AFFILIATE MARKETING

https://binomo.com?a=90810425bb57&t=0

Saturday, August 19, 2023

ବ୍ରିଟେନରେ ଥିବା ଜଣେ ନର୍ସ ସ୍ୱୀକାର କରିଛନ୍ତି ଯେ, ମୁଁ ସୈତାନ

 COASTAL NEWS 430

ବ୍ରିଟେନରେ ଥିବା ଜଣେ ନର୍ସ ସ୍ୱୀକାର କରିଛନ୍ତି ଯେ, ମୁଁ ସୈତାନ




ବ୍ରିଟେନ୍- ଡାକ୍ତର ଦ୍ୱିତୀୟ ଭଗବାନ ବୋଲି କୁହାଯାଉଥିବା ବେଳେ ନର୍ସମାନେ ବି ସମାନ ସମ୍ମାନର ହକଦାର ଅଟନ୍ତି। ସେମାନେ ମରଣ ମୁହଁରୁ ମଣିଷକୁ ଫେରାଇ ଆଣିବାକୁ ଆପ୍ରାଣ ଚେଷ୍ଟା କରିଥାନ୍ତି। ମାତ୍ର ବ୍ରିଟେନରେ ଥିବା ଜଣେ ନର୍ସ ସ୍ୱୀକାର କରିଛନ୍ତି ଯେ, ମୁଁ ସୈତାନ ।’ କାରଣ ସେ ନିଜ ହାତରେ ୭ ନବଜାତ ଶିଶୁଙ୍କ ଜୀବନ ନେଇଥିବା ସ୍ୱୀକାର କରିଛନ୍ତି। ପୁଲିସ୍‌ ସମ୍ପୃକ୍ତ ନର୍ସଙ୍କୁ ଗିରଫ କରିଥିବା ବେଳେ ଘଟଣାର ଖୁଲାସା ହୋଇଛି। ଏହି ନର୍ସଙ୍କୁ ଧରାଇବାରେ ଜଣେ ଭାରତୀୟ ଡାକ୍ତର ବି ପୁଲିସ୍‌କୁ ସହଯୋଗ କରିଥିବା ଜଣାଯାଇଛି।

୩୩ ବର୍ଷୀୟା ଏପରି ନୃଶଂସ ନର୍ସ ହେଉଛନ୍ତି ଲେଟବୀ । ସେ ଉତ୍ତର ବ୍ରିଟେନର ଏକ ହସ୍ପିଟାଲରେ କାର୍ଯ୍ୟରତ ଥିଲେ। ଏହି ସମୟରେ ୨୦୧୫ ଜୁନ୍‌ରେ ୩ ସୁସ୍ଥ ଶିଶୁଙ୍କ ମୃତ୍ୟୁ ପରେ ଚିକିତ୍ସକମାନେ ଚିନ୍ତା ପ୍ରକଟ କରିଥିଲେ। ମାତ୍ର ଧୀରେ ଧୀରେ ଏହି ସଂଖ୍ୟା ବଢ଼ି ୭ରେ ପହଞ୍ଚିଥିଲା।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ଲେଟବୀଙ୍କୁ ଗିରଫ କରିଥିଲା। ଏହି ମାମଲାର ବିଚାର ଚାଲିଥିବା ବେଳେ ଗତକାଲି ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସନ୍ତା ସୋମବାର ତାଙ୍କ ବିରୋଧରେ ଦଣ୍ଡ ବିଧାନ ଘୋଷଣା କରାଯିବ ।

ଲେଟବୀ ଏପରି ନୃଶଂସ ଭାବେ ଛୋଟ ଛୁଆଙ୍କୁ ମାରି ଦେଉଥିଲେ ଯିଏ ଶୁଣିବ ତା’ ଲୋମ ଟାଙ୍କୁରି ଉଠିବ । ସେ କେତେବେଳେ ନବଜାତଙ୍କୁ ଅତ୍ୟଧିକ କ୍ଷୀର ପିଆଇ ତାଙ୍କ ଜୀବନ ନେଉଥିଲେ ତ କେତେବେଳେ ତାଙ୍କ ରକ୍ତରେ ପବନ ପଶାଇ ଦେଉଥିଲେ ତ କେତେବେଳେ ଇନସୁଲିନ ଦେବାକୁ ପଛାଉ ନ ଥିଲେ। ଆଉ ଏହା ସମ୍ପର୍କରେ ଯେପରି କେହି ଜାଣି ନ ପାରିବେ ସେତେବେଳେ ସେ ଏହାକୁ ସ୍ୱାଭାବିକ ମୃତ୍ୟୁ ପରି ଚିତ୍ରଣ କରୁଥିଲେ।

ମାତ୍ର ସ୍ୱାଭାବିକ ଶିଶୁଙ୍କ ଏପରି ମୃତ୍ୟୁ ଘଟଣାକୁ ଚିକିତ୍ସକମାନେ ଗୁରୁତର ସହ ନେଇଥିବା ବେଳେ ଏହାପରେ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରି ଲେବବୀଙ୍କୁ ବାନ୍ଧିଥିଲେ। ଏହାପରେ ଲେବବୀଙ୍କ ଘର ଯାଞ୍ଚ ବେଳେ ପୁଲିସ୍‌ ଯେଉଁ ସବୁ ନୋଟ୍‌ ପାଇଲା ପୁଲିସ୍‌ ପାଦ ତଳୁ ମାଟି ଖସିଗଲା। ଉକ୍ତ ଚିଠିରେ ଲେଖାଥିଲା, ମୁଁ ସୈତାନ । ମୁଁ ଜାଣିଶୁଣି ସମସ୍ତ ଶିଶୁଙ୍କୁ ମାରି ଦେଇଛି। ମୁଁ ବହୁତ ଖରାପ ।

ମଞ୍ଚେଷ୍ଟର କ୍ରାଉନ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ନର୍ସ ଲେଟବୀ ୭ ଶିଶୁଙ୍କୁ ହତ୍ୟା କରିଥିବା ପ୍ରମାଣିତ ହେଲା। ଏଥିସହ ୬ ଶିଶୁଙ୍କୁ ସେ ହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି।

ଏ ସମ୍ପର୍କରେ ଇଂଲଣ୍ଡରେ କାର୍ଯ୍ୟରତ ଭାରତୀୟ ଡାକ୍ତର ରବି ଜୟରାମ କହିଛନ୍ତି, ପୂର୍ବରୁ ନର୍ସ ଲୁସି ଲେଟବୀଙ୍କ ଉପରେ ଧ୍ୟାନ ଦିଆଯାଇଥିଲେ ହୁଏତ କିଛି ନୀରିହ ଶିଶୁ ବଞ୍ଚି ଯାଇଥାନ୍ତେ। ଫଳରେ ସେମାନେ ଏବେ ସ୍କୁଲ ଯାଉଥାନ୍ତେ।

ଏପଟେ ନିଆଁରେ ଜଳୁଥିଲା ହସ୍ପିଟାଲ୍, ସେପଟେ ଚାଲିଥିଲା ଅପରେସନ୍

 COASTAL NEWS 429

ଏପଟେ ନିଆଁରେ ଜଳୁଥିଲା ହସ୍ପିଟାଲ୍, ସେପଟେ ଚାଲିଥିଲା ଅପରେସନ୍



ବାରିପଦା - ଏମିତି ଏକ ଖବର ଯାହା ଭୟ ଓ ଆତଙ୍କ ଭିତରେ ଆଣିଦେଇଛି ଖୁସିର ଲହରି । ଏପଟେ ନିଆଁରେ ଜଳୁଥିଲା ହସ୍ପିଟାଲ୍, ସେପଟେ ଚାଲିଥିଲା ଅପରେସନ୍ । ମନରେ ବଢୁଥିଲା ଭୟ, ତଥାବି ହାର ମାନିନଥିଲେ ଭଗବାନ ରୂପି ଡାକ୍ତର ।

ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ଓଟିରେ ଚାଲିଥିଲା ଅପରେସନ । ଅପରେସନ ଟେବୁଲରେ ଶୋଇଥିଲେ ପ୍ରସୁତି । ଆଉ ଖବର ଆସିଲା ହସ୍ପିଟାଲରେ ଲାଗିଯାଇଛି ନିଆଁ । ରୋଗୀଙ୍କୁ ସ୍ଥାନାନ୍ତର କରିବା ଥିଲା ବଡ ଚ୍ୟାଲେଞ୍ଜ । ହେଲେ ପ୍ରସୁତିଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଅପରେସନ ଶେଷ କରିଥିଲେ ଡାକ୍ତର । ଆଉ ଅପରେସନ୍ ସରିବା ପରେ ହସ୍ପିଟାଲରେ ଖେଳିଯାଇଥିଲା ଖୁସିର ଲହରି । ସଫଳ ଅପରେସନ୍ ପରେ ଜନ୍ମ ନେଇଛି ଶିଶୁପୁତ୍ର । ତେବେ ଉଭୟ ମାଆ ଓ ଶିଶୁ ସୁରକ୍ଷିତ ଥିବା ସୂଚନାରୁ ଜଣାପଡିଛି । ଏସଏନସିୟୁରେ ଶିଶୁ ଓ ଆଇସିୟୁରେ ଅଛନ୍ତି ମା’

ଏଥିରୁ ଅନୁମାନ କରନ୍ତୁ କେତେ ଭୟାବହ ଥିଲା ମେଡିକାଲରେ ଅଗ୍ନିକାଣ୍ଡ ଘଟଣା । ସୌଭାଗ୍ୟରୁ କାହାରି ଜୀବନ ହାନି ହୋଇନାହିଁ । ଏକ ବଡ ଦୁର୍ଘଟଣାରୁ ବର୍ତି ଯାଇଛନ୍ତି ଚିକତ୍ସିତ ହେଉଥିବା ରୋଗୀ । ଅଗ୍ନିକାଣ୍ଡ ଯୋଗୁଁ ପ୍ରସୂତୀ ବିଭାଗ ଓଟି ଓ ଆଇସିୟୁ କ୍ଷତିଗ୍ରସ୍ତ ହୋଇଥିଲେ ବି ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ଅଗ୍ନିଶମ ବାହିନୀ ଓ ମେଡିକାଲ କର୍ତୁପକ୍ଷ ।

