AFFILIATE MARKETING

https://binomo.com?a=90810425bb57&t=0

Tuesday, June 24, 2025

ସ୍ୱର୍ଗତଃ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୭୩ତମ ବଳିଦାନ ଦିବସ

ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜେପି ନେତୃବୃନ୍ଦ

ସ୍ୱର୍ଗତଃ ମୁଖାର୍ଜୀ ହେଲେ ତ୍ୟାଗ, ତପସ୍ୟା ଓ ବଳିଦାନର ପ୍ରତୀକ: ମନମୋହନ ସାମଲ

ଭୁବନେଶ୍ୱର, ୨୩/୦୬: ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ହେଲେ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ତାଙ୍କ ବଳିଦାନ ଦିବସ ଆମ ସମସ୍ତଙ୍କ ପାଇଁ ସ୍ମରଣୀୟ ଓ ପ୍ରତିବଦ୍ଧତାର ଦିନ । ସେ ଦେଶର ରାଜନୀତିରେ ମୋଡ଼ ପରିବର୍ତନ କରିଥିଲେ । ସ୍ୱର୍ଗତଃ ମୁଖାର୍ଜୀଙ୍କ ପାଇଁ ଦେଶ ଥିଲା ସର୍ବୋପରି । ତାଙ୍କ ଦୃଢ଼ତା ଓ ଆତ୍ମବିଶ୍ୱାସ ପାଇଁ ଦେଶର ଏକତା ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ହୋଇପାରିଛି । ସେ ଥିଲେ ତ୍ୟାଗ, ତପସ୍ୟା ଓ ବଳିଦାନର ପ୍ରତୀକ ବୋଲି ୭୩ତମ ବଳିଦାନ ଦିବସରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ସାମଲ କହିଛନ୍ତି ଯେ, ଡ. ମୁଖାର୍ଜୀଙ୍କ ଦୃଢ଼ତା ଓ ଆତ୍ମବିଶ୍ୱାସ ପାଇଁ ଦେଶ ଆଜି ଏଭଳି ସ୍ଥିତିରେ ପହଂଚିଛି । ଦେଶର ବିକାଶ, ସାମାଜିକ ନୀତି, ରାଷ୍ଟ୍ରୀୟ ସୁରକ୍ଷା ନୀତି ଏବଂ ରାଷ୍ଟ୍ରୀୟ ଏକତା ପାଇଁ ସେ ସଂକଳ୍ପବଦ୍ଧ ଥିଲେ । ଶିକ୍ଷା ମାଧ୍ୟମରେ ଦେଶର ଲୋକଙ୍କ ମଧ୍ୟରେ ରାଷ୍ଟ୍ରୀୟତା, ଜାତୀୟତାବାଦ ଓ ଦେଶଭକ୍ତି ବଢେଇବା ସହ ପୂର୍ବତନ ଶିକ୍ଷା ବ୍ୟବସ୍ଥାର ଆମୂଳଚୂଳ ପରିବର୍ତନ ଉପରେ ଡ. ମୁଖାର୍ଜୀ ଜୋର ଦେଇଥିଲେ । ସେ ଜଣେ ବିଶିଷ୍ଟ ରାଜନେତା ହେବା ସହ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ । ସେ ପଶ୍ଚିମବଙ୍ଗ ଓ ଜାମ୍ମୁକାଶ୍ମୀର ବିଭାଜନକାରୀ ଶକ୍ତିଗୁଡ଼ିକ ସହ ସାଲିସ କରି ନ ଥିଲେ । ସମ୍ବିଧାନରେ ୩୭୦ ଧାରାକୁ ବିରୋଧ କରି ଏକ୍ ଦେଶ୍ ମେଁ ଦୋ ବିଧାନ୍‌, ଦୋ ପ୍ରଧାନ୍ ଔର ଦୋ ନିଶାନ୍ ନହିଁ ଚଲେଙ୍ଗେ” ବୋଲି କହି ବିନା ପର୍‌ମିଟରେ “କାଶ୍ମୀର ଚଲୋ” ଆହ୍ୱାନ ଦେଇଥିଲେ । ଯେତେବେଳେ କଂଗ୍ରେସ ଦଳ ତିଆରି କରାଗଲା, ସେତେବେଳେ ତା’ବିରୋଧରେ ସଠିକ ତଥ୍ୟ ଦେବା, ଦୃଢ଼ତାର ସହ ଛିଡ଼ା ହେବା, ଭୁଲ୍‌କୁ ଭୁଲ୍ ବୋଲି କହି ଦେଶ ପାଇଁ ମାର୍ଗଦର୍ଶକ ସାଜିଥିଲେ । ମୁଖାର୍ଜୀ ଯେତେବେଳେ ସଂସଦରେ ଛିଡ଼ା ହୋଇ ପ୍ରଶ୍ନ କରୁଥିଲେ, ସେତେବେଳେ ଉତର ଦେବା ପାଇଁ ପଣ୍ଡିତ ଜବାହାରଲାଲ୍ ନେହେରୁ ମଧ୍ୟ ନୈତିକ ସାହାସ କରୁ ନ ଥିଲେ । ନେହେରୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇ କ୍ଷମତାରୁ ବଳିଦାନ ଦେଇଥିଲେ । ଦେଶବାସୀଙ୍କ ସେବାରେ ସେ ନିଜ ଜୀବନକୁ ସମର୍ପଣ କରିଦେଇଥିଲେ । ଲୋକଙ୍କ ମନ ଭିତରେ ସେ ଯେଉଁ ଆତ୍ମବିଶ୍ୱାସ ଭରିଥିଲେ ତାହାକୁ ଲୋକେ ସବୁ ଦିନ ପାଇଁ ମନେ ରଖିବେ ।

ତାଙ୍କ ବିଚାରଧାରାରେ ଅନୁପ୍ରାଣିତ ହୋଇ ବିଜେପି ଆଜି ରୁଦ୍ଧିମନ୍ତ ହୋଇଛି । ୧୯୫୧ ମସିହାରେ ପ୍ରତିଷ୍ଠା ହୋଇଥିବା ଭାରତୀୟ ଜନସଂଘ ପରବର୍ତୀ ସମୟରେ ବିଜେପି ଭଳି ବିଶାଳ ରାଜନୈତିକ ଦଳରେ ପରିଣତ ହୋଇଛି । ଏବେ ସାରା ଦୁନିଆ ବିଜେପିର ବିଶ୍ୱରୂପ ଦେଖୁଛି । ବିଶ୍ୱର ସର୍ବବୃହତ ରାଜନୈତିକ ଦଳଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ବିଚାରଧାରା ଆଗରେ ରଖି ନିଷ୍ଠା, ତପସ୍ୟା ଓ ଆତ୍ମବିଶ୍ୱାସ ବଳରେ ଦଳ ଆଜି ଏହି ସ୍ଥାନରେ ପହଂଚି ପାରିଛି । ଦଳର ବିଚାରଧାରା ଆଜି ସବୁଠି ଆଦୃତ ଓ ଗ୍ରହଣଯୋଗ୍ୟ ହୋଇଛି । ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ପରେ କାଶ୍ମୀର ରାଜ୍ୟ ଭାରତ ବର୍ଷର ଅଭିନ୍ନ ଅଙ୍ଗ ଭାବେ ପରିଗଣିତ ହୋଇଛି । ଫଳରେ ଡ.ମୁଖାର୍ଜୀଙ୍କ ସ୍ୱପ୍ନ ପୂରଣ ହୋଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୪୭ ସୁଦ୍ଧା ବିକଶିତ ଦେଶ ଗଠନ କରିବା ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂରଣ କରିବା ପାଇଁ ସମସ୍ତଙ୍କୁ ପ୍ରୟାସ କରିବାକୁ ଶ୍ରୀ ସାମଲ ଆହ୍ୱାନ ଦେଇଥିଲେ ।

ବୁଦ୍ଧିଜୀବୀ ପ୍ରକୋଷ୍ଟର ଆବାହକ ସୁଦର୍ଶନ ନାୟକ ମଂଚ ପରିଚାଳନା କରିଥିବାବେଳେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ନଗର ଉନ୍ନୟନ ମନ୍ତ୍ରୀ ତଥା ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଳ୍ଳିକ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ବଳିଦାନ ଦିବସ ଉପଲକ୍ଷେ ଆଜି ସକାଳେ ଭୁବନେଶ୍ୱରସ୍ଥିତ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତିରେ ବିଜେପି ନେତୃବୃନ୍ଦ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ସାମଲ ଚାରାରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ସାଧାରଣ ସମ୍ପାଦକ ଶାରଦା ଶତପଥୀ, ଉପସଭାପତି ଗୋଲକ ମହାପାତ୍ର, ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ଏକାମ୍ର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଅରବିନ୍ଦ ଢ଼ାଲି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Monday, June 23, 2025

*ହାଇଟେକ ବୃଦ୍ଧାଶ୍ରମ

                *ହାଇଟେକ ବୃଦ୍ଧାଶ୍ରମ*     
                                                                     
ବାଥ ରୁମ ସଫା ହେଇନି ବୋଧେ ଅନେକ ଦିନରୁ।  ଶିଉଳି ଉପରେ ଗୋଡ ଖସିବା ଆଗରୁ ସତ୍ୟଜିତ ବାବୁ ନିଜକୁ ନିୟନ୍ତ୍ରଣ କରିନେଲେ। ବାଲକୋନୀକୁ ଆସି ବସିଲେ ସେ। କଦଳୀ ପତ୍ର ପରି  ଥରୁଥିଲା ତାଙ୍କ ଦେହଟା। ଟ୍ରିପ୍ଲେକ୍ସ ଘର, ଲିଫ୍ଟ ବି ଲାଗିଛି। ଉପରେ ଏକା ରହନ୍ତି ସତ୍ୟଜିତ ବାବୁ। ତଳ ଦୁଇଟା ମହଲା ଭୁତ-କୋଠୀ ପରି ଖାଲି ପଡିଛି। କ'ଣ ଅଭାବ ଯେ,ଘର ଭଡାରେ ଲଗେଇବେ। ନିଜ କାମ ନିଜେ କରନ୍ତି ଏଇ ବୟସରେ....

ସ୍ତ୍ରୀ ଯିବା ପରେ ଆଉ ଭଲ ଲାଗୁନି। ନିଃସଙ୍ଗତାର ପରିଭାଷା ହିଁ ଅଲଗା। ଅବଶିଷ୍ଟ ଜୀବନକୁ ଏକା ଏକା କାଟିବା ଗୋଟାଏ କଳା ନୁହେଁ ; ବରଂ ଅଭିଶାପର କିଛି ଗୋଟେ ଦହନୀୟ ମୁହୂର୍ତ୍ତ ପରି ଲାଗେ ; ବେଶ୍ ବୁଝି ସାରିଲେଣି ସତ୍ୟଜିତ ବାବୁ।

କଲେକ୍ଟର ଥିଲେ ସେ। ଏଇ ଘରଟି ବନେଇ ଥିଲେ ସତ୍ୟଜିତ ବାବୁ ଯୁବାବସ୍ଥାରେ,ବିବାହର କିଛି ପରବର୍ତ୍ତୀ ବର୍ଷରେ। ଘର ତୋଳିବା ଆଗରୁ ଅନେକ କଥା ଭାବିଥିବେ ନିଶ୍ଚୟ। ପୁଅ ଝିଅଙ୍କ ସାଥିରେ ସୁଖର ଏକ ସଂସାର ସେ ଗଢିବେ ଏଇ ଘର ଭିତରେ। ହେଲା କିନ୍ତୁ ଓଲଟା,  ସେମାନଙ୍କ ଭାଗ୍ୟରେ ସନ୍ତାନ ତ ଥିଲା ସନ୍ତାନର ସୁଖ ନ ଥିଲା। ପୁଅ ଅଧିକ ଧନର ଉପାର୍ଜନ ଲାଳସାରେ ଆମେରିକାରେ ଆଉ ଝିଅ ସେପରି ଇଂଲଣ୍ଡରେ ରେ ଚାକିରୀ କରି ସେଠିକା ବାସିନ୍ଦା ହେଇଯାଇଥିଲା। ଏତେ ବଡ ଘର, କଲେକ୍ଟର ଚାକିରୀର ଅବସର ପରେ ଜୀବନ ସେ ବିତେଇଲେ ସ୍ତ୍ରୀ ପ୍ରତିଭାଙ୍କ ସହିତ। ଭାରି ଭଲ ପାଉଥିଲେ ସେ ପ୍ରତିଭାଙ୍କୁ। ସେ ବି ହାତ ଛାଡି ଚାଲିଗଲେ ଅଚାନକ ଏଇ କିଛି ବର୍ଷ ପୂର୍ବରୁ। ଧନ ସମ୍ପତ୍ତି ଆଉ ବଞ୍ଚି ରହିବାର ଇଚ୍ଛା ଭିତରେ ସମୀକରଣ ବିଗିଡି ଯାଉଥିଲା ଧୀରେ ଧୀରେ। ଏତେ ଗୁଡ଼ାଏ ସମ୍ପତ୍ତିକୁ ନେଇ ଗର୍ବର ଅଜଗର ସାପ ସମୟର କଣ୍ଟା ବାଡ଼ରେ ଛନ୍ଦି ହେଇ ପଡିଛି। ଏକ ନିର୍ଦ୍ଦିଷ୍ଟ ମାଇଲ ଖୁଣ୍ଟ ଅତିକ୍ରମ କରି ଯିବା ପରେ ଭାରି ଉଦାସ ଲାଗେ, ଅନାବଶ୍ୟକ ଲାଗେ ହାତ ମୁଠାରେ ଥିବା ସମ୍ପତ୍ତି ସବୁ....।
ବାଥରୁମରେ ପଡ଼ିଯାଇଥିଲେ, କ'ଣ ହେଇଥାନ୍ତା କେଜାଣି। ପଡିଗଲେ ମୃତ୍ୟୁ ସୁନିଶ୍ଚିତ, ତାଙ୍କ ଦେହଟା ପୁଣି ଥରେ ଶିହରି ଉଠିଲା। ପଡି ଯାଇ ହାତ ଗୋଡ ଭାଙ୍ଗି ଯାଇଥିଲେ, ଆହୁରି କଷ୍ଟ ହେଇଥାନ୍ତା। ନା ବୁଝା ଶୁଝା କରିବା ପାଇଁ ପ୍ରତିଭା ଅଛନ୍ତି ପାଖରେ, ନା ପୁଅ ଝିଅ ଅଛିନ୍ତି ଯେ ଖବର ପାଇ ଦଉଡି ଆସନ୍ତେ !!! ଭଙ୍ଗା, ପରିତ୍ୟକ୍ତ ପାଚେରୀ ଉପରେ ଦୁଇଟି ଗୁଣ୍ଡୁଚି ମୂଷାର ଖେଳ ଦେଖି ଅନ୍ୟ ମନସ୍କ ହୋଇଗଲେ ସତ୍ୟଜିତ ବାବୁ। ହାଲୁକା ବର୍ଷାରେ ଭିଜି ଗଲେ ସେମାନେ, ମନ ଖୁସିରେ କାନ୍ଥର ଗୋଟେ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ଦୌଡୁଥିଲେ ଦୁଇଟି ଗୁଣ୍ଡୁଚି ମୂଷା।  ସର୍ତ୍ତହୀନ ପ୍ରେମରେ ମଜା ହିଁ ଅଲଗା। ଜୀବନଟା ଥର ମରୁଭୂମି ପରି ଲମ୍ବା ଲାଗିଲେ ବି, ସତରେ ଏତେ ଲମ୍ବା ନୁହେଁ ;  ଠିକ୍ ଏଇ ପାଚେରୀର ଦୈର୍ଘ୍ୟ ପରି.... ଆରମ୍ଭ ହୋଇ ହଠାତ୍ ସରିଯାଏ। ଜୀବନକୁ ଠିକ୍ ଭାବେ ଜୀଇଁ ପାରିଲେ ହିଁ ସାର୍ଥକତା, ବାସ୍।  

ବର୍ଷା ଛାଡି ଯାଇଥାଏ। ନିଃସଙ୍ଗ ଜୀବନର ଗୋଟାଏ ପୃଷ୍ଠା ଓଲଟି ଗଲା ଯେମିତି। ନୂଆ ପୃଷ୍ଠାଟିଏ ଆଖି ଆଗରେ। ନୂଆ ନୂଆ ଚିନ୍ତା, ଦୁଶ୍ଚିନ୍ତା ମନ ସମୁଦ୍ରକୁ ଅଶାନ୍ତ କରୁଥା'ନ୍ତି, ଯେମିତି ଘୂର୍ଣ୍ଣିଝଡ ମାଡି ଆସିବ।  

"ପୁଅ କି ଝିଅ ନାଆଁରେ ଘରଟା କରି ଦେବି ନା କଲୋନୀରେ ଥିବା ଭଗବତୀ ମନ୍ଦିର ନାଆଁରେ କରିବି, କିଛି ବୁଝି ପାରୁନି।" ସେପଟେ ସନ୍ତାନମାନେ ପାଖରେ ନ ଥିବା ଦେଖି ପୁତୁରା ଶଶାଙ୍କ ସବୁଦିନ କିଛି ନା କିଛି ଆଶାରେ ସମ୍ପର୍କରେ ରଖେ।

ପ୍ରତିଭାଙ୍କ ମୃତ୍ୟୁ ପରଠୁ କାହିଁକି କେଜାଣି ଶଶାଙ୍କ ପ୍ରତିଦିନ ଥରେ କଥା ହୁଏ,"ମୁଁ ଅଛି ପରା,କିଛି ଅସୁବିଧା ହେବନି", କହି ସହାନୁଭୂତି ପ୍ରକାଶ କରେ। କିନ୍ତୁ ଏଇ କେତେ ବର୍ଷ ହେଲା ଅବସର ପର ଠାରୁ ତାହାର ଆଉ ଦେଖା-ସାକ୍ଷାତ୍ ନ ଥିଲା। ଏଇ କେତେ ଦିନ ହେଲା ପୁଣି ଗୁଡ-ମର୍ଣିଂ ଲେଖି ନିଜର ଆତ୍ମୀୟତା ଦେଖାଇବା ଆରମ୍ଭ କରିଛି। କ'ଣ କରିବି, କାହାକୁ ଦାନ କରିବି ଏତେ ସମ୍ପତ୍ତି ସବୁ। ଅପାତ୍ରରେ ଦାନ ହେଇ ଯିବନି ତ !!

"ସହରର କିଛି ପ୍ରସିଦ୍ଧ ଘର ନିର୍ମାଣକର୍ତ୍ତାମାନେ ଆସି ଜାଗାଟିକୁ କିଣିବା ପାଇଁ ଲୋଭନୀୟ ସର୍ତ୍ତ ରଖୁଛନ୍ତି। ଏତେ ପଇସା ପୁଣି ମୁଁ କାହାକୁ ଦେବି, ମୁଣ୍ଡ କାମ କରୁନି।"

"ତହସିଲଦାର ନଟ ବାବୁ....ସାଥିରେ ଆମେ ପଢିଥିଲୁ ବି.ଏ. ପର୍ଯ୍ୟନ୍ତ। ମୁଁ କଲେକ୍ଟର ହେଲି, ଅହଙ୍କାର ଭରି ହେଇଗଲା ମୋ ଭିତରେ। ସର୍ବ-ସମକ୍ଷରେ ତହସିଲଦାର ନଟ ବାବୁଙ୍କୁ ମୋର ସାଙ୍ଗ ବୋଲି ପରିଚୟ ଦେବାକୁ ଚାହୁଁ ନ ଥିଲି। ମୁଁ କୃଷି ସେକ୍ରେଟାରୀ ଭାବେ ଅବସର ନେଲା ବେଳକୁ ନଟ ବାବୁ କଳାହାଣ୍ଡିର ସବ କଲେକ୍ଟର ଥିଲେ। ସେଇଠି ସେ ଅବସର ଗ୍ରହଣ କରିଥିଲେ। ଆମ ଘରକୁ ଲାଗି ତାଙ୍କ ଘର। ତାଙ୍କ ଘରଟା ଛୋଟ ହେଲେ ବି, ଆଉ ମୋ ଭିତରେ ସେମିତି ଅହଙ୍କାର ନାହିଁ। *ଅବସର ପରେ ଆଖିର ଶକ୍ତି କ୍ଷୀଣ ହେଇଯାଏ, ପିନ୍ଧା ଚଷମାର ପ୍ରବଳତା କମିଯାଏ ବୋଧେ, ସମସ୍ତେ ସମାନ ଲାଗନ୍ତି।* ନଟ ବାବୁ ଓ ମୋ ଭିତରେ ଥିବା ପାର୍ଥକ୍ୟକୁ ମୁଁ ଆଉ ଦେଖି ପାରୁନି। ସମସ୍ତେ ଆମେ ଅସହାୟ ସେତେବେଳେ।
ଆଜି କାଲି ଭାରି ମିଶନ୍ତି ସେ ମୋ ସହିତ। ମୋର ଛୁଆ ପିଲା ଥାଇ ମୁଁ ଏକୁଟିଆ। ସେହିପରି ତାଙ୍କର ବି ପୁଅଝିଅ ଆମେରିକାରେ ଥାଇ  ବି ନଟ ବାବୁ ଏକା ରହନ୍ତି। ପ୍ରତି ରବିବାର ସଞ୍ଜ ବେଳେ ଗରମ ଗରମ କଫି ପିଇବାକୁ ଡାକନ୍ତି ନଟ ବାବୁ। ଭାରି ଶ୍ରଦ୍ଧା କରନ୍ତି, ନିଃସ୍ବାର୍ଥପର ଭାବେ।"

ବେଳେ ବେଳେ ଇଚ୍ଛା ହୁଏ ନଟ ବାବୁଙ୍କୁ ଘର ଦେଇ କହିବି,"ଭାଇ ମୋ ଅନ୍ତେ ଆମ ଘର କଥା ତମେ ବୁଝିବ  ".....

