AFFILIATE MARKETING

https://binomo.com?a=90810425bb57&t=0

Monday, March 31, 2025

ଓଡ଼ିଶା ଦିବସ ଠାରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପାଳନ ହେବ ଓଡ଼ିଆ ପକ୍ଷ

ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶାରେ ଭବ୍ୟ ଏବଂ ଦିବ୍ୟ ଆକାରରେ ପାଳିତ ହେବ ଓଡ଼ିଆ ପକ୍ଷ: ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

୧୪ ଦିନ ଧରି ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଜାଣନ୍ତୁ


ଭୁବନେଶ୍ୱର - ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ପାଳନ ଠାରୁ ଆରମ୍ଭ କରି ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଆଡ଼ମ୍ବରର ସହ “ଓଡ଼ିଆ ପକ୍ଷ” ପାଳନ କରାଯିବ। ଏହି ଭବ୍ୟ ଏବଂ ଦିବ୍ୟ ସମାରୋହକୁ ପାଳନ କରିବା ପାଇଁ ବ୍ଲକ ସ୍ତରରୁ ନେଇ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ।କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସାମିଲ କରାଯିବ। ଓଡ଼ିଆ ସାଂସ୍କୃତିକ ମୂଲ୍ୟବୋଧ, ଚାଲି ଚଳଣି, ଗାଥା ଗୌରବ ଓ ଆମ ପରମ୍ପରାକୁ ପୁନଶ୍ଚ ବିଶ୍ୱ ବିଦିତ କରିବା ଲକ୍ଷ୍ୟରେ ଓଡ଼ିଆ ପକ୍ଷକୁ ପାଳନ କରାଯିବ”, ବୋଲି କହିଛନ୍ତି ସଂସ୍କୃତିମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଆଜି ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ସୂରଜ ଓଡ଼ିଆ ପକ୍ଷ ପାଳନକୁ ନେଇ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଓଡ଼ିଆ ପକ୍ଷରେ ପାଳନ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ହେଲା :

 

ଏପ୍ରିଲ ୧

ସ୍ଵତନ୍ତ୍ର ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ଉପଲକ୍ଷେ ରାଜ୍ୟ, ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ଓଡ଼ିଶା ଦିବସ ପାଳନ କରାଯିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ପାଳନ କରାଯିବ।

 

ଏପ୍ରିଲ ୨

ରାଜ୍ୟର ପ୍ରାଥମିକ ବିଦ୍ୟାଳୟର ଶିଶୁ ବାଟିକାରେ ନାମ ଲେଖାଯିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୁଲ୍ୟରେ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳନ କରାଯିବ ।

 

ଏପ୍ରିଲ ୩

ପାରମ୍ପରିକ ଓଡ଼ିଆ ପୋଷାକ ତଥା ଓଡ଼ିଶାର ହସ୍ତତନ୍ତ, ବୟନ ଶିଳ୍ପର ପ୍ରଚାର-ପ୍ରସାର ପାଇଁ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ପାରମ୍ପରିକ ପୋଷାକ ପରିଧାନ- “ଆମ ପୋଷାକ ଆମ ପରିଚୟ” ଦିବସ ପାଳନ କରାଯିବ।

 

ଏପ୍ରିଲ ୪

ରାଜ୍ୟର ବିଭିନ୍ନ ଦୋକାନ ବଜାରରେ ଓଡ଼ିଆ ନାମ ଫଳକର ବ୍ୟବହାର ପାଇଁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ “ଓଡ଼ିଆରେ ନାମ ଫଳକ ଅଭିଯାନ – ସଚେତନତା ପଦଯାତ୍ରା” ର ଆୟୋଜନ କରାଯିବ।

 

ଏପ୍ରିଲ ୫

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

 

ଏପ୍ରିଲ ୬

ଓଡ଼ିଶାରେ ଥିବା ଦେବାଳୟ ଓ ଐତିହ୍ୟ ସ୍ଥଳୀଗୁଡ଼ିକୁ ସର୍ବଦା ସ୍ୱଚ୍ଛ ରଖିବା ପାଇଁ ସ୍ୱଚ୍ଛତା ଅଭିଯାନର ଆୟୋଜନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଓ ଗୃହ ଓ ନଗର ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଏହାର ଆୟୋଜନ କରାଯିବ।


