AFFILIATE MARKETING

https://binomo.com?a=90810425bb57&t=0

Friday, August 22, 2025

ଆଳି ଗାଁ ସାଥୀ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ

ଆଳି ଗାଁ ସାଥୀ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ

ଆଳି - ଆଳି ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଂଚାୟତର ଗାଁ ସାଥୀ ମାନଙ୍କୁ ନେଇ, ବୁଧବାର ସକାଳ 10 30  ସମୟରେ  - ନିଆଳ ଗ୍ରାମପଂଚାୟତ ଅଫିସ ପରିସରରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା l ଏଥିରେ ଆଳି ବ୍ଲକ ର ସମସ୍ତ ଗ୍ରାମରେ ନିଯୁକ୍ତି ପାଇଥିବା ଗ୍ରାମ ସାଥୀ ମାନଙ୍କ ମଧ୍ୟରୁ ବର୍ତ୍ତମାନର ସକ୍ରିୟ କର୍ମୀ ମାନଙ୍କର ଡାଟାବେସ ପ୍ରସ୍ତୁତ କରି ସରକାରଙ୍କ ନିକଟକୁ ପଠାଇବାକୁ ସ୍ଥିର ହୋଇଥିଲା l  ଏଥି ସହିତ ଜିଲ୍ଲା ସଂଗଠନ ଅନୁମୋଦନ କ୍ରମେ -ଆଳି ଗ୍ରାମସାଥୀ ସଂଘର ନୂତନ କର୍ମକର୍ତ୍ତା ନିଯୁକ୍ତି କରାଯାଇ ଥିଲା l ସଭାପତି ଭାବେ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ପୃଷ୍ଟି, ସମ୍ପାଦକ ସତ୍ୟବ୍ରତ ପୁଝାରୀ , ସହ ସମ୍ପାଦିକା ସୁଜାତା ପ୍ରଧାନ, ଉପସଭାପତି ଭାବେ ସାଧୁ ଚରଣ ଜେନା, କୋଷାଧକ୍ଷ କନକଲତା ପାତ୍ରଙ୍କୁ ଚୟନ କରାଯାଇ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା l 

ଏହି କାର୍ଯ୍ୟକ୍ରମ ରେ ଆଳି ବ୍ଲକର ଏପିଓ ଓ ନିଆଳ ପଂଚାୟତ ପିଓ ଗୁରୁ ଚରଣ ସାମଲ, ଏଡିଓ ସୁବାଷ ଚନ୍ଦ୍ର ସାହୁ, ଦେସାହି ସରପଞ୍ଚ ତଥା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବା ସହିତ ଗାଁ ସାଥୀଙ୍କ ଆଭିମୁଖ୍ୟ ଓ ଗାଁ ର ନରେଗା କାର୍ଯ୍ୟକ୍ରମ ପ୍ରତି ଅଧିକ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ l 
କେନ୍ଦ୍ରାପଡ଼ା ମିଳିତ ଗାଁ ସାଥୀ କ୍ରିୟାନୁଷ୍ଠାନ କମିଟି ର ସଭାପତି ଅନିଲ କୁମାର ଜେନା , ସମ୍ପାଦକ ବିଜୟ କୁମାର ବେହେରା ସମସ୍ତ ଗାଁ ସାଥୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ l ସଂଘର ଉପଦେଷ୍ଟା ଶରତ କୁମାର ପାତ୍ର, ଦୋଳଗୋବିନ୍ଦ ମଲିକ ତଥା ଅନ୍ୟ ମେଟ ସଦସ୍ୟ ପ୍ରମୁଖ ଏହାର ପରିଚାଳନା କରିଥିଲେ l

Wednesday, August 20, 2025

ଟ୍ରେନ ଚଳାଚଳରେ ପରିବର୍ତ୍ତନ

ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ଖୋର୍ଦ୍ଧା ରୋଡ୍-ପଲାସା ସେକ୍ସନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ

ପ୍ରମୁଖ ଟ୍ରେନ ବାତିଲ ସମ୍ପର୍କିତ ସୂଚନା ବିଷୟରେ ଜାଣନ୍ତୁ

ଟ୍ରେନଗୁଡିକ ବାତିଲ:

ତାରିଖ ୨୪.୦୯.୨୦୨୫ ପର୍ଯ୍ୟନ୍ତ ବାତିଲ ହେବାକୁ ଥିବା ଟ୍ରେନ

1. ଟ୍ରେନ ନମ୍ବର ୬୮୪୧୯, ଭୁବନେଶ୍ୱର-ପଲାସା ମେମୁ ପାସେଞ୍ଜର ଶନିବାର, ରବିବାର, ସୋମବାର ଏବଂ ବୁଧବାର ବାତିଲ ରହିବ।

2. ଟ୍ରେନ ନମ୍ବର ୬୮୪୨୦ , ପଲାସା – ଭୁବନେଶ୍ୱର ମେମୁ ପାସେଞ୍ଜର ରବିବାର, ସୋମବାର ମଙ୍ଗଳବାର ଏବଂ ଗୁରୁବାର ବାତିଲ ରହିବ।

3. ଟ୍ରେନ ନମ୍ବର ୬୮୪୧୧/୬୮୪୧୨ , ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ପାସେଞ୍ଜର ଶନିବାର, ରବିବାର, ସୋମବାର ଏବଂ ବୁଧବାର ବାତିଲ ରହିବ।

ତାରିଖ ୨୪.୦୯.୨୦୨୫ ପର୍ଯ୍ୟନ୍ତ ଗନ୍ତବ୍ୟସ୍ଥଳ ଆଗରୁ ବାତିଲ/ଉତ୍ପତ୍ତି ହେବାକୁ ଥିବା ଟ୍ରେନ

୧. ଟ୍ରେନ ନମ୍ବର ୬୮୪୪୫, କଟକ-ପଲାସା ମେମୁ ଶନିବାର, ରବିବାର, ସୋମବାର ଏବଂ ବୁଧବାର ଦିନ ପଲାସା ପରିବର୍ତ୍ତେ ଇଚ୍ଛାପୁରମ ପର୍ଯ୍ୟନ୍ତ ଚଳାଚଳ କରିବ।।

୨. ଟ୍ରେନ ନମ୍ବର ୬୮୪୩୪ ଗୁଣୁପୁର-କଟକ ମେମୁ ରବିବାର, ସୋମବାର ମଙ୍ଗଳବାର ଏବଂ ଗୁରୁବାର ଦିନ ଗୁଣୁପୁର ପରିବର୍ତ୍ତେ ଇଚ୍ଛାପୁରମରୁ ଯାତ୍ରା ଆରମ୍ଭ କରିବ।

୩. ଟ୍ରେନ ନମ୍ବର ୫୮୫୩୧ ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର ବୁଧବାର, ରବିବାର, ସୋମବାର ଏବଂ ଶନିବାର ଦିନ ବ୍ରହ୍ମପୁର ପରିବର୍ତ୍ତେ ପଲାସାରୁ ଯାତ୍ରା ଆରମ୍ଭ କରିବ।

୪. ଟ୍ରେନ ନମ୍ବର ୫୮୫୩୨, ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ମଙ୍ଗଳବାର, ଶନିବାର, ରବିବାର ଏବଂ ଶୁକ୍ରବାର ଦିନ ବ୍ରହ୍ମପୁର ପରିବର୍ତ୍ତେ ପଲାସା ପର୍ଯ୍ୟନ୍ତ ଚଳାଚଳ କରିବ।

ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି ଯେ ପରିବର୍ତ୍ତନଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ।

ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା!

ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା!

ଅଭିଯୋଗ କରିବାକୁ ଆସି ଆକ୍ରମଣ

ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ, ୨୦/୮: ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ବାସଭବନରେ ଜନ ଶୁଣାଣି ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଚାପୁଡ଼ା ମାରିଥିଲେ। ୩୦ ବର୍ଷ ବୟସର ଏହି ବ୍ୟକ୍ତି କିଛି କାଗଜପତ୍ର ଧରି ଆସିଥିଲେ। ହଠାତ୍ ତାଙ୍କୁ ମାଡ଼ ମାରିଥିଲେ।

ତାଙ୍କୁ ତୁରନ୍ତ ଅଟକ ରଖାଯାଇ ପୋଲିସ ହେପାଜତକୁ ନିଆଯାଇଛି। ସିଭିଲ ଲାଇନ୍ସ ଥାନାରେ ଅଭିଯୁକ୍ତକୁ ପଚରାଉଚରା କରାଯାଉଛି। ଡିସିପି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରେ ବିଜେପି ଏହି ଘଟଣାକୁ ନିଶ୍ଚିତ କରିଛି, ଦଳର ମୁଖପାତ୍ର ପ୍ରବୀଣ ଶଙ୍କର କହିଛନ୍ତି ଯେ ଶୁଣାଣି ସମୟରେ ରେଖା ଗୁପ୍ତାଙ୍କୁ ଟାର୍ଗେଟ କରାଯାଇଥିଲା।

ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଦେବେନ୍ଦର ଯାଦବ କହିଛନ୍ତି, “ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ପୂରା ଦିଲ୍ଲୀର ଦାୟିତ୍ୱରେ ଅଛନ୍ତି, ଏବଂ ମୁଁ ଭାବୁଛି ଯେ ଏପରି ଘଟଣାର ଯେତେ ନିନ୍ଦା କରାଯିବ, ସେତେ କମ୍ ପଡ଼ିବ। କିନ୍ତୁ ଏହି ଘଟଣା ମହିଳାଙ୍କ ସୁରକ୍ଷାକୁ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯଦି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ସୁରକ୍ଷିତ ନୁହଁନ୍ତି, ତେବେ ଜଣେ ସାଧାରଣ ପୁରୁଷ କିମ୍ବା ସାଧାରଣ ମହିଳା କିପରି ସୁରକ୍ଷିତ ରହିବେ?”

ପ୍ରଧାନମନ୍ତ୍ରୀଙ୍କଠୁ ନେଇ ମୁଖ୍ୟମନ୍ତ୍ରୀ; ଜେଲ ଗଲେ ପଦ ଯିବ

ସଂସଦରେ ଆଜି ବିଲ୍ ଆଗତ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୦/୮: ଦେଶର ପ୍ରଧାନମନ୍ତ୍ରୀ, କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୌଣସି ମନ୍ତ୍ରୀ ହୁଅନ୍ତୁ, ଯଦି ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟକଳାପ ଅଭିଯୋଗରେ ଗିରଫ ହୁଅନ୍ତି, ତାହାଲେ ସେମାନଙ୍କ ପଦ ରଦ୍ଦ ହେବ। ଏ ସଂକ୍ରାନ୍ତରେ ଏକ ବିଲ୍ ଆଗତ କରିବେ କେନ୍ଦ୍ର ସରକାର। ଆଜି ଲୋକସଭାରେ ତାହା ଆଗତ ହୋଇପାରେ।

ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ, ଯଦି ଜଣେ ମନ୍ତ୍ରୀ ଜଘନ୍ୟ ଅପରାଧ ଯେପରିକି ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ଜେଲ ଦଣ୍ଡ ଭୋଗିବା ବ୍ୟବସ୍ଥା ଥାଏ ଏବଂ ଗିରଫ ହୋଇ ୩୦ ଦିନ ଜେଲରେ ରହନ୍ତି, ତେବେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ରାଷ୍ଟ୍ରପତି ତାଙ୍କୁ ପଦରୁ ବହିଷ୍କାର କରିବେ।

ଯଦି ପ୍ରଧାନମନ୍ତ୍ରୀ ପରାମର୍ଶ ନ ଦିଅନ୍ତି, ତେବେ ୩୧ ଦିନରେ ମନ୍ତ୍ରୀ ନିଜ ଆଡୁ ପଦରୁ ଇସ୍ତଫା ଦେବେ। ଯଦି ପ୍ରଧାନମନ୍ତ୍ରୀ ନିଜେ ଏପରି ଅଭିଯୋଗରେ ୩୦ ଦିନ ପାଇଁ ଜେଲରେ ଅଛନ୍ତି, ତେବେ ତାଙ୍କୁ ୩୧ ଦିନ ସୁଦ୍ଧା ତାଙ୍କୁ ପଦରୁ ଇସ୍ତଫା ଦେବାକୁ ପଡିବ, ନଚେତ୍ ତାଙ୍କ ପଦବୀ ରଦ୍ଦ ହୋଇଯିବ। ସେହିପରି, ଯଦି କୌଣସି ରାଜ୍ୟର ମନ୍ତ୍ରୀ ୩୦ ଦିନ ପାଇଁ ଜେଲରେ ଅଛନ୍ତି, ତେବେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ରାଜ୍ୟପାଳ ତାଙ୍କୁ ବହିଷ୍କାର କରିବେ।

ଯଦି ପରାମର୍ଶ ଦିଆ ନ ଯାଏ, ତେବେ ମନ୍ତ୍ରୀଙ୍କ ପଦବୀ ୩୧ ଦିନ ସୁଦ୍ଧା ରଦ୍ଦ ହୋଇଯିବ। ଯଦି ମୁଖ୍ୟମନ୍ତ୍ରୀ ନିଜେ ୩୦ ଦିନ ପାଇଁ ଜେଲରେ ରୁହନ୍ତି, ତେବେ ତାଙ୍କୁ ୩୧ ଦିନ ସୁଦ୍ଧା ଇସ୍ତଫା ଦେବାକୁ ପଡିବ, ନଚେତ୍ ତାଙ୍କ ପଦବୀ ରଦ୍ଦ ହୋଇଯିବ ବୋଲି ଏହି ବିଲରେ ରହିଛି।

NDA ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମାଙ୍କନ

ମୁଖ୍ୟ ପ୍ରସ୍ତାବକ ରହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୨୦/୮: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ NDA ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ। ୪ ସେଟ୍‌ ନାମାଙ୍କନ ପତ୍ର ଦାଖଲ କଲେ। ନୂଆଦିଲ୍ଲୀ ସଂସଦ ଭବନରେ ନାମାଙ୍କନ ଦାଖଲ କଲେ ରାଧାକ୍ରିଷ୍ଣନ। ନାମାଙ୍କନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସିପି ରାଧାକ୍ରିଷ୍ଣନଙ୍କ ପାଇଁ ମୁଖ୍ୟ ପ୍ରସ୍ତାବକ ରହିଲେ ପ୍ରଧାନମନ୍ତ୍ରୀ ମୋଦି

Tuesday, August 19, 2025

ନିର୍ବାଚନ କମିସନ ବିଜେଡି ଠାରୁ ସତ୍ୟପାଠ ଦାବି କରିନାହାନ୍ତି: ବିଜେଡି

ନିର୍ବାଚନ କମିସନ ଓ ବିଜେଡି ମଧ୍ୟରେ ପତ୍ର ବିନିମୟ ଜାରି ରହିଛି। ନିର୍ବାଚନରେ ଅସଙ୍ଗତିକୁ ନେଇ ଲିଖିତ ଭାବେ ପ୍ରଶ୍ନ ଉଠାଇଛି ବିଜେଡି

ସତ୍ୟପାଠକୁ ନେଇ ଗଣମାଧ୍ୟମରେ ଭ୍ରମାତ୍ମକ ଖବର ପ୍ରକାଶିତ ହୋଇଛି

ଭୁବନେଶ୍ୱର, ୧୯/୮: ଗତ ନିର୍ବାଚନରେ ପରିଲକ୍ଷିତ ହୋଇଥିବା କିଛି ଅସଙ୍ଗତିକୁ ନେଇ ବିଜୁ ଜନତା ଦଳ ନିର୍ବାଚନ କମିସନଙ୍କ ସମ୍ମୁଖରେ ଉଠାଇଥିବା ପ୍ରସଙ୍ଗରେ, ବିଜୁ ଜନତା ଦଳ ସତ୍ୟପାଠ ଦାଖଲ ନକରି କେବଳ ଉପର ଠାଉରିଆ ଭାବେ ଅଭିଯୋଗ କରିଛି ବୋଲି କିଛି ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ବିଜୁ ଜନତା ଦଳ ପ୍ରତିକ୍ରିୟା ଦେଇ ଏହି ଖବରକୁ ଖଣ୍ଡନ କରିଛି । ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀ ମିହିର ରାୟ ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଗୋଟିଏ ଦାୟିତ୍ୱ ସମ୍ପନ୍ନ ରାଜନୈତିକ ଦଳ ଭାବେ ଗତ ନିର୍ବାଚନରେ ପରିଲକ୍ଷିତ ହୋଇଥିବା ଅସଙ୍ଗତିକୁ ନେଇ ଲିଖିତ ଭାବେ ନିର୍ବାଚନ କମିସନରଙ୍କ ଦୃଷ୍ଟି ଆକର୍ଷଣ କରିଛି । ନିର୍ବାଚନ କମିସନଙ୍କ ତରଫରୁ କୌଣସି ସମୟରେ ବିଜେଡିକୁ ସତ୍ୟପାଠ ମଗାଯାଇ ନାହିଁ, ତେଣୁ ଏହି ସତ୍ୟପାଠ ଦେବାର ଆବଶ୍ୟକତା ନାହିଁ ।