ହଠାତ୍ ଘଡଘଡି ମାରିଲା ଆକାଶରେ। ସତ୍ୟଜିତ୍ ବାବୁ ଅନେଇଲେ ଆକାଶ ଆଡକୁ। ଝଡି ପୋକ ଦଳଟି କଉଠି ଥିଲେ କେଜାଣି ବାରଣ୍ଡା ସାରା ଭରି ଗଲେ। ବାଧ୍ୟ ହୋଇ କବାଟ ବନ୍ଦ କରି ଭିତରକୁ ଆସିଲେ ସତ୍ୟଜିତ୍ ବାବୁ।

ତା ପରଦିନଠୁ ଘର ମରାମତି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଥାଏ। ଗ୍ରାନାଇଟ୍, ମାର୍ବଲ ଗାଡି ସବୁ ଲାଗିଲା ତାଙ୍କ ଘର ଆଗରେ। ଶାଗୁଆନ କାଠର ଚେୟାର, ଟେବୁଲ୍, ଖଟ ଆସି ପହଞ୍ଚିଲା। ପ୍ରତି ବାରଣ୍ଡାରେ ସୋଫା ଓ ଟି ପୟ। ହିଣ୍ଡୱେର କମ୍ପାନୀର ଗାଡି ଆସି ବେସିନ, କମୋଡ, ସାୱାର, ଗିଜର ଓହ୍ଲେଇ ଦେଇଗଲା ତାଙ୍କ ଘର ଆଗରେ। 

ଗାଆଁ ଲୋକେ ଫୁସ୍ ଫାସ ହେଲେ : "ମଣିଷର ଲୋଭ ଦେଖ। ଆଉ କେତେ ଦିନ ବଞ୍ଚିବେ ଯେ, ସତ୍ୟଜିତ ବାବୁ ଘର ମରାମତି କରୁଛନ୍ତି, କାହାପାଇଁ କେଜାଣି !! ଏଇ ବୟସରେ ଧର୍ମ କର୍ମ କରିବା କଥା, କି ଯୁଗ ହେଲା କେଜାଣି !!!

ସହରରୁ ବାହାରୁଥିବା ଆଞ୍ଚଳିକ ଖବର କାଗଜରେ କିଏ ଜଣେ ବ୍ଲଗ୍ ଲେଖିଛି  ସତ୍ୟଜିତ୍ ବାବୁଙ୍କ ବାବଦରେ। ଘୋର ନିନ୍ଦା, ଅପବାଦ କଥା। ଜଣେ ଅବସର ପ୍ରାପ୍ତ ଲୋଭୀ ଆଇ.ଏ.ଏସ୍ ଅଫିସରଙ୍କ କଥା। ଅଶି ବର୍ଷ ବୟସରେ ମଧ୍ୟ ବଞ୍ଚିବାର ଲୋଭ। ସତ୍ୟଜିତ ବାବୁଙ୍କର ସେମିତି କିଛି ପ୍ରତିକ୍ରିୟା ନ ଥିଲା,ନା କୋର୍ଟ କଚେରୀ ଯିବାକୁ ବଳ ବୟସ ଅଛି।

ମାସେ ଭିତରେ ଘର ଆଗରେ ଗାଲିଚା ତିଆରି ହେଇ ପ୍ରସ୍ତୁତ। ଅଧା ଏକରରୁ ଅଧିକ ହେବ ଘାସ ଗାଲିଚାଟି। ଚାରି ପାଞ୍ଚୋଟି ରବର୍ ଗଛ ଶୋଭା ବର୍ଦ୍ଧନ କରୁଛି। ଗୋଲାପ, ରଜନୀଗନ୍ଧା, ପର୍ତୁଲାକା, ରଙ୍ଗଣୀ, ସେବତୀ, ମଲ୍ଲି-ଫୁଲ ଗଛରେ ସୁ-ସଜ୍ଜିତ ଘର ଆଗରେ ଥିବା ଉଦ୍ୟାନଟି। ଦୁଇ ତିନୋଟି ଦୋଳି ସହିତ ନାନା ରକମର ଜିମ୍-ସରଞ୍ଜାମ ପାଚେରୀ ଧାରେ ଧାରେ। 

କଲୋନୀ ଲୋକେ ଘର ଆଡେ ଅନେଇ ମୁଚୁକି ହସା ଦିଅନ୍ତି। ଭାବନ୍ତି : ମଶାଣି ପାଖ ହେଇ ବି, ମଣିଷ ସ୍ବପ୍ନ ଦେଖେ। ସତ୍ୟବ୍ରତ ବାବୁଙ୍କ ଅଦ୍ଭୁତ ଏଇ ପରିକଳ୍ପନା ନେଇ ଇ.ଡି/ସି.ବି.ଆଇ. ସ୍ତରରେ ହଲଚଲ ସୃଷ୍ଟି ହେଇଛି। ଅବସର ପ୍ରାପ୍ତ ଆଇ.ଏ.ଏସ୍ ଅଫିସରଙ୍କ ଘର ମରାମତି ପାଇଁ ପଇସା ଆସୁଛି କୋଉଠୁ ??

ସକାଳର ସୂର୍ଯ୍ୟ କିରଣ ଖେଳୁଛି ସତ୍ୟଜିତ୍ ବାବୁଙ୍କ ଅଗଣାରେ। ଘର ରୂପରେଖ ସମ୍ପୂର୍ଣ୍ଣ ବଦଳି ଯାଇଛି। ବଡ ଫ୍ଲେକ୍ସ ବୋର୍ଡ ଲାଗିଛି ଘର ଆଗରେ। *ପ୍ରତିଭା ବୃଦ୍ଧାଶ୍ରମ* ; ପଚାଶ ବେଡ ବିଶିଷ୍ଟ ବୃଦ୍ଧା ଶ୍ରମଟି। ପଞ୍ଜିକରଣ ଆରମ୍ଭ ହେବ ଆସନ୍ତାକାଲି ସକାଳ ଆଠଟାରୁ। *ପ୍ରଥମେ ଆସ, ପ୍ରଥମେ ପାଅ,* ଆଧାରରେ ବଣ୍ଟନ ହେବ ବେଡ ଗୁଡିକ।
ସମସ୍ତେ ସ୍ତବ୍ଧ। କାହା ମୁହଁରେ ଆଉ ଭାଷା ନାହିଁ। ଲମ୍ବା ଧାଡି.. ସତ୍ୟଜିତ୍ ବାବୁ ନିଜେ ଛିଡା ହୋଇଛନ୍ତି ଧାଡ଼ିରେ। ପଛରେ ନଟ ବାବୁ।

ସାମ୍ବାଦିକ ମାନେ ପଚାରିଲେ : *"ପଚାଶ ଖଟ ବିଶିଷ୍ଟ ଏଇ ବୃଦ୍ଧାଶ୍ରମରେ ସାଠିଏ ଜଣ ବୟସ୍କ ଲୋକଙ୍କୁ କେମିତି ଜାଗା ଦେବେ ?"*

ହଁ, ମୁଁ କିଛି କହିବାକୁ ଚାହୁଁଛି। ପ୍ରତି ଘରେ ବୟସ୍କ ମାନେ ଗୋଟେ ଅଦ୍ଭୁତ ଘର ସନ୍ଧାନରେ ଥାଆନ୍ତି ବୋଧେ, ଯେଉଁଠି ଖୁସି ମିଳିବ। ଦେଖୁ ନାହାନ୍ତି, ଗତ କାଲି ଆମେ ପଞ୍ଜିକରଣ ପାଇଁ ବୋର୍ଡ ଲଗେଇଥିଲୁ।  ଆଜି ପ୍ରାୟ ସାଠିଏ ଜଣ ବୟସ୍କ ଲୋକ ଧାଡ଼ିରେ ଛିଡା ହୋଇଛନ୍ତି। ଏଥିରୁ ସ୍ପଷ୍ଟ ଅନୁମାନ କରିହୁଏ ଯେ, *ନିର୍ଦ୍ଦିଷ୍ଟ ସମୟ ସୀମା ଅତିକ୍ରମ କରିଯିବା ପରେ, ଜଣେ ବୟସ୍କ ବ୍ୟକ୍ତି ଏମିତି ଗୋଟାଏ ପରିବେଶ ଭିତରେ ଛନ୍ଦି ଯିବାକୁ ଚାହେଁ; ଯେଉଁଠି ସ୍ନେହ, ଶ୍ରଦ୍ଧା ବେଶି ନ ଥିଲେ ବି, ଛଳନା ଓ ଘୃଣାର ଶିକାର ହେବାକୁ ପଡେନି, ଯେଉଁଠି ଜୀବନ ପ୍ରତି ଆକର୍ଷଣ  ବଢି ବଢ଼ି ଚାଲେ।*

ଏଇଠି ପଞ୍ଜିକରଣ କରିଥିବା ପ୍ରାୟ ଅଧାରୁ ଅଧିକ ବୟସ୍କ ଲୋକଙ୍କ ପୁଅ, ବୋହୂ ସାଥିରେ ରହନ୍ତି, କାହିଁକି ନା ଭବିଷ୍ୟତ କାଳରେ କଣ ହେବ ସେମାନେ ବି କିଛି ଅନୁମାନ ଲଗାଇ ଏହି ପଦକ୍ଷେପ ଉଠାଇ ଥିବେ ବୋଧହୁଏ।

*"ହଁ, ଅଧିକ ଦଶ ଜଣଙ୍କ ପାଇଁ ହୃଦୟରେ ଜାଗା ଅଛି। ହୃଦୟରେ ଜାଗା ଅଛି ଯେତେବେଳେ,କିଛି ନା କିଛି ଉପାୟ ବାହାରି ଆସିବ।"*

ନଟ ବାବୁ ମାଇକ୍ ଛଡେଇ ନେଇ କହିଲେ, *"ପାଖକୁ ଲାଗି ଆମ ଘରଟା ଅଛି ପରା। ସେ'ଠି ବ୍ୟବସ୍ଥା ହେଇଯିବ।"*

ସତ୍ୟବ୍ରତ ବାବୁ କୋଳେଇ ନେଲେ ନଟ ବାବୁଙ୍କୁ। 

ଦୁଇ ଦିନ ପରେ, ଚଳଚଞ୍ଚଳ ଲାଗୁଥିଲା ଘର ଦୁଇଟି। କେତେ ବର୍ଷ ଧରି ଜୀବନ ନ ଥିବା ଘର ଆଜି ଜୀବନ ପାଇଛି। ଭଜନ କୀର୍ତ୍ତନ ଶବ୍ଦ ଭିତରେ ରୋଷେଇ ଘରୁ ବାସନ କୁସନର ଶବ୍ଦ ସହିତ ଚା'ର ବାସ୍ନା ବିମୋହିତ କରୁଥିଲା ପରିବେଶକୁ।

ସତ୍ୟଜିତ୍ ବାବୁ ଆଉ ଏକା ନୁହନ୍ତି, ସାଙ୍ଗ ଗହଣରେ ହଜେଇ ଦେଇଛନ୍ତି ସେ ନିଜକୁ।  ଆଗରେ ରାସ୍ତା ନ ଥିଲେ କଣ ହେଲା, ରାସ୍ତା ବନେଇ ବନେଇ ଯିବାକୁ ହୁଏ, ବାସ୍।

ସେ ଆଜି ଅବସରପ୍ରାପ୍ତ ଆଇ.ଏ.ଏସ୍ ଅଫିସର ନୁହନ୍ତି; ବୃଦ୍ଧା ଶ୍ରମରେ ଜଣେ ସାଧାରଣ ସଦସ୍ୟ। ଗୋଟାଏ ବେଡ୍ ହିଁ ତାଙ୍କ ସମ୍ପତ୍ତି। 

ଖଟ ପାଖରେ ଲାଗିଥିବା ପ୍ରତିଭାଙ୍କ ଫଟୋକୁ ଅନେଇ ମନେ ମନେ କହୁଥିଲେ, "ଦେଖ ପ୍ରତିଭା ! ତମେ ଥିଲେ ଆଉ ଟିକେ ଅଧିକ ଭଲ ଲାଗୁ ଥାଆନ୍ତା ପରିବେଶଟା। ତମେ ସ୍ଵର୍ଗରେ ଭଲରେ ଥାଅ, ମୁଁ ବେଶ୍ ଖୁସିରେ ଅଛି। ଆମେ ପରସ୍ପରଙ୍କ କଥା ବୁଝୁଛୁ, ବାଥ୍-ରୁମରେ ପଡିଗଲେ ବି, ଆଉ ଭୟ ନାହିଁ, କେହି ଜଣେ ନିଶ୍ଚୟ ହାତ ଧରି ଉଠେଇ ଆଣିବେ।"

"ଜାଣିଛ ନା ଠିକ୍ ତମ ଭଳି ଜଣେ ବୟସ୍କ ଭଦ୍ର ମହିଳା ଆସିଛନ୍ତି ଆମର ଏଇ  ବୃଦ୍ଧାଶ୍ରମକୁ, ତାଙ୍କ ଗାଲରେ ବି ଠିକ୍ ତମ ପରି; ତିଳ ଚିହ୍ନଟିଏ ରହିଛି।"

ପଞ୍ଜିକରଣ ବେଳେ ମୋତେ ଦେଖି ସେ ହସିଦେଲେ। ଆଗକୁ ଯାଇ ସେ ଯଦି ମୋ ଯତ୍ନ ନିଅନ୍ତି....ଭାବିବି, ତମେ ଆଉଥରେ ତାଙ୍କ ଭିତରେ ପଶି ଆସିଛ।"

ଆଖିରୁ ଦୁଇ ଟୋପା ଆନନ୍ଦାଶ୍ରୁ ବୋହି ଆସିଲା...

*I don't know who is the writer,( many many thanks to him/ her)but a heart touching story.*

ଦୁଇଫାଳ ହୀରାଖଣ୍ଡ ଏକ୍ସପ୍ରେସ

ଦୁଇଫାଳ ହୀରାଖଣ୍ଡ ଏକ୍ସପ୍ରେସ

ଅଧାରେ ଅଟକିଲା ଟ୍ରେନ

ଜୟପୁର, ୨୨/୦୬: ଏକ ବଡ଼ ରେଳ ଦୁର୍ଘଟଣାରୁ ବର୍ତ୍ତି ଗଲା ହୀରାଖଣ୍ଡ ଏକ୍ସପ୍ରେସ। ଛତିଶଗଡ଼ର ଜଗଦଲପୁରରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନ୍‌ କୋରାପୁଟର ଜୟପୁର ନିକଟରେ ଏକ୍ସପ୍ରେସର ଦୁଇଟି ବଗି ଅଲଗା ହୋଇଯାଇଥିଲା। ଯାହା ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସୌଭାଗ୍ୟ ବଶତଃ କୌଣସି କ୍ଷୟକ୍ଷତି ଘଟିନାହିଁ।

ସୂଚନା ଅନୁଯାୟୀ, ଟ୍ରେନର ବୈଷୟିକ ତ୍ରୁଟି ଯୋଗୁଁ ଦୁଇଟି ଇଞ୍ଜିନ ପାଶ୍ୱର୍ରେ ଥିବା ଦୁଇଟି ବଗି ଟ୍ରେନର ଅନ୍ୟ ଅଂଶରୁ ଅଲଗା ହୋଇଯାଇଥିଲା। ସୂଚନା ପାଇବା ପରେ ରେଳ ଅଧିକାରୀ ଏବଂ ବୈଷୟିକ ଟିମ୍ ଘଟଣାସ୍ଥଳକୁ ମରାମତି କରିଥିଲେ

ଓଡ଼ିଶା ସମେତ ୬ ରାଜ୍ୟକୁ ଯିବାକୁ ନିଜ ଦେଶର ନାଗରିକଙ୍କୁ ଯିବାକୁ ବାରଣ କଲା ଆମେରିକା

ଓଡ଼ିଶା ସମେତ ୬ ରାଜ୍ୟକୁ ଯିବାକୁ ନିଜ ଦେଶର ନାଗରିକଙ୍କୁ ଯିବାକୁ ବାରଣ କଲା ଆମେରିକା

ଭାରତର ଏହି ୬ ରାଜ୍ୟକୁ ନ ଯିବାକୁ ଆଡଭାଇଜରି ଜାରି କଲା ଆମେରିକା

ନୂଆଦିଲ୍ଲୀ, ୨୨/୦୬: ଓଡ଼ିଶା ସମେତ ଭାରତର ୬ ରାଜ୍ୟରେ ସୁରକ୍ଷିତ ନାହାନ୍ତି ଆମେରିକୀୟ। ଭାରତରେ ଦିନକୁ ଦିନ ବୃଦ୍ଧି ପାଉଛି ଦୁଷ୍କର୍ମ, ହିଂସାକାଣ୍ଡ ଓ ଆତଙ୍କବାଦ କାର୍ଯ୍ୟକଳାପ। ବିଶେଷ କରି ୬ ରାଜ୍ୟରେ ସୁରକ୍ଷିତ ନାହାନ୍ତି ମହିଳା। ତେଣୁ ଆମେରିକୀୟ ମହିଳା ନାଗରିକଙ୍କୁ ଭାରତ ଭ୍ରମଣ କରିବାକୁ ଆସିଲେ ୬ ରାଜ୍ୟକୁ ନ ଯିବାକୁ ପରାମର୍ଶ ଦେଇଛି ଦେଶର ବୈଦେଶିକ ମନ୍ତ୍ରାଳୟ।

ଏ ନେଇ ଆମେରିକାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଲେବଲ-୨ ଚେତାବନୀ ଜାରି କରାଯାଇଛି। ଗତ ଜୁନ ୧୬ରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା।

ନିର୍ଦ୍ଦେଶାବଳୀ ମୁତାବକ, ଭାରତର କିଛି ଅଞ୍ଚଳରେ ଦିନକୁ ଦିନ ବିପଦ ବୃଦ୍ଧି ପାଉଛି। ବିଶେଷତଃ ଦୁଷ୍କର୍ମ ଘଟଣା ବେଶୀ ବଢୁଛି। ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ଅନ୍ୟାନ୍ୟ ଅଞ୍ଚଳରେ ଯୌନ ନିର୍ଯାତନା ବଢ଼ୁଛି। ବିନା ଆଲର୍ଟରେ ଆତଙ୍କବାଦୀମାନେ ଆକ୍ରମଣ କରୁଛନ୍ତି। ସେମାନେ ପର୍ଯ୍ୟଟନ ସ୍ଥଳୀ, ପରିବହନ କେନ୍ଦ୍ର, ମାର୍କେଟ, ସପିଂ ମଲ୍ କୁ ଟାର୍ଗେଟ କରୁଛନ୍ତି। ତେଣୁ ଭାରତର ଗ୍ରାମାଞ୍ଚଳରେ ଥିବା ଆମେରିକୀୟ ନାଗରିକମାନଙ୍କ ପାଇଁ ଜରୁରୀକାଳୀନ ସେବା ଜାରି କରାଯାଇଛି। ତେଣୁ ଭାରତର ୬ ରାଜ୍ୟର ଗ୍ରାମାଞ୍ଚଳକୁ ଯିବାକୁ ହେଲେ ସ୍ୱତନ୍ତ୍ର ଅନୁମତି ନେବାକୁ ଆଡଭାଇଜରିରେ କୁହାଯାଇଛି।

ଆଡଭାଇଜରିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଭାରତରେ ସାଟେଲାଇଟ ଫୋନ ଜିପିଏସ ଡିଭାଇସ୍ ବେଆଇନ ଥିବାରୁ ସେଠାରେ ଏହି ସବୁ ଜିନିଷ ବ୍ୟବହାର କଲେ ୨୦୦ ଡଲାର ଜୋରିମାନା କିମ୍ବା ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ରହିଛି। ତେଣୁ ମହିଳାମାନେ ଏକୁଟିଆ ଭାରତରେ ଭ୍ରମଣ କରନ୍ତୁ ନାହିଁ।

ଜମ୍ମୁୁ- କାଶ୍ମୀର, ଭାରତ-ପାକିସ୍ତାନ ସୀମା, କେନ୍ଦ୍ରୀୟ ଓ ପୂର୍ବ ଭାରତରେ ରାଜଧାନୀ ବ୍ୟତୀତ ସ୍ୱତନ୍ତ୍ର ଅନୁମତି ବିନା ଗ୍ରାମାଞ୍ଚଳକୁ ଯାଆନ୍ତୁ ନାହିଁ।

ସେହିପରି ଭାରତ-ନେପାଳ ସୀମା ପାର ନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଭାରତ-ନେପାଳ ସୀମା ଡେଇଁଲେ ସେଠାରେ ଅଟକ ରହିଯିବା ଏବଂ ଜୋରିମାନା ଦେବାର ସମ୍ଭାବନା ରହିଛି। ଏତଦବ୍ୟତୀତ ଉତ୍ତର-ପୂର୍ବ ଦେଶ ଯେପରିକି ମଣିପୁର ମଧ୍ୟ ଯିବାକୁ ମନା କରାଯାଇଛି।

ଭାରତର ନିମ୍ନୋକ୍ତ ୬ ରାଜ୍ୟକୁ ଯିବାକୁ ଭ୍ରମଣ ଚେତାବନୀ ଜାରି କରିଛି ଆମେରିକାର ବୈଦେଶିକ ମନ୍ତ୍ରାଳୟ:-

୧. ବିହାର

୨. ଝାଡ଼ଖଣ୍ଡ

୩. ଛତିଶଗଡ଼

୪. ପଶ୍ଚିମବଙ୍ଗ

୫. ମେଘାଳୟ

୬. ଓଡ଼ିଶା

Sunday, June 22, 2025

ଅପରେସନ ମିଡନାଇଟ ହାମର

୩ ପରମାଣୁ କେନ୍ଦ୍ର ଧ୍ୱଂସ କରିଥିଲା ଆମେରିକା ବାୟୁସେନା

ପ୍ରେସ ବ୍ରିଫିଂରେ ଜେନେରାଲ ଡାନ୍ କେନ୍ କହିଲେ କିପରି ହୋଇଥିଲା ଆକ୍ରମଣ

ୱାଶିଂଟନ, ୨୨/୦୬: ଶନିବାର ରାତିରେ ଆମେରିକାର ଆକ୍ରମଣରେ ଛାରଖାର ହୋଇଯାଇଥିଲା ଇରାନର ପରମାଣୁ କେନ୍ଦ୍ର।ଏହି ଆକ୍ରମଣକୁ ଅପରେସନ ମିଡନାଇଟ୍ ହାମର୍ କୋଡ୍ ନେମ ଦେଇଥିଲା ଆମେରିକା। ଏଥିରେ ୧୨୫ରୁ ଅଧିକ ବିମାନ ସାମିଲ ଥିଲା। କିନ୍ତୁ ଇରାନର ଏୟାର ଡିଫେନ୍ସ ସିଷ୍ଟମ ଆମେରିକାର ଗୋଟିଏ ବି ବିମାନକୁ ପ୍ରତିହତ କରି ପାରିନଥିଲା। ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ଫେରିଥିଲା ଆମେରିକାର ବିମାନ ବୋଲି ଆଜି ପ୍ରେସ ବ୍ରିଫିଂରେ ଜଣେ ଶୀର୍ଷ ଆମେରିକୀୟ ଅଧିକାରୀ ଜେନେରାଲ ଡାନ୍ କେନ୍ ରବିବାର କହିଛନ୍ତି।

