AFFILIATE MARKETING

https://binomo.com?a=90810425bb57&t=0

Saturday, August 2, 2025

ଫସଲର ବିବିଧିକରଣ କରି ସରକାରଙ୍କ ଯୋଜନାର ସୁବିଧା ନେବାକୁ ଚାଷୀ ଭାଇ ଭଉଣୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ସମୃଦ୍ଧ ଓଡ଼ିଶା ତଥା ବିକଶିତ ଭାରତ ଗଠନରେ ଚାଷୀ ଭାଇ ଭଉଣୀ ମାନଙ୍କ ଯୋଗଦାନ ଅଦ୍ଵିତୀୟ ରହିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨/୮: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ ପି.ଏମ୍ କିଷାନ ସହାୟତା ରାଶିର ୨୦ତମ କିସ୍ତି ପ୍ରଦାନ କରିଛନ୍ତି।

ସୂଚନା ଯୋଗ୍ୟଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣାସୀ ଠାରେ ଉପସ୍ଥିତ ରହି, ପି.ଏମ୍ କିଷାନର କିସ୍ତି ବାବଦରେ ସାରା ଦେଶର ୯.୭ କୋଟି ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ହିସାବରେ ସମୁଦାୟ ୨୦ ହଜାର ୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ଇତ୍ୟାବସରରେ, ଭୁବନେଶ୍ୱର ଉପକଣ୍ଠ ସ୍ଥିତ ଆଇ.ସି.ଏ.ଆର୍-ସିଫା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରାୟ ୩୪ ଲକ୍ଷ ୮୫ ହଜାରରୁ ଉର୍ଦ୍ଧ୍ୱ କୃଷକଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ୨,୦୦୦ ଟଙ୍କା ଲେଖାଏଁ ମୋଟ ୬୯୭ କୋଟି ଟଙ୍କା ପ୍ରଦାନ କରା ଯାଇଛି।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ

ଆମ ସରକାର ହେଉଛି ଲୋକଙ୍କ ସରକାର ଏବଂ ଚାଷୀ ଭାଇ ଭଉଣୀଙ୍କ ସରକାର । ଆମ ସରକାର ମାତ୍ର ବର୍ଷକ ମଧ୍ୟରେ ଆପଣମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଆପଣମାନେ ଏହାର ସୁଫଳ ମଧ୍ୟ ପାଉଛନ୍ତି । ସି.ଏମ୍‍ କିଷାନରେ ଆମ ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀ ବର୍ଷକୁ ୪୦୦୦ ଟଙ୍କା ଲେଖାଏଁ ସହାୟତା ପାଉଛନ୍ତି। ପି.ଏମ୍‍ କିଷାନ ଓ ସି.ଏମ୍‍ କିଷାନକୁ ମିଶାଇ ଚାଷୀଭାଇମାନେ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପାଉଛନ୍ତି ଏହା ଆମ ପାଇଁ ଖୁସିର କଥା।

ପି.ଏମ କିଷାନ ଯୋଜନାର ୨୦ତମ କିସ୍ତି ଚଳିତ ବର୍ଷ ଅପ୍ରେଲରୁ ଜୁଲାଇ ଅବଧି ପାଇଁ ପ୍ରଦାନ କରାଯାଉଛି।  ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଉଛି । ଏହି ପ୍ରକ୍ରିୟାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହେଉଥିବାରୁ ସ୍ୱଚ୍ଛତା ବଜାୟ ରହୁଛି । ଏଥିରେ ସମସ୍ତ ଚାଷୀ- ସେ କ୍ଷୁଦ୍ରଚାଷୀ ହୁଅନ୍ତୁ, ବା ମଧ୍ୟମ କିମ୍ୱା ବଡ଼ ଚାଷୀ, ସମସ୍ତଙ୍କୁ ଏହାର ସୁଫଳ ମିଳୁଛି। ସହରାଞ୍ଚଳର ଚାଷୀମାନେ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି।ଆଜିର ଏହି ଦିନକୁ ଆମେ “ପି.ଏମ – କିଷାନଦିବସ” ଭାବରେ ସାରା ଦେଶ ତଥା ରାଜ୍ୟରେ ପାଳନ କରୁଛୁ ।  ଏଥି  ସହିତ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ଓ ପଞ୍ଚାୟତରେ ମଧ୍ୟ “ପି.ଏମ- କିଷାନ ଦିବସ” ପାଳନ କରାଯାଉଛି । ଏହି ଅବସରରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ କୃଷକମାନଙ୍କ ମଧ୍ୟରେ ଆବଶ୍ୟକୀୟ ଯୋଗ୍ୟତା ସମ୍ପର୍କରେ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ପୁଣି କହିଥିଲେ ଯେ ପି.ଏମ୍ କିଷାନ ଯୋଜନାରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ମୋର ଲକ୍ଷ୍ୟ । ରାଜ୍ୟର ସମସ୍ତ ବ୍ଲକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବା Saturation Drive କରାଯାଇଛି । କୌଣସି ଯୋଗ୍ୟ ଚାଷୀ ଏହି ଯୋଜନାରୁ ବଞ୍ଚିତ ନ ହୁଅନ୍ତୁ । ଆପଣମାନେ ଏବେ ଖରିଫ୍‌ ଫସଲ ଆରମ୍ଭ କରିଛନ୍ତି। ମାନନୀୟ ପ୍ରଧାନମନ୍ତ୍ରୀ ଆପଣମାନଙ୍କ ପାଇଁ କରିଥିବା ଅନେକ ଯୋଜନାରୁ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା, ଯେଉଁଥିରେ ଆପଣମାନେ ସିଧାସଳଖ ଅର୍ଥରାଶି ପାଉଛନ୍ତି। ନିୟମିତ କୃଷି କାର୍ଯ୍ୟ ସହିତ ଆପଣ ମାନେ ଫସଲରେ ବିବିଧିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରନ୍ତୁ। ମତ୍ସ୍ୟ ଚାଷ, ପଶୁପାଳନ ଭଳି ଲାଭ ଦାୟକ କୃଷି କରନ୍ତୁ। ଏହାଦ୍ୱାରା ଅଧିକ ଅମଳ କରିପାରିବେ ଓ ଆର୍ଥିକ ସ୍ତରରେ ଲାଭବାନ ମଧ୍ୟ ହୋଇପାରିବେ। ଚାଷ କ୍ଷେତ୍ରରେ ଆପଣମାନଙ୍କ ରୋଜଗାର ଦୁଇଗୁଣିତ ନୁହେଁ ବରଂ ବହୁ ଗୁଣିତ ବୃଦ୍ଧି ହେବ। ଏହି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଲକ୍ଷ୍ୟ ଅଛି, ତାହା ପୂରଣ ହେବ ।

ସେ ଆହୁରି କହିଥିଲେଯେ ସି.ଏମ୍‍ କିଷାନରେ ଆମ ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀ ବର୍ଷକୁ ୪୦୦୦ ଟଙ୍କା ଲେଖାଏଁ ସହାୟତା ପାଉଛନ୍ତି। ପି.ଏମ୍‍ କିଷାନ ଓ ସି.ଏମ୍‍ କିଷାନକୁ ମିଶାଇ ଚାଷୀଭାଇମାନେ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପାଉଛନ୍ତି । ସମୃଦ୍ଧ କୃଷକ ଯୋଜନାରେ ଆପଣମାନଙ୍କୁ ଆମେ ଧାନ କ୍ୱିଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ଇନପୁଟ୍ ସହାୟତା ପ୍ରଦାନ କରୁଛୁ । ଗତ ବର୍ଷ ଖରିଫରେ ପ୍ରାୟ ୧୭ ଲକ୍ଷ ଚାଷୀଙ୍କୁ ଆମେ ପାଖାପାଖି ୬ ହଜାର କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛୁ । ସେହିପରି ରବି ଋତୁରେ ମଧ୍ୟ ୩ ଲକ୍ଷରୁ ଅଧିକା ଚାଷୀଙ୍କୁ ୧ ହଜାର ୬୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ଆପଣମାନେ ଭଲଭାବରେ ଜାଣିଛନ୍ତି । ତାଙ୍କ ନେତୃତ୍ୱରେ ଦେଶ ବର୍ତ୍ତମାନ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗିତା କରୁଛି । କୃଷି କ୍ଷେତ୍ରରେ ମଧ୍ୟ ଭାରତ ବିକଶିତ ରାଷ୍ଟ୍ରମାନଙ୍କ ସହିତ ଧିରେ ଧିରେ ସମକକ୍ଷ ହେଉଛି । ଆସନ୍ତୁ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ୍‍ ହେବା। ଏକ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଭାରତ ଗଠନରେ ଆମର ଯୋଗଦାନ ରଖିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ ଓଡ଼ିଶାକୁ ଏଗ୍ରିକଲଚର ଟୁଡ଼େ ପୁରସ୍କାର ମିଳିଛି । ୩୪,୮୫,୮୮୧ ଚାଷୀଙ୍କୁ ୬୯୭ କୋଟି ଟଙ୍କା ଦିଆଯାଉଛି । ଏହି ରାଶିରେ ଚାଷୀ ମାନେ ବିହନ ସାର କିଣିବେ । ରାଜ୍ୟ ସରକାର କୃଷକଙ୍କ ଆୟ କୁ ଦୁଇଗୁଣା କରିବା ପାଇଁ ଚେଷ୍ଟିତ । ଧାନର କ୍ରୟ ମୂଲ୍ୟ ୩୧୦୦ ଟଙ୍କା କରି ଚାଷୀଙ୍କ ଆୟ ବଢାଇଛୁ।

କେବଳ ଧାନ ଚାଷ ନ କରି ବିଭିନ୍ନ ପ୍ରକାର ତୈଳବୀଜ ଚାଷ କରିବା ସହିତ ମୃତ୍ତିକା ସଂରକ୍ଷଣ ପାଇଁ alternate crop କରିବାକୁ ଅନୁରୋଧ କରିଛନ୍ତି । ପଇସା କମେଇବା ସହିତ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ଅର୍ଗାନିକ୍ ଉପାୟରେ ଚାଷ କରିବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ

ଡକ୍ଟର ଅରବିନ୍ଦ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପିପିଲି ବିଧାୟକ, ଶ୍ରୀ ଆଶ୍ରୀତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱର ବିଧାୟକ, ଶ୍ରୀ ବାବୁ ସିଂ, ଖୋର୍ଦ୍ଧା ବିଧାୟକ, ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୂଳପତି, ପ୍ରଫେସର ପ୍ରଭାତ କୁମାର ରାଉଳ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ଡେପୁଟି ଡାଇରେକ୍ଟର ଜେନେରାଲ, ଆଇ.ସି.ଏ.ଆର୍, ଡକ୍ଟର ଜେ.କେ ଜେନା,  ଡାଇରେକ୍ଟର, ଆଇ.ସି.ଏ.ଆର୍-ସିଫା,ଡକ୍ଟର ପି.କେ ସାହୁ, ଡାଇରେକ୍ଟର, ଉଦ୍ୟାନ କୃଷି, ଶ୍ରୀ ସୁବ୍ରତ କୁମାର ପଣ୍ଡା, ଖୋର୍ଦ୍ଧା ଜିଲ୍ଲାପାଳ, ଶ୍ରୀ ଅମ୍ରିତ ୠତୁରାଜ ଓ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ମଂଚାସୀନ ଥିଲେ।

ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଟଙ୍କା

ବାରାଣାସୀରୁ ପିଏମ କିଷାନ ଟଙ୍କା ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨/୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବାରାଣସୀରୁ ଚାଷୀଙ୍କୁ ପିଏମ୍ କିଷାନ ଟଙ୍କା ପ୍ରଦାନ କରିଛନ୍ତି। ଯୋଗ୍ୟ ଚାଷୀଙ୍କ ଖାତାକୁ ପିଏମ କିଷାନର ୨୦ ତମ କିସ୍ତିରେ ୨୦୦୦ ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦି ମୋଟ୍‌ ୯ କୋଟି ୭୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର ୫୦୦ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ଓଡ଼ିଶାର ପ୍ରାୟ ୩୫ ଲକ୍ଷ ୮୫ ହଜାର ୮୮୧ ଚାଷୀଙ୍କ ଖାତାକୁ ଆସିଛି ପିଏମ କିଷାନର ଟଙ୍କା।

ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତାଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର

ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର

ବ୍ରହ୍ମପୁର, ୨/୮: ବ୍ରହ୍ମପୁର ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା । ଗୋଳନ୍ଥରା ଥାନ ପକ୍ଷରୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି । ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଗୋଳନ୍ଥରା ଥାନା ଅଧିକାରୀ ବିବେକନନ୍ଦ ସ୍ୱାଇଁ ଓ ତାଙ୍କ ଟିମ ଦୁର୍ଦ୍ଧାନ୍ତ ଅପରାଧୀ ସୁନୀଲ ନାହାକ ଓରଫ ମଲ୍ଲକୁ ଏନକାଉଣ୍ଟର କରିଥିବା ଜଣାପଡ଼ିଛି। ଦିର୍ଘ ଦିନ ଧରି ଗଞ୍ଜାମରେ ଅପରାଧୀକ ମାମଲା ବଢୁଥିବରୁ ଗଞ୍ଜାମ ଜିଲ୍ଲାର ସାଧାରଣ ଜନତା ଭୟଭୀତ ଅବସ୍ଥାରେ ରହୁଥିଲେ ।ଏବେ ପୁଲିସକୁ ଏନକାଉଣ୍ଟର ପାଇ ଅନୁମତି ମିଳିଯାଇଥିବା ଅନୁମାନ କରାଯାଉଛି ।ତେଣୁ ଅପରାଧୀମାନେ ଯଦି ସାବଡ଼ ନ ହେବେ ତେବେ ସେମାନଙ୍କୁ ମଧ୍ୟ ପୁଲିସ ଏନକାଉଣ୍ଟର କରିବ ବୋଲି ଶୁଣିବାକୁ ମିଳୁଛି । ବର୍ତ୍ତମାନ ପୁଲିସ ଏକ ତାଲିକା କରିଥିବା ମଧ୍ୟ ବେଶେଷ ସୂତ୍ରରୁ ଜଣାପଡିଛି । ସୁନିଲ ନିମଖଣ୍ଡି ଥାନା ଲୁଟ୍ ଘଟଣା ସମେତ ଅନ୍ୟାନ୍ୟ ମାମଲାରେ ସମ୍ପୃକ ରହି ଫେରାର ରହିଥିଲା ।ଗୋଳନ୍ଥରା ଥାନା ପୁଲିସ ଓ ସ୍ୱତନ୍ତ୍ର ଟିମ ଚଢ଼ାଉ ବେଳେ ଦୁର୍ଦ୍ଧାନ୍ତ ଅପରାଧୀ ସୁନିଲ ନାହାକ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା । ଏଥିରେ କେହି ଆହତ ହୋଇନଥିବା ବେଳେ ଗୁଳି ପୁଲିସ ଗାଡ଼ି ଉପରକୁ ବାଜିଥିବା ଶୁଣିବାକୁ ମିଳୁଛି । ଅନ୍ୟପକ୍ଷରେ ପୁଲିସ ଏନକାଉଣ୍ଟରରେ ସୁନିଲ ଆହତ ହୋଇ ଏମକେସିଜି ମେଡିକାଲ ରେ ଭର୍ତ୍ତି ହେଇଛି । ସୁନିଲରେ ବାମ ଗୋଡ଼କୁ ଗୁଳି ବାଜିଥିବା ସୂଚନା ରହିଛି । ଅପରାଧୀଙ୍କୁ ଦମନ କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେଉଛି ଏନକାଉଣ୍ଟର l ଏହି ଘଟଣା ବ୍ରହ୍ମପୁର ପୋଲିସ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ନାହାକ (ମଲ୍ଲ) କୁ ପୋଲିସ୍ ଏନକାଉଣ୍ଟର କରିଛି l

Friday, August 1, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା୨୧ ଅଗଷ୍ଟ ଯାଏଁ ନାମାଙ୍କନ ଦାଖଲ

୨୧ ଅଗଷ୍ଟ ଯାଏଁ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ, ୧/୦୮: ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏ ନେଇ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ସେପ୍ଟେମ୍ବର ୯ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି।

କାର୍ଯ୍ୟସୂଚୀ ଅନୁଯାୟୀ, ନାମାଙ୍କନ ଦାଖଲର ଶେଷ ତାରିଖ ଅଗଷ୍ଟ ୨୧। ମତଦାନ ସେପ୍ଟେମ୍ବର ୯ ତାରିଖରେ ହେବ ଏବଂ ସେହି ଦିନ ହିଁ ଭୋଟ ଗଣତି ହେବ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟିଂ ଜାରି ରହିବ।

ନିର୍ବାଚନ ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଗତ ଜୁଲାଇ ୨୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରବର୍ତ୍ତୀ ଉପରାଷ୍ଟ୍ରପତି କାର୍ଯ୍ୟଭାର ଗ୍ରହଣ କରିବା ତାରିଖରୁ ପୂର୍ଣ୍ଣ ପାଞ୍ଚ ବର୍ଷ କାର୍ଯ୍ୟ କରିବେ।

ସୂଚନାଯୋଗ୍ୟ, ଜଗଦୀପ ଧନଖଡ ସ୍ୱାସ୍ଥ୍ୟସେବାକୁ କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ୨୦୨୨ ମସିହାରୁ ଏହି ଦାୟିତ୍ୱ ନିର୍ବାହ କରୁଥିଲେ।

୪୦ ବର୍ଷୀୟ ବୁଢ଼ା ଶିକ୍ଷକ ସହ ଅଷ୍ଟମ ଶ୍ରେଣୀ ଛାତ୍ରୀର ପଡିଲା ହାତଗଣ୍ଠି, ବାହାଘର ଦେଖୁଥିଲା ପ୍ରଥମ ସ୍ତ୍ରୀ

ଇଏ କେମିତିକା ବାହାଘର। ବୁଢ଼ା ବର ହାତରେ କସି କନିଆଁର ଜୀବନ।

ହାଇଦ୍ରାବାଦ: ଇଏ କେମିତିକା ଅଜବ ବାହାଘର। ୪୦ ବର୍ଷୀୟ ଅର୍ଦ୍ଧ ବୟସ୍କା ଶିକ୍ଷକ ସହ ଅଷ୍ଟମ ଶ୍ରେଣୀ ଛାତ୍ରୀର ବାହାଘର।  ଆଉ ଏହି ବାହାଘରକୁ ସମର୍ଥନ କରୁଛନ୍ତି ଶିକ୍ଷକଙ୍କ ପ୍ରଥମ ପତ୍ନୀ।

ଘଟଣାଟି ନିଶ୍ଟୟ ଖଟକା ଲାଗୁଛିନା।  ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ହ୍ରାଇଦ୍ରାବାଦର ତେଲେଙ୍ଗାନାରୁ।  ଯେଉଁଠାରେ ଜଣେ ୧୩ ବର୍ଷୀୟ ନାବାଳିକା ଝିଅର ବିବାହ ଜଣେ ୪୦ ବର୍ଷୀୟ ପୁରୁଷଙ୍କ ସହ ହୋଇଥିଲା।

ଘଟଣାଟି ରଙ୍ଗା ରେଡ୍ଡୀ ଜିଲ୍ଲାର। ଝିଅଟିକୁ ବାହା କରାଇବା ପାଇଁ ତାଙ୍କ ମାଆ ରାଜି କରାଇଥିଲେ ଏବଂ ଅଭିଯୁକ୍ତ ବ୍ୟକ୍ତି ତାଙ୍କ ପ୍ରଥମ ସ୍ତ୍ରୀଙ୍କ ସମ୍ମୁଖରେ ନାବାଳିକା ଝିଅ ସହ ସାତ ଫେରା ନେଇଥିଲା।

ଆଶ୍ଚର୍ଯ୍ୟର କଥା ହେଉଛି ଏହି ବିବାହ ମେ ମାସରେ ହୋଇଥିଲା। କିନ୍ତୁ ଯେତେବେଳେ ଝିଅଟି ତାଙ୍କ ଶିକ୍ଷୟିତ୍ରୀଙ୍କୁ ସବୁକିଛି କହିଲା ସେତେବେଳେ ଘଟଣାଟି ସାମ୍ନାକୁ ଆସିଲା।

ଝିଅଟିର ଶିକ୍ଷୟିତ୍ରୀ ତୁରନ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ପୋଲିସକୁ ଖବର ଦେଇଥିଲେ। ଏହା ପରେ ପୋଲିସ ଚଢାଉ କରି ଅଭିଯୁକ୍ତଙ୍କ କବଳରୁ ନାବାଳିକାକୁ ଉଦ୍ଧାର କରିଥିଲା ଏବଂ ତାଙ୍କୁ ‘ସଖି କେନ୍ଦ୍ର’କୁ ନେଇଯାଇଥିଲା।

ପୋଲିସ ତଦନ୍ତରୁ ଜଣାପଡିଛି ଯେ ପୀଡିତା ତାଙ୍କ ମାଆ ଏବଂ ଭାଇଙ୍କ ସହ ଏକ ଭଡା ଘରେ ରହୁଥିଲେ। ମାଆ ଘରମାଲିକଙ୍କୁ କହିଥିଲେ ଯେ ସେ ତାଙ୍କ ଝିଅର ବିବାହ କରିବାକୁ ଚାହୁଁଛନ୍ତି।

ଏହା ପରେ ଜଣେ ମଧ୍ୟସ୍ଥି ୪୦ ବର୍ଷୀୟ ଶ୍ରୀନିବାସ ଗୌଡଙ୍କ ସହିତ ବିବାହ ସ୍ଥିର କରିଥିଲେ। ଅଭିଯୁକ୍ତଙ୍କ ପ୍ରଥମ ସ୍ତ୍ରୀଙ୍କ ଉପସ୍ଥିତିରେ ମେ ମାସରେ ବିବାହ ହୋଇଥିଲା।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରବୀଣ କୁମାର କହିଛନ୍ତି ଯେ ନାବାଳିକା ଝିଅଟି ଗତ ଦୁଇ ମାସ ଧରି ଅଭିଯୁକ୍ତଙ୍କ ସହିତ ରହୁଥିଲା।

ସେ କହିଛନ୍ତି, “ଯଦି ତଦନ୍ତରୁ ପ୍ରମାଣିତ ହୁଏ ଯେ ଝିଅଟିକୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଥିଲା, ତେବେ ଅଭିଯୁକ୍ତଙ୍କ ବିରୁଦ୍ଧରେ POCSO ଆଇନ ଅନୁଯାୟୀ ମାମଲା ମଧ୍ୟ ରୁଜୁ କରାଯିବ।”

ପୋଲିସ୍ ଅଭିଯୁକ୍ତ ସ୍ୱାମୀ, ତାଙ୍କ ପ୍ରଥମ ସ୍ତ୍ରୀ, ପୀଡିତାଙ୍କ ମାଆ, ମଧ୍ୟସ୍ଥି ଏବଂ ବିବାହ କରିଥିବା ପୂଜାରୀଙ୍କୁ ବାଲ୍ୟବିବାହ ନିରୋଧ ଆଇନ ଅନୁଯାୟୀ ଗିରଫ କରିଛି।

ପୋଲିସ ଇନ୍ସପେକ୍ଟର ପ୍ରସାଦ କହିଛନ୍ତି ଯେ ଘଟଣା ଦର୍ଶାଉଛି ଯେ ରାଜ୍ୟ ସରକାରଙ୍କ ପ୍ରୟାସ ସତ୍ତ୍ୱେ, ବାଲ୍ୟବିବାହ ମାମଲା ଏବେ ବି ଘଟୁଛି।

:ବର୍ତ୍ତମାନ ପୀଡିତାଙ୍କୁ ‘ସଖି ସେଣ୍ଟର’ରେ ସୁରକ୍ଷିତ ରଖାଯାଇଛି ଏବଂ ତାଙ୍କ ମାନସିକ ଅବସ୍ଥାକୁ ଉନ୍ନତ କରିବା ପାଇଁ ବିଶେଷଜ୍ଞଙ୍କ ଏକ ଦଳ ତାଙ୍କୁ ପରାମର୍ଶ ଦେଉଛନ୍ତି। ପ୍ରଶାସନ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛି

ଘରେ କେହି ନଥିବା ବେଳେ ଭାଇଭଉଣୀଙ୍କୁ ଜାଳି ଦେଲେ

ବନ୍ଦ ଘରୁ ଭାଇ ଭଉଣୀଙ୍କ ପୋଡ଼ା ମୃତଦେହ ଉଦ୍ଧାର

ବିହାରର ପାଟନା ନିକଟସ୍ଥ ଏକ ଗାଁରେ ଦୁଇ ଭାଇ ଭଉଣୀଙ୍କ ଘର ଭିତରେ ପୋଡ଼ି ଯାଇଥିବା ମୃତଦେହ ମିଳିବା ପରେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପରିବାରର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ କେହି ସେମାନଙ୍କୁ ନିଆଁ ଲଗାଇ ଦେଇଛି। ପ୍ରଥମେ ପିଲାମାନଙ୍କୁ ହତ୍ୟା କରିଥିଲେ ଏବଂ ପରେ ସେମାନଙ୍କ ମୃତଦେହକୁ ପୋଡ଼ି ଦିଆଯାଇଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମୃତକ ହେଉଛନ୍ତି ଅଞ୍ଜଳି କୁମାରୀ (୧୫) ଏବଂ ଅଂଶୁଲ କୁମାର (୧୦)। ଏ ନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତ ଭାଇ ଭଉଣୀଙ୍କ ବାପା ଲଲ୍ଲନ ଗୁପ୍ତା କହିଛନ୍ତି, “ଘର ପାଖରେ ଦୁଇରୁ ତିନି ଜଣ ଲୋକ ଦେଖାଯାଇଥିଲେ। ଏହା ପରେ ମୋର ୧୫ ଏବଂ ୧୦ ବର୍ଷର ଝିଅ ଓ ପୁଅ ଘର ଭିତରେ ମୃତ ଅବସ୍ଥାରେ ପାଇଥିଲେ। ସେମାନଙ୍କୁ ହତ୍ୟା କରିବା ପରେ ପୋଡ଼ି ଦିଆଯାଇଥିଲା। ଯଦି ଏହା ଏକ ଦୁର୍ଘଟଣା ହୋଇଥାନ୍ତା, ତେବେ ପିଲାମାନେ ଜୀବନ ବଞ୍ଚାଇବାକୁ ଯାଇ କବାଟ ମଧ୍ୟ ଖୋଲିପାରିଥାନ୍ତେ, କିନ୍ତୁ ସେମାନେ ଏପରି କିଛି କରି ନାହାନ୍ତି।‌ ଯାହା ପ୍ରମାଣିତ କରୁଛି ଯେ କେହି ଜଣେ ସେମାନଙ୍କୁ ପ୍ରଥମେ ହତ୍ୟା କରିଥିଲେ ଏବଂ ପରେ ସେମାନଙ୍କ ଶରୀର ପୋଡ଼ି ଦେଇଥିଲେ।”