ଶ୍ରୀ ମିହିର ରାୟ କହିଥିଲେ, ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀର ଫଳାଫଳକୁ ଅନୁଶୀଳନ କରିବା ପରେ, ଅନେକ ଅସଙ୍ଗତି ପରିଲକ୍ଷିତ ହୋଇଥିଲା ।ଏହି ଅସଙ୍ଗତି ଗୁଡିକର ତଥ୍ୟ ଦେଇ ବିଜୁ ଜନତା ଦଳ ଲିଖିତ ଭାବେ ନିର୍ବାଚନ କମିସନଙ୍କୁ ୨୦୨୪ ମସିହା ଡିସେମ୍ୱର ୧୯ ତାରିଖ ଦିନ ପତ୍ର ମାଧ୍ୟମରେ ଜଣାଇବା ସହିତ, ଏହାର ସ୍ପଷ୍ଟୀକରଣ ଚାହିଁଥିଲା । ବିଜେଡି ପତ୍ରର ଉତ୍ତରରେ, ନିର୍ବାଚନ କମିସନଙ୍କ ତରଫରୁ ୧୦ ମାର୍ଚ୍ଚ ୨୦୨୫ ତାରିଖରେ ଉତ୍ତର ଦିଆଯାଇଥିଲା । ଏହି ଉତ୍ତର ସନ୍ତୋଷଜନକ ହୋଇ ନଥିବାରୁ, ବିଜେଡି ତରଫରୁ ଏପ୍ରିଲ ମାସରେ ଆଉ ଏକ ଚିଠି ପ୍ରଦାନ କରାଯାଇଥିଲା । ଏହି ପତ୍ରର ଉତ୍ତରରେ ନିର୍ବାଚନ କମିସନ ଜୁଲାଇ ୧୪ ତାରିଖରେ ଉତ୍ତର ଦେଇଥିଲେ, ଯାହା ମଧ୍ୟ ବିଭିନ୍ନ ଦୃଷ୍ଟିରୁ ସନ୍ତୋଷଜନକ ନଥିଲା । ଏହାପରେ ନିର୍ବାଚନ କମିସନଙ୍କ ନିମନ୍ତ୍ରଣ କ୍ରମେ, ଆଜି ନିଜେଡିର ଏକ ବରିଷ୍ଠ ପ୍ରତିନିଧି ମଣ୍ଡଳୀ ଦିଲ୍ଲୀରେ ନିର୍ବାଚନ କମିସନଙ୍କୁ ଭେଟିଛନ୍ତି । ନିର୍ବାଚନ କମିସନ ଓ ବିଜେଡି ମଧ୍ୟରେ ଗତ ଡିସେମ୍ୱର ମାସରୁ ନିୟମିତ ଭାବେ ବାର୍ତ୍ତାଳାପ ଚାଲିଥିବା ବେଳେ, କୌଣସି ସମୟରେ ବିଜେଡିକୁ ସତ୍ୟପାଠ କରିବା କଥା ନିର୍ବାଚନ କମିସନଙ୍କ ତରଫରୁ କୁହାଯାଇ ନାହିଁ । ନିର୍ବାଚନକୁ ଗଣତନ୍ତ୍ରର ମେରୁଦଣ୍ଡ ଭାବେ ବିଚାର କରାଯାଉ ଥିବାରୁ ସ୍ୱଚ୍ଛ ନିର୍ବାଚନ ପାଇଁ ସ୍ୱର ଉତ୍ତୋଳନ କରିବା ଅର୍ଥ ଗଣତନ୍ତ୍ରକୁ ମଜବୁତ କରିବା । ତେଣୁ, ନିର୍ବାଚନ କମିସନଙ୍କ ଚିଠିର ଉତ୍ତର ବିଜେଡି ଦେଉନାହିଁ ବା ସତ୍ୟପାଠ ଦାଖଲ କରିବା ପାଇଁ ବିଜେଡି ପଛଘୁଞ୍ଚା ଦେଉଛି ବୋଲି ଗଣମାଧ୍ୟମରେ କରାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ ଓ ଭିତ୍ତିହୀନ । ଗୋଟିଏ ଦାୟିତ୍ୱ ସମ୍ପନ୍ନ ରାଜନୈତିକ ଦଳ ଭାବେ ଗଣମାଧ୍ୟମ ପ୍ରତି ସମ୍ମାନ ରହିଛି, କିନ୍ତୁ ଗଣମାଧ୍ୟମର ମଧ୍ୟ ଦାୟିତ୍ୱବାନ ହେବାର ଆବଶ୍ୟକତା ରହିଛି । ତେଣୁ, ଏଭଳି ଭ୍ରମାତ୍ମକ ଖବର ପ୍ରକାଶରୁ ନିବୃତ ରହିବାକୁ ଆମେ ନିବେଦନ କରୁଛୁ ବୋଲି ଶ୍ରୀ ରାୟ କହିଥିଲେ ।

ଡ଼ ଲେନିନ ମହାନ୍ତି କହିଥିଲେ, ବିଜେଡି ତରଫରୁ ନିର୍ବାଚନରେ ପରିଲକ୍ଷିତ ହୋଇଥିବା ତାରତମ୍ୟ ଗୁଡିକ ଦର୍ଶାଯାଇଛି । ଏହାର ଉତ୍ତର ମଧ୍ୟ ସନ୍ତୋଷଜନକ ହୋଇପାରି ନାହିଁ । ଉଦାହରଣ ସ୍ୱରୂପ, ଯଦିଓ ଫର୍ମ ୧୭ସି ପ୍ରଦାନ କରିବା ପାଇଁ ନିୟମ ରହିଛି, ଏହା ପ୍ରଦାନ କରିବା ପାଇଁ ନିର୍ବାଚନ କମିସନ ଟାଳଟୁଳ ନୀତି ଅବଲମ୍ୱନ କରୁଛନ୍ତି । ଯେହେତୁ କିଛି ନିର୍ବାଚନ ମାମଲା କୋର୍ଟରେ ବିଚାରାଧୀନ ରହିଛି, ସେହି କାରଣରୁ ଫର୍ମ ୧୭ସି ପ୍ରଦାନ କରାଯାଇ ପାରିବ ନାହିଁ ପାଇଁ ବୋଲି ନିର୍ବାଚନ କମିସନ କହିଛନ୍ତି । କିନ୍ତୁ, ମାତ୍ର ୨୮ଟି ନିର୍ବାଚନ ମଣ୍ଡଳୀରେ କେସ୍ ହୋଇଛି । ତେଣୁ, କେସ୍ ନ ହୋଇଥିବା ନିର୍ବାଚନ ମଣ୍ଡଳୀର ଫର୍ମ ୧୭ସି କାହିଁକି ପ୍ରଦାନ କରାଯିବ ନାହିଁ, ତାର ସ୍ପଷ୍ଟତା ମିଳିନାହିଁ । ସେହିପରି, ଭୋଟ ବାକ୍ସରେ ପଡ଼ିଥିବା ଭୋଟ ଓ ଗଣତି ହୋଇଥିବା ଭୋଟ ମଧ୍ୟରେ ତାରତମ୍ୟ ଦେଖିବାକୁ ମିଳିଛି । ଅଧିକ ଭୋଟ ବାହାରିଥିବା ଅଭିଯୋଗର ଉତ୍ତରରେ ମକ୍ ପୋଲ ଭୋଟ ରହି ଯାଇଥିବା କଥା ନିର୍ବାଚନ କମିସନ କହିଛନ୍ତି । କିନ୍ତୁ, ଯଦି ତାହା ହୋଇଥାଏ, ଏହା ସ୍ୱଚ୍ଛ ନିର୍ବାଚନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ସେହିପରି, ଭୋଟ କମ ବାହାରିଥିବା ବିଷୟରେ ଇଭିଏମ ତ୍ରୁଟି ଥିଲେ ଏଥିରେ ଥିବା ଭୋଟକୁ ଗଣତିକୁ ନେଉ ନାହାନ୍ତି ବୋଲି କହିଛନ୍ତି । ଯାହା ମଧ୍ୟ ଗ୍ରହଣୀୟ ନୁହେଁ ବୋଲି ମହାନ୍ତି କହିଥିଲେ । ଗଣମାଧ୍ୟମ ପ୍ରତି ବିଜୁ ଜନତା ଦଳର ଯଥେଷ୍ଟ ସମ୍ମାନ ରହିଛି । ତେଣୁ, ଗଣମାଧ୍ୟମ ମଧ୍ୟ ଦାୟିତ୍ୱବାନ ଗଣମାଧ୍ୟମର ଭୂମିକା ନିର୍ବାହ କରିବାର ଆବଶ୍ୟକତା ରହିଛି ବୋଲି ଡ଼ ମହାନ୍ତି କହିଥିଲେ ।

ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ

ଜନାବ୍ ସେକ୍ ଅନୱର ହୁସେନଙ୍କୁ “ଅମଜଦ ନଜମୀ ପୁରସ୍କାର ୨୦୨୩” ପ୍ରଦାନ

ଭୁବନେଶ୍ୱର, ୧୯/୮: ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ଆଜି ୨୦୨୩ ବର୍ଷ ପାଇଁ ତିନିଟି ବର୍ଗରେ ତିନି ଜଣ ଲେଖକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ପୁରସ୍କାର ବିତରଣ ଉତ୍ସବରେ ଉର୍ଦ୍ଦୁ ସାହିତ୍ୟର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଭଦ୍ରକ ଜିଲ୍ଲାର ଜନାବ୍ ସେକ୍ ଅନୱର ହୁସେନଙ୍କୁ “ଅମଜଦ ନଜମୀ ପୁରସ୍କାର ୨୦୨୩” ପ୍ରଦାନ କରାଯାଇଛି। ଏଥିସହ ୩ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି। କଟକ ଜିଲ୍ଲାର ଜନାବ୍ ଅବଦୁଲ ହକ୍ ବେତାବ୍ ଙ୍କୁ “ଡ଼ଃ କରାମତ୍ ଅଲ୍ଲୀ କରାମତ୍ ପୁରସ୍କାର ୨୦୨୩” ପ୍ରଦାନ କରାଯାଇଛି। ଏଥିସହ ୨ ଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି। କଟକ ଜିଲ୍ଲାର ଜନାବ୍ ସମିଉଲ୍ ହକ୍ ଶାକିରଙ୍କୁ “ଶ୍ରୀଯୁକ୍ତ ରଶ୍ମିକାନ୍ତ ରାହି ପୁରସ୍କାର ୨୦୨୩” ପ୍ରଦାନ କରାଯାଇଛି। ଏଥିସହ ୧ ଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି।

ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପୁରସ୍କାର-୨୦୨୩ ପ୍ରାପ୍ତ ସମସ୍ତ ଲେଖକମାନଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ସେ କହିଥିଲେ ଯେ, ଉର୍ଦ୍ଦୁ ଭାଷା ଏକ ମଧୁର ଭାଷା। ବହୁ ଲେଖକ ଓ କବିମାନେ ନିଜର ସାହିତ୍ୟ ସର୍ଜନା ମାଧ୍ୟମରେ ଉର୍ଦ୍ଦୁ ଭାଷାକୁ ପରିପୁଷ୍ଟ କରିଛନ୍ତି। ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପୁରସ୍କାର ପ୍ରାପ୍ତ ସମସ୍ତ ସାହିତ୍ୟିକମାନେ ଆଗାମୀ ଭବିଷ୍ୟତର ଉର୍ଦ୍ଦୁ ଲେଖକମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ମତପ୍ରକାଶ କରିଥିଲେ। ବାଚସ୍ପତି ଶ୍ରୀମତୀ ପାଢ଼ୀ ଉର୍ଦ୍ଦୁ ସାହିତ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ଓଡ଼ିଶା ଉର୍ଦ୍ଦୁ ଏକାଡେମୀର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଆଜିର କାର୍ଯ୍ୟକ୍ରମରେ କବିତା ପାଠ କରିଥିଲେ। ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଉର୍ଦ୍ଦୁ ସାହିତ୍ୟର ବିଶିଷ୍ଟ ସାହିତ୍ୟିକ ଏବଂ ଅନୁବାଦ ସାହିତ୍ୟ ଉପରେ ଆଲୋକପାତ କରିଥିଲେ।

ଆଜି ଉର୍ଦ୍ଦୁ ସାହିତ୍ୟର ପ୍ରତିଭାମାନଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବା ସହିତ ଶାମ୍-ଏ-ଗଜଲ୍ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଭାପତି ଜନାବ୍ ଖାଲିଦ୍ ରହିମ୍, ଉପସଭାପତି ଜନାବ୍ ନଫିସ୍‌ ମଞ୍ଜର ହସନ୍‌, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସଚିବ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ବି ସୁଦର୍ଶନ ରେଡ୍ଡୀ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ

ବି ସୁଦର୍ଶନ ରେଡ୍ଡୀ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ,  ଘୋଷଣା କଲେ ମଲ୍ଲିକାର୍ଜୁନ ଖଡ୍ଗେ


 ; ସିପି ରାଧାକୃଷ୍ଣନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଘୋଷଣା କରିଛନ୍ତି ଯେ ବି ସୁଦର୍ଶନ ରେଡ୍ଡୀ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ। ସୁଦର୍ଶନ ରେଡ୍ଡୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି।

ବି ସୁଦର୍ଶନ ରେଡ୍ଡୀ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଘୋଷଣା କରିଛନ୍ତି ଯେ ବି ସୁଦର୍ଶନ ରେଡ୍ଡୀ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ। ସୁଦର୍ଶନ ରେଡ୍ଡୀ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି। ରେଡ୍ଡୀଙ୍କ ନାମ ଘୋଷଣା କରି ଖାର୍ଗେ କହିଛନ୍ତି ଯେ ସେ ଗରିବଙ୍କ ପକ୍ଷ ନେଇଥିଲେ ଏବଂ ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେଇଥିଲେ। ଏହା ଏକ ଆଦର୍ଶ ଲଢ଼େଇ ଏବଂ ସମସ୍ତ ବିରୋଧୀ ଦଳ ଏହି ନାମରେ ସହମତ ହୋଇଥିଲେ, ତେଣୁ ଆମେ ଏକ ହୋଇ ଲଢ଼ୁଛୁ। ସେ ଆମ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ସମ୍ପୂର୍ଣ୍ଣ ପ୍ରତିଫଳିତ କରନ୍ତି ଏବଂ ମୂଲ୍ୟ ଦିଅନ୍ତି। ଏହି ସମସ୍ତ ମୂଲ୍ୟବୋଧ ଉପରେ ଆକ୍ରମଣ ହେଉଛି ଏବଂ ତେଣୁ ଆମେ ଏକଜୁଟ ଏବଂ ଏହାର ମୁକାବିଲା କରିବାକୁ ପ୍ରତିବଦ୍ଧ।

କିଏ ବି. ସୁଦର୍ଶନ ରେଡ୍ଡୀ
ବି. ସୁଦର୍ଶନ ରେଡ୍ଡୀଙ୍କ ଜନ୍ମ ୮ ଜୁଲାଇ ୧୯୪୬ରେ ହୋଇଥିଲା। ୨୭ ଡିସେମ୍ବର ୧୯୭୧ରେ ସେ ହାଇଦ୍ରାବାଦରେ ଆନ୍ଧ୍ର ପ୍ରଦେଶ ବାର କାଉନସିଲରେ ଜଣେ ଓକିଲ ଭାବରେ ନାମ ଲେଖାଇଥିଲେ। ସେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ରିଟ୍ ଏବଂ ସିଭିଲ୍ ମାମଲାରେ ଅଭ୍ୟାସ କରିଥିଲେ। ସେ ୧୯୮୮-୯୦ ମଧ୍ୟରେ ହାଇକୋର୍ଟରେ ସରକାରୀ ଓକିଲ ଭାବରେ କାର୍ଯ୍ୟ କରିଥିଲେ। ରେଡ୍ଡୀ ୧୯୯୦ ମଧ୍ୟରେ ୬ ମାସ ପାଇଁ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସ୍ଥାୟୀ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଓସମାନିଆ ବିଶ୍ୱବିଦ୍ୟାଳୟର ଆଇନଗତ ପରାମର୍ଶଦାତା ଏବଂ ସ୍ଥାୟୀ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ରେଡ୍ଡୀଙ୍କୁ ୨ ମେ ୧୯୯୫ରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତି ଦିଆଯାଇଥିଲା। ୫ ଡିସେମ୍ବର ୨୦୦୫ରେ ତାଙ୍କୁ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା।

