନେ ଅକ୍ଷି ମୁଠି ଧାନ ବିହନ ବୁଣିବା ସହିତ ଚାଷ କାର୍ଯ୍ୟ ଆରମ୍ଭ କରିବା ସହ ଅନେକ ଶୁଭ କାମ କରାଯାଇଥାଏ । 

ହିନ୍ଦୁ ଧର୍ମର ପୌରାଣିକ ବିଶ୍ୱାସ ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ବିବାହ, ନିର୍ବନ୍ଧ, ଗୃହ ପ୍ରବେଶ ଏବଂ ମୁଣ୍ଡନ ସମେତ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ ମଧ୍ୟ କରାଯାଇଥାଏ । ଅକ୍ଷୟ ତୃତୀୟ କାହିଁକି ? ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ ଯେ ସତ୍ୟ ଏବଂ ତ୍ରେତୟା ଯୁଗ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିଲା । ଏହି ଦିନ ଦ୍ୱାପର ଯୁଗ ଶେଷ ହୋଇଥିଲା । ଏହା ପରେ କଳି ଯୁଗ ମଧ୍ୟ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିଲା । ଅକ୍ଷୟ ତୃତୀୟା ଯୁଗଦି ତିଥି ନାମରେ ମଧ୍ୟ ଜଣାଶୁଣା । ବିଶ୍ୱାସ କରାଯାଏ ଯେ ଅକ୍ଷୟ ତୃତୀୟା ଦିନ ଲୋକମାନେ ବହୁ ପରିମାଣରେ ସୁନା କିଣିଥାନ୍ତି । ଏହି ଦିନ ସୁନା କିଣିବା ଶୁଭ ବୋଲି ମଧ୍ୟ ବିବେଚନା କରାଯାଏ । ଆଜି ଅକ୍ଷୟ ତୃତୀୟା, ଅନୁକୂଳ ହେବ ରଥ ନିର୍ମାଣ

ପ୍ରଚଳିତ ପ୍ରଥା ଅନୁସାରେ ଏହି ଦିନ ସୁନା କିଣିବା ପଛର କାରଣ ଏବଂ ଧାର୍ମିକ ବିଶ୍ୱାସ କ'ଣ ରହିଛି... ସୁନା କିଣିବା କାହିଁକି ଶୁଭ ? ଅକ୍ଷୟ ତୃତୀୟା ଦିନ ସମସ୍ତେ କିଛି ନା କିଛି ସୁନା ଓ ରୂପା କିଣନ୍ତି । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ସୁନା କିଣିବା ଘରେ ଧନ ରଖେ ଏବଂ ସୁଖ ଏବଂ ସମୃଦ୍ଧତା ଆଣିଥାଏ । ଏହା ବ୍ୟତୀତ ଅକ୍ଷୟ ତୃତୀୟା ଦିନ ସୁନା କିଣିବା ଦ୍ୱାରା ଘରେ କେବେ ଟଙ୍କା ଅଭାବ ହୁଏ ନାହିଁ ବୋଲି ମଧ୍ୟ କୁହାଯାଇଛି । ଏହି ଦିନ ସୁନା କିଣିବା ଦ୍ୱାରା ଆପଣଙ୍କୁ ବର୍ଷସାରା ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଅକ୍ଷୟ ତୃତୀୟା ଦିନ ସୁନା କିଣିବା ଦ୍ୱାରା ଧନ, ଖ୍ୟାତି, ଗୌରବ ଏବଂ ଖ୍ୟାତି ବଢିଥାଏ । ଅକ୍ଷୟ ତୃତୀୟା ଦିନ ଲକ୍ଷ୍ମୀଙ୍କ ସହିତ କୁବେରଙ୍କୁ ପୂଜା କରାଯାଏ, କାରଣ ଅକ୍ଷୟ ତୃତୀୟା ଦିନ ଭଗବାନ କୁବେର ଏହି ଧନ ପାଇଥିଲେ। 