ଲଲ୍ଲନ ଗୁପ୍ତା ସ୍ଥାନୀୟ ନିର୍ବାଚନ କାର୍ଯ୍ୟାଳୟରେ ଜଣେ କର୍ମଚାରୀ ଏବଂ ତାଙ୍କ ସ୍ତ୍ରୀ ଏମ୍ସ ପାଟନାରେ କାମ କରନ୍ତି। ଲଲ୍ଲନଙ୍କ ସ୍ତ୍ରୀ ପ୍ରଥମେ କାମରୁ ଘରକୁ ଫେରି ଏହି ଭୟଙ୍କର ଦୃଶ୍ୟ ଦେଖିଥିଲେ। ତା’ପରେ ସେ ତାଙ୍କ ଲଲ୍ଲନଙ୍କୁ ଜଣାଇଥିଲେ। ଲଲ୍ଲନ ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସକୁ ଖବର ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ପ୍ରମାଣ ସଂଗ୍ରହ ପାଇଁ ପୂରା ଅଞ୍ଚଳରେ ଖୋଜାଖୋଜି କରିଥିଲା। କିନ୍ତୁ କିଛି ଏପର୍ଯ୍ୟନ୍ତ ମିଳି ନାହିଁ।

ଅନ୍ୟପଟେ ଗୁପ୍ତା ପରିବାର ଅଭିଯୋଗ କରିଛନ୍ତି ଯେ, ପୋଲିସ ଠିକ୍ ଭାବରେ ତଦନ୍ତ କରୁନାହିଁ। ଯଦି ଏହା ମୁଖ୍ୟମନ୍ତ୍ରୀ କିମ୍ବା କୌଣସି ଉଚ୍ଚ ଅଧିକାରୀଙ୍କ ପରିବାରର କେହି ହୋଇଥାନ୍ତେ, ତେବେ ପୋଲିସ ତତ୍ପରତାର ସହ ତଦନ୍ତ କରିଥାନ୍ତା ଏବଂ ଅପରାଧୀମାନଙ୍କୁ ଶୀଘ୍ର ଖୋଜି ବାହାର କରିଥାନ୍ତେ ବୋଲି ଅଭିଯୋଗ କରିଛନ୍ତି।

Thursday, July 31, 2025

ଜଗଦୀପ ଧନଖଡ଼ଙ୍କ ପରେ କିଏ ହେବେ ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି? ନିର୍ବାଚନ ଆୟୋଗର ପ୍ରସ୍ତୁତି ଶେଷ

ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ଙ୍କ ଅଚାନକ ଇସ୍ତଫା ପରେ ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ, ଏହା ଉପରେ ସମସ୍ତଙ୍କ ନଜର ରହିଛି। ଭାରତୀୟ ନିର୍ବାଚନ ଆୟୋଗ (ECI) ୨୦୨୫ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ କରିଛି। ଗୁରୁବାର, ଜୁଲାଇ ୩୧, ୨୦୨୫ରେ ଆୟୋଗ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚକ ମଣ୍ଡଳୀର ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛି। ଏହି ନିର୍ବାଚନ ଅଗଷ୍ଟ ଶେଷ ସୁଦ୍ଧା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।

ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚକ ମଣ୍ଡଳୀ
ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୬୬(୧) ଅନୁସାରେ, ଉପରାଷ୍ଟ୍ରପତି ନିର୍ବାଚନ ଏକ ନିର୍ବାଚକ ମଣ୍ଡଳୀ ଦ୍ୱାରା ଅନୁଷ୍ଠିତ ହୁଏ, ଯେଉଁଥିରେ ଲୋକସଭା ଓ ରାଜ୍ୟସଭାର ନିର୍ବାଚିତ ଏବଂ ମନୋନୀତ ସଦସ୍ୟମାନେ ଅଂଶଗ୍ରହଣ କରନ୍ତି। ବର୍ତ୍ତମାନ ଏହି ମଣ୍ଡଳୀରେ ୭୮୮ ସଦସ୍ୟ ଅଛନ୍ତି—୫୮୮ ଜଣ ଲୋକସଭାରୁ ଏବଂ ୨୪୫ ଜଣ ରାଜ୍ୟସଭାରୁ। ନିର୍ବାଚନ ଏକକ ସ୍ଥାନାନ୍ତରଯୋଗ୍ୟ ଭୋଟ ମାଧ୍ୟମରେ ଅନୁପାତିକ ପ୍ରତିନିଧିତ୍ୱ ପଦ୍ଧତି ଅନୁସାରେ ଗୁପ୍ତ ବାଲଟ ଦ୍ୱାରା ହେବ। ବିଜୟୀ ପ୍ରାର୍ଥୀଙ୍କୁ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ୩୯୫ ଭୋଟ ଆବଶ୍ୟକ।

ଜଗଦୀପ ଧନଖଡ଼ଙ୍କ ଇସ୍ତଫା
ଜଗଦୀପ ଧନଖଡ଼ ଜୁଲାଇ ୨୧, ୨୦୨୫ରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ, ଯାହା ଜୁଲାଇ ୨୨, ୨୦୨୫ରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗେଜେଟ ନୋଟିଫିକେସନ ମାଧ୍ୟମରେ ସୂଚିତ ହୋଇଥିଲା। ସମ୍ବିଧାନର ଅନୁଚ୍ଛେଦ ୬୮(୨) ଅନୁସାରେ, ଉପରାଷ୍ଟ୍ରପତି ପଦ ଖାଲି ହେବା ପରେ ୬୦ ଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବା ଆବଶ୍୯୫କ, ଅର୍ଥାତ୍‌ ସେପ୍ଟେମ୍ବର ୧୯, ୨୦୨୫ ପୂର୍ବରୁ। ଧନଖଡ଼ଙ୍କ ପାଞ୍ଚ ବର୍ଷର କାର୍ଯ୍ୟକାଳ ୨୦୨୭ ଅଗଷ୍ଟରେ ଶେଷ ହେବାର ଥିଲା, କିନ୍ତୁ ତାଙ୍କ ଇସ୍ତଫା ପରେ ନୂଆ ଉପରାଷ୍ଟ୍ରପତି ପୂର୍ଣ୍ଣ ପାଞ୍ଚ ବର୍ଷର କାର୍ଯ୍ୟକାଳ ପାଇବେ।

ସମ୍ଭାବ୍ୟ ପ୍ରାର୍ଥୀ
ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିନଥିବା ବେଳେ ଅନେକ ନାମ ସମ୍ଭାବ୍ୟ ପ୍ରାର୍ଥୀ ଭାବେ ଚର୍ଚ୍ଚାରେ ଅଛି। ଏହା ମଧ୍ୟରେ ରହିଛନ୍ତି: ହରିବଂଶ ନାରାୟଣ ସିଂହ: ଜନତା ଦଳ (ୟୁନାଇଟେଡ୍‌)ର ରାଜ୍ୟସଭା ସାଂସଦ ତଥା ବର୍ତ୍ତମାନର ରାଜ୍ୟସଭା ଉପାଧ୍ୟକ୍ଷ। ସେ ୨୦୨୦ ପରଠାରୁ ଏହି ପଦବୀରେ ଅଛନ୍ତି ଏବଂ ସରକାରର ବିଶ୍ୱସ୍ତ ସହଯୋଗୀ ଭାବେ ପରିଚିତ। ଧନଖଡ଼ଙ୍କ ଇସ୍ତଫା ପରେ ସେ ରାଜ୍ୟସଭାର କାର୍ଯ୍ୟ ପରିଚାଳନା କରୁଛନ୍ତି।

ନୀତୀଶ କୁମାର: ବିହାର ମୁଖ୍ୟମନ୍ତ୍ରୀ ଓ ଜେଡି(ୟୁ) ନେତା। ତାଙ୍କ ଦୀର୍ଘ ରାଜନୈତିକ ଅଭିଜ୍ଞତା ଓ ଏନଡିଏର ପ୍ରମୁଖ ସହଯୋଗୀ ହେବା ହେତୁ ତାଙ୍କ ନାମ ଚର୍ଚ୍ଚାରେ ଅଛି। କେତେକ ସୂତ୍ର ଅନୁସାରେ, ବିହାର ନିର୍ବାଚନ ପୂର୍ବରୁ ତାଙ୍କୁ ଏହି ପଦବୀ ଦେଇ ବିଜେପି ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କରିପାରେ।

ମନୋଜ ସିହ୍ନା: ଜମ୍ମୁ ଓ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର। ପୂର୍ବତନ ସାଂସଦ ଓ କେନ୍ଦ୍ରୀୟ ମନ୍ତ୍ରୀ ଭାବେ ତାଙ୍କର ଅଭିଜ୍ଞତା ତାଙ୍କୁ ଏକ ସମ୍ଭାବ୍ୟ ପ୍ରାର୍ଥୀ କରିଛି।

ଭି.କେ. ସାକ୍ସେନା: ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର। ତାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।

ରାମ ନାଥ ଠାକୁର: କେନ୍ଦ୍ରୀୟ ରାଷ୍ଟ୍ରମନ୍ତ୍ରୀ ଓ ଜେଡି(ୟୁ) ନେତା। ବିହାରରୁ ରାଜ୍ୟସଭା ସାଂସଦ ଭାବେ ତାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି।

ଏହା ବ୍ୟତୀତ, କେତେକ ସୂତ୍ରରୁ ଜାଣିବାକୁ ମିଳିଛି ଯେ ବିଜେପି ଏକ ଅପ୍ରତ୍ୟାଶିତ ପ୍ରାର୍ଥୀ ଘୋଷଣା କରିପାରେ, ଯେପରି ପୂର୍ବରୁ ଅନେକ ସମୟରେ ଦେଖାଯାଇଛି।

ଛୋଟ ଶିଶୁକୁ ପୁନର୍ଜୀବନ ଦେଲା ହାଇଟେକ୍ ହସ୍ପିଟାଲ

ଛୋଟ ଶିଶୁକୁ ପୁନର୍ଜୀବନ ଦେଲା ହାଇଟେକ୍ ହସ୍ପିଟାଲ

ଜଟିଳ ଅବସ୍ଥା କହି ଫେରାଇ ଦେଇଥିଲେ ଏକାଧିକ ହସ୍ପିଟାଲ

ଭୁବନେଶ୍ୱର, ୩୧/୦୭: ସୂଦୁର ଗଞ୍ଜାମ ଜିଲ୍ଲାରୁ ରାତି ୧୧ଟା ବେଳେ ଶୋଇଥିବା ସମୟରେ ଏକ ବିଷଧର ସର୍ପ ଦଂଶନରେ ଶିଶୁଟି ଜଣାପଡିବାରୁ ବାପା ମାଆ ତୁରନ୍ତ ଗଞ୍ଜାମ ସରକାରୀ ହସ୍ପିଟାଲକୁ ନେବା ପରେ ମେଡିକାଲ ଅଫିସର ଏହା ଅତ୍ୟନ୍ତ ଜଟିଳ ଏବଂ ଅସୁବିଧା ଦର୍ଶାଇ ତୁରନ୍ତ କଟକ କିମ୍ବା ଭୁବନେଶ୍ବର ନେଇଯିବା ପାଇଁ ପରାମର୍ଶ ଦେଇଥିବାବେଳେ ବାପା ମାଆ ଅତିବ୍ୟଗ୍ର ହୋଇ ଭୁବନେଶ୍ବର ଆସି ପହଁଞ୍ଚି ଘରୋଇ ହସ୍ପିଟାଲରେ ଦେଖାଇବାରୁ ସେମାନେ ପିଲାର ଅବସ୍ଥା ସଂପର୍କରେ ଧ୍ୟାନ ଦେଇ ଏହା ଅତ୍ୟନ୍ତ ଦୁରୁହ ବେପାର ଏବଂ ସମ୍ଭାବନା କମ ଭାବି ଫେରାଇ ଦେବାରୁ କୌଣସି ସୂତ୍ରରୁ ଖବର ପାଇ ପିତାମାତା ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ପହଁଞ୍ଚି ସୁଦକ୍ଷ ଚିକିତ୍ସକମାନଙ୍କ ଦ୍ଵାରା ଏକ ପୁନର୍ଜନ୍ମ ପାଇଛନ୍ତି । ଗଞ୍ଜାମ ଜିଲ୍ଲାର ପିତା ପବିତ୍ର ନାୟକ ଓ ମାତା ରଶ୍ମିତା ନାୟକ ୩ ବର୍ଷର ପିଲାର ପୁନର୍ଜନ୍ମ ପାଇଁ ବିଶିଷ୍ଠ ଚିକିତ୍ସାବିତ୍ ଡକ୍ଟର ଜାନକୀ ବଲ୍ଲଭ ପ୍ରଧାନଙ୍କୁ ଅଶେଷ ଧନ୍ୟବାଦ ଦେବା ସହ ହାଇଟେକ୍ ହସ୍ପିଟାଲକୁ ପ୍ରଣାମ ଜଣାଇଛନ୍ତି । ଏଠାରେ କହି ରଖୁଛୁ ଯେ, ସାପ କାମୁଡା ସମୟରେ ତୁରନ୍ତ ଦକ୍ଷ ଚିକିତ୍ସକମାନଙ୍କ ଦ୍ୱାରା ପରାମର୍ଶ ଓ ଚିକିତ୍ସା କରାଇଲେ ତତ୍‌କ୍ଷଣାତ ମୃତ୍ୟୁ ମୁଖରୁ ବଞ୍ଚିପାରିବବୋଲି ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧକ୍ଷ ଡଃ ତିରୁପତି ପାଣିଗ୍ରାହୀ ଏବଂ ଚିକିତ୍ସାବିତ୍‌ମାନେ ପରାମର୍ଶ ଦେଇଛନ୍ତି । ବର୍ତମାନ ଶିଶୁଟି ସମ୍ପୂର୍ଣ ସୁସ୍ଥ ଥିବା ମେଡିକାଲ ସୁପରିଟେଣ୍ଡେଣ୍ଟ ଡକ୍ଟର ରବିନ୍ଦ୍ରନାଥ ବେହେରା କହିଛନ୍ତି ।

