ଭୁବନେଶ୍ୱର - ଆସନ୍ତାକାଲି ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବହୁ ଆଡମ୍ବର ସହକାରେ ପାଳନ କରିବେ ରାଜ୍ୟ ସରକାର। ସନ୍ଧ୍ୟା ୭ଟାରେ ଜୟଦେବ ଭବନରେ ବିଜୁ ବାବୁଙ୍କ ଜୟନ୍ତୀ ପାଇଁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଯୋଗ ଦେବାକୁ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନବୀନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ନବୀନ।
ସୂଚନାଯୋଗ୍ୟ, ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ଭବ୍ୟ ଢଙ୍ଗରେ ପାଳନ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ତେବେ ପୂର୍ବରୁ ମାର୍ଚ୍ଚ ୫ ତାରିଖରେ ପାଳିତ ହେଉଥିବା ପଞ୍ଚାୟତିରାଜ ଦିବସ ଏବେ ଏପ୍ରିଲ ୨୪ରେ ପାଳନ କରାଯିବ ବୋଲି ଘୋଷଣା କରାଯାଇଥିଲା। ଯାହାକୁ ନେଇ ବିରୋଧୀ ଦଳ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧର କରିଛନ୍ତି।
ବିଜୟାନନ୍ଦ ପଟ୍ଟନାୟକ (୫ ମାର୍ଚ୍ଚ ୧୯୧୬ – ୧୭ ଅପ୍ରେଲ ୧୯୯୭), ବିଜୁ ପଟ୍ଟନାୟକ ନାମରେ ଜଣାଶୁଣା, ଜଣେ ଭାରତୀୟ ରାଜନୀତିଜ୍ଞ, ବୈମାନିକ ଓ ଶିଳ୍ପପତି ଥିଲେ । ସେ ଦୁଇଥର ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ପର୍ଯ୍ୟନ୍ତ ସେ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ମାର୍ଚ୍ଚ ୧୯୭୭ ରୁ ଜାନୁଆରୀ ୧୯୮୦ ପର୍ଯ୍ୟନ୍ତ କେନ୍ଦ୍ର କୋଇଲା, ଇସ୍ପାତ ଓ ଖଣି ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ସେ ରେଭେନ୍ସା କଲେଜିଏଟ ସ୍କୁଲ, କଟକଠାରେ ସ୍କୁଲଶିକ୍ଷା ସାରିଲା ପରେ ରେଭେନ୍ସା କଲେଜରେ ବିଜ୍ଞାନ ପଢ଼ିଥିଲେ। ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡ଼ାଣ ଶିକ୍ଷାରେ ଯୋଗଦେଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭରେ ସେ ରୟାଲ ଇଣ୍ଡିଆନ ଏୟାରଫୋର୍ସରେ ଯୋଗ ଦେଇ ଶେଷରେ ଏୟାର ଟ୍ରାନ୍ସପୋର୍ଟ କମାଣ୍ଡର ମୁଖ୍ୟ ହୋଇଥିଲେ। ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଦିଙ୍କୁ ଡଚମାନଙ୍କଠାରୁ ଉଦ୍ଧାର କରିଥିଲେ। ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ “ଭୂମିପୁତ୍ର” ସମ୍ମାନରେ ସମ୍ମାନିତ କରାଯାଇଥିଲା। ବିଜୁ ବାବୁଙ୍କ ଦ୍ୱାରା ଅନେକ ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇଛି। ତାଙ୍କ ଜୀବନୀ ଉପରେ ‘ବିଜୁ ବାବୁ’ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା।