ଅକ୍ଷୟ ତୃତୀୟା ହେଉଛି ଏକ ସଂସ୍କୃତ ଶବ୍ଦ ଯାହାର ଅର୍ଥ କୌଣସି କ୍ଷୟ କିମ୍ବା ବିନାଶ ନୁହେଁ ଅର୍ଥାତ୍ ଯାହାର ଶେଷ ନାହିଁ । ଅର୍ଥ ଓ ଧନ ଯାହା କେବେ ଶେଷ ହୁଏ ନାହିଁ । ବିଶ୍ୱାସ କରାଯାଏ ଯେ, ଯଦି ଆପଣ ଦୀର୍ଘ ସମୟ ଧରି କିଛି ଶୁଭ କାମ ପାଇଁ ଏକ ଶୁଭ ସମୟ ପାଇଁ ଅପେକ୍ଷା କରି ରହିଛନ୍ତି, ତେବେ ଆପଣ ସେହି ଶୁଭ କାମ ଅକ୍ଷୟ ତୃତୀୟା ଦିନ କରିପାରିବେ। ଏହି ଦିନ ସୁନା ଅଳଙ୍କାର କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ଏବଂ କୁହାଯାଏ ଯେ ଏପରି କରିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ଏବଂ ଜୀବନରେ ସୁଖ, ସମୃଦ୍ଧତା ଏବଂ ଗୌରବ ମଧ୍ୟ ଆଣିଥାଏ । 

Thursday, May 9, 2024

COASTAL NEWS ODIA 1849 ବିଜେଡି ନିର୍ବାଚନ ଇସ୍ତାହାରରେ ୯ ଗୋଟି ପ୍ରତିଶ୍ରୁତି

COASTAL NEWS ODIA 1849

ବିଜେଡି ନିର୍ବାଚନ ଇସ୍ତାହାରରେ ୯ ଗୋଟି ପ୍ରତିଶ୍ରୁତି



ଭୁବନେଶ୍ବର - (CNO) ବିଜୁ ଜନତା ଦଳ (ବିଜେଡି) ଆଜି ସନ୍ଧ୍ୟାରେ ନିର୍ବାଚନୀ ଇସ୍ତାହାର ଜାରି କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ଇସ୍ତାହାର ଲୋକଙ୍କ ସାମ୍ନାରେ ରଖିଛନ୍ତି। ଏହି ଇସ୍ତାହାରରେ ଯୁବକଙ୍କୁ ଗୁରୁତ୍ବ ଦିଆଯାଇଛି ।


ଏହି ଇସ୍ତାହାର ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇ ରହିବ । ଗତ 24 ବର୍ଷ ମଧ୍ୟରେ, ବିଜେଡି ସରକାର ଓଡିଶାକୁ ଏକ ଗରିବ, କ୍ଷୁଧା ପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କବଳିତ ପଛୁଆ ରାଜ୍ୟରୁ ଆଧୁନିକ ଅଭିବୃଦ୍ଧି ଭିତ୍ତିକ, ସଂସ୍କୃତି ଏବଂ ଅସ୍ମିତାର ପରିଚୟ ଭିତ୍ତିକ ରାଜ୍ୟରେ ପରିଣତ କରିପାରିଛି | ପ୍ରଭୁ ଜଗନ୍ନାଥଙ୍କ କୃପା ଏବଂ ଜନସାଧାରଣଙ୍କ ଆଶୀର୍ବାଦ ସହିତ, ଏହି ଲୋକାଭିମୁଖୀ ମନିଫେଷ୍ଟୋରେ ଉପସ୍ଥାପିତ ହୋଇଥିବା ଗ୍ୟାରେଣ୍ଟିଗୁଡିକ 5T ଗଭର୍ନାନ୍ସ ମାଧ୍ୟମରେ କାର୍ଯ୍ୟକାରୀ ହେବ ଏବଂ ଓଡିଶା ଗଠନର ଶହେ ବର୍ଷ ପାଳନ କରିବାର 2 ବର୍ଷ ପୂର୍ବରୁ 2034 ସୁଦ୍ଧା ଓଡିଶାକୁ ସମସ୍ତଙ୍କ ସହଯୋଗ ଓ ଦୃଢ ନେତୃତ୍ୱ ବଳରେ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ବିକାଶରେ ଏକ ନମ୍ବରରାଜ୍ୟର ମାନ୍ୟତା ପ୍ରଦାନ କରିବ |


