AFFILIATE MARKETING

https://binomo.com?a=90810425bb57&t=0

Wednesday, April 2, 2025

ଛବିରାଣୀ ହତ୍ୟାକାଣ୍ଡ

                 "ଛବିରାଣୀ ହତ୍ୟାକାଣ୍ଡ"

ନାରୀଙ୍କ ପ୍ରତି ତତ୍କାଳୀନ ସମାଜର ମନୋଭାବ ଓ ନକଲି ସମ୍ମାନକୁ ଉଜାଗର କରୁଥିବା ସତ ଘଟଣା।
୧୯୮୦ ମସିହା ଅକ୍ଟୋବର ମାସ ୩ ତାରିଖ। ସନ୍ଧ୍ଯା ପ୍ରାୟ ସାଢେ ସାତ। କାହାକୁ କିଛି ନ ଜଣାଇ ବିରିଡି ଗାଁ ଛାଡି ଚାଲିଯିବାକୁ ବାହାରିଲେ ଛବିରାଣୀ ଏବଂ ସ୍ବାମୀ ନବକିଶୋର। ସାଙ୍ଗରେ ଥାଏ ଗୋଟେ ଛୋଟ ଶିଶୁ ପୁତ୍ର। 

ଗାଁ ଶେଷ ମୁଣ୍ଡରେ ଦୁଇ ଧାର ହୋଇ ବହିଯାଉଥାଏ ବିଲୁଆଖାଇ ନଇ (ଆମ ଦେବୀନଦୀର ଉପର ଭାଗ) । ଗୋଟିଏ ଧାର ପାରି ହେଲାପରେ ସେମାନଙ୍କୁ ଲାଗିଲା ସତେ ଯେମିତି କିଛି ଲୋକ ତାଙ୍କୁ ପଛରୁ ଗୋଡାଉଛନ୍ତି। ଜୋରରେ ଦଉଡିବାକୁ ଚେ଼ଷ୍ଟା କଲେ ସ୍ବାମୀ ସ୍ତ୍ରୀ। ନବକିଶୋର ପୁଅକୁ କାଖେଇଥାନ୍ତି। ନଇ ବାଲିରେ ଦଉଡିବାକୁ ବହୁତ କଷ୍ଟ ହୋଇଥିବାରୁ କ୍ଲାନ୍ତ ହୋଇ ତଳେ ପଡିଗଲେ ଛବିରାଣୀ। ଖାଲି କହୁଥାନ୍ତି “ମୋ ପୁଅକୁ ବଞ୍ଚାଅ", ପୁଅକୁ ନେଇ ତମେ ଏଠାରୁ ଚାଲିଯାଅ"। କିନ୍ତୁ ରକ୍ତପିପାସୁଙ୍କ ହାତରେ ସ୍ତ୍ରୀ କୁ ଏକୁଟିଆ ଛାଡି ଚାଲିଯିବାକୁ ମନ ବଳୁନଥିଲା ନବକିଶୋରଙ୍କର। କିନ୍ତୁ ପୁଅର ଜିବନକୁ ରକ୍ଷା କରିବାକୁ ଯାଇ ପଛକୁ ଦେଖି ଦେଖି ଆଗକୁ ଯିବାକୁ ବାଧ୍ଯ ହେଲେ।ସେ ଏକ ବୁଦାମୁଳେ ଲୁଚିଗଲେ। ସେଠି ସେ ଯାହା ଦେଖିଲେ ତାହା ଅକଳ୍ପନୀୟ। 

ଚୋରା ମଦ ବେପାରୀ ବୀର ମାଣିଆ, ବାବାଜୀ ମାଣିଆ ଏବଂ ବ୍ଲକ କଂଗ୍ରେସ ସଭାପତି ଦିବାକର ନାୟକ ପ୍ରମୁଖ ଘେରି ରହିଥାନ୍ତି ଛବିରାଣୀଙ୍କୁ। ଛବି ତାଙ୍କୁ କାକୁତି ମିନତି ହୋଇ ଛାଡି ଦେବାକୁ ଅନୁରୋଧ କରୁଥାନ୍ତି । କିନ୍ତୁ ବୁଦାମୁଳେ ଲୁଚିଥିବା ସ୍ବାମୀଙ୍କ କାନ ପରଦା ଫଟାଇ ହ୍ରୁଦୟର ପ୍ରତିଟି ଧମନୀକୁ ଟିକ୍ ଟିକ୍ କରି କାଟି ପକାଉ ଥାଏ। ସେ ପୁଣି ଛବିରାଣୀଙ୍କ ପାଖକୁ ଯାଇପାରୁନଥାନ୍ତି, କାରଣ ପାଖରେ ଛୋଟ ପିଲାଟି ଥାଏ। 