ଦେଶର ପ୍ରଥମ ଥ୍ରୀଡି ଡାକଘର

 COASTAL NEWS 428

ଦେଶର ପ୍ରଥମ ଥ୍ରୀଡି ଡାକଘର



ବେଙ୍ଗାଲୁରୁ - ଦେଶର ପ୍ରଥମ ଥ୍ରୀଡି ଡାକଘର । ଶୁଣିବାକୁ ନୂଆ ଲାଗୁଥିଲେ ବି କଥାଟି ସମ୍ପୂର୍ଣ୍ଣ ଭାବେ ସତ । ଦେଶର ପ୍ରଥମ ଥ୍ରୀଡି ପ୍ରିଣ୍ଟିଂ ଡାକଘର ଏବେ ବେଙ୍ଗାଲୁରରେ ଖୋଲିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଥ୍ରୀଡି ପୋଷ୍ଟ ଅଫିସର ଉଦଘାଟନ କରିଛନ୍ତି । ଏକହଜାର ୨୧ ସ୍କୋୟର ଫିଟରେ ନିର୍ମିତ ହୋଇଛି ଏହି ଅତ୍ୟାଧୁନିକ ଡାକଘର । ଆଇଆଇଟି ମାଡ୍ରାସର ତତ୍ୱାବଧାନରେ ବିଦେଶୀ କମ୍ପାନୀ ଲାର୍ସନ ଆଣ୍ଡ ଟ୍ରୁବୋ ଏହାର ନିର୍ମାଣ କରିଛି ।


ଉଦଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗତକାଲି ଯାହା ସ୍ୱପ୍ନ ପରି ଲାଗୁଥିଲା ତାକୁ ଏବେ ସତ କରି ଦେଖାଉଛନ୍ତି ମୋଦୀ ସରକାର । ବିକାଶ କ୍ଷେତ୍ରରେ ଆଉ ପାଦେ ବଢିଛି ଦେଶ । ୪୫ ଦିନରେ ଶେଷ ହୋଇଛି ଏହି ଥ୍ରୀଡି ଡାକଘର । ଥ୍ରୀଡି ଉପାୟରେ ନିର୍ମାଣ କାର୍ଯ୍ୟ ଖୁବ କମ ସମୟରେ ସମ୍ଭବ ହୋଇପାରିଛି ।

ଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ନିଜ ଆଙ୍ଗୁଠି କାଟୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି

 COASTAL NEWS 427

ଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ନିଜ ଆଙ୍ଗୁଠି କାଟୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି



ମହାରାଷ୍ଟ୍ର - ମୋ’ ଭାଇ, ଭାଉଜ ଆତ୍ମହତ୍ୟା କରିଥିବା ବେଳେ ଉଜଡ଼ିଗଲା ମୋ’ ପରିବାର। ହେଲେ ସେମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପଛଘୁଞ୍ଚା ଦେଉଛି ପୁଲିସ୍‌। ତେଣୁ ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ମୁଁ ପ୍ରତି ସପ୍ତାହରେ ମୋ’ ଶରୀରର ଏକ ଅଙ୍ଗ କାଟିବି।’ ଭିଡିଓରେ ଏପରି କହି ଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ନିଜ ଆଙ୍ଗୁଠି କାଟୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଆଙ୍ଗଠିକୁ ସେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶଙ୍କ ନିକଟକୁ ପଠାଇଥିବା ଜଣାଯାଇଛି। ପୁଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଘଟଣାର ଯାଞ୍ଚ ଆରମ୍ଭ କରିଛି। ଏପରି ଏକ ଘଟଣା ମହାରାଷ୍ଟ୍ରର ଉଲ୍ଲାସ ନଗରରେ ଘଟିଛି। 

ଭିଡିଓରେ ଦେଖିବାକୁ ମିଳିଛି ଧନଞ୍ଜୟ ନାନାବରେ ନାମକ ବ୍ୟକ୍ତି କହୁଛନ୍ତି, ମୋ’ ଭାଇ, ଭାଉଜ ଆତ୍ମହତ୍ୟା ପୂର୍ବରୁ ସେମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଥିବା ସମସ୍ତ ଅଭିଯୁକ୍ତଙ୍କ ନାମ କହି ସାରିଛନ୍ତି। ସେମାନଙ୍କ ମଧ୍ୟରେ ବହୁ କ୍ଷମତାଶାଳୀ ଲୋକ ଥିବାରୁ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ତେଣୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ମୁଁ ପ୍ରତି ସପ୍ତାହରେ ଏହିପରି ମୋ’ ଶରୀରର ଅଙ୍ଗ କାଟୁଥିବି।

ଧନଞ୍ଜୟଙ୍କ ଭାଇ ନନ୍ଦ କୁମାର ଓ ଭାଉଜ ଉର୍ମିଳା ନିଜ ପରିବାର ସହ ଉଲ୍ଲାସନଗରରେ ରହୁଥିଲେ। ନନ୍ଦକୁମାର ପ୍ରଥମେ ପୂର୍ବତନ ବିଧାୟକ ଜ୍ୟୋତି କଲାନୀଙ୍କ ବ୍ୟକ୍ତିଗତ ସହାୟକ ରୂପେ କାମ କରୁଥିଲେ। ଏହାପରେ ସେ ବିଧାୟକ ବାଲାଜୀ କିନିକରଙ୍କ ବ୍ୟକ୍ତିଗତ ସହାୟକ ରୂପେ କାମ କରୁଥିଲେ।

ମାତ୍ର ୨୦ ଦିନ ପୂର୍ବେ ନନ୍ଦ କୁମାର ନିଜ ପତ୍ନୀ ଉର୍ମିଳାଙ୍କ ସହ ମିଶି ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କିଛି ଦିନ ପୂର୍ବରୁ ଧନଞ୍ଜୟ ଏକ ଭିଡିଓ କରିଥିବା ବେଳେ ସେଥିରେ ସେ କିଛି ବ୍ୟକ୍ତିଙ୍କ ନାମ ନେଇଛନ୍ତି। ସଂଗ୍ରାମ ନିକଲଜେ, ରଞ୍ଜିତସିଂହ ନାଇକ ନିମ୍ବାଲକର, ଜ୍ଞାନେଶ୍ୱର ଦେଶମୁଖ ଓ ନିତୀନ ଦେଶମୁଖ ନାମକ ବ୍ୟକ୍ତିମାନେ ସେମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଥିବା ସେ କହିଛନ୍ତି। ଏଥିସହ ଏ ସଂକ୍ରାନ୍ତୀୟ ଏକ ଚିଠି ବି ସେ ନିଜ ପକେଟରେ ରଖିଥିଲେ।

ସବୁ ପ୍ରମାଣ ଥାଇ ବି ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପଛଘୁଞ୍ଚା ଦେଉଛି। ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲିଣି। ହେଲେ କିଛି ଫଳ ମିଳୁନି। ତେଣୁ ନିଜ ଆଙ୍ଗୁଠି କାଟିବାକୁ ବାଧ୍ୟ ହେଉଛି। ପୁଲିସ୍‌ ଘଟଣାର ତଦନ୍ତ ନ କରି ଅଭିଯୁକ୍ତଙ୍କୁ ଗିରଫ ନ କଲେ ସବୁ ସପ୍ତାହରେ ଶରୀରର ଏପରି ଗୋଟିଏ ଲେଖା ଅଙ୍ଗ କାଟୁଥିବା ବୋଲି ସେ କହିଛନ୍ତି ।

ଖବର ପାଇ ପୁଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିସହ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର (ବିକ୍ରମ) ଚନ୍ଦ୍ରପୃଷ୍ଠର ଅଧିକ ନିକଟତର ହୋଇଛି

 COASTAL NEWS 426

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର (ବିକ୍ରମ) ଚନ୍ଦ୍ରପୃଷ୍ଠର ଅଧିକ ନିକଟତର ହୋଇଛି



ବେଙ୍ଗାଲୁରୁ :  ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର (ବିକ୍ରମ) ଚନ୍ଦ୍ରପୃଷ୍ଠର ଅଧିକ ନିକଟତର ହୋଇଛି। ପ୍ରୋପୁଲଜନ ମଡ୍ୟୁଲ (ପିଏମ୍‌)ରୁ ଅଲଗା ହୋଇଥିବା ବିକ୍ରମକୁ ଶୁକ୍ରବାର ଡିବୁଷ୍ଟିଂ (ବେଗ ହ୍ରାସ) କରାଯାଇ ଚନ୍ଦ୍ର ପୃଷ୍ଠର ନିକଟତର କରାଯାଇଛି। ଯେତେବେଳେ ଲ୍ୟାଣ୍ଡର(ବିକ୍ରମ) ୯୦ଡିଗ୍ରୀ ବୁଲାଣି ନେଇ ଚନ୍ଦ୍ରପୃଷ୍ଠ ଆଡ଼କୁ ଗତି କରିଥାଏ ଓ ଏହା ଚନ୍ଦ୍ରପୃଷ୍ଠ ଠାରୁ ପ୍ରାୟ ୩୦କି.ମି. ଦୂରରେ ଥାଏ ସେତେବେଳେ ବୈଜ୍ଞାନିକମାନେ ଏହାର ଗତି କମାଇଥାନ୍ତି। ଏହି ପ୍ରକ୍ରିୟାକୁ ଡିବୁଷ୍ଟିଂ କୁହାଯାଏ। ଚନ୍ଦ୍ରପୃଷ୍ଠରେ ମହାକାଶଯାନ ଅବତରଣ ପାଇଁ ଡିବୁଷ୍ଟିଂ ଜରୁରୀ।

ଯୋଜନା ଅନୁଯାୟୀ ଅଗଷ୍ଟ ୨୩ରେ ବିକ୍ରମକୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଯିବ। ତେଣୁ ବିକ୍ରମକୁ ଚନ୍ଦ୍ରପୃଷ୍ଠର ନିକଟରୁ ନିକଟତମ ସ୍ତରକୁ ନେବା ଲାଗି ଏହାର ଡିବୁଷ୍ଟିଂ ପ୍ରକ୍ରିୟା ଜାରି ରହିବ। ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ଡିବୁଷ୍ଟିଂ ସଫଳତାର ସହ ଶେଷ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଡିବୁଷ୍ଟିଂ ପରେ ବିକ୍ରମ ଚନ୍ଦ୍ରର ୧୧୩ କି.ମି.x ୧୫୭ କି.ମି. କକ୍ଷ ପଥରେ ରହିଛି। ଅଗଷ୍ଟ ୨୦ ରବିବାର ଏହାକୁ ଦ୍ବିତୀୟ ଡିବୁଷ୍ଟିଂ କରାଯିବ। ଏପରିକି ବିକ୍ରମକୁ ଚନ୍ଦ୍ରପୃଷ୍ଠର ୩୦ କି.ମି. ନିକଟକୁ ନେବାକୁ ପ୍ରୟାସ କରାଯିବ। ଡିବୁଷ୍ଟିଂ ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ବିକ୍ରମର ବେଗକୁ ହ୍ରାସ କରାଯାଇ ନିମ୍ନ କକ୍ଷ ପଥକୁ ନିଆଯାଇଥାଏ। ଗୁରୁବାର ବିକ୍ରମ ସହିତ ପ୍ରଜ୍ଞାନ ପ୍ରୋପୁଲଜନ ମଡ୍ୟୁଲରୁ ଅଲଗା ହୋଇଥିଲା।