1. ଆମର ଯୁବକ ହିଁ ଓଡିଶାର ସଫଳତାର କାହାଣୀ ଲେଖିବେ | ଏକନମ୍ବର ରାଜ୍ୟର ଭବିଷ୍ୟତ ଲେଖିବା ପାଇଁ ସେମାନଙ୍କୁ ସଶକ୍ତ ଓ ସମୃଦ୍ଧ କରାଯିବ । ଓଡିଶାର ଯୁବକମାନଙ୍କ ନିମନ୍ତେ 10 ବର୍ଷ ପାଇଁ ଏକ ଲକ୍ଷ କୋଟି ଅଲଗା ବଜେଟ୍ ରଖାଯିବ। ଏହି ଯୁବ ବଜେଟ୍ ଜଳବାୟୁ ଏବଂ ଜେଣ୍ଡର ବଜେଟ୍ ଭଳି ବିଧାନସଭାରେ ଉପସ୍ଥାପିତ ହେବ | ଯୁବକମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ଆଧାର କରି ପ୍ରତିବର୍ଷ ଏଥିରୁ ହଜାରେ କୋଟି ଟଙ୍କା ଖର୍ଚ୍ଚ ହେବ | ବିଶ୍ୱରେ ଏହା ପ୍ରଥମ ପ୍ରକାରର ପ୍ରୟାସ ହେବ ଯେଉଁଠାରେ ଯୁବକମାନେ ନିଜ ପରିଚୟ ଏବଂ ଓଡିଶାର ପରିଚୟ ସୃଷ୍ଟି କରିପାରିବେ । ନୂଆ ଓ ମ୍ୟାଜିକ୍ କାର୍ଡ ଦ୍ୱାରା ଏକାଧିକ ସୁବିଧା ସୁଯୋଗ ସହିତ ପରିସର ବିସ୍ତାର ହେବ | ନୂଆ ଓ ଛାତ୍ରବୃତ୍ତି ବାଳିକାମାନଙ୍କ ପାଇଁ ବାର୍ଷିକ 14,000 ଏବଂ ପୁଅମାନଙ୍କ ପାଇଁ ବାର୍ଷିକ 12,000 କୁ ବୃଦ୍ଧି କରାଯିବ | 

ସରକାରୀ ପ୍ରବେଶ ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟତା ହାସଲ କରିବା ପରେ ଡିପ୍ଲୋମା ଏବଂ ଡିଗ୍ରୀ ପାଠ୍ୟକ୍ରମ କରୁଥିବା କଲେଜରେ ପଢୁ ଥିବା ସମସ୍ତ ଯୋଗ୍ୟ ଛାତ୍ରଙ୍କୁ ଏହା ପ୍ରଦାନ କରାଯିବ। ଆସନ୍ତା ପାଞ୍ଚ ବର୍ଷରେ 2 ଲକ୍ଷ ସରକାରୀ ଚାକିରି ଯୋଗାଇ ଦିଆଯିବ। ସ୍ୱୟମ୍ ଉଦ୍ୟୋଗୀ ରୁଣକୁ ବ୍ୟାପକ କଭରେଜ୍ ସହିତ ଏକ ଲକ୍ଷରୁ 2 ଲକ୍ଷକୁ ବୃଦ୍ଧି କରାଯିବ | ଓଡିଶାରେ ଏକ ନୂତନ କୌଶଳ ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ, ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଏବଂ ଏଆଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଏହି ସମସ୍ତ ପଦକ୍ଷେପ ଯୁବକମାନଙ୍କୁ ସଶକ୍ତ କରିବା ଏବଂ ଓଡିଶାକୁ ଏକ ବୃହତ ଅଭିବୃଦ୍ଧି ପଥରେ ଆଗେଇ ନେବାକୁ ସକ୍ଷମ କରିବ |

2. ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସମଗ୍ର ଇକୋସିଷ୍ଟମକୁ ଶକ୍ତିଶାଳୀ କରାଯିବ ଯାହା ଓଡିଶାକୁ ଦେଶର ଶ୍ରେଷ୍ଠ ତିନୋଟି ଅର୍ଥନୈତିକ ବିକଶିତ ରାଜ୍ୟରେ ପରିଣତ କରିବ। ଖଣିଜ ଭିତ୍ତିକ ଶିଳ୍ପ ବ୍ୟତୀତ ସେମିକଣ୍ଡକ୍ଟର, ଆଇଟି ଶିଳ୍ପ, କୃତ୍ରିମ ବୁଦ୍ଧିମତା ଇତ୍ୟାଦି ସହିତ ନୂତନ ଯୁଗ, ବୈଷୟିକ ଏବଂ ନୂତନ ଅର୍ଥନୀତି ଉପରେ ଧ୍ୟାନ ଦିଆଯିବ | ଓଡ଼ିଶା ପୂର୍ବ ଭାରତର ଆଇଟି ରାଜଧାନୀ ହେବ। ଉତ୍ପାଦନ ନିବେଶକୁ ଆକର୍ଷିତ କରିବାରେ ଆମେ ଆଗେଇ ଆସିବା | ପରିବେଶ ଅନୁକୂଳ ପର୍ଯ୍ୟଟନ ପାଇଁ 100 ଟି ସ୍ଥାନ ଉପରେ ଧ୍ୟାନ ଦିଆଯିବ | 