ସିପି ରାଧାକୃଷ୍ଣନଙ୍କ ସହ ମୁକାବିଲା କରିବେ

ରେଡ୍ଡୀ ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କ ସହ ମୁକାବିଲା କରିବେ, ଯିଏ ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ। ତାମିଲନାଡୁର ବାସିନ୍ଦା ଚନ୍ଦ୍ରପୁର ପୋନୁସାମୀ ରାଧାକ୍ରିଷ୍ଣନଙ୍କୁ ୩୧ ଜୁଲାଇ ୨୦୨୪ରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା। ଏହା ପୂର୍ବରୁ ସେ ପ୍ରାୟ ଦେଢ଼ ବର୍ଷ ପାଇଁ ଝାଡ଼ଖଣ୍ଡର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ଏହା ବ୍ୟତୀତ ସେ ତେଲେଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଉପରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଅଭିନନ୍ଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଶାସକ ମେଣ୍ଟର ସାଂସଦମାନଙ୍କ ଏକ ବୈଠକରେ ବିରୋଧୀ ଦଳ ସମେତ ସମସ୍ତ ଦଳକୁ ସର୍ବସମ୍ମତିକ୍ରମେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସି. ପି. ରାଧାକ୍ରିଷ୍ଣନଙ୍କୁ ନିର୍ବାଚିତ କରିବାକୁ ଅପିଲ କରିଛନ୍ତି। ସେ ରାଧାକ୍ରିଷ୍ଣନଙ୍କ ଜନସେବା ଜୀବନର ପ୍ରଶଂସା ମଧ୍ୟ କରିଛନ୍ତି। ସାଂସଦମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅନେକ ବିଜେପି ସହଯୋଗୀଙ୍କ ସମେତ ଦଳର ଶୀର୍ଷ ନେତାମାନେ ରାଧାକ୍ରିଷ୍ଣନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଧାକ୍ରିଷ୍ଣନ ବୁଧବାର ତାଙ୍କର ନାମାଙ୍କନ ଦାଖଲ କରିପାରନ୍ତି।

ଶ୍ରୀମଦ ଭଗୱଦ ଗୀତ

ଶ୍ରୀମଦ ଭଗୱଦ ଗୀତ 
ପୂର୍ବ ପ୍ରକାଶିତ ଉତ୍ତାରୁ... 
କମଳ ଲୋଚନ ଶ୍ରୀ ହରିଃ, କରେଣ ଶଙ୍ଖ ଚକ୍ରଧାରୀ,, ଖଗ ଆସନେ ଖଗପତି, ଖଟନ୍ତି ଲଷ୍ମୀ ସରସ୍ୱତୀ,, ଗରୁଡ଼ ଆସନେ ମୁରାରୀ, ଗୋପ ରେ ରଖିଲେ ବାଛୁରୀ,, ଘନ କଠିନ କଳେବର, ଘଟଣା ଶ୍ରୀମୁଖ ସୁନ୍ଦର,,,,, ଚନ୍ଦ୍ରମା ପ୍ରାୟେକ ବଦନ, ଚାହିଁଲେ ଖଣ୍ଡେ ଦୁଃଖ ମାନ, ଛତ୍ରୀ ଉତ୍ତମ ଶିରୋମଣୀ, ଛଟକେ ଆଣିଲେ ରୁକ୍ମିଣୀ,, ଜଗଜୀବନ ଦାଶରଥି, ଜାନକୀ ଦେବୀ ପ୍ରାଣ ପତି, ଝସକେତନ ପ୍ରାୟ ଶୋଭା, ଝଟକେ ବିଦ୍ୟୁତ ପ୍ରିୟା ଆଭା, ଟେକିଲେ ଦୁବ କରେ ଦାରୁ, ଟାଣ ପଣ ରେ ଭାଙ୍ଗେ ମେରୁ,, ଠୁଳ ସୁନ୍ଦର ଶିରୋମଣୀ, ଠାବେ କମଳା ଯାର ରାଣୀ,, ଦମ୍ବରୁଧର ଯାରେ ସେବା, ଡରେ ଖଟନ୍ତି ସର୍ବ ଦେବା,, ଢମ ଯେ କଲା ରାୟ କଂସ, ଢାଳେ ଅସୁର ଗଲା ନାଶ,,..... ଭଗବାନ ଶ୍ରୀକୃଷ୍ଣ ଙ୍କର ଗୋପଲୀଳା ଅତୀବ ମଞ୍ଜୁଳ ରାସ ରଶାଳ, କାନ୍ତ କୋମଳ ଏବଂ ସଂଗୀତ ମୟ, ମଙ୍ଗଳ ମୟ ମହାପ୍ରଭୁ ଙ୍କର ଆବିର୍ଭାବ ରେ ଗୋପ ବୃନ୍ଦାବନବ୍ରଜ ଭୁମୀ ରେ ଦିବ୍ୟ ଆନନ୍ଦ ଝଲକ, ନନ୍ଦନନ୍ଦନ ଗୋପୀନାଥ ଙ୍କର ଉପସ୍ଥିତି ବ୍ରଜଭୂମିକୁ ମୁଖରିତ କରିଛି, ବାତ୍ସାଲ୍ୟ ମମତାରେ ମା ଯଶୋଦା ବିଭୋର ଦେବ ଶିଶୁସୁଲଭ ନିଜ ସନ୍ତାନ କୁ ଦଣ୍ଡେ ମାତ୍ର ଛାଡି ରହି ପାରନ୍ତିନାହିଁ, ନନ୍ଦ ଉତ୍ସବ ର ମୁଖରିତ ରାତ୍ରୀ ପାହି ଯାଇଛି ଆଜି ଭାଦ୍ର ଦଶମୀ, ପୂଣିପବିତ୍ର ସଂକ୍ରାନ୍ତି, ଗୋପ ଦାଣ୍ଡରେ ପୁତନା ନିଜକୁ ଅତି ସୁନ୍ଦରୀ ରମଣୀ ଭାବରେ ରୂପାନ୍ତରିତ କରି ବେଣୀରେ ମଲ୍ଲୀ ମାଳାଝୁଲାଇ,ଫୁଲେଇ ହୋଇ  ଚାଲୁଛି ପୁତନା, ଚାଲି ରେ ତାର ଲାବଣ୍ୟ ର ଛନ୍ଦ, ଆଖିରେ କାମନାର ନିଆଁ ଉନ୍ନତ ବକ୍ଷୋଜ ରୁ କ୍ଷୀର ବହି ଯାଉଛି, ଝୁଲି ଝୁଲି ପୁତନା ନନ୍ଦରାଜା ଙ୍କ ଗୃହ ଅଙ୍ଗନରେ ପହଂଚି ଯଶୋଦା ମା ଙ୍କ ନିକଟରେ ପହଂଚି ଛଳନା କରି ପୁତନା କହିଲା ରାଣୀ ମା ମୁଁ ହତ ଭଗିନୀ ଜନ୍ମ କରି ପିଲାଟା କୁ ଖାଇଲି, ବିଚରା ଜନ୍ମ ହେଉଁ ହେଉଁ ମରିଗଲା, ମୋର ସ୍ତନ କ୍ଷୀର ଭାର ରେ ଫାଟି ଯାଉଛି ମୋତେ ତୁମ ପୁଅ କୁ ଦିଅ ମୁଁ ତାକୁ ମୋ ସ୍ତନ୍ୟ ପାନ କରାଇ ମୁଁ ଅଶ୍ଵସ୍ଥ ହେବି ମୋ କଷ୍ଟ ଲାଘବ ହେବ, ପୁତନା ର ମଧୁର ବଚନରେ ମା ଯଶୋଦା ପୁଅ କୁ ପୁତନା କୋଳ କୁ ଟେକି ଦେଲେ, ପୁତନା ତାର ସ୍ତନ ରେ ହଳାହଳ ବିଷ ଲେପନ କରିଥିଲା, ଶିଶୁ ଶ୍ରୀକୃଷ୍ଣ ଙ୍କୁ କୋଳରେ ପାଇ ପୁତନା କୁରୁଳି ଉଠିଲା, ଶିଶୁ ଟିକୁ ଅଚିରେ ମାରି ଦେଇ କଂସ ଠାରୁ ପୁରସ୍କାର ପୂଜା ପାଇବା ଆଶା ତାକୁ ଆହୁରି ପ୍ରମତ୍ତ କରିଦେଲା, ଘର କୋଣ ଯାଇ ସେ ବସି ପଡିଲା ଏବଂ ନିଜର ସ୍ତନ କୁ ଶ୍ରୀକୃଷ୍ଣ ଙ୍କ ମୁଖରେ ଦେଇଦେଲା, ଭଗବାନ ଶ୍ରୀକୃଷ୍ଣ କ୍ଷୀର ସାଙ୍ଗରେ ପ୍ରାଣ ଶୋଷି ନେଲେ ପୁତନା ଗର୍ଜନ  କରି ଘୋର ରଡି କରି ଛଟପଟ ହୋଇ ମଲା, ପାହାଡ଼ ଭଳି ତାର ବିରାଟ ମୃତ ଶରୀର ଦେଖି ସମସ୍ତେ ଭୟରେ ଥରି ଉଠିଲେ,ତା ଛାତି ଉପରୁ ଶ୍ରୀକୃଷ୍ଣ ଙ୍କୁ ଘେନି ଆସି ମା ଯଶୋଦା ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ଶ୍ରୀକୃଷ୍ଣ ହସୁଛନ୍ତି ମା ଙ୍କୁ ଚାହିଁ ଅପଲକ ତାଙ୍କ ନେତ୍ର, ପୁତନା ରକ୍ତ ବାନ୍ତି କରି ମରି ମରିବା ଖବର ଚାରି ଆଡେ ବ୍ୟାପୀ ଗଲା କଂସ ଏ ଖବର ଶୁଣି ପ୍ରମାଦ ଗଣିଲା ପୁତନା ମରଣ ଶୁଣି ଗୋପ ପୁର ବାସୀ ନନ୍ଦ ରାଜାଙ୍କ ଗୃହ କୁ ଆସି ରାକ୍ଷସୀ ପୁତନା କୁ ଦେଖି ଛାନିଆ ହୋଇଗଲେ, ସେମାନେ ରାଜା ନନ୍ଦ ଙ୍କୁ ପ୍ରଶଂସା କରି କହିଲେ ଅଦ୍ଭୁତ ଅଟେ ତୋ ବାଳକ, ସାମାନ୍ୟ ନୁହେଁ ଜାଣି ରଖ,, ତିନିଦିନର ଦେବ ଶିଶୁ, ଅଦ୍ଭୁତ କର୍ମ ଯେ ପ୍ରକାଶୁ, ଖସି ପଡୁଛି କି ଅକାଶୁ ସେଯେ ଗଙ୍ଗା ଯମୁନା,କ୍ଷୀର ସଙ୍ଗେ ପ୍ରାଣ ନାଶିଲେ ନାଶ ଗଲା ପୁତନା,, ଗହନ କାନନ ବନରେ ଘୋର ବରଷା କାଳ, ଗିରୀ ବାମ କରେ ଧରିଲେ ନନ୍ଦ ଯଶୋଦା ବାଳ,, ସାତ ବର୍ଷ ର ବାଳକ ସାତ ଦିନ ଧରି ଇନ୍ଦ୍ର କୋପ ରୁ ଗୋପ କୁ ରକ୍ଷା କରିବା ପାଇଁ ଗିରୀ ଗୋବର୍ଦ୍ଧନ ଧାରଣ କରିଥିଲେ ଦେବଇନ୍ଦ୍ର ଙ୍କର ଗର୍ବ ଗଞ୍ଜନ କରିଥିଲେ, ଇନ୍ଦ୍ର ନିଜର ଭୁଲ ଜାଣି କାମଧେନୁ ସାହିତ ଆସି କ୍ଷମା ପ୍ରାର୍ଥୀ ହେଲା ଆକାଶ ଗଙ୍ଗା ରୁ ଐରାବତ ହସ୍ତୀ ଦ୍ୱରା ଜଳ ଅଣାଇ ଅଭିଷେକ କରି ଗୋବିନ୍ଦ ଭାବରେ ବନ୍ଦନା କରିଥିଲେ ଗୋବିନ୍ଦ ପୂଜା ଉପାସନା କରି ଥିଲେ, ଭଗବାନ ଶ୍ରୀକୃଷ୍ଣ ପ୍ରକୃତୀ କୁ ପୂଜା କରିବାକୁ ଗୋପାଳ ମାନଙ୍କୁ ପରାମର୍ଶ ଦେଇଥିଲେ ଗୋପରେ ସମସ୍ତେ ଶାନ୍ତିରେ ଖୁସିରେ ରହିବାକୁ ଲାଗିଲେ କୃଷ୍ଣ ବଳରାମ ଗୋ ଚାରଣ କରି ବାକୁ ଲାଗିଲେ ବକା ସୁର ଶକଟା ସୁର ପ୍ରଭୃତି ଙ୍କୁ ମାରି ବେଦ ପତି ବ୍ରହ୍ମା ଙ୍କ ଭ୍ରମ ଭଞ୍ଜନ କରି ଥିଲେ, ଗର୍ଗ ମୁନୀ ନାମ କରଣ କରି ଥିଲେ ଶ୍ରୀ କୃଷ୍ଣ, ଗୋପରେ ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୂରାରେ ହେ ନାଥ ନାରାୟଣ ବାସୁଦେବ ବୋଲି ଗାଇ ବାକୁ ଲାଗିଲେ ଗୋପରେ ସମସ୍ତେ ଗୋବିନ୍ଦଙ୍କ ଲୀଳା ସଂଗୀତାୟନ ତାଙ୍କ ମଧୁର ବଂଶୀ ସ୍ୱନ ସମସ୍ତଙ୍କୁ ପରା ପ୍ରେମ ରେ ମନ୍ତ୍ରମୁଗ୍ଧ କରି ଗଢି ତୋଳିଛି, ଗୋବିନ୍ଦ ଗୋକୁଳାନନ୍ଦ ଗୋପାଳ ଗୋପୀ ବଲ୍ଳଭ ଗୋବର୍ଦ୍ଧନଧର ଧାର ତା ବନ୍ଦେ ଗୋମତୀ ପ୍ରିୟମ  ଆଗକୁ ଗୋବିନ୍ଦ ରାସ ବିଷୟରେ ରସ ରହସ୍ୟ ବିଷୟରେ ଆଲୋଚନା କରିବା ଗୋବିନ୍ଦ ଜୟ ଗୋପାଳ ଜୟ ଜୟରାଧା ରମଣ ଗୋବିନ୍ଦ ହରିଃ ଗୋବିନ୍ଦ କ୍ରମଶଃ ଶ୍ରୀ ଚିତ୍ତରଞ୍ଜନ ମହାପାତ୍ର ସ୍ୱସ୍ତିକ ନିବାସ ଭାଣପୁର କଟକ 🌹🌹🙏🏿🌹🌹

ଅନଲାଇନ ଗେମିଂ ବିଲ୍ କୁ କ୍ୟାବିନେଟ ମଞ୍ଜୁରୀ

ବେଟିଂ ଆପ୍ସର ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲାଗିବ

ସେଲିବ୍ରିଟିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ

ନୂଆଦିଲ୍ଲୀ, ୧୯/୮: ମଙ୍ଗଳବାର ଅନଲାଇନ୍ ଗେମିଂ ବିଲ୍ କୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ। ବେଟିଂ ଆପ୍ସକୁ ନିୟନ୍ତ୍ରଣ କରିବା ଏବଂ ଡିଜିଟାଲ ଆପ ଜରିଆରେ ଜୁଆ ଖେଳିବା ଉପରେ କଡ଼ା ଯାଞ୍ଚ କରାଯିବ।

ଏହି ବିଲ୍ ଅନଲାଇନ୍ ଗେମିଂ ପ୍ଲାଟଫର୍ମଗୁଡ଼ିକୁ ଏକ ଆଇନଗତ ଢାଞ୍ଚାରେ ଆଣିବା ଏବଂ ଡିଜିଟାଲ୍ ଆପ୍ସ ମାଧ୍ୟମରେ ଜୁଆ ପାଇଁ ଦଣ୍ଡ ବ୍ୟବସ୍ଥା କରିବାକୁ ଏହି ବିଲରେ ବ୍ୟବସ୍ଥା ରହିଛି।

ଏହି ବିଲ୍ ଆସିବା ପରେ କୌଣସି ସେଲିବ୍ରିଟି, ସେ ଫିଲ୍ମ ଷ୍ଟାର, କ୍ରିକେଟର କିମ୍ବା ଅନ୍ୟ କୌଣସି ବଡ଼ ବ୍ୟକ୍ତିତ୍ୱ ହୁଅନ୍ତୁ, କୌଣସି ବେଟିଂ ଆପ୍ ବିଜ୍ଞାପନ କରିପାରିବେ ନାହିଁ। ଏହି ବିଜ୍ଞାପନଗୁଡ଼ିକ ଏହି ଆପ୍‌ଗୁଡ଼ିକୁ ଏକ ଆତ୍ମବିଶ୍ୱାସ ଯୋଗାଉଥିଲା, ଯାହାକୁ ସରକାର ଏବେ ସମାପ୍ତ କରିବାକୁ ଚାହୁଁଛନ୍ତି। କେବଳ ନିଷେଧ ନୁହେଁ, ବରଂ ନିୟମ ଭାଙ୍ଗିବା ପାଇଁ ଭାରୀ ଜରିମାନା ଏବଂ ଦଣ୍ଡର ବ୍ୟବସ୍ଥା ମଧ୍ୟ କରାଯାଇଛି। ଯେକୌଣସି ବ୍ୟକ୍ତି କିମ୍ବା କମ୍ପାନୀ ବେଟିଂ ଆପ୍ ବିଜ୍ଞାପନ କରୁଥିବେ ତାଙ୍କୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ।