କେନ୍ଦୁଝର ଏସପିଙ୍କ ସଫଳତା: ୨୧୩ ଗ୍ରାମ ବ୍ରାଉନ ସୁଗାର ଜବତ

କେନ୍ଦୁଝର ଏସପିଙ୍କ ସଫଳତା: ୨୧୩ ଗ୍ରାମ ବ୍ରାଉନ ସୁଗାର ଜବତ

ଲକ୍ଷାଧିକ ଟଙ୍କା ସହ ୨୧ ଗିରଫ

ଘସିପୁରା/ଆନନ୍ଦପୁର, ୩୧/୦୭(ଦର୍ଶନ ନ୍ୟୁଜ): କେନ୍ଦୁଝର ଏସପି ନୀତିନ କୁଶଲକର ଦାଗୁଡୁଙ୍କ ଏକ ଘଟଣାରେ ସଫଳତାକୁ ନେଇ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଥିବା ବେଳେ କେନ୍ଦୁଝର ପୋଲିସକୁ ଧନ୍ୟବାଦ ଦେଇଛନ୍ତି l ବିଶେଷ କରି ଗ୍ରାମାଞ୍ଚଳରେ ପୋଲିସର ଏପରି ପଦକ୍ଷେପ କେନ୍ଦୁଝର ପୋଲିସ ଇତିହାସରେ ପ୍ରଥମ ବୋଲି କୁହାଯାଇଛି l ଏସପି ନୀତିନ ବିଛାଇଥିବା ଜାଲରେ ଅଭିଯୁକ୍ତ ମାନେ ଧରାପଡ଼ି ଗିରଫ ହୋଇଛନ୍ତି l ଏସପି ନୀତିନଙ୍କ ନିର୍ଦ୍ଦେଶକ୍ରମେ ସ୍ପେଷାଲ ସ୍କ୍ୱାର୍ଡ ପକ୍ଷରୁ ଗତ ମଙ୍ଗଳବାର ରାତିରୁ ଆନନ୍ଦପୁର ଉପଖଣ୍ଡ ଘଷିପୁରା, ଆନନ୍ଦପୁର, ରାମଚନ୍ଦ୍ରପୁର ଏବଂ ନନ୍ଦିପଦା ଥାନା ଅଞ୍ଚଳରେ ଚଢାଉ କରାଯାଇଥିଲା l ଘଟଣାରେ ଆନନ୍ଦପୁର ଡ଼ିଏସପି ପ୍ରଶାନ୍ତ ବେହେରା ଜଣେ ଦକ୍ଷ ଅଧିକାରୀ ଭାବେ ଜଣାଶୁଣା ଅଛନ୍ତି l କିନ୍ତୁ ଉକ୍ତ ଘଟଣାରେ ତାଙ୍କର ପ୍ରମୁଖ ଭୂମିକା ଏବଂ ଅକ୍ଲାନ୍ତ ପରିଶ୍ରମ ଅଭିଯୁକ୍ତଙ୍କୁ ଧରିବାରେ ଆହୁରି ସହାୟକ ହୋଇଥିଲା l ତେବେ ବ୍ରାଉନ ସୁଗାର କାରବାର କରୁଥିବା ଅଭିଯୋଗ ରେ ବିଭିନ୍ନ ଥାନା ଅଞ୍ଚଳରୁ ମୋଟ ୨୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l ସେମାନଙ୍କ ଠାରୁ ୨୧୩ ଗ୍ରାମ ବ୍ରାଉନ ସୁଗାର , ନଗଦ ୮ ଲକ୍ଷ ୩୦ ହଜାର ଟଙ୍କା ସହ ୧୨ ଟି ମୋବାଇଲ ଜବତ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ଅତିରିକ୍ତ ଏସପି ପ୍ରତ୍ୟୁଷ ମହାପାତ୍ର ସୂଚନା ଦେଇଛନ୍ତି l ବିଭିନ୍ନ ସମୟରେ ଆନନ୍ଦପୁର ଉପଖଣ୍ଡ ରେ ବ୍ରାଉନ ସୁଗାର କାରବାର ନେଇ ଅଭିଯୋଗ ହୋଇଆସୁଥିଲା । ଅଭିଯୋଗ ଆଧାରରେ ଶାଳପଡା ହାଟ ପଡିଆ, ଶାଳବଣି ଛକ ଆଦି ସ୍ଥାନରେ ଏହି କାରବାର ହେଉଥିବା ପୋଲିସ ପ୍ରକାଶ କରିଛି। ଏହି ବ୍ରାଉନ ସୁଗାର କାରବାର ରେ ଆହୁରି ଅନେକ ବ୍ୟକ୍ତି ସଂପୃକ୍ତ ଅଛନ୍ତି ସେମାନଙ୍କୁ ଗିରଫ କରାଯିବା ସହ ଚଢାଉ ଜାରି ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ମହାପାତ୍ର ସୂଚନା ଦେଇଛନ୍ତି l ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ କୁମାର ବେହେରା,ସଦର ଏସଡିପିଓ ସୁଦର୍ଶନ ଗଙ୍ଗୋଇ, ଘସିପୁରା ଥାନା ଅଧିକାରୀ ମାନସ ରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ l ଘସିପୁରା ଥାନାରେ କେସ ନଂ ୨୯୭/୩୦.୭.୨୦୨୫ ରେ ଏକ ମାମଲା ରୁଜୁ ହୋଇଥିବା ଆନନ୍ଦପୁର ଏସଡିପିଓ କହିଛନ୍ତି l ଏସପି ନୀତିନ କୁଶଲକର ଦାଗୁଡୁ କହିଛନ୍ତି ଯେ ଆଗକୁ ଆହୁରି ଚଢ଼ାଉ ହେବ ଏବଂ ଜନସାଧାରଣ ସହଯୋଗ ସଦାସର୍ବଦା ଦରକାର l ଗ୍ରାମାଞ୍ଚଳରେ ଏପରି ଘଟଣାକୁ ନେଇ ସାଧାରଣ ଲୋକ ପୋଲିସକୁ ଧନ୍ୟବାଦ ଦେଇଛନ୍ତି l

ସମାଜସେବା ଦିଗରେ ଅତୁଳନୀୟ ଅବଦାନ

ଡକ୍ଟରେଟ ପାଇଲେ ଶ୍ରୀଯୁକ୍ତ ସୁରେଶ କୁମାର ରାଉତ

ନୂଆଦିଲ୍ଲୀ, ୩୧/୭: ଆଜି ପଲ୍ଲୀବିକାଶର ସମ୍ପାଦକ ତଥା ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁରେଶ କୁମାର ରାଉତ, ଚଲାନ ପଡାଙ୍କୁ ନୂଆଦିଲ୍ଲୀ ଚାଣକ୍ୟପୁରୀ ସ୍ଥିତ ଦି ଅଶୋକ ହୋଟେଲ ଠାରେ ସମାଜସେବା ପାଇଁ ଆନ୍ତର୍ଜାତୀୟ ସଂସ୍ଥା ୱାଲ୍ଡ ହ୍ୟୁମାନ ରାଇଟ ପ୍ରୋଟେକଶନ କମିଶନ ଓ ଅନୋରାରୀ ଡକ୍ଟରେଟ ଆୱାର୍ଡ କାଉନସିଲ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରାଯାଇଛି । ଏହି ବର୍ଣ୍ଣାଢ଼୍ୟ ସମାରୋହରେ ଦେଶର ବିଭିନ୍ନ ପ୍ରାନ୍ତରୁ ଚୟନ ହୋଇଥିବା ପ୍ରତିଭାଙ୍କୁ ଡକ୍ଟରେଟ୍ ସମ୍ମାନରେ ସମ୍ମାନୀତ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ୧୩୪ ପ୍ରତିଭା ମାନଙ୍କୁ ଅତିଥିମାନେ ମାନପତ୍ର, ଟ୍ରଫି ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ।

ଶ୍ରୀଯୁକ୍ତ ରାଉତଙ୍କ ପରି ତୃଣମୂଳ ସ୍ତରର ଜଣେ କର୍ମୀଙ୍କୁ ମନୋନୟନ କରି ସମ୍ମାନିତ କରିଥିବାରୁ ଉଭୟ ସଂସ୍ଥା ଖୁସି ବ୍ୟକ୍ତ କରିଛନ୍ତି। ସେହି ପରି ଉଭୟ ସଂସ୍ଥା ଓ ପରିଷଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ନିଜର କୃତଜ୍ଞତା ଜଣାଇଛନ୍ତି । ନୂଆପଡା ଓ କଳାହାଣ୍ଡି ଜିଲ୍ଲା ବ୍ୟତୀତ ପଡୋଶୀ ଜିଲ୍ଲା ଗୁଡିକରେ ୧୯୯୯ ମସିହାରୁ ବର୍ତ୍ତମାନ ଯାଏ ତୃଣମୂଳ ସ୍ତରରେ ବିଭିନ୍ନ ସଂଗଠନ ମାଧ୍ୟମରେ ସମାଜ ସେବା କାର୍ଯ୍ୟ କରିଆସୁଛନ୍ତି। ଗ୍ରାମାଞ୍ଚଳରେ ଉଦେଶ୍ୟ ମୂଳକ ସଂଗଠନ ସୃଷ୍ଟି ଓ ସୁଦୃଢୀକରଣ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ତାଙ୍କର ଭୂମିକା ରହିଛି। ଗ୍ରାମାଞ୍ଚଳରେ ମହିଳା ସଶକ୍ତିକରଣ , ଛୋଟ ଛୋଟ ଉଦ୍ୟୋଗ ବିକାଶ ,କୃଷି ଭିତ୍ତିକ ଜୀବନ ଜୀବିକା ଅଭବୃଦ୍ଧି , କରୋନା ସମୟରେ ରିଲିଫ ସହାୟତା କ୍ଷେତ୍ରରେ ତାଙ୍କର ଭୂମିକା ଅତୁଳନୀୟ ଅଟେ।

ନୂଆପଡା ମାଟିର ଏକ କ୍ଷୁଦ୍ର ପଲ୍ଲୀ ଗ୍ରାମ ଚଲାନ ପଡାରେ ଜନ୍ମ ସହ ନିଜର ଶିକ୍ଷା ଯାତ୍ରା ଆରମ୍ଭ କରି ଆନ୍ତର୍ଜାତୀୟ ସ୍ତର ସଂସ୍ଥା ପକ୍ଷରୁ ଡକ୍ଟୋରେଟ ପାଇବା ସୌଭାଗ୍ୟର ବିଷୟ ବୋଲି ଶ୍ରୀ ରାଉତ କହିଛନ୍ତି । ଏହା ତାଙ୍କୁ ସମାଜ ପାଇଁ ଆହୁରି ଅଧିକ କାର୍ଯ୍ୟ କରିବା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି ।

ଏହି ସମାରୋହରେ ଭାରତ ସରକାର ତଥା ୭ ଟି ବିଭିନ୍ନ ଦେଶର ଆମ୍ବା ସେଡ଼ର, ଆସାମର ପୂର୍ବତନ ରାଜ୍ୟପାଳ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ରାଜନେତା ଶ୍ରୀଯୁକ୍ତ ଜଗଦୀଶ ମୁଖୀ , ଭାରତୀୟ ବଲିଉଡ ଅଭିନେତ୍ରୀ ନୁସରତ ଭାରୁଚା ସହ ଆୟୋଜକ କର୍ତ୍ତୃପକ୍ଷ ମଞ୍ଚାସୀନ ଥିଲେ । ଏହା ଶୁଣିବା ପରେ ସାଙ୍ଗ ସାଥି , ଗୁରୁଜନ , ସମ୍ପର୍କୀୟ, ସହକର୍ମୀ ଓ ପ୍ରଶଂସକମାନେ ଶ୍ରୀଯୁକ୍ତ ରାଉତଙ୍କୁ ଶୁଭେଚ୍ଛା ଜଣାଉ ଥିବା ଦେଖିବାକୁ ମିଳିଛି । ଏହି ଯାତ୍ରାରେ ମୋର ପରିବାର ସହ ମୋ ସାଥିରେ ଥିବା ସମସ୍ତ ଲୋକଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ସହ କୃତଜ୍ଞତା ପ୍ରଦାନ କରୁଛି ବୋଲି ଶ୍ରୀ ରାଉତ ପ୍ରକାଶ କରିଛନ୍ତି ।