ଆଜି ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଓଡ଼ିଶାର ବିକାଶରେ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣ କରିଛନ୍ତି।
ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳନ କରିଛି ବିଜେଡ଼ି। ଶଙ୍ଖ ଭବନରେ ବିଜେଡ଼ି ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଯୋଗ ଦେଇଥିଲେ ବିରୋଧୀ ଦଳ ନେତା ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ। ଏଥିରେ ଯୋଗ ଦେଇ ବିଜେପି ସରକାର ଉପରେ ଟାର୍ଗେଟ କରିଛନ୍ତି ନବୀନ।
ନବୀନ କହିଛନ୍ତି, ବିଜୁ ବାବୁ; ଏହି ଦୁଇଟି ଶବ୍ଦ ଶୁଣିଲେ ପ୍ରତିଟି ଓଡ଼ିଆର ଛାତି ଫୁଲେ ଉଠେ ଓ ସାହସ ଆସେ। ଦୁର୍ଭାଗ୍ୟଜନକ ଯେ, ବିଜେପି ଶାସନକୁ ଆସିବା ପରେ କ୍ରୀଡ଼ା ସମ୍ମାନର ନାଁ ବଦଳାଇବାକୁ ଚେଷ୍ଟା କଲେ। ଏବେ ସେମାନେ ବିମାନବନ୍ଦରର ନାଁ ବଦଳାଇବାକୁ ଚେଷ୍ଟା କରୁଛନ୍ତି। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ, ହେଲେ ଦୋଷୀ ଧରା ପଡିଲେନି। ୧୯୯୩ରୁ ଓଡ଼ିଶାରେ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି। ଆପଣ ନାଁ ବଦଳାଇ ପାରନ୍ତି, ହେଲେ ଲୋକଙ୍କ ହୃଦୟରେ ଥିବା ବିଜୁ ବାବୁଙ୍କ ପ୍ରତି ଭଲପାଇବା ନୁହେଁ। ପାରାଦୀପ ପୋର୍ଟ ବଦଳାଇ ପାରିବେ କି? ହାଲ୍, ଏନଟିପିସି ତାଳଚେର, ଏନଆଇଟି ରାଉରକେଲାକୁ ବଦଳାଇ ପାରିବେ କି? ଏହା ବିଜେପିର କ୍ଷୁଦ୍ର ମନୋଭାବକୁ ପ୍ରକାଶ କରୁଛି। ଏହା ଅପରିପକ୍ଵ ରାଜନୀତି। ବିଜୁ ବାବୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ କୌଣସି ପଦପଦବୀ ପାଇଁ ରାଜନୀତିକୁ ଆସିନଥିଲେ। ସେବା ପାଇଁ ଆସିଥିଲେ। ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ହେଉ ବା ୟୁନେସ୍କୋ କଳିଙ୍ଗ ପୁରସ୍କାର କଥା ହେଉ, ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେଇଥିଲେ ବିଜୁବାବୁ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିଥିଲେ। ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ। ସରପଞ୍ଚଙ୍କୁ ଗାଁର ମୁଖ୍ୟମନ୍ତ୍ରୀ କହୁଥିଲେ ବିଜୁ ବାବୁ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ମଜବୁତ କରିବାକୁ ବିଜୁବାବୁଙ୍କ ଉଦ୍ୟମକୁ ଅଣଦେଖା କରାଯାଇ ପାରିବ ନାହିଁ। କିଛି ବର୍ଷ ହେଲା କିଛି ବ୍ୟକ୍ତି ଇତିହାସ ବଦଳାଇବାକୁ ଚେଷ୍ଟା କରୁଛନ୍ତି। ତାହା ସଫଳ ହେବା ନାହିଁ। ଇତିହାସ ହେଉଛି ସମୟର ଖୋଲା ବହି। ସରକାର ଆସିବ ଯିବ, କିନ୍ତୁ ବିଜୁବାବୁ ଓଡିଆଙ୍କ ହୃଦୟରେ ରହିବେ। ଓଡ଼ିଶାବାସୀ ତାଙ୍କ ପ୍ରତି ଗର୍ବିତ ବୋଲି ନବୀନ କହିଛନ୍ତି।
No comments:
Post a Comment