ଅନ୍ୟପକ୍ଷରେ ଶୁକ୍ରବାର ଇସ୍ରୋ ଚନ୍ଦ୍ରର କେତେକ ଫଟୋକୁ ଜାରି କରାଯାଇଛି। ଅଗଷ୍ଟ ୧୫ ଓ ୧୭ ତାରିଖରେ ଲ୍ୟାଣ୍ଡର ବିକ୍ରମ ଉତ୍ତୋଳନ କରିଥିବା ଫଟୋକୁ ଇସ୍ରୋ ଜାରି କରିଛି। ଲ୍ୟାଣ୍ଡର ପୋଜିସନ୍ ଡିଟେକସନ୍ କ୍ୟାମେରା ଏହି ଫଟୋକୁ ଉତ୍ତୋଳନ କରିଥିଲା। ଜୁଲାଇ ୧୪ରେ ଚନ୍ଦ୍ରଯାନ-୩କୁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ର ଅଭିମୁଖେ ଉତ୍‌କ୍ଷେପଣ କରାଯାଇଥିଲା। ଏହାପୂର୍ବରୁ ଚନ୍ଦ୍ରଯାନ-୩ର ଅବତରଣକାରୀ ଅଂଶ (ଲ୍ୟାଣ୍ଡିଂ ମଡ୍ୟୁଲ)କୁ ପ୍ରୋପ୍ୟୁଲଜନ୍

ମଡ୍ୟୁଲରୁ ସଫଳତାର ସହିତ ଅଲଗା କରାଯାଇଥିଲା। ଲ୍ୟାଣ୍ଡିଂ ମଡ୍ୟୁଲ୍‌ରେ ଦୁଇଟି ଅଂଶ ରହିଛି। ଗୋଟିଏ ହେଉଛି ବିକ୍ରମ (ଲ୍ୟାଣ୍ଡର) ଓ ଅନ୍ୟଟି ହେଉଛି ପ୍ରଜ୍ଞାନ (ରୋଭର)। ପ୍ରୋପ୍ୟୁଲଜନ ମଡ୍ୟୁଲରୁ ଲ୍ୟାଣ୍ଡିଂ ମଡ୍ୟୁଲକୁ ଅଲଗା କରାଯିବା ଚନ୍ଦ୍ରଯାନ-୩ର ଅଭିଯାନ ପାଇଁ ଏକ ମାଇଲଖୁଣ୍ଟ। ବିକ୍ରମକୁ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରାଯିବା ପରେ ଏହା ମଧ୍ୟରେ ଥିବା ପ୍ରଜ୍ଞାନ ବାହାରକୁ ବାହାରି ଚନ୍ଦ୍ରପୃଷ୍ଠରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରିବ। ବୁଧବାର ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଧାର୍ଯ୍ୟ କକ୍ଷପଥ ୧୫୩ କି.ମି x ୧୬୩ କି.ମିରେ ପହଞ୍ଚିବା ପରେ ପ୍ରୋପ୍ୟୁଲଜନ ମଡ୍ୟୁଲ୍‌ରୁ ଲ୍ୟାଣ୍ଡିଂ ମଡ୍ୟୁଲକୁ ଅଲଗା କରିବା ପ୍ରକ୍ରିୟାର ଆରମ୍ଭ ହୋଇଥିଲା। ଲ୍ୟାଣ୍ଡିଂ ମଡ୍ୟୁଲକୁ ଚନ୍ଦ୍ରର ଧାର୍ଯ୍ୟ କକ୍ଷପଥ​‌େ​‌ର ପହଞ୍ଚାଇବା ପରେ ଅଲଗା ହୋଇଯାଇଥିବା ପ୍ରୋପ୍ୟୁଲଜନ ମଡ୍ୟୁଲ ଏବେ ଅନ୍ୟ ମହାଜାଗତିକ ଜୀବନ ସମ୍ପର୍କରେ ସନ୍ଧାନ କରିବ। ବିଶେଷକରି ସୌରମଣ୍ଡଳ ବାହାରେ ରହିଥିବା ଅନ୍ୟଗ୍ରହରେ ଜୀବଜଗତ ଅଛି କି ନାହିଁ ତା’ ଉପରେ ସନ୍ଧାନ କରିବ। ପ୍ରୋପ୍ୟୁଲଜନ ମଡ୍ୟୁଲ ଏହାର ସ୍ପୋ‌େକ୍ଟ୍ରାପୋଲାରିମେଟ୍ରି ଅଫ୍ ହାବିଟେବୁଲ ପ୍ଲାନେଟ ଆର୍ଥ (ସେପ୍‌) ନାମକ ପ୍ଲେଲୋଡକୁ ଉପଯୋଗ କରି ଏହି ସନ୍ଧାନ କାର୍ଯ୍ୟ କରିବ। ସେପ୍‌କୁ ବ୍ୟବହାର କରି ପ୍ରୋପ୍ୟୁଲଜନ ମଡ୍ୟୁଲ ସଂଗ୍ରହ କରିଥିବା ତଥ୍ୟ ପୃଥିବୀର ବାୟୁମଣ୍ଡଳ ବାବଦରେ ଅଧିକ ବେଜ୍ଞାନିକ ଗବେଷଣା କରିବାରେ ସହାୟକ ହେବ। ପ୍ରୋପ୍ୟୁଲଜନ ମଡ୍ୟୁଲ ଏହାର ବର୍ତ୍ତମାନର କକ୍ଷ ପଥରେ କିଛି ମାସ କିମ୍ବା ବର୍ଷ ପାଇଁ ଯାତ୍ରା ଜାରି ରଖିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଇସ୍ରୋ ସୂଚନାନୁଯାୟୀ, ୨୦୧୯ରେ ଭାରତ ପଠାଇଥିବା ଚନ୍ଦ୍ରଯାନ-୨ର ଅର୍ବିଟର ଏବେ ମଧ୍ୟ କାର୍ଯ୍ୟକ୍ଷମ ରହିଛି। ଚନ୍ଦ୍ରଯାନ-୩ର ଅର୍ବିଟର ମଧ୍ୟ ଏକ ଯୋଗାଯୋଗ ଉପଗ୍ରହ ଭଳି କାର୍ଯ୍ୟ କରିବ। ଭାରତ ବ୍ୟତୀତ ଚୀନ୍‌, ଆମେରିକା, ଦକ୍ଷିଣ କୋରିଆ ଓ ରୁଷିଆ ଚନ୍ଦ୍ର ପୃଷ୍ଠକୁ ନେଇ ଗବେଷଣା ଚଳାଇଛନ୍ତି। ନିକଟରେ ରୁଷିଆ ‘ଲୁନା’ ନାମରେ ଏକ ମହାକାଶ ଯାନ ଚନ୍ଦ୍ରକୁ ପଠାଇଛି। ଏହାକୁ ଅନେକ ଭାରତ ଓ ରୁଷିଆ ମଧ୍ୟରେ ଚନ୍ଦ୍ର ଅଭିଯାନର ପ୍ରତିଦ୍ବନ୍ଦ୍ବିତା ବୋଲି ଆଖ୍ୟା ଦେଉଛନ୍ତି।

Friday, August 18, 2023

୨୦୨୪ରେ ବିଜେପିକୁ ବହୁମତ ସମ୍ଭାବନା

 COASTAL NEWS 425

୨୦୨୪ରେ ବିଜେପିକୁ ବହୁମତ ସମ୍ଭାବନା



 

ନୂଆଦିଲ୍ଲୀ – ଇଣ୍ଡିଆଟୁଡେ ଏବଂ ସିନଏନ୍‌ଏକ୍ସ ପକ୍ଷରୁ କିଛି ଦିନ ତଳେ କରାଯାଇଥିବା ଜନମତ ସର୍ବେକ୍ଷଣରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ବହୁମତ ମିଳିବାର ସମ୍ଭାବନା ବ୍ୟକ୍ତ କରାଯାଇଛି । ନିର୍ବାଚନ ହେଲେ ବିଜେପି ଏବଂ ଏହା ସହଯୋଗୀ ଦଳ ୩୧୮ଟି ଆସନ ପାଇବେ ବୋଲି ଏହି ଜନମତ ସର୍ବେକ୍ଷଣରେ କୁହାଯାଇଥିଲା । କଂଗ୍ରେସ ଏବଂ ଏହାର ସହଯୋଗୀ ଆଇଏନ୍‌ଡିଆଇଏକୁ ୧୧୯ରୁ ୧୯୦ ମଧ୍ୟରେ ଆସନ ମିଳିପାରେ ବୋଲି ଜନମତ ସର୍ବେକ୍ଷଣ ବା ଏକ୍ସିଟ୍‌ ପୋଲ୍‌ରେ ଦର୍ଶାଯାଇଥିଲା । ଏବେ ଟାଇମସ୍‌ନାଓ ଏବଂ ନବଭାରତ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ବିଜେପି ଏବଂ ଏହାର ସହଯୋଗୀ ୨୯୦ରୁ ଅଧିକ ଆସନରେ ବିଜୟ ଲାଭ କରିବେ ବୋଲି କୁହାଯାଇଛି ।

ମାତ୍ର ତିନୋଟି ରାଜ୍ୟ ବିଜେପିର ଚିନ୍ତା ବଢାଇଛନ୍ତି । ତାମିଲନାଡୁ, ପଞ୍ଜାବ ଏବଂ କେରଳରେ ବିଜେପି ଭଲ ପ୍ରଦର୍ଶନ କରିବ ନାହିଁ ବୋଲି ପୂର୍ବାନୁମାନ କରାଯାଇଛି । ତାମିଲନାଡୁରେ ୩୯ ଲୋକ ସଭା ଆସନରୁ କଂଗ୍ରେସ, ଡିଏମ୍‌କେ ଏବଂ ଆଇଏନ୍‌ଡିଆଇଏ ୩୦ରୁ୩୪ ଆସନରେ ବିଜୟ ଲାଭ କରିବେ ବୋଲି ପୂର୍ବାନୁମାନ କରାଯାଇଛି । ଏନ୍‌ଡିଏକୁ ଏଠାରେ୪ରୁ୮ ଆସନ ମିଳିପାରେ ।

ପଞ୍ଜାବରେ ୧୩ଟି ଆସନରେ ଏନ୍‌ଡିଏ ୨ରୁ୩ଟି ଆସନରେ ବିଜୟଲାଭ କରିପାରେ ଏଠାରେ କଂଗ୍ରେସ ଏବଂ ଏହାର ସହଯୋଗୀଙ୍କୁ୮ରୁ୧୨ ଆସନ ମିଳିପାରେ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି କେରଳ ୨୦ଟି ଆସନରୁ ଗୋଟିକରେ ଏନ୍‌ଡିଏକୁ ସଫଳତା ମିଳିପାରେ ବୋଲି କୁହାଯାଇଛି । ହେଲେ ସାରା ଦେଶରେ ଅନ୍ୟ ରାଜ୍ୟମାନଙ୍କରେ ବିଜେପି ଏବଂ ଏହାର ସହଯୋଗୀମାନେ ଭଲ ପ୍ରଦର୍ଶନ କରିବେ ବୋଲି ଏହି ଜନମତ ସର୍ବେକ୍ଷଣରେ ସୂଚନା ଦିଆଯାଇଛି