ମଣ୍ଡଳ ରେଳ ପ୍ରବନ୍ଧକଙ୍କ ଦ୍ୱାରା ୟାର୍ଡ ପୁନଃ ନବୀକରଣ କାର୍ଯ୍ୟ ନିରୀକ୍ଷଣ

ୟାର୍ଡ ପୁନଃ‌ର୍ଗଠନ ହେଲେ ବୃଦ୍ଧି ହେବ ମାଲ ପରିବହନ ଏବଂ ଯାତ୍ରୀ ସେବା

ସମ୍ବଲପୁର, ୩୦/୦୭: ଭାରତୀୟ ରେଳବାଇ ବର୍ଦ୍ଧିତ ଯାତ୍ରୀ ଚାହିଦା, ଆଞ୍ଚଳିକ ବିକାଶ ଏବଂ ଜାତୀୟ ଲଜିଷ୍ଟିକ୍ସ ଆବଶ୍ୟକତା ସହିତ ଭିତ୍ତିଭୂମି ଉନ୍ନତିକରଣ ପାଇଁ ପ୍ରତିବଦ୍ଧ। ଦେଶବ୍ୟାପୀ ପ୍ରମୁଖ ଷ୍ଟେସନଗୁଡ଼ିକୁ ଉନ୍ନତ ଏବଂ ଆଧୁନିକୀକରଣ କରିବା ପାଇଁ ଭାରତୀୟ ରେଳବାଇର ମହାନ ଯୋଜନାର ଅଂଶ ଭାବରେ, ସମ୍ବଲପୁର ରେଳ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ୟାର୍ଡ ପୁନର୍ଗଠନ କାର୍ଯ୍ୟ କରାଯାଉଛି। ଏହି ପ୍ରକଳ୍ପର ଲକ୍ଷ୍ୟ ପୂର୍ବ ତଟ ରେଳପଥ ଜୋନର ରେଳ ନେଟୱାର୍କର ଏକ ପ୍ରମୁଖ କେନ୍ଦ୍ର ଏହି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ଏବଂ ଟ୍ରେନ୍ ପରିଚାଳନାକୁ ଉନ୍ନତ କରିବା। ଏହି ଆଧୁନିକୀକରଣ ପ୍ରକଳ୍ପ କେବଳ ଷ୍ଟେସନର ପରିଚାଳନା କ୍ଷମତା ବୃଦ୍ଧି କରିବ ନାହିଁ ବରଂ ଯାତ୍ରୀ ଏବଂ ମାଲ ପରିବହନ ପାଇଁ ଏକ ଅଧିକ ସୁଗମ, ଦକ୍ଷ ରେଳ ସେବା ମଧ୍ୟ ସୁନିଶ୍ଚିତ କରିବ। ଏହି କାର୍ଯ୍ୟ ସମାପ୍ତ ହେବା ପରେ, ଯାତ୍ରୀମାନେ ସୁଗମ ଟ୍ରେନ୍ ପରିଚାଳନା, ଅପେକ୍ଷା ସମୟ ହ୍ରାସ ଏବଂ ସାମଗ୍ରିକ ସେବା ଗୁଣବତ୍ତା ବୃଦ୍ଧି ଆଶା କରିପାରିବେ।

ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର, ଶ୍ରୀ ସୁବାଷ ଚନ୍ଦ୍ର ଚୌଧୁରୀ ବୁଧବାର ଦିନ ସମ୍ବଲପୁର ୟାର୍ଡରେ RVNL ଦ୍ୱାରା କାର୍ଯ୍ୟକାରୀ ହେଉଥିବା ୟାର୍ଡ ପୁନଃବିକାଶ କାର୍ଯ୍ୟର ଏକ ବ୍ୟାପକ ଯାଞ୍ଚ କରିଥିଲେ। ମାଲ ପରିବହନ ଏବଂ ଯାତ୍ରୀ ସେବା ଉଭୟକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଭିତ୍ତିଭୂମି ଉନ୍ନତିକରଣ ସମୀକ୍ଷା କରିବା ଉପରେ ଏହି ଯାଞ୍ଚ କେନ୍ଦ୍ରିତ ଥିଲା। ଶ୍ରୀ ଚୌଧୁରୀଙ୍କ ସହିତ ସିପିଏମ/ଆରଭିଏନଏଲ ଏବଂ ମଣ୍ଡଳର ଅନ୍ୟାନ୍ୟ ବରିଷ୍ଠ ଶାଖା ଅଧିକାରୀମାନେ ଉପସ୍ଥିତ ଥିଲେ। ନିରୀକ୍ଷଣ ସମୟରେ, ଶ୍ରୀ ଚୌଧୁରୀ ନିର୍ମାଣ ଏବଂ ଯାତ୍ରୀ-କୈନ୍ଦ୍ରିକ ସୁବିଧାର ସମସ୍ତ ଦିଗରେ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ମାନଦଣ୍ଡ ପାଳନ ସହିତ ପ୍ରକଳ୍ପର ସମୟସୀମା ସମାପ୍ତ ଉପରେ ଗୁରୁତ୍ୱାରୋପ କରିଥିଲେ।

ସମନ୍ୱିତ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ଟେକ୍ନୋଲୋଜି କ୍ଷମତା ହବର ଆନୁଷ୍ଠାନିକ ଶୁଭାରମ୍ଭ ଘୋଷଣା

ବିଶ୍ୱସ୍ତରରେ ଡିଜିଟାଲ୍ ପ୍ରତିଭା କେନ୍ଦ୍ର ଭାବରେ ଓଡ଼ିଶାର ଭୂମିକାକୁ ସୁଦୃଢ଼ କରିବ: ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଡ଼ଃ ମହାଲିଙ୍ଗ

ଭୁବନେଶ୍ଵର, ୩୧/୦୭ : ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ସିଙ୍ଗାପୁର ସ୍ଥିତ ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟୱାର୍କ (GFTN) ସହଭାଗିତାରେ ସମନ୍ୱିତ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ଟେକ୍ନୋଲୋଜି କ୍ଷମତା ହବ୍ (I-GFTCH) ର ଆନୁଷ୍ଠାନିକ ଶୁଭାରମ୍ଭ ୨୧ ଅଗଷ୍ଟ ୨୦୨୫ରେ ଅନୁଷ୍ଠିତ ହେବ । ଏ ସଂପର୍କରେ କୃଷି ଭବନସ୍ଥିତ ଅଡ଼ିଟୋରିଅମରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ।

ଓଡ଼ିଶାର ଯୁବକଯୁବତୀମାନଙ୍କ ଦକ୍ଷତା ଯେତେ ବୃଦ୍ଧି ହେବ ଓଡ଼ିଶାର ଅର୍ଥନୀତି ସେତେ ସୁଦୃଢ ହେବ । ସେକଥାକୁ ହୃଦୟଙ୍ଗମ କରି “NUS(National University of Singapore) ସହଭାଗିତାରେ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଉପରେ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି । 1.8 ଟ୍ରିଲିୟନ ଡଲାର କ୍ଷମତା ବିଶିଷ୍ଟ ବିଶ୍ୱ ଡିଜିଟାଲ୍ ଅର୍ଥନୀତିର ଏକ ଅଗ୍ରଣୀ ଅଂଶୀଦାର ହେବା ପାଇଁ ଆମେ ଆମ ଯୁବକଯୁବତୀଙ୍କୁ ପ୍ରସ୍ତୁତ କରୁଛୁ, ବିଶ୍ୱସ୍ତରରେ ଡିଜିଟାଲ୍ ପ୍ରତିଭା କେନ୍ଦ୍ର ଭାବରେ ଓଡ଼ିଶାର ଭୂମିକାକୁ ଏହି ଭବିତବ୍ୟ ପଦକ୍ଷେପ ସୁଦୃଢ଼ କରିବ ଏବଂ ଓଡିଶା ଜିଡିପି ସଶକ୍ତ ହେବ ବୋଲି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଆଶାବ୍ୟକ୍ତ କରିଛନ୍ତି । ଗ୍ଲୋବାଲ୍ ଫାଇନାନ୍ସିଆଲ୍ ଟେକ୍ନୋଲୋଜି କାପାବିଲିଟି ହବ୍ ରେ ପିଲାମାନେ ବିଶ୍ୱସ୍ତରୀୟ ଶିକ୍ଷାଲାଭ ପାଇବେ ଯାହାଦ୍ୱାରା ତାଙ୍କର ଚାହିଦା ବିଶ୍ବବଜାରରେ ଆଶାତୀତ ଭାବେ ବଢିବ ବୋଲି ସେ କହିଛନ୍ତି ।

ଆମ ସରକାର ପ୍ରଯୁକ୍ତି ବିଦ୍ୟା ଉପରେ ବିଶେଷ ପ୍ରାଧାନ୍ୟ ଦେଉଛନ୍ତି । ପ୍ରଯୁକ୍ତି ବିଦ୍ୟା ସହାୟତାରେ ପ୍ରତିଭା ନିର୍ମାଣ କରିବାକୁ ସରକାର ପ୍ରତିବଦ୍ଧ । ଏହି ନବସୃଜନ ମାନେ ଆଗାମୀ ଦିନରେ ଓଡ଼ିଶାର ଅର୍ଥନୀତିକୁ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତ ପ୍ରକାଶ କରିଛନ୍ତି ।

ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଵିଶାଲ ଦେବ ସ୍ୱାଗତ ଭାଷଣ ଏବଂ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଆଭାଷୀ ମାଧ୍ୟମରେ GFTN ର ଗ୍ରୁପ୍ ସିଇଓ ଶ୍ରୀ ସୋପନେନ୍ଦୁ ମହାନ୍ତି ଏବଂ GFTN ଫୋରମ୍ସର ସହ-ସିଇଓ ଜେମ୍ସ ବୋଏ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶହେରୁ ଉର୍ଦ୍ଧ ଏବଂ ଅଭାସି ମାଧ୍ୟମରେ ରାଜ୍ୟର କୋଣ ଅନୁକୋଣର ୨୦୦ ରୁ ଉର୍ଦ୍ଧ ଶିକ୍ଷାନୁଷ୍ଠାନ ରୁ ଛାତ୍ର ଛାତ୍ରୀ , ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ ।

ସୂଚନା ଯୋଗ୍ୟ ଯେ, ଭବିଷ୍ୟତ-ପ୍ରମାଣ ଆର୍ଥିକ ପ୍ରଯୁକ୍ତିବିଦ୍ୟା ଏବଂ ବୀମା ପ୍ରଯୁକ୍ତିବିଦ୍ୟା ବୃତ୍ତିଗତ ପ୍ରମାଣପତ୍ର କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଓଡ଼ିଶା ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟର ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜିଟାଲ୍ ଫାଇନାନ୍ସ (NUS-AIDF) ଏବଂ GFTN ସହିତ ସହଭାଗୀତାରେ ପାଞ୍ଚ ମାସର ହାଇବ୍ରିଡ୍ ପାଠ୍ୟକ୍ରମ – ଅନଲାଇନ୍ ମଡ୍ୟୁଲ୍, ଭୁବନେଶ୍ୱରରେ ଦୁଇ ସପ୍ତାହର କ୍ୟାମ୍ପସ୍ ଅଧିବେଶନ, ଇଣ୍ଟର୍ନସିପ୍ ସୁଯୋଗକୁ ମିଶ୍ରଣ କରି – ଶିଳ୍ପ-ପ୍ରାସଙ୍ଗିକ ଏବଂ ନିଯୁକ୍ତି-ମୁଖୀ ହେବା ପାଇଁ ଡିଜାଇନ୍ କରାଯାଇଛି। ଏହି ପଦକ୍ଷେପ ଫଳରେ ସମସ୍ତ ଜିଲ୍ଲାରୁ 7,000 ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ପ୍ରଯୁକ୍ତିବିଦ୍ୟା ଏବଂ ବୀମା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା, ନିୟାମକ ଢାଞ୍ଚା ଏବଂ ବ୍ୟବସାୟିକ କାର୍ଯ୍ୟ ସମ୍ବନ୍ଧୀୟ ବାସ୍ତବ ବିଶେଷଜ୍ଞତା ସହିତ ସଶକ୍ତ କରିବ । ଏହି କାର୍ଯ୍ୟକ୍ରମ ଜାତୀୟ ଶିକ୍ଷା ନୀତି ଆଧାରରେ ପ୍ରସ୍ତୁତ କରାଯାଇଛି ।

ପୋଶ ଆଇନ ୨୦୧୩ ସମ୍ବନ୍ଧରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୋଶ ଆଇନ ସମ୍ବନ୍ଧରେ ବିସ୍ତୃତ ବିବରଣୀ ଦେଲେ ମିଳିତ ଜାତି ସଂଘ ଜନସଂଖ୍ୟା ପାଣ୍ଠିର ପ୍ରକଳ୍ପ ପରିଚାଳକ

ଭୁବନେଶ୍ୱର, ୩୧/୦୭: ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ଉତ୍ପୀଡନ(ସୁରକ୍ଷା, ନିଷେଧ ଓ ନିବାରଣ) ଆଇନ ୨୦୧୩ ସମ୍ବନ୍ଧରେ ଏକ ସମ୍ବେଦନଶୀଳ ଓ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷିତ କରି ସମସ୍ତ ଜିଲ୍ଲାରେ ଥିବା ଆଭ୍ୟନ୍ତରୀଣ ସମିତି(ଇଣ୍ଟରନାଲ କମିଟି)ସଦସ୍ୟମାନଙ୍କୁ ପ୍ରଭାବଶାଳୀ ଭାବରେ ପୋଶ ଆଇନ ବିଷୟରେ ଶିକ୍ଷା ଦେବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ।

ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଏହି କର୍ମଶାଳାକୁ ଉଦଘାଟନ କରି ସମସ୍ତ ସରକାରୀ କର୍ମକ୍ଷେତ୍ରକୁ ମହିଳାମାନଙ୍କ ପାଇଁ ଏକ ନିରାପଦ କର୍ମକ୍ଷେତ୍ର ଭାବେ ପରିପ୍ରକାଶ କରିବା ପାଇଁ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମରେ ମିଳିତ ଜାତି ସଂଘ ଜନସଂଖ୍ୟା ପାଣ୍ଠିର ପ୍ରକଳ୍ପ ପରିଚାଳକ ମିସ ଅନୁଜା ଗୁଲାଟି ଯୋଗ ଦେଇ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କୁ ପୋଶ ଆଇନ ସମ୍ବନ୍ଧରେ ଖୋଲା ଆଲୋଚନା କରିବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ପୋଶ ଆଇନ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବେ ବିଭିନ୍ନ ଜିଲ୍ଲାର ଉପ ଜିଲ୍ଲାପାଳ, ଡେପୁଟି କଲେକ୍ଟର, ପ୍ରକଳ୍ପ ଅଧିକାରୀ ଏବଂ ଏଲସି, ଆଇସିର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ ।

