AFFILIATE MARKETING

https://binomo.com?a=90810425bb57&t=0

Sunday, June 16, 2024

ସରକାରଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ବିଭାଗ ବଣ୍ଟନ

COASTAL NEWS ODIA 1873

ସରକାରଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ବିଭାଗ ବଣ୍ଟନ



ଭୁବନେଶ୍ବର - (CNO) ରାଜ୍ୟର ନବଗଠିତ ବିଜେପି ସରକାରଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ବିଭାଗ ବଣ୍ଟନ ନେଇ ଉତ୍କଣ୍ଠା ରହିଥିଲା, ତାହା ଶେଷ ହୋଇଛି। ଶନିବାର ସନ୍ଧ୍ୟାରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ଗୃହ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ ଏବଂ ଯୋଜନା ଓ ସଂଯୋଜନ ବିଭାଗ ରଖିଛନ୍ତି। ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ୧୩ ଜଣ ମନ୍ତ୍ରୀ ଶପଥ ନେଇଥିଲେ।

୧. ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ: କୃଷି ଓ    କୃଷକ ସଶକ୍ତୀକରଣ ଏବଂ ଶକ୍ତି ବିଭାଗ
୨. ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା: ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗ
୩. ସୁରେଶ ପୂଜାରୀ: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
୪. ରବି ନାୟକ: ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ
୫. ନିତ୍ୟାନନ୍ଦ ଗଣ୍ଡ: ବିଦ୍ୟାଳୟ ଓ ଗଣଶିକ୍ଷା, ଏସସି/ଏସଟି ଉନ୍ନୟନ, ସଂଖ୍ୟାଲଘୁ ବିଭାଗ
୬. କୃଷ୍ଣଚନ୍ଦ୍ର ପାତ୍ର: ଖାଦ୍ୟ ଯୋଗାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି
୭. ପୃଥ୍ୱୀରାଜ ହରିଚନ୍ଦନ: ଆଇନ୍, ପୂର୍ତ୍ତ ଏବଂ ଅବକାରୀ
୮. ମୁକେଶ ମହାଲିଙ୍ଗ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର
୯. ବିଭୂତି ଭୂଷଣ ଜେନା: ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି
୧୦. କୃଷ୍ଣଚନ୍ଦ୍ର ମହାପାତ୍ର: ଗୃହ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗ
୧୧. ଗଣେଶରାମ ସିଂଖୁଣ୍ଟିଆ: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ
୧୨. ସୂର୍ଯ୍ୟବଂଶୀ ସୂରଜ: ଉଚ୍ଚଶିକ୍ଷା, କ୍ରୀଡ଼ା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
୧୩. ପ୍ରଦୀପ ବଳସାମନ୍ତ: ସମବାୟ, ହସ୍ତତନ୍ତ
୧୪. ଗୋକୁଳାନନ୍ଦ ମଲ୍ଲିକ: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଏମଏସଏମଇ
୧୫. ସମ୍ପଦ ଚନ୍ଦ୍ର ସ୍ୱାଇଁ: ଖଣି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

ଉତ୍କଳୀୟ ସଂସ୍କୃତିର ପ୍ରତୀକ ”ରଜ”

 ଉତ୍କଳୀୟ ସଂସ୍କୃତିର ପ୍ରତୀକ ”ରଜ” 




ଭୁବନେଶ୍ବର - (CNO) ରଜ ଓଡ଼ିଶାର ଏକ ପାରମ୍ପରିକ ଗଣପର୍ବ । ଏହା ଚାରି ଦିନ ଧରି ପାଳନ କରାଯାଏ । ରଜର ପୂର୍ବ ଦିନକୁ ମାସନ୍ତ ବା ସଜବାଜ, ପ୍ରଥମ ଦିନକୁ ପହିଲି ରଜ, ଦ୍ଵିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ବସୁମତୀ ସ୍ନାନ / ଭୂମି ଦହନ କୁହାଯାଏ । ରଜସ୍‌’ ଶବ୍ଦରୁ ‘ରଜ’ର ସୃଷ୍ଟି । ଏହି ଶବ୍ଦର ଅର୍ଥ ରଜସ୍ୱଳା ବା ଋତୁମତୀ । ଆଷାଢ଼ ମାସର ପ୍ରଥମ ବର୍ଷାରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ହୁଏ ରଜସ୍ୱଳା । ମା'ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ, ରଜ ତିନି ଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ରହିଛି, ତେଣୁଏହି ସମୟରେ ଭୂ ଖନନ ନିଷିଦ୍ଧ । 

ଅକ୍ଷୟ ତୃତୀୟାରେ ଧାନ ଅନୁକୂଳ କରିଥିବା ଚାଷୀ, କ୍ଷେତକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ ମଧ୍ୟ, ଏହା ତା’ ପାଇଁ ବିଶ୍ରାମର ବେଳ । ଏବେ ଭୁଇଁରେ ଖାଲି ପାଦରେ ଚାଲିବା ମନା, କର୍ଷଣ ବି ମନା । ଏହି ପର୍ବ ମାଧ୍ୟମରେ ପ୍ରକୃତିକୁ ସମ୍ମାନ ଦେବା ସହିତ ନାରୀ ଜାତିକୁ ସମ୍ମାନ ଦେବାର ଏକ ସୂକ୍ଷ୍ମ ପରମ୍ପରା ପ୍ରଚଳିତ । ତେଣୁ ଏହାକୁ କେବଳ ଏକ କୃଷିଭିତ୍ତିକ ପର୍ବ ଭାବେ ବିଚାର ନ’କରି ନାରୀ ଜାତି ପ୍ରତି ସମ୍ମାନବୋଧର ଏକ ପର୍ବ ଭାବେ ମଧ୍ୟ ବିଚାର କରାଯାଏ । ଏହି ପର୍ବ ମାତୃ ଶକ୍ତି ଉପାସନା ପାଇଁ ମଧ୍ୟ ଉଦ୍ଦିଷ୍ଟ । ଓଡ଼ିଶାର ବହୁ ପ୍ରାଚୀନ କାଳରୁ ଝଙ୍କଡ଼ରେ ଦେବୀ ସାରଳା, ଯାଜପୁରରେ ଦେବୀ ବିରଜା, ବାଙ୍କୀରେ ଦେବୀ ଚର୍ଚ୍ଚିକା, ଚୌଷଠି ଯୋଗିନୀଙ୍କୁ ଏହି ଅବସରରେ ବିଶେଷ ପୂଜା କରାଯାଏ ।


ମହତ୍ତ୍ୱ : ମାଟି ଓ ମେଘର ଅପୂର୍ବ ମିଳନର ପର୍ବ ହେଉଛି ରଜ । ଆଦ୍ୟ ଆଷାଢର ପ୍ରଥମ ବାରି’ପାତରେ ପୃଥିବୀ ଋତୁମତୀ ହୋଇଥିବାରୁ, ଆନନ୍ଦ ଉଲ୍ଲାସରେ ଉତ୍ସବ ମୁଖର ହୋଇଉଠେ ଚତୁର୍ଦ୍ଦିଗ । ମାଟି’ର ମାତୃତ୍ଵ କାମନା କରି ସୃଷ୍ଟିର ଜୟଗାନ କରେ କୃଷକ । ଶରୀର ପାଇଁ ବିଶ୍ରାମ, ଆଉ ମନ ପାଇଁ ଆନନ୍ଦର ଅବସର ହେଉଛି ଏହି ରଜ ପର୍ବ । ପୋଡ଼ପିଠା ଖାଇ ପୁଅମାନଙ୍କ ତାସ ବାଗୁଡି ଖେଳ, ଆଉ ଝିଅମାନଙ୍କ ଗାଁ ବୁଲା, ଦୋଳି ଝୁଲା, ଅଳତା ଲଗା ସହ ରଜ ପାନ ଖାଇ ଓଠ ରଙ୍ଗେଇବାର ଇଏ ହେଉଛି ଏକ ନିଆରା ମଉକା ! ଏ ପର୍ବରେ ଆତ୍ମୀୟ ସ୍ଵଜନ ଯିଏ ଯେଉଁଠି ଥିଲେ ବି ଫେରି ଆସନ୍ତି ଘରକୁ, ବନ୍ଧୁ ବାନ୍ଧବଙ୍କ ଗହଳି, ଆଉ ହସ କୌତୁକର ଆସର ଭିତରେ କର୍ମମୟ ଜୀବନର ଅବସାଦ ଭୁଲିଯିବାକୁ ।


କିମ୍ବଦନ୍ତୀ : ଲଙ୍କାରେ ମହାପ୍ରତାପୀ ରାଜା ‘ରାବଣ’ ରାଜୁତି କରୁଥିବାବେଳେ,“ମୟ” ନାମରେ ଆଉ ଜଣେ ରାଜା ଅନ୍ୟ ଏକ ରାଜ୍ୟରେ ରାଜୁତି କରୁଥିଲେ । ଉଭୟେ ରାକ୍ଷସମାନଙ୍କର ରାଜା ହୋଇଥିବା କାରଣରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖୁବ ନିବିଡ଼ ଥିଲା । ରାଜା ‘ମୟ’ଙ୍କର ‘ମନ୍ଦୋଦରୀ’ ନାମରେ ଅତି ସୁନ୍ଦରୀ କନ୍ୟାଟିଏ ଥିଲା । ରାବଣ ଓ ମନ୍ଦୋଦରୀ ପରସ୍ପର ପ୍ରତି ଆକର୍ଷିତ ହେଲେ ଓ ମନ୍ଦୋଦରୀ ଅନ୍ତସତ୍ତ୍ୱା ହେଲେ । ମନ୍ଦୋଦରୀଙ୍କ ଗର୍ଭରୁ ଅତି ସୁନ୍ଦରୀ କନ୍ୟାଟିଏ ଜନ୍ମ ହେଲା । ଅବିବାହିତ କନ୍ୟା ଜନନୀ ହେବାର ଲୋକଲଜ୍ୟା ଭୟରେ ରାଜା ‘ମୟ’ ଉକ୍ତ ଶିଶୁ କନ୍ୟାକୁ ବିଳମ୍ବିତ ରାତ୍ରରେ ଏକ ଦୂର ରାଇଜ - ମିଥିଳା ନଗରକୁ ନେଇ ଗୁପ୍ତ ଭାବରେ ଗାତ ଖୋଳି ପୋତି ଦେଇଥିଲେ । ଶିଶୁ କନ୍ୟାଟିକୁ ମିଥିଳା ରାଜ୍ୟରେ ପୋତି ଦେଇଥିବା କାରଣରୁ ମିଥିଳାରେ ଅକାଳ ପଡ଼ିଲା । ବର୍ଷା ହେଲା ନାହିଁ । ମିଥିଳାବାସୀ ତ୍ରାହି ତ୍ରାହି ଡ଼ାକିଲେ । ମିଥିଳା ରାଜ୍ୟର ପ୍ରଜାବତ୍ସଳ ରାଜା ଥିଲେ ‘ଜନକ’ । 

ପ୍ରଜାଙ୍କ ଦୁଃଖ ଦୁର୍ଦ୍ଦଶା ଦେଖି ସେ ଜ୍ୟୋତିଷମାନଙ୍କର ପରାମର୍ଶ ନେଲେ । ଜ୍ୟୋତିଷଗଣ ମତ ଦେଲେ - ରାଜା ନିଜେ ହଳ ଯୋଚିଲେ ଦୁର୍ଦ୍ଦିନ ଦୂର ହେବ । ପ୍ରଜାଙ୍କ ହିତ ଉଦ୍ଦେଶ୍ୟରେ ରାଜା ଜନକ ହଳ ଯୋଚିଲେ । ଏଥିରେ ଇନ୍ଦ୍ରଦେବ ସନ୍ତୁଷ୍ଟ ହେଲେ ଏବଂ ମୂଷଳ ଧାରାରେ ବର୍ଷା ହେବାକୁ ଲାଗିଲା । ମିଥିଳାବାସୀ ଆନନ୍ଦ, ଉଲ୍ଲାସରେ ଗୀତ ଗାଇ ନାଚିବାକୁ ଲାଗିଲେ । ପୌରାଣିକ ମତାନୁଯାୟୀ ସେହି ଦିନଠୁଁ ରଜ ପର୍ବର ଆରମ୍ଭ ବୋଲି ବିଶ୍ୱାସ କରାଯାଏ ।


କୁମାରୀମାନଙ୍କ ପାଇଁ ରଜ'ର ମହତ୍ତ୍ୱ : କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ଏକ ତାଲିମ ପ୍ରଦାନକାରୀ ପର୍ବ । ଆଗାମୀ ଦିନରେ ଏକ ସ୍ୱୟଂ ସଂପୂର୍ଣ୍ଣା ନାରୀ ଭୂମିକାରେ କିପରି କର୍ତ୍ତବ୍ୟ ସମ୍ପାଦନ କରିବାକୁ ପଡ଼ିବ, ତାହା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ ଏହି ରଜ ପର୍ବ ପାଳନ ଅବସରରେ । ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାର ସଂହିତାକୁ ବିଧି ଭାବେ କୁମାରୀମାନେ ପାଳିଥାଆନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟି ନାରୀ ଭୂମିକାରେ ଅବତୀର୍ଣ୍ଣ ହୁଏ, ଏହି ଆଚାର ସଂହିତା ତା’ର ସହାୟକ ହୋଇଥାଏ । 

ରଜ ତିନିଦିନ ଧରି ରଜସ୍ୱଳା ନାରୀ ଭାବେ ଧରଣୀ ମାତାକୁ କଷ୍ଟ ନ ଦେଇ, ଭୂମି କର୍ଷଣ ନ କରି ବିଶ୍ରାମ ଦେଲା ଭଳି, କଟା-ବଟା ଆଦି ଗୃହକର୍ମ ନ’କରି କୁମାରୀମାନେ ବିଶ୍ରାମ କରନ୍ତି । ଏହି ଦିନ ଧରିତ୍ରୀ ମାଆ’କୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲନ୍ତି ନାହିଁ – ଗୁଆ କିମ୍ବା କଦଳୀ ଗଛ ପଟୁଆରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି, ଯଦିଓ କାଳକ୍ରମେ ଏହା ଲୋପ ପାଇବାକୁ ବସିଲାଣି । 


ବସୁମତୀ ସ୍ନାନ : ରଜ ପର୍ବର ଅନ୍ତିମ ଦିବସରେ ‘ମାସିକ ଧର୍ମ’ର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ, ପବିତ୍ର ହୋଇଥାଆନ୍ତି । ଏହା ବସୁମତୀ ସ୍ନାନ, ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ । ବଡ଼ି ସକାଳୁ ଶିଳପୁଆ ଓ ଲଙ୍ଗଳ ଲୁହାରେ ହଳଦୀ କନା ଗୁଡ଼ାଇ, ସିନ୍ଦୂର କଜଳ ଦେଇ, ପିଢ଼ା ଉପରେ ସ୍ଥାପନା କରି, କଳସ ଆମ୍ବଡ଼ାଳ ରଖି କ୍ଷୀରରେ ସ୍ନାନ କରାଯାଏ । ମାର୍ଗଶୀର ଶେଷ ଗୁରୁବାର ଦିନ ବନ୍ଦ ହୋଇଥିବା “ମହାଲକ୍ଷ୍ମୀ ପେଡ଼ି” ମଧ୍ୟ ଏହି ଦିନ ଖୋଲାଯାଇଥାଏ । 