ଭତ୍ତା ପାଇଁ ଟ୍ରଲିରେ ବୁହାହେଲେ ବୃଦ୍ଧା

 COASTAL NEWS 424

ଭତ୍ତା ପାଇଁ ଟ୍ରଲିରେ ବୁହାହେଲେ ବୃଦ୍ଧା 


 


ପାରଳାଖେମୁଣ୍ଡି : ଭତ୍ତା ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର ବ୍ୟବସ୍ଥା ବନ୍ଦ କରି ହିତାଧିକାରୀଙ୍କ ହାତରେ ଭତ୍ତା ଦେବା ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଯେଉଁ ହିତାଧିକାରୀ ଚାଲି ପାରୁନାହାନ୍ତି ସେମାନଙ୍କୁ ଘରେ ଭତ୍ତା ଟଙ୍କା ଦିଆଯିବା ବ୍ୟବସ୍ଥା ମଧ୍ୟ କରିଛନ୍ତି। ହେଲେ ଜଣେ ୯୫ ବର୍ଷର ବୃଦ୍ଧାଙ୍କୁ ଭତ୍ତା ପାଇବା ପାଇଁ ନାକେଦମ ହେବାକୁ ପଡ଼ିଛି। ଗଜପତି ଜିଲା ପାରଳାଖେମୁଣ୍ଡି ୱାର୍‌ ନମ୍ବର ୧୨ର ଲବଙ୍ଗ ଗୟାଙ୍କୁ ତିନିମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ମିଳି ନ ଥିଲା। ସମ୍ପର୍କୀୟ ଏକ ଟ୍ରଲିରେ ତାଙ୍କୁ ବୋହି ପ୍ରଥମେ ବ୍ୟାଙ୍କ ଓ ପରେ ପୌରପାଳିକା କାର୍ଯ୍ୟାଳୟକୁ ଆଣିବା ପରେ ତାଙ୍କୁ ଭତ୍ତା ଟଙ୍କା ମିଳିଛି।

ବୟସାଧିକ କାରଣରୁ ଲବଙ୍ଗ ଏବେ ଚାଲିବାକୁ ଅକ୍ଷମ। ଫଳରେ ସେ ଭତ୍ତା ଆଣିବା ପାଇଁ ଆଉ ଯାଇପାରୁ ନାହାନ୍ତି। ତେଣୁ ତାଙ୍କ ନାତି ଏକ ଟ୍ରଲିରେ ଭତ୍ତା ଟଙ୍କା ଆଣିବାକୁ ବ୍ୟାଙ୍କକୁ ନେଇଥିଲେ। ପୌରପାଳିକା ଅଫିସକୁ ଟଙ୍କା ପଠାଇ ଦିଆଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ। ପରେ ବୃଦ୍ଧାଙ୍କ ଝିଅ ଡାଳିମ୍ବ ବେଣିଆ ଓ ନାତି ଟ୍ରଲିରେ ଲବଙ୍ଗଙ୍କୁ ନେଇ ପୌର ପରିଷଦ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଲବଙ୍ଗଙ୍କୁ ବକେୟା ଭତ୍ତା ଟଙ୍କା ମିଳିଥିଲା। ଏ ସମ୍ପର୍କରେ ପାରଳା ପୌରପାଳିକା ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଥିଲେ।

ଟାଟା ପାୱାର ର ମନମାନି ହନ୍ତସନ୍ତ ହେଉଛନ୍ତି ଖାଉଟି

 COASTAL NEWS 423

ଟାଟା ପାୱାର ର ମନମାନି ହନ୍ତସନ୍ତ ହେଉଛନ୍ତି ଖାଉଟି 



ରାଜଗାଙ୍ଗପୁର - ଘରେ ନା ଅଛି ଏସି ନା ଅଛି ଟିଭି। ନା ଅଛି କୌଣସି ସୌଖିନ ଜିନିଷ। ଘର ବାହାରେ ଓ ଭିତରେ ଜଳୁଛି ଦୁଇଟି ବଲ୍‌। ତଥାପି ଗତ ମାସ ବିଦ୍ୟୁତ ବିଲ୍‌ ଆସିଛି ଅଧିକ ଟଙ୍କା। ଖାଲି ବିଲ୍‌ ଆସିନି, ନାଲି ଆଖି ମଧ୍ୟ ଦେଖାଇଛି ଟାଟା ପାୱାର୍‌। ଯାହାକୁ ନେଇ ଚିନ୍ତାରେ ଖାଉଟି। ଚାଷବାସ କରି ଚଳୁଥିବା ଗରିବ ମଳିମୁଣ୍ଡିଆଟିଏ। ପାଟିକୁ ଦାନା ଓ ଗାଣ୍ଡିକୁ କନା ଖଣ୍ଡିଏ ପାଇଁ କାହିଁ ତେକେ ସଂଘର୍ଷ କରିବାକୁ ପଡ଼ୁଥିବା ବେଳେ ଏତେ ଟଙ୍କା ଦେବେ କେମିତି ଜୋସେଫ କୁଜୁର?

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ୍‌ ସୋନାଖାନ୍‌ ଗାଁରେ ବାସ କରୁଥିଲେ ଜୋସେଫ କୁଜୁର। ଚାଷ କାମ କରି ଚଳୁଥିଲେ। ପରିବାର କହିଲେ ବାପାମାଆ ଓ ଝିଅ। ସକାଳ ହେଲେ ସମସ୍ତେ ଚାଷ କାମ ପାଇଁ ଚାଲି ଯାଉଥିଲେ। ଆଉ ସନ୍ଧ୍ୟାରେ ଘରକୁ ଫେରୁଥିଲେ। ସେହି ରାତି କେଇ ଘଣ୍ଟା ପାଇଁ ବିଦ୍ୟୁତ ବଲ୍‌ ଜଳାଉ ଥିଲେ ଜୋସେଫ୍‌। ୨୦୧୯ ମସିହାରେ ସେ ଘରକୁ ବିଦ୍ୟୁତ ସଂଯୋଗ ନେଇଥିଲେ। ପ୍ରତି ମାସ ଆସୁଥିବା ବିଲ୍‌ ପୈଠ କରୁଥିଲେ। ବେଳେ ବେଳେ କିଛି ବକେୟା ବାକି ରହିଯାଉଥିଲା। ତେବେ ୨୦୨୧ ମସିହାରେ ତାଙ୍କ ଘରକୁ ୬୯୯୯ ଟଙ୍କାର ବକେୟା ବିଲ୍‌ ଆସିଥିଲା। ଜୋସେଫ୍‌ ଜାଣିବା ପରେ ସମ୍ପୂର୍ଣ୍ଣ ବିଲ୍‌ ପୈଠ କରିଥିଲେ।

ପରବର୍ତ୍ତୀ ସମୟରେ ଜୋସେଫଙ୍କ ପରିବାର ମାଲିଢି ପଞ୍ଚାୟତ ଶୁଖାନଳା ଗାଁକୁ ପଳାଇ ଆସିଥିଲେ। ସେଠାରେ ଘର କରି ଆଜି ପର୍ଯ୍ୟନ୍ତ ରହି ଆସୁଛନ୍ତି। ଘରକୁ ନୂଆ ବିଦ୍ୟୁତ ସଂଯୋଗ ନେଇଥିଲେ। ସେଥିପାଇଁ ଆବଶ୍ୟକ ହୋଇଥିବା ଅର୍ଥ ମଧ୍ୟ ଜମା କରିଥିଲେ। ବିଦ୍ୟୁତ କନେକ୍‌ସନ୍‌ ନେଲା ପରେ ଘରେ କେବଳ ଦୁଇଟି ବଲ୍‌ ଜଳାଉଥିଲେ। ତାହା ପୁଣି ରାତିରେ କେଇ ଘଣ୍ଟା ପାଇଁ। ସେଥିପାଇଁ ତାଙ୍କ ଘରକୁ ପ୍ରତି ମାସ ୧୧୩ ବା ୧୧୫ ଟଙ୍କା ବିଲ୍‌ ଆସୁଥିଲା। ହେଲେ ଜୁଲାଇ ମାସରେ ଜୋସେଫଙ୍କ ଘରକୁ ୩୦,୯୦୮ ଟଙ୍କାର ବିଲ୍‌ ଆସିଥିଲା। ବିଲ୍‌ ପୈଠ କରିବା ପାଇଁ ତାଗିଦ୍‌ କରିଥିଲା ବିଦ୍ୟୁତ ବିତରଣ କମ୍ପାନୀ TPWODL। ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦେଇଥିଲା।

ତେବେ ଏଠି ପ୍ରଶ୍ନ ଉଠୁଛି, ଘରେ କୌଣସି ସୌଖୁନ୍‌ ସାମଗ୍ରୀ ନାହିଁ, ଦୁଇଟି ବଲ୍‌ ଜଳୁଛି, ତଥାପି ଏତେ ବିଲ୍‌ କେମିତି ଆସିଲା? TPWODL ଜାଣିଶୁଣି ଏମିତି ବିଲ୍‌ ପଠାଇଛି ନା ଅଜାଣତରେ ପଠାଇଛି। ଏହାକୁ ନେଇ ନାନା ପ୍ରଶ୍ନ ଉଠିଥିବା ବେଳେ ସ୍ଥାନୀୟ ଲୋକେ କହିଛନ୍ତି, TPWODL ଏମିତି ବିଲ୍‌ ପଠାଇ ଗରିବ ଲୋକଙ୍କୁ ହଇରାଣ ହରକତ କରୁଛି। ଏନେଇ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।

ତେବେ ଏନେଇ TPWODL ଏସ୍‌ଡିଇଓ ପବିତ୍ର ମୁଖାର୍ଜୀଙ୍କୁ ଯୋଗାଯୋଗ କରାଯାଇଥିଲା। ସେ ସଙ୍ଗେ ସଙ୍ଗେ ଜୋସେଫ୍‌ଙ୍କ ବିଲ୍‌ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଦେଖିବାକୁ ମିଳିଥିଲା, ତାଙ୍କର ବକେୟା ବିଲ୍‌ ପୈଠ ହୋଇଛି। ତେବେ ଜୁଲାଇ ମାସରେ କାହିଁକି ଏତେ ବିଲ୍‌ ଆସିଛି? ମିଟରରେ କେଉଁଠି ତ୍ରୁଟି ଥାଇପାରେ ବୋଲି ସେ କହିଛନ୍ତି।