ଖ୍ୟାତି ସମ୍ପନ୍ନ ବୈଷୟିକ ଏବଂ ପରିଚାଳନା(Management) ସଂସ୍ଥାଗୁଡ଼ିକ ଓଡ଼ିଶାରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଉତ୍ସାହିତ ହେବେ | ଏହି ସବୁ ଓଡ଼ିଶାର ଯୁବକମାନଙ୍କ ଦ୍ୱାରା ସଶକ୍ତ ହେବ | ଯୋଜନାବଦ୍ଧ ସହରୀକରଣ ଅଭିବୃଦ୍ଧି, ଉତ୍ପାଦକତା ସୃଜନାତ୍ମକ ଏବଂ ପରିବର୍ତ୍ତନ ବୃଦ୍ଧି କରିବ | ଆଗାମୀ 10 ବର୍ଷରେ ଆମେ ସହରୀ ଜନସଂଖ୍ୟାକୁ ଦ୍ୱିଗୁଣିତ କରିବୁ | ଉତ୍ତମ ଗୁଣବତ୍ତା ସମ୍ପର୍ଣ ସୁବିଧା ସୁଯୋଗ ନିମ୍ନଲିଖିତ ଅଞ୍ଚଳଗୁଡିକ ପାଇଁଯୋଗାଇ ଦିଆଯିବ ଚାରୋଟି ମେଗା ସହରୀ କ୍ଲଷ୍ଟର ଯୋଜନା କରାଯାଇଛି , ସେମାନଙ୍କ ମଧ୍ୟରେ ଭୁବନେଶ୍ୱର - କଟକ - ଖୋର୍ଦ୍ଧା - ପୁରୀ କ୍ଲଷ୍ଟର , ସମ୍ବଲପୁର- ଝାରସୁଗୁଡା - ରାଉରକେଲା କ୍ଲଷ୍ଟର , ବାରିପଦା - ବାଲେଶ୍ୱର - ଭଦ୍ରକ କ୍ଲଷ୍ଟର ଏବଂ ବ୍ରହ୍ମପୁର -ଛତ୍ରପୁର - ଗୋପାଳପୁର କ୍ଲଷ୍ଟର | ଆମେ ମଧ୍ୟ 20 ଟି ପ୍ରମୁଖ ସହର ବଲାଙ୍ଗୀର, କୋରାପୁଟ-ଜୟପୁର, ବରଗଡ, ରାୟଗଡା, ଭବାନୀପାଟନା, ପାରାଦୀପ, ଢେଙ୍କାନାଳ , ଯୋଡା-ବଡ଼ବିଲ , କେନ୍ଦୁଝର, ଅନଗୁଳ , ମାଲକାନଗିରି, ନବରଙ୍ଗପୁର, ପାରଳାଖେମୁଣ୍ଡି, ଫୁଲବାଣୀ, ବୌଦ୍ଧ , ସୋନପୁର, ଦେବଗଡ, କେନ୍ଦ୍ରାପଡା ଓ ନୟାଗଡ଼ କୁ ବିକଶିତ କରିବୁ। ଏହି ସହରୀ କ୍ଲଷ୍ଟରଗୁଡ଼ିକ ଚାହିଦା ସୃଷ୍ଟି କରିବ ଏବଂ ଅର୍ଥନୈତିକ ଅଭିବୃଦ୍ଧିର କେନ୍ଦ୍ର ହେବ | ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଅନ୍ୟାନ୍ୟ ସୁବିଧା ସହିତ ଏକ ଆନ୍ତର୍ଜାତୀୟ ସହର ଭାବରେ ବିକଶିତ ହେବ | 