ରଜ ଦୋଳି : ରଜ ପର୍ବରେ ଦୋଳି ଖେଳିବାର ପରମ୍ପରା ନିଆରା । ଏହା ରଜର ମୁଖ୍ୟ ଆକର୍ଷଣ । ଦୋଳି ଖେଳ ବିନା ରଜ ପର୍ବ ଫିକା ଲାଗିଥାଏ । ବଡ଼ି ଭୋର୍‌ରୁ ଗାଧୋଇ ଚନ୍ଦନ ଟିପା, ନୂଆ ପୋଷାକରେ ସଜେଇ ହୋଇ ଛୋଟରୁ ବଡ଼ ଯାଏଁ କୁଆଁରୀ ଝିଅମାନେ ବାହାରିଯାଆନ୍ତି ଦୋଳି ଖେଳିବାକୁ । ଘର ଛାତର ହୁକ, ବାରଣ୍ଡା, ଆମ୍ବଗଛଠାରୁ ବରଗଛ ସବୁଠି ଦୋଳିର ଭିଡ଼ । ପଟା ଦୋଳି, ବାଉଁଶ ଦୋଳି, ଚକ୍ରି ଦୋଳି ଆଦି ବିଭିନ୍ନ ପ୍ରକାରର ଦୋଳି ରଜ ପରମ୍ପରାକୁ ଉଲ୍ଲସିତ କରିଥାଏ । ଦୋଳି ଖେଳ ପୂର୍ବରୁ ମା’ ବସୁମତିଙ୍କୁ ସ୍ମରଣ କରି ଦୋଳି ପୂଜା କରାଯାଇଥାଏ । ଦୋଳିରେ ଛୁଟେ କୁଆଁରୀଙ୍କ ରଜଗୀତର ଲହରା ସ୍ଵର । ଦୋଳି ଚାରିପଟେ ଦୋଳି ଖେଳାଳି ଆଉ ଦେଖଣାହାରୀଙ୍କର ଭିଡ଼ ଜମିଥାଏ । ଗୋଟିଏ ଗୋଟିଏ ଜାଗାରେ ଏକାଧିକ ଦୋଳି ବନ୍ଧାଯାଇ କିଏ କେତେ ଉପରକୁ ଯାଇପାରୁଛି, ସେ ନେଇ ପ୍ରତିଯୋଗିତା ମଧ୍ୟ ହୋଇଥାଏ । ବିଭିନ୍ନ ଦଳ ମଧ୍ୟରେ ପଦକୁ ପଦ ସଜାଡ଼ି ଦୋଳି ଗୀତର ଆସର ଜମିଯାଏ । ରଜରେ ବୋଲାଯାଉଥିବା ଅଗଣିତ ଗୀତ ମଧ୍ୟରୁ କିଛି : 


“ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜଲୋ, ଘେନି ନୂଆ ସଜବାଜ”

“ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତାଲୋ, ମଥାରେ ସିନ୍ଦୂର ଟୋପା”

“ଉଡ଼ିଲା ଶୁଆ ନାହାକା, ଦୋଳିଟା କାହିଁକି ଲାଗୁଛି ଏକାଲୋ, କାହା ବିନା ଏକା ଏକା”

“ପାଚିଲା ଭଇଁଚ କୋଳି, ବେକରେ ନାଇଚି ଗଜରା ମାଳିଲୋ, ଝୁଲାଅ ରଜର ଦୋଳି”

“ପଣସ ପାଚିଲା ବନେ, ବନ ପୋଡ଼ିଗଲେ ଦୁନିଆ ଜାଣେଲୋ, ମନକଥା କିଏ ଜାଣେ”

“ଶଙ୍ଖ ମଲମଲ ଗିନା, ଦରଦ ଜାଣେ ଦରଦୀ ସିନାଲୋ, ବଣିଆ ଚିହ୍ନେଟି ସୁନା”

“ଖୋସାରେ ଖୋସିଲି ଫୁଲ, କେତେ ଦେଖାଉଛୁ ନୁଖୁରା ଗେଲରେ, ଭାଙ୍ଗି ଦେବି ତୋର ଗାଲ”

“ନଈର ଶୁଖିଲା ବାଲି, କେତେ ଫୁଲି ହେଉ ପୁଚୁକି ଗାଲିଲୋ, ଦେଖାଉଛୁ କେତେ ବେଲି”

“ଛତରା ବଜାର ହାଟ, ଛକି ବସିଥିବ ଚଗଲା କାହ୍ନୁଲୋ, ଛନ୍ଦରେ ମାଗିବ ଘାଟ”



ରଜ ପାନ : ରଜରେ ପାନ ଖାଇବା ଓ ଖୁଆଇବା ଏକ ପ୍ରାଚୀନ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ । ପାନକୁ ତାମ୍ବୁଳ, ସପ୍ତଲତା ଓ ନାଗବଲ୍ଲୀ ବୋଲି ମଧ୍ୟ କୁହାଯାଏ । ନାଗବଲ୍ଲୀ ରସ ପାନ କରି ଜଣେ ମୃତ ରାଜପୁତ୍ର ଜୀବନ ପାଇଥିବାର ପ୍ରବାଦ ରହିଛି । ତେଣୁ ଏହାକୁ ‘ପ୍ରାଣ’ ବୋଲି କୁହାଯାଉଥିଲା । କାଳକ୍ରମେ ଏହା ଅପଭ୍ରଂଶ ହୋଇ ‘ପାନ’ ହୋଇଛି । ବଡ଼ଠାକୁର ଜଗନ୍ନାଥ ପ୍ରତି ଦିନ ଭୋଜନାନ୍ତେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି । ରଜପାନର ଚମକ ଓ ମହକ ବର୍ଷ ତମାମ୍ ପାନକୁ ବଳିଯାଏ । ରଜ ପାନରେ ଗୁଆ, ଗୁଜୁରାତି, ଭଜା ଧଣିଆ, ନଡିଆ ଖଣ୍ଡ, ଚେରି, ଲବଙ୍ଗ, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ କେଶର, ଖଇର ଇତ୍ୟାଦି ୧୨ ପ୍ରକାର ମସଲା ବ୍ୟବହୃତ ହୁଏ । ଏହାକୁ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ, ଉପରେ ଲବଙ୍ଗ ଖୋସି, ଅତି ସୁନ୍ଦର ଭାବରେ ଥାଳି ଉପରେ ସଜାଇ ଦିଆଯାଇଥାଏ । ରଜ ପାନ ସମ୍ପର୍କରେ ସୁନ୍ଦର ଢ଼ଗ’ଟିଏଅଛି : 


“ପାନଖିଆ ରସିକ ପାଟି, ଖୋଜି ବୁଲୁଥିଲା ରାଜାଙ୍କ ହାତୀ,

ଢାଳି ଦେଇଗଲା ଶିରରେ, ରାଜା ହୋଇଗଲା ରଜରେ”



ପିଠାପଣା : ଓଡ଼ିଆ ଘରେ ପର୍ବପର୍ବାଣୀର ଅର୍ଥ ବିଭିନ୍ନ ପ୍ରକାର ପିଠାର ଆସର । ରଜ ପୂର୍ବଦିନ ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ । ଅନ୍ୟ ପର୍ବ ଅପେକ୍ଷା ରଜପର୍ବରେ ତିଆରି ପିଠା ସଭିଙ୍କର ପ୍ରିୟ । ଏହି ଦିନ ଚକୁଳି, କାକରା ଓ ପୋଡ଼ ପିଠାର ମହକ ଘରେ ଘରେ ମହକିଥାଏ । ନଡ଼ିଆ ପୁର ଦିଆ ପୋଡ଼ ପିଠା ରଜରେ ମୁଖ୍ୟ ସ୍ଥାନ ଗ୍ରହଣ କରିଥାଏ । କାରଣ ଜଗନ୍ନାଥଙ୍କ ଛପନ ଭୋଗରେ ଏହା ସ୍ଥାନ ପାଇଥାଏ । ଏହି ପୋଡ଼ ପିଠାକୁ ତିନି ଦିନ ଧରି ଖିଆଯାଏ ।


ରଜ ଉତ୍ସବର ବ୍ୟାପକତା ଓ ବିଭିନ୍ନତା : ଓଡିଶା ବାହାରେ ପଶ୍ଚିମ ବଙ୍ଗ ଓ ଆସାମରେ ରଜପର୍ବ “ଅମ୍ବୁବାଚି” ନାମରେ ପାଳିତ ହୁଏ । ମିଥୁନ ସଂକ୍ରାନ୍ତି ଅବସରରେ ୫୨ ଶକ୍ତିପୀଠ ମଧ୍ୟରୁ ଗୌହାଟୀରେ ଥିବା ପ୍ରତ୍ୟକ୍ଷଦେବୀ କାମାକ୍ଷା’ଙ୍କ ପୀଠ ଲୋକାରଣ୍ୟ ହୁଏ । ବିଶ୍ଵାସ କରାଯାଏ, ଦେବୀ କାମାକ୍ଷା ଏହି ସମୟରେ ରଜବତୀ ହୁଅନ୍ତି । ଦେବୀଙ୍କ ମହାସ୍ନାନ ପରେ ୪ର୍ଥ ଦିନ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରନ୍ତି । ଦେଶ ବିଦେଶରୁ ଅନେକ ତାନ୍ତ୍ରିକ, ସାଧୁ ସନ୍ୟାସୀ ଏଠାରେ ଏକତ୍ରିତ ହୁଅନ୍ତି । ରଜପର୍ବ ଢ଼ାଞ୍ଚାରେ ରାଜସ୍ଥାନରେ ପାଳନ ହୁଏ ‘ଡାଜପତ୍ର’ । ଏଥିରେ କୁମାରୀମାନେ ନୂତନ ବସ୍ତ୍ର ପରିଧାନ ପୂର୍ବକ ଦୋଳି ଖେଳିଥାଆନ୍ତି । 


ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏହା ବେଶ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଥିଲେ ମଧ୍ୟ ଅବିଭକ୍ତ ସମ୍ବଲପୁର, କଳାହାଣ୍ଡି, କୋରାପୁଟ, ବଲାଙ୍ଗିର, କେନ୍ଦୁଝର ଆଦି ଜିଲ୍ଲାରେ ମଧ୍ୟ ଏହା ପାଳିତ ହେଇଥାଏ । ଢ଼େଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ୫ ଦିନ ବ୍ୟାପୀ ରଜୋତ୍ସବ ପାଳନ ହୁଏ । ଏହାର ବିଶେଷତ୍ୱ ହେଲା, ରଜ ଉତ୍ସବ ଉପଲକ୍ଷେ ଗ୍ରାମରେ ଥିବା ବାଙ୍କବିହାରୀ ମନ୍ଦିରରେ ପହିଲି ରଜ ଦିନ ଅଖଣ୍ଡ ଧୂନି ଜଳେ । ପହିଲି ରଜଠୁ ୪ ଦିନ ଧରି ଏଠାରେ ଅନ୍ନଭୋଗ ଲାଗି ହୁଏ ନାହିଁ । ଏହି ପ୍ରଥା ୨୦୦ ବର୍ଷରୁ ଅଧିକ ବୋଲି ଜଣାଯାଏ । ଏହି ଅବସରରେ ସେଠାରେ ଏକ ‘ଆମ୍ବ-ପଣସ ଯାତ୍ରା’ ଅନୁଷ୍ଠିତ ହୁଏ, ଯାହାର ବିଶେଷତ୍ୱ ହେଲା ଆମ୍ବ ଓ ପଣସର ପସରା ।


କେନ୍ଦୁଝର ଅଞ୍ଚଳରେ ରଜ ଏକ ନିଆରା ଢଙ୍ଗରେ ପାଳନ କରାଯାଏ । ଏଠାରେ ବିଭିନ୍ନ ପ୍ରକାର ଦୋଳି ବନ୍ଧାଯିବା ପରେ ପ୍ରଥମେ ଗାଁ ‘ଦେହୁରି’, ସ୍ଵର୍ଗର ଶିଳ୍ପୀ ବିଶ୍ଵକର୍ମା’ଙ୍କ ସମ୍ମାନାର୍ଥେ ନିହାଣ, ବାରିସି ଆଦି ଦୋଳିରେ ରଖି ଝୁଲାଇଥାନ୍ତି । ଏହି ଅବସରରେ ଶବର-ଶବରୀ ନାଚ ହୁଏ । କୃଷି କର୍ମରେ ତତ୍ପର ହେବା ପାଇଁ ଶବରୀ ଶବରକୁ ପ୍ରବର୍ତ୍ତାଏ l ନୃତ୍ୟ ମାଧ୍ୟମରେ ଶବର ତା’ର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ପ୍ରତି ସମ୍ମାନ ଜଣାଏ । ଏହି ଜନଜାତିମାନଙ୍କର ବିଶ୍ଵାସ, ଯେ ମା’ ସୀତା ଏହି ଦିନ ଗର୍ଭବତୀ ହୋଇଥିଲେ । 


ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ମହୁଲଦର୍ହ ଗ୍ରାମରେ, ୨୦୧୦ରୁ ଏକ ନିଆରା ଢଙ୍ଗରେ ପାଳିତ ହୋଇଆସୁଛି ରଜ ପର୍ବ । ଏହି ଅବସରରେ ଦୁଇଟି କଣ୍ଢେଇର ବାହାଘର ହୋଇଥାଏ । ଦୁଇଜଣ ଝିଅ ବରକନ୍ୟା ବେଶରେ ବେଦୀରେ କଣ୍ଢେଇ ଧରି ବସନ୍ତି । ଏହି ବାହାଘର ଦେଖି‍ବାପାଇଁ ସମସ୍ତ ଗ୍ରାମବାସୀଙ୍କ ସହ, ଆଖପାଖ ଗ୍ରାମରୁ ଶତାଧିକ ଲୋକ ଆସନ୍ତି । ସମସ୍ତଙ୍କ ପାଇଁ ବିବାହ ଭୋଜିର ଆୟୋଜନ କରାଯାଇଥାଏ । ନାଚଗୀତ ଆସର ଜମିବା ସହ, ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଦୋଳି ଖେଳର ମଜା ଉଠାନ୍ତି । 


କ୍ରମେ ହଜିବାକୁ ବସିଥିବା ଉତ୍କଳୀୟ ସଂସ୍କୃତିର ପ୍ରତୀକ ଓ ପରମ୍ପରାକୁ ଧରି ରଖିବା ଉଦ୍ଦେଶ୍ୟରେ ,କିଛି ବର୍ଷ ହେଲା ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥା ପକ୍ଷରୁ ଓଡିଶାର ପୁରପଲ୍ଲୀର ମହିଳାମାନଙ୍କୁ ନେଇ ରଜ ପିଠା ଓ ରଜ ପାନ ପ୍ରତିଯୋଗୀତା ଆଦିର ପ୍ରୟାସ ଆରମ୍ଭ ହୋଇଛି ।

ଭଦ୍ରକ ନାବାଳକ ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର - ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା
ଭଦ୍ରକ ନାବାଳକ ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶଦେଲେ ମୁଖ୍ୟମନ୍ତ୍ରୀ

ସାମାଜିକ ଗଣ ମାଧ୍ୟମରୁ ପାଇଲେ ସୂଚନା
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ


ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଜିଲ୍ଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । 

ଭଦ୍ରକ ଜିଲ୍ଲା ଚାନ୍ଦବାଲି ମାଧପୁର ଗ୍ରାମର ୧୪ ବର୍ଷର ବାଳକ ବାବୁଲି ବାରିକ ସ୍ନାୟୁଗତ ଜଟିଳରୋଗରେ ପୀଡ଼ିତ ଅଛନ୍ତି । ଗରିବ ପରିବାରର ବାବୁଲି ଅର୍ଥାଭାବରୁ ଚିକିତ୍ସିତ ହୋଇପାରୁ ନଥିଲେ । ଏ ବିଷୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସାମାଜିକ ଗଣମାଧ୍ୟମ ଏବଂ ଅନ୍ୟ ଗଣମାଧ୍ୟମରୁ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନକୁ ବାବୁଲିଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 

ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ତାଙ୍କ ପରିବାରକୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । 


ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଡାକ୍ତରୀ ଦଳ ବାବୁଲିଙ୍କ ଗ୍ରାମରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କ କଟକ ଏସ୍‌ସିବି ମେଡିକାଲକୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି। 

ଜିଲ୍ଲା ପ୍ରଶାସନ ବାବୁଲିଙ୍କ ପରିବାରକୁ ସମସ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବାକୁ ଯୋଗାଯୋଗରେ ଅଛନ୍ତି ।

preparations for Rath Yatra 2024.