21 ରୁ 23 ଭିତରେ ଲ୍ୟାଣ୍ଡ କରିବ ଚନ୍ଦ୍ର ଜାନ 3

 COASTAL NEWS 422

21 ରୁ 23 ଭିତରେ ଲ୍ୟାଣ୍ଡ କରିବ ଚନ୍ଦ୍ର ଜାନ 3



ନୂଆଦିଲ୍ଲୀ - ଆଗାମୀ ସପ୍ତାହ ଭାରତୀୟ ବିଜ୍ଞାନ ଜଗତ ପାଇଁ ବହୁତ ଖାସ ହେବାକୁ ଯାଉଛି । ଭାରତର ଗୁରୁତ୍ୱପୂର୍ଣ୍ଣ ମହାକାଶ ମିଶନ ଚନ୍ଦ୍ରଯାନ – ୩ ଚନ୍ଦ୍ରରେ ଲ୍ୟାଣ୍ଡ କରିବ । କୁହାଯାଉଛି ଯେ ଚନ୍ଦ୍ରଯାନ-୩ ଅଗଷ୍ଟ ୨୧-୨୩ ମଧ୍ୟରେ ଚନ୍ଦ୍ରର ସ୍ଥଳଭାଗରେ ଲ୍ୟାଣ୍ଡ କରିବ ଏବଂ ଏହା ନିଜର ସୁବର୍ଣ୍ଣ ନାମ ଇତିହାସ ପୃଷ୍ଠାରେ ସାମିଲ କରିବ । ଭାରତ ପାଇଁ ଏହା ହେଉଛି ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ମିଶନ, କିନ୍ତୁ ଆପଣ ଜାଣିଛନ୍ତି କି ଏହି ପ୍ରକାର ମିଶନ ଯୋଗୁଁ ଚନ୍ଦ୍ରରେ ‘ଟ୍ରାଫିକ ଜାମ୍’ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଭାରତ ଯେଉଁଭଳି ଭାବରେ ନିଜର ମିଶନ ପଠାଇଛି, ଠିକ ସେହିଭଳି ଅନେକ ଦେଶ ନିଜର ମିଶନ ଚନ୍ଦ୍ରକୁ ପଠାଇଛନ୍ତି ଏବଂ ଚନ୍ଦ୍ରର କକ୍ଷପଥରେ ଅନ୍ୟ ଦେଶର ଅନେକ ମିଶନ ରହିଛି, ଯାହା ଶୀଘ୍ର ଚନ୍ଦ୍ରରେ ଲ୍ୟାଣ୍ଡ କରିବ । ତେବେ ଆପଣ ଜାଣି ପାରୁଥିବେ ଯେ ଚନ୍ଦ୍ରର କକ୍ଷପଥରେ ବର୍ତ୍ତମାନ କିପରି ଭିଡ଼ ଲାଗିଛି ଏବଂ ମହାକାଶର ପରିବେଶ କିପରି ଅଛି ।

ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଚନ୍ଦ୍ରର କକ୍ଷପଥରେ ୬ଟି ଆକ୍ଟିଭ ମିଶନ ଏବଂ ଅନ୍ୟାନ୍ୟ ପ୍ରୋଜେକ୍ଟ ଲାଇନରେ ରହିଛି । ଚନ୍ଦ୍ରଯାନ ବ୍ୟତୀତ ଚନ୍ଦ୍ରର ଅର୍ବିଟରେ ନାସାର ଲୁନାର ରିକୋନାଇସନ୍ସ ଅର୍ବିଟର୍ (LRO) , ନାସାର ଆର୍ଟେମିସ୍ର ଦୁଇଟି ଭିନ୍ନ ମିଶନ, କୋରିଆ ପ୍ୟାଥ୍ ଫାଇଣ୍ଡର ଲୁନାର ଅର୍ବିଟର୍ ଏବଂ ନାସାର କ୍ୟାଷ୍ଟୋନ ସାମିଲ ରହିଛି । ଚନ୍ଦ୍ରଯାନ ବ୍ୟତୀତ ଏହି ସମସ୍ତ ମିଶନ ଚନ୍ଦ୍ରର କକ୍ଷପଥରେ ରହିଛି ।

ସୂଚନା ଥାଉ କି ନାସାର ଲୁନାର ରିକୋନାଇସନ୍ସ ଅର୍ବିଟର୍ ୨୦୦୯ରେ ଲଞ୍ଚ କରାଯାଇଥିଲା ଏବଂ ଏହା ମାଧ୍ୟମରେ ଚନ୍ଦ୍ର ପୃଷ୍ଠ ଭାଗର ମ୍ୟାପ ଜାଣିବା ପାଇଁ ଚେଷ୍ଟା କରାଯାଉଛି । ଏହା ବ୍ୟତୀତ, ARTEMIS ର P1 ଏବଂ P2 ମିଶନ୍ ଜୁନ୍ ୨୦୨୨ରୁ ଚନ୍ଦ୍ର କକ୍ଷପଥରେ ରହିଛି । ଏହା ସହିତ ନାସାର କ୍ୟାପ୍ଷ୍ଟୋନ NRH କକ୍ଷପଥରେ ଅଛି ।

ଏହା ସହିତ, ବର୍ତ୍ତମାନ ଋଷିଆର ଲୁନା ୨୫ ମିଶନ୍ ଲଞ୍ଚ କରାଯାଇଛି, ଯାହା ୧୬ ଅଗଷ୍ଟରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଥିବା ସୂଚନା ମିଳିଛି। । ଏହା ମାଧ୍ୟମରେ ଚନ୍ଦ୍ରର ସାଉଥ ପୋଲ ଅନୁସନ୍ଧାନ କରାଯିବ ଏବଂ ଏହା ଚନ୍ଦ୍ରଯାନ ଲ୍ୟାଣ୍ଡ ହେବାର କିଛି ସମୟ ପରେ ଚନ୍ଦ୍ରରେ ମଧ୍ୟ ଲ୍ୟାଣ୍ଡ କରିବ ବୋଲି କୁହାଯାଉଛି । ମୁନ ମିଶନ ସଂଖ୍ୟା ବଢ଼ିବା ସହିତ ଚନ୍ଦ୍ର ବୈଜ୍ଞାନିକମାନଙ୍କ ପାଇଁ ଅନୁସନ୍ଧାନର କେନ୍ଦ୍ର ପାଲଟିଛି । ତେବେ ଅଧିକ ମିଶନ ପଠାଯିବା ଦ୍ବାରା ପରସ୍ପର ମଧ୍ୟରେ ଏହି ସମସ୍ତ ମିଶନ ଧକ୍କା ହେବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ସମସ୍ତ ଦେଶ ଯଦି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଚନ୍ଦ୍ରକୁ ମିଶନ ପଠାଇବେ ତେବେ ଏଭଳି ସମସ୍ୟାରୁ ହୁଏତ ବଞ୍ଚି ହେବ l



ସ୍ପେଶାଲ ଟାସ୍କ ଫୋର୍ସ (STF) ଜଣେ ନକଲି ସୂଚନା ଅଧିକାର (RTI) କର୍ମୀଙ୍କୁ ଗିରଫ କରିଛି

 COASTAL NEWS Odia 421

ସ୍ପେଶାଲ ଟାସ୍କ ଫୋର୍ସ (STF) ଜଣେ ନକଲି ସୂଚନା ଅଧିକାର (RTI) କର୍ମୀଙ୍କୁ ଗିରଫ କରିଛି



କୋରାପୁଟ - ସ୍ପେଶାଲ ଟାସ୍କ ଫୋର୍ସ (STF) ଜଣେ ନକଲି ସୂଚନା ଅଧିକାର (RTI) କର୍ମୀଙ୍କୁ ଗିରଫ କରିଛି। ତାଙ୍କ ନାଁ କିଶୋର କୁମାର ମିଶ୍ର। ସେ ନିଜକୁ ଆରଟିଆଇ କର୍ମୀ ବୋଲି କହୁଥିଲେ। ସେଥିପାଇଁ ଏକ ମିଛ ପରିଚୟ ପତ୍ର ମଧ୍ୟ ତିଆରି କରିଥିଲେ। ତାଙ୍କ ଠାରୁ ମିଛ ପରିଚୟ ପତ୍ର ସହିତ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି।

ଏସ୍‌ଟିଏଫ୍‌ରୁ ମିଳିଥିବା ସୂଚନା ଅନୁଯାୟୀ, କିଶୋର କୁମାର ମିଶ୍ର ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି। ଇଂରାଜୀ ଭାଷାରେ ମଧ୍ୟ ତାଙ୍କର ବେଶ୍ ଦଖଲ ରହିଛି। ସେ ବ୍ରହ୍ମପୁରର ଲୋକ। କିନ୍ତୁ ଅନେକ ବର୍ଷ ହେଲାଣି ସେ କୋରାପୁଟରେ ରହୁଛନ୍ତି।

କିଶୋର ନିଜକୁ ଆରଟିଆଇ କର୍ମୀ କହି ଲୋକଙ୍କୁ ଡରାଇ ଟଙ୍କା ଆଦାୟ କରୁଥିଲେ। ସେହିଭଳି ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ତାଙ୍କର ଭଲ ସଂପର୍କ ଅଛି କହି କାମ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ଲୋକଙ୍କଠାରୁ ଟଙ୍କା ନେଉଥିଲେ। କ୍ରସର ଲାଇସେନ୍ସ ଓ ମଦ ଦୋକାନ ଲାଇସେନ୍ସ କରାଇ ଦେବାକୁ କହି ସେ ଟଙ୍କା ଲୁଟୁ ଥିଲେ। ଏମିତିକି ସରକାରୀ ଚାକିରିଆଙ୍କୁ ମଧ୍ୟ ସେ ଭକୁଆ ବନାଇଥିଲେ। ମନ ମୁତାବକ ସ୍ଥାନକୁ ବଦଳି କରାଇ ଦେବାକୁ କହି ସେ ଟଙ୍କା ନେଇ ଠକି ଦେଉଥିଲେ।

ଦୁଇ-ତିନି ବର୍ଷ ହେଲାଣି ସେ ଲୋକଙ୍କୁ ଏଭଳି ଢଙ୍ଗରେ ଠକି ଟଙ୍କା ଆଦାୟ କରୁଥିଲେ। ଏହି ଦୁଇ-ତିନି ବର୍ଷରେ ତାଙ୍କ ଆକାଉଣ୍ଟରେ ୨ କୋଟିରୁ ଅଧିକ ଟଙ୍କା ଜମା ହୋଇଥିବା ଏସ୍‌ଟିଏଫ୍ ଜାଣିବାକୁ ପାଇଛି। ସେଥିରୁ ଅଧିକାଂଶ ନଗଦ ଟଙ୍କା ଜମା କରାଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କିଶୋର ଏକ ବଡ଼ ଠକେଇ ଗ୍ରୁପର ସଦସ୍ୟ। ଏନେଇ ଅଧିକ ତଦନ୍ତ ଜାରି ରହିଛି।

ବାରିପଦା ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ

 COASTAL NEWS ODIA 420

ବାରିପଦା ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ


 


ବାରିପଦା : ବାରିପଦା ମେଡିକାଲ କଲେଜରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ମେଡିକାଲର ତୃତୀୟ ମହଲା ପ୍ରସୂତୀ ବିଭାଗରେ ନିଆଁ ଲାଗିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଆଇସିୟୁ ଓ ୱାର୍ଡରେ ଥିବା ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଛି। ଅଗ୍ନିକାଣ୍ଡ ପରେ ଅଞ୍ଚଳ ଧୂଆଁମୟ ହୋଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଜାରି ରଖିଛନ୍ତି। ବିଦ୍ୟୁତ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ନେଇ ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇ ନାହିଁ ବୋଲି ସୂଚନା ମିଳିଛି।