ବାପ ମାଆଙ୍କ ପାଖରେ ପୁଅର ଜୀବନ ସେମାନଙ୍କ ଜୀବନ ଠାରୁ ଅଧିକ।  ଆଉ କିଛି ଉପାୟ ନପାଇ ଅନ୍ଯ ବାଟ ଦେଇ ନବକିଶୋର ପୁଅକୁ କାଖେଇ ପାଖ ଗାଁ କୁନ୍ଦୁରାରେ ପହଞ୍ଚିଲେ। ଜଣେ ବନ୍ଧୁଙ୍କ ଘରେ ପୁଅକୁ ଛାଡିଦେଇ ଗାଁ ମୁଖିଆଙ୍କୁ ସବୁ କଥା କହିଲେ। ତତ୍ପର ହୋଇ ଗାଁର କିଛି ଯୁବକଙ୍କୁ ଧରି ବିଲୁଆଖାଇ ନଦୀ ପଠାରେ ପହଞ୍ଚିଲେ ନବକିଶୋର। ସେଠାରେ ପହଞ୍ଚି ସେ ଯାହା ଦେଖିଲେ  ସେଥିରେ ସତେ ଯେମିତି ତାଙ୍କ କଲିଜା ଖସି ପଡିଥିଲା। ସ୍ତବ୍ଧ ହୋଇଯାଇଥିଲେ ପ୍ରତିଟି ଓଡିଆ। 

ନଦୀପଠା ବାଲିରେ ପଡିରହି ଥିଲା ଛବିରାଣୀଙ୍କ ଅର୍ଦ୍ଧଲଗ୍ନ ମ୍ରୁତ ଶରୀର। ମୁଣ୍ଡରୁ ପାଦ ଯାଏଁ ସବୁ ଅଙ୍ଗରେ କ୍ଷତଚିହ୍ନ। ଭାଙ୍ଗିଯାଇଥିଲା ବିବାହ ବେଦୀରେ ପିନ୍ଧିଥିବା ନାଲି ଚୁଡ଼ି ଏବଂ ମଙ୍ଗଳ ସୂତ୍ର। ରକ୍ତ ଜୁଡୁବୁଡୁ ବାଲୁକା ରାଶି ସଭ୍ଯ ସମାଜକୁ ଜଣାଇ ଦେଉଥିଲା ଛବିରାଣୀଙ୍କ ସହ ହୋଇଥିବା ପାଶବିକ ଅତ୍ଯାଚାରର କାହାଣୀ। ମ୍ରୁତ୍ୟୁ ଦୁତଙ୍କ ପାଖରୁ ରକ୍ଷା ପାଇବା ପାଇଁ ଛବି କେତେ ଯେ ସଂଘର୍ଷ କରିଥିବେ ତାହା ଜଣାପଡୁ ଥିଲା ସେହି ନଇ ବାଲିରେ ପଡିଥିବା ଛବିରାଣୀଙ୍କ ନଖ ଆମ୍ପୁଡାର ଚିହ୍ନରୁ। ବାଲି ହିଁ  ଥିଲା ତାର ଏକମାତ୍ର ସାହାରା।