COASTAL NEWS ODIA 

preparations for Rath Yatra 2024.


Chief Minister Shri Mohan Charan Majhi reviewing preparations for Rath Yatra 2024.
Law Minister Shri Prithwiraj Harichandan also present.
State Guest House, 16.06.2024

Saturday, June 15, 2024

ଓଡିଶା ନୂତନ ମନ୍ତ୍ରୀମଣ୍ଡଳର ରୂପରେଖ

COASTAL NEWS ODIA 1869

ଓଡିଶା ନୂତନ ମନ୍ତ୍ରୀମଣ୍ଡଳର ରୂପରେଖ 




ଭୁବନେଶ୍ବର - (CNO) ଶେଷ ହୋଇଛି ରାଜ୍ୟର ନବଗଠିତ ବିଜେପି ସରକାରଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ବିଭାଗ ବଣ୍ଟନ ନେଇ ଉତ୍କଣ୍ଠା । ଶନିବାର ସନ୍ଧ୍ୟାରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ଗୃହ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ ଏବଂ ଯୋଜନା ଓ ସଂଯୋଜନ ବିଭାଗ ରଖିଛନ୍ତି। ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ୧୩ ଜଣ ମନ୍ତ୍ରୀ ଶପଥ ନେଇଥିଲେ।

୧. ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ: କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତି ବିଭାଗ
୨. ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା: ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗ
୩. ସୁରେଶ ପୂଜାରୀ: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
୪. ରବି ନାୟକ: ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ
୫. ନିତ୍ୟାନନ୍ଦ ଗଣ୍ଡ: ବିଦ୍ୟାଳୟ ଓ ଗଣଶିକ୍ଷା, ଏସସି/ଏସଟି ଉନ୍ନୟନ, ସଂଖ୍ୟାଲଘୁ ବିଭାଗ
୬. କୃଷ୍ଣଚନ୍ଦ୍ର ପାତ୍ର: ଖାଦ୍ୟ ଯୋଗାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି
୭. ପୃଥ୍ୱୀରାଜ ହରିଚନ୍ଦନ: ଆଇନ୍, ପୂର୍ତ୍ତ ଏବଂ ଅବକାରୀ
୮. ମୁକେଶ ମହାଲିଙ୍ଗ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର
୯. ବିଭୂତି ଭୂଷଣ ଜେନା: ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି
୧୦. କୃଷ୍ଣଚନ୍ଦ୍ର ମହାପାତ୍ର: ଗୃହ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗ
୧୧. ଗଣେଶରାମ ସିଂ ଖୁଣ୍ଟିଆ: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ
୧୨. ସୂର୍ଯ୍ୟବଂଶୀ ସୂରଜ: ଉଚ୍ଚଶିକ୍ଷା, କ୍ରୀଡ଼ା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
୧୩. ପ୍ରଦୀପ ବଳସାମନ୍ତ: ସମବାୟ, ହସ୍ତତନ୍ତ
୧୪. ଗୋକୁଳାନନ୍ଦ ମଲ୍ଲିକ: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଏମଏସଏମଇ
୧୫. ସମ୍ପଦ ଚନ୍ଦ୍ର ସ୍ୱାଇଁ: ଖଣି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

Tuesday, June 11, 2024

COASTAL NEWS ODIA 1867

ନୂଆଦିଲ୍ଲୀ - (CNO) କେନ୍ଦ୍ରରେ ମୋଦୀ ସରକାରଙ୍କ ୩ୟ ଇନିଂସ ଆରମ୍ଭ ହୋଇଛି । ରବିବାର ସଂଧ୍ୟା ୭ଟା ୧୫ମିନିଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାରେ ଶପଥ ପାଠ କରାଇଛନ୍ତି । ଏହା ସହିତ ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ୍ ଜବାହାରଲାଲ ନେହେରୁଙ୍କୁ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।

ଇତିହାସକୁ ଦ୍ୱିତୀୟଥର ପାଇଁ ଦୋହରାଇଛନ୍ତି ନରେନ୍ଦ୍ର ମୋଦୀ । ଜବାହରଲାଲ ନେହରୁଙ୍କ ପରେ ପ୍ରଥମଥର ପାଇଁ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ଦୁଇପାଳିରେ ବିଜେପି ଏକକ ବହୁମତ ହାସଲ କରିଥିଲେ ବି ଏଥର ଏନଡିଏ ମେଣ୍ଟ ସହଯୋଗୀଙ୍କ ଭରସାରେ ସରକାର ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ତୃତୀୟ ଥର ପାଇଁ ତାଙ୍କ ଶପଥଗ୍ରହଣ ସମାରୋହ ବେଶ ଜାକ ଜମକରେ ହୋଇଛି । କେବଳ ପାକିସ୍ତାନ ଓ ଚୀନକୁ ଛାଡି ଅନ୍ୟ ସମସ୍ତ ପଡୋଶୀ ଦେଶର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଛନ୍ତି ।
ଏବେ ଦେଖନ୍ତୁ ସାମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ରହିଛି କେଉଁମାନଙ୍କ ନାମ —

ମୋଦୀଙ୍କ ନୂଆ ଟିମ୍
ନରେନ୍ଦ୍ର ଦାମୋଦର ଦାସ ମୋଦୀ, ପ୍ରଧାନମନ୍ତ୍ରୀ
ଲଗାତର ହ୍ୟାଟ୍ରିକ ସରକାର ଗଢିବାରେ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ
ଜବାହର ଲାଲ ନେହେରୁ ୧୯୫୨, ୧୯୫୭ ଏବଂ ୧୯୬୨ରେ ସରକାର ଗଢିଥିଲେ
ଗୁଜରାଟର ମୁଖ୍ୟମନ୍ତ୍ରୀରୁ ଦେଶର ପ୍ରଧାନମନ୍ତ୍ରୀ ମୋଦୀ
ଆରଏସଏସର ପ୍ରଚାରକୁ ହୋଇଥିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ
ଅପରାଜେୟ ନରେନ୍ଦ୍ର ମୋଦୀ
ରାଜନାଥ ସିଂହ, ବିଜେପି
ଅଟଳ ବିହାରୀ ବାଜପେୟୀ ସରକାରରେ ଥିଲେ ମନ୍ତ୍ରୀ
ୟୁପି ସମେତ ସାରା ଦେଶର ଜଣେ ଟାଣୁଆ ନେତା
ପୂର୍ବରୁ ୟୁପିର ମୁଖ୍ୟମନ୍ତ୍ରୀ ଥିଲେ
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ବେଳେ ୨୦୧୪ରେ ଦଳ କ୍ଷମତାକୁ ଫେରିଛି
ବିରୋଧୀ ଶିବିର ସହିତ ଭଲ ସମ୍ପର୍କ ଥିବା ଅନ୍ୟତମ ନେତା
ମୋଦୀ ସରକାରରେ ଗୃହ ତଥା ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ
ଫିଜିକ୍ସ ଅଧ୍ୟାପକରୁ ରାଜନେତା ରାଜନାଥ ସିଂହ
ଅମିତ ଶାହ, ବିଜେପି
ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସ୍ତ ସହଯୋଗୀ
ଗୁଜରାଟରେ ମୋଦୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଶାହ ଥିଲେ ଗୃହମନ୍ତ୍ରୀ
ରାଷ୍ଟ୍ରୀୟ ବିଜେପିର ଅଧ୍ୟକ୍ଷ ରହି ଦଳକୁ ଦେଇଛନ୍ତି ବଡ଼ ସଫଳତା
୨୦୧୪ ଓ ୨୦୧୭ରେ ୟୁପିରେ ବିଜେପିର ଭଲ ପ୍ରଦର୍ଶନ ପଛରେ ଶାହ
ଦେଶର ଗୃହମନ୍ତ୍ରୀ ଭାବରେ ଧାରା ୩୭୦ ଉଚ୍ଛେଦ ଓ ସିଏଏ କାର୍ଯ୍ୟକାରୀ କରିଛନ୍ତି
ବିଜେପିର କଠୋରପନ୍ଥୀ ଭାବେ ଜଣାଶୁଣା
ନୀତୀନ ଗଡ଼କରୀ (ବିଜେପି)
ନାଗପୁରରୁ ହ୍ୟାଟ୍ରିକ ବିଜୟ
ଆରଏସଏସ ସହିତ ଭଲ ସମ୍ପର୍କ
ସଡ଼କ ପରିବହନ ମନ୍ତ୍ରୀ ଭାବେ ଦେଶରେ ନିଜସ୍ୱ ପରିଚୟ
ରେକର୍ଡ ସଂଖ୍ୟକ ଜାତୀୟ ରାଜପଥ ନିର୍ମାଣ କରି ଚର୍ଚ୍ଚାର
ମିଷ୍ଟ ଭାଷୀ ଏବଂ କାମରେ ବିଶ୍ୱାସ କରନ୍ତି ଗଡକରୀ
ପୂର୍ବରୁ ବିଜେପିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ
ବିରୋଧୀଙ୍କ ଶିବିରରୁ ପ୍ରଶଂସା ପାଉଥିବା ବିଜେପିର ଅନ୍ୟତମ ନେତା
ମହାରାଷ୍ଟ୍ର ସରକାରରେ ଥିଲେ ମନ୍ତ୍ରୀ
ନିର୍ମଳା ସୀତାରମଣ (ବିଜେପି)
ରାଜ୍ୟସଭା ସାଂସଦ ଭାବେ ଅର୍ଥ ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ
ନରେନ୍ଦ୍ର ମୋଦୀଙ୍କ ବିଶ୍ୱସ୍ତ
ବିଜେପିର ମୁଖପାତ୍ର ହିସାବରେ ପରିଚିତ
ଧର୍ମେନ୍ଦ୍ର ପ୍ରଧାନ, ବିଜେପି
ସମ୍ବଲପୁର ଲୋକସଭାରୁ ନିର୍ବାଚିତ
ପୂର୍ବରୁ ବିହାର ଏବଂ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ
ପେଟ୍ରୋଲିୟମ ଏବଂ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ଅଭିଜ୍ଞତା
ମୋଦୀ-ଶାହଙ୍କର ବିଶ୍ୱସ୍ତ
ଓଡିଶା ବିଜେପିର ପୋଷ୍ଟର ବୟ
ପ୍ରହଲ୍ଲାଦ ଯୋଶୀ (ବିଜେପି)
କର୍ଣ୍ଣାଟକର ଧରୱାଡରୁ ହ୍ୟାଟ୍ରିକ ବିଜୟ
୧୯ ସରକାରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିଲେ
କର୍ଣ୍ଣାଟକ ରାଜନୀତିରେ ରହିଛି ପ୍ରଭାବ
ହରଦୀପ ସିଂ ପୁରୀ (ବିଜେପି)
କୂଟନୀତିଜ୍ଞରୁ ରାଜ୍ୟସଭା ସାଂସଦ
ଋଷ-ୟୁକ୍ରେନ ଯଦ୍ଧ ଭାରତୀୟଙ୍କୁ ସ୍ୱଦେଶ ଫେରାଇବାରେ ମୁଖ୍ୟ ଭୂମିକା
ପୂର୍ବରୁ ସହର ଉନ୍ନୟନ ମନ୍ତ୍ରଣାଳୟର ସ୍ୱାଧୀନ ଦାୟିତ୍ୱରେ ଥିଲେ
ମୋଦୀଙ୍କ ଅନ୍ୟତମ ବିଶ୍ୱସ୍ତ ନେତା
ବିରୋଧୀଙ୍କୁ କଡା ଜବାବ ଦେବାରେ ବିଜେପିର ଆଗଧାଡିର ନେତା
ଅଶ୍ୱିନୀ ବୈଷ୍ଣବ (ବିଜେପି)
ଓଡିଶାରୁ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଛନ୍ତି
୧୯ ସରକାରରେ ରେଲୱେ ଏବଂ ଟେଲିକମ ମନ୍ତ୍ରାଳୟ ଦାୟିତ୍ୱରେ ଥିଲେ
ପୂର୍ବରୁ ପ୍ରଶାସନିକ ଅଧିକାରୀ ଭାବେ ଓଡିଶାରେ ସୁପରିଚିତ
ବାହାନଗା ରେଳ ଦୁର୍ଘଟଣା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ସାଉଁଟିଛନ୍ତି ପ୍ରଶଂସା
ପୀୟୂଷ ଗୋଏଲ (ବିଜେପି)
ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ
ରାଜ୍ୟସଭାରେ ବିଜେପି ଦଳର ନେତା
ବିଜେପିର କୋଷାଧ୍ୟକ୍ଷ ଭାବେ ବହୁବର୍ଷ ଧରି କାର୍ଯ୍ୟ
ପୂର୍ବରୁ ପୀୟୁଷଙ୍କ ବାପା ବେଦପ୍ରକାଶ ମଧ୍ୟ ଥିଲେ କୋଷାଧ୍ୟକ୍ଷ
ଚାଟାର୍ଡ ଆକାଉଣ୍ଟ ପରୀକ୍ଷାରେ ଟପ୍ପର ହୋଇଥିଲେ
ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବେ ପ୍ରଶଂସନୀୟ
ମୋଦୀଙ୍କ ଅନ୍ୟତମ ବିଶ୍ୱସ୍ତ
ଶିବରାଜ ସିଂ ଚୌହାନ (ବିଜେପି)
ଚଳିତଥର ବିଜେପିରୁ ସର୍ବାଧିକ ଭୋଟ୍ ବ୍ୟବଧାନରେ ବିଜୟୀ ନେତା
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଖ୍ୟାତି
ମଧ୍ୟପ୍ରଦେଶରେ ମାମା ଭାବେ ପରିଚିତ
ଅଟ୍ଟଳ ସରକାରରେ କେନ୍ଦ୍ର କୃଷିମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ
ପ୍ରତିକୂଳ ପରିସ୍ଥିତିରେ ମଧ୍ୟପ୍ରଦେଶରେ ଦଳକୁ କ୍ଷମତାସୀନ କରିବାରେ ମୁଖ୍ୟ ଭୂମିକା
ଜ୍ୟୋତିରାଦିତ୍ୟ ସିନ୍ଧିଆ (ବିଜେପି)
କୋଭିଡ ବେଳେ ଦଳ ବଦଳାଇ ବିଜେପିରେ ସାମିଲ ହୋଇଥିଲେ
ଗୁନା ଲୋକସଭାରୁ ନିର୍ବାଚିତ
ପୂର୍ବରୁ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ
ଗ୍ୱାଲିୟର ରାଜ ପରିବାରର ମୁଖ୍ୟ
ପୂର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ
ଜେପି ନଡ୍ଡା, ବିଜେପି
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ
ରାଜ୍ୟସଭାକୁ ସଭ୍ୟ
ନରେନ୍ଦ୍ର ମୋଦୀଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ମନସୁଖ ମାଣ୍ଡଭ୍ୟ (ବିଜେପି)
କୋଭିଡ ପରବର୍ତ୍ତୀ ସମୟରେ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଥିଲେ
ଗୁଜରାଟ ବିଜେପିର ଅନ୍ୟତମ ଟାଣୁଆ ନେତା
ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ
ପୂର୍ବରୁ ରାଜ୍ୟସଭାକୁ ହୋଇଥିଲେ ନିର୍ବାଚିତ