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ଶିକ୍ଷକ ନିଲମ୍ବିତ

 COASTAL NEWS Odia 419

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ଶିକ୍ଷକ ନିଲମ୍ବିତ


 


ଢ଼େଙ୍କାନାଳ: ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଖଇରପଶି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତ୍ରିନାଥ ବିଶ୍ବାଳ ନିଲମ୍ବିତ ହୋଇଛନ୍ତି । ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ପରେ ହିନ୍ଦୋଳ ଏସଡିପିଓ ମାମଲାର ତଦନ୍ତ କରିଥିଲେ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନ୍ୟପକ୍ଷରେ ଅଭିଯୋଗକୁ ଖଣ୍ଡନ କରିବା ସହ ମିଥ୍ୟା ଆରୋପ ଲଗାଯାଇଥିବା କହିଛନ୍ତି ନିଲମ୍ବିତ ଶିକ୍ଷକ।

ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ।

 COASTAL NEWS 416

ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ। 



ଭୁବନେଶ୍ବର - ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ। ଫଳରେ ୪ ବର୍ଷ ପାଇଁ ସେ ବାସନ୍ଦ ହୋଇଛନ୍ତି । ଗତ ଜାନୁଆରୀ ୩ ତାରିଖରୁ ପିଛିଲା ଭାବେ ଏହି ବାସନ୍ଦ ଅବଧି ଲାଗୁ ହେବ ବୋଲି ଜଣାପଡ଼ିଛି। ଏହି ଦଣ୍ଡ ବିରୋଧରେ ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲ୍ ଆଗରେ ନିଜର ପକ୍ଷ ରଖିବାକୁ ଦୂତିଙ୍କୁ ୨୧ ଦିନ ସମୟ ଦିଆଯାଇଛି। ଦୂତି ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସିର ଧାରା ୨.୧, ୨.୨କୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କୁ ୪ ବର୍ଷ ବାସନ୍ଦ କରାଯାଇଛି।

ରାସ୍ତାରେ ଦୁର୍ଘଟଣା ହୋଇ ଜଳିଗଲା ବିମାନ: ୧୦ ମୃତ

 COASTAL NEWS 418

ରାସ୍ତାରେ ଦୁର୍ଘଟଣା ହୋଇ ଜଳିଗଲା ବିମାନ: ୧୦ ମୃତ



 

କ୍ୱାଲାଲୁମ୍ପୁର: ମାଲେସିଆର ଏକ ୪ ଲେନ୍‌ ବିଶିଷ୍ଟ ରାସ୍ତାରେ ଗୁରୁବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗି ଯାଇଥିଲା। ଫଳରେ ୮ ଯାତ୍ରୀ ନିଆଁରେ ପୋଡି ପ୍ରାଣ ହରାଇଥିବା ବେଳେ ରାସ୍ତାରେ ଯାଉଥିବା ୨ ଗାଡ଼ି ଚାଳକଙ୍କ ମଧ୍ୟ ମୃତ୍ୟୁ ଘଟିଛି।

ବିମାନଟି ରାସ୍ତାକୁ ଧକ୍କା ଦେବା ପରେ ବିସ୍ଫୋରଣ ହୋଇଥିଲା। ସେହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଏକ କାର୍‌ର ଡ୍ୟାସ୍‌ କ୍ୟାମେରାରେ ଦୁର୍ଘଟଣା ବେଳର ଭିଡିଓ ଉତ୍ତୋଳନ ହୋଇଥିଲା। ବିମାନଟି ଲାଙ୍ଗକାଓ୍ବି ରିସର୍ଟ ଦ୍ୱୀପରୁ ରାଜଧାନୀ କ୍ୱାଲାଲୁମ୍ପୁରରେ ଥିବା ସୁଲ୍‌ତାନ ଅବଦୁଲ ଅଜିଜ ଶାହ ଏୟାରପୋର୍ଟ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି।

Thursday, August 17, 2023

କେନ୍ଦ୍ରରେ ପୁଣିଥରେ ମୋଦି ସରକାର

 COASTAL NEWS 416

କେନ୍ଦ୍ରରେ ପୁଣିଥରେ ମୋଦି ସରକାର




ନୂଆଦିଲ୍ଲୀ - କେନ୍ଦ୍ରରେ ପୁଣିଥରେ ମୋଦି ସରକାର। ପ୍ରଚଣ୍ଡ ଜନମତ ସହ କ୍ରମାଗତ ତୃତୀୟ ଥର ପାଇଁ ଏନଡିଏ କେନ୍ଦ୍ରରେ ସରକାର ଗଠନ କରିବ। ଏନଡିଏକୁ ରୋକିବା ପାଇଁ ବିରୋଧୀ ଇଣ୍ଡିଆ ଗଠନ କରିଥିଲେ ମଧ୍ୟ ଏହା ସେତେଟା ସଫଳତା ହାସଲ କରିପାରିବ ନାହିଁ।

ଆଜିକା ତାରିଖରେ ଯଦି ନିର୍ବାଚନ ହେବ, ତା’ହେଲେ ୩୦୦ରୁ ଅଧିକ ଆସନ ଜିତି ବିଜେପି ନେତୃତ୍ୱାଧୀନ ଏନଡିଏ କେନ୍ଦ୍ରରେ କ୍ଷମତା ଦଖଲ କରିବ ବୋଲି ଟାଇମ୍ସ ନାଓ-ଇଟିଜି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଲାଲକିଲ୍ଲାରୁ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ୨୦୨୪ରେ କ୍ଷମତାକୁ ଫେରିବେ ବୋଲି ଦମ୍ଭୋକ୍ତି କରିଥିଲେ। ଏହାର ଦିନକ ପରେ ଟାଇମ୍ସ ନାଓ-ଇଟିଜି ତା’ର ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି।

ଏଥିରେ କୁହାଯାଇଛି ଯେ ବିଜେପି ନେତୃତ୍ୱାଧୀନ ଏନଡିଏ ୨୯୬ରୁ ୩୨୬ଟି ଆସନ ଜିତିବ। ସେହିପରି ବିରୋଧୀ ମେଣ୍ଟ ଇଣ୍ଡିଆ ୧୬୦ରୁ ୧୯୦ଟି ଆସନରେ ସୀମିତ ରହିବ। ଏନଡିଏ କିମ୍ବା ଇଣ୍ଡିଆରେ ନଥିବା ୱାଇଏସ୍‌ଆର କଂଗ୍ରେସ ଆନ୍ଧ୍ରପ୍ରଦେଶରେ ୨୪ରୁ ୨୫ଟି ଓ ଓଡ଼ିଶାରେ ବିଜେଡି ୧୨ରୁ ୧୪ଟି ଲୋକସଭା ଆସନ ଦଖଲ କରିବ। ସେହିପରି ଅନ୍ୟାନ୍ୟ ଦଳ ୧୧ରୁ ୧୪ଟି ସ୍ଥାନରେ ଜିତି ପାରନ୍ତି।

ସର୍ଭେରେ ଆହୁରି କୁହାଯାଇଛି ଯେ ଏନଡିଏ କ୍ଷମତାକୁ ଫେରିବାର ସମ୍ଭାବନା ଥିଲେ ହେଁ ୨୦୧୯ ଅପେକ୍ଷା ମେଣ୍ଟର ଆସନ ସଂଖ୍ୟା କମିବ। ୨୦୧୯ରେ ଏନଡିଏ ୩୫୩ଟି ଆସନ ଜିତିଥିଲା। ହେଲେ ଏଥର ଏହା ୩୩୦ ମଧ୍ୟରେ ସୀମିତ ରହିବ। ତଥାପି ଏନଡିଏ ସରକାର ଗଠନ କରିବାକୁ ସକ୍ଷମ ହେବ।

ବଢିଲା ନୌସେନାର ଶକ୍ତି

 COASTAL NEWS 415

ବଢିଲା ନୌସେନାର ଶକ୍ତି

 


କୋଲକାତା,୧୭।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଆଧୁନିକ ଯୁଦ୍ଧ ଜାହାଜ ଆଇଏନଏସ ବିନ୍ଧ୍ୟଗିରୀ(ପି୧୭ଏ)ର ଉଦଘାଟନ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ହୁଗଲି ନଦୀ କୂଳରେ ଅବସ୍ଥିତ ‘ଗାର୍ଡେନ ରିଚ ସିପବିଲ୍ଡର୍ସ ଏବଂ ଇଞ୍ଜିନିୟରିଂ ଲିମିଟେଡ’ ପରିସରରେ ଯୁଦ୍ଧ ଜାହାଜର ଉଦଘାଟନ କରିଥିଲେ। ଏହି ସମୟରେ ପଶ୍ଚିମବଙ୍ଗର ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଭାରତୀୟ ନୌସେନାର ‘ପ୍ରୋଜେକ୍ଟ ୧୭ ଆଲଫା’ ଅଧୀନରେ ନିର୍ମିତ ସାତୋଟି ଜାହାଜ ମଧ୍ୟରୁ ଏହା ହେଉଛି ଷଷ୍ଠ ଜାହାଜ। ଏହି ଅତ୍ୟାଧୁନିକ ଯୁଦ୍ଧ ଜାହାଜ ନୌସେନାରେ ସାମିଲ ହେବା ପରେ ନୌସେନାର ଶକ୍ତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ।

ଏହି ପ୍ରକଳ୍ପ ଅଧୀନରେ ନିର୍ମିତ ପାଞ୍ଚଟି ଯୁଦ୍ଧ ଜାହାଜ ୨୦୧୯ରୁ ୨୦୨୨ ମଧ୍ୟରେ ଆରମ୍ଭ କରାଯାଇଥିଲା। ଏହି ପ୍ରକଳ୍ପ ଅଧୀନରେ, ଗାର୍ଡେନ ରିଚ ସିପବିଲ୍ଡର୍ସ ଏବଂ ଇଞ୍ଜିନିୟରିଂ ଲିମିଟେଡ ତିନିଟି ଯୁଦ୍ଧ ଜାହାଜ ନିର୍ମାଣ କରିବାକୁ ଥିଲା ଏବଂ ଏହି ଆଇଏନଏସ ବିନ୍ଧ୍ୟଗିରୀ ହେଉଛି ତୃତୀୟ ଯୁଦ୍ଧ ଜାହାଜ। ଅବଶିଷ୍ଟ ୪ଟି ଯୁଦ୍ଧ ଜାହାଜକୁ ମହାରାଷ୍ଟ୍ରର ମାଜାଗନ ଡକ ଲିମିଟେଡ ନିର୍ମାଣ କରୁଛି। ଅଧିକାରୀ କହିଛନ୍ତି ଯେ ଏହି ଯୁଦ୍ଧ ଜାହାଜର ୭୫ ପ୍ରତିଶତ ଅଂଶ ସ୍ବଦେଶୀ କମ୍ପାନୀ ଏବଂ ମଧ୍ୟମ ଆକାରର କମ୍ପାନୀ ଅର୍ଥାତ୍‌ ଏମଏସଏମଇ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି। ନୌସେନାରେ ପ୍ରବେଶ କରିବା ପୂର୍ବରୁ ଏହାର ଅନେକ ପରୀକ୍ଷା କରାଯିବ।