ରକ୍ତ ପିପାସୁଙ୍କ ନିକଟରୁ ରକ୍ଷା ପାଇବା ପାଇଁ ଅସହାୟ ମହିଳା ଛବି ସେହି ବାଲିର ସାହାଯ୍ୟ ନେଇଥିଲେ। ଦୁଇ ମୁଠା ବାଲି ସେମାନଙ୍କ ମୁହଁକୁ ଫିଙ୍ଗିଥିଲେ । ଦୁଇ ଧାର ହୋଇ ବହି ଯାଉଥିଲା ବିଲୁଆଖାଇ। ସେ ନଇ ନଥିଲା, ଥିଲା ଛବିରାଣୀଙ୍କ ଆଖିରୁ ବହିଯାଉଥିବା ଦୁଇ ଧାର ଲୁହ। ତାର ମୃତ ଦେହ ଦେଖି ସ୍ପଷ୍ଟ ବାରି ହେଉଥିଲା ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ଯାର ଶିକାର ହୋଇଛି। ସ୍ବାମୀ ନବକିଶୋରଙ୍କ ନିକଟରେ ଜୋରରେ ରଡି ଛାଡି କାନ୍ଦିବା ବ୍ଯତୀତ ଆଉ କିଛି ଉପାୟ ନଥିଲା। 
ପଶ୍ଚିମବଙ୍ଗ ମେଦିନାପୁରର ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଛବିରାଣୀ। ତାଙ୍କ ଭାଇ ପୁରୀରେ ଏକ ମଠର ତତ୍ତ୍ବାବଧାରକ ଭାବେ କାମ କରନ୍ତି। ପରିବାର ସହ ଛବିରାଣୀ ପୁରୀରେ ରହୁଥିଲେ।ସେଠାରେ ତାଙ୍କର ନବକିଶୋରଙ୍କ ସହିତ ପ୍ରେମ ବିବାହ ହୋଇଥିଲା। 

ବାହାଘର ପରେ ନବଦମ୍ପତି ରୋଜଗାର ଆଶାରେ ବିରିଡି ଆସିଥିଲେ। ସେଠାରେ ସେମାନେ ସାମ୍ବାଦିକତା କରି ପେଟ ପୋଷୁଥିଲେ। ସତ୍ଯ ଘଟଣାର ପର୍ଦ୍ଦାଫାସ କରୁଥିବା ନବକିଶୋର ଓ ଛବିରାଣୀ ଏକ ଲୋମହର୍ଷଣକାରୀ ଘଟଣାର ଚରିତ୍ର ରହିଯିବେ ଏକଥା ସେମାନଙ୍କୁ ଜଣା ନଥିଲା। ମଦମାଫିଆ, ସାର ଦୁର୍ନିତୀକାରୀ ଓ କଂଗ୍ରେସୀ କୁଜିନେତାଙ୍କ ଷଢଯନ୍ତ୍ରର ଶିକାର ହେବାକୁ ପଡିଲା ଛବିରାଣୀଙ୍କୁ। 

ସତ୍ଯର ଉନ୍ମୋଚନ କରୁକରୁ ନିଜେ ଏକ ଅପ୍ରୀତିକର ସତ୍ଯ ହୋଇ ରହିଗଲେ ଛବିରାଣୀ।

ପୁଣି ଜଣେ କିଟ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ପୁଣି ଜଣେ କିଟ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ମଞ୍ଚେଶ୍ୱର ଥାନାଞ୍ଚଳରୁ ମିଳିଲା ମୃତଦେହ

ହତ୍ୟା ନା ଆତ୍ମହତ୍ୟା?


ଭୁବନେଶ୍ୱର, ୦୧/୦୪: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସମାନ ପ୍ରସଙ୍ଗରେ ଚର୍ଚ୍ଚାର ପରିସରକୁ ଆସିଲା କିଟ୍ ବିଶ୍ଵବିଦ୍ୟାଳୟ। କିଟ୍ ବିଶ୍ଵବିଦ୍ୟାଳୟରେ ପୁଣି ଘଟିଛି ଅଘଟଣ। ସେଠାରେ ପାଠ ପଢ଼ୁଥିବା ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ଏକ ନିର୍ମାଣାଧୀନ କୋଠାରୁ ମୃତଦେହ ଉଦ୍ଧାର କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ମୃତ ଛାତ୍ରଙ୍କୁ ଚିହ୍ନଟ କରାଯାଇଛି।