ମନ୍ତ୍ରଣାଳୟ ପରିଚାଳନା କରିବାରେ ରହିଛି ଦୃଢ ଅଭି୍ଜ୍ଞତା
ସି.ଆର ପାଟିଲ (ବିଜେପି)
ଗୁଜରାଟ ବିଜେପିର ସଭାପତି
ନଭସାରିରୁ ୩ ଥର ସାଂସଦ ଭାବେ ନିର୍ବାଚିତ
ମନୋହରଲାଲ ଖଟ୍ଟର (ବିଜେପି)
ହରିଆଣାର ଦୁଇ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି
ସଂଘର କଠୋରପନ୍ଥୀ ହିସାବରେ ମୋଦୀଙ୍କ ବିଶ୍ୱସ୍ତ
ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ
ଗିରିରାଜ ସିଂ (ବିଜେପି)
ମୋଦୀ ସରକାରର ଅନ୍ୟତମ ଟାଣୁଆ ନେତା
ବିହାର ବେଗୁସରାଇରୁ ଦ୍ୱିତୀୟ ଥର ଲୋକସଭାକୁ ନିର୍ବାଚିତ
ପଶୁପାଳନ ଓ ମତ୍ସ୍ୟ ସମ୍ପଦର ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି
ବିରୋଧୀ ଦଳକୁ ସବୁବେଳେ ତାଚ୍ଛଲ୍ୟ କରୁଥିବା ନେତା
ଜଣେ ହିନ୍ଦୁ କଠୋପନ୍ଥୀ ନେତା ଭାବେ ଜଣାଶୁଣା
ଏସ୍. ଜୟଶଙ୍କର (ବିଜେପି)
କୂଟନୀତିରୁ ରାଜନୀତିକୁ ଆସିଛନ୍ତି
ବୈଦେଶିକ ମନ୍ତ୍ରୀ ଭାବେ ରହିଛି ଖ୍ୟାତି
ସୁଷମା ସ୍ୱରାଜଙ୍କ ପରେ ସମ୍ଭାଳିଛନ୍ତି ଦାୟିତ୍ୱ
ମୋଦୀଙ୍କର ଅନ୍ୟତମ ବିଶ୍ୱସ୍ତ ନେତା
ଅର୍ଜୁନରାମ ମେଘୱାଲ (ବିଜେପି)
୨୦୦୯ରୁ ବିକାନେରରୁ ନିର୍ବାଚିତ ହୋଇଆସୁଛନ୍ତି
ପ୍ରଶାସକରୁ ରାଜସ୍ଥାନର ପୋଖର ରାଜନେତା
ସଂସଦକୁ ସାଇକେଲରୁ ଆସି ଚର୍ଚ୍ଚାରେ
ମୋଦୀ ସରକାରରେ ନ୍ୟାୟ ମନ୍ତ୍ରୀ ଥିଲେ
କିରଣ ରିଜ୍ଜୁ (ବିଜେପି)
ଅରୁଣାଚଳ ପ୍ରଦେଶରୁ ହ୍ୟାଟ୍ରିକ ବିଜୟ
ବିଧାନସଭାରେ ବିଜେପିର ବିଜୟ ପଛରେ ମୁଖ୍ୟ ଭୂମିକା
ପୂର୍ବରୁ ଆଇନ ଓ ଯୁବ କ୍ରୀଡା ବିଭାଗର ମନ୍ତ୍ରୀ ଥିଲେ
ଭୂପେନ୍ଦ୍ର ଯାଦବ, ବିଜେପି
ବିଜେପିର ସାଂଗଠନିକ ଚେହେରା
ରାଜସ୍ଥାନ ଅଲୱାରରୁ ଲୋକସଭାକୁ ନିର୍ବାଚିତ
ଓଡିଶାର ବିଜେପିର ସଫଳତା ପଛରେ ରହିଛି ଭୂମିକା
କେନ୍ଦ୍ରରେ ଶ୍ରମମନ୍ତ୍ରାଳୟର ଦାୟିତ୍ୱ ତୁଲାଇଛନ୍ତି
ଜିତେନ୍ଦ୍ର ସିଂହ (ବିଜେପି)
ଜମ୍ମୁ କଶ୍ମୀର ଉଦ୍ଧମପୁର ଲୋକସଭାକୁ ହ୍ୟାଟ୍ରିକ ବିଜୟ
ପିଏମଓ, କାର୍ମିକ ଓ ପ୍ରଶାସନିକ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ଜଣାଶୁଣା
ପ୍ରଥମ ଥର ପାଇଁ ୨୦୧୪ରେ ଗୁଲାମନବୀ ଆଜାଦଙ୍କୁ ହରାଇ ଲୋକସଭାକୁ ନିର୍ବାଚିତ
ନରେନ୍ଦ୍ର ମୋଦୀଙ୍କର ଅନ୍ୟତମ ବିଶ୍ୱସ୍ତ ନେତା
ସର୍ବାନନ୍ଦ ସୋନୱଲ (ବିଜେପି)
ଆସାମର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ
୨୦୧୪ରେ ପ୍ରଥମ ଥର ପାଇଁ ଲ କ୍ଷ୍ମୀପୁରରୁ ଲୋକସଭାକୁ ନିର୍ବାଚିତ
ଏବେ ଦିବ୍ରୁଗଡ ଲୋକସଭାରୁ ନିର୍ବାଚିତ
ଜହାଜ ଚଳାଚଳ ଓ ଆୟୂଷ ମନ୍ତ୍ରଣାଳୟର ଦାୟିତ୍ୱରେ ଥିଲେ
କେ. ଆନ୍ନାମଲାଇ (ବିଜେପି)
ତାମିଲନାଡୁ ବିଜେପିର ସଭାପତି
ବିଜେପିର ଭୋଟ୍ ସେୟାର ବଢିବା ପଛରେ ରହିଛି ଅବଦାନ
ନିର୍ବାଚନରେ ହାରି ମଧ୍ୟ ମନ୍ତ୍ରୀ ମଣ୍ଡଳରେ ସାମିଲ
ଆଇପିଏସ ଚାକିରି ଛାଡି ରାଜନୀତିରେ ଯୋଗଦାନ
ପଙ୍କଜ ଚୌଧୁରୀ (ବିଜେପି)
ମହାରାଜଗଂଜ ଲୋକସଭାକୁ ଲଗାତର ନିର୍ବାଚିତ
ୟୁପିର ଜଣେ ପ୍ରମୁଖ ବିଜେପି ନେତା
ଗତ ସରକାରରେ ଅର୍ଥରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ
ଗଜେନ୍ଦ୍ର ସିଂହ ଶେଖାୱତ (ବିଜେପି)
ରାଜସ୍ଥାନ ଯୋଧପୁର ଲୋକସଭାରୁ ହ୍ୟାଟ୍ରିକ ନିର୍ବାଚିତ
ଜଳ ଶକ୍ତି ମନ୍ତ୍ରଣାଳୟର ମନ୍ତ୍ରୀ ଥିଲେ
ରାଜସ୍ଥାନ ବିଜେପିର ପ୍ରମୁଖ ଚେହେରା ଓ ମୋଦୀଙ୍କ ବିଶ୍ୱସ୍ତ
ଜୁଏଲ ଓରାମ (ବିଜେପି)
ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟର ପ୍ରଥମ ମନ୍ତ୍ରୀ
ବାଜପେୟୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀର ଅଭିଜ୍ଞତା
ସୁନ୍ଦରଗଡରୁ ବାରମ୍ବାର ଲୋକସଭାକୁ ନିର୍ବାଚିତ
ଓଡିଶା ବିଜେପିର ଅନ୍ୟତମ ପ୍ରମୁଖ ଚେହେରା
ଓଡିଶା ବିଜେପିର ଦୁଇ ଦୁଇ ଥର ସଭାପତି
ବଣେଇ ବିଧାନସଭାରୁ ୨ ଥର ବିଧାନସଭାକୁ ନିର୍ବାଚିତ
ଲଲନ ସିଂହ (ଜେଡିୟୁ)
ବିହାର ଜେଡିୟୁର ପ୍ରମୁଖ ନେତା
ନୀତୀଶ କୁମାରଙ୍କର ଅତ୍ୟନ୍ତ ବିଶ୍ୱସ୍ତ
ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି କେନ୍ଦ୍ରରେ
ମୁଙ୍ଗେରରୁ ଲଗାତର ଦ୍ୱିତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ
ରାମନାଥ ଠାକୁର (ଜେଡିୟୁ)
ଭାରତରତ୍ନ କପୂରୀ ଠାକୁରଙ୍କ ପୁଅ ରାମନାଥ ଠାକୁର
ରାଜ୍ୟସଭା ସଦସ୍ୟ ଭାବେ ବିହାରରୁ ନିର୍ବାଚିତ
ଜୀତନରାମ ମାଂଝୀ (ଏଚଏଏମ୍)
ବିହାରର ମୁଖ୍ୟମନ୍ତ୍ରୀ ଭାବେ ଅଭିଜ୍ଞତା
ହିନ୍ଦୁସ୍ଥାନୀ ଆୱାମୀ ମୋର୍ଚ୍ଚାରୁ ଏକମାତ୍ର ସଭ୍ୟ
ନୀତୀଶ କୁମାରଙ୍କ ସହ ବୟାନବାଜି ନେଇ ଚର୍ଚ୍ଚାରେ ରୁହନ୍ତି
କୁମାର ସ୍ୱାମୀ (ଜେଡିଏସ୍)
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ’
ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡାଙ୍କ ପୁଅ
ଜଣେ ଫିଲ୍ମ ପ୍ରଯୋଜକ ଭାବେ ଜଣାଶୁଣା
ମାଣ୍ଡ୍ୟା ଲୋକସଭାକୁ ନିର୍ବାଚିତ
ଶ୍ରୀପଦ ନାୟକ, ବିଜେପି
ଗୋଆ ବିଜେପିର ପ୍ରମୁଖ ଚେହେରା
ଉତ୍ତର ଗୋଆରୁ ବହୁବାର ଲୋକସଭାକୁ ନିର୍ବାଚିତ
ପର୍ଯ୍ୟଟନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଥିଲେ
ଚିରାଗ ପାସୱାନ (ଏଲଜେପି)
ହାଜିରରୁ ଲୋକସଭାକୁ ନିର୍ବାଚିତ
ମୋଦୀଙ୍କ ହନୁମାନ ବୋଲି ପରିଚୟ ଦିଅନ୍ତି
ଦିବଂଗତ ନେତା ରାମବିଳାଶ ପାଶୱାନଙ୍କ ପୁଅ
ନିତ୍ୟାନନ୍ଦ ରୟ, ବିଜେପି
ବିହାର ବିଜେପିର ଅନ୍ୟତମ ପ୍ରମୁଖ ଚେହେରା
କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟରତ
ଜି. କିଷାନ ରେଡ୍ଡୀ (ବିଜେପି)
ସିକନ୍ଦରାବାଦରୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ
ତେଲେଙ୍ଗାନା ବିଜେପିର ସଭାପତି
ପର୍ଯ୍ୟଟନ ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ଭାବେ କାର୍ଯ୍ୟରତ
ବନ୍ଦୀ ସଞ୍ଜୟ (ବିଜେପି)
ତେଲେଙ୍ଗାନା କରିମନଗରରୁ ଲଗାତର ଦ୍ୱିତୀୟ ଥର ନିର୍ବାଚିତ
ପୂର୍ବରୁ ଥିଲେ ତେଲେଙ୍ଗାନା ବିଜେପିର ସଭାପତି
ଭାରତ ରାଷ୍ଟ୍ରୀୟ ସମିତି ସହ ବିଜେପିର ସଂଗ୍ରାମ ନେଇ ପରିଚିତି ହାସଲ
କେସିଆର ସରକାରରେ ଆନ୍ଦୋଳନ କରି ଅନେକ ଥର ଜେଲ୍ ଯାଇଥିଲେ
ରାୱ ଇନ୍ଦ୍ରଜିତ ସିଂହ (ବିଜେପି)
ବରିଷ୍ଠ କଂଗ୍ରେସ ନେତା ରାୱ ବିରେନ୍ଦ୍ର ସିଂହଙ୍କ ପୁଅ
ହରିଆଣାର ଗୁରଗାଁଓ ଲୋକସଭାରୁ ନିର୍ବାଚିତ
୧୯୯୮ରୁ ଲଗାତର ଲୋକସଭାକୁ ନିର୍ବାଚିତ
ପରିସଂଖ୍ୟାନ ଏବଂ ଯୋଜନା କାର୍ଯ୍ୟକାରିତା ମନ୍ତ୍ରଣାଳୟର ମନ୍ତ୍ରୀ
ଜୟନ୍ତ ଚୌଧୁରୀ (ଆରଏଲଡି)
ପୂର୍ବତ ପ୍ରଧାନମନ୍ତ୍ରୀ ଭାରତରତ୍ନ ଚରଣସିଂହଙ୍କ ପୁଅ