ଏଥିରେ ସାତଟି ଗୁପ୍ତ B-2 ବୋମାବର୍ଷୀ ବିମାନ ଦ୍ୱାରା ଇରାନର ଦୁଇଟି ପରମାଣୁ କେନ୍ଦ୍ର, ଫୋର୍ଡୋ ଏବଂ ନତାଞ୍ଜ ଉପରେ ୧୨ରୁ ଅଧିକ ୩୦,୦୦୦ ପାଉଣ୍ଡ ଓଜନର ଅର୍ଡନାନ୍ସ ପେନେଟ୍ରେଟର୍ ବୋମା ମାଡ କରିବା ସହ ଇସ୍ଫାହାନରେ ଟୋମାହକ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ପ୍ରତି B-2 ବିମାନରେ ଦୁଇଟି ଲେଖାଏଁ କ୍ରୁ ସଦସ୍ୟ ଥିଲେ। ଏହି ଆକ୍ରମଣରେ ୧୪ଟି ବଙ୍କର-ବଷ୍ଟର ବୋମା, ୧୨ରୁ ଅଧିକ ଟୋମାହକ୍ କ୍ଷେପଣାସ୍ତ୍ର ଏବଂ ୧୨୫ରୁ ଅଧିକ ମିଲିଟାରୀ ଏୟାରକ୍ରାଫ୍ଟ ସାମିଲ ଥିଲା।

ବୋମା ବିସ୍ଫୋରଣକାରୀ ବିମାନଗୁଡ଼ିକ ସନ୍ଧ୍ୟା ୬ଟା ୪୦ ରୁ ଫୋର୍ଡୋ, ନତାଞ୍ଜ ଏବଂ ଏସଫାହାନ ଉପରେ ଆକ୍ରମଣ କରି ସନ୍ଧ୍ୟା ୭ଟା ୫ ସୁଦ୍ଧା ଇରାନ ଆକାଶ ସୀମା ବାହାରକୁ ଚାଲିଯାଇଥିଲେ। ୬ଟା ୪୦ରେ ପ୍ରଥମେ ଫୋର୍ଡୋ ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରାଯାଇଥିଲା। ଏହା ପରେ ଅବଶିଷ୍ଟ ଦୁଇଟି ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରାଯାଇଥିଲା। ଇରାନ ବାୟୁସୀମା ପ୍ରବେଶ କରିବା ମଧ୍ୟରେ ଓ ପରେ ଇରାନ ପକ୍ଷରୁ କୌଣସି ଆଟାକ ହୋଇନଥିଲା।

Saturday, June 21, 2025

ସାରା ବିଶ୍ବରେ ଆଜି ପାଳିତ ହେଉଛି ୭ଟି ଦିବସ


ଆଜିର ତାରିଖ ୨୧ ଜୁନ ୨୦୨୫

ଆଜିର ଦିନରେ ସାରା ବିଶ୍ୱରେ କେଉଁ ସବୁ ଦିବସ ପାଳନ କରାଯାଉଛି ନଜର‌ ପକାନ୍ତୁ:-

୧. ଆନ୍ତର୍ଜାତୀୟ ଯୋଗ ଦିବସ:- ଆନ୍ତର୍ଜାତୀୟ ଯୋଗ ଦିବସ ହେଉଛି ଯୋଗକୁ ସ୍ୱୀକୃତି ଦେବା ପାଇଁ ଏକ ଦିବସ, ଯାହା ୨୦୧୪ ମସିହାରେ ଜାତିସଂଘ ଦ୍ୱାରା ଗ୍ରହଣ କରାଯିବା ପରେ ପ୍ରତିବର୍ଷ 21 ଜୁନ୍ ରେ ସାରା ବିଶ୍ୱରେ ପାଳିତ ହୁଏ।

୨. ବିଶ୍ୱ ସଙ୍ଗୀତ ଦିବସ:- ଗ୍ରୀଷ୍ମକାଳୀନ ସଲଷ୍ଟିସ୍ ଦିନ ପ୍ରଥମେ ଫ୍ରାନ୍ସର ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ଜ୍ୟାକ୍ ଲାଙ୍ଗ ଏବଂ ମରିସ୍ ଫ୍ଲୁରେଟ୍ ଦ୍ୱାରା ସଙ୍ଗୀତ ଉତ୍ସବ ଆରମ୍ଭ ହୋଇଥିଲା। ଏହା ୧୯୮୨ ମସିହାରେ ପ୍ୟାରିସରେ ପାଳିତ ହୋଇଥିଲା। ପରବର୍ତ୍ତୀ ସମୟରେ ବିଶ୍ୱର ୧୨୦ଟି ଦେଶରେ ସଙ୍ଗୀତ ଦିବସ ପାଳନ କରାଯାଇଥିଲା।

୩. ବିଶ୍ୱ ହାଇଡ୍ରୋଗ୍ରାଫି ଦିବସ:- ପ୍ରତିବର୍ଷ ଜୁନ୍ ୨୧ ତାରିଖରେ ବିଶ୍ୱ ଜଳବିଜ୍ଞାନ ଦିବସ ପାଳନ କରାଯାଏ। ଏହି ଦିବସଟି ଜଳବିଜ୍ଞାନର ଗୁରୁତ୍ୱ ଏବଂ ନିରାପଦ ନୌଚାଳନା, ସାମୁଦ୍ରିକ ସଂରକ୍ଷଣ ଏବଂ ଆମର ମହାସାଗର ଏବଂ ଜଳପଥର ସ୍ଥାୟୀ ବ୍ୟବହାରରେ ଏହାର ଭୂମିକା ବିଷୟରେ ସଚେତନତା ସୃଷ୍ଟି କରାଯାଇଥାଏ।

୪. ବିଶ୍ୱ ଜିରାଫ ଦିବସ:- ବିଶ୍ୱ ଜିରାଫ ଦିବସ ହେଉଛି ଜିରାଫ ସଂରକ୍ଷଣ ଫାଉଣ୍ଡେସନ (GCF) ଦ୍ୱାରା ପ୍ରତିବର୍ଷ ଜୁନ୍ ୨୧ ତାରିଖରେ ସବୁଠାରୁ ଲମ୍ବା ଦିନ (କିମ୍ବା ରାତିରେ, ଆପଣ କେଉଁ ଗୋଲାର୍ଦ୍ଧରେ ବାସ କରନ୍ତି ତାହା ଉପରେ ନିର୍ଭର କରି) ସେହି ସ୍ଥାନରେ ସବୁଠାରୁ ଲମ୍ବା ପ୍ରାଣୀଙ୍କ ଉଦ୍ଦେଶ୍ୟରେ ପାଳନ କରିବା ପାଇଁ ଆରମ୍ଭ କରାଯାଇଥିବା ଏକ ବାର୍ଷିକ କାର୍ଯ୍ୟକ୍ରମ।

୫. ବିଶ୍ୱ ମାନବବାଦୀ ଦିବସ:- ବିଶ୍ୱ ମାନବବାଦୀ ଦିବସ ହେଉଛି ଏକ ମାନବବାଦୀ ଛୁଟିଦିନ ଯାହା ପ୍ରତିବର୍ଷ ଜୁନ୍ ମାସର ସଲଷ୍ଟିସ୍ ରେ ସାରା ବିଶ୍ୱରେ ପାଳନ କରାଯାଏ, ଯାହା ସାଧାରଣତଃ ଜୁନ୍ ୨୧ ତାରିଖରେ ପଡ଼ିଥାଏ। ହ୍ୟୁମାନିଷ୍ଟ ଇଣ୍ଟରନ୍ୟାସନାଲ୍ ଅନୁଯାୟୀ, ଏହି ଦିବସ ହେଉଛି ମାନବବାଦର ସଚେତନତା ପ୍ରସାର କରିବାର ଏକ ଉପାୟ ଏବଂ ବିଶ୍ୱରେ ପରିବର୍ତ୍ତନ ଆଣିବାର ମାଧ୍ୟମ।

୬. ବିଶ୍ୱ ଶାନ୍ତି ଓ ପ୍ରାର୍ଥନା ଦିବସ:- ପ୍ରତିବର୍ଷ ସମର ସଲଷ୍ଟିସ ରେ ଜୁନ୍ ୨୧ ତାରିଖରେ, ବିଶ୍ୱ ଶାନ୍ତି ଏବଂ ପ୍ରାର୍ଥନା ଦିବସ ସମସ୍ତ ଧର୍ମ ଏବଂ ସମସ୍ତ ରାଷ୍ଟ୍ରର ଲୋକଙ୍କୁ ଗ୍ରହ ପାଇଁ ପ୍ରାର୍ଥନା କରିବାକୁ ଉତ୍ସାହିତ କରେ।

୭. ଆନ୍ତର୍ଜାତୀୟ ଟି-ସାର୍ଟ ଦିବସ:- ପ୍ରତିବର୍ଷ ଜୁନ ୨୧ରେ ଆନ୍ତର୍ଜାତୀୟ ଟି-ସାର୍ଟ ଦିବସ ଏହି ଆକର୍ଷଣୀୟ ପୋଷାକକୁ ପାଳନ କରେ। ଏହି ଦିନ ବିଶ୍ୱର ସମସ୍ତଙ୍କୁ ସେମାନଙ୍କର ପ୍ରିୟ ଟି-ସାର୍ଟ ପିନ୍ଧିବାକୁ ଉତ୍ସାହିତ କରେ।

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ବିଷ୍ଣୁ ପ୍ରଭାକର (୨୧ ଜୁନ୍ ୧୯୧୨ – ୧୧ ଏପ୍ରିଲ୍ ୨୦୦୯), ଜଣେ ହିନ୍ଦୀ ଲେଖକ। ସେ ହରିୟାଣାର ପ୍ରଥମ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଥିଲେ। ତାଙ୍କୁ ୧୯୯୩ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୫ ମସିହାରେ ମହାପଣ୍ଡିତ ରାହୁଲ ସାଂକୃତ୍ୟାୟନ ପୁରସ୍କାର ଏବଂ ୨୦୦୪ ମସିହାରେ ଭାରତ ସରକାର ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ।

୨. ବିକାଶ ଭଟ୍ଟାଚାର୍ଯ୍ୟ (୨୧ ଜୁନ୍ ୧୯୪୦ – ୧୮ ଡିସେମ୍ବର ୨୦୦୬), ଜଣେ ଭାରତୀୟ ଚିତ୍ରଶିଳ୍ପୀ। ତାଙ୍କ ଚିତ୍ର ମାଧ୍ୟମରେ, ସେ ସାଧାରଣ ମଧ୍ୟବିତ୍ତ ବର୍ଗର ବଙ୍ଗାଳୀଙ୍କ ଜୀବନ – ସେମାନଙ୍କ ଆକାଂକ୍ଷା, ଅନ୍ଧବିଶ୍ୱାସ, କପଟତା ଏବଂ ଦୁର୍ନୀତି ଏବଂ ହିଂସାକୁ ଚିତ୍ରଣ କରିଥିଲେ। ୨୦୦୩ ମସିହାରେ, ତାଙ୍କୁ ଲଳିତ କଳା ଏକାଡେମୀର ସର୍ବୋଚ୍ଚ ପୁରସ୍କାର, ଭାରତର ଜାତୀୟ କଳା ଏକାଡେମୀ ଏବଂ ଲଳିତ କଳା ଏକାଡେମୀ ଫେଲୋସିପ୍ ପ୍ରଦାନ କରାଯାଇଥିଲା।

୩. ଅଭିନନ୍ଦନ (୨୧ ଜୁନ ୨୦୨୫) ଭାରତୀୟ ବାୟୁସେନାର ଜଣେ ଲଢ଼ୁଆ ପାଇଲଟ୍ ୱିଙ୍ଗ କମାଣ୍ଡର। ସେ ୨୦୧୯ ଭାରତ-ପାକିସ୍ତାନ ଏୟାର ଷ୍ଟ୍ରାଇକ ସମୟରେ ପାକିସ୍ତାନର ବିମାନକୁ ଖସାଇ ଦେବା ପରେ ୬୦ ଘଣ୍ଟା ପାଇଁ ପାକିସ୍ତାନରେ ବନ୍ଦୀ ରହିଥିଲେ। ତାଙ୍କର MiG-21 ବାଇସନ ସାହାଯ୍ୟରେ ଏକ PAF F-16 କୁ ଖସାଇ ଦେବା ପାଇଁ ଭାରତ ସରକାର ତାଙ୍କୁ ଏକ ପଦକ ପ୍ରଦାନ କରିଥିଲେ। ଅଗଷ୍ଟ 2019 ରେ ବୀର ଚକ୍ର ବୀରତା ପୁରସ୍କାର ପ୍ରଦାନ କରିଛନ୍ତି।


ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

ଆବିଦ ହୁସେନ (୨୬ ଡିସେମ୍ବର ୧୯୨୬ – ୨୧ ଜୁନ୍ ୨୦୧୨), ଜଣେ ଭାରତୀୟ ଅର୍ଥନୀତିଜ୍ଞ, ସରକାରୀ କର୍ମଚାରୀ ଏବଂ କୂଟନୀତିଜ୍ଞ। ସେ ୧୯୯୦ ରୁ ୧୯୯୨ ପର୍ଯ୍ୟନ୍ତ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଏବଂ ୧୯୮୫ ରୁ ୧୯୯୦ ପର୍ଯ୍ୟନ୍ତ ଯୋଜନା କମିଶନର ସଦସ୍ୟ ଥିଲେ।

୨. ସୁନୀଲ ଜାନା (୧୭ ଏପ୍ରିଲ୍ ୧୯୧୮ – ୨୧ ଜୁନ୍ ୨୦୧୨), ଜଣେ ଭାରତୀୟ ଫଟୋ ସାମ୍ବାଦିକ ଏବଂ ଡକ୍ୟୁମେଣ୍ଟାରୀ ଫଟୋଗ୍ରାଫର। ଭାରତର ସ୍ୱାଧୀନତା ଆନ୍ଦୋଳନ, ଏହାର କୃଷକ ଏବଂ ଶ୍ରମିକ ଆନ୍ଦୋଳନ, ଦୁର୍ଭିକ୍ଷ ଏବଂ ଦଙ୍ଗା, ଗ୍ରାମୀଣ ଏବଂ ଆଦିବାସୀ ଜୀବନ, ଏବଂ ଦ୍ରୁତ ସହରୀକରଣ ଏବଂ ଶିଳ୍ପାୟନର ବର୍ଷଗୁଡ଼ିକର ଡକ୍ୟୁମେଣ୍ଟେସନ୍ ପାଇଁ ସୁନୀଲ ଜାନା ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ। ସେ ୧୯୪୩ ର ବଙ୍ଗ ଦୁର୍ଭିକ୍ଷର କଭରେଜ୍ ପାଇଁ ସର୍ବୋତ୍ତମ ଭାବରେ ଜଣାଶୁଣା ଥିଲେ। ଭାରତ ସରକାର ତାଙ୍କୁ ୨୦୧୨ରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୫୭୬ – ହଳଦୀଘାଟ ଯୁଦ୍ଧରେ ମୋଗଲ ସେନା ରାଣା ପ୍ରତାପଙ୍କୁ ପରାସ୍ତ କରିଥିଲେ।

୧୯୪୧ – ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଭାରତର ପ୍ରଥମ ଭାରତୀୟ ଗଭର୍ଣ୍ଣର-ଜେନେରାଲ ହୋଇଥିଲେ।

୧୯୪୦ – ଇଟାଲୀ ଫ୍ରାନ୍ସ ଉପରେ ଆକ୍ରମଣ କରିଥିଲା।

୧୯୪୨ – ଟୋବ୍ରୁକ୍ ଇଟାଲୀୟ ଏବଂ ଜର୍ମାନ ସୈନ୍ୟଙ୍କ ହାତରେ ପଡ଼ିଲା; ୩୩,୦୦୦ ଇଟାଲୀ ସୈନ୍ୟଙ୍କୁ ବନ୍ଦୀ କରି ନିଆଯାଇଥିଲା।

୧୯୯୧ – କଂଗ୍ରେସ ସଂଖ୍ୟାଲଘୁ ସରକାରଙ୍କ ମୁଖ୍ୟ ଭାବରେ ପି.ଭି. ନରସିଂହ ରାଓ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ।

କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଯୋଗଦେଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ପ୍ରାୟ ୧୫,୦୦୦ ଜନସାଧାରଣ କଲେ ଯୋଗାଭ୍ୟାସ

ଯୋଗାଭ୍ୟାସ କଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଗଣ, ସାଂସଦଗଣ ଓ ବିଧାୟକଗଣ

ଭୁବନେଶ୍ୱର, ୨୧/୦୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବେତ ଯୋଗାଭ୍ୟାସ କରିବା ସହିତ ଯୋଗ ହେଉଛି ବିଶ୍ୱ ମାନବ ସମାଜକୁ ଭାରତର ଏକ ମହାର୍ଘ୍ୟ ଉପହାର ବୋଲି କହିଛନ୍ତି।

ଏହି ଅବସରରେ ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାଇଜାଗ ଠାରୁ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଯୋଗ କେବଳ ଏକ ବ୍ୟାୟମ କିମ୍ବା ଯୋଗକୁ କିଛି ଆସନ ମଧ୍ୟରେ ସୀମିତ ରଖିବା ଉଚିତ ନୁହେଁ। ଶାରୀରିକ ବ୍ୟାୟମ ଠାରୁ ଏହାର ସ୍ଥାନ ବହୁତ ଉଚ୍ଚରେ। ଯୋଗ ହେଉଛି ଶାରୀରିକ, ବୌଦ୍ଧିକ, ମାନସିକ ଏବଂ ଅଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ। ଭାରତୀୟ ସଂସ୍କୃତି ଏବଂ ଯୋଗୀ ପରମ୍ପରାରୁ ସୃଷ୍ଟି ହୋଇଥିଳୀ ମଧ୍ୟ ସେଥିପାଇଁ ଏହା କୌଣସି ନିର୍ଦ୍ଦିଷ୍ଟ ଧର୍ମ ସହିତ ଏହା ଜଡିତ ନୁହେଁ। ଶରୀର, ଆତ୍ମା ଏବଂ ଚିନ୍ତନ ଶକ୍ତିକୁ ଉଦ୍ବୁଦ୍ଧ କରୁଥିବା ଯୋଗ, ଆଜି ଜାତି, ଧର୍ମ, ବର୍ଣ୍ଣ ନିବିଶେଷରେ ସମସ୍ତଙ୍କ ଦ୍ଵାରା ଆଦୃତ ହୋଇ ପାରିଛି।

ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଏକ ଅବିଛେଦ୍ୟ ଅଙ୍ଗ ହେଉଛି ‘ଯୋଗ’, ଯାହା କେବଳ ଦେଶ ଭିତରେ ସୀମିତ ହୋଇ ରହିଥିଲା। କିନ୍ତୁ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ୨୦୧୪ ମେ’ ମାସରେ ଦାୟିତ୍ଵ ଗ୍ରହଣ କରିବାର ମାତ୍ର ଛ’ ମାସରେ ଯୋଗକୁ ସାରା ବିଶ୍ଵରେ ପରିଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ। ଫଳରେ ୨୦୧୪ ଡିସେମ୍ବର ୧୧ ତାରିଖରେ ଜାତିସଂଘ ପ୍ରତିବର୍ଷ ଜୁନ ୨୧ ତାରିଖକୁ ‘ଆନ୍ତର୍ଜାତୀୟ ଯୋଗ ଦିବସ’ ଭାବେ ପାଳନ କରିବା ପାଇଁ ପ୍ରସ୍ତାବ ପାରୀତ କରିଥିଲା। ଆଜି ପୃଥିବୀର ପ୍ରାୟ ସବୁ ଦେଶରେ ଲୋକେ ଆଗ୍ରହ ଏବଂ ଉତ୍ସାହର ସହିତ ଏହାକୁ ପାଳନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଚଳିତ ବର୍ଷ ପାଳନ ହେଉଥିବା ଅନ୍ତର୍ଜାତୀୟ ଯୋଗ ଦିବସର ଶୀର୍ଷକ ହେଉଛି, “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ଯାହା, ବ୍ୟକ୍ତିଗତ କଲ୍ୟାଣ ଓ ପୃଥିବୀର ସ୍ୱାସ୍ଥ୍ୟ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ଉଜାଗର କରେ। ଏଥିରେ ଦର୍ଶାଯାଇଛି ଯେ, କିପରି ପ୍ରାଚୀନ ଯୋଗ ଅଭ୍ୟାସ କେବଳ ଶରୀର ଓ ମନକୁ ପୋଷଣ କରେ ନାହିଁ ବରଂ ପ୍ରକୃତି ଏବଂ ସମସ୍ତ ଜୀବଜନ୍ତୁଙ୍କୁ ସମ୍ମାନ ଦେଉଥିବା ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନଶୈଳୀକୁ ପ୍ରୋତ୍ସାହିତ କରେ ବୋଲି ସେ କହିଛନ୍ତି।