ବିମାନ ବନ୍ଦର ସହିତ 20ଟି ସମସ୍ତ ପ୍ରମୁଖ ସହର ସହିତ ଲକ୍ଷ୍ମୀ ବସ୍ ସଂଯୋଗ ରହିବ | ମେଟ୍ରୋ ଦ୍ୱାରା ଭୁବନେଶ୍ୱର, ଖୋର୍ଦ୍ଧା , ପୁରୀ ଏବଂ କଟକକୁ ସଂଯୋଗ କରିବ ଏବଂ ପର୍ଯ୍ୟାୟ କ୍ରମେ ସମ୍ପ୍ରସାରିତ ହେବ | ବିଜୁ ଅର୍ଥନୈତିକ କରିଡର ମାଧ୍ୟମରେ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ବିକାଶ ଉପରେ ଆମର ବିଶେଷ ଧ୍ୟାନ ରହିବ।

3. ସ୍ଥିରତା ସହିତ ଅଭିବୃଦ୍ଧି ଉପରେ ଆମର ଧ୍ୟାନ ରହିବ - ଆମର ବର୍ତ୍ତମାନର ତଥା ଭବିଷ୍ୟତ ପିଢ଼ିର ଆବଶ୍ୟକତା ପୂରଣ କରିବ | ଅଭିବୃଦ୍ଧି ଏବଂ ଦାରିଦ୍ର୍ୟ ହ୍ରାସ କରିବାରେ ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ | ଓଡିଶାର 75 ପ୍ରତିଶତ ପରିବାରର 100 ୟୁନିଟ୍ କମ୍ ବ୍ୟବହାର ଏବଂ ଅନ୍ୟ ଦଶ ପ୍ରତିଶତ 100 ରୁ 150 ୟୁନିଟ୍ ବ୍ୟବହାର କରୁଛନ୍ତି | 

ଶକ୍ତି ସୁରକ୍ଷା ସହିତ ଏହି 85 -90% ଜନସଂଖ୍ୟାକୁ ଆଚ୍ଛାଦନ କରିବା ପାଇଁ, ଶହେ ୟୁନିଟ୍ ପର୍ଯ୍ୟନ୍ତ ଗ୍ରାହକମାନେ ଶୂନ ବିଲ୍ ପାଇବେ ଏବଂ 100 ରୁ 150 ପର୍ଯ୍ୟନ୍ତ ପଚାଶ ୟୁନିଟ୍ ପାଇଁ ରିହାତି ପାଇବେ | ଏହା କେବଳ ରାଜ୍ୟରେ ଶକ୍ତି ସୁରକ୍ଷା ବୃଦ୍ଧି କରିବ ନାହିଁ ବରଂ ବିଦ୍ୟୁତର ଦାୟିତ୍ବପୂର୍ଣ୍ଣ ବ୍ୟବହାରକୁ ମଧ୍ୟ ଉତ୍ସାହିତ କରିବ - ଏହା ସ୍ଥାୟୀ ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ହେବ |

4. ଓଡ଼ିଶାର ଅଭିବୃଦ୍ଧି କାହାଣୀରେ ମଧ୍ୟବିତ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି | ସେମାନଙ୍କୁ BSKY କଭରେଜ୍, 20 ଲକ୍ଷ ପର୍ଯ୍ୟନ୍ତ ଗୃହ ରୁଣ ଉପରେ ସୁଧ ସବଭେନ୍ସନ୍, ଏବଂ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି ଓ ଉଚ୍ଚଶିକ୍ଷା ତଥା ସୁଲଭ ପରିବହନ ପାଇଁ ଋଣ ଉପରେ ସୁଧ ସବଭେନ୍ସନ୍ ପ୍ରଦାନ କରି ସେମାନଙ୍କୁ ସଶକ୍ତ କରାଯିବ। ବିଦ୍ୟୁତ ସବସିଡି ମଧ୍ୟବିତ୍ତ ପରିବାର ପାଇଁ ମଧ୍ୟ ଲାଗୁ ହେବ | 

ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଉପରେ ପକେଟ ଖର୍ଚ୍ଚ ହ୍ରାସ ହେଲେ ସଞ୍ଚୟ ବୃଦ୍ଧି ପାଇବ | ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳରେ ଶିଳ୍ପାୟନ ଏବଂ ନିଯୁକ୍ତି ସୃଷ୍ଟି ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଭିତରେ ନୂତନ ଆଶା ସଂଚାର କରିବ |