Sunday, June 9, 2024

COASTAL NEWS ODIA 1866 ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ ମୋଦୀ

COASTAL NEWS ODIA 1866

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ ମୋଦୀ 


ନୂଆଦିଲ୍ଲୀ - (CNO) ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ ମୋଦୀ ଶୁକ୍ରବାର ଦିନ ସେ ଏନଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ରାଷ୍ଟ୍ରପତିଙ୍କ ସମ୍ମୁଖରେ ସରକାର ଗଠନ କରିବାକୁ ଦାବି କରିଥିଲେ। ରବିବାର ସରକାର ଗଠନ କରିବାକୁ ରାଷ୍ଟ୍ରପତି ତାଙ୍କୁ ନିମନ୍ତ୍ରଣ କରିଥିଲେ । ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ବହୁ ଦେଶର ମୁଖ୍ୟ ଯୋଗଦେବେ। ଯେଉଁଥି ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । 

ପ୍ରତ୍ୟେକ କୋଣ ଅନୁକୋଣରେ ପୋଲିସର ନଜର ରହିବ। ରାଷ୍ଟ୍ରପତି ଭବନଙ୍କ ସୁରକ୍ଷାକୁ ମଧ୍ୟ ବୃଦ୍ଧି କରାଯାଇଛି। 

1 ଶପଥ ନେଲେ ହରଦୀପ ସିଂହ ପୁରୀ ଶପଥ ନେଲେ ହରଦୀପ ସିଂହ ପୁରୀ 

2 ଶପଥ ନେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ 

3 ଶପଥ ନେଲେ ଜୁଏଲ ଓରାମ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ଜୁଏଲ ଓରାମ  

4 ଶପଥ ନେଲେ ସର୍ବାନନ୍ଦ ସୋନବାଲ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ସର୍ବାନନ୍ଦ ସୋନବାଲ 

5 ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ 

6 ଶପଥ ଗ୍ରହଣ କଲେ ପିୟୁଷ ଗୋୟଲ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ପିୟୁଷ ଗୋୟଲ 

7 ଶପଥ ଗ୍ରହଣ କଲେ କୁମାରସ୍ଵାମୀ କ୍ୟାବିନେଟ ମନ୍ତ୍ରୀ 

8 ଶପଥ ଗ୍ରହଣ କଲେ ମନହୋର ଲାଲ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ମନହୋର ଲାଲ ଖଟର । 

9 ଶପଥ ଗ୍ରହଣ କଲେ ଜୟଶଙ୍କର କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଜୟଶଙ୍କର । 

10 ନିର୍ମଳା ସିଥାରମଣ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ନିର୍ମଳା ସିଥାରମଣ । 

11 ଶପଥ ଗ୍ରହଣ କଲେ ଶିବରାଜ ସିଂହ ଚୌହାନ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଶିବରାଜ ସିଂହ ଚୌହାନ । 

12 ଶପଥ ଗ୍ରହଣ କଲେ ଜେପି ନଡା କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଜେପି ନଡା । 

13 ଶପଥ ଗ୍ରହଣ କଲେ ନିତିନ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ନିତିନ ଗଡକାରୀ । 

14 ଶପଥ ଗ୍ରହଣ କଲେ ଅମିତ ଶାହ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଅମିତ ଶାହ । 

15 ଶପଥ ଗ୍ରହଣ କଲେ ରାଜନାଥ ସିଂହ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ରାଜନାଥ ସିଂହ । 

16 ଶପଥ ଗ୍ରହଣ କଲେ କିରଣ ରିଜିଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରରେ ବିଜେପି ନେତା କିରଣ ରିଜିଜୁ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

17  ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ତୃତୀୟ ଇନିଂସ ଆରମ୍ଭ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନରେନ୍ଦ୍ର ମୋଦି । ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶ, ବିଦେଶର ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ନେଲେ ଶପଥ । 


Thursday, June 6, 2024

*ସାବିତ୍ରୀ ବ୍ରତରେ ନାରୀ*

COASTAL NEWS ODIA 1865


*ସାବିତ୍ରୀ ବ୍ରତରେ ନାରୀ* 



ଗୃହଲକ୍ଷ୍ମୀ ସିଏ ମମତା ସାଗର 
ଶାନ୍ତିଦାୟୀ ପ୍ରେମମୟୀ
ପତି ଭକ୍ତି ପାଇଁ ଏ ମହୀ ମଣ୍ଡଳେ
ହୁଏ ସିଏ କାଳଜୟୀ। 

କୁଳବଧୂ ରୂପେ କର୍ତ୍ତବ୍ୟ କରିକି 
ଘରକୁ ସଜେଇ ଦିଏ 
ଘରଣୀ ବେଶରେ ସ୍ନେହ ପରସରେ
ସବୁ ମନ ମୋହି ନିଏ। 

ପତିବ୍ରତା ହୋଇ ସ୍ଵାମୀ ଦେବ ପାଇଁ 
ସାବିତ୍ରୀ ବ୍ରତଟି କରେ 
ସ୍ୱାମୀଙ୍କର ସବୁ ସଫଳତା ପାଇଁ
ପ୍ରେରଣା ହୃଦୟେ ଭରେ। 


ଦୁଃଖ କଷ୍ଟ ସବୁ ସହିଯାଏ ବୋଲି 
ସର୍ବଂସହା ନାମ ତାର
ଶ୍ରେଷ୍ଠ ସୃଷ୍ଟି ସିଏ ବ୍ରହ୍ମଦେବଙ୍କର 
ନାରୀ ରୂପୀ ଅବତାର। 

ସତୀ ରୂପେ ସେହି ଧର୍ମରାଜ ଠାରୁ
ଅବିଳମ୍ବେ କଲେ ଜୟ
ସତ୍ୟ ନିଷ୍ଠା ପାଇଁ ସତ୍ୟବାନଙ୍କୁ ସେ
ହେବାକୁ ଦେଲେନି କ୍ଷୟ। 

ଯେଉଁ ସ୍ଥାନେ ନାରୀ ସମ୍ମାନୀତ ହୁଏ 
ଦେବତାଙ୍କ ବାସ ସେଠି
ସକଳ ସୁଖକୁ ସେହି ଘର ପାଇଁ
ଦେବତା ଦିଅନ୍ତି ଭେଟି। 

COASTAL NEWS ODIA 1864 *ବିଶେଷ ଖବର*

COASTAL NEWS ODIA 1864

*ବିଶେଷ ଖବର* 



୧-ଦୀର୍ଘ ୨୪ ବର୍ଷ ବିଜେଡି ସରକାରର ଅବସାନ, ପ୍ରଥମ ଥର ଓଡ଼ିଶାରେ ସରକାର ଗଢିବାକୁ ଯାଉଛି ବିଜେପି।

୨-ନବୀନ କ୍ୟାବିନେଟ୍‌ରେ ପରାଜିତ ହେଲେ ୧୨ ମନ୍ତ୍ରୀ, ସମ୍ମାନ ରଖିଲେ ୭ ନେତା।

୩-ଲୋକସଭାରେ ଖାତା ବି ଖୋଲି ପାରିଲାନି ବିଜେଡି, ୨୦ ସିଟ୍ ପୋଛି ନେଲା ବିଜେପି। କୋରାପୁଟ ଆସନ ବଜାୟ ରଖିଲା କଂଗ୍ରେସ।

୪-୨୪ବର୍ଷର ସେବା ପାଇଁ କୃତଜ୍ଞତା ଜଣାଇଲା ବିଜେଡ଼ି, ଓଡ଼ିଶାବାସୀ ସେବା ଜାରି ରଖିବୁ,ହାରିବା କାରଣ ଆଗକୁ ଜଣାଇବୁ।

୫-ବିଜେପି ବିଜୟର ବଡ଼ କାରଣ କୁହାଯାଉଛି:'ଓଡ଼ିଆ ଅସ୍ମିତା' ଓ  ଓଡ଼ିଆ ସ୍ବାଭିମାନ।

୬-ଚାନ୍ଦବାଲିରେ ହାରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ ବିଜୟୀ।

୭-ଭୁବନେଶ୍ୱର:ବାଜି ମାରିଲେ ଅଭିନେତା ସିଦ୍ଧାନ୍ତ ଓ ଆକାଶ ଦାସ ନାୟକ ‌।

୮-ଦଳ ଡେଇଁ ମାଟି କାମୁଡ଼ିଲେ: ହତାଶ ହେଲେ ଭୃଗୁ,ଲେଖାଶ୍ରୀ,ପରିଣିତା,ହାରିଲେ ପ୍ରିୟଦର୍ଶୀ, ଅଂଶୁମାନ ଓ ଦେବାଶିଷ।

୯-ଝାରସୁଗୁଡ଼ାରେ ଚିତ୍‌ପଟାଙ୍ଗ ବିଜେଡ଼ି, ଦୀପାଳିଙ୍କୁ ହରାଇ ଜିତିଲେ ଟଙ୍କଧର।

୧୦-ସାଲେପୁରରେ ହାରିଗଲେ ଅରିନ୍ଦମ ରାୟ: ୭ ହଜାର ୫୯୪ ଭୋଟରେ ଜିତିଲେ ବିଜେଡିର ପ୍ରଶାନ୍ତ ବେହେରା।

୧୦-କଣ୍ଟାବାଞ୍ଜିରୁ ହାରିଲେ ବିଜେଡି ସୁପ୍ରିମୋ: ଜିତିଲେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍।

୧୧-ଘଷିପୁରାରୁ ହାରିଗଲେ ସୌମ୍ୟ, ବାଜି ମାରିଲେ ବଦ୍ରି।

୧୨-ଭୁବନେଶ୍ବର ମଧ୍ୟ ଆସନ ହାତେଇଲେ ଅନନ୍ତ ନାରାୟଣ ଜେନା।

୧୩-କେନ୍ଦ୍ରରେ ପୁଣି କ୍ଷମତାକୁ ଫେରୁଛି ଏନଡିଏ, ବିରୋଧୀ ଆସନରେ ଇଣ୍ଡି ମେଣ୍ଟ।

୧୪-ଓଡ଼ିଶା ହୋଇକୋର୍ଟରେ ପୂରଣ ହେବ ୩୫ଟି ଜୁନିୟର୍ ଷ୍ଟେନୋଗ୍ରାଫର୍ ପଦବୀ।

୧୫-ବାରବାଟୀ-କଟକରେ ନିଜ ଗଡ ବଞ୍ଚାଇ ରଖିଲା କଂଗ୍ରେସ, ୨୦୨୪ ବାଜିରେ ବିଜୟୀ ହେଲେ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ୍।

୧୬-ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ, ହାରିଲେ ବର୍ଷା ପ୍ରିୟଦର୍ଶିନୀ, ଜିତିଲେ ଅମର ନାୟକ।

୧୭-ନାଶିକରେ ଦୁର୍ଘଟଣାର ସମ୍ମୁଖୀନ ହେଲା ବାୟୁସେନା ବିମାନ, ଅଳ୍ପକେ ରକ୍ଷା ପାଇଲେ ୨ ପାଇଲଟ।

୧୮-ଆମେଥିରୁ ହାରିଲେ ସ୍ମୃତି ଇରାନୀ, ଦେଢ଼ ଲକ୍ଷରୁ ଅଧିକ ଭୋଟ୍‌ରେ ହରାଇଲେ କିଶୋରୀ ଲାଲ୍‌

୧୯-୧୧୦ ସିଟ୍ ସହିତ ଆନ୍ଧ୍ରରେ ସରକାର ଗଢ଼ିବ ତେଲୁଗୁ ଦେଶମ ପାର୍ଟି।

୨୦-ଚଳିତ ନିର୍ବାଚନ ଭାରତୀୟ ସମ୍ବିଧାନ ଉପରେ ଆସ୍ଥାର ବିଜୟ – ନରେନ୍ଦ୍ର ମୋଦୀ।

୨୧-ନ୍ୟୁୟର୍କ: ଟ୍ବେଣ୍ଟି ୨୦ ବିଶ୍ବକପ୍ -ଭାରତ ଆୟରଲ୍ୟାଣ୍ଡ ମୁକାବିଲା ଆଜି।

୨୨-ମୁମ୍ବାଇ: ପୁଞ୍ଜି ବଜାର ଧରାଶାୟୀ,ନିବେଶକ ହରାଇଲେ ୩୦ ଲକ୍ଷ କୋଟି।

Wednesday, June 5, 2024

COASTAL NEWS ODIA 1863 ବିଜେଡି ବିପର୍ଯ୍ୟୟ: ନବୀନ ଓ ବିଜେଡିକୁ ମହଙ୍ଗା ପଡ଼ିଲା 'ପାଣ୍ଡିଆନ' ସାଇଡ୍ ଇଫେକ୍ଟ

COASTAL NEWS ODIA 1863

ବିଜେଡି ବିପର୍ଯ୍ୟୟ: ନବୀନ ଓ ବିଜେଡିକୁ ମହଙ୍ଗା ପଡ଼ିଲା 'ପାଣ୍ଡିଆନ' ସାଇଡ୍ ଇଫେକ୍ଟ 



ଭୁବନେଶ୍ବର - (CNO) ଦୀର୍ଘ ଅଢ଼େଇ ଦଶନ୍ଧି ଧରି ଓଡ଼ିଶାରେ କ୍ଷମତାସୀନ ବିଜେଡିକୁ ଶକ୍ତ ଝଟକା ଦେଇ ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ନିଜ ଦମରେ ସରକାର ଗଢ଼ିବାକୁ ଯାଉଛି । ସାଧାରଣ ନିର୍ବାଚନ ଫଳାଫଳ ବିଜେଡି ପାଇଁ ଅପ୍ରତ୍ୟାଶିତ ରହିଛି । ତେବେ ବିଜେଡି ସରକାରର ମାଳମାଳ ସ୍କିମ୍ , ବହୁଳ ପରିମାଣର ବିଜ୍ଞାପନ ଓ ପ୍ରଚାରପ୍ରସାର ବ୍ୟୟ, ପାଖାପାଖି ୧୫୦୦କୋଟି ଟଙ୍କାର ନିର୍ବାଚନୀ ଖର୍ଚ୍ଚ ସହ ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରାୟ ୭ଥର ସର୍ଭେ କରାଇ ଦଳକୁ ସଂଖ୍ୟାଗରିଷ୍ଠତା ମିଳୁଥିବା ନେଇ ଦମ୍ଭୋକ୍ତି ବାଢ଼ୁଥିବା ବିଜେଡି ବଡ଼ପଣ୍ଡାଙ୍କ ସବୁ ଅଙ୍କ ଫେଲ୍ ମାରିଛି ।