ସେ ପୁଣି କହିଥିଲେ ଯେ, ଓଡ଼ିଶାରେ ଆମେ ଯୋଗକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରୁଛୁ। ଆମର ସ୍କୁଲ, କଲେଜ, ଛାତ୍ରାବାସ ଏବଂ କ୍ରୀଡା କେନ୍ଦ୍ର ମାଧ୍ୟମରେ ଆମେ କର୍ମଶାଳା ଆୟୋଜନ କରୁଛୁ ଏବଂ ସଚେତନତା ସୃଷ୍ଟି କରୁଛୁ। ଆମେ ଯୋଗକୁ ବିଦ୍ୟାଳୟ କାର୍ଯ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ନେଉଛୁ। ଆମର ଲକ୍ଷ୍ୟ ହେଉଛି ଏକ ସୁସ୍ଥ, ଆତ୍ମନିର୍ଭରଶୀଳ ଏବଂ ଦକ୍ଷ ତଥା  ସଶକ୍ତ ଓଡ଼ିଶା ଗଠନ କରିବା। ଆଜି, ଓଡ଼ିଶାର ସମସ୍ତ ଜିଲ୍ଲାରେ ଯୋଗ ଅଧିବେଶନ ଅନୁଷ୍ଠିତ ହେଉଛି। ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ, ହଜାର ହଜାର ଲୋକ ଯୋଗ ପାଳନ କରିବାକୁ ଏକାଠି ହେଉଛନ୍ତି। ଏହି ଗଣ ଅଂଶଗ୍ରହଣ ଆମ ଲୋକଙ୍କ ମଧ୍ୟରେ ବଢ଼ୁଥିବା ସଚେତନତା ଏବଂ ସୁସ୍ଥ ଜୀବନଯାପନ ପ୍ରତି ସେମାନଙ୍କର ଆଶା ଓ ବିଶ୍ୱାସକୁ ଦର୍ଶାଉଛି।

ସୂଚନା ଥାଉକି, କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଏହି ରାଜ୍ୟ ସ୍ତରୀୟ ଯୋଗ ଶିବିରରେ ପ୍ରାୟ ୧୫ ହଜାର ଜନସାଧାରଣଙ୍କ ସମେତ ରାଜ୍ୟର ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ ଓ ବରିଷ୍ଠ ଅଧିକାରୀ ମନେ ଯୋଗ ଦେବା ସହିତ ଯୋଗାଭ୍ୟାସ କରିଥିଲେ। ଏହି ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ପାରମ୍ପରିକ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।

ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ ର ଶୀର୍ଷ କମାଣ୍ଡର ଅମିନ୍ ଫର୍ ଜୁଧି ନିହତ

ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ ର ଶୀର୍ଷ କମାଣ୍ଡର ଅମିନ୍ ଫର୍ ଜୁଧି ନିହତ

ଇସ୍ରାଏଲର ଘନ ଘନ ଏୟାର ଷ୍ଟ୍ରାଇକ

ଜେରୁଜେଲମ, ୨୧/୦୬: ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ ବାୟୁସେନାର ଡ୍ରୋନ୍ ୟୁନିଟ୍‌ର ଜଣେ ପ୍ରମୁଖ କମାଣ୍ଡର ଅମିନ୍ ଫର୍ ଜୁଧିଙ୍କୁ ନିପାତ‌ କରିଛି ଇସ୍ରାଏଲୀ ସାମରିକ ବାହିନୀ। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଏହି ଘୋଷଣା କରିଛି। ମିଳିଥିବା ସୂଚନା ଅନୁଯାୟୀ, ଜୁନ୍ ୨୦ ତାରିଖରେ ଇରାନ ଉପରେ ଇସ୍ରାଏଲୀ ବିମାନ ଆକ୍ରମଣ ଫଳରେ ଜୁଧିଙ୍କ ମୃତ୍ୟୁ ହୋଇଥିଲା। ସେ IRGC ବାୟୁସେନାରେ ଦ୍ୱିତୀୟ ଡ୍ରୋନ୍ ଗ୍ରୁପର କମାଣ୍ଡର ଭାବରେ କାର୍ଯ୍ୟ କରିଥିଲେ। ଜୁନ୍ ୧୩ ତାରିଖରେ IRGC ଡ୍ରୋନ୍ ମୁଖ୍ୟାଳୟର କମାଣ୍ଡର ତାହର ଫର୍ ଙ୍କୁ ନିପାତ କରିବା ପରେ, ଜୁଧି ଏହାର ପ୍ରମୁଖ ଦାୟିତ୍ୱରେ ଥିଲେ। ଇସ୍ରାଏଲ ଓ ଇରାନ ମଧ୍ୟରେ ନଅ ଦିନ ଧରି ହୋଇଥିବା ସଂଘର୍ଷରେ ଜଣେ ଶୀର୍ଷ ଇରାନୀ କମାଣ୍ଡରଙ୍କୁ ନିପାତ କରାଯାଇ

Friday, June 20, 2025

ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର, ୨୦/୦୬: ଆଜି ଓଡ଼ିଶାବାସୀଙ୍କ ପାଇଁ ଏକ ଗରିମାମୟ ଅବସର। ଏକ ବର୍ଷ ପୂର୍ବରୁ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ, ଓଡ଼ିଶାର ନୂତନ ସରକାର ଶପଥ ଗ୍ରହଣ କରିଥିଲା ଏବଂ ଏହି ସଫଳ ଏକ ବର୍ଷର ଯାତ୍ରା ପରେ, ଆଜି ଆପଣଙ୍କ ଉପସ୍ଥିତି ଆମ ସମସ୍ତଙ୍କ ମନୋବଳକୁ ବଢ଼ାଇଛି। ଆମ ସରକାର ଗଠନ ପରେ ଆପଣଙ୍କର ଏହା ଷଷ୍ଠ ଥର ଓଡ଼ିଶା ଆଗମନ। ଏହା ଆପଣଙ୍କର ଓଡ଼ିଶାପ୍ରତି ଭଲପାଇବା ଓ ଶୁଭେଚ୍ଛାର ପ୍ରତୀକ।

ମାନନୀୟ ପ୍ରଧାନମନ୍ତ୍ରୀଜୀ,

କିଛି ଦିନ ପୂର୍ବରୁ ଆପଣଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ତାର ୧୧ ବର୍ଷର ଯାତ୍ରା ପୂର୍ଣ୍ଣ କଲା, ଏବଂ ତୃତୀୟ ଅବଧିର ପ୍ରଥମ ବର୍ଷ ମଧ୍ୟ ପୂରା କରିଛି। ମୁଁ ଗର୍ବ ଓ ଗୌରବର ସହିତ କହିବାକୁ ଚାହୁଁଛି ଯେ ଦେଶ ଆପଣଙ୍କ ହାତରେ ସୁରକ୍ଷିତ ଅଛି। ଆପଣଙ୍କ ନେତୃତ୍ୱରେ ଆମର ସେନାବାହିନୀ, ଆତଙ୍କବାଦୀ ଓ ସେମାନଙ୍କ ପୃଷ୍ଠପୋଷକଙ୍କ ଅସ୍ତିତ୍ଵ ହଜେଇ ଦେଇଛନ୍ତି।

“ଅପରେସନ ସିନ୍ଦୁର” କେବଳ ଆତଙ୍କବାଦୀଙ୍କ ବିରୋଧରେ ଏକ ସେନା ଅଭିଯାନ ନୁହେଁ, ଏହା ଭାରତର ମାଆ, ଭଉଣୀ ଓ ଝିଅ ମାନଙ୍କ ପାଇଁ ଏକ ଭରସା । ଅପରେସନ ସିନ୍ଦୁର ସହ ଏକ ନୂଆ ଭାରତ ଉଦୟ ହେଇଛି – ଯାହା କୌଣସି ପରିସ୍ଥିତିରେ ମୁଣ୍ଡ ନୁଆଇଁବ ନାହିଁ। ଏହି ନୂଆ ଭାରତ ନିଜ ଭାଗ୍ୟ ନିଜେ ଲେଖିବ ।

ପୂର୍ବରୁ ଲୋକମାନେ କହୁଥିଲେ – “ମୋଦୀ ହେ ତୋ, ମୁମକିନ ହେ”, ଆଜି ସମଗ୍ର ଦେଶ କହୁଛି – “ମୋଦୀ ହେ ତୋ, ଦେଶ ସୁରକ୍ଷିତ ହେ”।

ଆପଣଙ୍କ ନେତୃତ୍ୱରେ ଦେଶ ବିକାଶର ନୂତନ ଶିଖର ଛୁଇଁଁଛି। ବିଗତ ୧୧ ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ ଶ୍ରେଣୀର ଲୋକ ମାନଙ୍କର ଉନ୍ନତି ଘଟିଛି।

ଆଜି ଭାରତ ବିଶ୍ୱର ଚତୁର୍ଥ ସବୁଠୁ ବଡ଼ ଅର୍ଥନୀତି ହୋଇଛି, ଏବଂ ଖୁବ ଶୀଘ୍ର ୫ ଟ୍ରିଲିଅନ୍ ଡଲାର ଅର୍ଥନୀତି ହେବାକୁ ଯାଉଛି। ଦେଶରେ ଅତି ଗରିବୀ (Extreme Poverty) ୨୭.୧% ରୁ କମି ୫.୩% ହୋଇଯାଇଛି। ଏହା ପ୍ରମାଣିତ କରୁଛି ଯେ ଆପଣଙ୍କ ନେତୃତ୍ୱରେ ଦେଶ ବଦଳୁଛି ଓ ଦୃତ ଗତିରେ ବିକାଶର ରାସ୍ତାରେ ଅଗ୍ରସର ହେଉଛି।

ପ୍ରଧାନମନ୍ତ୍ରୀଜୀ, ଆପଣଙ୍କ ମାର୍ଗଦର୍ଶନରେ ଗତ ୧ ବର୍ଷ ଧରି ଆମେ ଓଡ଼ିଶାବାସୀଙ୍କ ସେବାରେ ନିରବଛିନ୍ନ ଭାବେ ପ୍ରତ୍ୟେକ ମୁହୂର୍ତ୍ତ କାମ କରିଛୁ।

ଆପଣ ଦେଇଥିବା “ସବ୍‌କା ସାଥ୍, ସବ୍‌କା ବିକାଶ୍, ସବ୍‌କା ବିଶ୍ୱାସ୍, ସବ୍‌କା ପ୍ରୟାସ୍” ମନ୍ତ୍ରକୁ ଆଧାର କରି ଆମେ ଆଗକୁ ବଢ଼ୁଛୁ। ଆପଣ ଉଲ୍ଲେଖ କରିଥିବା ଚାରି ବର୍ଗ – ଗରିବ, ଅନ୍ନଦାତା, ମହିଳା ଓ ଯୁବା – ଏହି ସମସ୍ତଙ୍କୁ ନଜରରେ ରଖି ଆମର କାର୍ଯ୍ୟକ୍ରମ ଅବ୍ୟାହତ ରହିଛି ।

ବନ୍ଧୁଗଣ,

ଆଜି ଆମ ଦେଶର ମହାମହିମ ରାଷ୍ଟ୍ରପତି, ଆମ ଓଡିଶା ମାଟିର ଝିଅ, ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀ ଙ୍କ ଜନ୍ମଦିନ। ଆଜିର ଏହି ଶୁଭ ଅବସରରେ ମୁଁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଦେଶର ସେବାରେ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି।

ବନ୍ଧୁଗଣ, ଆପଣମାନେ ଜାଣନ୍ତି, ଆମ ସରକାରଙ୍କ ପ୍ରଥମ ବର୍ଷରେ ଆମେ ଅନେକ ଉପଲବ୍ଧି ହାସଲ କରିପାରିଛୁ।

ଏହି ବର୍ଷକ ମଧ୍ୟରେ ଆମର କାର୍ଯ୍ୟକ୍ରମ ଓଡିଶାର ପ୍ରତ୍ୟେକ ଲୋକଙ୍କ ଜୀବନରେ କିଛି ନା କିଛି ପରିବର୍ତ୍ତନ ଆଣି ପାରିଛି। ତା ସହିତ ଆମେ, ଓଡିଶାବାସୀଙ୍କ ସୁନ୍ଦର ଭବିଷ୍ୟତ ପାଇଁ ସ୍ପଷ୍ଟ ରୋଡ୍‌ମ୍ୟାପ ମଧ୍ୟ ପ୍ରସ୍ତୁତ କରିଛୁ।

ଏହି ବର୍ଷକ ଭିତରେ ମୁଁ ଓଡିଶାର ସମସ୍ତ ଜିଲ୍ଲାକୁ ଗସ୍ତ କରିଛି, ସମସ୍ତ ବର୍ଗର ଲୋକଙ୍କ ସହିତ ମିଶିଛି, ସମସ୍ତଙ୍କ ସୁଖଦୁଃଖ ସହିତ ସାମିଲ ହୋଇଛି, ସବୁ ଜିଲ୍ଲାର ସାଂସ୍କୃତିକ ସ୍ୱତନ୍ତ୍ରତା ସହିତ ପରିଚିତ ହୋଇଛି।

ଗତ ୧୦ ତାରିଖରେ ମୁଁ ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧିର ହିସାବ ରାଜ୍ୟବାସୀଙ୍କୁ ଦେଇଛି।

ସଂକ୍ଷେପରେ କହିଲେ, ରାଜ୍ୟର ଚାଷୀ ଭାଇ, ଭଉଣୀ ମାନଙ୍କୁ ଧାନ କିଣାରେ କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଅଧିକ ଇନପୁଟ୍ ଆସିଷ୍ଟାନ୍‌ସ ପ୍ରଦାନ ଓ ପିଏମ୍ କିଷାନ-ସିଏମ୍ କିଷାନ ଯୋଜନା ମାଧ୍ୟରେ ବାର୍ଷିକ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା, ସୁଭଦ୍ରା ଯୋଜନାରେ ୧ କୋଟିରୁ ଅଧିକ ମହିଳାଙ୍କୁ ସାମିଲ କରିବା, ପ୍ରାୟ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ଏବଂ ଲକ୍ଷପତି ଦିଦି ସୃଷ୍ଟିରେ ଓଡିଶା ଦେଶରେ ପ୍ରଥମ ହେବା, ବହୁ ପ୍ରତିକ୍ଷିତ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିବା ଏବଂ ନୂତନ ଶିକ୍ଷାନୀତି-୨୦୨୦ ପରି ଐତିହାସିକ ଯୋଜନା ଗୁଡିକ ଲାଗୁ କରିଛୁ।

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ରାଜ୍ୟର ପଞ୍ଚାୟତ ଗୁଡିକରେ ଚଳିତ ଆର୍ଥିକ ବର୍ଷଠାରୁ ବିଦ୍ୟାଳୟ ସ୍ଥାପନ ପାଇଁ ସ୍ଥାନ ନିରୂପଣ ସହିତ DPR ପ୍ରସ୍ତୁତ କରାଯାଉଛି। ଐତିହ୍ୟ ବିଦ୍ୟାଳୟ ଯୋଜନା ଓ ପିଏମ୍ ଶ୍ରୀ ଯୋଜନା ଶୁଭାରମ୍ଭ କରାଯାଇ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଅଣାଯାଇଛି।

ଏହା ସହିତ ରାଜ୍ୟର ଆଦିବାସୀ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଡ୍ରପଆଉଟ୍ ହାର କମ୍ କରିବା ପାଇଁ ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ମା ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଆଦି କାର୍ଯ୍ୟକାରୀ କରାଯାଇଛି। ଏକ୍ ପେଡ୍ ମା’ କେ ନାମ୍ ଅଭିଯାନରେ ୬ କୋଟି ୬୯ ଲକ୍ଷ ବୃକ୍ଷ ରୋପଣ କରାଯାଇ, ଶତପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇ ପାରିଛି।

ଆମ ସରକାର ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଓ ଜନ କଲ୍ୟାଣ ପାଇଁ ବିକଶିତ ଗାଁ, ବିକଶିତ ଓଡିଶା ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା, ପ୍ରତି ବ୍ଲକରେ ଅତ୍ୟାଧୁନିକ ଷ୍ଟାଡିଅମ ନିର୍ମାଣ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଆମ ସରକାର ଆଜି ସୁଦ୍ଧା ୧୦ଟି ନିଯୁକ୍ତି ମେଳା ଆୟୋଜନ କରି ୨୮,୩୪୬ ଜଣ ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତି ପ୍ରଦାନ କରିଛନ୍ତି।

ମାନନୀୟ ପ୍ରଧାନମନ୍ତ୍ରୀଜୀ,

ଏହି ବର୍ଷ ଜାନୁଆରୀ ମାସରେ, ଆପଣ “ଉତ୍କର୍ଷ ଓଡ଼ିଶା- ମେକ ଇନ ଓଡ଼ିଶା” କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱର ଉଦ୍ୟୋଗପତିମାନଙ୍କୁ ଓଡ଼ିଶାରେ ନିବେଶ କରିବାପାଇଁ ଆହ୍ବାନ ଦେଇଥିଲେ।

ଏହାର ଫଳସ୍ୱରୂପ, କେବଳ ଦୁଇ ଦିନ ମଧ୍ୟରେ ରେକର୍ଡ ସୃଷ୍ଟି କରି ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର ବିନିଯୋଗ ପ୍ରସ୍ତାବ ମିଳିଥିଲା। ଏହା କେବଳ ଆପଣଙ୍କ ଉପରେ ଉଦ୍ୟୋଗ ଜଗତର ଭରସା ଦ୍ୱାରା ସମ୍ଭବ ହୋଇଥିଲା।

ଆମେ କେବଳ MoU ସାଇନ୍ କରି ରହି ଯାଇନୁ। ବିଗତ ୧୪୦ ଦିନ ମଧ୍ୟରେ, ପ୍ରାୟ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ୫୬ଟି ଉଦ୍ୟୋଗ ଆରମ୍ଭ ମଧ୍ୟ କରିଛୁ।

ଆମର ଲକ୍ଷ୍ୟ ରହିଛି – ଓଡ଼ିଶାକୁ ପୂର୍ବ ଭାରତର ଏକ ପ୍ରମୁଖ ଔଦ୍ୟୋଗିକ କେନ୍ଦ୍ରରେ ପରିଣତ କରିବା। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ଆପଣଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ ନିଶ୍ଚିତ ଭାବେ “ପୂର୍ବୋଦୟ” ଘଟିବ।

ବନ୍ଧୁଗଣ,

ଆଜି ମାନନୀୟ ପ୍ରଧାନମନ୍ତ୍ରୀ ଓଡିଶାରେ ୨ ହଜାର ୭୦୦ କୋଟି ଟଙ୍କାର ନୂଆ ରେଳ ପ୍ରକଳ୍ପର ଶୁଭାରମ୍ଭ କରୁଛନ୍ତି। ଆଜି ଓଡିଶାର ବୌଦ୍ଧ ଜିଲ୍ଲା ରେଳସେବା ସହିତ ଯୋଡି ହେଲା । ପ୍ରଧାନମନ୍ତ୍ରୀଜୀ ଆଜି ଦୁଇଟି ଟ୍ରେନ ସେବାର ମଧ୍ୟ ଶୁଭାରମ୍ଭ କରୁଛନ୍ତି ।

ଆଜି ମାନ୍ୟବର ପ୍ରଧାନମନ୍ତ୍ରୀଜୀଙ୍କ କରକମଳରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଶ୍ରୀଗଣେଶ କରାଯାଉଛି।

ରାଜ୍ୟରେ ରେଳ ଭିତ୍ତିଭୂମି, ସଡକ ନିର୍ମାଣ ଓ ବିମାନସେବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଅକୁଣ୍ଠ ସହଯୋଗ ପାଇଁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି।

ଓଡିଶାର ଭବିଷ୍ୟତକୁ ସୁଦୃଢ କରିବା ପାଇଁ ଆମେ ଆଜି ଠାରୁ ଯୋଜନା ଆରମ୍ଭ କରି ପ୍ରସ୍ତୁତ କରିଛୁ, ଭିଜନ ଡକୁମେଣ୍ଟ- ୨୦୩୬ ଓ ୨୦୪୭।

୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଅର୍ଥନୀତି ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଛୁ। ୩୬ ପାଇଁ ୩୬ଟି ସ୍ପଷ୍ଟ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ୨୦୪୭ ସୁଦ୍ଧା ମାନନୀୟ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ବିକଶିତ ଭାରତରେ ଓଡିଶାର ମହତ୍ବପୂର୍ଣ୍ଣ ଯୋଗଦାନ ରହିବ। ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଜୀ ପ୍ରସ୍ତୁତ କରିଥିବା ରୋଡମ୍ୟାପକୁ ଆଧାର କରି ଆମ ରାଜ୍ୟ ହେବ ସମୃଦ୍ଧ ଓଡିଶା ଏବଂ ଦେଶ ହେବ ବିକଶିତ ଭାରତ।

ପ୍ରଧାନମନ୍ତ୍ରୀ ଜୀ,

ଓଡ଼ିଶାର ସାଢେ ଚାରି କୋଟି ଜନସାଧାରଣଙ୍କ ପକ୍ଷରୁ, ମୁଁ ଆପଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ଆପଣଙ୍କ ଗରିମାମୟ ଉପସ୍ଥିତି, ଆମ କାର୍ଯ୍ୟକ୍ରମକୁ ଦିବ୍ୟ ଓ ଭବ୍ୟ ରୂପ ଦେଇଛି। ଆପଣଙ୍କ ସମର୍ଥନ ଓ ମାର୍ଗଦର୍ଶନ, ଓଡ଼ିଶାକୁ ଏକ ନୂତନ ଓଡ଼ିଶାରେ ପରିଣତ କରିବ। ମୋର ପୁରା ବିଶ୍ୱାସ ଅଛି ଯେ, 2036 ସୁଦ୍ଧା ଆମ ରାଜ୍ୟ ସମୃଦ୍ଧ ଓଡ଼ିଶା ହେବ ଏବଂ 2047 ରେ ଆମ ଦେଶ ବିକଶିତ ଭାରତରେ ପରିଣତ ହେବ।

ଆସନ୍ତୁ, ଆମେ ସମସ୍ତେ ମିଶି, ଗଢିବା ଏକ ସମୃଦ୍ଧ ଓ ବିକଶିତ ଓଡିଶା।

ଜନତା ମଇଦାନରୁ ୧୮ ହଜାର ୬୦୦ କୋଟିର ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