୫ ଆଇଏଏସ ଅଫିସରଙ୍କୁ ଅତିରିକ୍ତ ଦାୟିତ୍ୱ

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର, ୩୧/୦୭: ଗୁରୁବାର ଦିନ ରାଜ୍ୟ ସରକାର ୫ ଜଣ ଆଇଏଏସ୍ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି।

ବର୍ତ୍ତମାନ ଓଡ଼ିଶା ଶିଳ୍ପ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଆବୋଲି ସୁନୀଲ ନାରଭାଣେଙ୍କୁ କଟକର ପରିଚାଳନା ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱରେ ରହିବାକୁ ଅନୁମତି ଦିଆଯାଇଛି।

ସେହିପରି, ରାଉରକେଲାର ଏଡିଏମ୍ ଧୀନା ଦସ୍ତାଗୀରଙ୍କୁ ରାଉରକେଲା ନଗର ନିଗମର କମିଶନର, ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ସିଇଓ ଏବଂ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ସଚିବ ଭାବରେ ଅତିରିକ୍ତ ଦାୟିତ୍ୱରେ ରହିବାକୁ ଅନୁମତି ଦିଆଯାଇଛି।

କଟକ ମହାନଗର ନିଗମ (ସିଏମସି)ର କମିଶନର କିରଣଦୀପ କୌର ସହୋତାଙ୍କୁ ସିଡିଏ ଉପାଧ୍ୟକ୍ଷ ଭାବରେ ଅତିରିକ୍ତ ଦାୟିତ୍ୱରେ ରହିବାକୁ ଅନୁମତି ଦିଆଯାଇଛି।

ସେହିପରି, ସମ୍ବଲପୁର ମ୍ୟୁନିସିପାଲ୍ କର୍ପୋରେସନର କମିଶନର ଭାବରେ କାର୍ଯ୍ୟରତ ଆଇଏଏସ୍ (RR-2021) ରେହାନ ଖତ୍ରୀଙ୍କୁ ସମ୍ବଲପୁର ଉନ୍ନୟନ ପ୍ରାଧିକରଣର ଉପାଧ୍ୟକ୍ଷ ଭାବରେ ଅତିରିକ୍ତ ଦାୟିତ୍ୱରେ ରହିବାକୁ ଅନୁମତି ଦିଆଯାଇଛି।

ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମର କମିଶନର ଭାବରେ କାର୍ଯ୍ୟରତ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷର ଅତିରିକ୍ତ ଦାୟିତ୍ୱ ବହନ କରିବେ।

ଡ୍ୟାଶକ୍ୟାମ୍

ଲୁଟ୍ କରିବା ପାଇଁ ଗାଡ଼ି ଆଗରେ ପିଟି ହେଉଛନ୍ତି ଲୁଟେରା : କାର୍ ଆଗରେ ଲଗାନ୍ତୁ ଏହି ଗୋଟିଏ ଉପକରଣ , ଧନ ସହ ବଞ୍ଚିଯିବ ଜୀବନ

ଗାଡ଼ି କିଣିବା ପରେ ଅନେକ ଲୋକ କାରରେ ବିଭିନ୍ନ ପ୍ରକାରର ଉପକରଣ ଲଗାନ୍ତି । ସେହିଭଳି ଏକ ଉପକରଣ ହେଉଛି ଡ୍ୟାଶକ୍ୟାମ୍, ଯାହା ଆଜିକାଲି ସୁରକ୍ଷା ପାଇଁ ନିହାତି ଉପଯୋଗୀ 

 DASHCAM Photograph: (KanakNews)

କନକ ବ୍ୟୁରୋ : ଜୀବନରେ ଗୋଟିଏ ଗାଡ଼ି କିଣିବାର ସ୍ବପ୍ନ ପ୍ରାୟତଃ ସମସ୍ତଙ୍କର ଥାଏ । ଆଉ ଗାଡ଼ି କିଣିବା ପୂର୍ବରୁ ହିଁ କାରରେ କେଉଁ ପ୍ରକାରର ଉପକରଣ ଲଗାଇବେ ଏ କଥା ଉପରେ ଗୁରୁତ୍ବ ଦେଇଥା’ନ୍ତି ଚାଳକ । ଗାଡ଼ି କିଣିବା ପରେ ଅନେକ ଲୋକ କାରରେ ବିଭିନ୍ନ ପ୍ରକାରର ଉପକରଣ ଲଗାନ୍ତି । ସେହିଭଳି ଏକ ଉପକରଣ ହେଉଛି ଡ୍ୟାଶକ୍ୟାମ୍, ଯାହା ଆଜିକାଲି ସୁରକ୍ଷା ପାଇଁ ବହୁତ ଅଧିକ ପସନ୍ଦ କରାଯାଉଛି । ଯାହା ସୁରକ୍ଷା ଦୃଷ୍ଟିରୁ ବହୁତ ଭଲ । ତେବେ ଆସନ୍ତୁ ଜାଣିବା କ’ଣ ଏହି ଡ୍ୟାଶକ୍ୟାମ୍ ଏବଂ ଏହା କିଣିବା ପୂର୍ବରୁ କେଉଁ କଥା ଉପରେ ଗୁରୁତ୍ବ ଦିଆଯିବା ଦରକାର । 

bengaluru-man-attempts-to-stage

ଡ୍ୟାଶକ୍ୟାମ୍ କ'ଣ ହୋଇଥାଏ ?

ଡ୍ୟାଶକାମ୍ ହେଉଛି ଏକ ପ୍ରକାରର କ୍ୟାମେରା, ଯାହାକୁ ଗାଡ଼ିର ଡ୍ୟାଶବୋର୍ଡ କିମ୍ବା ୱିଣ୍ଡଶିଲ୍ଡରେ ସହଜରେ ଲଗାଯାଇପାରିବ । ଗାଡ଼ିରେ ଯାତ୍ରା କରିବା ସମୟରେ ଏହାର ସାହାଯ୍ୟରେ ବାହାର ଭ୍ୟୁକୁ ରେକର୍ଡ କରାଯାଏ । ଯାହା ଦ୍ୱାରା କୌଣସି ଦୁର୍ଘଟଣା ସମୟରେ ଗାଡ଼ିରେ ବସିଥିବା ଲୋକଙ୍କୁ ବହୁତ ସାହାଯ୍ୟ ମିଳିଥାଏ ।

ଡ୍ୟାଶକ୍ୟାମ୍ କାହିଁକି ଲଗାଇବେ?

ଗାଡ଼ି କିଣିବା ପରେ ଲୋକମାନେ ଏହାକୁ ସୁରକ୍ଷିତ ରଖିବା ପାଇଁ ଅନେକ ପ୍ରକାରର ଉପକରଣ ଲଗାନ୍ତି । କିନ୍ତୁ ଗାଡ଼ି ଚଳାଇବା ସମୟରେ ଯଦି ଦୁର୍ଘଟଣା ଘଟିଯାଏ ତେବେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବା ବହୁତ କଷ୍ଟକର ହୋଇଯାଏ । ଏପରି ପରିସ୍ଥିତିରେ ବଜାରରେ ଡ୍ୟାଶକ୍ୟାମ୍ ମିଳିଥାଏ ଯାହାକୁ ଗାଡ଼ିରେ ସହଜରେ ଲଗାଯାଇପାରିବ ।

କିଣିବା ପୂର୍ବରୁ ଧ୍ୟାନ ଦିଅନ୍ତୁ :

ଯଦି ଆପଣ ମଧ୍ୟ ଆପଣଙ୍କ ଗାଡ଼ି ପାଇଁ ଡ୍ୟାଶକ୍ୟାମ୍ କିଣିବାକୁ ମନସ୍ଥ କରିଛନ୍ତି ତେବେ କିଛି କଥା ଜାଣି ରଖନ୍ତୁ । ବଜାରରେ ଅନେକ ପ୍ରକାରର ଡ୍ୟାଶକ୍ୟାମ୍ ମିଳିଥାଏ କିନ୍ତୁ ଭଲ କ୍ୱାଲିଟି ଏବଂ ଅଧିକ ବଡ଼ ବ୍ୟାଟେରୀ ସହିତ ଅଧିକ ଷ୍ଟୋରେଜ୍ କ୍ଷମତା ଥିବା ଡ୍ୟାଶକ୍ୟାମ୍ ବହୁତ ଉପଯୋଗୀ ହୋଇଥାଏ । ଭଲ କ୍ୱାଲିଟି ହେତୁ ରେକର୍ଡ କରାଯାଇଥିବା ଭିଡିଓରେ ଅନ୍ୟ ଗାଡ଼ିଗୁଡ଼ିକର ସୂଚନା ନେବା ବହୁତ ସହଜ ହୋଇଯାଏ । ଏହା ସହିତ ଅଧିକ ଷ୍ଟୋରେଜ୍ ଥିବା ହେତୁ ବହୁତ ପୁରୁଣା ଭିଡିଓ ମଧ୍ୟ ଦେଖିପାରିବେ ।

ଏହି କଥାଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ :

ବଜାରରେ ଅନେକ ପ୍ରକାରର ଫିଚର୍ସ ସହିତ ଡ୍ୟାଶକ୍ୟାମ୍ ମିଳିଥାଏ କିନ୍ତୁ ୱାୟାରଲେସ୍ କନେକ୍ଟିଭିଟି, ଜିପିଏସ୍ ଏବଂ ଡିସପ୍ଲେ ସହିତ ଆସୁଥିବା ଡ୍ୟାଶକ୍ୟାମ୍ ବ୍ୟବହାର କରିବା ବହୁତ ଅଧିକ ସହଜ ହୋଇଥାଏ ।

ଏହାର ମୂଲ୍ୟ କେତେ ?

କ୍ୱାଲିଟି ଏବଂ ଫିଚର୍ସ ଅନୁସାରେ ଅନେକ କମ୍ପାନିଗୁଡ଼ିକ ତରଫରୁ ଡ୍ୟାଶକ୍ୟାମ୍ କିଣାଯାଇପାରିବ । ଅନଲାଇନ୍ ସହିତ ବଜାରରେ ଏହାର ମୂଲ୍ୟ ପ୍ରାୟ ତିନି ହଜାର ଟଙ୍କାରୁ ଆରମ୍ଭ ହୋଇଯାଏ । ଏହାପରେ ଫିଚର୍ସ ବଢ଼ିବା ସହିତ ମୂଲ୍ୟରେ ମଧ୍ୟ ବୃଦ୍ଧି ହୋଇଯାଏ ।


https://youtube.com/@coastalnewsodia?si=AB2TB8we6wtbHMXy

ଏକ୍ ପେଡ୍ ମା କେ ନାମ୍-୨.୦: ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନରେ ଓଡିଶାରେ ଲାଗିବ ରେକର୍ଡ ସଂଖ୍ୟକ ୭୫ ଲକ୍ଷ ଗଛ

ଜିଲ୍ଲା ମାନଙ୍କରେ ଜଳବାୟୁ ଉପଯୋଗୀ ବୃକ୍ଷ ରୋପଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଏହା ହେବ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଓଡିଶାବାସୀଙ୍କ ଉପହାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୧/୦୭: ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୭୫ ବର୍ଷରେ ପ୍ରଦାର୍ପଣ କରିବାକୁ ଯାଉଛନ୍ତି। ଦେଶପ୍ରତି, ବିଶେଷକରି ଓଡିଶା ପ୍ରତି, ପ୍ରଧାନମନ୍ତ୍ରୀଙ୍କ ଅନେକ ଅବଦାନ ରହିଛି। ଗତ ବର୍ଷ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଓଡିଶା ଆସି ଆମର ମା ମାନଙ୍କ ସମ୍ମାନରେ ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ। ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା, ଓଡିଶାବାସୀଙ୍କ ପ୍ରତି ସଦିଚ୍ଛାର ସମ୍ମାନ ଜଣାଇ ଏକ୍ ପେଡ୍ ମା କେ ନାମ୍ ଅଭିଯାନରେ ସେପ୍ଟେମ୍ବର ୧୭ ତାରିଖରେ ଓଡିଶାରେ ଗୋଟିଏ ଦିନରେ ଲାଗିବ ୭୫ ଲକ୍ଷ ଗଛ। ଏହା ହେବ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଓଡିଶାବାସୀଙ୍କ ଉପହାର।