ଉଭୟ ବିଜେଡି ଓ ସରକାରରେ ଭିକେ ପାଣ୍ଡିଆନଙ୍କ ଏକଛତ୍ରବାଦୀ ନୀତି ଏବଂ ‘ପାଣ୍ଡିଆନଙ୍କ ନିଜସ୍ୱ ଅଫିସର ଟିମ୍’କୁ ହଜମ କରିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏବେ ମହଙ୍ଗା ପଡ଼ିଛି । ପାଣ୍ଡିଆନଙ୍କୁ ହଜମ କରବାର ସାଇଡ୍ ଇଫେକ୍ଟ ଯୋଗୁ ନବୀନଙ୍କୁ ଏବେ ଗାଦିଚ୍ୟୁତ ହେବାକୁ ପଡ଼ିଛି । ଆଉ ଦେଶର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡର ଅଧିକାରୀ ହେବାକୁ ଚାହିଁଥିବା ନବୀନ ଏବେ ନିଜେ ଇତିହାସ ପାଲଟି ଯାଇଛନ୍ତି ।

ବିଜେଡିର ଏଭଳି ବିପର୍ଯ୍ୟୟର  ୯ ପ୍ରମୁଖ କାରଣ 

୧- ୨୦୧୪ ଓ ୨୦୧୯ରେ ସମଗ୍ର ଦେଶରେ ନରେନ୍ଦ୍ର ମୋଦି ଲହରକୁ ମୁକାବିଲା କରି ରାଜ୍ୟରେ ସ୍ପଷ୍ଟ ଜନାଦେଶ ହାତେଇଥିବା ବିଜେଡି ନିଜର ମୃତ୍ୟୁ ପାଇଁ ଗାତ ୨୦୧୯ ମସିହା ନିର୍ବାଚନ ପରଠୁ ନିଜେ ଖୋଳିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ଦଳ ଓ ସରକାରରୁ ଦୂରେଇ ରହିଲେ ଆଉ ଭିକେ ପାଣ୍ଡିଆନ ତାଙ୍କର ପ୍ରତିନିଧି ଭାବେ ଉଭୟ ବିଜେଡି ଓ ସରକାରରେ ସର୍ବେସର୍ବା ପାଲଟିଗଲେ । ପରିସ୍ଥିତି ଏଭଳି ହେଲା ଯେ, ନବୀନଙ୍କୁ ତାଙ୍କ ସରକାରର ମନ୍ତ୍ରୀ, ବିଧାୟକ, ମୁଖ୍ୟ ସଚିବ ଓ ପୁଲିସ ଡିଜି ମଧ୍ୟ ଭେଟିବା ସମ୍ଭବପର ହେଲାନି । 

ପାଣ୍ଡିଆନଙ୍କ ବିନା ଅନୁମତିରେ ନବୀନଙ୍କ ବାସଭବନ ଓ ସରକାରୀ କଳରେ ପତ୍ରଟିଏ ହଲିପାରିଲା ନାହିଁ । ଯାହାକୁ ନେଇ ଉଭୟ ଦଳ ଓ ସରକାରୀ ଅଫିସରଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଲା । ଏପରିକି ନିଜ ପ୍ରିୟ ନେତା(ବିଧାୟକ, ସାଂସଦ ଓ ମନ୍ତ୍ରୀମାନଙ୍କୁ) ପାଣ୍ଡିଆନଙ୍କ ଆଗରେ ଏଭଳି ବିବଶ ହେଉଥିବା ଦେଖି ଭୋଟର ମଧ୍ୟ ପ୍ରତିକ୍ରିୟାଶୀଳ ହେଲେ । ମାତ୍ର ସଠିକ୍ ସମୟକୁ ଅପେକ୍ଷା କରି ରହିଥିଲେ । ଆଉ ବିଜେପି ଚଳିତ ନିର୍ବାଚନରେ ‘ଓଡ଼ିଆ ଅସ୍ମିତା’କୁ ମୁଖ୍ୟ ପ୍ରସଙ୍ଗ କରି ସାଧାରଣ ଲୋକଙ୍କ ମନରେ ଥିବା ଏହି ପ୍ରତିକ୍ରିୟାକୁ ନିଜ ଭୋଟରେ ପରିବର୍ତ୍ତନ କରାଇବାରେ ସକ୍ଷମ ହେଲା । ବିଜେପିର ଘନଘନ ଆକ୍ରମଣାତ୍ମକ ପ୍ରଚାର ଶୈଳୀ, ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶାରେ ସରକାର ଗଠନର ଦମ୍ଭୋକ୍ତି ସହ ପ୍ରଚ୍ଛଦପଟ୍ଟରେ ବିଜେପି ନେତୃତ୍ୱଙ୍କ ରଣନୀତି ମଧ୍ୟ ବିଜେଡିଠୁ ଭୋଟରଙ୍କୁ ମୁହଁ ଫେରାଇବା ଦିଗରେ ସହାୟକ ହୋଇଛି ।

୨- ବିଜେଡି ପ୍ରାର୍ଥୀ ଚୟନବେଳେ ସମ୍ପୂର୍ଣ୍ଣ ମନମୁଖୀ ନିଷ୍ପତ୍ତି ନେଇଥିଲା । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଡିଏସ କୁଟ୍ଟେଙ୍କ ଉପରେ ଭରସା କରି ପାଣ୍ଡିଆନ ବିଭିନ୍ନ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ଚୂଡ଼ାନ୍ତ କରିଥିଲେ । ଶ୍ରୀ କୁଟ୍ଟେ ଯେଉଁ ସର୍ଭେ ରିପୋର୍ଟ ପ୍ରସ୍ତୁତ କରି ପାଣ୍ଡିଆନଙ୍କୁ ଦେଉଥିଲେ ତା’ର ସତ୍ୟତା ଯାଂଚ ପାଇଁ ବିଜେଡି ପକ୍ଷରୁ ପ୍ରୟାସ ହୋଇନଥିଲା । ଫଳରେ କୁଟ୍ଟେ ନିଜକୁ ସୁହାଇବା ପାଇଁ ଦଳର କିଛି ନେତାଙ୍କୁ ଡଷ୍ଟବିନକୁ ପକାଇଥିଲେ ତ କିଛି ନେତାଙ୍କୁ କୋଳେଇ ନେଇଥିଲେ । ନିଜର ଖାସ୍ ଅନୁଗତ ମାନସ ମଙ୍ଗରାଜଙ୍କ ମାଧ୍ୟମରେ କୁଟ୍ଟେ ବିଜେଡିରେ ନିଜର ଏକ ସମାନ୍ତରାଳ ସାମ୍ରାଜ୍ୟ ଗଢ଼ି ଚାଲିଥିଲେ । କର୍ପୋରେଟ ଚାନ୍ଦା ଆଦାୟଠୁ ଆରମ୍ଭ କରି ପୁଲିସକୁ ବେଆଇନ ଭାବେ ବିରୋଧୀଙ୍କ ପଛରେ ଲଗାଇବା କାର୍ଯ୍ୟ ଶ୍ରୀ କୁଟ୍ଟେଙ୍କ ଦ୍ୱାରା ହେଉଥିଲା । ଯାହା ସାଧାରଣରେ ପ୍ରତିଫଳିତ ହେଉଥିଲା, ମାତ୍ର କାର୍ଯ୍ୟାନୁଷ୍ଠାନ ଆଶଙ୍କାରେ ଓ ଆକ୍ରୋଶର ସମ୍ମୁଖୀନ ହେବା ଭୟରେ ସମସ୍ତେ ନିରବ ରହୁଥିଲେ । କୁଟ୍ଟେ ମଧ୍ୟ ଏହି ସୁଯୋଗରେ କିଛି ସ୍ଥାନରେ ବିଜେଡି ଟିକେଟ୍ ଦେଣନେଣରେ ହାତଚିକ୍କଣ କରିବାର ସୁଯୋଗ ପାଇଥିଲେ ।

୩- ବିଜେଡିରେ ପୁରୁଖା ନେତାମାନଙ୍କୁ ସମ୍ପୂର୍ଣ୍ଣ କୋଣଠେସା କରି ଦଳରେ ଯେଉଁ କିଛି ହାତଗଣତି ନେତାଙ୍କୁ ସମସ୍ତ ସାଂଗଠନ କାର୍ଯ୍ୟରେ ଗୁରୁତ୍ୱ ମିଳୁଥିଲା ସେମାନେ କେହି ସାଧାରଣ ଲୋକଙ୍କ ପାଖରେ ଗ୍ରହଣୀୟ ହୋଇନାହାନ୍ତି । ମାନସ ମଙ୍ଗରାଜଙ୍କଠୁ ଆରମ୍ଭ କରି ସସ୍ମିତ ପାତ୍ର, ସୁଲତା ଦେଓ, ଲେନିନ୍ ମହାନ୍ତି, ପ୍ରିୟବ୍ରତ ମାଝୀଙ୍କ ଭଳି କିଛି ଲୋକଙ୍କ ଶଙ୍ଖ ଭବନ(ବିଜେଡି ଅଫିସ)ର ଦାୟିତ୍ୱ ଦେଇ ପାଣ୍ଡିଆନ ଓ କୁଟ୍ଟେ ଯୋଡ଼ି ଖୋଲାଖୋଲି ଭାବେ ନିଜର ହାକିମାତି ଦେଖାଇଲେ । ଯାହାକୁ ସମଗ୍ର ରାଜ୍ୟ ଅନୁଭବ ବି କଲା । କିନ୍ତୁ ଆକ୍ରୋଶର ଶିକାର ହେବା ଭୟରେ ବିଜେଡି ନେତାମାନେ ନିରବ ରହି ଏହାକୁ ସହ୍ୟ କଲେ । ବିରୋଧ କି ଆପତ୍ତି କଲେ ବି ତାହା କେଉଁଠି କରିବେ ଓ କିଏ ଶୁଣିବ ସେଥିପାଇଁ ଫୋରମ୍ ମଧ୍ୟ ପାଇଲେ ନାହିଁ । ନିଜ ଭାଗ୍ୟକୁ ଆଦରି ଗୋଟିଏ ପରିବର୍ତ୍ତନକୁ ଅପେକ୍ଷାରେ ରହିଲେ । ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ମଧ୍ୟ ନିଜର ଗୋଟିଏ ଗୋଷ୍ଠୀ ଧରି ରହିଲେ । ଆଉ ସେମାନଙ୍କୁ କିଭଳି ଅଧିକ ସୁବିଧାସୁଯୋଗ ମିଳିବ ସେହି ବ୍ୟବସାୟିକ ଚକ୍କରରେ କାର୍ଯ୍ୟ କଲେ । ଦଳରେ ସାଧାରଣ କର୍ମୀ ଓ ସମର୍ପିତ ନେତାମାନେ ନିଜକୁ ଅସହାୟ ମନେ କଲେ ।

୪- ବିଜେଡିର କୌଣସି ନେତା-ମନ୍ତ୍ରୀଙ୍କୁ ବିଗତ ୫ବର୍ଷ ମଧ୍ୟରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଏକୁଟିଆ ଭେଟିବାର ସୁଯୋଗ ଦିଆଗଲାନି । ନବୀନ ମଧ୍ୟ କ୍ଷମତାରେ ଅନ୍ଧ ହୋଇ ନିଜର ରାଜକୀୟ କାର୍ଯ୍ୟ ଭୁଲିଗଲେ । ଦୈନିକ ସଚିବାଳୟ ଆସୁଥିବା ନବୀନ ବିଗତ ୫ବର୍ଷ ମଧ୍ୟରେ ମାତ୍ର ୨୦ରୁ ୩୦ଥର ସଚିବାଳୟ ଯାଇଥିବେ । ନବୀନଙ୍କ ଅପାରଗତାର ସୁଯୋଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର(ପିଅନଠୁ ଆରମ୍ଭ କରି ଅଫିସର ପର୍ଯ୍ୟନ୍ତ) କର୍ମଚାରୀମାନେ ସମସ୍ତେ ନିଜକୁ ସୁପର ସିଏମ୍ ଭାବେ ଉପସ୍ଥାପିତ କଲେ । ଆଉ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର କିଛି କର୍ମଚାରୀ ମଧ୍ୟ ବିଜେଡିର ମନ୍ତ୍ରୀ ଓ ବିଧାୟକମାନଙ୍କୁ ଦୁର୍ବବ୍ୟହାର କରିବାକୁ ପଛାଇଲେ ନାହିଁ । ବିଜେଡି ନେତା-ମନ୍ତ୍ରୀମାନେ ନିଜ ଅଂଚଳରେ ସାଧାରଣ ଲୋକଙ୍କୁ ଭେଟିବାବେଳେ ନିଜର ଅସହାୟତାକୁ ପରିପ୍ରକାଶ କଲେ ଏବଂ ପରୋକ୍ଷରେ ସେମାନଙ୍କର ଆପତ୍ତ-ଅଭିଯୋଗର ସମାଧାନ ଦାୟିତ୍ୱ ତୁଲାଇ ପାରିବେ ନାହିଁ ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ-ଫାଇଭ-ଟିକୁ ଚିଠି ଲେଖି ଜଣାଅ ବୋଲି କହିବାକୁ ବାଧ୍ୟ ହେଲେ । ଯାହା ଲୋକଙ୍କ ମନରେ ନିଜର ନେତାମାନଙ୍କ ପ୍ରତି ଏକ ନକରାତ୍ମକ ଛବି ତିଆରି କରିବାରେ ସକ୍ଷମ ହେଲା ।