ସେ ପଶ୍ଚିମବଙ୍ଗର ବାଙ୍କୁରା ଅଞ୍ଚଳର ଅର୍ଣ୍ଣବ ମୁଖାର୍ଜୀ ବୋଲି ଜଣାପଡ଼ିଛି। ଅର୍ଣ୍ଣବ କିଟ୍ ବିଶ୍ଵବିଦ୍ୟାଳୟରେ ବି.ଟେକ ତୃତୀୟ ବର୍ଷର ଛାତ୍ର ଥିଲେ ଏବଂ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢୁଥିଲେ। ଗତ କାଲି ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ଏକ ୭ ମହଲା କୋଠା ତଳୁ ତାଙ୍କର କ୍ଷତବିକ୍ଷତ ମୃତଦେହ ମିଳିଥିଲା। ଉକ୍ତ କୋଠାର ସିକ୍ୟୁରିଟି ଗାର୍ଡ ଜଣକ ମୃତଦେହ ଦେଖି ପୋଲିସକୁ ଫୋନ୍ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ମୃତ ଛାତ୍ରଙ୍କ ପରିବାର ଲୋକେ ଉପସ୍ଥିତ ନଥିବାରୁ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ପରିବାର ଲୋକେ ଓଡ଼ିଶାରେ ପହଞ୍ଚିବା ପରେ ହିଁ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ।

ଏସବୁ ମଧ୍ୟରେ ଛାତ୍ରଙ୍କ ମୃତ୍ୟୁକୁ ନେଇ କିଟ୍ ଉପରେ ବହୁ ପ୍ରଶ୍ନ ସୃଷ୍ଟି ହୋଇଛି। ବାରମ୍ବାର କିଟ୍ ବିଶ୍ଵବିଦ୍ୟାଳୟରେ ଏଭଳି ଅଘଟଣ ଘଟୁଥିବା ବିଶ୍ୱବିଦ୍ୟାଳୟରେ ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ମଞ୍ଚେଶ୍ୱର ଥାନାଞ୍ଚଳ ବିଶ୍ୱବିଦ୍ୟାଳୟ ଠାରୁ ବହୁ ଦୂରରେ ଥିଲେ ମଧ୍ୟ ସେ କିପରି ଓ କାହିଁକି ଏଠାକୁ ଆସିଥିଲେ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏବଂ ତାଙ୍କର ମୃତ୍ୟୁ ଆତ୍ମହତ୍ୟା ଜନିତ କି ହତ୍ୟା କରାଯାଇଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଯଦିଓ ମଞ୍ଚେଶ୍ୱର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଛାତ୍ର ମୃତ୍ୟୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପଟେ କିଟ୍‌ ପକ୍ଷରୁ ମଧ୍ୟ ଛାତ୍ରଙ୍କ ନିଖୋଜ ଥିବା ଖବର ଇନଫୋସିଟି ଥାନାରେ ରୁଜୁ କରାଯାଇଛି।

Tuesday, April 1, 2025

ଉତ୍କଳ ଦିବସ

ଉତ୍କଳ ଦିବସ 
ପୁରାଣ ଠାରୁ ଆରମ୍ଭ କରି ପାଣିନିଙ୍କ ବ୍ୟାକରଣ ପର୍ଯ୍ୟନ୍ତ ଓଡ଼ିଶାର ବର୍ଣ୍ଣନା ‘ଉଡ୍ଡୀୟାନ’ରୁ ‘ଉତ୍କଳ’-‘କପିଶା ନଦୀ’ରୁ ‘ବିଳାସପୁର’


ଆଜି ପ୍ରତିଟି ଓଡ଼ିଆ ପାଳୁଛି ‘ଉତ୍କଳ ଦିବସ’ ବା ‘ଓଡିଶା ଦିବସ’। ୧୯୩୬ ଏପ୍ରିଲ ୧ରେ ଭାଷା ଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ଗଠନ ହେଲା। ଭାଷା ଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ଗଠନରେ ଓଡ଼ିଶା ହେଉଛି ଭାରତର ପ୍ରଥମ ରାଜ୍ୟ। ଏହା ପୂର୍ବରୁ ବ୍ରିଟିଶ ଶାସନ କାଳରେ ଓଡ଼ିଶା ବେଙ୍ଗଲ ପ୍ରେସିଡେନ୍ସି ଓ ବିହାର ଅଧିନରେ ଥିଲା। ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ କରିବାରେ ବହୁ ବଳିଦାନ ଦେବାକୁ ପଡିଛି ଓଡି଼ଶାର ବରପୁତ୍ର ମାନଙ୍କୁ।