ଆଜି ଲୋକସେବା ଭବନରେ ଏକ୍ ପେଡ୍ ମା କେ ନାମ୍ ଅଭିଯାନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ସୂଚନା ଯୋଗ୍ୟ ଯେ, ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ୍ ପେଡ ମା କେ ନାମ୍ ଅଭିଯାନ ଆରମ୍ଭ ହୋଇଥିଲା। ଚଳିତବର୍ଷ ଜୁନ୍ ୫ରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହାର ଦ୍ୱିତୀୟ ସଂସ୍କରଣ ଏକ ପେଡ୍ ମା କେ ନାମ୍ ୨.୦ ଚାଲିବ। ଦ୍ୱିତୀୟ ସଂସ୍କରଣର ଏହି କାର୍ଯ୍ୟକ୍ରମରେ ସର୍ବନିମ୍ନ ୭.୫ କୋଟି ଚାରା ରୋପଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏକ୍ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି। ଗତବର୍ଷ ଏହି କାର୍ଯ୍ୟକ୍ରମରେ ଓଡିଶା ତା’ର ଲକ୍ଷ୍ୟ ଅତିକ୍ରମ କରି ୬.୭୨ କୋଟି ଗଛ ଲଗାଇ ସାରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଏ ବର୍ଷ ୭.୫ କୋଟି ଗଛ ଲଗାଇବାର ଲକ୍ଷ୍ୟ ରଖାଯାଇଛି ଏବଂ ତା ସହିତ କେବଳ ଗୋଟିଏ ଦିନରେ ୭୫ ଲକ୍ଷ ଗଛ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ଏକ ରେକର୍ଡ ହେବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଙ୍ଗଲ ବିଭାଗ ଏବଂ କୃଷି ଓ କୃଷକସଶକ୍ତି କରଣ ବିଭାଗର ଏଥିରେ ପ୍ରମୁଖ ଦାୟିତ୍ୱ ରହିଥିଲେ ମଧ୍ୟ ଏହି ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବା ପାଇଁ ଏହି ଅଭିଯାନରେ ବିଭିନ୍ନ ସରକାରୀ ବିଭାଗ ସହିତ ପିଏସୟୁ, ଏନ୍.ଜି.ଓ ସଂସ୍ଥା, ବିଭିନ୍ନ ଯୁବସଂଘ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଅଧିକରୁ ଅଧିକ ସାମିଲ କରାଯିବାର ଆବଶ୍ୟକତା ରହିଛି । ପଞ୍ଚାୟତ ପ୍ରତିଷ୍ଠାନ, ସ୍କୁଲ, କଲେଜ, ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରମୁଖଙ୍କର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ କରିବା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଅତ୍ୟନ୍ତ ପ୍ରଭାବୀ ଢଙ୍ଗରେ ହେବା ଉଚିତ। ପ୍ରଚାର ପ୍ରସାର କେବଳ ଏକ କାର୍ଯ୍ୟକ୍ରମର ନୁହେଁ, ଏହା ପରିବେଶ ସୁରକ୍ଷା ପାଇଁ ଏକ ଜନ ଆନ୍ଦୋଳନ ହେବା ଉଚିତ ବୋଲି ସେ ମତ ଦେଇଥିଲେ।

କେବଳ ଗଛ ଲଗାଇଦେଲେ ହେବ ନାହିଁ, ଏହି ଗଛକୁ କିଭଳି ଉତ୍ତମ ଭବିଷ୍ୟତ ମିଳିବ ତା’ର ମଧ୍ୟ ଦାୟିତ୍ୱ ନେବା ଆବଶ୍ୟକ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୃକ୍ଷ ରୋପଣ ପରେ ଏହାର ରକ୍ଷଣା ବେକ୍ଷଣ ଓ ଯତ୍ନ ପାଇଁ ପ୍ରତ୍ୟେକ ସରକାରୀ କର୍ମଚାରୀ ଏବଂ ଜନସାଧାରଣ ଦାୟିତ୍ୱବାନ ହେବା ଆବଶ୍ୟକ। ଗୋଷ୍ଠୀ-ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ, ପଥପାର୍ଶ୍ଵ ଚାରା ରୋପଣ ଏବଂ ବ୍ୟକ୍ତିଗତ ବୃକ୍ଷ ରୋପଣ ପାଇଁ ନିମ୍ବ, କରଞ୍ଜ, ତେନ୍ତୁଳି, ଫାସୀ, ଅର୍ଜୁନ, ହରିଡା, ବାହାଡା, ପଣସ, ତାଳ, ପିଜୁଳୀ, କୃଷ୍ଣଚୁଡା, ପିପଳ, ବରବଛା, ଅଶୋକ, ଜାମୁ, କଦମ୍ବ, ଅଁଳା, ଦେବଦାରୁ, ସୁନାରୀ, କରଞ୍ଜ, ଚାକୁଣ୍ଡା ଇତ୍ୟାଦି ଗଛ ଚୟନ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥି ସହିତ ବୃକ୍ଷ ରୋପଣର ଫଟୋ ଓ ଡାଟା ମେରି ଲାଇଫ ପୋର୍ଟାଲରେ ଅପଲୋଡ କରାଯିବା ପାଇଁ ସେ କହିଥିଲେ। ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳରେ ପଞ୍ଚାୟତ ଅଧିକାରୀ ମାନେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଏହାର ତଦାରଖ କରିବେ। ଭଲପ୍ରଦର୍ଶନ କ୍ଷେତ୍ରରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ତରରେ ପୁରସ୍କାର ବ୍ୟବସ୍ଥା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥିସହିତ ଯେଉଁ ଅଞ୍ଚଳରେ ଯେଉଁ ଫଳ ଭଲ ଉତ୍ପାଦନ ହେଉଛି ସେହିଭଳି ଚାରା ଲୋକମାନଙ୍କୁ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ପ୍ରଧାନମୁଖ୍ୟ ବନ ସଂରକ୍ଷକ ତଥା ଜଙ୍ଗଲ ବାହିନୀ ମୁଖ୍ୟ ଶ୍ରୀ ସୁରେଶ ପନ୍ଥ, ପ୍ରଧାନମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ପି.କେ ଝା, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଏସ.ଏନ ଗିରିଶ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ ଦାସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଓଏଏସ ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଇଞ୍ଜିନିୟର ପତ୍ନୀ

ଓଏଏସ ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଇଞ୍ଜିନିୟର ପତ୍ନୀ
ମହିଳା ଥାନାରେ ଦେଲେ ଏତଲା

ଭୁବନେଶ୍ୱର, ୩୧/୦୭: ବର୍ତ୍ତମାନ OSDMAରେ କାର୍ଯ୍ୟରତ ଜଣେ OAS ଅଧିକାରୀଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ। ଡେପୁଟି ଜେନେରାଲ ମ୍ୟାନେଜର (DGM)ଙ୍କ ପତ୍ନୀ ତାଙ୍କ ଏବଂ ତାଙ୍କ ନବଜାତ ଶିଶୁ ପ୍ରତି ନିଷ୍ଠୁର ଏବଂ ଦାୟିତ୍ୱହୀନ ଆଚରଣର ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି।

ସେ ମହିଳା ଥାନାରେ ନ୍ୟାୟ ମାଗିଛନ୍ତି ଏବଂ ତାଙ୍କ ସ୍ୱାମୀ ସାର୍ଥକ ସୌରଭ ମହାପାତ୍ର, ତାଙ୍କ ଶାଶୁ ଏବଂ ତାଙ୍କ ନଣନ୍ଦଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ହେଉଛନ୍ତି ଅର୍ଚ୍ଚନା ଦାଶ। ସେ ଏବେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ତାଙ୍କୁ ଏବଂ ତାଙ୍କ ନବଜାତ ଶିଶୁକୁ ଅବହେଳା ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି।

ଅଭିଯୋଗ ଅନୁଯାୟୀ, ଦୁହେଁ ସେମାନଙ୍କ ପରିବାର ସଦସ୍ୟଙ୍କ ସମ୍ମତିରେ ବିବାହ କରିଥିଲେ। କିନ୍ତୁ ବିବାହର କିଛି ମାସ ପରେ, ତାଙ୍କ ଶ୍ୱଶୁର ଘର ଲୋକଙ୍କ ଦ୍ୱାରା ତାଙ୍କୁ ନିର୍ଯାତନାର ଶିକାର ହେବାକୁ ପଡିଥିଲା। ତାଙ୍କ ସ୍ୱାମୀ ତାଙ୍କ ପ୍ରସବ ପରେ ତାଙ୍କୁ ଏବଂ ସେମାନଙ୍କ ନବଜାତ ଶିଶୁକୁ ଡାକ୍ତରଖାନାରେ ଛାଡି ପଳାଇ ଥିଲେ। ତାଙ୍କ ପିଲାଟି ୩ ମାସର ହୋଇଥିଲେ ମଧ୍ୟ ମହାପାତ୍ର ସେମାନଙ୍କୁ ଭେଟି ନାହାଁନ୍ତି କିମ୍ବା ଯୋଗାଯୋଗ କରିନାହାଁନ୍ତି ଏବଂ ତେଣୁ ସେ ମହିଳା ଥାନାରେ ଅଭିଯୋଗ କରିଛନ୍ତି।

ଭାରତ ଉପରେ ୨୫% ଟାରିଫ, ସଙ୍କଟରେ ୮୭ ବିଲିଅନ ଡଲାର ରପ୍ତାନୀ

ରୁଷ ସହ ସମ୍ପର୍କ ଥିବାରୁ ଭାରତକୁ ଅତିରିକ୍ତ ଜରିମାନା

ସବୁଠୁ ଉପରେ ରାଷ୍ଟ୍ରୀୟ ସ୍ବାର୍ଥ: ଭାରତର ପ୍ରତିକ୍ରିୟା

ନୂଆଦିଲ୍ଲୀ, ୩୧/୦୭: ଭାରତ ଉପରେ ଦାଉ ସାଧିଲେ ଟ୍ରମ୍ପ। ରୁଷ ସହିତ ବାଣିଜ୍ୟ କରୁଥିବାରୁ ଭାରତକୁ ଦେବାକୁ ପଡିବ ଦେୟ। ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ୮୭ ବିଲିଅନ ଡଲାର ମୂଲ୍ୟର ଦ୍ରବ୍ୟ ଏବେ ପ୍ରଭାବିତ ହେବ। ଟ୍ରମ୍ପ ବୁଧବାର ଏହି ବର୍ଦ୍ଧିତ ଟାରିଫ ଘୋଷଣା କରିଥିବା ବେଳେ ଆସନ୍ତା ଅଗଷ୍ଟ ୧ ତାରିଖରୁ ଲାଗୁ ହେବ। ଯାହା ଫଳରେ ଭାରତ ଅତ୍ୟନ୍ତ ପ୍ରଭାବିତ ହେବ।

ଟ୍ରମ୍ପ ସୋସିଆଲ ମିଡ଼ିଆ ସାଇଟ୍ ଟ୍ରୁଥରେ କହିଛନ୍ତି, ଭାରତ ଆମେରିକାର ଏକ ଭଲ ବନ୍ଧୁ। କିନ୍ତୁ ଭାରତ ସବୁବେଳେ ଚଢା ଶୁଳ୍କ ଲାଗୁ କରୁଛି। ଯାହା ଫଳରେ ଆମେରିକା ଭାରତ ସହିତ କମ୍ ବ୍ୟବହାର କରୁଛି। ସେହିପରି ରୁଷ ଏବେ ୟୁକ୍ରେନ ଉପରେ ଯୁଦ୍ଧ କରୁଥିବାରୁ ରୁଷକୁ କୋଣଠେସା କରିବାକୁ ଚାହୁଁଛି ବିଶ୍ୱ। କିନ୍ତୁ ଭାରତ ରୁଷ ସହିତ ବ୍ୟବସାୟିକ ସମ୍ପର୍କ ରଖୁଥିବାରୁ ତାହା ହୋଇ ପାରୁନାହିଁ। ଯେଉଁଥିପାଇଁ ଯୁଦ୍ଧ ପାଇଁ ପାଣ୍ଠି ପାଉଛି ରୁଷ। ଯାହାର ପରିଣାମ ଏବେ ଭାରତକୁ ଭୋଜିକୁ ପଡ଼ିବ। ଏବଂ ଅତିରିକ୍ତ ଜରିମାନା ଦେବାକୀ ପଡ଼ିବ ବୋଲି ଟ୍ରମ୍ପ କହିଥିଲେ।

ଅନ୍ୟପଟେ ଭାରତ ଉପରେ ଟାରିଫ ବୃଦ୍ଧି ଦ୍ୱାରା ଘୋର‌ ସଙ୍କଟରେ ପଡ଼ିଯାଇଛି ଭାରତର ଶିଳ୍ପାୟନ। ଏହି ଶୁଳ୍କ ବୃଦ୍ଧି ତାଲିକାରେ ରହିଛି ଅଟୋ ମୋବାଇଲ, ଅଟୋ ଯନ୍ତ୍ରାଂଶ, ଷ୍ଟିଲ, ଆଲୁମିନିୟମ, ସ୍ମାର୍ଟ ଫୋନ, ସୋଲାର ମଡ୍ୟୁଲ, ସାମୁଦ୍ରିକ ଉତ୍ପାଦ, ରତ୍ନ ପଥର, ଗହଣା ଏବଂ ପ୍ରକ୍ରିୟାକରଣ ଖାଦ୍ୟ ଓ କୃଷି ଦ୍ରବ୍ୟ। ଯଦିଓ ଏଥିରୁ ଔଷଧ, ସେମି କଣ୍ଡକ୍ଟର ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ବାଦ୍ ପଡିଛି।

ଏ ନେଇ ପ୍ରତିକ୍ରିୟା ରଖିଛି ଭାରତ। ଭାରତ କହିଛି ଯେ, ରାଷ୍ଟ୍ରୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯାହା ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ ଆମେ ତାହା ନେବୁ। ସରକାର ଏହାକୁ ଗୁରୁତ୍ୱ ଦେଇଛନ୍ତି ଏବଂ ଏହାକୁ ନେଇ ଅନୁଧ୍ୟାନ କରୁଛନ୍ତି। ଦେଶର ଚାଷୀ, ଉଦ୍ୟୋଗୀ ଓ ଏମଏସଏମଇଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସରକାର ନିର୍ଦ୍ଦିଷ୍ଟ ପଦକ୍ଷେପ ନେବେ ବୋଲି ସରକାର କହିଛନ୍ତି।