‘ଓଡ଼ିଶା ଭିଜନ୍‌-୨୦୩୬ ଓ ୨୦୪୭’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ୨୦/୦୬: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକ ସ୍ୱତନ୍ତ୍ର ବାୟୁସେନା ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି। ରାଜ୍ୟପାଳ ଡ଼ଃ ହରି ବାବୁ କାମ୍ବମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବରିଷ୍ଠ ନେତୃବୃନ୍ଦମାନେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱରର ବିମାନବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ ମେଗା ରୋଡ୍ ଶୋ କରିଥିଲେ। ହଜାର ହଜାର ଲୋକ ରାସ୍ତାର ଉଭୟ ପାର୍ଶ୍ୱରେ ମୋଦିଙ୍କୁ ସ୍ୱାଗତ କରିଥିଲେ। ବିଭିନ୍ନ ସ୍ଥାନରେ ଲୋକନୃତ୍ୟର ଝଲକ ଦେଖିବାକୁ ମିଳିଥିଲା।

ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଜନତା ମଇଦାନରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ବିଜେପିର ଏକ ବର୍ଷ ପୂର୍ତ୍ତି ଉପଲକ୍ଷ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଥିଲେ। ‘ଓଡ଼ିଶା ଭିଜନ୍‌-୨୦୩୬ ଓ ୨୦୪୭’ ପୁସ୍ତିକାକୁ ଉନ୍ମୋଚନ କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୮,୬୦୦ କୋଟି ଟଙ୍କାର ୧୦୫ଟି ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଥିଲେ। ୨୭୫୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ। ୧୩୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୋନପୁର-ପୁରୁଣାକଟକ ନୂତନ ରେଳ ଲାଇନର ଉଦଘାଟନ କରିଛନ୍ତି। ସୋନପୁର-ପୁରୁଣାକଟକ ସେକ୍ସନରେ ନୂଆ ରେଳ ଲାଇନର ଉଦଘାଟନ କରିଛନ୍ତି।

ସମ୍ବଲପୁରରେ କୃଷିଭିତ୍ତିକ ବିକାଶ ଓ ଗବେଷଣାକୁ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି

ସମ୍ବଲପୁର ଚିପିଲିମାରେ ପଶୁଚିକିତ୍ସା ବିଜ୍ଞାନ ଏବଂ ପଶୁପାଳନ ମହାବିଦ୍ୟାଳୟ, ଦୁଗ୍ଧ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟ,  ମତ୍ସ୍ୟ ମହାବିଦ୍ୟାଳୟ ଏବଂ କୃଷି-ବ୍ୟବସାୟ ପରିଚାଳନା ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ କଲେ ଅନୁରୋଧ

ସମ୍ବଲପୁରରେ ବିଭିନ୍ନ ବ୍ୟବସାୟ ସମ୍ପର୍କିତ ୪ଟି କଲେଜ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ


ଭୁବନେଶ୍ୱର, ୧୯/୦୬: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ସମ୍ବଲପୁର ଚିପିଲିମାରେ ଚାରୋଟି କୃଷି-ସମ୍ପର୍କିତ କଲେଜ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହି କଲେଜ ଗୁଡ଼ିକ ହେଉଛି ପଶୁଚିକିତ୍ସା ବିଜ୍ଞାନ ଏବଂ ପଶୁପାଳନ ମହାବିଦ୍ୟାଳୟ, ଦୁଗ୍ଧ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟ, ମତ୍ସ୍ୟ ମହାବିଦ୍ୟାଳୟ ଏବଂ କୃଷି-ବ୍ୟବସାୟ ପରିଚାଳନା ମହାବିଦ୍ୟାଳୟ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସମ୍ବଲପୁରରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରର ଅପାର ସମ୍ଭାବନା ରହିଛି । ସମ୍ବଲପୁର ଅଞ୍ଚଳର ଅନ୍ତର୍ନିହିତ କୃଷି ବିବିଧତା ଏବଂ କୃଷି-ସମ୍ପର୍କିତ ସମ୍ଭାବନା ସତ୍ତ୍ୱେ ଆମେ ଏଠାରେ ଇଚ୍ଛାନୁସାରେ କ୍ଷେତ୍ରଗତ ଅଭିବୃଦ୍ଧି ହାସଲ କରିପାରିନାହୁଁ । ଏହି କ୍ଷେତ୍ର ପାଇଁ ଏକ ଦୀର୍ଘକାଳୀନ, ସମାବେଶୀ ଏବଂ ଜ୍ଞାନ-ଚାଳିତ ବିକାଶ ପଥକୁ ଆଗେଇ ନେବା ପାଇଁ କୃଷି-ସମ୍ପର୍କିତ କ୍ଷେତ୍ର ଉପରେ କେନ୍ଦ୍ରିତ ସଂରଚିତ ପ୍ରତିଷ୍ଠାନ ଆମର ପ୍ରାଥମିକତା ହେବା ଆବଶ୍ୟକ । ଏଥିପାଇଁ ସମ୍ବଲପୁରର ଚିପଲିମାରେ ମୁଖ୍ୟମନ୍ତ୍ରୀଙ୍କୁ ଚାରୋଟି କୃଷି-ସମ୍ପର୍କିତ କଲେଜ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଶ୍ରୀ ପ୍ରଧାନ ।

ଏହା ଉପରେ ବିସ୍ତୁତ ଭାବରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଥମତଃ ଏଠାରେ ପଶୁଚିକିତ୍ସା ବିଜ୍ଞାନ ଏବଂ ପଶୁପାଳନ ମହାବିଦ୍ୟାଳୟ ପ୍ରତିଷ୍ଠା ହେବା ଜରୁରୀ । ଏହି ପ୍ରତିଷ୍ଠାନ ତାଲିମପ୍ରାପ୍ତ ପଶୁଚିକିତ୍ସା ବିଶେଷଜ୍ଞ, ଗବେଷକ ଏବଂ ବୃତ୍ତିଗତଙ୍କ ପାଇଁ ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବ । ଏହା ପଶୁସ୍ୱାସ୍ଥ୍ୟରେ ଉନ୍ନତି ଆଣିବା, ପଶୁପାଳନ ଉତ୍ପାଦନ ବୃଦ୍ଧି କରିବା ଏବଂ ଜୁନୋଟିକ୍ ରୋଗରୁ ଜନସ୍ୱାସ୍ଥ୍ୟକୁ ସୁରକ୍ଷା ଦେବାରେ ସିଧାସଳଖ ଯୋଗଦାନ ଦେବ । ଦ୍ୱିତୀୟତଃ ଏଠାରେ ଦୁଗ୍ଧ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟ ସ୍ଥାପିତ ହେବା ଦରକାର । ଏହା ଦୁଗ୍ଧ ଚାଷର ଗୁରୁତ୍ୱ ପ୍ରଦାନ କରିବା ସହ ଦକ୍ଷ ମାନବ ସମ୍ବଳ ପ୍ରଦାନ କରିବ । ଦୁଗ୍ଧ ପ୍ରଯୁକ୍ତିବିଦ୍ୟାରେ ଗବେଷଣାକୁ ପ୍ରୋତ୍ସାହିତ କରିବ ଏବଂ ଦୁଗ୍ଧ କାର୍ଯ୍ୟର ଗୁଣବତ୍ତା ଏବଂ ଦକ୍ଷତାକୁ ଉନ୍ନତ କରିବ । ଏହାଦ୍ୱାରା ଏହି ଅଞ୍ଚଳରେ ଦୁଗ୍ଧ ଆଧାରିତ ଆର୍ଥିକ ବିକାଶକୁ ସମର୍ଥନ କରିବ ।

ସେହିପରି ତୃତୀୟତଃ ମତ୍ସ୍ୟ ମହାବିଦ୍ୟାଳୟ ମଧ୍ୟ ଏଠାରେ ପ୍ରତିଷ୍ଠା ହେବା ଦରକାର । ବର୍ତ୍ତମାନ ସମୟରେ ଦ୍ରୁତତମ ବୃଦ୍ଧି ପାଉଥିବା କୃଷି-ସମ୍ପର୍କିତ ଉପ-କ୍ଷେତ୍ର ମଧ୍ୟରୁ ଏହା ଅନ୍ୟତମ । ମତ୍ସ୍ୟଚାଷ ପାଇଁ କେନ୍ଦ୍ରିତ ଶୈକ୍ଷିକ ଏବଂ ବ୍ୟବହାରିକ ତାଲିମ ଆବଶ୍ୟକ । ଏକ ମତ୍ସ୍ୟଚାଷ ମହାବିଦ୍ୟାଳୟ ଜଳକୃଷି, ମତ୍ସ୍ୟଚାଷ ପରିଚାଳନା ଏବଂ ଅମଳ ପରବର୍ତ୍ତୀ ପ୍ରଯୁକ୍ତିବିଦ୍ୟାରେ କ୍ଷମତା ନିର୍ମାଣ କରିବାରେ ସାହାଯ୍ୟ କରିବ, ନୂତନ ଜୀବିକା ସୁଯୋଗ ସୃଷ୍ଟି କରିବ । ଏହାବ୍ୟତିତ ଚତୁର୍ଥ ହେଉଛି କୃଷି-ବ୍ୟବସାୟ ପରିଚାଳନା ମହାବିଦ୍ୟାଳୟ । ଏହାଦ୍ୱାରା କୃଷି କ୍ରମଶଃ ବଜାର-ମୁଖୀ ହେବା ସହିତ, କୃଷି-ବ୍ୟବସାୟ, ଯୋଗାଣ ଶୃଙ୍ଖଳା ପରିଚାଳନା, ମାର୍କେଟିଂ ଏବଂ ଖାଦ୍ୟ ପ୍ରକ୍ରିୟାକରଣରେ ବିଶେଷଜ୍ଞତା ଥିବା ବୃତ୍ତିଗତଙ୍କ ଜରୁରୀ ଆବଶ୍ୟକତା ରହିଛି । ଏପରି ଏକ ପ୍ରତିଷ୍ଠାନ ଯୁବପିଢ଼ିଙ୍କୁ କୃଷି ମୂଲ୍ୟ ଶୃଙ୍ଖଳାରେ ନେତୃତ୍ୱ ନେବା ସହ ନବସୃଜନକୁ ସଶକ୍ତ କରିବ ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସମ୍ବଲପୁରର ଚିପିଲିମା ଠାରେ ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଓୟୁଏଟି) ପାଖରେ ପୂର୍ବରୁ ଜମି, କିଛି ଶିକ୍ଷାଗତ ଓ ଗବେଷଣା ଭିତ୍ତିଭୂମି ଏବଂ ଆନୁଷଙ୍ଗିକ ସୁବିଧା ରହିଛି । ଏହା ସହିତ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗ ପାଖରେ ଅବ୍ୟବହୃତ ଜମି ଅଛି, ଯାହାକୁ ଏହି ଉଦ୍ଦେଶ୍ୟରେ ପ୍ରଭାବଶାଳୀ ଭାବରେ ବ୍ୟବହାର କରାଯାଇପାରିବ । ତେଣୁ ଏହି ପ୍ରସ୍ତାବିତ ପ୍ରତିଷ୍ଠାନଗୁଡ଼ିକ ଏଠାରେ ଅବସ୍ଥାପିତ ହୋଇପାରିବ । ପ୍ରସ୍ତାବିତ ଏହି କଲେଜଗୁଡ଼ିକ ପ୍ରତିଷ୍ଠା କରିବା ଦ୍ୱାରା ସ୍ଥାନୀୟ ଯୁବକମାନଙ୍କ ମଧ୍ୟରେ କେବଳ ବୈଷୟିକ ଏବଂ ଉଦ୍ୟୋଗୀ କ୍ଷମତା ସୃଷ୍ଟି ହେବ ନାହିଁ ବରଂ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରର ଚାଷୀମାନଙ୍କ ପାଇଁ କ୍ଷେତ୍ର-ନିର୍ଦ୍ଦିଷ୍ଟ ଗବେଷଣା ଏବଂ ସମ୍ପ୍ରସାରଣ ସେବା ମଧ୍ୟ ସୁନିଶ୍ଚିତ ହେବ। କୃଷି ସାମଗ୍ରୀ ବୃଦ୍ଧି ସହ ବଜାର ସଂଯୋଗକୁ ଉନ୍ନତ କରିବ ତଥା ମୂଲ୍ୟ ବୃଦ୍ଧିକୁ ପ୍ରୋତ୍ସାହିତ କରିବ । କୃଷକମାନଙ୍କ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିବ, ଯାହା ଗ୍ରାମୀଣ ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।

ଏହି ବିଷୟକୁ ଦୃଷ୍ଟିରେ ରଖି ପ୍ରସ୍ତାବଗୁଡ଼ିକର ଅନୁମୋଦନ ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି । ଏହି ପ୍ରତିଷ୍ଠାନଗୁଡ଼ିକର ପ୍ରତିଷ୍ଠା ଗ୍ରାମୀଣ ଯୁବକମାନଙ୍କୁ ନୂତନ କୌଶଳ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବାରେ ବହୁତ ସାହାଯ୍ୟ କରିବ । ଫଳସ୍ୱରୂପ ସମ୍ବଲପୁର ଅଞ୍ଚଳ ଏବଂ ସମଗ୍ର ରାଜ୍ୟର ସୁସ୍ଥ ଆର୍ଥିକ ବିକାଶ ସୁନିଶ୍ଚିତ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

କିନ୍ତୁ ଦୁଃଖ ଓ ପରିତାପର ବିଷୟ କେନ୍ଦ୍ରାପଡାର କୌଣସି ପୂର୍ବ କିମ୍ବା ପର ଏମ୍ ପି କେନ୍ଦ୍ରାପଡାର କୌଣସି ଦାବି ରାଜ୍ଯ କିମ୍ବା କେନ୍ଦ୍ରସରକାରଙ୍କ ନିକଟରେ ଉପସ୍ଥାପନ କରିବା ପରିଲକ୍ଷିତ ହୋଇନାହିଁ l

Thursday, June 19, 2025

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ବ୍ୟବସାୟ ପ୍ରତିଷ୍ଠାନ ଓ ବାସ ଭବନରେ ଆୟକର ଚଢ଼ଉ

୨୦ଟି ସ୍ଥାନରେ ୧୦୦ରୁ ଅଧିକ ଆଇଟି ଅଧିକାରୀଙ୍କ ଚଢ଼ାଉ

ଝାରସୁଗୁଡା, ୧୯/୦୬: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ ଦାସ ଙ୍କ ପରିବାର ଏବେ ଆଇଟି ସ୍କାନରରେ। ଆଜି ସକାଳୁ ନବଙ୍କ ଝାରସୁଗୁଡା ବାସଭବନ ସମେତ ପ୍ରାୟ ୨୦ଟି ସ୍ଥାନରେ ହୋଇଛି ଏକକାଳୀନ ଚଢାଇ। ଚଢ଼ାଉ ରେ ସାମିଲ ହୋଇଛନ୍ତି ୧୦୦ରୁ ଅଧିକ ଆଇଟି ଅଧିକାରୀ।

ସ୍ୱର୍ଗତ ନବଦାସ ଙ୍କ ପରିବାର ମାଲିକାନାରେ ଥୁବା ବାସଭବନ ଓ ବ୍ୟବସାୟିକ ପ୍ରତିଷ୍ଠାନ ରେ ବର୍ଷକ ମଧ୍ୟରେ ତୃତୀୟ ଥର ହୋଇଛି ଆଇଟି ଚଢ଼ାଉ।ଆଜି ଭୋର 5ଟା ସମୟରେ ନବଙ୍କ ପୁଅ ବିଶାଳ ଓ ଝିଅ ଦୀପାଳି ଙ୍କ ଅନୁପସ୍ଥିତି ରେ ଝାରସୁଗୁଡା ରେ ପହଂଚି ଥିଲା ଆୟକର ବିଭାଗ ର 2ଟି ଟିମ।10 ଜଣ ଆୟକର ଅଧିକାରୀ ପ୍ରାୟ 10 ଘଣ୍ଟା ରୁ ଅଧିକ ସମୟ ସରବାହଲ ବାସଭବନରେ ଖୋଳତାଡ଼ କରିଥିଲେ।ନବଦାସ ଙ୍କ ପୁଅ ଵିଶାଲ ଦାସଙ୍କ ମାଲିକାନାରେ ଥିବା ବିଭିନ୍ନ କଂପାନୀ ର ଠିକଣା କୁ ଯାଞ୍ଚ କରିବା ସହ ତାଙ୍କ ନାଁ ରେ ଥିବା ବେନାମୀ କଂପାନୀ ସଂପର୍କରେ ତଥ୍ୟ ଖୋଜିଥିଲା ଆୟକର ବିଭାଗର ଟିମ।ସରବାହଲ ବାସଭବନ ସହ ବଡମାଲ ରେ ଥିବା କୋଇଲା ବ୍ୟବସାୟରେ ସହଯୋଗୀ ଟ୍ରାନ୍ସପୋର୍ଟ ମାଲିକ ସଞ୍ଜୟ ନନ୍ଦ ଙ୍କ ଅଫିସରେ ମଧ୍ୟ ଚଢ଼ାଉ କରିଛି ଆୟକର ବିଭାଗ।କେବଳ ଝାରସୁଗୁଡା ନୁହେଁ ସମ୍ବଲପୁର ରେ ନବଙ୍କ ସହଯୋଗୀ ବ୍ୟବସାୟୀ ଙ୍କ ଘରେ ବି ହୋଇଛି ରେଡ଼।ଏହାବ୍ୟତୀତ ସୁନ୍ଦରଗଡ଼ ରେ ସହଯୋଗୀ ବ୍ୟବସାୟୀ ଙ୍କ ଅଫିସ ଓ ବାସଭବନ ସହ ଭୁବନେଶ୍ୱର, ପୁରୀ ଓ ନୂଆଦିଲ୍ଲୀ ରେ ହୋଇଛି ରେଡ଼।

ଆଜି ସକାଳୁ ଝାରସୁଗୁଡା, ସମ୍ବଲପୁର, ଭୁବନେଶ୍ୱର ସମେତ ରାଜ୍ୟ ବାହାରେ ରେ ଥିବା 19 ଟି ସ୍ଥାନରେ ଥିବା ସ୍ବର୍ଗତ ନବ ଦାସ ଘରେ ଆଇ ଟି ରେଡ ହୋଇଛି l ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ରେଡ ହେଉଥିବା ସୂଚନା ମିଳିଥିବା ବେଳେ ନବଙ୍କ ପୁତ୍ର ବିଶାଳ ଦାସଙ୍କ ମାଲିକାନାରେ ଓ ତାଙ୍କ ସହଯୋଗୀ ଙ୍କ ଠିକଣା ରେ ମଧ୍ୟ ହୋଇଛି ଚଢ଼ାଉ l ତେବେ ସମ୍ବଲପୁର ର ମୋଡ଼ିପଡ଼ା ଠାରେ ଥିବା ତାଙ୍କ ପୁରୁଣା ବାସ ଭବନ, ହୋଟେଲ ମାଣ୍ଡାରିନ୍, ଭାଲୁପାଲି ସ୍ଥିତ ଏକ ବାର, ଅଇଁଠାପାଲିସ୍ଥିତ ସପିଂ ମଲ୍, ରେଙ୍ଗାଲିର ଏକ ରାଇସ ମିଲରେ ଏହି ରେଡ ହୋଇଛି।ନବଦାସ ଙ୍କ ପୁଅ ବିଶାଳ ଦାସ ଡ଼ାଇରେକ୍ଟର ଭାବେ ଥିବା ବ୍ଲାକ well ଇନ୍ଫ୍ରା, ବ୍ଲାକ ଗୋଲଡ଼ ମାଇନିଂ, fire stone mining, sky କୋଲ କର୍ପୋରେସନ,ସମ୍ବଲପୁର bio fuels ପ୍ରାଇଭେଟ ଲିମିଟେଡ଼, ନର୍ଥ କୋଲ ଲଜିଷ୍ଟିକ ଭଳି ଅନେକ କଂପାନୀ ର ତଥ୍ୟ ଖୋଜୁଛି ଆୟକର ବିଭାଗ।

ସ୍ବର୍ଗତ ନବଦାସ ଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଉପରେ ଆୟକର ବିଭାଗର ବଡ ଧରଣର ଚଢ଼ାଉ କୁ ନେଇ ସଂପୂର୍ଣ୍ଣ ତଥ୍ୟ ଆସି ନଥିଲେ ମଧ୍ୟ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଖବର ଲୋକଙ୍କ ନିକଟକୁ ଆସିପାରେ ।

ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଛି ଓଡ଼ିଶାର ଗଣଦୁଷ୍କର୍ମ ଘଟଣା

୩ ଦିନରେ ୩ଟି ସିରିଜ୍ ଗଣଦୁଷ୍କର୍ମ

ଭୁବନେଶ୍ୱର, ୧୯/୦୬: ବର୍ତ୍ତମାନ ସାରା ଦେଶରେ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି ଓଡ଼ିଶାରେ ଘଟୁଥିବା ନିଇତି ଗଣଦୁଷ୍କର୍ମ ତଥା ଦୁଷ୍କର୍ମ ମାମଲା। ଜାତୀୟ ଗଣମାଧ୍ୟମରେ ଓଡ଼ିଶାର ଗଣଦୁଷ୍କର୍ମ ମାମଲା ବର୍ତ୍ତମାନ ଟପ୍ ହେଡଲାଇନ୍ସରେ ରହିଛି। ଯାହା କେବଳ ଜାତୀୟ ସ୍ତରରେ ଓଡ଼ିଶାର ଛବିକୁ ଖରାପ କରୁନାହିଁ ବରଂ ମହିଳାମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ସମୟରେ ଯାହା ସବୁଠୁ ଚର୍ଚ୍ଚିତ ମାମଲା ତାହା ହେଉଛି ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲା। ବେଳାଭୂମିରେ ଗତ ରବିବାର ଦିନ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବୁଲୁଥିବା ବେଳେ ୧୦ ଜଣ ଯୁବକ ତାଙ୍କ ଫଟୋ ଉଠାଇ ଓ ବ୍ଲାକମେଲ କରି ଟଙ୍କା ନେଇ ସାରିବା ପରେ ଉକ୍ତ ୨୦ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏଥିରେ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ଡିଏନଏ ସାମ୍ପଲ ନିଆଯାଇଛି। ଏହି ଘଟଣା ରବିବାର ଘଟିଥିଲା।