ସୂଚନାଯୋଗ୍ୟ, ସରକାର ଲଗାତାର କିଛି ବର୍ଷ ଧରି ଗେମିଂ ଆପ୍ ଉପରେ ନଜର ରଖି ଆସିଛନ୍ତି। ଅକ୍ଟୋବର ୨୦୨୩ ଠାରୁ, ଅନଲାଇନ୍ ଗେମିଂ ଉପରେ ୨୮% GST ଲାଗୁ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରୁ ଗେମରୁ ଜିତିଥିବା ରାଶି ଉପରେ ୩୦% ଟିକସ ଲାଗୁ ହୋଇଛି।

ଗତ ବର୍ଷ, ଭାରତୀୟ ନ୍ୟାୟ ସଂହିତା ଅଧୀନରେ ନୂତନ ଅପରାଧିକ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। ଯେଉଁଥିରେ ଜୁଆ ଖେଳିଲେ ସାତ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ଜରିମାନା ଦଣ୍ଡନୀୟ ହୋଇଥିଲା। ତଥାପି, ରାଜ୍ୟଗୁଡ଼ିକ ଅବୈଧ ଜୁଆ ଖେଳ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି।

୨୦୨୨ ରୁ ଫେବୃଆରୀ ୨୦୨୫ ମଧ୍ୟରେ, ସରକାର ୧,୪୦୦ ରୁ ଅଧିକ ଜୁଆ ୱେବସାଇଟ୍ ଏବଂ ଆପ୍ ବ୍ଲକ କରିଛନ୍ତି।

ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନ ଜନନାୟକ ସୁଭାଷ ଚନ୍ଦ୍ର ବୋଷ

ଅଧିକ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୧୮ ଅଗଷ୍ଟ ୨୦୨୫

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ବାଜିରାଓ ପ୍ରଥମ (୧୮ ଅଗଷ୍ଟ ୧୭୦୦ – ୨୮ ଏପ୍ରିଲ ୧୭୪୦), ମରାଠା ସାମ୍ରାଜ୍ୟର ୭ମ ସେନାପତି। ସେ ବାଲାଜୀ ବିଶ୍ୱନାଥ ଏବଂ ରାଧାବାଇଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ। ବାଲାଜୀ ବିଶ୍ୱନାଥଙ୍କ ମୃତ୍ୟୁ ପରେ, ରାଜା ଶାହୁ ତାଙ୍କୁ ୧୯ ବର୍ଷ ବୟସରେ ପେଶ୍ୱା (୧୭୨୦-୧୭୪୦ ଖ୍ରୀଷ୍ଟାବ୍ଦ) ଭାବରେ ନିଯୁକ୍ତ କରିଥିଲେ। ବାଜିରାଓ ପ୍ରଥମଙ୍କୁ ‘ବାଜିରାଓ ବଲ୍ଲାଲ୍’ ଏବଂ ‘ଥୋର୍ଲି ବାଜିରାଓ’ ଭାବରେ ମଧ୍ୟ ଜଣାଶୁଣା। ବାଜିରାଓ ପ୍ରଥମ ବିସ୍ତାରବାଦୀ ବ୍ୟକ୍ତି ଥିଲେ। ସେ ହିନ୍ଦୁ ଜାତିର ଖ୍ୟାତି ବିସ୍ତାର କରିବା ପାଇଁ ‘ହିନ୍ଦୁ ପଦ ପାଦଶାହୀ’ ଧାରଣା ପ୍ରସାର କରିବାକୁ ଚେଷ୍ଟା କରିଥିଲେ।

୨. ବିଜୟଲକ୍ଷ୍ମୀ ପଣ୍ଡିତ (୧୮ ଅଗଷ୍ଟ ୧୯୦୦ – ୧ ଡିସେମ୍ବର ୧୯୯୦) ପଣ୍ଡିତ ଜବାହରଲାଲ ନେହେରୁଙ୍କ ଭଉଣୀ। ବିଜୟଲକ୍ଷ୍ମୀ ପଣ୍ଡିତ ଦେଶର ସ୍ୱାଧୀନତା ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ, ଯାହାକୁ ଭୁଲିହେବ ନାହିଁ। ‘ନାଗରିକ ଅମାନ୍ୟ ଆନ୍ଦୋଳନ’ରେ ଅଂଶଗ୍ରହଣ ପାଇଁ ତାଙ୍କୁ ଜେଲଦଣ୍ଡ ଦିଆଯାଇଥିଲା। ବିଜୟଲକ୍ଷ୍ମୀ ଜଣେ ଶିକ୍ଷିତ ଏବଂ ଜ୍ଞାନୀ ମହିଳା ଥିଲେ ଏବଂ ବିଦେଶରେ ଅନୁଷ୍ଠିତ ବିଭିନ୍ନ ସମ୍ମିଳନୀରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ସେ ଭାରତର ରାଜନୈତିକ ଇତିହାସରେ ପ୍ରଥମ ମହିଳା ମନ୍ତ୍ରୀ ଥିଲେ। ସେ ଜାତିସଂଘର ପ୍ରଥମ ଭାରତୀୟ ମହିଳା ସଭାପତି ମଧ୍ୟ ଥିଲେ। ବିଜୟଲକ୍ଷ୍ମୀ ପଣ୍ଡିତ ସ୍ୱାଧୀନ ଭାରତର ପ୍ରଥମ ମହିଳା ରାଷ୍ଟ୍ରଦୂତ ଥିଲେ, ଯିଏ ମସ୍କୋ, ଲଣ୍ଡନ ଏବଂ ୱାଶିଂଟନରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ।

୩. ଲେଫ୍ଟନାଣ୍ଟ କର୍ଣ୍ଣେଲ ଏ. ଏନ.ଏସ. ତାରାପୋର (୧୮ ଅଗଷ୍ଟ ୧୯୨୩ – ୧୬ ସେପ୍ଟେମ୍ବର ୧୯୬୫), ଜଣେ ଭାରତୀୟ ସୈନିକ, ଯିଏ ପରମ ବୀର ଚକ୍ରରେ ସମ୍ମାନିତ ହୋଇଥିଲେ। ୧୯୬୫ ମସିହାରେ ସେ ମରଣୋତ୍ତର ଭାବରେ ଏହି ସମ୍ମାନ ପାଇଥିଲେ। ତାଙ୍କର ପୂର୍ଣ୍ଣ ନାମ ଆର୍ଦେଶୀର ବର୍ଜାରୀ ତାରାପୋର।

୪. ସମ୍ପୂର୍ଣ୍ଣ ସିଂହ କାଲରା (୧୮ ଅଗଷ୍ଟ ୧୯୩୬) ଗୁଲଜାର ନାମରେ ଜଣାଶୁଣା। ସେ ହିନ୍ଦୀ ଚଳଚ୍ଚିତ୍ରର ଜଣେ ପ୍ରସିଦ୍ଧ ଗୀତିକାର। ଏହା ସହିତ, ସେ ଜଣେ କବି, ଚିତ୍ରନାଟ୍ୟ ଲେଖକ, ଚଳଚ୍ଚିତ୍ର ନିର୍ଦ୍ଦେଶକ, ନାଟ୍ୟକାର ଏବଂ ପ୍ରସିଦ୍ଧ କବି। ସେ ମୁଖ୍ୟତଃ ହିନ୍ଦୀ, ଉର୍ଦ୍ଦୁ ଏବଂ ପଞ୍ଜାବୀ ଭାଷାରେ ଲେଖନ୍ତି। ଗୁଲଜାରଙ୍କୁ ୨୦୦୨ରେ ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ୨୦୦୪ରେ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣରେ ମଧ୍ୟ ସମ୍ମାନିତ କରାଯାଇଛି। ୨୦୦୯ରେ, ସେ ଡାନି ବଏଲଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ସ୍ଲମଡଗ୍ ମିଲିନେୟାରରେ ଜୟ ହୋ ଗୀତ ପାଇଁ ଶ୍ରେଷ୍ଠ ଗୀତ ପାଇଁ ଅସ୍କାର ଜିତିଥିଲେ। ସେହି ଗୀତ ପାଇଁ ତାଙ୍କୁ ଗ୍ରାମୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ସୁଭାଷ ଚନ୍ଦ୍ର ବୋଷ (୨୩ ଜାନୁଆରୀ ୧୮୯୭ – ୧୮ ଅଗଷ୍ଟ ୧୯୪୫), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା। ପିତାଙ୍କ ନାମ ଜାନକୀନାଥ ବୋଷ। ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ। ସେ ହେଉଛନ୍ତି ବିଶ୍ୱର ନେତାଜୀ। ୧୯୨୧ରେ ସେ କେମ୍ବ୍ରିଜରେ ଆଇସିଏସର ତାଲିମ ନେଉଥିବା ବେଳେ ଭାରତରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଘଟିଥିଲା, ତେଣୁ ସେ ଅଧାରୁ ତାଲିମ ଛାଡ଼ି ଭାରତ ଫେରି ଆସିଥିଲେ। ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ୧୯୨୩ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସର କମିଟିର ସମ୍ପାଦକ ହୋଇଥିଲେ। ୧୯୨୪ ମସିହାରେ ସେ କଲିକତା ମହାନଗରୀର ମେୟର ହୋଇଥିଲେ। ୧୯୩୦ରେ ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ସୁଭାଷଙ୍କୁ ଗିରଫ କରି ଜେଲରେ ରଖାଯାଇଥିଲା, ତେବେ ୧୯୩୧ରେ ଗାନ୍ଧୀ-ଇରୱିନ ଚୁକ୍ତି ପରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା। ୧୯୩୯ରେ ସେ ଫରୱାର୍ଡ଼ ବ୍ଳକ ନାମକ ଏକ ନୂତନ ଦଳ ଗଠନ କରିଥିଲେ। ସେ ବର୍ଲିନଠାରେ ଏକ ମୁକ୍ତ ଭାରତ କେନ୍ଦ୍ର ଉନ୍ମୋଚନ କଲେ ଓ ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ଗଠନ କରିଥିଲେ। ସୁଦୂର ବର୍ଲିନରୁ ଆଜାଦ ହିନ୍ଦ ରେଡ଼ିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ। ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ଆହ୍ୱାନରେ ସମସ୍ତଙ୍କୁ ଏକଜୁଟ କଲେ। ସୁଭାଷ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ଦାୟିତ୍ୱ ଗ୍ରହଣ କଲେ ଏବଂ ୧୯୪୩ ମସିହା ଅକ୍ଟୋବର ୨୧ତାରିଖ ଦିନ ସେଠାରେ ଏକ ଅସ୍ଥାୟୀ ସ୍ୱାଧୀନ ସରକାର ଗଠନ କଲେ। ତେବେ ତାଙ୍କ ମୃତ୍ୟୁ ଆଜି ପର୍ଯ୍ୟନ୍ତ ବି ରହସ୍ୟମୟ ହୋଇ ରହିଛି। ଯଦିଓ ଏହା କୁହାଯାଏ ଯେ, ୧୯୪୫ ମସିହାରେ ତାଇୱାନର ତାଇହୋକୁରେ ଏକ ବିମାନ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ, ପରେ ତାଙ୍କର ଏକ ସାମରିକ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା।

୨. ଶ୍ରୀ ନାରାୟଣ ଚତୁର୍ବେଦୀ (୨୮ ସେପ୍ଟେମ୍ବର ୧୮୯୫ – ୧୮ ଅଗଷ୍ଟ ୧୯୯୦), ଜଣେ ହିନ୍ଦୀ ସାହିତ୍ୟିକ, ପ୍ରଚାରକ, ସ୍ରଷ୍ଟା ଏବଂ ସାମ୍ବାଦିକ ଯିଏ ସାରା ଜୀବନ ହିନ୍ଦୀ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ। ସେ ସରସ୍ୱତୀ ପତ୍ରିକାର ସମ୍ପାଦକ ମଧ୍ୟ ଥିଲେ। ଦେଶକୁ ହିନ୍ଦୀ ଭାଷାକୁ ରାଷ୍ଟ୍ରୀୟ ଭାଷା ଟରିବା ପାଇଁ, ସେ ଲୋକଙ୍କ ମଧ୍ୟରେ ଭାଷାର ଜୀବନ୍ତ ଚେତନା ଜାଗ୍ରତ କରିଥିଲେ।

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୯୪୦ – ପ୍ରଥମ ଥର ପାଇଁ ଟେଲିଭିଜନରେ ପାଣିପାଗ ମାନଚିତ୍ର ପ୍ରସାରିତ ହୋଇଥିଲା।

୧୯୪୫ – ୧୯୪୫ ମସିହାରେ ତାଇୱାନର ତାଇହୋକୁରେ ଏକ ବିମାନ ଦୁର୍ଘଟଣାରେ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚାନ୍ଦ ବୋଷ ଗୁରୁତର ଆହତ ହୋଇଥିଲେ, ପରେ ତାଙ୍କର ଏକ ସାମରିକ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା।

୧୯୫୧ – ପଶ୍ଚିମବଙ୍ଗର ଖଡ଼ଗପୁରରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ପ୍ରତିଷ୍ଠିତ ହୋଇଥିଲା।

୧୯୮୨ – ସୋଭିଏତ୍ ୟୁନିଅନ୍ ଦ୍ୱାରା ମହାକାଶ ଷ୍ଟେସନ ସାଲ୍ୟୁଟ୍-୭କୁ ପଠାଯାଇଥିବା ଜଣେ ମହିଳା ମହାକାଶଚାରୀ।

୨୦୦୮ – ଉତ୍ତର ପ୍ରଦେଶର ମାୟାବତୀ ସରକାର ଷଷ୍ଠ ବେତନ କମିଶନର ସୁପାରିଶ କାର୍ଯ୍ୟକାରୀ କରିବାର ଘୋଷଣା କରିଥିଲେ।

୨୦୧୨ – ନାଟୋ ବିମାନ ଆକ୍ରମଣରେ ଅତି କମରେ ୧୩ ଜଣ ଆଫଗାନ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା।

୨୦୧୩ – ପଶ୍ଚିମବଙ୍ଗରେ ଏକ ବସ୍ ଉପରେ ବୋମା ବିସ୍ଫୋରଣରେ ଛଅ ଜଣ ପ୍ରାଣ ହରାଇଥିଲେ।

ପ୍ରତି ୪ ମିନିଟରେ ଷ୍ଟ୍ରୋକ୍‌ରେ ଯାଉଛି ଜଣଙ୍କ ଜୀବନ, ଜାଣନ୍ତୁ ଏହାର ଲକ୍ଷଣ

ପ୍ରତି ୪ ମିନିଟରେ ଷ୍ଟ୍ରୋକ୍‌ରେ ଯାଉଛି ଜଣଙ୍କ ଜୀବନ, ଜାଣନ୍ତୁ ଏହାର ଲକ୍ଷଣ
Brain Stroke: ପ୍ରତି ୪ ମିନିଟରେ ଷ୍ଟ୍ରୋକ୍‌ରେ ଯାଉଛି ଜଣଙ୍କ ଜୀବନ, ଜାଣନ୍ତୁ ଏହାର ଲକ୍ଷଣ

Brain Stroke Symptoms: ଷ୍ଟ୍ରୋକ୍ ବର୍ତ୍ତମାନ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି । ଯାହା ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ଦେଖାଯାଉଛି। ଯଦି ଆମେ ତଥ୍ୟ ଉପରେ ନଜର ପକାଇବା, ତେବେ ଜଣାପଡ଼ିଛି ଯେ ୨୦୨୨ ମସିହାରେ, ବିଶ୍ୱରେ ୧୨.୨ ନିୟୁତ (୧.୨୨ କୋଟି) ରୁ ଅଧିକ ନୂଆ ଷ୍ଟ୍ରୋକ୍‌ ମାମଲା ରିପୋର୍ଟ ହୋଇଥିଲା। ବିଶ୍ୱରେ ମୃତ୍ୟୁ ଏବଂ ଅକ୍ଷମତାର ଏକ ପ୍ରମୁଖ କାରଣ ହେଉଛି ଷ୍ଟ୍ରୋକ୍।
 
ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା କାରଣରୁ ଷ୍ଟ୍ରୋକ୍ ବିପଦ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଯେଉଁମାନଙ୍କର ରକ୍ତଚାପ ପ୍ରାୟତଃ ଉଚ୍ଚ ଥାଏ ସେମାନଙ୍କ ମଧ୍ୟରେ ଷ୍ଟ୍ରୋକ୍ ଏବଂ ହୃଦଘାତ ଉଭୟର ଆଶଙ୍କା ଅଧିକ ରହିଥାଏ।
 
