COASTAL NEWS 455
ରିଟାୟାର୍ଡ଼ ପରେ !
ରିଟାୟାର୍ଡ଼ ପରେ, ଛୋଟ ଛୋଟ କଥା,
ମନେ ରହୁନାହିଁ ଜମା,
ବନାନ ଭୁଲିକି, ଲେଖିଲେ ଛାଡ଼ୁଛି,
ଫୁଲ୍-ଷ୍ଟପ୍ ଆଉ କମା !
ଲୁଙ୍ଗି, ଗାମୁଛାରେ, ଦିନ କଟୁଅଛି,
ଲୋଡ଼ା ନାହିଁ ପ୍ୟାଣ୍ଟ, ଶାର୍ଟ,
ଦୁଇ-ଚକିଆଟା, ପଡ଼ି ପଡ଼ି ଏବେ,
ହେଉନାହିଁ ଜମା ଷ୍ଟାର୍ଟ !
ନଅରୁ ଛଅଟା, ଯେଉଁ ଖଟ ଘରେ,
ଏକା ଏକା ଥିଲା ରହି,
ଏବେ ପଟା ତା'ର, ବଙ୍କା ହୋଇଲାଣି,
ମୋ ବୋଝକୁ ବୋହି ବୋହି !
ସକାଳରୁ ସଞ୍ଜ, ଟିଭି ଖୋଲେନାହିଁ,
ଏବେ ଚାଲେ ଦିନ-ରାତି,
ସାଢେ-ଗୋଟାଏରେ, ଚାହା ଖାଉଥିଲି,
ଏବେ ବିପରୀତ ସ୍ଥିତି !
ଗୋଟାଏ-ଦୁଇଟା, ବାଜି ଯାଉଅଛି,
ଗାଧୁଆ-ପାଧୁଆ ପାଇଁ,
କେଉଁ ଦିନ କେଉଁ ବାର କି ତାରିଖ,
ଜମା ମନେ ପଡୁନାହିଁ !
ସବୁ ଦିନ, ବାର, ଭୁଲିଯାଏ ସିନା,
ପହିଲା ଭୁଲେନା କେବେ,
କାରଣ ସେଦିନ, ସରକାର ପରା,
ପେନସନ୍ ଟଙ୍କା ଦେବେ !
ଚୁଟି, ନିଶ ଆଗେ, ରଙ୍ଗ କରୁଥିଲି,
ମାସକୁ ଥରେ ଦି'ଥର,
ସେ ରଙ୍ଗ ନ ଲାଗି, ଏବେ ବଗ ଭଳି,
ଦିଶେ ଧୋବ ଫର-ଫର !
ବିଛଣା ଉପରେ, ଦିନ-ରାତି ପଡ଼ି,
ପିଠିରେ ହେଲାଣି ଘାଆ,
ଅସଲ ରିଟାର୍ଡ, ହେବି ଯେଉଁ ଦିନ,
ଏ ଭବୁ ଛାଡିବ ନାଆ !
ଯେଉଁ ବିଛଣାରେ, ପଡ଼ି ପଡ଼ି ଏବେ,
ହୋଇ ଯାଇଅଛି ବୁଢା,
ସମୟ ଆସିବ, ସେ ବିଛଣା ନିଶ୍ଚେ,
ଦେହରେ ହୋଇବ ଗୁଡା !
ପାନ ଖଣ୍ଡେ ଖଣ୍ଡେ, କିଣି ଖାଉଥିଲି,
ଏବେ ଡାଲା କଲି ଘରେ,
ଏହିପରି ମୋର, ସମୟ କଟୁଛି,
ରିଟାୟାର୍ଡ଼ ହେବା ପରେ !
,