5. ଓଡିଶାର ଅଭିବୃଦ୍ଧି କାହାଣୀରେ ମହିଳାମାନେ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ସେମାନେ ଏହା ଜାରି ରଖିବେ | ବିନା ସୁଧରେ 15 ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇଦେବାରେ ଏହା ଦେଶରେ ପ୍ରଥମ ରାଜ୍ୟ ହେବ | ଆସନ୍ତା 5 ବର୍ଷ ମଧ୍ୟରେ ଆମର SHG ଗୁଡ଼ିକୁ 1.5 ଲକ୍ଷ କୋଟି ଟଙ୍କାର ଆର୍ଥିକ ଲିଙ୍କେଜ୍ ହାସଲ କରି 2500 କୋଟି ଟଙ୍କାର ସୁଧ ସେମାନଙ୍କ ନିକଟକୁ ଫେରାଇ ଦିଆଯିବ। 

ଏହା ସେମାନଙ୍କୁ ସେମାନଙ୍କର ବ୍ୟବସାୟକୁ ଇନ୍ଧନ ଦେବାରେ ସାହାଯ୍ୟ କରିବ ଏବଂ SHGରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ରୂପାନ୍ତର ତ୍ୱରାନ୍ୱିତ କରିବ | SHGs କୁ ଆଗାମୀ 10 ବର୍ଷରେ 20,000 କୋଟିର ସରକାରୀ ବ୍ୟବସାୟ ଯୋଗାଇ ଦିଆଯିବ | ବ୍ୟକ୍ତିଗତ ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟ ଆରମ୍ଭ ଏବଂ ବୃଦ୍ଧି ପାଇଁ 10 ଲକ୍ଷ ପର୍ଯ୍ୟନ୍ତ ସବସିଡିଯୁକ୍ତ ଋଣ ଯୋଗାଇବା ପାଇଁ ଶହେ କୋଟି ଟଙ୍କାର କର୍ପସ ପାଣ୍ଠି ସହିତ ସହାୟତା କରାଯିବ। ମିଶନ୍ ଶକ୍ତି ମହିଳାଙ୍କ ପାଇଁ ପେନସନ ରହିବ | ସମସ୍ତ ତୃଣମୂଳ ସ୍ତରର ମହିଳା କର୍ମୀ, ସମ୍ପ୍ରଦାୟର ସହାୟତା କର୍ମଚାରୀ, ଅଙ୍ଗନୱାଡି କର୍ମୀ, ଏବଂ ଆଶା ଗୁଡିକ BSKY କଭରେଜ୍ ଏବଂ ସାମାଜିକ ସୁରକ୍ଷା ପେନସନ ମଧ୍ୟ ପାଇବେ |

6. ସ୍ୱାସ୍ଥ୍ୟ ଉପରେ ପକେଟ ଖର୍ଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ଏବଂ ମୌଳିକ ମାନବିକ ଅଧିକାର ପାଇଁ ବାଧା ସୃଷ୍ଟି କରେ | ଆମର ପ୍ରମୁଖ ସ୍କିମ୍ BSKY ନଵୀନ କାର୍ଡ ପ୍ରବର୍ତ୍ତନ ପ୍ରାୟ ସମସ୍ତ ବର୍ଗଙ୍କୁ କଭରେଜ୍ କରିବ | ଏଥିରେ ମଧ୍ୟବିତ୍ତ, ସରକାରୀ କର୍ମଚାରୀ, ଚୁକ୍ତିଭିତ୍ତିକ ଶ୍ରମିକମାନେ ପର୍ଯ୍ୟାୟ କ୍ରମେ ଅନ୍ତର୍ଭୁକ୍ତ ହେବେ | ଆମେ ଆସନ୍ତା 10 ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ପାଇଁ ସର୍ବନିମ୍ନ ଖର୍ଚ୍ଚର ରାଜ୍ୟ ହୋଇପାରିବା | ଏହି ସ୍ୱାସ୍ଥ୍ୟ ନିଶ୍ଚିତତା ଆମ ଜନସଂଖ୍ୟାକୁ ସଶକ୍ତ କରିବ ଏବଂ ଆମ ରାଜ୍ୟକୁ ଆଗକୁ ବଢ଼ାଇବ |