ଗୁରୁବାର ମୟୂରଭଞ୍ଜ ଜିଲ୍ଲାରେ ଜଣେ ୩୧ ବର୍ଷୀୟା ମହିଳାଙ୍କୁ ଚାରି ଜଣ ପୁରୁଷ ଅପହରଣ ଏବଂ ବଳାତ୍କାର କରିବା ପରେ ଓଡ଼ିଶାରେ ଏହା ଏକ ତୃତୀୟ ଗଣଦୁଷ୍କର୍ମ ମାମଲା ସାମନାକୁ ଆସିଛି। ମହିଳାଙ୍କ ସ୍ୱାମୀଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ତାଙ୍କ ପରିବାରର ପରିଚିତ। ସୋମବାର ରାତିରେ ସେ ଏବଂ ଅନ୍ୟ ସଦସ୍ୟମାନେ ଘରୁ ବାହାରେ ଥିବା ବେଳେ ଅଭିଯୁକ୍ତମାନେ ବାରିପଦା ସଦର ଥାନା ଅଞ୍ଚଳରେ ଥିବା ତାଙ୍କ ଘରେ ପ୍ରବେଶ କରି ଅଭିଯୁକ୍ତମାନେ ତାଙ୍କ ପତ୍ନୀଙ୍କୁ ଅନ୍ୟତ୍ର ଅପହରଣ କରି ନେଇ ଗଣ ଦୁଷ୍କର୍ମ କରିଥିଲେ। ଏହି ଘଟଣା ସୋମବାର ଘଟିଥିଲା।

ସେହିପରି ଅନ୍ୟ ଏକ ମାମଲା କେନ୍ଦୁଝରରେ ଘଟିଛି। କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ତେନ୍ତଲାପାଶି ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ବୁଧବାର ସକାଳେ ଝୁଲନ୍ତା ଅବସ୍ଥାରେ ନାବାଳିକାଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିବା ପରେ ଗଣଦୁଷ୍କର୍ମ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମଙ୍ଗଳବାର ସଂଧ୍ୟାରେ ପୀଡ଼ିତା ନାବାଳିକା ନିଖୋଜ ହୋଇଯାଇଥିବା ବେଳେ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ଖୋଜାଖୋଜି ପରେ ଘର ପାଖରେ ଥିବା ଏକ ଧାନ କ୍ଷେତରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା। ଏହି ଘଟଣା ମଙ୍ଗଳବାର ଘଟିଥିଲା।

ତେବେ ମାତ୍ର ୩ ଦିନ ରବିବାର, ସୋମବାର ଓ ମଙ୍ଗଳବାର ଭିତରେ ୩ଟି ସିରିଜ ଗଣଦୁଷ୍କର୍ମ ଘଟଣା ରାଜ୍ୟକୁ ଜାତୀୟସ୍ତରରେ ଅପବାଦ ମୁଣ୍ଡାଇବାକୁ ପଡିଛି। ଏହା ବ୍ୟତୀତ ଯୁବତୀ ଓ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଓଡ଼ିଶାରେ ମହିଳା ଏବଂ ଝିଅମାନଙ୍କ ସୁରକ୍ଷାକୁ ନେଇ ଅସନ୍ତୋଷ ଏବଂ ଚିନ୍ତା ସୃଷ୍ଟି କରିଛି। ରାଜ୍ୟବ୍ୟାପୀ ତ୍ୱରିତ ତଦନ୍ତ ସହ ତୁରନ୍ତ ନ୍ୟାୟ ପାଇଁ ଦାବି ତୀବ୍ର ହୋଇଛି।

ଓଡ଼ିଶା ସରକାର, ଓୟୁଏଟି ଓ ସିଆରଆରଆଇ ଦ୍ୱାରା ନୂତନ ସ୍ୱଳ୍ପ ଅବଧି, ଜଳବାୟୁ ସହନୀୟ ଏବଂ ଉଚ୍ଚ ଅମଳକାରୀ ଫସଲ କିସମ ବିକଶିତ

*ଚାଷୀ ମାନଙ୍କ ଦ୍ୱାରା ବ୍ୟବହାର ପାଇଁ ଉପଲବ୍ଧ। ମକା, ସୋରିଷ ଏବଂ ଧାନର ଉଚ୍ଚ ଅମଳକାରୀ ଏବଂ ଜଳବାୟୁ ସହନୀୟ କିସମ ବିକଶିତ।

ଚାଷୀଙ୍କ ଆୟ ବୃଦ୍ଧି କରିବ: କୃଷି ସଚିବ ଡକ୍ଟର ଅରବିନ୍ଦ ପାଢୀ

ଭୁବନେଶ୍ୱର, ୧୮/୦୬: ରାଜ୍ୟରେ ବିଭିନ୍ନ କୃଷି ଫସଲ କିସମ ବିକଶିତ କରିବା ପାଇଁ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଆଜି ଓଡ଼ିଶା ରାଜ୍ୟ ବିହନ ଉପ-କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ, ୩ ପ୍ରକାର ଅଣ-ଧାନ କିସମ ଯଥା ଓୟୁଏଟି କଳିଙ୍ଗ ମକା ୧ (ଖୁସି), ଓୟୁଏଟି କଳିଙ୍ଗ ସୋରିଷ ୨ (ସମୃଦ୍ଧି), ଓୟୁଏଟି କଳିଙ୍ଗ ସୋରିଷ ୩ (ସିଦ୍ଧି) ରାଜ୍ୟରେ ବିକଶିତ କରିବା ପାଇଁ ଅନୁମୋଦିତ ହୋଇଛି l ଓୟୁଏଟି କଳିଙ୍ଗ ସୋରିଷ ୨ (ସମୃଦ୍ଧି), ଓୟୁଏଟି କଳିଙ୍ଗ ସୋରିଷ ୩ (ସିଦ୍ଧି) ହେଉଛି ଦୁଇଟି ଉଚ୍ଚ ଅମଳକାରୀ ଏବଂ ଅଧିକ ପରିମାଣର ତେଲ ଥିବା ସୋରିଷ କିସମ। ସେହିପରି, ୪ ନମ୍ଵର… ଓୟୁଏଟି ର ଧାନ କିସମ ଯଥା ଓୟୁଏଟି କଳିଙ୍ଗ ଧାନ -୩ (ସମ୍ପଦ), ଓୟୁଏଟି କଳିଙ୍ଗ ଧାନ ୧୨ (ପରଜା), ଓୟୁଏଟି କଳିଙ୍ଗ ଧାନ ୧୨ A (ପଦ୍ମଜା), ଓୟୁଏଟି କଳିଙ୍ଗ ଧାନ ୧୪ (ଶ୍ରୀପଦା) ଏବଂ ସିଆରଆରଆଇ (CRRI), କଟକର ୭ ଟି ଧାନ କିସମ ଯଥା ସିଆର ଧାନ ୨୧୫ (ଇନ୍ଦୁମତୀ), ସିଆର ଧାନ ୩୨୫ (ସଲିଳା), ସିଆର ଧାନ ୩୩୪ (ସତ୍ୟଦେବ), ସିଆର ଧାନ ୩୩୫ (ଆଲୋକ), ସିଆର ଧାନ ୬୦୪ (କଳ୍ପନା), ସିଆର ଧାନ ୭୦୫ (ଗଙ୍ଗା) ଏବଂ ସିଆର ଧାନ ୯୧୨ (ଆଶୁତୋଷ ମେହେକ) ମଧ୍ୟ ରାଜ୍ୟରେ ବିକଶିତ କରାଯାଇଛି।

ଏହି ଅଣ-ଧାନ ଏବଂ ଧାନ କିସମଗୁଡିକ ଚାଷୀଙ୍କ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିବ। ଏହା ବ୍ୟତୀତ ଏହି କିସମଗୁଡିକ ଚାଷ କରି ଆମେ ଆମର ଭବିଷ୍ୟତକୁ ଅଧିକ ସ୍ଥାୟୀ ଏବଂ ଜଳବାୟୁ ସହନୀୟ କରିବା ଦିଗରେ ଏକ ପଦକ୍ଷେପ ନେଇପାରିବା । ଆଗାମୀ ଖରିଫ ଋତୁରେ ଚାଷୀମାନେ ଏହି ସବୁ ଧାନ, ମକା, ଓ ସୋରିଷ କିସମ ଗୁଡିକୁ ବ୍ୟବହାର କରିପାରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ କହିଛନ୍ତି।

କମିଟି ଦ୍ୱାରା ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ ଏକ ନୂତନ କିସମ ବିକଶିତ କରିବା ସମୟରେ ଜଳବାୟୁ ସ୍ଥିରତା, ସ୍ୱଳ୍ପ ଅବଧି ଏବଂ ପୁଷ୍ଟିକର ଦିଗକୁ ପ୍ରାଥମିକତା ଦିଆଯିବା ଉଚିତ। ଓୟୁଏଟି କଳିଙ୍ଗ ମକା ୧ (ଖୁସି) କିସମ ଖରିଫ ବର୍ଷା ଉପରେ ନିର୍ଭରଶୀଳ ଶୁଷ୍କ କାଳୀନ ଚାପ ପରିସ୍ଥିତିରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା ଏବଂ ଏହା ନବରଙ୍ଗପୁର ଭଳି ମକା ଅଧ୍ୟୂଷିତ ଜିଲ୍ଲାରେ ଚାଷ ପାଇଁ ଉପଯୁକ୍ତ। ସେହିପରି, ଓୟୁଏଟି କଳିଙ୍ଗ ଧାନ-୩ (ସମ୍ପଦ) ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥିବା ଧାନ ମୁଢି ଓ ଲିଆ ପାଇଁ ଉପଯୁକ୍ତ । ଧାନ ଆଧାରିତ ଫସଲ ପ୍ରଣାଳୀରେ ଏହି କିସମ ଭଲ ଭାବରେ ଫିଟ୍ ହୁଏ । ଓୟୁଏଟି କଳିଙ୍ଗ ଧାନ ୧୨ A (ପଦ୍ମଜା) ଏକ ଜୈବିକ-ଶକ୍ତିଶାଳୀ କିସମ, ଜୈବିକ ଚାଷ ପାଇଁ ଉପଯୁକ୍ତ ଅଟେ । ଓୟୁଏଟି କଳିଙ୍ଗ ଧାନ ୧୪ (ଶ୍ରୀପଦ) ମଧ୍ୟ ଏକ ଜୈବିକ-ଶକ୍ତିଶାଳୀ କିସମ ଯାହା ଲୌହ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଅଟେ । ଏହି କିସମଟି ଚାଷୀମାନେ କରୁଥିବା “ସ୍ୱର୍ଣ୍ଣ (MTU-7029) କିସମକୁ ବଦଳାଇପାରିବ । ସେହିପରି, ସିଆର ଧାନ ୨୧୫ (ଇନ୍ଦୁମତୀ) ଲୁଣିଆ ଅଞ୍ଚଳ ପାଇଁ ଉପଯୁକ୍ତ ଅଟେ । ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପାଇଁ ଏହା ବେଶ୍ ପସନ୍ଦଯୋଗ୍ୟ କିସମ ହୋଇପାରିବ। ଆଉ ଏକ କିସମ, ସିଆର ଧାନ ୬୦୪ (କଳ୍ପନା) ଚାରା ବା ତଳି ଅବସ୍ଥାରେ କମ୍ ତାପମାତ୍ରା ଏବଂ ପ୍ରଜନନ ଅବସ୍ଥାରେ ଅତ୍ୟଧିକ ଉତ୍ତାପ ସହ୍ୟ କରିପାରେ। ଏହା ସହିତ କାଣ୍ଡ ବିନ୍ଧା ପୋକ, ପତ୍ରମୋଡା ପ୍ରତି ମଧ୍ୟ ଏହା ପ୍ରତିରୋଧୀ । ସିଆର ଧାନ ୯୧୨ (ଆଶୁତୋଷ ମେହେକ) ଏକ ସୁଗନ୍ଧିତ କିସମ ଯାହା ପତ୍ରମୋଡା ଓ କାଣ୍ଡ ବିନ୍ଧା ପୋକ ପ୍ରତିରୋଧୀ ଅଟେ ।

କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ଶୁଭମ୍ ସକ୍ସେନା, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ସିଆରଆରଆଇ କଟକ ଏବଂ କୃଷି ବିଭାଗର ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

Monday, June 16, 2025

ବାପା

*ବାପା... ତୁମେ ସାହସ, ଧୈର୍ଯ୍ୟ, ତୁମେ ମୋ ସଫଳତାର ସମୁଦ୍ର......*

ବାପା... ଏହା ନାଁ ନୁହେଁ ଏହା ହେଉଛି ଆମ ସାହସ, ଧୈର୍ଯ୍ୟ ଆଉ ସଫଳତା । କୁହାଯାଏ ବାପା ଥିଲେ ପୁଅ ସଭାରେ ହାରେନା, ବାପା ଥିଲେ ପିଲାଙ୍କ ସ୍ୱପ୍ନ ଭାଙ୍ଗେନା । ବାପା ହିଁ ପିଲାଙ୍କ ପାଇଁ ଆଶାର ଆକାଶ, ବାପା ହିଁ ପିଲାଙ୍କ ସାହସର ସମୁଦ୍ର । ଆଉ ପିଲାଙ୍କ ପାଇଁ ଏ ଦୁନିଆର ପ୍ରଥମ ପରିଚୟ ବାପା...

ଗୋଟେ ପାହାଡ଼ରୁ ବି ଉଚ୍ଚା ବାପାଙ୍କ ମହାନତା ।
ଦୁଃଖ ଯେତେ ବି ଆସୁ ସବୁ ଯନ୍ତ୍ରଣାକୁ ପିଠି ଦେଖେଇ ସେ ସହି ନିଅନ୍ତି । କଷ୍ଟ କଣ ସେ ପିଲାଙ୍କୁ ଅନୁଭବ କରିବାକୁ ଦେଇନଥାଆନ୍ତି । ପିଲାଙ୍କ ଖୁସି ପାଇଁ ବାପା ନିଜ ଖୁସିର ବଳିଦାନ ଦେଇଦିଅନ୍ତି । ସବୁ ବାପାଙ୍କ ଇଚ୍ଛା ଥାଏ ତାଙ୍କ ପିଲା ଏ ଦୁନିଆର ସବୁଠାରୁ ସଫଳ ମଣିଷ ହେଉ । ସେଥିପାଇଁ ତ ପିଲା ଯାହା ବି ସ୍ୱପ୍ନ ଦେଖନ୍ତୁ ବାପା ଇନ୍ଧନ ହୋଇ ତାକୁ ପୂରା କରିବାରେ ଲାଗି ପଡ଼ନ୍ତି । ବାପା, ପରିଶ୍ରମ କରୁଥିବା ଜଣେ ସଚ୍ଚୋଟ ମଣିଷ । ଆମ ଅଭାବକୁ ପୂରା କରୁଥିବା ଏକ ବଡ଼ ଦୋକାନ ।

ନିଜେ ସାଇକେଲ ଚଲାଇ ଆମକୁ ଯିଏ ବାଇକ ଦିଅନ୍ତି, ନିଜେ ଛିଣ୍ଡା ଚପଲ ପିନ୍ଧି ଆମକୁ ଯିଏ ଜୋତା ପିନ୍ଧାନ୍ତି ଆଉ ଯିଏ ନିଜେ ପଖାଳ ଖାଇ ଆମକୁ ବିରିୟାନି ଦିଅନ୍ତି, ସେ ହିଁ ତ ବାପା । ଦିନ ରାତି ପରିଶ୍ରମ କରି ଆମ ଅସଜଡ଼ା ଭବିଷ୍ୟତକୁ ସେ ସଜାଡ଼ି ଦିଅନ୍ତି । ଦୁଃଖ, କଷ୍ଟ, ଅଭାବରୁ ସେ ଆମକୁ ବହୁ ଦୂରରେ ରଖନ୍ତି । ସବୁ କଷ୍ଟକୁ ଛାତି ଚାପି, ଅଜସ୍ର ଲୁହକୁ ସେ ଏକା ଏକା ପିଇଦିଅନ୍ତି । ବାପାଙ୍କ ବିନା ଏ ସଂସାରର ସବୁ କିଛି ବ୍ୟର୍ଥ । ଅସହାୟ, ଗରିବି ଭିତରେ ବି ବାପା ନିଜ ପିଲାଙ୍କୁ ରାଜା, ରାଣୀ ଭଳି ରଖିଥାଆନ୍ତି ।

ସନ୍ତାନ ଯଦି ମା'ଙ୍କ ଠାରୁ ସଂସ୍କାର ଶିଖେ ତେବେ ଦୁନିଆରେ କିଭଳି ନିଜକୁ ସଫଳ କରିବା ପାଇଁ କଠିନ ପରିଶ୍ରମ ଏବଂ ଚଳିବା ପାଇଁ ଉପଯୁକ୍ତ ଜ୍ଞାନ ରହିବା ଆବଶ୍ୟକ ତାହା ବାପାଙ୍କଠାରୁ ଅବା କିଏ ଭଲରେ ବୁଝାଇପାରିବ । ଅବଶ୍ୟ ମା' ୧୦ ମାସ ୧୦ ଦିନ ଗର୍ଭରେ ଧରି ସନ୍ତାନକୁ ଜନ୍ମ ଦେଇଥାନ୍ତି । କିନ୍ତୁ ଜନ୍ମ ହେବା ପରେ ପିଲାର ଭବିଷ୍ୟତ ଗଢ଼ିଥାଆନ୍ତି ବାପା । ସନ୍ତାନ ପାଇଁ ପ୍ରଥମ ପ୍ରେରଣାସ୍ରୋତ, ସୁରକ୍ଷା କବଚ, ଆତ୍ମବିଶ୍ୱାସର ବାହକ ହେଉଛନ୍ତି ବାପା ।

ଜୀବନକାଳ ମଧ୍ୟରେ ସନ୍ତାନର ଛାଇ ହୋଇ ରହିଥିବା ପିତାଙ୍କ ଯୋଗଦାନକୁ ସମ୍ମାନ ଦେବାକୁ ଯାଇ ପ୍ରତିବର୍ଷ ଜୁନ୍ ମାସର ତୃତୀୟ ରବିବାରକୁ "ବିଶ୍ୱ ପିତୃ ଦିବସ" ରୂପେ ପାଳନ କରାଯାଏ । ଚଳିତ ବର୍ଷ ୧୫ ଜୁନ୍ ଅର୍ଥାତ୍ ଆଜିର ଦିନରେ ପିତୃ ଦିବସ ପାଳନ କରାଯାଉଛି । କଷ୍ଟକୁ କାନ୍ଧେଇ ଯେଉଁ ବାପା ଆମ କୁନି କୁନି ପାଦକୁ ବଡ଼ କରିଛନ୍ତି, ଯନ୍ତ୍ରଣାର ଚାବୁକ ଖାଇ ଯିଏ ଆମକୁ ବଡ଼ କରିଛନ୍ତି ତାଙ୍କ ଋଣ କେବେ ବି ଶୁଝି ହେବନି । ସେଥିପାଇଁ ତ ମୋ ବାପା ଏ ଦୁନିଆର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ।

ପୃଥିବୀ ମାତାଙ୍କ ଜନ୍ମକଥା

*ପୃଥିବୀ ମାତାଙ୍କ ଜନ୍ମକଥା*
        
ପ୍ରାଚୀନ କାଳର କଥା l ସେତେବେଳେ ଏ ସମସ୍ତ ଜଗତ ଜଳମଗ୍ନ ହୋଇ ରହିଥାଏ l ସେହି ପ୍ରଳୟ ଜଳରେ ଭଗବାନ୍ ବିଷ୍ଣୁ, ଅନନ୍ତ ଶଯ୍ୟାରେ ଶୟନ କରିଥାନ୍ତି l ବିଷ୍ଣୁଙ୍କ କର୍ଣ୍ଣମୂଳ ମଳରୁ ଦୁଇଟି ଦାନବ ଜନ୍ମ ହେଲେ, ମଧୁ ଓ କୈଟଭ l ସମୟକ୍ରମେ ମଧୁ ଓ କୈଟଭ ଦାନବଦ୍ବୟ ଖୁବ୍ ଦୁର୍ଦ୍ଧାନ୍ତ ଓ ବଳଶାଳୀ ହୋଇ ପଡ଼ିଲେ l ଦିନେ ଅଗାଧ ଜଳରେ ସେମାନେ କ୍ରୀଡ଼ା କରୁଥିବାବେଳେ କହିଲେ ଏହି ଜଳ କୁଆଡୁ ଆସିଲା,ଏହାକୁ ସୃଷ୍ଟିକଲା କିଏ, ଆମକୁ ସୃଷ୍ଟିକଲା କିଏ? ଏ ଜଳ ମଧ୍ୟରେ ନିଶ୍ଚୟ କୌଣସି ଶକ୍ତି ଅଛି ଓ ସେହି ଶକ୍ତି ଆମକୁ ସୃଷ୍ଟି କରିଛି l ସେହି ଶକ୍ତିକୁ ଚାଲ ଅନୁସନ୍ଧାନକରିବା l ସେମାନେ ଏପରି ଭାବୁ ଥିବା ସମୟରେ ଅନ୍ତରୀକ୍ଷରୁ "ବାଗବୀଜ" ବୋଲି ଗୋଟିଏ ଶବ୍ଦ ଶୁଣିବାକୁ ମିଳିଲା l ସେମାନେ ସେହି ଧ୍ୱନୀକୁ ବାରମ୍ବାର ଉଚ୍ଚାରଣ କରିବାରେ ଲାଗିଲେ l ଏପରି ପ୍ରାୟ ଏକ ହଜାର ବର୍ଷ ବିତି ଗଲା l ସେହି ଧ୍ଵନୀ ଥିଲା ମାଆ ମହାମାୟାଙ୍କ ବୀଜମନ୍ତ୍ର l 