ସଫଳତା ଦିଗରେ ଚନ୍ଦ୍ରଯାନ-3

 COASTAL NEWS 414

ସଫଳତା ଦିଗରେ ଚନ୍ଦ୍ରଯାନ-3



ସଫଳତା ଦିଗରେ ଆଉ ଏକ ସୋପାନ ଅତିକ୍ରମ କଲା ଚନ୍ଦ୍ରଯାନ-3। ଇସ୍ରୋର ଏହି ଉଚ୍ଚାଭିଳାଷୀ ମିଶନ୍ ଆଜି ସଫଳତା ପୂର୍ବକ ଲ୍ୟାଣ୍ଡର ବିକ୍ରମକୁ ପ୍ରପଲସନରୁ ଅଲଗା କରିଛି। ମଧ୍ୟାହ୍ନ 1ଟା ସମୟରେ ପ୍ରପଲସନରୁ ଅଲଗା ହୋଇଛି ଲ୍ୟାଣ୍ଡର ବିକ୍ରମ। ଏହାପରେ ଚନ୍ଦ୍ରପୃଷ୍ଠ ଅଭିମୁଖେ ଏକାକୀ ଯାତ୍ରା ଆରମ୍ଭ କରିଛି ଲ୍ୟାଣ୍ଡର ବିକ୍ରମ। 

ଲ୍ୟାଣ୍ଡର ବିକ୍ରମ ବର୍ତ୍ତମାନ ପ୍ରଜ୍ଞାନ ରୋଭରର ଚିତ୍ର ଉତ୍ତୋଳନ କରିବ। ଏହା ମାଧ୍ୟମରେ ଚନ୍ଦ୍ରପୃଷ୍ଠର ଗତିବିଧି ଉପରେ ନଜର ରଖାଯାଇ ପାରିବ। ଚନ୍ଦ୍ର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଆଗାମୀ 6 ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଇସ୍ରୋ କହିଛି। ଜୁଲାଇ 14 ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ LVM3 ରକେଟ୍ ଦ୍ୱାରା ଚନ୍ଦ୍ରଯାନ-3 ମହାକାଶକୁ ଉତକ୍ଷେପଣ କରାଯାଇଥିଲା। ଏହି ମିଶନକୁ ନେଇ ଖୁବ୍ ଆଶାବାଦୀ ରହିଛି ଇସ୍ରୋ। କାରଣ ପୂର୍ବରୁ ଇସ୍ରୋର ମୁନ୍ ମିଶନ୍ ଦୁଇ ଦୁଇ ଥର ବିଫଳ ହୋଇଯାଇଛି।

ଧାମରାରେ ଗୋଟିଏ ମାଛର ଦାମ୫ଲକ୍ଷ ୩୩ହଜାର

 COASTAL NEWS 413

ଧାମରାରେ ଗୋଟିଏ ମାଛର ଦାମ୫ଲକ୍ଷ ୩୩ହଜାର



ଭଦ୍ରକ, ୧୬ା୮  – ଭଦ୍ରକ ଜିଲା ଧାମରାରେ ଗୋଟିଏ ମାଛର ଦାମ ୫ଲକ୍ଷ ୩୩ହଜାର ଟଙ୍କାରେ ବିକ୍ରି ହୋଇଥିବା ଜଣା ଯାଇଛି । ମିଳିଥିବା ଖବର ଅନୁଯାୟୀ ଏହି ମାଛର ଓଜନ ୨୬କେଜି ହୋଇଥିବା ବେଳେ ଏହି ମାଛ କେଜି ପିଛା୨୦ହଜାର ୫ଶହ ଟଙ୍କାରେ ନିଲାମ ମଧ୍ୟ ହୋଇଯାଇଛି । ଏହି ମାଛ ଟିକୁ ବାହାର ରାଜ୍ୟର ଏକ ସଂସ୍ଥା ନିଲାମ କରି ନେଇ ଥିବା ଜଣାଯାଇଛି । ଏହି ମାଛଟିି ତେଲିଆ ମାଛ ହୋଇଥିବା ବେଳେ ଏହି ମାଛଟିକୁ ଗଭୀର ସମୁଦ୍ରରୁ ମଂଟୁ ମଣ୍ଡଳଙ୍କ ବୋଟ ଧରି ନେଇ ଆସିଥିଲା । ଏହି ମାଛର ପୁଂଟା(ତେଲ) ଟି ଔଷଧ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବେଳେ କୋଲକାତାରେ ଏହି ମାଛ ର ଦାମ ସର୍ବାଧିକ । ଫଳରେ ସଂପୃକ୍ତ ନିଲାମ ଧାରୀ ଏହି ପୁଂଟା ଟିକୁ ଔଷଧ କମ୍ପାନୀକୁ ବିକ୍ରି କରିବା ସହ ଏହି ମାଛକୁ ଅତି କମରେ କେଜି ପ୍ରତି ୨୦ହଜାରରୁ ୨୫ ହଜାର ଟଙ୍କାରେ ବିକ୍ରି କରାଯିବ ବୋଲି ସଂପୃକ୍ତ ନିଲାମ ଧାରୀ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଥିଲେ ।

ପ୍ରେମିକ ସହ ଧରାପଡିଲା ସ୍ତ୍ରୀ।

 COASTAL NEWS 412

ପ୍ରେମିକ ସହ ଧରାପଡିଲା ସ୍ତ୍ରୀ



ଭୁବନେଶ୍ବର  : ପ୍ରେମିକ ସହ ଧରାପଡିଲା ସ୍ତ୍ରୀ। ଭୁବନେଶ୍ବର ଅଶୋକନଗର ସ୍ଥିତ ଏକ ଲଜରୁ ଉଭୟଙ୍କୁ ଉଦ୍ଧାର କରାଯାଇଛି। ଅସଂଯତ ଅବସ୍ଥାରେ ଲଜରୁ ଉଦ୍ଧାର ହୋଇଛନ୍ତି ମହିଳା । ସ୍ତ୍ରୀ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ୱାମୀ ବଳରାମ ଜେନା । ମହିଳା ଜଣଙ୍କ ସୁନା ଚୁଡ଼ି, ସୁନା କାନଫୁଲ ଓ ନଗଦ ୨୫ ହଜାର ଟଙ୍କା ଚୋରି କରି ନେଇ ଆସିଥିବା ଏତଲାରେ ଉଲ୍ଲେଖ ।

ଅଭିଯୋଗ ଅନୁଯାୟୀ ଗତ ୧୪ ତାରିଖରେ ମହିଳ ଜଣକ ଘରୁ ଲୁଚି ପଳାଇ ଆସିଥିଲେ। ଏହାପରେ ନିଜ ପ୍ରେମିକ ସହ ଲଜରେ ରହୁଥିଲେ। ଆସିବାବେଳେ ସୁନା ଅଳଙ୍କାର ଜିନିଷ ସହ ୨୫ ହଜାର ଟଙ୍କା ଚୋରି କରି ନେଇଥିବା ସ୍ବାମୀ ଅଭିଯୋଗ କରିଛନ୍ତି। ଏହାପରେ ନିଗମ ଲଜର ରୁମ ନମ୍ବର ୧୫ ରେ ଲୁଚି ରହୁଥିଲେ ମହିଳା ଓ ତାଙ୍କ ପ୍ରେମିକ ।। ସ୍ତ୍ରୀ ନିଖୋଜ ନେଇ ସ୍ବାମୀ ଜଙ୍କିଆ ଥାନାରେ ଏତଲା ଦେଇଥିଲେ। ସ୍ବାମୀଙ୍କ ଏତଲା ଆଧାରରେ ଖୋଜାଖୋଜି କରିବା ପରେ ଲଜରୁ ଉଦ୍ଧାର କରିଥିଲା କ୍ୟାପିଟାଲ ଥାନା ପୋଲିସ।

ପଶ୍ଚିମ ଆଫ୍ରିକୀୟ ଦେଶ କେପ ଭର୍ଡେ ଆଇଲାଣ୍ଡ ରେ ଡଙ୍ଗା ବୁଡି

 COASTAL NEWS 411

ପଶ୍ଚିମ ଆଫ୍ରିକୀୟ ଦେଶ କେପ ଭର୍ଡେ ଆଇଲାଣ୍ଡ ରେ ଡଙ୍ଗା ବୁଡି 



ଆଫ୍ରିକା - ପଶ୍ଚିମ ଆଫ୍ରିକୀୟ ଦେଶ କେପ ଭର୍ଡେ ଆଇଲାଣ୍ଡରୁ ସେନେଗାଲରୁ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯାଇଛି । ଫଳରେ ଅତିକମରେ ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଇଣ୍ଟରନ୍ୟାସନାଲ ଅଗନାଇଜେସନ ଫର୍ ମାଇଗ୍ରେସନ (ଆଇଓଏମ) ଏହି ସୂଚନା ଦେଇଛି ।

ଇଣ୍ଟରନ୍ୟାସନାଲ ଅଗନାଇଜେସନ ଫର୍ ମାଇଗ୍ରେସନ (ଆଇଓଏମ) ବୁଧବାର କହିଛି ଯେ, ପଶ୍ଚିମ ଆଫ୍ରିକାର କେପ୍ ଭର୍ଡେ ଆଇଲାଣ୍ଡ ନିକଟରେ ସେନେଗାଲରୁ ଏକ ପ୍ରବାସୀ ଡଙ୍ଗା ମିଳିଛି। ଏଥିରେ ୧୦୦ ଲୋକ ରହିଥିଲେ । ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଯେଉଁଥିରୁ ୩୮ ଜଣ ଜୀବନ୍ତ ଉଦ୍ଧାର ହୋଇଛନ୍ତି । ଜୀବିତ ଥିବା ଲୋକଙ୍କ ମଧ୍ୟରେ ୧୨-୧୬ ବର୍ଷର ପିଲା ରହିଛନ୍ତି ।