ଷ୍ଟ୍ରୋକ୍ ସେତେବେଳେ ହୁଏ ଯେତେବେଳେ ମସ୍ତିଷ୍କର କୌଣସି ଶିରାରେ ଅବରୋଧ ହୁଏ କିମ୍ବା ଶିରା ଫାଟିଯିବା କାରଣରୁ ରକ୍ତ ପ୍ରବାହ ବନ୍ଦ ହୋଇଯାଏ । ଯାହା ମସ୍ତିଷ୍କ କୋଷଗୁଡ଼ିକୁ କ୍ଷତି ପହଞ୍ଚାଏ। ଯେତେବେଳେ ମସ୍ତିଷ୍କ ପର୍ଯ୍ୟାପ୍ତ ଅମ୍ଳଜାନ ଏବଂ ରକ୍ତ ପାଏ ନାହିଁ । ଏହାର କୋଷଗୁଡ଼ିକ କିଛି ମିନିଟ୍ ମଧ୍ୟରେ ମରିଯିବା ଆରମ୍ଭ କରେ ଏବଂ ଏହି ଅବସ୍ଥାକୁ ଷ୍ଟ୍ରୋକ୍ କୁହାଯାଏ।
 
ବ୍ରେନ୍ ଷ୍ଟ୍ରୋକ୍ ସଠିକ୍ ସମୟ ମଧ୍ୟରେ ଚିହ୍ନଟ ନକଲେ, ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇଯାଇପାରେ। ଅନେକ କ୍ଷେତ୍ରରେ, ଷ୍ଟ୍ରୋକ୍ ଯୋଗୁଁ ଅକ୍ଷମତାର ଆଶଙ୍କା ମଧ୍ୟ ରହିଥାଏ। 
 
ଡାକ୍ତରୀ ରିପୋର୍ଟ ଅନୁଯାୟୀ, ଷ୍ଟ୍ରୋକ୍ ର ଲକ୍ଷଣ ହଠାତ୍ ଏବଂ ତୀବ୍ର ହୋଇଥାଏ, କିନ୍ତୁ ଯଦି ଆପଣ କିଛି ପ୍ରାରମ୍ଭିକ ଲକ୍ଷଣ ପ୍ରତି ଧ୍ୟାନ ଦିଅନ୍ତି, ତେବେ ଆପଣ ଏଭଳି ପରିସ୍ଥିତିକୁ ଏଡାଇ ପାରିବେ।
 
ସଠିକ୍ ସମୟ ମଧ୍ୟରେ ଷ୍ଟ୍ରୋକ୍ ଚିହ୍ନଟ କରିବା ପାଇଁ କିଛି ଲକ୍ଷଣଗୁଡ଼ିକ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଷ୍ଟ୍ରୋକ୍ ହେଲେ, ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ସମସ୍ୟା ଦେଖା ଦେଇପାରେ । ଏହା ହେଉଛି ସବୁଠାରୁ ସାଧାରଣ ଲକ୍ଷଣ। ଏହା ବ୍ୟତୀତ, ପ୍ରଭାବିତ ବ୍ୟକ୍ତି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି, କଥା କହିବା କିମ୍ବା ବୁଝିବାରେ ଅସୁବିଧା ହୋଇପାରେ।

ଯେତେବେଳେ ଷ୍ଟ୍ରୋକ୍ ହୁଏ, ମୁହଁ, ହାତ କିମ୍ବା ପାଦ ନିଷ୍କ୍ରିୟ ହୋଇପାରେ, ସେମାନଙ୍କ ମଧ୍ୟରେ ଦୁର୍ବଳତା କିମ୍ବା ପକ୍ଷାଘାତ ଭଳି ସମସ୍ୟା ଉପୁଜିପାରେ ।
 
ଯଦି ଜଣେ ବ୍ୟକ୍ତି ମୁଣ୍ଡ ଉପରକୁ ତାଙ୍କର ଉଭୟ ହାତ ଉଠାଇବାକୁ ଚେଷ୍ଟା କରନ୍ତି, ସେହି ସମୟରେ ପ୍ରାୟତଃ ଗୋଟିଏ ହାତ ଦୁର୍ବଳ ହୋଇଯାଏ ଏବଂ ତଳେ ପଡ଼ିବାକୁ ଲାଗେ। ବ୍ରେନ୍ ଷ୍ଟ୍ରୋକ ସମୟରେ ଶାରୀରିକ ସନ୍ତୁଳନ ମଧ୍ୟ ବିଗିଡ଼ିଯାଏ । ଏପରି ପରିସ୍ଥିତି ଉପୁଜେ ଯାହା ଚାଲିବା କଷ୍ଟକର କରିଦିଏ।
 
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି, ମସ୍ତିଷ୍କ ଷ୍ଟ୍ରୋକ୍ ର ଲକ୍ଷଣଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏକ ସୂତ୍ର ଅଛି - FAST, ଯାହା ମାଧ୍ୟମରେ ସହଜରେ ଜାଣିହେବ ଯେ କାହାକୁ ଷ୍ଟ୍ରୋକ୍ ହୋଇଛି କି ନାହିଁ। ତୁରନ୍ତ ଏହି ଚାରୋଟି ଜିନିଷ ଯାଞ୍ଚ କରନ୍ତୁ।
 
F (Face Drooping): ମୁହଁ ଗୋଟିଏ ପାର୍ଶ୍ୱ ଝୁଲୁଛି କି?, A (Arm Weakness): ଗୋଟିଏ ହାତ ଦୁର୍ବଳ କିମ୍ବା ଝୁଲୁଛି କି?, S (Speech Difficulty): କଥା କହିବାରେ କୌଣସି ଅସୁବିଧା ହେଉଛି କି?, T (Time to Call Emergency): ଯଦି ହଁ, ତେବେ ତୁରନ୍ତ ଜରୁରୀକାଳୀନ ସେବାକୁ କଲ୍ କରନ୍ତୁ।
 
ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର (CDC) ଏବଂ ଆମେରିକୀୟ ହୃଦସ୍ରୋତ ସଂଘ ଭଳି ସଂଗଠନ ଅନୁଯାୟୀ, ଯୁବକଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକଙ୍କ ସହ ଷ୍ଟ୍ରୋକ୍ ହୋଇପାରେ। କିନ୍ତୁ କିଛି ଅବସ୍ଥା ଆପଣଙ୍କର ବିପଦକୁ ଯଥେଷ୍ଟ ବୃଦ୍ଧି କରିପାରେ।
 
ଅଧ୍ୟୟନରୁ ଜଣାପଡିଛି ଯେ, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ୍ ଥିବା ଲୋକମାନେ ସର୍ବାଧିକ ବିପଦରେ ଅଛନ୍ତି। ଏହା ବ୍ୟତୀତ, ଅନିୟନ୍ତ୍ରିତ ମଧୁମେହ, ଧୂମପାନ ଏବଂ ମଦ୍ୟପାନ ଅଭ୍ୟାସ, ସ୍ଥୂଳତା ଏବଂ ନିଷ୍କ୍ରିୟ ଜୀବନଶୈଳୀ ମଧ୍ୟ ଆପଣଙ୍କ ପାଇଁ ବିପଦ ବଢାଇପାରେ।
 
Disclamer: ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ଉପକୁଳ ସମାଚାର ଦାୟୀ ରହିବ ନାହିଁ ।

ସମ୍ବଲପୁରରେ ହେବ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ

କୃଷି ଗବେଷଣା ବଢିବା ସହ ଚାଷୀମାନେ ସଶକ୍ତ ହେବେ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮/୦୮: ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟ ପ୍ରସ୍ତାବ ସମ୍ବନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

କେନ୍ଦ୍ର କୃଷି ବିଶ୍ୱ ବିଦ୍ୟାଳୟ ଅଧିନିୟମ, ୧୯୯୨ ଅନୁଯାୟୀ ସମ୍ବଲପୁରରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା କରାଯାଇଛି । କୃଷି ଓ ଆନୁଷଙ୍ଗିକ ବିଜ୍ଞାନରେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ସ୍ନାତକ ଓ ସ୍ନାତକୋତ୍ତର ସୃଷ୍ଟି କରିବା ଏବଂ ଏହି କ୍ଷେତ୍ରରେ ଉତ୍ପାଦ ବୃଦ୍ଧି ଓ ଲାଭଦାୟକ କୃଷି ପ୍ରଣାଳୀ ବିକଶିତ କରିବାରେ ସହାୟକ ହେବ ।

ଏହି ପ୍ରସ୍ତାବିତ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଓଡ଼ିଶା ପାଇଁ ଏକ ପରିବର୍ତ୍ତନକାରୀ ହେବ – କୃଷି ଗବେଷଣାକୁ ଆଗକୁ ବଢାଇବ, ଚାଷୀମାନଙ୍କୁ ସଶକ୍ତ କରିବ ଏବଂ ସ୍ଥାୟୀ କୃଷି ପଦ୍ଧତିରେ ନବସୃଜନକୁ ପ୍ରୋତ୍ସାହିତ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। କୃଷି ଓ ଆନୁଷଙ୍ଗିକ ବୃତ୍ତିକୁ ଲାଭଜନକ ଉଦ୍ୟୋଗରେ ପରିଣତ କରି ଲୋକଙ୍କ ପାଇଁ ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ଲାଭଦାୟକ ସାବ୍ୟସ୍ତ ହେବ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ଡ଼ ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରସ୍ତାବ ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ ମତାମତ ଉପସ୍ଥାପନ କରିଥିଲେ ।

Monday, August 18, 2025

ପ୍ରେମିକା ପ୍ରରୋଚନାରେ ସ୍ତ୍ରୀକୁ ହତ୍ୟା

ଡକାୟତି ନାଟକ ରଚି ଧରା ପଡିଲେ ବିଜେପି ନେତା

ଆଜମେର, ୧୮/୮: ରାଜସ୍ଥାନର ଆଜମେରରେ ଜଣେ ସ୍ଥାନୀୟ ବିଜେପି ନେତା ତାଙ୍କ ପ୍ରେମିକାଙ୍କ ପ୍ରରୋଚନାରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଘଟଣା ସାମନାକୁ ଆସିଛି। ଅଗଷ୍ଟ ୧୦ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ତେବେ ପ୍ରଥମେ ଏହି ଅପରାଧକୁ ଡକାୟତିର ରୂପ ଦେବାକୁ ନାଟକ କରିଥିଲେ ଉକ୍ତ ବିଜେପି ନେତା।

ସୂଚନା ମୁତାବକ, ଅଗଷ୍ଟ ୧୦ ତାରିଖରେ ସଞ୍ଜୁ ସାଇନିଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା। ପ୍ରଥମେ ତାଙ୍କ ସ୍ୱାମୀ ରୋହିତ ସାଇନି କହିଥିଲେ ଯେ କିଛି ଦୁର୍ବୃତ୍ତ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ମୂଲ୍ୟବାନ ଜିନିଷପତ୍ର ନେଇ ପଳାଇ ଯାଇଛନ୍ତି। କିନ୍ତୁ ତଦନ୍ତ ସମୟରେ ପୋଲିସ ତାଙ୍କ ବୟାନରେ ତାଳମେଳ ରହୁନଥିବା ଲକ୍ଷ୍ୟ କରିଥିଲା। ଅଧିକ ପଚରାଉଚରା ପରେ ରୋହିତ ହତ୍ୟା କରିଥିବା ସ୍ୱୀକାର କରିଥିଲେ ଏବଂ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଥିଲେ।

ପୋଲିସର ସୂଚନା ଅନୁଯାୟୀ, ରୋହିତ ସ୍ୱୀକାର କରିଥିଲେ ଯେ ସେ ତାଙ୍କ ପ୍ରେମିକା ରିତୁ ସାଇନିଙ୍କ ନିର୍ଦ୍ଦେଶରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ତଦନ୍ତରୁ ଜଣାପଡିଥିଲା ଯେ ରୋହିତ ଓ ରିତୁ ଅନେକ ଦିନରୁ ସମ୍ପର୍କରେ ଥିଲେ ଏବଂ ସଞ୍ଜୁ ସାଇନି ଏ ବିଷୟରେ ଜାଣି ପାରି ସେମାନଙ୍କୁ ବିରୋଧ କରୁଥିଲେ। ତେଣୁ ସଞ୍ଜୁଙ୍କୁ ରାସ୍ତାରୁ ହଟାଇବା ପାଇଁ ରିତୁଙ୍କ ଚାପରେ ରୋହିତ ଏହି ଅପରାଧ ଘଟାଇଥିଲେ ଏବଂ ଏହାକୁ ଏକ ଲୁଟ ଘଟଣା ଭାବରେ ଦର୍ଶାଇ ପୋଲିସକୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପଚରାଉଚରା ବେଳେ ସବୁ ସତ ଓଗାଳିଥିଲା ରୋହିତ। ପୋଲିସ ରୋହିତ ଓ ପ୍ରେମିକା ରିତୁଙ୍କୁ ଗିରଫ କରିଛି। ଅଧିକ ତଦନ୍ତ ଜାରି ରଖିଛି