ଦିନେ ସେମାନେ ଜଳରେ ବିଚରଣ କରୁଥାନ୍ତି ଏହି ସମୟରେ ଆକାଶରୁ ସେମାନେ ଗୋଟିଏ ନାରୀର କଣ୍ଠସ୍ବର ଶୁଣିଲେ, ହେ ଦୈତ୍ୟଦ୍ୱୟ ! ତୁମ ମାନଙ୍କ ପ୍ରାର୍ଥନାରେ ମୁଁ ସନ୍ତୁଷ୍ଟହୋଇଛି l ତୁମେ ମୋତେ କି ବରମାଗୁଛ ମାଗ l ମଧୁ କୈଟଭ କହିଲେ, ମାଆ ! ଆପଣ ଆମକୁ ଇଚ୍ଛାମୃତ୍ୟୁର ବର ପ୍ରଦାନ କରନ୍ତୁ l ସେହି କଣ୍ଠସ୍ୱର ପୁଣି କହିଲା,ରେ ଦାନବ ! ତୁମର ମୃତ୍ୟୁ ତୁମର ଇଚ୍ଛାଧୀନ ହେବ ନାହିଁ l ମୁଁ ଚାହିଁଲେ ଯାଇ ତୁମର ମୃତ୍ୟୁ ହେବ l ତେବେ ମୁଁ ତୁମକୁ ବର ଦେଉଛି,ଦେବ ବା ଦାନବ କେହି ତୁମକୁ ପରାଜିତ କରି ପାରିବେନାହିଁ l ମାଆଙ୍କ ସେହି ବରକୁ ଅମର ବର ମଣି ଦୈତ୍ୟ ଦ୍ବୟ ଆନନ୍ଦିତ ହେଲେ l 

କିଛିଦିନ ପରେ, ଦୈତ୍ୟ ଦ୍ୱୟ ଦିନେ ଜଳରେ ଘୁରି ବୁଲୁଥିଲା ବେଳେ ତାଙ୍କ ଦୃଷ୍ଟି ପଡ଼ିଲା କମଳ ପୁଷ୍ପ ଉପରେ ବିରାଜମାନ କରିଥିବା, ବ୍ରହ୍ମାଙ୍କ ଉପରେ l
ବ୍ରହ୍ମା ଭଗଵାନ ବିଷ୍ଣୁଙ୍କ ନାଭି କମଳରୁ ଜନ୍ମ ହୋଇ କମଳ ପୁଷ୍ପ ଉପରେ ବସି ସୃଷ୍ଟି ସର୍ଜନା ପାଇଁ ଚକ୍ଷୁ ମୁଦ୍ରିତକରି ଭଗବାନ ବିଷ୍ଣୁଙ୍କ ଧ୍ୟାନରେ ବସିଥିଲେ l 

ପୂର୍ବରୁ କୌଣସି ଜୀବଙ୍କୁ ଦେଖି ନଥିବା ଅସୁରଦ୍ବୟ ବ୍ରହ୍ମାଙ୍କୁ ଦେଖିବାମାତ୍ରେ ତାଙ୍କୁ କହିଲେ, ଆସ ଆମ ସହିତ ଯୁଦ୍ଧକର,ଏମିତି ଆଖି ବୁଜି ବସିଛ କଅଣ l ଵେଦପତି ଖୁବ ଭୟଭୀତହୋଇ ଅନନ୍ତ ଶଯ୍ୟାରେ ଯୋଗନିଦ୍ରାରେ ଶୟନ କରିଥିବା ଭଗବାନ ବିଷ୍ଣୁଙ୍କୁ ସ୍ତୁତି କରିବାକୁ ଲାଗିଲେ l ମାତ୍ର ବ୍ରହ୍ମା ଯେତେ ସ୍ତୁତି କଲେ ମଧ୍ୟ ତାଙ୍କ ଯୋଗ ନିଦ୍ରା ଭଙ୍ଗ ହେଲା ନାହିଁ l ବ୍ରହ୍ମା ତାଙ୍କୁ ଜାଗ୍ରତ କରାଇବା ପାଇଁ ଶେଷକୁ ମାଆ ଯୋଗନିଦ୍ରାଙ୍କୁ ସ୍ତୁତି କଲେ l

ବ୍ରହ୍ମାଙ୍କ ସ୍ତୁତିରେ ଦେବୀ ମହାମାୟା ସନ୍ତୁଷ୍ଟ ହୋଇ ବିଷ୍ଣୁଙ୍କ ଉପରୁ ତାଙ୍କ ମାୟା ଉଠାଇ ନେବାରୁ ବିଷ୍ଣୁ ଜାଗ୍ରତ ହେଲେ l ଭଗବାନ ସମ୍ମୁଖରେ ଯୋଡ଼ହସ୍ତ ବ୍ରହ୍ମାଙ୍କୁ ଦେଖି କହିଲେ, ପଦ୍ମଯୋନି ! ଆପଣ ଜପ ତପ ଛାଡ଼ି ଏପରି ଭୟଭୀତହୋଇ ଏଠାରେ ଛିଡ଼ା ହୋଇଛନ୍ତି କାହିଁକି? ବ୍ରହ୍ମା ତାଙ୍କୁ ସମସ୍ତ କଥା କହି ଦୈତ୍ୟଙ୍କ କବଳରୁ ରକ୍ଷା କରନ୍ତୁ ବୋଲି କହିଲେ l ବିଷ୍ଣୁ ତାଙ୍କୁ ଅଭୟ ଦେଇ କହିଲେ, ଆପଣ ଆଦୌ ଭୟ କରନ୍ତୁ ନାହିଁ l ଆପଣ ଏଠାରେ ନିରାପଦରେ ଅବସ୍ଥାନକରନ୍ତୁ l ଦୈତ୍ୟଦ୍ୱୟ ଆପଣଙ୍କୁ ଆକ୍ରମଣ କରିବାକୁ ଆସିଲେ, ମୁଁ ତାଙ୍କୁ ଏଇଠି ବଧ କରିବି l  ସେମାନେ କିଛି କରିପାରିବେ ନାହିଁ l

ବ୍ରହ୍ମାଙ୍କୁ ଅନୁସରଣ କରି, ମଧୁ କୈଟଭ ସେଠାରେ ଆସି ପହଞ୍ଚି କହିଲେ, ଆରେ ତୁ ଆମ ସହିତ ଯୁଦ୍ଧ ନକରି ଏଠାକୁ ପଳାଇ ଆସିଛୁ l ଏ କ'ଣ ତୋତେ ରକ୍ଷାକରିବ l ଆମେ ଆଗେ ତୋତେ ବଧ କରିବୁ l ତାପରେ ତା କଥା l ଯଦି ତୁ ଆମସହ ଯୁଦ୍ଧ ନକରି ପାରୁ ତେବେ ଆମ ଶରଣ ପଶ l
ବିଷ୍ଣୁ ରାକ୍ଷସ ଦୁହିଁଙ୍କ ଆହ୍ବାନ ଶୁଣି କହିଲେ, ତୁମେ ଦୁହେଁ ଅତୀବ ବଳଶାଳୀ ଜଣାପଡୁଛ l ହେ ବୀର ! ଯଦି ତୁମର ଯୁଦ୍ଧ କରିବାକୁ ଇଚ୍ଛା, ତୁମେ ମୋ ସହ ଯୁଦ୍ଧକରି ତୁମର ଅଭିଳାଷ ପୂର୍ଣ୍ଣ କର l 
ଏଥିରେ ମଧୁ ଓ କୈଟଭ ସମ୍ମତ ହେଲେ l ବିଷ୍ଣୁଙ୍କ ସହ ତାଙ୍କର ଭୟଂକର ବାହୁ ଯୁଦ୍ଧ ଆରମ୍ଭ ହୋଇ ଗଲା l ଏହି ଯୁଦ୍ଧ ପାଞ୍ଚହଜାର ବର୍ଷ ଧରି ଚାଲିଲା l ବିଷ୍ଣୁ ଦୈତ୍ୟଙ୍କ ସହ ଯୁଦ୍ଧ କରି କରି ଅତ୍ୟନ୍ତ କ୍ଳାନ୍ତ ହୋଇପଡ଼ି ଭାବିଲେ,ଏମାନେ ଧୈର୍ଯ୍ୟର ସହ ଯୁଦ୍ଧ କରୁଛନ୍ତି, ଅଥଚ ମୁଁ କାହିଁକି କ୍ଳାନ୍ତ ହୋଇ ପଡ଼ୁଛି l ବିଷ୍ଣୁ ରାକ୍ଷସ ଦୁହିଁଙ୍କୁ କହିଲେ, ଆରେ ! ତୁମେ ଦୁଇ ଜଣ ମୋସହ ଲଢେ଼ଇ କରୁଛ, ମୁଁ ଏକା ଏକା ତୁମ ସହ ଲଢ଼ି, ଥକି ପଡ଼ିଲିଣି l ମୋର ଟିକିଏ ବିଶ୍ରାମ ଆବଶ୍ୟକ l ମୋତେ ଟିକିଏ ବିଶ୍ରାମ ଦିଅ l

ଦୈତ୍ୟ ମଧୁ ଓ କୈଟଭ ଏଥିରେ ସମ୍ମତ ହେଲେ l ବିଷ୍ଣୁ ବିଶ୍ରାମ ନେଉଥିଲା ବେଳେ, ଦୈତ୍ୟ ଦ୍ୱୟଙ୍କୁ ଅଭୟ ଦେଇଥିବା ମା' ଭଗବତୀଙ୍କୁ ଧ୍ୟାନ କଲେ l ମାଆ ପ୍ରସନ୍ନହୋଇ କହିଲେ, ହେ ବିଷ୍ଣୁ ! ଜଗତର ମଙ୍ଗଳପାଇଁ ମୁଁ ମାୟା ବିସ୍ତାରକରି ଏହି ରାକ୍ଷସଙ୍କୁ ମୋହିତ କରିଦେବି l ସେହି ସମୟରେ ରାକ୍ଷସଙ୍କୁ ତୁମେ ନିଧନ କରିବ l ତୁମେ ପୁନଃ ଯୁଦ୍ଧକର l

ପୁଣି ବିଷ୍ଣୁଙ୍କସହ ରାକ୍ଷସଙ୍କର ପ୍ରବଳ ଯୁଦ୍ଧ ଆରମ୍ଭ ହୋଇଗଲା l ଏହି ସମୟରେ, ମୋହିନୀ ରୂପରେ  ମହାଦେବୀ, ରାକ୍ଷସ ଦ୍ବୟଙ୍କୁ ମୋହିତ କରି ନିର୍ବଳ କରି ଦେଲେ l ସେମାନେ ଆଉ ଯୁଦ୍ଧକରି ପାରିଲେ ନାହିଁ l ଏତିକିବେଳେ ଭଗବାନ୍ ବିଷ୍ଣୁ କହିଲେ, ହେ ମହାବୀର ! ମୁଁ ତୁମ ସହ ଯୁଦ୍ଧ କରି ଅତ୍ୟନ୍ତ ପ୍ରୀତ ହୋଇଛି l ତୁମେ ମୋତେ କି ବର ମାଗୁଛ, ମାଗ l ମାୟାମୋହିତ ରାକ୍ଷସ କହିଲେ, ତୁମେ ଆମକୁ କି ବର ଦେବ ହେ l ବରଂ ତୁମେ ଆମକୁ ବର ମାଗ l ବିଷ୍ଣୁ କହିଲେ, ହେଉ ! ତା ହେଲେ ତୁମେ ମୋତେ ଏହି ବର ଦିଅ, ତୁମେ ମୋ' ହାତରେ ମୃତ ହେବ l

ମଧୁ କୈଟଭ ଦୁଇଭାଇ ନିଜ ଜାଲରେ ନିଜେ ଛନ୍ଦି ହୋଇ ପଡ଼ିଲେ l ଚତୁର୍ଦ୍ଦିଗରେ ଅନନ୍ତ ଜଳରାଶିକୁ ଚାହିଁ, ସେମାନେ ଟିକିଏ ଚିନ୍ତାକରି, କହିଲେ, ଠିକ୍ ଅଛି ! ଆମକୁ କୌଣସି ଏକ ଜଳଶୁନ୍ୟ ଯାଗାରେ ପକେଇ ମାରି ପାରିବ ତ ଦେଖ l ସେମାନେ ଭାବି ଥିଲେ ଚାରିଆଡ଼େ ତ ଜଳ l ଜଳଶୁନ୍ୟ ଯାଗା ଅଛି ଯେ ଇଏ ଆମକୁ ପକାଇ ମାରିବ l

ଭଗବାନ ବିଷ୍ଣୁ ଆଉ କାଳବିଳମ୍ୱ ନକରି ସୁଦର୍ଶନ ଚକ୍ରକୁ ସ୍ମରଣ ପୂର୍ବକ ନିଜର ଜାନୁକୁ ଚାରି ହଜାର କ୍ରୋଶ ଯାଏ ବିସ୍ତାର କଲେ l ବିଷ୍ଣୁ ଦୈତ୍ୟ ଦ୍ୱୟଙ୍କୁ କହିଲେ, ଦେଖ ସମ୍ପୂର୍ଣ୍ଣରୂପେ ଏ ଜଳଶୂନ୍ୟ ସ୍ଥାନ l ତୁମ ମସ୍ତକକୁ ଏଠାରେ ରଖ l ମଧୁକୈଟଭ ବିସ୍ମିତ ହୋଇ ତାଙ୍କ ଶିରକୁ ରଖି ଦେଲେ l ଭଗଵାନ ବିଷ୍ଣୁ ତତ୍କ୍ଷଣାତ୍ ସୁଦର୍ଶନ ଚକ୍ରରେ ରାକ୍ଷସ ଦ୍ୱୟଙ୍କ ମସ୍ତକ ଛେଦନକଲେ l ବ୍ରହ୍ମା ରକ୍ଷା ପାଇଗଲେ l ଦେବୀଙ୍କ ମଧୁ କୈଟଭଙ୍କୁ ବର ମଧ୍ୟ ସଫଳ ହେଲା l

ବିଶାଳ ଶରୀର ଧାରୀ ସେହି ଦୈତ୍ୟଦ୍ବୟଙ୍କ ମେଦ, ମଜ୍ଜା ଓ ରୁଧିରରେ ବିସ୍ତୃତ ଜଳ ଭାଗର କେତେକ ଅଂଶ ପୁରି ଉଠିଲା l ମେଦରୁ ସୃଷ୍ଟ, ସେହି ଅଂଶକୁ ମେଦିନୀ କୁହାଗଲା l ରାଜା ପୃଥୁଙ୍କ ନାମାନୁସାରେ ତାହା ପୁଣି ପୃଥିବୀ ବୋଲି ପରିଚିତହେଲା l ରାଜା ପୃଥୁ, ଗାଭୀ ରୂପୀ, ଧରଣୀଙ୍କୁ ଦୋହନ କରି ଥିଲେ ବୋଲି ପୌରାଣିକ କାହାଣୀ ରହିଛି l

ନୈମିଷାରଣ୍ୟରେ ସମବେତ ୠଷିମୁନିମାନଙ୍କୁ ସୂତ ମୁନି ଶ୍ରୀମଦ ଦେବୀ ଭାଗବତରେ ମାଆ ପରାଶକ୍ତି ମହାମାୟାଙ୍କ ଲୀଳାକଥା ଶୁଣାଇ ମେଦିନୀ ସୃଷ୍ଟିର ଏହି ସୁନ୍ଦର କାହାଣୀ କହିଥିଲେ l

           !!! ଜୟ ମାଆ ଧରିତ୍ରୀ !!!

Thursday, June 12, 2025

ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ପଞ୍ଜୀକୃତ ହେବେ ବୟୋଜ୍ୟେଷ୍ଠ

ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ପଞ୍ଜୀକୃତ ହେବେ ବୟୋଜ୍ୟେଷ୍ଠ

କାଲିଠୁ ୧୦ ଦିନିଆ ରାଜ୍ୟ ବ୍ୟାପୀ ବ୍ୟାପକ ଅଭିଯାନର ଆରମ୍ଭ

ଭୁବନେଶ୍ୱର, ୧୧/୦୬: ଆୟୁଷ୍ମାନ ବନ୍ଦନା ଯୋଜନା (ଏଭିଭିୱାଇ)ରେ ୭୦ ବର୍ଷ ରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ପଞ୍ଜୀକୃତ କରିବା ପାଇଁ ରାଜ୍ୟ ସରକାର ଜୁନ୍ ୧୨ରୁ ୨୧ ପର୍ଯ୍ୟନ୍ତ ୧୦ ଦିନିଆ ବ୍ୟାପକ ଅଭିଯାନର ଆରମ୍ଭ କରିଛନ୍ତି।

ଏହି ଯୋଜନାରେ ପ୍ରତ୍ୟେକ ବରିଷ୍ଠ ନାଗରିକଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ। ଏଥିରେ ଯୋଗ୍ୟ ବରିଷ୍ଠ ମାନେ ତାଲିକାଭୁକ୍ତ ହସ୍ପିଟାଲରେ କ୍ୟାସଲେସ୍ ଚିକିତ୍ସା ପାଇପାରିବେ।

ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ ମଙ୍ଗଳବାର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୋଜନା ପ୍ରସ୍ତୁତ କରନ୍ତୁ। କମନ୍ ସର୍ଭିସ୍ ସେଣ୍ଟରରେ ପଞ୍ଜୀକରଣ ହେବା ସହିତ, ଆଶା କର୍ମୀ ଏବଂ ଏଏନଏମ ମାନେ ପଞ୍ଜୀକରଣ କରାଇବେ।

Tuesday, June 10, 2025

ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ: ଜିଲ୍ଲାର ଉନ୍ନୟନ କାର୍ଯ୍ୟକ୍ରମ ସମୀକ୍ଷା କଲେ

ଜିଲ୍ଲାରେ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ସରକାରଙ୍କ ଦ୍ଵିତୀୟ ବର୍ଷର ଉନ୍ନୟନ କାମର ଶୁଭାରମ୍ଭ କେନ୍ଦ୍ରାପଡ଼ାରୁ ହେବ: ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର, ୦୯/୦୬: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଦକ୍ଷଣ ଗୃହ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲାର ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରିଛନ୍ତି ଓ ଘୋଷଣା କରିଛନ୍ତିଯେ ରାଜ୍ୟ ସରକାରଙ୍କ ଦ୍ଵିତୀୟ ବର୍ଷର ଆରମ୍ଭ କେନ୍ଦ୍ରାପଡ଼ା ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟ ଆରମ୍ଭରୁ ହିଁ ହେବ।

ସମୀକ୍ଷାରୁ ଜଣା ଯାଇଛି ଯେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଜଳ ସମ୍ପଦର ବିକାଶ ହେବା ପାଇଁ ଏବଂ ଏହି ଜିଲାରେ ଶିଳ୍ପର ବିକାଶ ପାଇଁ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ। କେନ୍ଦ୍ରାପଡ଼ା ଅଂଚଳରେ ଥିବା ହେନ୍ତାଳ ଜଙ୍ଗଲକୁ ଆହୁରି ବ୍ୟାପକ କରିବା ପାଇଁ ଏବଂ ଭିତରକନିକା ଓ ଗହୀରମଥା ଅଂଚଳରେ ଇକୋ ଟୁରିଜିମକୁ ଆହୁରି ତ୍ୱରାନ୍ୱିତ କରାଯିବ। ଖୁବ୍ ଶୀଘ୍ର ବିଭିନ୍ନ ନୂତନ ପ୍ରକଳ୍ପ ଗୁଡ଼ିକ ଏହି ଜିଲ୍ଲାରେ ଉଦ୍‍ଘାଟନ ହେବା ପାଇଁ ଯାଉଛି ଏବଂ କେନ୍ଦ୍ରାପଡ଼ା ଠାରେ ମେଡିକାଲ କଲେଜ ସ୍ଥାପନ ଓ ମହାପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ ବିଷୟରେ ବିଧାୟକଗଣ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ବୋଲି ବୈଠକରୁ ଜଣାଯାଇଛି ।

ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବିଭାଗୀୟ କାର୍ଯ୍ୟ ଗୁଡିକ ସମ୍ବନ୍ଧରେ ଜିଲ୍ଲାପାଳ ଓ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ତଥ୍ୟ ନେବା ସହିତ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ପ୍ରଶ୍ନ କରିଥିଲେ ଏବଂ ଯେଉଁ କାର୍ଯ୍ୟ ଗୁଡିକ ମନ୍ଥର ଗତିରେ କାର୍ଯ୍ୟକାରୀ ହେଉଛନ୍ତି ତାହାର କାରଣ ବୁଝି ଏଥିପାଇଁ ଯାଥୋଚିତ ପଦକ୍ଷେପ ନେବାପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ସୁରକ୍ଷା, ପର୍ଯ୍ୟଟନ, ଗ୍ରାମ୍ୟ ଉନ୍ନୟନ, ସଡ଼କ, ପରିବହନ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ମହିଳା ସଶକ୍ତିକରଣ, କୃଷି ସମେତ ଶିଳ୍ପ ସମ୍ବନ୍ଧ ରେ ବିଶଦ ଭାବେ ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ କଥା ହୋଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ସବୁ କାର୍ଯ୍ୟର ଉପଯୁକ୍ତ କାର୍ଯ୍ୟନ୍ୱୟନ ଏବଂ ଏହାର କାର୍ଯ୍ୟକାରୀ ହାର ଦେଖି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଏହାର ଆହୁରି ପ୍ରଗତି ପାଇଁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଅନେକ ବିକାଶମୂଳକ ପ୍ରକଳ୍ପ ଯଥା କେନାଲ, ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣରେ ଉଲ୍ଲେଖନୀୟ ପ୍ରଗତି ହୋଇଛି। ଏହା ସହିତ ଜନ ଶୁଣାଣୀ, ଭତ୍ତା ବଣ୍ଟନ  , ବରିଷ୍ଠ ଅଧିକାରୀ ଓ ମାନ୍ୟବର ମନ୍ତ୍ରୀ ଙ୍କ ପରିଦର୍ଶନ, ମଧ୍ୟାହ୍ନ ଭୋଜନ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ ଯୋଜନା, ମିଶନ ଶକ୍ତି ଇତ୍ୟାଦି ରେ ଉଲ୍ଲେଖନିୟ ସଫଳତା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଏହି କାର୍ଯ୍ୟଗୁଡ଼ିକ ଜନସାଧାରଣଙ୍କ ଜୀବନଧାରାକୁ ଉନ୍ନତ କରୁଛି।