୫- ନିର୍ବାଚନର ଯଥେଷ୍ଟ ପୂର୍ବରୁ ବିଜେଡି ନିଜର ୬୦ରୁ ଅଧିକ ବିଧାୟକମାନଙ୍କୁ ଡାକି ନିଜ ନିଜ ସ୍ଥାନରେ ଲଢ଼ିବା ପାଇଁ ସବୁଜସଙ୍କେତ ଦେଲା । ନବୀନଙ୍କ ନାଁରେ ଉଭୟ ଦଳ ଓ ସରକାରରେ ଅଘୋଷିତ ମୁଖ୍ୟ ପାଲଟିଥିବା ପାଣ୍ଡିଆନ ନିଜର ଟିମ୍ ଦେଇଥିବା ତାଲିକା ଆଧାରରେ ବିଜେଡି ବିଧାୟକ ଓ ମନ୍ତ୍ରୀମାନଙ୍କୁ ପୁଣିଥରେ ଲଢ଼ିବାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ । ତେବେ ଏହି ବିଧାୟକମାନେ ନିଜ ନିଜ ଅଂଚଳରେ କେତେ ଗ୍ରହଣୀୟ ତା’ର ନିରପେକ୍ଷ ଯାଂଚ କରାଗଲାନି । କେବଳ କୁଟ୍ଟେ ଯେଉଁ ସର୍ଭେ ରିପୋର୍ଟ ଦେଲେ ତାକୁ ଭରସା କରି ବିଜେଡି ନେତାମାନଙ୍କ ଗ୍ରହଣୀୟତା ଆକଳନ କରାଗଲା । କୁଟ୍ଟେ ନିଜର ଖାସ୍ ଅନୁଗତ ମାନସ ମଙ୍ଗରାଜଙ୍କ ମାଧ୍ୟମରେ ବିଜେଡି ପାଇଁ ବ୍ୟବସାୟିକ ସାମ୍ରାଜ୍ୟ ଗଢ଼ିବାରେ ଲାଗିଥିଲେ । ଆଉ ଯେଉଁଠି ତାଙ୍କର ବ୍ୟବସାୟିକ ସମ୍ପର୍କ ଥିଲା ସେହି ଅଂଚଳର ବିଜେଡି ଟିକେଟ୍ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମିଳିବା ନିଶ୍ଚିତ ହୋଇଯାଇଥିଲା । ବିଜେଡି ସମର୍ଥିତ ଗୋଟିଏ ଟିଭି ଚ୍ୟାନେଲ ଓ ଗୋଟିଏ ଖବର କାଗଜ ପ୍ରସାରଣ ପାଇଁ କେଉଁଠି ଟଙ୍କା ଆସୁଥିଲା ତାହା କେବଳ ମାନସ ଓ କୁଟ୍ଟେଙ୍କୁ ଜଣାଥିଲା । ବିଜେଡିର କୌଣସି ନେତା ଏହାର ଟେର ପାଉନଥିଲେ ।

୬- ସରକାର ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଛତ୍ରଛାୟାରେ ରହିଥିବା ଅଫିସର ଓ କିଛି ନେତାଙ୍କ ବିରୁଦ୍ଧରେ ବହୁ ଦୁର୍ନୀତି ଅଭିଯୋଗ ଆସୁଥିଲେ ମଧ୍ୟ ନବୀନ ଚୁପ୍ ରହିଲେ । ରାଜ୍ୟ ଓ ଦଳରେ କ’ଣ ଚାଲିଛି ସେ ଖବର ନବୀନ ରଖିବାରେ ଆଗ୍ରହ ଦେଖାଇଲେ ନାହିଁ । ପୋଷା ଶୁଆ ଭଳି ପାଣ୍ଡିଆନ ଯେଭଳି ନଚେଇଲେ ଓ କହିଲେ ତାହା କହି ନିଜ ଦାୟିତ୍ୱ ଶେଷ କଲେ । ପାଣ୍ଡିଆନଙ୍କୁ ଖୁସି କରିବାକୁ କୁଟ୍ଟେଙ୍କ ଟିମ୍ ଅଧିକ ହିଂସାତ୍ମକ ଆଭିମୁଖ୍ୟ ପୋଷଣ କରି ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ ଏବଂ କିଛି ଗଣମାଧ୍ୟମ ସଂସ୍ଥା ବିରୁଦ୍ଧରେ ଅଯଥା କାର୍ଯ୍ୟାନୁଷ୍ଠାନ କଲେ । ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ କୁଟ୍ଟେ ନିଜର ୩/୪ଜଣ ତୋଷାମଦକାରୀ ବିଜେଡି ନେତା(ପୂର୍ବରୁ ଅନ୍ୟଦଳରେ ଥିଲେ)ମାନଙ୍କ ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀ କରି ଓଲଟା ଅବାନ୍ତର ଯୁକ୍ତି ବାଢ଼ିଲେ । ଯାହାକୁ ସାଧାରଣ ଲୋକେ ସହଜରେ ଗ୍ରହଣ କରିନଥିଲେ ।

୭- ପାଣ୍ଡିଆନ ନିଜକୁ ମୁଖ୍ୟମନ୍ତ୍ରୀ ଭାବେ ଚିତ୍ରଣ କରି ରାଜ୍ୟର ବିଭିନ୍ନ ଅଂଚଳ ବୁଲିଲେ । ଜଣେ ପ୍ରଶାସନିକ ଅଫିସର ଭାବେ ଏଭଳି ବୁଲିବାକୁ ନେଇ ବିଜେପି ଆପତ୍ତି କଲେ ମଧ୍ୟ ତା’ର ପ୍ରଭାବ ତାଙ୍କ ଉପରେ ପଡ଼ିଲା ନାହିଁ । ଫାଇଭ-ଟି କାର୍ଯ୍ୟକ୍ରମ ନାଁରେ ବୁଲିଲେ ଓ ସରକାରୀ କଳକୁ ଉପଯୋଗ କରି ଲୋକଙ୍କୁ ଆଣି ନିଜେ ବାହାବା ନେଲେ । ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସେ ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଲେ । ଆଉ ଦଳର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି ସତ୍ତ୍ୱେ ନିଜେ ୧୪୭ ବିଧାନସଭା କ୍ଷେତ୍ର ବୁଲି ଏକାକୀ ପ୍ରଚାର କଲେ । ନବୀନଙ୍କୁ ମାତ୍ର ୧୪ଦିନ ପ୍ରଚାରକୁ ଓହ୍ଲାଇଲେ । ପାଣ୍ଡିଆନଙ୍କ ଏଭଳି ମାତ୍ରାଧିକ ଆତ୍ମପ୍ରଚାରକୁ ସ୍ୱାଭିମାନୀ ଓଡ଼ିଆ ସହଜରେ ନେଲେନି । ଏହାର ଜବାବ ବିଜେଡିକୁ ଭୋଟ୍
ଆକାରରେ ଦେଲେ । କେବଳ ସେତିକି ନୁହେଁ ପାଣ୍ଡିଆନ ପ୍ରଚାର କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ନେତାମାନଙ୍କୁ ଯେଉଁ ଟାର୍ଗେଟ୍ କଲେ ତାହା ତାଙ୍କ ମଧ୍ୟରେ ଅହଙ୍କାରକୁ ଦର୍ଶାଇଲା । ଲୋକେ ପାଣ୍ଡିଆନ ଉପରେ ରାଗ ଶୁଝାଇବା ପାଇଁ ବିଜେପିକୁ ଭୋଟ୍ ଦେଲେ ଓ ତାଙ୍କୁ ତାଙ୍କର ପ୍ରକୃତ ସ୍ଥିତି ଜଣାଇଦେଲେ ।

୮- ବିଜେଡି ନିର୍ବାଚନର ବହୁ ପୂର୍ବରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟକ୍କର ଦେବାକୁ ନିଜର ଜଣେ ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଆଗକୁ ଆଣିଲା । ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସମସ୍ତ ଦଳୀୟ ବିଧାୟକ ଓ ନେତାମାନଙ୍କୁ ବସାଇ ଶ୍ରୀମୟୀଙ୍କୁ ପ୍ରାର୍ଥୀ ଘୋଷଣା କରାଗଲା । ମିଶନଶକ୍ତି ଚେହେରା ତଥା ମହିଳା ଚେହେରା ଭାବେ ଶ୍ରୀମୟୀଙ୍କୁ ମଧ୍ୟ ଦଳ ୬ମାସ ବୁଲାଇଲା । ସବୁ ପ୍ରକାରର ସହଯୋଗ ଦେଲା । ନବୀନଙ୍କ ନିଷ୍ପତ୍ତି ସତ୍ତ୍ୱେ ସର୍ଭେ ରିପୋର୍ଟ ଆଳ ଦେଖାଇ କୁଟ୍ଟେ ନିଜର ବ୍ୟବସାୟିକ ସ୍ୱାର୍ଥ ପାଇଁ ଶ୍ରୀମୟୀଙ୍କୁ ବଳି ପକାଇ ଦେଲେ ବୋଲି ଚର୍ଚ୍ଚା ହେଲା । ବିଧାୟକ ସୁର ରାଉତରାୟଙ୍କ ମୁହଁ ଚୁପ୍ କରିବାକୁ ତାଙ୍କ ପୁଅ ମନ୍ମଥଙ୍କୁ ବିଜେଡି ଟିକେଟ୍ ଧରାଇଲା । ଆଉ ଖୋର୍ଦ୍ଧା ଜିଲ୍ଲାରେ କିଛି ମୂଲ୍ୟବାନ ଜମିକୁ ହାତେଇବା ପାଇଁ ମଧ୍ୟ ବିଜେଡି ଗୋଟିଏ ବିଧାୟକ ଟିକେଟ୍ ମଧ୍ୟ ଜଣେ ନେତାଙ୍କୁ ଦେବାକୁ ଏହି ଟିମ୍ ପଛାଇ ନଥିବା ଚର୍ଚ୍ଚା ହେଉଛି । କେବଳ ଖୋର୍ଦ୍ଧାରେ ନୁହେଁ ପଶ୍ଚିମ ଓଡ଼ିଶା ସମେତ ଅନ୍ୟ କିଛି ସ୍ଥାନରେ ବିଜେଡିର ଏହି ଟିମ୍ ଖୋଲାଖୋଲି ଭାବେ ଦଳୀୟ ଟିକେଟ୍ ବିକ୍ରି କରିଥିବାର ଅଭିଯୋଗ ହେଲା । ଦଳ ନିଜଆଡ଼ୁ ଶ୍ରୀମୟୀଙ୍କୁ ବୁଲାଇଥିଲା ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ସତ୍ୱେ କୁଟ୍ଟେ ଚକ୍ରାନ୍ତ କରି ଶ୍ରୀମୟୀଙ୍କ ଟିକେଟ୍ କାଟି ସୁରଙ୍କ ପୁଅକୁ ଦେବାକୁ ମଧ୍ୟ ବିଜେଡି ସହ ଜଡ଼ିତ ରାଜ୍ୟର ମିଶନଶକ୍ତି ମହିଳାମାନେ ସହଜରେ ନେଲେନି ଓ ପ୍ରତିକ୍ରିୟାଶୀଳ ହେଲେ । ଆଉ ତା’ର ପରିଣାମ ମଧ୍ୟ ବିଜେଡିକୁ ଏବେ ଭୋଗିବାକୁ ପଡ଼ିଛି ।

୯- ନବୀନଙ୍କ ତୁଳନାରେ ପାଣ୍ଡିଆନଙ୍କ ପ୍ରଭାବ ବୃଦ୍ଧି, ସରକାରରେ ସମସ୍ତଙ୍କ ଭୂମିକା ଗୌଣ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପ ନାଁରେ କୋଟିକୋଟି ଟଙ୍କା ଲୁଟ୍, ମହାପ୍ରଭୁଙ୍କ ନାଁରେ ଚାଉଳ ସଂଗ୍ରହ କରି ତାକୁ ନଷ୍ଟ କରିବା, ବାହାର ରାଜ୍ୟର ଠିକାଦାରମାନଙ୍କ ପ୍ରଭାବ ବିସ୍ତାର ଓ ଓଡ଼ିଆମାନଙ୍କୁ ଅଣଦେଖାକୁ ନେଇ ରାଜ୍ୟବ୍ୟାପୀ ଚାପା ଅସନ୍ତୋଷ ରହିଥିଲା । ଯାହାକୁ ବିଜେଡି ନେତାମାନେ ଅନୁଭବ କରୁଥିଲେ ମଧ୍ୟ ପାଣ୍ଡିଆନ ଓ ତାଙ୍କ ଟିମ ଭୟରେ ମୁହଁ ଖୋଲୁନଥିଲେ । ପାଣ୍ଡିଆନ ନିଜର ଟିମରେ ମୁଖ୍ୟ ଭାବେ କୁଟ୍ଟେଙ୍କୁ ରଖିଥିଲେ । ସଂଗଠନ ସମ୍ପାଦକ ପ୍ରଣବପ୍ରକାଶଙ୍କୁ ସାଇଡ୍ କରି ମାନସ ମଙ୍ଗରାଜଙ୍କୁ ଆଗକୁ ଆଣି ନିଜର ବ୍ୟବସାୟିକ ସାମ୍ରାଜ୍ୟ ବୃଦ୍ଧି ପାଇଁ କୁଟ୍ଟେ ଦୀର୍ଘଦିନ ଧରି ପ୍ରୟାସ କରି ଆସୁଥିଲେ । ଚଳିତ ନିର୍ବାଚନରେ ସର୍ଭେ ରିପୋର୍ଟ ଆଳ ଦେଖାଇ ପ୍ରଣବପ୍ରକାଶଙ୍କ ରାଜନୀତିକ କ୍ୟାରିୟର ସଫା କରିବା ନିମନ୍ତେ ତାଙ୍କୁ ସମ୍ବଲପୁରରେ ସାଂସଦ ପ୍ରାର୍ଥୀ କରିଥିଲେ ବୋଲି ଚର୍ଚ୍ଚା । ଆଉ ପାଣ୍ଡିଆନ-କୁଟ୍ଟେଙ୍କ ମାମଲାତିରେ ବିଜେଡି ତଳିତଳାନ୍ତ ହେବାରେ ଲାଗିଲା ଓ ସାଧାରଣ ଲୋକଙ୍କଠୁ ଦୂରେଇ ଯାଇଥିଲା । କିନ୍ତୁ ନିଜ ଆତ୍ମପ୍ରଚାର ଓ ଚାରିପଟେ ରହିଥିବା ତୋଷାମଦକାରୀଙ୍କ ପ୍ରଂଶସାରେ ପାଣ୍ଡିଆନ ଧରାକୁ ସରା ମଣି କାର୍ଯ୍ୟ କରିବାରୁ ବିଜେଡିକୁ ଏଭଳି ହୀନସ୍ତା ହେବାକୁ ପଡ଼ିଛି । ଆଉ ଦଳର କ୍ଷମତାରୁ ଦୂରେଇବାକୁ ବାଧ୍ୟ ହୋଇଥିବା ଚର୍ଚ୍ଚା ।


COASTAL NEWS ODIA 1862 ଓଡ଼ିଶାରୁ ଗୋଟେ ବି ଲୋକସଭା ଆସନ ଜିତିଲାନି ବିଜେଡ଼ି, କିଏ କିଏ ହେଲେ ଏମପି ?

COASTAL NEWS ODIA 1862

ଓଡ଼ିଶାରୁ ଗୋଟେ ବି ଲୋକସଭା ଆସନ ଜିତିଲାନି ବିଜେଡ଼ି, କିଏ କିଏ ହେଲେ ଏମପି ?  