ଓ ଟି ଇ ଟି OTET ପ୍ରଶ୍ନପତ୍ର ଲିକ୍: ୬ ଗିରଫ

ଗିରଫଦାରୀ ନେଇ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି

ଭୁବନେଶ୍ୱର, ୩୦/୦୭: ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡିଶା ଆନୁକୁଲ୍ଯରେ ଆୟୋଜିତ ହେବାକୁ ଥିବା OTET-2025 ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ, । ଏହି ଘଟଣାରେ ସମ୍ପୃକ୍ତ ଥିବା ଛଅ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି, କ୍ରାଇମବ୍ରାଞ୍ଚ, ଶ୍ରୀ ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ମାଧ୍ଯମିକ ଶିକ୍ଷା ପରିଷଦର ଡାଟା ଏଣ୍ଟ୍ରି ଅପରେଟର (୧) ଜିତନ ମହାରଣା ,କଛାପଡା, ସିମୁଳିଆ, ବାଲେଶ୍ଵର (୨) ବିଜୟ କୁମାର ମିଶ୍ର, ରାଜ୍ୟ ପୂର୍ବତନ କ୍ୟାଡର ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି, କୋମାସାହି, ଆମ୍ବୋଡିଆ, ରାୟଗଡା (୩) ସନାତନ ବିଶୋୟୀ, କୋରାପୁଟ ଜିଲ୍ଲା ପୂର୍ବତନ କ୍ୟାଡର ଶିକ୍ଷକ ସଂଘର ସଭାପତି, ସାଗରଗୁଡା, କୁନ୍ଦ୍ରା, କୋରାପୁଟ, (୪) ରାମଜୀ ପ୍ରସାଦ ଗୁପ୍ତା, ନାରାୟଣ ଲେନ, ଗୁପ୍ତା ନିବାସ, ବାଦାମବାଡି, କଟକ (୫) ଅଜୟ କୁମାର ସାହୁ, ଲିଙ୍ଗିପାଲି କେଶବନଗର (ପଞ୍ଚମ ଲେନ), ବିଦ୍ୟାଧରପୁର, ଗଞ୍ଜାମ (୬) ଜୟନ୍ତ କୁମାର ରାଉତ, ଜୁକାନନ୍ଦୀ, ରୂପସା, ବାଲେଶ୍ଵର ।

ପୋଲିସ ସେମାନଙ୍କ ନିକଟରୁ ମୋବାଇଲ୍ ଫୋନ୍ ଏବଂ ଲିକ୍ ହୋଇଥିବା ପ୍ରଶ୍ନପତ୍ର ସମେତ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଜବତ କରାଯାଇଛି। ଏହା ସହ ଅଭିଯୁକ୍ତ ଜିତନ୍ ମହାରଣାଙ୍କ ଆକାଉଣ୍ଟକୁ ୨,୫୦,୦୦୦ ଟଙ୍କା ଫୋନ ପେ ମାଧ୍ୟମରେ ଆର୍ଥିକ କାରବାର ହୋଇଥିବା ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କ ଆକାଉଣ୍ଟ ବର୍ତ୍ତମାନ ଯାଞ୍ଚ କରାଯାଉଛି ଏବଂ ତଦନ୍ତ ଜାରି ରହିଛି।

ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ବୋଲି DGP ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଡିଜିପି, କ୍ରାଇମବ୍ରାଞ୍ଚଙ୍କ ସୂଚନା ଅନୁଯାୟୀ, ସାରା ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଗତ ୨୦ ଜୁଲାଇରେ OTET ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ୧୯ ଜୁଲାଇ ୨୦୨୫ ରାତି ପ୍ରାୟ ୧୦.୪୫ ସମୟରେ କିଛି ହାତଲେଖା ପ୍ରଶ୍ନପତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାର ଦେଖିବାକୁ ମିଳିଥିଲା। ଏହା ଜାଣିବା ପରେ ମାଧ୍ୟମିକ ଶିକ୍ଷା ପରିଷଦ Establishment Officer ଶ୍ରୀମତୀ ବୁଲବୁଲ ବେହେରା, ଅଭିଯୋଗ ଦାଖଲ କରିଥିଲେ। ମାମଲାଟି ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ଵ ଦିଆଯାଇଥିଲା। ଡିଆଇଜି, କ୍ରାଇମବ୍ରାଞ୍ଚ, ବି. ଗଙ୍ଗାଧରଙ୍କ ନେତୃତ୍ବରେ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଚଢଉ ଆରମ୍ଭ ହୋଇଥିଲା।

କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ସମୟରେ BSE ଅଫିସରେ ଡାଟା ଏଣ୍ଟ୍ରି ଅପରେଟର ଭାବେ ଚାକିରି କରୁଥିବା ଜିତନ ମହାରଣା BSE ଉପାଧ୍ୟକ୍ଷଙ୍କ ଲାପଟପରୁ ବେଆଇନ ଭାବରେ ପ୍ରଶ୍ନପତ୍ର ହାସଲ କରିଥିବା ଜାଣିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ଜିତନ ଏହି ପ୍ରଶ୍ନପତ୍ର ଗୁଡ଼ିକୁ ବିଜୟ କୁମାର ମିଶ୍ର, ସନାତନ ବିଶୋୟୀ ଏବଂ ଅନ୍ୟମାନଙ୍କ ନିକଟକୁ ପଠାଇ ବିକ୍ରି କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚାକିରୀରେ ନିୟମିତତା ଏବଂ ଦରମା ବୃଦ୍ଧି ଭଳି ସୁବିଧା ପାଇଁ ଯୋଗ୍ୟତା ହାସଲ କରିବାକୁ ଚାହୁଁଥିବା ଶିକ୍ଷକମାନଙ୍କୁ ଅଭିଯୁକ୍ତମାନେ ଟାର୍ଗେଟ କରିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଡିଆଇଜି (କ୍ରାଇମବ୍ରାଞ୍ଚ) ଶ୍ରୀ ବାତୁଳା ଗଙ୍ଗାଧର ଉପସ୍ଥିତ ଥିଲେ।

ବିଭିନ୍ନ ଶ୍ରମ ଆଇନ ଉପରେ ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ୩ ଦିନିଆ ତାଲିମ କାର୍ଯକ୍ରମ ଉଦ୍ଘାଟିତ

ଯୋଗ ଦେଲେ ୪୦ ସହକାରୀ ଶ୍ରମ ଅଧିକାରୀ

ଭୁବନେଶ୍ୱର, ୨୯/୦୭: ରାଜ୍ୟ ଶ୍ରମ ବିଭାଗ ଦ୍ୱାରା ବିଭିନ୍ନ ଶ୍ରମ ଆଇନ ଉପରେ ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ଏକ ୩ ଦିନିଆ ତାଲିମ କାର୍ଯକ୍ରମ ରାଜ୍ୟ ଶ୍ରମ ସଂସ୍ଥାନର ସମ୍ମିଳନୀ କକ୍ଷରେ ଉଦ୍ଘାଟିତ ହୋଇଯାଇଛି।

ଏହି ତାଲିମ କାର୍ଯକ୍ରମକୁ ଶ୍ରମ ଆୟୁକ୍ତ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ, ଆଇ.ଏ.ଏସ. ଉଦଘାଟନ କରିଥିଲେ । ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ଦେଶକ, ରାଜ୍ୟ ଶ୍ରମ ସଂସ୍ଥାନ ଶ୍ରୀ ନୀତି ରଞ୍ଜନ ଶେନ ଉଦ୍ଘାଟନୀ କାର୍ଯକ୍ରମକୁ ସଂଚାଳନା କରିଥିଲେ । ଅନ୍ୟାନ୍ୟ ଅତିଥି ଭାବେ ଶ୍ରୀ ନରେଶ ଚନ୍ଦ୍ର ସାହୁ, ପୂର୍ବତନ ଯୁଗ୍ମ ଶ୍ରମ ଆୟୁକ୍ତ ଯୋଗଦାନ କରିଥିଲେ । ଶ୍ରୀ ବିଘ୍ନଜିତ ମହନ୍ତ ମହାପାତ୍ର, ଯୁଗ୍ମ ଶ୍ରମ ଆୟୁକ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Wednesday, July 30, 2025

ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ ୨୧ ବର୍ଷ ହୋଇଥିବା ମହିଳାମାନେ ଏଥର ଆବେଦନ କରିପାରିବେ

ଆବେଦନ କରିବେ ହିତାଧିକାରୀ: ଉପମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, ୩୦/୦୭: ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ। ଆବେଦନ କରି ପାରିବେ ବାଦ ପଡିଥିବା ମହିଳା ହିତାଧୀକାରୀ। ୨୧ ବର୍ଷ ହୋଇଥିବା ମହିଳାମାନେ ଏଥର ଆବେଦନ କରିପାରିବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଅଗଷ୍ଟ ୯ରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ଏହା ପରେ ପୋର୍ଟାଲ ଖୋଲିବ। ୯୩ ହଜାର ମହିଳାଙ୍କୁ ୬୦ ବର୍ଷ ହେଲାଣି। ୬୦ ବର୍ଷ ପୂରୁଥିବାରୁ ଭତ୍ତା ପାଇବା ପାଇଁ ସେମାନଙ୍କ ନାଁ ପଠାଯାଇଛି। ତେଣୁ ବାଦ ପଡିଥିବା ୨ ଲକ୍ଷ ମହିଳା ହିତାଧୀକାରୀ ଏଥିରେ ଯୋଡ଼ି ହେବେ।


https://youtube.com/@coastalnewsodia?si=AB2TB8we6wtbHMXy

ପୁରାତନ ମନ୍ଦିର ଗୁଡିକର ଉନ୍ନତିକରଣ ଓ ସଂରକ୍ଷଣ ନେଇ ସମୀକ୍ଷା ବୈଠକ

ରାଜ୍ୟରେ ସର୍ବୋତ୍ତମ ମନ୍ଦିର ପରିଚାଳନା ନେଇ ଆସିବ ମାର୍ଗଦର୍ଶିକା: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର, ୩୦/୦୭: ରାଜ୍ୟରେ ଥିବା ପୁରାତନ ମନ୍ଦିର ଗୁଡିକର ଶୃଙ୍ଖଳିତ ରୀତିନୀତି ଓ ପରିଚାଳନା ନେଇ ସର୍ବୋତ୍ତମ ନୀତି ଆସିବ I ଏଥି ସହିତ ମନ୍ଦିରର ଉନ୍ନତିକରଣ ଓ ସଂରକ୍ଷଣକୁ ମଧ୍ୟ ଗୁରୁତ୍ୱ ଦିଆଯିବ I ଏଥିଲାଗି ଅନ୍ୟ ରାଜ୍ୟ ଯଥା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଭଳି ପ୍ରମୁଖ ରାଜ୍ୟ ଗୁଡିକରେ ମନ୍ଦିର ପରିଚାଳନାକୁ ଅନୁଧ୍ୟାନ କରାଯାଇ ଓଡିଶା ଲାଗି ସର୍ବୋତ୍ତମ ନୀତି ପ୍ରଣୟନ କରାଯିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି I

ଆଜି ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରି କହିଲେଯେ ଦେବୋତ୍ତର ବିଭାଗର ଅଧିକାରୀମାନେ ବିଭିନ୍ନ ଅଂଚଳ ଗସ୍ତକରି ରାଜ୍ୟରେ ଥିବା ପୁରାତନ ମନ୍ଦିର ସ୍ଥିତି ସମ୍ପର୍କରେ ତଥ୍ୟ ହାସଲ କରିବାକୁ ପଡିବ I ଯାହାକୁ ଆଧାର କରି ମନ୍ଦିରର ଶୃଙ୍ଖଳିତ ରୀତି ନୀତି ସହ ଖରାପ ଅବସ୍ଥାରେ ଥିବା ମନ୍ଦିର ଗୁଡିକର ମରାମତି ଓ ସଂରକ୍ଷଣ ସମ୍ଭବ ହୋଇ ପାରିବ I

ସେହିଭଳି ସାଧାରଣ ଲୋକଙ୍କ ଲାଗି ଆବଶ୍ୟକ ସମସ୍ତ ତଥ୍ୟ ଉପଲବ୍ଧ ହେବା ଭଳି ଦେବୋତ୍ତର କମିଶନରଙ୍କ ୱେବସାଇଟର ଆଧୁନିକୀକରଣ, ଦେବୋତ୍ତର ତଥା ବ୍ୟକ୍ତିଗତ ମାଲିକାନାରେ ଥିବା ମନ୍ଦିର ଗୁଡିକର ସଠିକ ନୀତିକାନ୍ତି, ପର୍ବପର୍ବାଣୀ ଆୟୋଜନ, ମନ୍ଦିର ପରିଚାଳନା ପାଇଁ ସ୍ୱତନ୍ତ୍ର ଅନୁଦାନ, ସତ୍ଵଲିପି ଅନୁଯାଇ ସେବାପୂଜା ଅଧିକାର, ଟ୍ରଷ୍ଟ ବୋର୍ଡର ଦାୟିତ୍ୱ ଓ କର୍ତ୍ତବ୍ୟ, OHRE Act 1951 ର ପ୍ରାବଧାନ ଅନୁସାରେ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଗୁଡିକର ସୁପରିଚାଳନା, ଦେବୋତ୍ତର ନିରୀକ୍ଷକଙ୍କ ଦାୟିତ୍ୱ ଏବଂ ସରକାରୀ କାର୍ଯ୍ୟକୁ ତ୍ୱରିତ ଢଙ୍ଗରେ ଆଗେଇ ନେବା ପାଇଁ ନୂତନ ନିଯୁକ୍ତି ନେଇ ବୈଠକରେ ଆଲୋଚନା ହୋଇଥିଲା I

ସବୁ ଧାର୍ମିକ ଅନୁଷ୍ଠାନ ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ I ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକ, ଦେବୋତ୍ତର କମିଶନର ଶ୍ରୀ ଲଲାଟେନ୍ଦୁ ଜେନା, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଣବ କୁମାର ପାତ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ଶିବ ପ୍ରସାଦ ମହାପାତ୍ର ଓ ଶ୍ରୀ ଭଗବାନ ପ୍ରସାଦ ସାହୁଙ୍କ ସମେତ ଦେବୋତ୍ତର ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ I

https://youtube.com/@coastalnewsodia?si=AB2TB8we6wtbHMXy

COASTAL NEWS

ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ.

‘ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ... ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ମନ୍ଥା’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ପ୍ରଭାବିତ ହୋ...