ଓଡ଼ିଶାର ଏକ ସମୃଦ୍ଧ ଓ ଜୀବନ୍ତ ଇତିହାସ ରହିଛି, ଯାହା କି ମହାଭାରତ ସମୟର। ଏଠାରେ ପ୍ରସିଦ୍ଧ କଳିଙ୍ଗ ସାମ୍ରାଜ୍ୟ ସମେତ ଶକ୍ତିଶାଳୀ ରାଜ୍ୟ ରହିଥିଲା, ଯାହା ଭାରତୀୟ ଇତିହାସକୁ ଗଢ଼ିତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ସଂଘର୍ଷ ଆରମ୍ଭ ହୋଇଥିଲା ଉତ୍କଳ ସମ୍ମିଳନୀରୁ। ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ, ବ୍ରଜ ସୁନ୍ଦର ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ, ଫକୀର ମୋହନ ସେନାପତି, ଦିୱାନ ଅଥର ମହମ୍ମଦ, ଗଙ୍ଗାଧର ମେହେର, ବାସୁଦେବ ସୁଢଳଦେବ, ରାଧାନାଥ ରାୟ, ସୟଦ ମହମ୍ମଦ, ଭୁବନାନନ୍ଦ ଦାସ, ଏପି ପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଅଧିକ ତୀବ୍ର ହୋଇଥିଲା।

୧୯୩୬ ମସିହା ଏପ୍ରିଲ ୧ରେ ମାଡ୍ରାସ ପ୍ରେସିଡେନ୍ସିରୁ ଅବିଭକ୍ତ କୋରାପୁଟ ଜିଲ୍ଲା ଓ ଗଞ୍ଜାମ ଜିଲ୍ଲାକୁ ମିଶାଇ ବିହାର ଓ ବେଙ୍ଗଲ ପ୍ରୋଭିନ୍ସରୁ ଅଲଗା ହୋଇ ‘ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ’ ଗଠନ ହୋଇଥିଲା। ନବଗଠିତ ଓଡ଼ିଶାରେ କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ ଆଦି ୬ଟି ଜିଲ୍ଲା ରହିଥିଲା। ଜନ୍ ଅଷ୍ଟିନ୍ ହବ୍ୟାକ୍ ଶପଥ ଗ୍ରହଣ କରି ଓଡ଼ିଶା ପ୍ରଦେଶର ପ୍ରଥମ ରାଜ୍ୟପାଳ ହୋଇଥିଲେ।

ଓଡ଼ିଶା ପଛର ଇତିହାସ ଓ ପୁରାଣରେ ଓଡ଼ିଶା:

ଉତ୍କଳ ଥିଲା ‘ଉଡ୍ଡୀୟାନ’। ଏହି ଦେଶ ଉତ୍ତରରେ କପିଶା ନଦୀ (କଂସେଇ ବା କାଂଶବାଂଶ) ଠାରୁ ଦକ୍ଷିଣରେ ଋଷିକୂଲ୍ୟା ଯାଏଁ, ପୂର୍ବରେ ପୂର୍ବ ସମୁଦ୍ର (ଆଧୁନିକ ବଙ୍ଗଳା ଖ୍ୟାତ) ଠାରୁ ପଶ୍ଚିମରେ ବିଳାସପୁର ଯାଏଁ ବିସ୍ତୃତ ଥିଲା।