ଭୁବନେଶ୍ବର - (CNO) ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ଭୋଗିଛି ୨୫ ବର୍ଷର ଶାସକ ଦଳ ବିଜେଡି । ବିଧାନସଭାରେ ମାତ୍ର ୫୧ ସିଟ୍ ଜିତି ନିଜର ସମ୍ମାନ ରଖି ପାରିଥିବା ବିଜେଡି କିନ୍ତୁ ଲୋକସଭା ନିର୍ବାଚନରେ ମାଟି କାମୁଡିଛି । ଦଳ ଅତି ଲଜ୍ଜାଜନକ ପରାଜୟ ଭୋଗିଛି । 

ଓଡିଶାର ୨୧ ଲୋକସଭା ସିଟରୁ ଦଳ ଗୋଟିଏ ହେଲେ ଜିତି ପାରିଲା ନାହିଁ ।  ଅର୍ଥାତ ଦଳ ଖାତା ବି ଖୋଲି ପାରିଲା ନାହିଁ । ୨୦ଟି ଆସନ ବିଜେପି ପୋଛି ନେଇଥିବା ବେଳେ କଂଗ୍ରେସ ନିଜର କୋରାପୁଟ ଆସନ ବଞ୍ଚାଇବାରେ ସଫଳ ହୋଇଛି ।  

୨୦୧୪ ଲୋକସଭା ନିର୍ବାଚନରେ ଯେଉଁ ବିଜେଡି ୨୦ ଏବଂ ୨୦୧୯ରେ ୧୨ଟି ସିଟ୍ ଜିତିଥିଲା ସେହି ଦଳ ଆଜି ଖାତା ବି ଖୋଲି ପାରିନି । ବିଜେଡି ଏମିତି ଧରାଶାୟୀ ହେବ କେହି କେବେ ହେଲେ ଭାବି ପାରି ନ ଥିଲେ । ଆଉ ଇଣ୍ଡିଆ ଟୁଡେ ଏକ୍ସିସ ମାଇ ଇଣ୍ଡିଆର ଏକଜିଟ୍ ପୋଲ ସତ ପ୍ରମାଣିତ ହୋଇଛି । ଏହି ପୋଲରେ କୁହାଯାଇଥିଲା ଯେ, ବିଜେଡି ୧୮ରୁ ୨୦ ଏବଂ ବିଜେଡି ୧ରୁ ୩ ଆସନ ଜିତିବ । 

କିନ୍ତୁ ବିଜେପି ତ ୨୦ ଜିତିଲା ହେଲେ ବିଜେଡି ଗୋଟିଏ ହେଲେ ଜିତି ପାରିଲା ନାହିଁ । ଯେଉଁ ଗୋଟିଏ ଆସନରେ ଦଳ ଶେଷ ପର୍ଯ୍ୟନ୍ତ ଅଗ୍ରଣୀ ଥିଲା ସେହି ଯାଜପୁର ସିଟରେ ବି ହାତରୁ ଖସିଛି । ଯାଜପୁର ସିଟରେ ଶର୍ମିଷ୍ଠା ସେଠୀ ଆଗରେ ଥିଲେ। ହେଲେ ତାଙ୍କ ପରାଜୟ ସହ ବିଜେଡି ଓଡିଶାରେ ଲୋକସଭାରୁ ଖାତା ଖୋଲିବାରେ ବିଫଳ ହୋଇଛି। ଓଡ଼ିଶା ବିଧାନସଭା ନିର୍ବାଚନ: ହାରିଲେ ତିନି ଦଳର ମୁଖିଆ, ନବୀନ, ମନମୋହନ, ଶରତ  

ସଂଗୃହୀତ ତଥ୍ୟରୁ ପ୍ରକାଶ 

ଆସ୍କା- ଅନିତା ଶୁଭଦର୍ଶିନୀ 
ବାଲେଶ୍ଵର- ପ୍ରତାପ ଷଡ଼ଙ୍ଗୀ 
ବରଗଡ଼- ପ୍ରଦୀପ ପୁରୋହିତ 
ବ୍ରହ୍ମପୁର- ପ୍ରଦୀପ ପାଣିଗ୍ରାହୀ 
ଭଦ୍ରକ- ଅଭିମନ୍ୟୁ ସେଠୀ 
ଭୁବନେଶ୍ଵର- ଅପରାଜିତା 
ଷଡ଼ଙ୍ଗୀ ବଲାଙ୍ଗୀର- ସଙ୍ଗୀତା କୁମାରୀ ସିଂହ ଦେଓ 
କଟକ- ଭର୍ତ୍ତୃହରି ମହତାବ 
ଢେଙ୍କାନାଳ- ରୁଦ୍ର ନାରାୟଣ ପାଣି 
ଜଗତସିଂହପୁର- ବିଭୂ ପ୍ରସାଦ ତରାଇ 
ଯାଜପୁର- ରବୀନ୍ଦ୍ର ନାରାୟଣ ବେହେରା 
କଳାହାଣ୍ଡି- ମାଳବିକା ଦେବୀ 
କନ୍ଧମାଳ- ସୁକାନ୍ତ କୁମାର ପାଣିଗ୍ରାହୀ 
କେନ୍ଦ୍ରାପଡ଼ା- ବୈଜୟନ୍ତ ପଣ୍ଡା 
କେନ୍ଦୁଝର- ଅନନ୍ତ ନାୟକ 
ମୟୂରଭଞ୍ଜ- ନବଚରଣ ମାଝୀ 
ନବରଙ୍ଗପୁର- ବଳଭଦ୍ର ମାଝୀ 
ପୁରୀ- ସମ୍ବିତ ପାତ୍ର 
ସମ୍ବଲପୁର- ଧର୍ମେନ୍ଦ୍ର ପ୍ରଧାନ 
ସୁନ୍ଦରଗଡ଼- ଜୁଏଲ ଓରାମ କଂଗ୍ରେସର ବିଜୟୀ ପ୍ରାର୍ଥୀ ହାରିଗଲେ ୩ ଦଳର ଅନେକ ଟାଣୁଆ ନେତା; ବିଜେଡିରୁ ସର୍ବାଧିକ ହେଭିୱେଟ ନେତା ପରାଜିତ 
କୋରାପୁଟ- ସପ୍ତଗିରି ଉଲାକା

ଓଡ଼ିଶା ଲୋକସଭା ଆସନରେ ଖାତା ଖୋଲିପାରିଲାନି ବିଜେଡି। ପ୍ରାୟ ସବୁ ପୋଛିନେଲା ବିଜେପି। ରାଜ୍ୟର ୨୧ ଲୋକସଭା ଆସନରୁ ୨୦ଟି ସିଟ୍ ଏକାକୀ ଜିତିଛି ବିଜେପି। କଂଗ୍ରେସ ଖାତାକୁ ଯାଇଛି କେବଳ କୋରାପୁଟ ଆସନ। ବିଜେଡି ଖାତା ପୂରା ଶୂନ।

କେନ୍ଦ୍ରାପଡ଼ାରେ ବଡ଼ ବିଜୟ ହାସଲ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ମୋଟ ୬ ଲକ୍ଷ ୧୫ ହଜାର ୭୦୫ ଭୋଟ୍ ପାଇଛନ୍ତି ବୈଜୟନ୍ତ। ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ୬୬ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। 

ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ, କଳାହାଣ୍ଡିରେ ମାଳବିକା ଦେଓ, ନବରଙ୍ଗପୁରରେ ବଳଭଦ୍ର ମାଝୀ, ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀ, ଆସ୍କାରେ ଅନୀତା ଶୁଭଦର୍ଶିନୀ, ବଲାଙ୍ଗିରରେ ସଙ୍ଗୀତା କୁମାରୀ ସିଂଦେଓ, ବରଗଡ଼ରେ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରେ ଜୁଏଲ ଓରାମ, କନ୍ଧମାଳରେ ସୁକାନ୍ତ ପାଣିଗ୍ରାହୀ, କେନ୍ଦୁଝରରେ ଅନନ୍ତ ନାୟକ, ଢେଙ୍କାନାଳରେ ରୁଦ୍ରନାରାୟଣ ପାଣି, କଟକରେ ଭର୍ତ୍ତୃହରି ମହତାବ, ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ, ପୁରୀରେ ସମ୍ବିତ ପାତ୍ର, ବାଲେଶ୍ୱରରେ ପ୍ରତାପ ଷଡ଼ଙ୍ଗୀ, ଭଦ୍ରକରେ ଅଭିମନ୍ୟୁ ସେଠୀ, ଯାଜପୁରରେ ରବୀନ୍ଦ୍ର ନାରାୟଣ ବେହେରା, ଜଗତସିଂହପୁରରେ ବିଭୁପ୍ରସାଦ ତରାଇ ଓ ମୟୂରଭଞ୍ଜରେ ନବଚରଣ ମାଝୀ ବିଜୟୀ ହୋଇଛନ୍ତି। କୋରାପୁଟ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି କଂଗ୍ରେସର ସପ୍ତଗିରି ଉଲ୍ଲାକା।

ଲୋକସଭା ନିର୍ବାଚନରେ ପରାଜିତ ହୋଇଛନ୍ତି ବିଜେଡିର ବହୁ ବଡ଼ ଚେହେରା। ପ୍ରଣବ ପ୍ରକାଶ ଦାସ, ଅଚ୍ୟୁତ ସାମନ୍ତ, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର, ସଂତୃପ୍ତ ମିଶ୍ର, ଭୃଗୁ ବକ୍ସିପାତ୍ର ପ୍ରମୁଖ ପରାଜୟର ସାମ୍ନା କରିଛନ୍ତି।

Monday, June 3, 2024

COASTAL NEWS ODIA 1861 ଆଜିଠୁ ଯୁକ୍ତତିନି ନାମଲେଖା ପାଇଁ ହେବ ଆବେଦନ; ଜୁନ ୧୭ ପର୍ଯ୍ୟନ୍ତ ଆବେଦନ

COASTAL NEWS ODIA 1861

ଆଜିଠୁ ଯୁକ୍ତତିନି ନାମଲେଖା ପାଇଁ ହେବ ଆବେଦନ; ଜୁନ ୧୭ ପର୍ଯ୍ୟନ୍ତ ଆବେଦନ 



ଭୁବନେଶ୍ବର - (CNO) ଆଜିଠୁ ଯୁକ୍ତତିନି ନାମଲେଖା ପାଇଁ ହେବ ଆବେଦନ । samsodisha.gov.in ୱେବସାଇଟ ମାଧ୍ୟମରେ ଜୁନ ୧୭ ପର୍ଯ୍ୟନ୍ତ ଏହି ଆବେଦନ ପାଇଁ ସୁଯୋଗ ରହିବ । ଆବେଦନ ପରେ ଜୁନ୍ ୧୮ ତାରିଖରୁ ୧୯ ତାରିଖ ମଧ୍ୟରେ CAFର ତ୍ରୁଟି ସୁଧାରି ପାରିବେ । ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ତିନି ନାମଲେଖା ପକ୍ରିୟା ଆରମ୍ଭ ହେବ । ଅପରାହ୍ନ ୪ଟା ସମୟରୁ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । 


ଜୁନ୍ ୨୫ ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା । ତେବେ ଜୁନ ୨୫ ତାରିଖରୁ ୨୮ ତାରିଖ ଯାଏଁ ସ୍ଲାଇଡ୍ ଅପ୍ସନ ଚୟନ କରିପାରିବେ ଛାତ୍ରଛାତ୍ରୀ । ଜୁନ୍ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ କଲେଜକୁ ଯାଇ ରିପୋର୍ଟ କରିବେ । ଜୁଲାଇ ୫ ତାରିଖ ଅପରାହ୍ନ ୪ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ ।   

ତେବେ ଜୁଲାଇ ୫ ତାରିଖରୁ ୮ ତାରିଖ ଯାଏଁ ସ୍ଲାଇଡ୍ ଅପସନ ଚୟନ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ରିପୋର୍ଟ କରିବେ । ଜୁଲାଇ ୧୫ ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ । ରାଜ୍ୟରେ ସ୍ଵୟଂଶାସିତ କଲେଜ ଏବଂ ଯୁକ୍ତ ତିନି ମୋଟ କଲେଜ ହେଉଛି ୧୦୩୭ ।  

ସେଥିମଧ୍ୟରୁ ୨ ଲକ୍ଷ ୭୩ ହଜାର ୧୫ଟି ସିଟ ରହିଛି । ତେବେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୪ ହଜାର ୫୫୨ ସିଟ ରହିଥିବା ବେଳେ ଦ୍ଵିତୀୟ ସର୍ବାଧିକ କଟକ ଜିଲ୍ଲାରେ ରହିଛି । କଟକରେ ସିଟ ସଂଖ୍ୟା ୨୧ ହଜାର ୮୧୨ ରହିଛି ଏବଂ ଖୋର୍ଦ୍ଧା ଜିଲ୍ଲାରେ ସିଟ ରହିଛି ୨୧ ହଜାର ୧୨୩ ।

Saturday, June 1, 2024

ଇଞ୍ଜିନିୟରିଂ ଛାତ୍ରଙ୍କ ବିଜେଡି ନିର୍ବାଚନ ଖର୍ଚ୍ଚ ପାଇଁ ଅବଦାନ

COASTAL NEWS ODIA 1860

ଇଞ୍ଜିନିୟରିଂ ଛାତ୍ରଙ୍କ ବିଜେଡି ନିର୍ବାଚନ ଖର୍ଚ୍ଚ ପାଇଁ ଭେଟି 


ଆଳି - (CNO) ଆଳି ବ୍ଲକ ଅନ୍ତର୍ଗତ କୋଳିଡିହ ପଞ୍ଚାୟତ ର ତଅଁଳାଡିଆ ଗ୍ରାମର ସମାଜସେବୀ ରବିନ୍ଦ୍ର ମହାନ୍ତି ଓ ଭଗବତୀ ମହାନ୍ତି ଙ୍କ ବଡ଼ ପୁତ୍ର  ନିହାର ରଞ୍ଜନ ମହାନ୍ତି ଭୁବନେଶ୍ୱର ଠାରେ ଥିବା ଏମ ସି ଏ (ଇଂଜିନିୟରିଙ୍ଗ) କଲେଜରେ ଅଧ୍ୟୟନ କରନ୍ତି  l ତାଙ୍କ ଘରୁ ପାଇଥିବା ତାଙ୍କର ପକେଟ ଖର୍ଚ୍ଚ ରୁ ବଞ୍ଚେଇ ରଖିଥିବା ଅର୍ଥ ରୁ ୫୦୦୦ ଟଙ୍କା ଓଡିଶା ରାଜ୍ୟ ସରକାରଙ୍କ ମନ୍ତ୍ରୀ ତଥା ଆଳିର ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରତାପ ଦେବ ଙ୍କୁ ନିର୍ବାଚନ ଖର୍ଚ୍ଚ ପାଇଁ ଛୋଟ ସାହାର୍ଯ୍ୟର ହାତ ବଢ଼ାଇ ସେ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି l 


ଏହାଦ୍ବାରା ପ୍ରାର୍ଥୀ ଶ୍ରୀଦେବ ଙ୍କ ପ୍ରତି ତାଙ୍କର ଥିବା ଶ୍ରଦ୍ଧା ଓ ଭଲପାଇବା ପ୍ରତିଫଳିତ ହୋଇଛି ଓ ସମାଜରେ ସକାରାତ୍ମକ ଚିନ୍ତାଧାରା ଉଦ୍ରେକ ହୋଇଛି ବୋଲି ଆଲୋଚନା ହେଉଛି l ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଙ୍କ ର ଲୋକପ୍ରିୟତାର ଏହା ଏକ ନମୁନା l

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...