ସୁଭଦ୍ରା ଯୋଜନାରେ ଓ ଲକ୍ଷପତି ଦିଦି ଯୋଜନାରେ କେନ୍ଦ୍ରାପଡ଼ା ଜିଲ୍ଲା ଓଡ଼ିଶାରେ ଦ୍ଵିତୀୟ ସ୍ଥାନରେ ରହି ବିଶେଷ ଅଗ୍ରଗତି କରୁଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଦେଇଛନ୍ତି।

ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଚୋରା ବାଲି ଚାଲାଣ, ଆଇନ ଶୃଙ୍ଖଳା ଓ ସରକାରୀ କର୍ମଚାରୀ ଅଭାବ ଭଳି ଚ୍ୟାଲେଞ୍ଜଗୁଡ଼ିକ ସମ୍ପର୍କରେ ତଥ୍ୟ ଗ୍ରହଣ କରି ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ସେ ପୁଣି କହିଥିଲେଯେ, ଆଗାମୀ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ଏକ ଆଦର୍ଶ ଜିଲ୍ଲା ଭାବେ ଗଢ଼ି ତୋଳିବା ଆମର ଲକ୍ଷ୍ୟ। ଏଥିପାଇଁ ନୂଆ ପ୍ରକଳ୍ପ ଯଥା ଶିଳ୍ପ ସ୍ଥାପନ, ପର୍ଯ୍ୟଟନ ବିକାଶ ଓ ନବୀକରଣୀୟ ଶକ୍ତି ଉପରେ ଧ୍ୟାନ ଦିଆଯାଉ। ଏହା ସମ୍ପର୍କରେ ଏକ ବିସ୍ତୃତ ଯୋଜନା ଆଗାମୀ ଏକ ମାସ ମଧ୍ୟରେ ପ୍ରସ୍ତୁତ କରନ୍ତୁ। ଯେଉଁ ସ୍ଥାନରେ ପାନୀୟଜଳର ଅସୁବିଧା ହେଉଛି ସେଠାରେ ଅଧିକାରୀ ମାନେ ଯଥାଶୀଘ୍ର ପଦକ୍ଷେପ ନେଇ କାର୍ଯ୍ୟ ସମାପ୍ତ କରନ୍ତୁ। ସ୍ୱାସ୍ଥ୍ୟ ସେବାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ମଧ୍ଯ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସମୀକ୍ଷା ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ମାଉସୀ ମାଆ ମନ୍ଦିର ଠାରୁ ଶ୍ରୀ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ମାଆ ଓ ଭଉଣୀ ମାନଙ୍କର ସିନ୍ଦୁରର ସୁରକ୍ଷା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ନେଇଥିବା ପ୍ରତିଜ୍ଞା ଆଜି ସାରା ବିଶ୍ୱରେ ଗୁଞ୍ଜରିତ ହେଉଛି। ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପରେ ଜିଲ୍ଲା କୃଷି ରଥ ଓ ରାଜସ୍ବ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଉକ୍ତ ସମୀକ୍ଷା ବୈଠକରେ, ଆଳି ବିଧାୟକ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡ଼ା ବିଧାୟକ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା, ମହାକାଳପଡ଼ା ବିଧାୟକ , ଡକ୍ଟର ଦୁର୍ଗା ପ୍ରସନ୍ନ ନାୟକ, ରାଜନଗର ବିଧାୟକ , ଶ୍ରୀଯୁକ୍ତ ଧ୍ରୁବ ଚରଣ ସାହୁ

ପାଟକୁରା ବିଧାୟକ , ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର, ଜିଲ୍ଲାପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ସମେତ ଜିଲ୍ଲାପାଳ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଦ୍ଧାର୍ଥ କଟାରିଆ ଓ ଜିଲ୍ଲାର ସମସ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Wednesday, May 28, 2025

ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ବିଜ୍ଞପ୍ତି ଜାରି କଲା ଗୃହ ବିଭାଗ

ଭୁବନେଶ୍ୱର, ୨୭/୦୫: ଆଜି ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଓଡ଼ିଶା ମହାନଗର ନିଗମ ଅର୍ଥ ସେବା, ଓଡ଼ିଶା ରାଜସ୍ବ ସେବା, ଓଡ଼ିଶା ପ୍ରଶାସନିକ ସେବା ଓ ଓଡ଼ିଶା ପୌର ପ୍ରଶାସନିକ ସେବା ଅଧିକାରୀଙ୍କୁ ବଦଳି କରି ନୂଆ ଦାୟିତ୍ବ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

 

ନିମ୍ନଲିଖିତ ଓଏଏସ ଅଫିସରଙ୍କ ବିଭିନ୍ନ ପଦବୀକୁ ବଦଳି କରାଯାଇଛି।

• ଅବିନାଶ ମିଶ୍ର- ଦିଗପହଣ୍ଡି ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ଜ୍ଞାନଜିତ ତ୍ରିପାଠୀ- କୋରାପୁଟ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ

• ସୁବର୍ଣ୍ଣପୁର ଉପଜିଲ୍ଲାପାଳ ମାନସ ରଞ୍ଜନ ଭୋଇ- ବିନିକା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ପ୍ରଦୀପ କୁମାର ପାଢ଼ୀ- ବ୍ୟାସନଗର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ

• ଭଦ୍ରକ ଜିଲ୍ଲାପାଳଙ୍କ ସହକାରୀ ଜିଲ୍ଲାପାଳ ସୁଧାଂଶୁ ମୋହନ ସ୍ୱାଇଁ- ବାସୁଦେବପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ

• ପୁରୀ ପିପିଲିର ଅତିରିକ୍ତ ତହସିଲଦାର ନିହାର ରଞ୍ଜନ ବେହେରା- ଓଡ଼ଗାଁ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ମନୋରଞ୍ଜନ ସୁନା- କୁଚିଣ୍ଡା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• କମଳେଶ ମହାନ୍ତି- କୋଟପାଡ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ରଂଜନ କୁମାର ମାର୍ଥା- ରାଇରାଖୋଲ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ହରିଓମ ଭୋଇ- ସମ୍ବଲପୁର ମ୍ୟୁନିସିପାଲିଟିର ଡେପୁଟି କମିସନର

• ବ୍ରହ୍ମପୁର ବିଇଏମସିର ସହକାରୀ କମିଶନର ନରେନ୍ଦ୍ର ପ୍ରଧାନ- ଅତାବିରା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ପୁରୀ ପୌରପାଳିକାର ଏନଫୋର୍ସମେଣ୍ଟ ଅଫିସର ଲିପ୍ସା ରାୟ- ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଡେପୁଟି କମିଶନର

• ସ୍ୱାଧୀନ କୁମାର ବିଶ୍ୱାଳ- ପୁରୀ ପୌରପାଳିକାର ଏନଫୋର୍ସମେଣ୍ଟ ଅଫିସର

• କଟକ ସିଏମସିର ଏନଫୋର୍ସମେଣ୍ଟ ଅଫିସର ରୋହିତ କାନ୍ତି ଦାସ- ପୁରୀ ପୌରପାଳିକାର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ

• କଟକ ସିଏମସିର ସହକାରୀ କମିଶନର ସୁମନ୍ତ ଭୋଇ- କଣ୍ଟାବାଞ୍ଜି ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ଭୁବନେଶ୍ୱର ବିଏମସିର ସହକାରୀ କମିଶନର ବିଶାଲ ଗୌରବ ମଲ୍ଲିକ- କବିସୂର୍ଯ୍ୟନଗର ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ଜୟପୁର ପୌରପାଳିକାର ଅତିରିକ୍ତ ଅଧିକାରୀ କୃତିବାସ ସାହୁ- ନୂଆପଡ଼ା ଏନ୍ଏସିନିର୍ବାହୀ ଅଧିକାରୀ

• ସ୍ମୃତି ରଞ୍ଜନ ସାହୁ- ତୁସୁରା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ନବରଙ୍ଗପୁର ପୌରପାଳିକା ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି- ଫୁଲବାଣୀ ପୌରପାଳିକାର ନିର୍ବାହୀ ଅଧିକାରୀ

• ସୁଜିତ କୁମାର ଚୌଧୁରୀ- ସୁନାବେଡ଼ା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ

• ବଲାଙ୍ଗୀର ପୌରପାଳିକାର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରା- ବାଲିମେଳା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ସାମନ୍ତ ବିଶ୍ୱମ୍ବର ମହାପାତ୍ର- ଗୃହ ଏବଂ ଉନ୍ନୟନ ବିଭାଗ

• ଦେବାଶିଷ ବେହେରା- ପୁରୀ କୋଣାର୍କ ଡେଭଲପମେଣ୍ଟ ଅଥରିଟି ଓଏସଡି

• ଭିକ୍ଟର ସୋରେଙ୍ଗ- ସମ୍ବଲପୁର ଏସ୍ଏମ୍ସିର ଡେପୁଟି କମିସନର

• ବିଶ୍ବମ୍ବର ମିଶ୍ର- ଧର୍ମଗଡ଼ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• କିରଣ ବେହେରା- ଧର୍ମଗଡ଼ ଏନ୍ଏସି ରାଜଗାଙ୍ଗପୁର ପୌରପାଳିକା।

• ପ୍ରତୀକ ରଥ- ଭବାନୀପାଟଣା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ

• ଗୌରବ ପ୍ରଧାନ- ବେଲପାହାଡ଼ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ

• ବିଜନା ବିଭୂଦତ୍ତ ସାହୁ- ବିଜେପୁର ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

• ରଣପୁର ଏନଏସିନିର୍ବାହୀ ଅଧିକାରୀ ରଞ୍ଜନ କୁମାର ଦାସ- ପଟ୍ଟାମୁଣ୍ଡାଇ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ

• ଅଶୋକ କୁମାର କର୍ଣ୍ଣ- ନବରଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ

• ଜୁବୁଲି ଚରଣ ବେହେରା- କଟକ ସିଏମସିର ଡେପୁଟି କମିଶନର

• ସୁକାନ୍ତ ଚନ୍ଦ୍ର ବେଉରା- ହିଞ୍ଜିଳିକଟ ଏନ୍ଏସିର ପୌର ନିର୍ବାହୀ ଅଧିକାରୀ

• କୋଟପାଡ଼ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ- ଜୟପୁର ପୌରପାଳିକାର ଅତିରିକ୍ତ ନିର୍ବାହୀ ଅଧିକାରୀ

• ବାଙ୍କୀ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ୱାଇଁ- କଟକ ସିଡିଏର ଅତିରିକ୍ତ ଭୂମି ଅଧିକାରୀ

• ପଟ୍ଟାମୁଣ୍ଡାଇ ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ- ବାଙ୍କୀ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ

Wednesday, May 21, 2025

ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ

ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ

ଜୁନ୍ ୨୩ରେ ହୋଇଥାନ୍ତା ଉପନିର୍ବାଚନ

ଭୁବନେଶ୍ୱର, ୨୧/୦୫: ରାଜ୍ୟରେ ହେବାକୁ ଥିବା ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଛନ୍ତି ନିର୍ବାଚନ କମିଶନ। ରାଜ୍ୟରେ ମୌସୁମୀ ଶୀଘ୍ର ଆଗମନକୁ ଦୃଷ୍ଟିରେ ରଖି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି ବୋଲି ରାଜ୍ୟ ନିର୍ବାଚନ କମିଶନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆଗୁଆ ମୌସୁମୀ ଯୋଗୁଁ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରେ ଏବଂ ଭୋଟରଙ୍କୁ ଅସୁବିଧାରେ ପକାଇବାର ସମ୍ଭାବନା ଥିବାରୁ ଉପନିର୍ବାଚନ ସ୍ଥଗିତ ରଖାଯାଇଛି।

୧୦୪୩ ୱାର୍ଡ ମେମ୍ବର, ୪୩ଟି ସରପଞ୍ଚ, ୪୦ଟି ପଞ୍ଚାୟତ ସମିତି ସଭ୍ୟ ଓ ୫ଟି ଜିଲ୍ଲା ପରିଷଦ ସଭ୍ୟ ଆସନ ପୂରଣ ପାଇଁ ଜୁନ ୨୩ ତାରିଖରେ ଉପନିର୍ବାଚନ ହେବାର ଥିଲା। ଏଥିପାଇଁ ମେ’ ୨୬, ୨୮, ୨୯, ୩୦ ଏବଂ ୩୧ ତାରିଖରେ ପ୍ରାର୍ଥିପତ୍ର ଦାଖଲ ହୋଇଥାନ୍ତା। ଜୁନ୍‌ ୨୩ରେ ଭୋଟ ହୋଇ ୨୪ରେ ଭୋଟ ଗଣତି ହୋଇଥାନ୍ତା।

ଘୋଷଣା ହେଲା ଯୁକ୍ତ ଦୁଇ ରେଜଲ୍ଟ ତାରିଖ

ଏକା ସଙ୍ଗେ ସବୁ ଷ୍ଟ୍ରିମର ରେଜଲ୍ଟ ପ୍ରକାଶ ପାଇବ

ଭୁବନେଶ୍ୱର, ୨୦/୦୫: ଆସନ୍ତାକାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏକା ଥରକେ କଳା, ବାଣିଜ୍ୟ ଓ ବିଜ୍ଞାନ ଫଳ ପ୍ରକାଶ ପାଇବ। ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ କାଲି ପ୍ରକାଶ ପାଇବ। ଏ ନେଇ ସିଏଚ୍ଏସ୍ଇ ପକ୍ଷରୁ ସୂଚନା ମିଳିଛି।

ଆଜି ଦୁଇ ଦିନ ମଧ୍ୟରେ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିବା ବେଳେ ସିଏଚ୍ଏସ୍ଇ ପକ୍ଷରୁ ଆସନ୍ତାକାଲି ରେଜଲ୍ଟ ପ୍ରକାଶ ପାଇବ ବୋଲି ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ୩ ଲକ୍ଷରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପୂର୍ବରୁ ସବୁ ଷ୍ଟ୍ରିମର ପରୀକ୍ଷାଫଳ ଅଲଗା ଦିନରେ ପ୍ରକାଶ ପାଉଥିବା ବେଳେ ଚଳିତ ବର୍ଷ ପ୍ରଥମ କରି ଗୋଟିଏ ଦିନରେ ସବୁ ବିଷୟର ପରୀକ୍ଷାଫଳ ପ୍ରକାଶ ପାଇବ।

Tuesday, May 20, 2025

ଓଡ଼ିଆ ଚଳଚ୍ଚିତ୍ର ଜଗତର ହେବ ସର୍ବାଙ୍ଗୀନ ବିକାଶ

ସଂସ୍କୃତି ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ: ଯୋଗ ଦେଲେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା

By Coastal News Odia   

ଭୁବନେଶ୍ୱର, ୧୯/୦୫: ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବାଙ୍ଗୀନ ବିକାଶ, ଓଡ଼ିଆ ଚଳଚ୍ଚିତ୍ରର ବହୁଳ ପ୍ରଚାର ଓ ପ୍ରସାର, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଏବଂ ଚଳଚ୍ଚିତ୍ର ଜଗତ ସହିତ ସଂଶ୍ଳିଷ୍ଟ ବିଭିନ୍ନ ପ୍ରସଙ୍ଗକୁ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆଜି ଏକ ବୈଠକର ଆୟୋଜନ କରାଯାଇଥିଲା। ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ତଥା ଦିଗପହଣ୍ଡି ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତର ନିର୍ମାତା, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ, ଲେଖକ, ସଂଗୀତଜ୍ଞ ପ୍ରମୁଖ ବୈଠକରେ ଯୋଗଦେଇ ଚଳଚ୍ଚିତ୍ର ଜଗତର ବିକାଶ ଦିଗରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

ବୈଠକରେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରକୁ ପ୍ରତିବର୍ଷ ନିୟମିତ ଭାବରେ ପ୍ରଦାନ କରାଯିବାକୁ ନେଇ ଆଲୋଚନା କରାଯାଇଥିଲା। ଏଥିସହିତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ନିମନ୍ତେ ବିଚାରମଣ୍ଡଳୀର ସଦସ୍ୟ ଏବଂ ଅଧ୍ୟକ୍ଷଙ୍କ ଚୟନ, କଳା ଏବଂ ଚଳଚ୍ଚିତ୍ର ଜଗତ ସହିତ ସମ୍ପୃକ୍ତ ଥିବା ବ୍ୟକ୍ତି ଓ ବିଶେଷ ଭାବରେ ଯୁବବର୍ଗରୁ ଆସୁଥିବା କଳାପ୍ରେମୀମାନଙ୍କୁ ବିଚାରମଣ୍ଡଳୀରେ ସାମିଲ କରିବା, ପୁରସ୍କାର ରାଶିକୁ ବୃଦ୍ଧି କରିବା, ବର୍ତ୍ତମାନ ୩୩ ଟି ବର୍ଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ଆଗକୁ ଆହୁରି ଅଧିକ ବର୍ଗ ପାଇଁ ପୁରସ୍କାର ପ୍ରଦାନ କରିବାର ବ୍ୟବସ୍ଥା କରିବା, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ନିମନ୍ତେ ଏକ ସ୍ୱତନ୍ତ୍ର ୱେବସାଇଟ୍ ନିର୍ମାଣ କରି ପୁରସ୍କାର ସମ୍ବନ୍ଧୀୟ ସମସ୍ତ ତଥ୍ୟ, ମନୋନୀତ ହୋଇଥିବା ଏବଂ ପୁରସ୍କାର ପାଇଥିବା ସମସ୍ତ ଚଳଚ୍ଚିତ୍ର ଏବଂ କଳାକାରମାନଙ୍କର ବିବରଣୀକୁ ୱେବସାଇଟରେ ସ୍ଥାନିତ କରିବା ଆଦିକୁ ନେଇ ଆଲୋଚନା କରାଯାଇଥିଲା।

ଏହିସହିତ ଏକ ନୂତନ ଚଳଚ୍ଚିତ୍ର ନୀତିର (ଫିଲ୍ମ ପଲିସି) ପ୍ରଣୟନ କରିବା, ଚଳଚ୍ଚିତ୍ର ନିର୍ମାଣ ପାଇଁ ସରକାରୀ ପ୍ରୋତ୍ସାହନ ରାଶି ପ୍ରଦାନ କରିବା, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଲିମିଟେଡ଼ (ଓଡ଼ିଶା ଫିଲ୍ମ ଡେଭେଲପ୍‌ମେଣ୍ଟ କର୍ପୋରେସନ୍‌ ଲିମିଟେଡ଼)କୁ ସଶକ୍ତ କରିବା ସହ ଏହାର କାର୍ଯ୍ୟ ପ୍ରଣାଳୀକୁ ସରଳୀକରଣ କରିବା, କଳିଙ୍ଗ ଷ୍ଟୁଡ଼ିଓର ବିକାଶ କରିବା ଆଦି ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା।

ରାଜ୍ୟରେ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଚଳଚ୍ଚିତ୍ର ପ୍ରେକ୍ଷାଳୟ ସଂଖ୍ୟାକୁ ବୃଦ୍ଧି କରିବା, ଚଳଚ୍ଚିତ୍ର ପାଇଁ ରହିଥିବା ଟିକେଟ୍‌କୁ ଦର୍ଶକମାନଙ୍କୁ ସୁଲଭ ମୂଲ୍ୟରେ ପ୍ରଦାନ କରିବା ପାଇଁ ବ୍ୟବସ୍ଥା ରହିବା, ଏକ ସ୍ୱତନ୍ତ୍ର ଚଳଚ୍ଚିତ୍ର ଅଭିଲେଖାଗାର ରଖିବା, ଓଟିଟି ଏବଂ ଡିଜିଟାଲ୍ କଣ୍ଟେଣ୍ଟକୁ ପ୍ରୋତ୍ସାହନ ଦେବା ସହ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଆଦି ସମ୍ବନ୍ଧରେ ଚଳଚ୍ଚିତ୍ର ଜଗତର ବ୍ୟକ୍ତିବିଶେଷମାନେ ପ୍ରସ୍ତାବ ରଖିଥିଲେ।

ରାଜ୍ୟରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବିକାଶ ସହିତ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ନିଚ୍ଛକ କାହାଣୀକୁ ଆଧାର କରି ଚଳଚ୍ଚିତ୍ର ନିର୍ମାଣ କରିବା ଏବଂ ଚଳଚ୍ଚିତ୍ର ସମାଜ ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିବା ନିମନ୍ତେ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯିବାକୁ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା।

ଆଜିର ବୈଠକରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ଶ୍ରୀଯୁକ୍ତ ଅରିନ୍ଦମ ରାୟ, ଶ୍ରୀଯୁକ୍ତ ଶ୍ରୀତମ ଦାସ, ଶ୍ରୀଯୁକ୍ତ ସବ୍ୟସାଚୀ ମିଶ୍ର, ଶ୍ରୀଯୁକ୍ତ ହରିହର ମହାପାତ୍ର, ବିଶିଷ୍ଟ ଅଭିନେତ୍ରୀ ଶ୍ରୀମତୀ ଅର୍ଚ୍ଚିତା ସାହୁ, ଶ୍ରୀମତୀ ପିଙ୍କି ପ୍ରଧାନ, ଅନୁ ଚୌଧୁରୀ, ସଂଗୀତଜ୍ଞ ଶ୍ରୀଯୁକ୍ତ ଦେବାଶିଷ ମହାପାତ୍ର, ଶ୍ରୀଯୁକ୍ତ ପଞ୍ଚାନନ ନାୟକ, ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଶ୍ରୀମତୀ ଦୀପ୍ତି ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ, ଉପନିର୍ଦ୍ଦେଶକ ସୁଶ୍ରୀ ଦେବଯାନୀ ଭୂୟାଁ, ଓଡ଼ିଶା ସାହିତ୍ୟ ଏକଡେମୀ ସଚିବ ଡ଼. ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...