ଉତ୍କଳର ନାମକରଣ ସମ୍ବନ୍ଧରେ ବହୁମତ ରହିଛି। ସୁଦ୍ୟୁମ୍ନଙ୍କ ପୁତ୍ର ‘ଉତ୍କଳ’ ଏ ରାଜ୍ୟ ସ୍ଥାପନ କରିଥିଲେ। ରାଜଧାନୀର ନାମ ଥିଲା ‘ଉତ୍କଳା’। ସମସ୍ତ ପ୍ରକାର ‘କଳା’ ବା ବିଦ୍ୟାର ବିକାଶ ଭୂମି ହେତୁ ଏ ଦେଶ ଉତ୍କଳ ନାମରେ ପ୍ରସିଦ୍ଧ ହେବା କେତେକଙ୍କର ମତ। ମହାଭାରତ ଭୀଷ୍ମପର୍ବରେ କର୍ଣ୍ଣ ଏ ଦେଶ ଜୟ କରିଥିବା ଉଲ୍ଲେଖ ଅଛି। ମହାକବି କାଳିଦାସଙ୍କ ରଘୁବଂଶରେ ଉତ୍କଳର ନାମ ଅଛି‌। ଏ ଦେଶକୁ ଲାଗି ଦକ୍ଷିଣରେ କଳିଙ୍ଗ ଦେଶ ଥିଲା। ଦକ୍ଷିଣ କୋଶଳ ବର୍ତ୍ତମାନ ମଧ୍ୟପ୍ରଦେଶର ସମଗ୍ର ପୂର୍ବାଞ୍ଚଳ ସମେତ ସମ୍ବଲପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ମାନଙ୍କୁ ନେଇ ଗଠିତ ହୋଇଥିଲା। ମହାଭାରତର ସଭା-ଭୀଷ୍ମ-ଦ୍ରୋଣ ଓ କର୍ଣ୍ଣପର୍ବ ମାନଙ୍କରେ କୋଶଳ ଦେଶର ଉଲ୍ଲେଖ ଅଛି। କର୍ଣ୍ଣ ଦୁର୍ଯ୍ୟୋଧନଙ୍କ ସାହାଯ୍ୟରେ ଏ ଦେଶ ଜୟ କରିଥିଲେ। ସହଦେବ ତାଙ୍କର ଦକ୍ଷିଣ-ଦିଗ ବିଜୟରେ ମଧ୍ୟ ଏ ଦେଶ ଜୟ କରିଥିଲେ। ଅଭିମନ୍ୟୁ କୋଶଳାଧିପତି ବୃହଦ୍ବଳଙ୍କୁ ଯୁଦ୍ଧରେ ନିହତ କରିଥିଲେ। ଦକ୍ଷିଣକୋଶଳର ଏକକାଂଶ ଉତ୍କଳର ଅଧୀନ ହୋଇଥିଲା।
କଳିଙ୍ଗ ଋଷିକୂଲ୍ୟା ନଦୀର ଦକ୍ଷିଣରୁ ଗୋଦାବରୀ ନଦୀ ଯାଏଁ ପୂର୍ବ ସାଗର ଠାରୁ ପଶ୍ଚିମରେ ଅମରକଣ୍ଟକ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା ବୋଲି ମତ୍ସ୍ୟ, କୂର୍ମ, ବାୟୁ ଓ ସ୍କନ୍ଦ ପୁରାଣରେ ଏହା ଉଲ୍ଲେଖ ଅଛି।

ମହାଭାରତର ଆଦି ପର୍ବରେ ଅର୍ଜୁନଙ୍କ ତୀର୍ଥଯାତ୍ରା ପ୍ରସଙ୍ଗରେ, ଭୀଷ୍ମପର୍ବରେ ସହଦେବଙ୍କ ଦକ୍ଷିଣ ଦିଗ୍-ବିଜୟରେ, ସଭାପର୍ବରେ ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞରେ ଭେଟି ଦେବା, ବନପର୍ବରେ କର୍ଣ୍ଣ ଏ ଦେଶକୁ ଜୟ କରିବା ଏବଂ ଉଦଯୋଗାଦି ପର୍ବରେ ଓ ଭୀମଙ୍କ ଦ୍ୱାରା ସୁପୁତ୍ର ନିହତ ହୋଇଥିଲେ। ବିଷ୍ଣୁ ପୁରାଣରେ ‘ଗୁହ’ ନାମକ ରାଜା କଳିଙ୍ଗ ଶାସନ କରୁଥିବା ଉଲ୍ଲେଖ ଅଛି। କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ କଳିଙ୍ଗ ହସ୍ତୀ ମାନେ ଶ୍ରେଷ୍ଠ ବୋଲି ଉଲ୍ଲେଖ ଅଛି।

ପାଣିନିଙ୍କ ବ୍ୟାକରଣ ୪|୧|୧୭୦ ସୂତ୍ରରେ କଳିଙ୍ଗ ଜଳପଥ ରାଜ୍ୟ ଥିବା ଉଲ୍ଲେଖ କରାଯାଇଛି। ଶଂସିତ କାଳରେ ମହାତ୍ମା ଜଗନ୍ନାଥ ଦାସ ସଂସ୍କୃତ ଭାଗବତକୁ ଓଡ଼ିଆ ନବାକ୍ଷରୀ ପଦ୍ୟରେ ଅନୁବାଦ କରିଥିଲେ।