7. ଅଭିବୃଦ୍ଧି ସହିତ ଅନ୍ତର୍ଭୁକ୍ତ ସର୍ବଦା ଆମର ଉଦ୍ଦେଶ୍ୟ | ଆଦିବାସୀ, ଜନଜାତି, ଓବିସି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ସଶକ୍ତିକରଣ ସର୍ବାଧିକ ପ୍ରାଥମିକତା ଅଟେ | ସ୍ଵୟମ ନିଯୁକ୍ତି ଦିଗରେ ପ୍ରତିବର୍ଷ 10,000 ST, SC ଏବଂ OBC ଯୁବକମାନଙ୍କ ପାଇଁ1,00,000ଟଙ୍କାର ଅନୁଦାନ ପ୍ରଦାନ କରିବାକୁ ଆମେ 10 ବର୍ଷ ମଧ୍ୟରେ 1000 କୋଟି ପାଣ୍ଠି ପ୍ରଦାନ କରିବୁ। ସେହିଭଳି, ଏସଟି, ଏସସି ଏବଂ ଓବିସିର ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗୀତା 10,00,000 ଟଙ୍କା ପର୍ଯ୍ୟନ୍ତ ସୁଧ ଛାଡ ହେବ | ସ୍ଵୟମ ଋଣ ଅନୁଦାନରେ ପ୍ରାଥମିକତା ରହିବ | 

ଓବିସି, ସଂଖ୍ୟାଲଘୁ, ଏସସି ଏବଂ ଆଦିବାସୀ ଛାତ୍ରମାନଙ୍କ ପାଇଁ ଅଧିକ ହଷ୍ଟେଲ ବ୍ୟବସ୍ଥା ସହିତ ଶିକ୍ଷା ଏବଂ ଅଧିକ ନିଯୁକ୍ତି ଆଗକୁ ବଢାଇବ | ଲାଭ ଯୋଜନା ଦ୍ୱାରା ଛୋଟ ଜଙ୍ଗଲ ଉତ୍ପାଦନ ସଂଗ୍ରହରୁ ଆୟକୁ ତ୍ଵରାନିତ୍ଵ କରିବ, ମୁଖ୍ୟତ ଆଦିବାସୀଙ୍କୁ ଉତ୍ସାହିତ କରିବ | ଗ୍ରାମୀଣ ଗୃହ ଯୋଜନା ଅଧୀନରେ ସମସ୍ତ ଯୋଗ୍ୟ ପରିବାରକୁ 10 ଲକ୍ଷ ଘର ଯୋଗାଇ ଦିଆଯିବ |

8. ଖାଦ୍ୟ ସୁରକ୍ଷା ସର୍ବଦା ବିଜେଡି ସରକାରଙ୍କ ଏକ ଗ୍ୟାରେଣ୍ଟି ଅଟେ | ସମସ୍ତ ଯୋଗ୍ୟ ପରିବାରକୁ ରେସନ କାର୍ଡ ଯୋଗ୍ୟତା ଭିତ୍ତିରେ ନିଶ୍ଚିତ ଯୋଗାଇ ଦିଆଯିବ, ଯାହା ସମସ୍ତ ପରିବାରଙ୍କୁ ଅନ୍ତର୍ଭୁକ୍ତ ନିଶ୍ଚିତ କରିବ | କୃଷକମାନେ ରାଜ୍ୟର ଖାଦ୍ୟ ନିରାପତ୍ତାର ମେରୁଦଣ୍ଡ ଅଟନ୍ତି। କୃଷିର ସମଗ୍ର ଇକୋସିଷ୍ଟମ୍ ମଜବୁତ ହେବ | କୃଷି ଉଦ୍ଦେଶ୍ୟରେ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯିବ, ଯାହା ସାରା ରାଜ୍ୟରେ କୃଷକମାନଙ୍କୁ ଉପକୃତ କରିବ | ଏହା ଉତ୍ପାଦନ ବୃଦ୍ଧି ଏବଂ ସେମାନଙ୍କର ଭାର ହ୍ରାସ କରିବାରେ ସାହାଯ୍ୟ କରିବ | 