ନଦୀର ଶାଖାନାଳି ପାଲଟିଗଲା ମୃତ୍ୟୁ ପଥ ୩୫ ମଇଁଷି ମୃତ; ୩୭ରୁ ଅଧିକ ନିଖୋଜ

ନଦୀର ଶାଖାନାଳି ପାଲଟିଗଲା ମୃତ୍ୟୁ ପଥ ୩୫ ମଇଁଷି ମୃତ; ୩୭ରୁ ଅଧିକ ନିଖୋଜ
ଆଳି - କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଅନ୍ତର୍ଗତ ଏକମାଣିଆ ଗ୍ରାମପଞ୍ଚାୟତରେ  ରବିବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସବୁଦିନ ପରି ରବିବାର ସକାଳେ ଚରିବା ପାଇଁ ସ୍ଥାନୀୟ ଗଳିଆ ନାଳିରେ ପଶିଥିଲେ ମଇଁଷି ପଲ। ହେଲେ ନାଳି ଉପରକୁ ଉଠିପାରିଲେ ନାହିଁ  ମଇଁଷିମାନେ। ଆଶ୍ଚର୍ଯ୍ୟଜନକ ଭାବେ ନାଳରେ ଗୋଟେ ପରେ ଗୋଟେ ମଇଁଷି ବୁଡ଼ିଗଲେ । ପଞ୍ଚାୟତର ତିନିଜଣ ବ୍ୟକ୍ତିଙ୍କର ପ୍ରାୟ ୩୫ ରୁ ଅଧିକ ମଇଁଷି ଗଳିଆ ନାଳିରେ ବୁଡ଼ି ପ୍ରାଣ ହରାଇଥିବାବେଳେ ୩୭ ରୁ ଅଧିକ ମଇଁଷି ନିଖୋଜ ହୋଇଯାଇଛନ୍ତି । ଏଭଳି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସାଧାରଣତଃ ମଇଁଷି ପଲ ଅତିସହଜରେ ନଦୀନାଳ ପାର ହୋଇଯାଉଥିବାବେଳେ ହଠାତ୍ ଏଭଳି ଘଟଣା କିପରି ଘଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି l
ମଇଁଷି ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇନଥିବାବେଳେ, କୁମ୍ଭୀର ଆକ୍ରମଣ ହୋଇଥିବାର ଚର୍ଜା ଜୋର୍ ଧରିଛି l
 ମଇଁଷି ପାଳୁଥିବା ୩ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । 
ଏଭଳି ଘଟଣାକୁ ନେଇ ମଇଁଷି ପାଳନ କରି ନିଜ ପରିବାର କୁ ପ୍ରତିପୋଷଣ କରୁଥିବା ୩ ପରିବାର ହତବାକ ହୋଇ ହାଇଯାଇଛନ୍ତି। ରବିବାର ସକାଳେ ଏକମାଣିଆ ସେତୁ ନିକଟରୁ କିଛି ଦୂରରେ ବନ୍ଧା ହେଉଥିବା ଏକମାଣିଆ ଗ୍ରାମର ଗଣେଶ ଦାସଙ୍କର ୩୦ ଟି, ଜଗନ୍ନାଥ ଦାସଙ୍କର ୩୦ ଟି ଓ ନଳପାହି ଗ୍ରାମର ପରମାନନ୍ଦ ବିଶ୍ୱାଳଙ୍କର ୧୨ ଟି ମଇଁଷି ଚରିବା ନିମନ୍ତେ ଯାଇଥିଲେ । ମଇଁଷିଗୁଡ଼ିକ ବ୍ରାହ୍ମଣୀ ନଦୀରୁ ଦକ୍ଷିଣଡିହା ଆଡ଼କୁ ଯାଇଥିବା ଶାଖା ଗଳିଆ ନାଳ ମଧ୍ୟକୁ ଗୋଟିଏ ପରେ ଗୋଟିଏ ଯାଇଥିଲେ । କିନ୍ତୁ ନାଳି ମଧ୍ୟରେ ପଶିଥିବା ମଇଁଷିଗୁଡ଼ିକ ପାଣିରେ ହଠାତ ବୁଡ଼ି ଯାଇଥିଲେ । ଏହା ଦେଖି ମଇଁଷି ଜଗୁଆଳୀ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ଡ଼ଙ୍ଗା ନେଇ ନାଳି ମଧ୍ୟରେ ଖୋଜାଖୋଜି କରି ପ୍ରାୟ ୩୫ ଟି ମଇଁଷିର ମୃତଦେହ ଉଦ୍ଧାର କରିଥିଲେ । ଅନ୍ୟ ମଇଁଷି ଗୁଡ଼ିକ ନାଳ ସ୍ରୋତରେ ଭାସି ଯାଇଥିବା ବେଳେ ଦଳବଣ ମଧ୍ୟରେ କିଛି ବୁଡ଼ି ରହିଥିବା ମଧ୍ୟ ସ୍ଥାନୀୟ ଲୋକ ଆଶଙ୍କା ପ୍ରକାଶ କରିଛନ୍ତି । ଗୋଟିଏ ଦିନରେ ଏକ ସମୟରେ ଏତେ ସଂଖ୍ୟକ ମଇଁଷିଙ୍କର ଗୋଟିଏ ସ୍ଥାନରେ ଆକସ୍ମିକ ମୃତ୍ୟୁ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । କାରଣ ସାଧାରଣତଃ ସମସ୍ତେ ଜାଣନ୍ତି ମଇଁଷି ଅଥଳ ନଦୀ ଗର୍ଭରେ ପହଁରି ଯାତାୟାତ କରିବା ସହ ଘଣ୍ଟା ଘଣ୍ଟା ଧରି ପାଣିରେ ପଡ଼ି ରହନ୍ତି । କିନ୍ତୁ ଏକମାଣିଆରେ ଘଟିଥିବା ଘଟଣା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ମୃତ୍ୟୁ ଘଟିଥିବା ମଇଁଷିଗୁଡ଼ିକ ସବୁଦିନ ଯେଉଁ ସ୍ଥାନ ଦେଇ ଚରିବାକୁ ଯାଆନ୍ତି ଆଜି ସେହି ସ୍ଥାନରେ ବୁଡ଼ିଯିବା ଘଟଣାକୁ ଅଞ୍ଚଳବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।
ପ୍ରମେଶ ଅନ୍ୟପକ୍ଷରେ କୁମ୍ଭୀର ପଲ ଆକ୍ରମଣ କରିବା
ଯୋଗୁଁ ମଇଁଷିଗୁଡ଼ିକ ନାଳି ମଧ୍ୟରେ ବୁଡ଼ିଯିବା ଆଲୋଚନା ହେଉଥିବା ବେଳେ ମଇଁଷି ମୃତ୍ୟୁ ଘଟଣା ପଛରେ କ'ଣ ରହସ୍ୟ ରହିଛି ତାହା ଜଣାପଡୁନି । ଜିଲ୍ଲା ପ୍ରଶାସନ ମୃତ୍ୟୁର କାରଣ ସ୍ପଷ୍ଟ କରିବା ନିମନ୍ତେ ଶବ ବ୍ୟବଚ୍ଛେଦ କରିବା ସହ କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଏହି ଲୋକମାନେ ବିଭିନ୍ନ ସ୍ଥାନରୁ ଋଣ କରି ମଇଁଷି କିଣିଥିବା ବେଳେ ଋଣ ଶୁଝିବା ପୂର୍ବରୁ ମଇଁଷିଗୁଡ଼ିକର ଆକସ୍ମିକ ମୃତ୍ୟୁ ସେମାନଙ୍କୁ ମାନସିକ ଓ ଆର୍ଥିକ ଭାବେ
ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛି । ଏନେଇ ତହସିଲ୍ଦାର ଶାନ୍ତି ସ୍ବରୂପ ମିଶ୍ର ଓ ଆଳି ବ୍ଲକ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଅଧିକାରୀ ବଦ୍ରି ନାରାୟଣ ଚାନ୍ଦଙ୍କୁ ପଚାରିବାରୁ ଏହି ଘଟଣା ବନବିଭାଗ ବୁଝିବ ବୋଲି ପ୍ରକାଶ କରିଛନ୍ତି । ଏ ନେଇ ରାଜନଗର ବନ ବିଭାଗର ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ  । ଅପରପକ୍ଷେ ଏଭଳି ଏକ ଘଟଣାକୁ ନେଇ ଏକମାଣିଆ ଓ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

 ଅପରାହ୍ନରେ କ୍ଷତିଗ୍ରସ୍ତ ପରିବାର ସହ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ପ୍ରମୋଦ ବିଶ୍ଵାଳ ଓ ଗ୍ରାମବାସୀମାନେ ରାଜନଗରରେ ଥିବା ବନବିଭାଗ ଅଧିକାରୀଙ୍କୁ ସୂଚନା ଦେବା ସହିତ କ୍ଷତିପୂରଣ ଦାବି କରିବା ନିମନ୍ତେ ଯାଇ ଥିବାର ସୂଚନା ମିଳିଛି l

Sunday, August 17, 2025

ହୁଡ଼ାରେ ଚରୁଥିବାବେଳେ ମଇଁଷିଙ୍କୁ ଟାଣିନେଲେ କୁମ୍ଭୀର ପଲ; ୩୦ ମୃତ, ୪୦ରୁ ଅଧିକ ନିଖୋଜ

ଆଳି ୧୭।୮: କୁମ୍ଭୀର ଆକ୍ରମଣର ଶିକାର ମଇଁଷି ପଲ । ମିଳିଲା ୩୦ ମୃତଦେହ, ୪୦ମଇଁଷି ଏବେବି ନିଖୋଜ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରୁ ଏଭଳି ଅଭାବନୀୟ ଖବର ସାମ୍ନାକୁ ଆସିଛି । ରବିବାର ଏକମାଣିଆ ପଞ୍ଚାୟତର କିଛି ମଇଁଷି ନାଳ ହୁଡ଼ାରେ ଚରୁ ଥିବାବେଳେ କୁମ୍ଭୀର ପଲ ଆକ୍ରମଣ କରିଥିଲେ । ଫଳରେ ଭୟଭୀତ ହୋଇ କୁମ୍ଭୀରମାନେ ନାଳରେ ପଶିଯାଇଥିଲେ । ଏହାର ସୁଯୋଗ ନେଇ କିଛି ମଇଁଷିଙ୍କୁ କୁମ୍ଭୀର ମାନେ ଟାଣି ନେଇଥିଲେ । ଏନେଇ ଗ୍ରାମବାସୀ ଖବର ଜାଣିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ ମଇଁଷିଙ୍କୁ ଉଦ୍ଧାର କରିବା ସହ ନିଖୋଜ ମଇଁଷିମାନଙ୍କୁ ଖୋଜୁଛି । 

ସୂଚନାନୁସାରେ, ସବୁଦିନ ଭଳି ଏକମାଣିଆ ଗାଁର ଗଣେଶ ଦାସଙ୍କର ୩୦ ମଇଁଷି, ଜଗନ୍ନାଥ ଦାସଙ୍କ ୩୦ ଏବଂ ନଳପାହି ଗାଁର ପରମାନନ୍ଦ ବିଶ୍ୱାଳଙ୍କ ୧୨ ମଇଁଷି ଚରିବାକୁ ଯାଇଥିଲେ l ମଇଁଷିମାନେ ନଦୀ ସଲଗ୍ନ ନାଳ ପାର୍ଶ୍ଵରେ ଚରୁଥିବା ସମୟରେ ହଠାତ୍ ନଦୀରୁ କୁମ୍ଭୀର ପଲ ସେମାନଙ୍କୁ ଆକ୍ରମଣ କରିଥିଲେ  । ମଇଁଷିମାନେ ଭୟଭୀତ ହୋଇ ଦକ୍ଷିଣଡିହା ଗାଁ ଦେଇ ଯାଇଥିବା ନାଳ ଭିତରକୁ ପଶିଯାଇଥିଲେ l ତେବେ କୁମ୍ଭୀର ଆକ୍ରମଣରେ ୩୦ଟି ମଇଁଷଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦମଳକଳ ବାହିନୀ ମୃତଦେହକୁ ଉଦ୍ଧାର କରି ନିଖୋଜ ମଇଁଷିଙ୍କୁ ଖୋଜାଖୋଜି କରୁଛି ।

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି୨୦ ଯାଏଁ ପ୍ରବଳ ବର୍ଷିବ

୨୦ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୭/୮: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏ ନେଇ ସୂଚନା ଦେଇଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ପଶ୍ଚିମରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି।

ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେବ। ୧୯ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ ଲଘୁଚାପ।

ଏହା ପ୍ରଭାବରେ ୨୦ ତାରିଖ ଯାଏଁ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ। ଆସନ୍ତାକାଲି କୋରାପୁଟ ଓ ମାଲକାନଗିରିରେ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାକି ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

ଖବର ଆଜିର

ଉପକୁଳ ସମାଚାର 
ଉପସ୍ତାପକ ଶେଖର ଦାସ 

ଆଉଏକ ଲଘୁଚାପ କାଲି ଆସିବ, ପ୍ରଭାବରେ ୨୦ ଯାଏଁ ବର୍ଷା ହେବ। କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ଏବଂ ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାରେ  ୩୦ରୁ ୪୦ କିମି ବେଗରେ ପବନ ଓ ବର୍ଷା ହେବ

ରାଜ୍ୟରେ ୧୨ ଟି ନୂତନ ଏନଏସି ପାଇଁ ଡ୍ରାଫ୍ଟ ନୋଟିସ ଜାରି। ୭ ଟି ଜିଲ୍ଲାର ୧୨ ଟି ଅଞ୍ଚଳକୁ ଏନଏସି କରିବାକୁ ସରକାରଙ୍କର ନିଷ୍ପତ୍ତି।

ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶିତ, ପାସ୍ ହାର  ରହିଛି ୫୬ ଦଶମିକ ୨୩ ପ୍ରତିଶତ।

ଆସନ୍ତା ଅଗଷ୍ଟ ୨୮ ତାରିଖକୁ ଧାର୍ଯ୍ୟ ହେଲା ନୂଆଖାଇ ଲଗ୍ନ। ଧୁମଧାମରେ ପାଳିବା ପାଇଁ ପଶ୍ଚିମ ଓଡିଶା ପ୍ରସ୍ତୁତ

ସେପ୍ଟେମ୍ବର ୧ ତାରିଖରୁ ରୁ ଆରମ୍ଭ ହେବ ‘ଆମ ବିମାନ ସେବା ଯୋଜନା’। ଭୁବନେଶ୍ୱର ଝାରସୁଗୁଡା ବିମାନ ଉଡିଲା

ଏନସିଇଆରଟି ବହିରେ ଛାତ୍ର ପଢିବେ, ଦେଶ ବିଭାଜନ ପାଇଁ କଂଗ୍ରେସ, ଜିନ୍ନା ଏବଂ ମାଉଣ୍ଟବେଟେନ ଦାୟୀ।

ଦୁର୍ଘଟଣା ହ୍ରାସ ଲାଗି କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଗଞ୍ଜାମ ଏବଂ ଖୋର୍ଦ୍ଧା ଜିଲାରେ ମୁତୟନ ହେବେ ୫୦୦ ଟ୍ରାଫିକ ଓ୍ବାର୍ଡେନ। 

ସବୁ ବିଭାଗକୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ପକ୍ଷରୁ ଚିଠି। ତୃତୀୟ ଲିଙ୍ଗଙ୍କ ପାଇଁ ରହିବ ସ୍ବତନ୍ତ୍ର କ୍ୟାଟେଗୋରୀ। 

ଆୟୁଷ୍ମାନ୍ ଭାରତ ଯୋଜନା ବଢ଼ାଉଛି ସମସ୍ୟା। ଆସ୍ୟୁରାନ୍ସ ଓ ଇନ୍ସ୍ୟୁରାନ୍ସ ଶବ୍ଦ ଜାଲରେ ଛନ୍ଦି ହୋଇପଡିଛନ୍ତି ରୋଗୀ।

ହତଭାଗ୍ୟ ଓଟିଇଟି ପରୀକ୍ଷାର୍ଥୀ। ୩୧ ତାରିଖରେ ସ୍ୱତନ୍ତ୍ର ପରୀକ୍ଷା କରିବା ସମ୍ଭବ ନୁହେଁ, ଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି କହିଲେ ବୋର୍ଡ ସଭାପତି ତରାଇ 

ପୁଣି ଖେଳଘର ହେଲା ପୁରୀ ଶ୍ରୀମନ୍ଦିର।  ବେହରଣ ଦ୍ୱାର ପଟରୁ ଜଣେ ଯୁବକ ମନ୍ଦିରର କିଛି ଅଂଶ ଉପରକୁ ଚଢିଗଲା। ଗିରଫ କଲା ପୋଲିସ

ଭୁବନେଶ୍ୱରରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ, ୨୨୭ ଗାଡ଼ିର ଫିଟନେସ ପ୍ରମାଣପତ୍ର ରଦ୍ଦ।

ରାଜଧାନୀ ଗାନ୍ଧୀ ମାର୍ଗରେ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି, ବିଭିନ୍ନ ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ସମ୍ବଲପୁରରେ ସାର କଳାବଜାର ବୃଦ୍ଧି, ଚାଷୀ ତାତିବାରୁ ଗୋଦାମ ସିଲ କଲା ପ୍ରଶାସନ।

ସୁନ୍ଦରଗଡ ରାଜଗାଙ୍ଗପୁର ଅଞ୍ଚଳରେ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର। ମୃତକ ହେଲେ ନମିତା

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ମୁକୁଳସାହିରେ ଜଣେ ନବବଧୂଙ୍କର ସନ୍ଦେହଜନକ ମୃତ୍ୟୁ। ମୃତକ ହେଲେ ଜିନତ୍ ଫାତିମା। 

ଭଞ୍ଜନଗରରେ ଗଞ୍ଜେଇ ଗାଡ଼ି ସହ ଗୋଡାଉ ଥିବା ଅବକାରୀ ଟିମ୍ ଗାଡ଼ି ସହ ଧକ୍କା। ତିନି ଗିରଫ, ୮୫ କିଲୋ ଗଞ୍ଜେଇ ଜବତ

ଫୁଲବାଣୀରେ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ  ୪ ବର୍ଷ ଜେଲ।

ଭୁବନେଶ୍ୱର ପଟିଆ ଅଞ୍ଚଳରେ ଜଣେ ଯୁବକ ନିଜକୁ ସାମ୍ବାଦିକ ପରିଚୟ ଦେଇ ବଟି ଆଦାୟ କରୁଥିବା ଓ ହୋଟେଲରେ ମାଗଣା ଖାଉଥିବା ଅଭିଯୋଗ

ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳରେ ମହିଳାଙ୍କୁ ଇସକନ ମଠରେ ରଖି ଯୌନ ନିର୍ଯାତନା ଦେଉଥିଲେ ବୋଲି ବାବା ମଧୁ ଦାସଙ୍କ ନାମରେ ଅଭିଯୋଗ

ରାୟଗଡା ଜିଲ୍ଲା ଗୁଣପୁରରେ ବେଆଇନ ଘରୋଇ କ୍ଲିନିକ ଲକ୍ଷ୍ମଣ ଲାବଣ୍ୟ ମାତୃ ଚିକିତ୍ସାଳୟକୁ  ସିଲା କଲା ପ୍ରଶାସନ।

ଆଜି ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା, ଦେଶବାସୀଙ୍କ ସହ ବାଣ୍ଟିବେ ଅନୁଭୂତି

ଦିଲ୍ଲୀବାସୀଙ୍କୁ ଜାମ୍‌ରୁ ମୁକ୍ତି ମିଳିବ। ଉଦଘାଟନ ହେବ ଦ୍ବାରିକା ଏକ୍ସପ୍ରେସ୍ ଓ୍ବେର ଦିଲ୍ଲୀ ସେକ୍ସନ ଏବଂ ୟୁଇଆର ୨ 

ଆଜି ବିଜେପିର ବୈଠକ। କାହାକୁ ଉପ ରାଷ୍ଟ୍ରପତି କରିବେ, ସେନେଇ ନିଷ୍ପତ୍ତି ହେବ

ଭାରତ ମିଆଁମାର ସୀମାରେ ବାଡ଼ ନିର୍ମାଣ ବିରୋଧ କରୁଛନ୍ତି ନାଗା ସମୂହ। ଶାନ୍ତି ରକ୍ଷା ପାଇଁ ଅନୁରୋଧ କଲେ ମଣିପୁର ରାଜ୍ୟପାଳ

ଲାଗୁ ହେଲା ଫାଷ୍ଟାଗ୍ ବାର୍ଷିକ ପାସ୍। ପ୍ରଥମ ଦିନରେ ୧.୨୪ ଲକ୍ଷ ପାସ ବିକ୍ରି। ଦାମ ୩,୦୦୦ ଟଙ୍କା