ପୋଲିସ କହିଛି କି, ମାଛଧରା ଡଙ୍ଗା ଯାହାକୁ ପିରୋଗ ନାମରେ ଜଣାଯାଉଥିଲା, ସେହି ଡଙ୍ଗାଟିକୁ ସୋମବାର ଦିନ ସାଲର କେପ୍ ଭର୍ଡେ ଆଇଲାଣ୍ଡରୁ ପ୍ରାୟ ୧୫୦ ମିଲ୍ (୨୭୭ କିଲୋମିଟର) ଦୂରରେ ଆଟଲାଣ୍ଟିକ୍ ମହାସାଗରରେ ଦେଖିବାକୁ ମିଳିଥିଲା । ଜୁଲାଇ ୧୦ ତାରିଖ ଡଙ୍ଗାଟି ୧୦୦ ଯାତ୍ରୀଙ୍କୁ ଧରି ବାହାରିଥିଲା ବୋଲି ଜୀବିତ ଥିବା ପିଲାମାନେ କହିଛନ୍ତି । ତେବେ ଘଟଣା କେତେ ବେଳେ ଘଟିଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସୂଚନାଯୋଗ୍ୟ, ନିକଟରେ ଫିଲିପାଇନ୍ସର ରାଜଧାନୀ ମନୀଲାରର ଏକ ହ୍ରଦରେ ଡଙ୍ଗାବୁଡି ୩୦ ଜଣଙ୍କର ମୃତ୍ୟୁ ହୋଇଥିଲା  ।  ଡଙ୍ଗାରୁ ୪୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ।  ହି ଡଙ୍ଗାଟି ବିନଙ୍ଗୋନାନ ସହରରୁ ଫିଲିପାଇନ୍ସର ସବୁଠାରୁ ବଡ ହ୍ରଦ । ଡି ବାଇରେ ଥିବା ତାଲିମ ଦ୍ୱୀପକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପ୍ରବଳ ପବନ ଯୋଗୁ ମୋଟର ବୋଟ ଦୋହଲିଯାଇଥିଲା । ଆଉ ଡଙ୍ଗାରେ ଥିବା ଲୋକମାନେ ଏହାକୁ ଦେଖି ଆତଙ୍କିତ ହୋଇପଡିଥିଲେ। ଫଳରେ ଡଙ୍ଗାଟି ଓଲଟି ପଡିଥିଲା ।


ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣା : କୁଆଡେ ଗଲେ ଛାତ୍ରୀଙ୍କ ପ୍ରେମିକ ତଥା ଖେଳ ଶିକ୍ଷକ ? ସନ୍ଦେହ ଘେରରେ ପୋଲିସର ଭୂମିକା

 COASTAL NEWS 410

ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣା : କୁଆଡେ ଗଲେ ଛାତ୍ରୀଙ୍କ ପ୍ରେମିକ ତଥା ଖେଳ ଶିକ୍ଷକ ? ସନ୍ଦେହ ଘେରରେ ପୋଲିସର ଭୂମିକା




ମାହାଙ୍ଗା --ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ କୁଆଡେ ଗଲେ ନାବାଳିକାଙ୍କ ପ୍ରେମିକ ତଥା ସେ ପଢୁଥିବା ସ୍କୁଲର ସେହି ଖେଳ ଶିକ୍ଷକ । ଯାହାଙ୍କୁ ମୃତ୍ୟୁ ପୂର୍ବରୁ ନାବାଳିକା ଜଣଙ୍କ ଏକ ଚିଠି ଲେଖିଥିଲେ । ଅନ୍ୟପଟେ ସମ୍ପୃକ୍ତ ସାରଙ୍କ ମା’ଙ୍କ ସହ ସ୍ଥାନୀୟ ବିଜେଡି ନେତା ଶରତ ନାୟକଙ୍କ ଫୋନ କଲର ରେକର୍ଡ ଭାଇରାଲ ହେଉଛି । ଯେଉଁଥିରେ ମାମଲାକୁ ରଫାଦଫା କରିବାକୁ ଶରତ ନାୟକ ୭୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ଜଣାପଡିଛି ।

ଯାହା ଏହି ନାବାଳିକା ମୃତ୍ୟୁ ମାମଲାକୁ ବିବାଦୀୟ କରି ଦେଇଛି । ଯଦିଓ ନାବାଳିକାର ବାପା କହୁଛନ୍ତି ଝିଅର ବାତ ରୋଗରେ ମୃତ୍ୟୁ ହୋଇଛି କିନ୍ତୁ ମୃତ୍ୟୁ ହୋଇଥିବା ନେଇ ସେ କେମିତି ଜାଣିଲେ ବୋଲି ପ୍ରଶ୍ନକୁ ଏଡାଇ ଦେଉଛନ୍ତି । ସେପଟେ ଜୁନ ୧୮ର ଘଟଣା ଦୀର୍ଘ ଦୁଇ ମାସ ଧରି କିଭଳି ଚାପି ହୋଇ ରହିଥିଲା ଏବଂ ୭୦ ହଜାର ଟଙ୍କା ଲାଞ୍ଚ ଜରିଆରେ ପୋଲିସ ଓ ମିଡିଆର ମୁହଁ ବନ୍ଦ କରିବାକୁ ଉଦ୍ୟମ ହେଉଥିଲା କି ତାହା ଏବେ ବଡ ପ୍ରଶ୍ନ ।

ଏବେ କଟକ ଜିଲ୍ଲା ଏସପି କହିଛନ୍ତି, ମାମଲାର ତଦନ୍ତ ହେବ । ଭାଇରାଲ ଚିଠି ଓ ଫୋନ୍ କଲ ରେକର୍ଡିଂ ପୋଲିସ ନଜରକୁ ଆସିଛି ବୋଲି ଏସପି ମିହିର ପଣ୍ଡା କହିଛନ୍ତି । କିନ୍ତୁ ଭାଇରାଲ ଅଡିଓରୁ ସ୍ପଷ୍ଟ ହେଉଛି ଯେ ପୋଲିସ ମାମଲା ବାବଦରେ ଅବଗତ ଥିଲା । ଏପରି ସ୍ଥିତିରେ ପୋଲିସ କାହିଁକି ନିରବ ରହିଥିଲା ଏବଂ ଶରତ ନାୟକ କେଉଁ ପୋଲିସ ଅଧିକାରୀଙ୍କୁ ଚାପ ପକାଇଥିଲେ ତାହା ତଦନ୍ତ ହେବ ତ?

ପୁଅ ଉପରକୁ ଗରମ ଡାଲି ପାଣି ଫିଙ୍ଗିଲା ସାବତ ମା’

 COASTAL NEWS 409

ପୁଅ ଉପରକୁ ଗରମ ଡାଲି ପାଣି ଫିଙ୍ଗିଲା ସାବତ ମା


ଆନନ୍ଦପୁର୍ - ଘରୋଇ ହିଂସାର କୁପରିଣତି । ପୁଅ ଉପରକୁ ଗରମ ଡାଲି ପାଣି ଫିଙ୍ଗିଲା ସାବତ ମା’ । ଘରୋଇ ହିଂସାରେ ଘଟିଲା ଏଭଳି ଅଘଟଣ । ଜଣେ ସାବତ ମା’ ଟକ୍‌ଟକ୍‌ ଫୁଟୁଥିବା ଡାଲିର ଗରମ ପାଣିକୁ ପୁଅ ଉପରକୁ ଫୋପାଡ଼ିଛି । ପୁଅର ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି । ତେବେ ଘରୋଇ କଳି କାହା ଘରେ ବା ନହୁଏ କିନ୍ତୁ ଦିନକୁ ଦିନ ଏଭଳି କଳି ଝଗଡ଼ା ହିଂସାରେ ପରିଣତ ହେଉଛି । କେଉଁଠି ପୁଅ ମା’କୁ ମାରୁଛି ତ ଆଉ କେଉଁଠି ମା’ ବାପା ନିଜ ଜନ୍ମକଲା ଛୁଆଙ୍କୁ ମାରୁଛନ୍ତି । ଆଇନର କାହାକୁ ବି ଆଉ ଭୟ ନାହିଁ । ରାଗ ଆସିଲେ ମଣିଷ ହିତାହିତ ଜ୍ଞାନ ହରାଇ ବସେ ଏବଂ କରିବସେ ଏଭଳି କିଛି ଅପରାଧ । ଏହି ରାଗ ପାଇଁ ଜଣେ ପୁଅ ନିଜ ସାବତ ମା’କୁ ମାରୁଥିଲା ଫଳରେ ସାବତ ମା’ ନିଜ ପୁଅ ଉପରକୁ ଫୋପାଡ଼ିଥିଲା ଗରମ ଡାଲି ପାଣି ।

ତେବେ ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କଇନିପୁରା ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ସାବତ ମା’ ପୁଅ ଉପରକୁ ଗରମ ଡାଲି ପାଣି ଫିଙ୍ଗି ଦେଇଥିବା ଜଣା ପଡ଼ିଛି । ଗରମ ପାଣି ଦେହରେ ପଡ଼ିଲେ ଅବସ୍ଥା ଯେ କଣ ହେବ ଆପଣ ତାହା ଅନୁମାନ କରିପାରୁଥିବେ । ତେବେ ଗରମ ଡାଲି ପାଣି ଫୋପାଡ଼ିବାରୁ ପୁଅର ଅବସ୍ଥା ଗୁରୁତର ହୋଇପଡ଼ିଥିଲା ତେଣୁ ତାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏଭଳି ଏକ ଘଟଣା କଇନିପୁରା ଗାଁର ମାଧ ପାତ୍ରଙ୍କ ପରିବାରରେ ଘଟିଯାଇଛି ।

ସୂଚନା ଅନୁସାରେ କିଛିଦିନ ହେବ ପୁଅ ଦିପୁନ ବାପା ମାଧ ପାତ୍ର ଓ ସାବତ ମା ଜଞ୍ଜାଳୀ ଙ୍କୁ ମାରଧର୍‌ କରୁଥିଲେ । ତେବେ ଘଟଣା ଦିନ ସକାଳେ ପୁଣିଥରେ ବାପା ମା’ ସହ ଝଗଡା କରି ମାରଧର୍‌ କରିବା ସମୟରେ ଅତିଷ୍ଟ ହୋଇ ଜଞ୍ଜାଳି ଚୁଲିରେ ବସିଥିବା ଗରମ ଡାଲିପାଣି ନେଇ ଦିପୁନଙ୍କ ଉପରେ ଛାଟି ଦେଇଥିବା କହିଛନ୍ତି । ଖବରପାଇ ପୋଲିସ୍ ଉଭୟ ମା’ ଓ ବାପା ଙ୍କୁ ଥାନାକୁ ଡକାଇ ପଚରା ଉଚୁରା କରୁଛି । ଏଭଳି ପାରବାରିକ କଳହରେ କେତେ ଯେ ଅଘଟଣ ଘଟୁଛି ତାହା ନକହିବା ଭଲ । ରାଗ ମଣିଷକୁ ଏଭଳି ହିଂସାତ୍ମକ ଘଟଣା ଘଟାଇବାକୁ ପ୍ରବର୍ତ୍ତାଇଥାଏ । ତେଣୁ ମଣିଷ ଯଦି ରାଗକୁ ନିୟନ୍ତ୍ରଣରେ ରଖନ୍ତା ଏଭଳି ଅଘଟଣରୁ ଅନେକ ପରିବାର ହୁଏତ ବଞ୍ଚି ଯାଇ ପାରନ୍ତେ ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...