ପିଲାମାନଙ୍କର ଶିକ୍ଷା ପାଇଁ ଛାତ୍ରବୃତ୍ତି ଏବଂ ନିର୍ଭରଶୀଳ ଝିଅ ବିବାହ ପାଇଁ 25.000 ସହାୟତା ସହିତ କାଳିଆ ଅନୁଦାନ ଜାରି ରହିବ ଏବଂ ବିସ୍ତାର କରାଯିବ | 1.5 ଲକ୍ଷ ପର୍ଯ୍ୟନ୍ତ ଫସଲ ଋଣ ସୁଧମୁକ୍ତ ହେବ | ମୌସୁମୀ ଅନିଶ୍ଚିତତାକୁ ଦୂର କରିବା ପାଇଁ ମତ୍ସ୍ୟଯିବି ସମ୍ପ୍ରଦାୟକୁ ବାର୍ଷିକ 15,000 ପ୍ରଦାନ କରାଯିବ |

9. ଆମର ସମୃଦ୍ଧ ସଂସ୍କୃତି ଏବଂ ଭାଷାର ପ୍ରୋତ୍ସାହନ ଏବଂ ସଂରକ୍ଷଣ ଅର୍ଥନୈତିକ ଅଭିବୃଦ୍ଧି ସହିତ ହାତ ମିଳାଇଥାଏ | ଆମର ଉପାସନା ସ୍ଥାନ, ଐତିହ୍ୟ ସ୍ଥଳ ଏବଂ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ସହିତ ଜଡିତ ସ୍ଥାନଗୁଡିକ ସଂରକ୍ଷଣ କରିବା ପାଇଁ ଏକ ହେରିଟେଜ୍ ବିକାଶ ପାଣ୍ଠି ଭାବରେ 1000 କୋଟିର ଏକ କର୍ପସକୁ ପୃଥକ କରାଯିବ | 

ଶାସ୍ତ୍ରୀୟ ଭାଷା ଭାବରେ ଓଡିଆର ବିକାଶ ଏବଂ ପ୍ରୋତ୍ସାହନ ପାଇଁ 100 କୋଟି ରଖାଯାଇଛି | ଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଠାରୁ ଶାସ୍ତ୍ରୀୟ ଭାଷା ଭାବରେ ଓଡିଆର ପ୍ରଚାର ,ପ୍ରସାର ଓ ଗବେଷଣା ପାଇଁ ଜିରୋ ପାଣ୍ଠି ଗ୍ରହଣ କରାଯାଇଛି | ଆମେ ପୁଣିଥରେ କେନ୍ଦ୍ରକୁ ଅନୁରୋଧ କରିବୁ ଯେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ଏବଂ ହୋ, ମୁଣ୍ଡାରି ଏବଂ ଭୁମିଜଙ୍କୁ ଅଷ୍ଟମ କାର୍ଯ୍ୟସୂଚୀରେ ଅନ୍ତର୍ଭୁକ୍ତ କରାଯାଉ । 

ପଶ୍ଚିମ ଓଡିଶାର ଭାଷାର ବିକାଶ ତଥା ଗବେଷଣା , ଅଧ୍ୟୟନ ଏବଂ ଅନୁସନ୍ଧାନ ପାଇଁ 25 କୋଟି ଟଙ୍କାର କର୍ପସ୍ ଫଣ୍ଡ ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବୁ | ଓଡିଶାର ପ୍ରସିଦ୍ଧ ବ୍ୟକ୍ତିତ୍ୱ ସହିତ ସଂଯୁକ୍ତ ଶହେ ଗୋଟି ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଭାବରେ ବିକଶିତ କରାଯିବ | 

ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ଭଳି ପ୍ରତିବର୍ଷ କଳିଙ୍ଗଶ୍ରୀ ଏବଂ କଳିଙ୍ଗଭୂଷଣ ପୁରସ୍କାର ପ୍ରଦାନ କରାଯିବ। ସମଗ୍ର ରାଜ୍ୟରେ ଭଗବଦ୍ ଟୁଙ୍ଗିର ସଂରକ୍ଷଣ ପାଇଁ ଅର୍ଥ ଯୋଗାଇଦିଆଯିବ | ଏହା ଆମ ଯୁବକମାନଙ୍କୁ ସେମାନଙ୍କର ସଂସ୍କୃତି, ଐତିହ୍ୟ ଏବଂ ଭାଷାରେ ଗର୍ବ ଅନୁଭବ କରିବାକୁ ସଶକ୍ତ କରିବ ଏବଂ ଆତ୍ମବିଶ୍ୱାସ ସହିତ ଭବିଷ୍ୟତକୁ ଆଗକୁ ବଢାଇବାକୁ ସକ୍ଷମ କରିବ | 

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...