ପାକିସ୍ତାନରେ ବାଦଲଫଟା ବର୍ଷାରେ ମୃତ୍ୟୁ ସଂଖ୍ୟା ୩୪୪। ଉଦ୍ଧାରକାର୍ଯ୍ୟରେ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୫ ମୃତ।

କାନାଡାରେ ଭାରତୀୟଙ୍କ ଅସୁବିଧା ବଢ଼ିଲା। ସ୍ଥାୟୀ ଏବଂ ଅସ୍ଥାୟୀ ବାସିନ୍ଦା ବର୍ଗରେ ଦ୍ରୁତ ଗତିରେ ଆବେଦନ ଖାରଜ ହେଉଛି

ଉପକୁଳ ସମାଚାର 
*ବନ୍ଦେ ଉତ୍କଳ ଜନନୀ*

Saturday, August 16, 2025

ଆଜିର ତାରିଖ ୧୬ ଅଗଷ୍ଟ ର ଏୈତିହାସିକ ଘଟଣାବଳୀ

ଆଜିର ତାରିଖ ୧୬ ଅଗଷ୍ଟ ୨୦୨୫

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ରଜନୀ କୋଠାରୀ (୧୬ ଅଗଷ୍ଟ ୧୯୨୮ – ୧୯ ଜାନୁଆରୀ ୨୦୧୫) ଭାରତର ଜଣେ ପ୍ରସିଦ୍ଧ ଶିକ୍ଷାବିତ୍, ଲେଖକ, ରାଜନୀତି ବିଶେଷଜ୍ଞ ଥିଲେ। ସେ ୧୯୬୩ ମସିହାରେ ‘CSDS’ ପ୍ରତିଷ୍ଠା କରିଥିଲେ। ଏହା ସାମାଜିକ ବିଜ୍ଞାନ ଏବଂ ମାନବିକତା ସହିତ ଜଡିତ ଦିଲ୍ଲୀ ସ୍ଥିତ ଏକ ଗବେଷଣା ପ୍ରତିଷ୍ଠାନ।

୨. କୋଟଲା ବିଜୟ ଭାସ୍କର ରେଡ୍ଡୀ (୧୬ ଅଗଷ୍ଟ ୧୯୨୦ – ୨୭ ସେପ୍ଟେମ୍ବର ୨୦୦୧) ଜଣେ ଭାରତୀୟ ଜାତୀୟ କଂଗ୍ରେସ ରାଜନେତା ଏବଂ ଆନ୍ଧ୍ର ପ୍ରଦେଶର ପୂର୍ବତନ ୯ମ ମୁଖ୍ୟମନ୍ତ୍ରୀ ଥିଲେ। ସେ ଦୁଇଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଚେତନ ପ୍ରତାପ ସିଂହ ଚୌହାନ (୨୧ ଜୁଲାଇ ୧୯୪୭ – ୧୬ ଅଗଷ୍ଟ ୨୦୨୦) ଜଣେ ଭାରତୀୟ କ୍ରିକେଟର ଥିଲେ। ସେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ସାଥୀ ଥିଲେ।

୨. ଅଟଳ ବିହାରୀ ବାଜପେୟୀ (୨୫ ଡିସେମ୍ବର ୧୯୨୪ – ୧୬ ଅଗଷ୍ଟ ୨୦୧୮) ଭାରତର ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ। ନରସିଂହ ରାଓଙ୍କ ପରେ, ୧୯୯୬ରେ, ଅଟଳ ବିହାରୀ ବାଜପେୟୀ ମାତ୍ର ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ପରେ, ୧୯୯୮ରେ ଅନୁଷ୍ଠିତ ନିର୍ବାଚନ ମାଧ୍ୟମରେ, ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇଥିଲେ।

୩. ଗୁରଦିଆଲ ସିଂହ (୧୦ ଜାନୁଆରୀ ୧୯୩୩ – ୧୬ ଅଗଷ୍ଟ ୨୦୧୬) ଜଣେ ପ୍ରସିଦ୍ଧ ପଞ୍ଜାବୀ ସାହିତ୍ୟିକ ଥିଲେ। ତାଙ୍କୁ ୧୯୯୯ ମସିହାରେ ‘ଜ୍ଞାନପୀଠ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଅମ୍ରିତା ପ୍ରୀତମଙ୍କ ପରେ ଗୁରଦିଆଲ ସିଂହ ଦ୍ୱିତୀୟ ପଞ୍ଜାବୀ ସାହିତ୍ୟିକ ଥିଲେ, ଯାହାକୁ ‘ଜ୍ଞାନପୀଠ ପୁରସ୍କାର’ ଦିଆଯାଇଥିଲା।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:

୧୮୧୯ – ପିଟରଲୁ ହତ୍ୟାକାଣ୍ଡ: ଇଂଲଣ୍ଡର ମାଞ୍ଚେଷ୍ଟରରେ, ଶାନ୍ତିପୂର୍ଣ୍ଣ ଭାବେ ସାଂସଦୀୟ ସଂସ୍କାର ପାଇଁ ଆନ୍ଦୋଳନ କରୁଥିବା ଜନତାଙ୍କ ଉପରେ ସୈନ୍ୟମାନେ ଆକ୍ରମଣ କରିଥିଲେ। ଏହି ଘଟଣାରେ ୧୫ ଜଣ ମୃତ୍ୟୁବରଣ କରିଥିଲେ ଏବଂ ଶହ ଶହ ଲୋକ ଆହତ ହୋଇଥିଲେ। ଏହା ବ୍ରିଟିଶ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଗଣାଯାଏ।

୧୮୫୮ – ପ୍ରଥମ ଟ୍ରାନ୍ସଆଟଲାଣ୍ଟିକ ଟେଲିଗ୍ରାଫ ସନ୍ଦେଶ: ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି ଜେମ୍ସ ବୁଚାନାନ ଏବଂ ବ୍ରିଟେନର ରାଣୀ ଭିକ୍ଟୋରିଆ ମଧ୍ୟରେ ପ୍ରଥମ ଟ୍ରାନ୍ସଆଟଲାଣ୍ଟିକ କେବୁଲ ମାଧ୍ୟମରେ ସନ୍ଦେଶ ଆଦାନପ୍ରଦାନ ହୋଇଥିଲା। ଏହା ଯୋଗାଯୋଗ ଇତିହାସରେ ଏକ ମାଇଲଖୁଣ୍ଟ ଥିଲା।

୧୯୪୬ – ଡାଇରେକ୍ଟ ଆକ୍ସନ ଡେ (Direct Action Day): ଭାରତର ଅବିଭକ୍ତ ବଙ୍ଗଳାରେ, ମୁସଲିମ ଲିଗର ନେତୃତ୍ୱରେ ପାକିସ୍ତାନ ଗଠନ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ଦିନ କଲିକତାରେ ହିନ୍ଦୁ-ମୁସଲମାନ ମଧ୍ୟରେ ହିଂସା ହୋଇଥିଲା, ଯାହା ଫଳରେ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହା ଭାରତୀୟ ଇତିହାସରେ ଏକ ଦୁଃଖଦ ଘଟଣା ଭାବେ ଚିହ୍ନିତ।

୧୯୬୦ – ସାଇପ୍ରସର ସ୍ୱାଧୀନତା: ସାଇପ୍ରସ ବ୍ରିଟିଶ ଶାସନରୁ ସ୍ୱାଧୀନତା ପ୍ରାପ୍ତ କରି ଏକ ସ୍ୱାଧୀନ ରାଷ୍ଟ୍ର ହୋଇଥିଲା।

ଭାରତୀୟଙ୍କ ଚୀର ସ୍ମୃତିରେ ଅମର ଅଟଳ

ଭାରତୀୟଙ୍କ ଚୀର ସ୍ମୃତିରେ ଅମର ଅଟଳ

ଆଧୁନିକ ଭାରତର କର୍ଣ୍ଣଧାର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ

ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ (୧୯୨୪-୨୦୧୮) ଜଣେ ପ୍ରଖ୍ୟାତ ଭାରତୀୟ ରାଜନେତା, କବି ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଥିଲେ। ସେ ୧୯୯୬, ୧୯୯୮-୧୯୯୯ ଓ ୧୯୯୯-୨୦୦୪ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ପ୍ରମୁଖ ନେତା ଭାବେ, ସେ ଦେଶର ରାଜନୈତିକ ଓ ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଥିଲେ ରାଜନୀତିର ଅଜାତଶତ୍ରୁ। ଆଧୁନିକ ଭାରତର କର୍ଣ୍ଣଧାର।

ତାଙ୍କ ନେତୃତ୍ୱରେ ଭାରତ ୧୯୯୮ରେ ପୋଖରାନରେ ପରମାଣୁ ପରୀକ୍ଷା କରି ବିଶ୍ୱ ମଞ୍ଚରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲା। ତାଙ୍କର ବୈଦେଶିକ ନୀତି, ବିଶେଷକରି ପାକିସ୍ତାନ ଓ ଅନ୍ୟ ଦେଶ ସହିତ ସମ୍ପର୍କ ସୁଧାରିବା ପାଇଁ ତାଙ୍କର ପ୍ରୟାସ, ଯେପରି ଲାହୋର ବସ୍‌ ଯାତ୍ରା, ଅତ୍ୟନ୍ତ ପ୍ରଶଂସିତ ହୋଇଥିଲା। ସେ ସ୍ୱର୍ଣିମ ଚତୁର୍ଭୁଜ ଯୋଜନା ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଭଳି ଅନେକ ବିକାଶମୂଳକ ପ୍ରକଳ୍ପର ଆରମ୍ଭ କରିଥିଲେ।

ଜଣେ କୁଶଳୀ ବକ୍ତା ଓ କବି ଭାବେ ମଧ୍ୟ ସେ ଜଣାଶୁଣା ଥିଲେ। ତାଙ୍କ କବିତା ଓ ଭାଷଣ ଜନମାନସରେ ଗଭୀର ପ୍ରଭାବ ପକାଇଥିଲା। ୨୦୧୫ରେ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା। ତାଙ୍କର ସରଳତା, ନୀତିନିଷ୍ଠା ଓ ଦେଶପ୍ରେମ ତାଙ୍କୁ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ କରିଛି। ୨୦୧୮ ମସିହା ଅଗଷ୍ଟ ୧୬ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ, କିନ୍ତୁ ତାଙ୍କର ଅବଦାନ ଓ ଆଦର୍ଶ ଆଜି ମଧ୍ୟ ଭାରତୀୟଙ୍କୁ ପ୍ରେରଣା ଦେଉଛି।

ଆଜି ଅଟଳ ବିହାରୀ ବାଜପେୟୀଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଶିଷ୍ଟ ନେତା।

ଜନ୍ମାଷ୍ଟମୀ

ଜନ୍ମାଷ୍ଟମୀ
ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ଜନ୍ମାଷ୍ଟମୀର ଅନ୍ୟ ନାମ ଗୁଡ଼ିକ ହେଲା - କୃଷ୍ଣାଷ୍ଟମୀ, ଗୋକୁଳାଷ୍ଟମୀ, ଅଷ୍ଟମୀ ରୋହିଣୀ, ଶ୍ରୀକୃଷ୍ଣ ଜୟନ୍ତୀ ଓ ଶ୍ରୀ ଜୟନ୍ତୀ । ଦ୍ଵାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହୋଇଥିଲା । ତାଙ୍କର ଲୀଳା ଅବଧି ଥିଲା ୧୨୫ ବର୍ଷ ୭ ମାସ । 

ପୌରାଣିକ ପୃଷ୍ଠଭୂମି : କଂସ ଦ୍ୱାପରଯୁଗର ରାଜା ଉଗ୍ରସେନଙ୍କ ପୁତ୍ର ଥିଲେ । ସେ ତାଙ୍କ ପିତାଙ୍କୁ ବନ୍ଦୀ କରି ରଖିଥିଲେ । ଏହି ସମୟରେ ତାଙ୍କ ଭଉଣୀ ଦେବକୀ ଯାଦବ ବଂଶର ବସୁଦେବଙ୍କୁ ବିବାହ କରିଥିଲେ । ଦେବକୀଙ୍କର ଯେତେ ସନ୍ତାନ ହେଉଥିଲେ, କଂସ ତାକୁ ଟେକି ନେଇ କଚାଡ଼ି ମାରି ଦେଉଥିଲେ । ମାତ୍ର ଦେବକୀଙ୍କୁ ଭବିଷ୍ୟବାଣୀ ହୋଇଥିଲା ଯେ, ଅଷ୍ଟମ ସନ୍ତାନ ଦ୍ୱାରା କଂସଙ୍କ ନିଧନ ହେବ । କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମଲାଭ କରିଥିଲେ । ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ସ୍ୱରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ । ବନ୍ଦୀଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ । ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ । ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଅନ୍ୟ ଦେବଗଣଙ୍କ ଅନୁରୋଧ କ୍ରମେ ସେ ଭୂମିଷ୍ଠ ହୋଇଛନ୍ତି । ଗୋପରେ ନନ୍ଦରାଜାଙ୍କ ଘରେ ସେ ବାଲ୍ୟ ଲୀଳା କରିବେ । 
ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀକନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ରଖିଦେବା ସକାଶେ ପିତାଙ୍କୁ କହିଲେ । ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦୀଶାଳା ଦିବ୍ୟ ଆଲୋକରେ ଆଲୋକିତ ହେଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦୀଶାଳାର ଦ୍ୱାର ମଧ୍ୟ ଆପେ ଆପେ ଖୋଲିଗଲା । ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ନବଜାତ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କି ଚାଲିଲେ । ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ ।
ଶ୍ରୀକୃଷ୍ଣଙ୍କ ଭିନ୍ନ ଭିନ୍ନ ଭୂମିକା : ମାନବ ଜାତିର ଉନ୍ନତି କଳ୍ପେ ଭଗବାନ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇ ଲୀଳା କରିଥିଲେ । ମହାଭାରତ ଯୁଦ୍ଧକୁ ଏଡ଼ାଇବା ପାଇଁ ଶାନ୍ତିର ବାର୍ତ୍ତା ନେଇ ଦୁର୍ଯ୍ୟୋଧନଙ୍କ ନିକଟକୁ ଗମନ କରିଥିଲେ । ଏଠାରେ ପଂରବ୍ରହ୍ମ ଶ୍ରୀକୃଷ୍ଣ ଶାନ୍ତିଦୂତର ଭୂମିକା ନିର୍ବାହ କରିଥିଲେ । ମହାଭାରତ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ରଥର ସାରଥୀ ହୋଇ ରଥକୁ ସୁଚାରୁ ରୂପେ ଚାଳନା କରିଥିଲେ । ଯୁଦ୍ଧର ପ୍ରାରମ୍ଭରେ ନିଜର ଜ୍ଞାତି କୁଟୁମ୍ବମାନଙ୍କୁ ଅବଲୋକନ କରି ଅର୍ଜୁନଙ୍କ ମନରେ ବିଷାଦ ଆସିଥିଲା ଓ ଯୁଦ୍ଧ କରିବା ପାଇଁ ସେ ଶ୍ରୀକୃଷ୍ଣଙ୍କୁ ମନା କରିଦେଇଥିଲେ । ଏଠାରେ ଭଗବାନ ଗୁରୁ ରୂପରେ ଅବତୀର୍ଣ୍ଣ ହେଇ ଅର୍ଜୁନଙ୍କୁ ଗୀତାଜ୍ଞାନ ପ୍ରଦାନ ପୂର୍ବକ ଧର୍ମସ୍ଥାପନ ପାଇଁ ଯୁଦ୍ଧ କରିବା ଲାଗି ତାଙ୍କୁ ପ୍ରବର୍ତ୍ତାଇଥିଲେ। କୂଟନୀତି ପ୍ରୟୋଗ କରି ପାଣ୍ଡବମାନଙ୍କୁ ଯୁଦ୍ଧରେ ଜିତାଇଥିଲେ । ଏଠାରେ ସେ ବିଚକ୍ଷଣ କୂଟନୀତିଜ୍ଞର ଭୂମିକା ନିର୍ବାହ  କରିଥିଲେ । ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ନିମିତ୍ତ ମାତ୍ର କରି ମାନବ ସମାଜକୁ ଯେଉଁ ସାଂଖ୍ୟଯୋଗ, କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ଶିକ୍ଷାପ୍ରଦାନ କରିଛନ୍ତି, ତାହାକୁ ପାଥେୟ କରି ବିଷୟାସକ୍ତ ଅଜ୍ଞାନ ଜୀବ ନିଜର ସାଧାରଣ ଜୀବନରେ ବାସ୍ତବ ସମସ୍ୟାକୁ ଉପଲବ୍ଧି କରି ନିଜକୁ ଉଦ୍ଧାର କରୁଛି । 

ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ : କାଳିଆ ସାଆନ୍ତ ବଡ଼ ବିଚିତ୍ର ଦିଅଁ, ଆଉ ବହୁତ ଲୀଳାମୟ ମଧ୍ୟ । ପବିତ୍ର ଜନ୍ମାଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ତେବେ ଶ୍ରୀଜଗନ୍ନାଥ ମନ୍ଦିରରେ ଏହି ନୀତିର କେତେକ ସ୍ୱତନ୍ତ୍ରତା ଦେଖାଯାଏ । ଜନ୍ମାଷ୍ଟମୀର ପୂର୍ବଦିନ ସଂଧ୍ୟାଧୂପ ଓ ପ୍ରସାଦଲାଗି ପରେ, ତିନିଠାକୁରଙ୍କୁ ବନ୍ଦାପନା କରାଯାଏ । ଏହି ସମୟରେ ଶ୍ରୀଜଗନ୍ନାଥଙ୍କୁ ଗୋଟିଏ ଅଧିକ ବନ୍ଦାପନା କରାଯାଏ । ଶ୍ରୀମନ୍ଦିର ପରିଭାଷାରେ ଏହା ହେଉଛି ‘ଗର୍ଭୋଦକ ବନ୍ଦାପନା’। ଏହା ପୂର୍ବରୁ ‘ଜେଉଟ’ (ଜେଉଡ଼) ଭୋଗ ନାମରେ ଏକ ସ୍ୱତନ୍ତ୍ର ଭୋଗ ମଧ୍ୟ ତାଙ୍କୁ ଲାଗି କରାଯାଇଥାଏ । ସ୍ୱୟଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାତା ଦେବକୀ ରୂପରେ ସପ୍ତମୀର ବିଳମ୍ବିତ ରାତ୍ରରେ ଶ୍ରୀକୃଷ୍ଣଙ୍କୁ ଗର୍ଭରେ ଧାରଣ କରିବେ । ତେଣୁ ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ମହାପ୍ରଭୁଙ୍କୁ ଜେଉଟ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଏ । ଅଷ୍ଟମୀ ତିଥିରେ ମହାପ୍ରଭୁ ଜଗନ୍ନାଥ ନିଜେ ପୁତ୍ର ହୋଇ ଜନ୍ମ ନିଅନ୍ତି । ଏହାର ଅର୍ଥ ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ମାତା ଦେବକୀ ରୂପେ ଭୋଗ ଓ ବନ୍ଦାପନା ପାଆନ୍ତି ଏବଂ ପରଦିନ ସେ ଶ୍ରୀକୃଷ୍ଣ ରୂପେ ନିଜକୁ ଜନ୍ମ ଦିଅନ୍ତି । ଏହାର ତାତ୍ତ୍ୱିକତା ହେଉଛି- ସେ ମାତା, ସେ ପିତା ଏବଂ ସେ ମଧ୍ୟ ପୁତ୍ର ! ଏହି ନୀତିର ଅନ୍ୟ ଏକ ତାତ୍ପର୍ଯ୍ୟ ହେଉଛି - ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ବା ପ୍ରତିନିଧି ଶ୍ରୀମଦନମୋହନ ମଧ୍ୟ ଏଥିରେ ଭାଗ ନେଇଥାଆନ୍ତି । ସେ ହିଁ କୃଷ୍ଣ ରୂପେ ଜନ୍ମ ନିଅନ୍ତି । ସେଥିପାଇଁ, ଶିଶୁଟିଏ ଜନ୍ମବେଳେ ନଗ୍ନ ଥିବା ପରି, ତାଙ୍କର ବସ୍ତ୍ରହୀନ ପ୍ରତିମା ହିଁ ଏହି ଭୂମିକା ନିର୍ବାହ କରିଥାଆନ୍ତି । ଏଥିପାଇଁ ଶ୍ରୀମଦନମୋହନଙ୍କୁ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ଦିଆଯାଇଥାଏ । 

ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପୂଜା ଶେଷ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ ହୁଏ । ପରେ ପୂଜାପଣ୍ଡାଙ୍କ ଦ୍ୱାରା ପଞ୍ଚମୁରୁଜର ମଣ୍ଡଳ କଟାଯାଇ ଜନ୍ମନୀତି ଆରମ୍ଭ କରାଯାଏ । ରୂପା ପଦ୍ମ ପାଖୁଡାରେ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ପ୍ରତିମା ରଖାଯାଇ ପଞ୍ଚ ଉପଚାରରେ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ପରେ ଦକ୍ଷିଣୀ ଘରୁ ମଦନମୋହନଙ୍କୁ ରତ୍ନସିଂହାସରେ ବିଜେ କରାଯାଏ । ସେଠାରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇଁ ମଦନ ମୋହନ ଜନ୍ମଚକଡାରେ ବିଜେ କରନ୍ତି । ଦୁଇଜଣ ସେବାୟତ ଦେବକୀ ଓ ବସୁଦେବଙ୍କ ରୂପରେ ଶ୍ରୀକୃଷ୍ଣଙ୍କୁ କଣ୍ଡୁସି ଭୋଗ କରିଥାଆନ୍ତି । ଏହି ସମୟରେ ଶ୍ରୀମନ୍ଦିରକୁ ଅନ୍ଧକାର କରାଯାଇଥାଏ । ସେଠାରୁ ଶ୍ରୀକୃଷ୍ଣଙ୍କୁ ଝୁଲଣ ମଣ୍ଡପ ଦେଇ ସରସ୍ୱତୀ ମନ୍ଦିର ନିକଟକୁ ନିଆଯାଏ । ବିଭିନ୍ନ ନୀତିକାନ୍ତି ସହ ଶ୍ରୀକୃଷ୍ଣଙ୍କୁ ରୂପା ଶାମୁକାରେ କ୍ଷୀର ପାନ ସହ ନାଭି ଛେଦନ ନୀତି କରାଯାଇଥାଏ । ଏହି  ସମୟରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହେ । 

କୁହାଯାଏ, ଏହି ଦିନ ନିଷ୍ଠାର ସହିତ ଉପବାସ କଲେ ମନରେ ଥିବା ଦ୍ଵନ୍ଦ ଦୂର ହେବା ସଙ୍ଗେ ସଙ୍ଗେ ମନୋବାଞ୍ଛା ପୂରଣ ହୋଇଥାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଜନ୍ମାଷ୍ଟମୀ ଦିନ ବାଳ ଗୋପାଳଙ୍କୁ ପୂଜା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଜଣେ ବ୍ରତଧାରୀ କୃଷ୍ଣଙ୍କୁ ଝୁଲଣରେ ଝୁଲାଇଥାନ୍ତି, ତେବେ ତାଙ୍କର ସବୁ ମାନସିକ ପୂରଣ ହୋଇଥାଏ ।

ଓଡ଼ିଶାରେ ଜନ୍ମାଷ୍ଟମୀ ପାଳନ : ଓଡ଼ିଶାରେ ବୈଷ୍ଣବ ମତବାଦର ବହୁଳ ପ୍ରଭାବ ରହିଥିବାରୁ ଏହି ପର୍ବ ଓଡ଼ିଆ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥାଏ । ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ମହା ସମାରୋହରେ ପାଳନ କରାଯାଏ । ଏହିଦିନ ଲୋକେ ଉପବାସ ରଖିଥାଆନ୍ତି, ଓ ରାତ୍ରି ୧୨ ଘଟିକାରେ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାଆନ୍ତି । ଏହିଦିନ ଗାଁର ଭାଗବତ ଟୁଙ୍ଗୀମାନଙ୍କରେ ଅଥବା କାହାରି ଘର ବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ । ଜନ୍ମାଷ୍ଟମୀ ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ । ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇବାପାଇଁ ଏହି ଦିନ ଲୋକେ ଗାୟନ କୀର୍ତ୍ତନ କରିଥାଆନ୍ତି ଓ ନିଜର ଉପବାସ ଭାଙ୍ଗି ବଡ଼ି ସକାଳୁ ମିଷ୍ଟାନ୍ନ ଆଦାନ ପ୍ରଦାନ ଓ ସେବନ କରିଥାଆନ୍ତି ।

ଓଡ଼ିଶା ବାହାରେ ଜନ୍ମାଷ୍ଟମୀ ପାଳନ: ଉତ୍ତର ପ୍ରଦେଶର ମଥୁରାରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିବାରୁ ଏଠାରେ ଏହି ଉତ୍ସବ ବିଶେଷ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥାଏ । କୃଷ୍ଣଙ୍କର କ୍ରୀଡ଼ାଭୂମୀ ଗୋକୁଳ ଓ ବୃନ୍ଦାବନରେ ଅସଂଖ୍ୟ ଜନଗହଳି ହୋଇଥାଏ ଓ ଏହି ଉତ୍ସବ ପ୍ରାୟ ସାତ ଦିନ ବ୍ୟାପୀ ପାଳିତ ହୋଇଥାଏ । ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରିକାଧିଶ ମନ୍ଦିରରେ ମଧ୍ୟ ଏହି ଉତ୍ସବ ବହୁତ ଆଡ଼ମ୍ବର ସହକାରେ ପାଳିତ ହୋଇଥାଏ । ଏହା ଛଡ଼ା ପଶ୍ଚିମ ବଙ୍ଗରେ ଶ୍ରୀଚୈତନ୍ୟ ଓ ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମସ୍ଥାନ ନବଦ୍ୱୀପରେ ମଧ୍ୟ ଜନ୍ମାଷ୍ଟମୀ ହର୍ଷୋଲ୍ଲାସରେ ପାଳିତ ହୋଇଥାଏ । ଲୋକେ ଉପବାସ ରଖି ଶ୍ରୀକୃଷ୍ଣଙ୍କ ଜନ୍ମ ଓ ଲୀଳା ବର୍ଣ୍ଣନାରେ ସମୃଦ୍ଧ ଶ୍ରୀମଦ୍ଭାଗବତର ଦଶମ ସ୍କନ୍ଧ ପଢ଼ିଥାଆନ୍ତି । ଜାମ୍ମୁଠାରେ ଏହି ଦିନ ଗୁଡ଼ି ଉଡ଼ାଇବାର ପ୍ରଥା ରହିଛି । 
ଜନ୍ମାଷ୍ଟମୀକୁ ମୁମ୍ବାଇ ଏବଂ ପୁନାରେ ଲୋକେ “ଦହି ହାଣ୍ଡି” ନାମରେ ବେଶି ଜାଣିଥାଆନ୍ତି । ଗୋଟିଏ ମାଟିହାଣ୍ଡିରେ ଘୋଳଦହି ଭର୍ତ୍ତି କରି ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ଏହାକୁ ଓହଳାଇ ଦିଆଯାଏ । ଏହା ପରେ ଯୁବକ ସମୂହ ଜଣକ ଉପରେ ଜଣେ ଠିଆ ହୋଇ ଏକ ମିନାର୍ ଗଠନ କରନ୍ତି ଓ ସବା ଉପରେ ଥିବା ଯୁବକ ଜଣକ ଏକ ଶକ୍ତ ଜିନିଷରେ ହାଣ୍ଡିକୁ ବାଡ଼େଇ ଭାଙ୍ଗିଥାଏ । ଏଥିପାଇଁ ଅନେକ ନଡ଼ିଆ ବ୍ୟବହାର କରିବାକୁ ପସନ୍ଦ କରିଥାଆନ୍ତି, କାରଣ ନଡ଼ିଆକୁ ହିନ୍ଦୁ ଧର୍ମରେ ଶୁଭ ବୋଲି ଧରାଯାଏ । ହାଣ୍ଡି ଭାଙ୍ଗିଗଲା ପରେ ସେଥିରେ ଥିବା ଦହି ସମସ୍ତଙ୍କ ଉପରେ ବହିଯାଏ । ଏହାକୁ ସାମୂହିକ ପ୍ରଚେଷ୍ଚା ବା ଏକତାର ସଫଳତା ବୋଲି ପ୍ରତୀକାତ୍ମକ ରୂପେ ବିବେଚନା କରାଯାଏ । ଏହି ଯୁବକମାନଙ୍କୁ “ଗୋବିନ୍ଦ ପାଠକ” କୁହାଯାଏ । ଏମାନେ ସହର ସାରା ବୁଲି ବୁଲି ଅଧିକରୁ ଅଧିକ ହାଣ୍ଡି ଭାଙ୍ଗିବାକୁ ଚେଷ୍ଟା କରିଥାଆନ୍ତି । କାରଣ ହାଣ୍ଡିଭାଙ୍ଗିଲେ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ମିଳିଥାଏ ।

ବୃନ୍ଦାବନରେ ଶ୍ରୀକୃଷ୍ଣ ସବୁଠୁ ଦୁଷ୍ଟ ଥିଲେ । ତାଙ୍କ ଦୁଷ୍ଟାମୀ ପାଇଁ ସେ ପ୍ରତି ଘରେ ପରିଚିତ ଥିଲେ । କ୍ଷୀର, ଦହି, ଲହୁଣୀ କୃଷ୍ଣଙ୍କର ଭାରି ପ୍ରିୟ ଥିଲା । ସେଥିପାଇଁ ସେ ସମସ୍ତଙ୍କ ଘରୁ ଏସବୁ ଚୋରି କରୁଥିଲେ । କୃଷ୍ଣଙ୍କଠାରୁ ଏହି ଦହି, ଲହୁଣୀକୁ ବଞ୍ଚେଇବା ପାଇଁ ବୃନ୍ଦାବନର ମହିଳାମାନେ ଦହି ହାଣ୍ଡିକୁ ଉପରେ ବାନ୍ଧିବାକୁ ଚେଷ୍ଟା କଲେ, ଯଦ୍ୱାରା କୃଷ୍ଣ ହାଣ୍ଡି ପର୍ଯ୍ୟନ୍ତ ପହଞ୍ଚି ପାରିବେନି । ହେଲେ କୃଷ୍ଣ ତାଙ୍କ ସାଙ୍ଗମାନଙ୍କୁ ଏକାଠି କରି ତାଙ୍କ କାନ୍ଧ ଉପରେ ଚଢ଼ି ଦହି ହାଣ୍ଡି ନିକଟରେ ପହଞ୍ଚି ଯାଉଥିଲେ । ଦହି ହାଣ୍ଡି ଭାଙ୍ଗି ନିଜେ ଦହି ଖାଇବା ସହ ସାଙ୍ଗମାନଙ୍କୁ ବାଣ୍ଟି ଦେଉଥିଲେ । କୃଷ୍ଣଙ୍କର ସେହି ଦୁଷ୍ଟାମୀକୁ ମନେ ପକାଇବା ପାଇଁ ଜନ୍ମାଷ୍ଟମୀରେ ଏହି ପରମ୍ପରା ଅନୁଷ୍ଠିତ ହୋଇଥାଏ ।

ମଣିପୁରରେ ଜନ୍ମାଷ୍ଟମୀ “କୃଷ୍ଣଜନ୍ମ” ନାମରେ ଲୋକପ୍ରିୟ । ଏହା ରାଜ୍ୟର ରାଜଧାନୀ ଇମ୍ଫାଲର ଦୁଇଟି ମୁଖ୍ୟ ମନ୍ଦିର ଯଥାକ୍ରମେ ଗୋବିନ୍ଦଜୀ ମନ୍ଦିର ଓ ଇସ୍କନ (ଆନ୍ତର୍ଜାତୀୟ କୃଷ୍ଣଚେତନା ସମାଜ) ମନ୍ଦିରରେ ପାଳିତ ଏକ ପ୍ରଧାନ ଉତ୍ସବ । କର୍ଣ୍ଣାଟକରେ ମାଧବା, ଆୟେଙ୍ଗାର, ଶ୍ରୀବୈଷ୍ଣବ ଗୋଷ୍ଠୀ ଏହି ଉତ୍ସବକୁ ବହୁ ଆଡ଼ମ୍ବର ସହକାରେ ପାଳନ କରିଥାଆନ୍ତି । ଶ୍ରକୃଷ୍ଣଙ୍କ ପ୍ରତିମାକୁ ଏକ ସୁସଜ୍ଜିତ ମଣ୍ଡପରେ ସ୍ଥାପନା କରି ତାଙ୍କୁ ‘ଭକ୍ଷଣମ୍’ ନାମକ ସ୍ୱତନ୍ତ୍ର ରୂପେ ପ୍ରସ୍ତୁତ ପ୍ରସାଦ ଅନ୍ୟାନ୍ୟ ଫଳମୂଳ ସହିତ ଅର୍ପଣ କରାଯାଏ । ବିଦେଶରେ କୃଷ୍ଣ ଜନ୍ମାଷ୍ଟମୀ ପାଳନ କରିବା ଉଦ୍ଦେଶ୍ୟରେ ଅରିଜୋନା ନିଜ ଦେଶରେ ଏହାକୁ ଛୁଟି ଦିବସ ରୂପେ ଘୋଷଣା କରିଛି ।

COASTAL NEWS

ସମାଚାର

ନମସ୍କାର!  ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣଙ୍କ ପ୍ରିୟ ନ୍ୟୁଜ ଚ୍ୟାନେଲ କୋଷ୍ଟାଲ ନ୍ୟୁଜ ଓଡ଼ିଆକୁ। ମୁଁ ଆପଣଙ୍କ ସହିତ ଅଛି ଶେଖର ଦାସ ।  ଆଜି ଆମେ ଆପଣଙ...