ଓଡ଼ିଆ ଭାଷାର ପ୍ରାରମ୍ଭିକ ପରିଚୟ ପ୍ରଦାନ କରୁଥିବା ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ “ବର୍ଣ୍ଣବୋଧ” ନିମନ୍ତେ ବର୍ଣ୍ଣବୋଧ ବଣ୍ଟନ-ବର୍ଣ୍ଣବୋଧ ଉତ୍ସବ ଭାବେ ପାଳନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏହା ପାଳନ କରାଯିବ।

 

ଏପ୍ରିଲ ୮

ରେଡ଼କ୍ରସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଦିନ ରକ୍ତଦାନ ଅଭିଯାନ ପାଳନ କରାଯିବ।

 

ଏପ୍ରିଲ ୯

ଓଡ଼ିଆ ସାହିତ୍ୟ ଓ ପୁସ୍ତକ ପଠନକୁ ପ୍ରୋତ୍ସାହନ ଦେବା ପାଇଁ ଏହି ଦିନଟିକୁ “ଆସ ବହିଟିଏ କିଣିବା” ଅଭିଯାନ ଭାବରେ ପାଳନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେବ।

 

ଏପ୍ରିଲ ୧୦

ଓଡ଼ିଶାର ଲୋକକଳାକୁ ବିଶ୍ୱ ବିଦିତ କରିବା ପାଇଁ “ଲୋକକଳା ପାଇଁ ଦିନ ଟିଏ -ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା ଓ କଳାଗ୍ରାମ ପରିଦର୍ଶନ ଉତ୍ସବର ପାଳନ କରାଯିବ। ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେବ।

 

ଏପ୍ରିଲ ୧୧

ଓଡ଼ିଶା ସାହିତ୍ୟ ଏକାଡେମୀ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏହି ଦିନରେ ଯୁବ ଲେଖକ ସମ୍ମିଳନୀର ଆୟୋଜନ କରାଯିବ।

 

ଏପ୍ରିଲ ୧୨

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଆଲୋଚନା କରାଯିବ।

 

ଏପ୍ରିଲ ୧୩

ଖାଦ୍ୟ ପରମ୍ପରା ହେଉଛି ଆମ ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ। ଏହି ଖାଦ୍ୟ ପରମ୍ପରାକୁ ପାଳନ କରିବା ପାଇଁ “ପାରମ୍ପାରିକ ଖାଦ୍ୟ ପାଳନ ଅଭିଯାନ- ଆମ ରୁଚି ଆମ ଖାଦ୍ୟ” ଉତ୍ସବ ପାଳନ କରାଯିବ। ପଞ୍ଚାୟତିରାଜ ଓ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ଆୟୋଜନ କରାଯିବ ।

 

ଏପ୍ରିଲ ୧୪

ଓଡ଼ିଆ ନବବର୍ଷକୁ ମହା ଆଡ଼ମ୍ବର ସହକାରେ ପାଳନ କରାଯିବ।

 

ଏଥିସହ ସଫଳତାର ସହ ଓଡ଼ିଆ ପକ୍ଷ ପାଳନକୁ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସୂରଜ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା ମଧ୍ୟ କରିଥିଲେ। ବୈଠକରେ ବିଭିନ୍ନ ବିଭାଗର ସଚିବ ଓ ଆଭାସୀ ମାଧ୍ୟମରେ ଜିଲ୍ଲାପାଳମାନେ ଯୋଗ ଦେଇଥିଲେ। ଓଡ଼ିଆ ପକ୍ଷକୁ ଯେପରି ସୁଚାରୁ ରୂପେ ମହା ଆଡ଼ମ୍ବରର ସହ ପାଳନ କରାଯିବ ଏବଂ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଯେପରି ଅଧିକରୁ ଅଧିକ ଲୋକ ସାମିଲ ହେବେ ତାହାକୁ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀ ସଚିବ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...