ଇତିହାସକୁ ଦେଖିଲେ ନଜିର ଆସେ ଯେ, ଓଡ୍ର ବା ଉଡ୍ର, ଉତ୍କଳ, କଳିଙ୍ଗ ଅତି ପ୍ରାଚୀନ। ସମଜାତୀୟ ତଥା ସମାଭାଷାଭାଷୀ ବ୍ୟକ୍ତି ବର୍ଗ ଏଠି ରାଜତ୍ୱ କରୁଥିଲେ। ବହୁ ସମୟରେ ଏମାନଙ୍କର ସୀମା ମଧ୍ୟ ବଦଳୁଥିଲା। ତିନିଟି ଯାକ ରାଜ୍ୟର ବହୁ ଅଂଶ ଶବରାଦି ଆଦିବାସୀଙ୍କ ବାସସ୍ଥଳୀ ଥିଲା। କାଳକ୍ରମେ ଉଡ୍ର ଏବଂ ଉତ୍କଳ ଏକ ହୋଇଗଲା। କଳିଙ୍ଗ ସାମ୍ରାଜ୍ୟ ଦିନକୁ ଦିନ ବୃଦ୍ଧି ଲାଭ କଲା। ଏକ ସମୟରେ ମହାନଦୀଠାରୁ ଗୋଦାବରୀ ଯାଏଁ ଏହାର ବିସ୍ତୃତି ଘଟିଥିଲା। ଏହିପରି ଭାବେ ଓଡ଼ିଶା କୌଣସି ଶାସକଙ୍କ ଅଧୀନକୁ ନ ଯାଇ ନିଜର ସ୍ୱାଧୀନତା ବଜାୟ ରଖିଥିଲା

ଅବସର ନେବେ ମୋଦି ?*

ଶିବସେନା ନେତା ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବରରେ ଅବସର ନେବାକୁ ଯୋଜନା କରୁଛନ୍ତି। ତେଣୁ ନିକଟରେ ନାଗପୁରରେ ଥିବା ଆରଏସଏସ ମୁଖ୍ୟାଳୟକୁ ଗସ୍ତ କରିଥିଲେ। ଗତ ୧୦-୧୧ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆରଏସଏସ ମୁଖ୍ୟାଳୟକୁ ଯାଇ ନାହାନ୍ତି, କିନ୍ତୁ ଏବେ ସଂଘର ମୁଖ୍ୟ ମୋହନ ଭାଗବତଙ୍କୁ ସଂଘରୁ ବିଦାୟ ନେବେ ବୋଲି କହିବା ପାଇଁ ଯାଇଛନ୍ତି।

ଶ୍ରୀ ରାଉତ ଆହୁରି ମଧ୍ୟ କହିଛନ୍ତି ଯେ, ସଂଘ ପରିବାର ଦେଶର ନେତୃତ୍ୱ ନେବା ପାଇଁ ପରିବର୍ତ୍ତନ ଚାହୁଁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୟ ମଧ୍ୟ ଶେଷ ହୋଇଛି। ତେଣୁ ସେମାନେ ନୂଆ ମୁଖ୍ୟ ଚାହୁଁଛନ୍ତି।

ନାଗପୁରସ୍ଥିତ ଆରଏସଏସ ମୁଖ୍ୟାଳୟକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତର ଗୋଟିଏ ଦିନ ପରେ ରାଉତ ଏହି ମନ୍ତବ୍ୟ ଦେଇଛନ୍ତି। ତେବେ ସାଂସଦ ରାଉତଙ୍କ ମନ୍ତବ୍ୟ ଉପରେ ବୟାନ ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ।

ଫଡନାଭିସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଖଣ୍ଡନ କରି କହିଛନ୍ତି ଯେ ମୋଦୀ ଆହୁରି ଅନେକ ବର୍ଷ ପର୍ଯ୍ୟନ୍ତ ଦେଶର ନେତୃତ୍ୱ ନେବେ। ୨୦୨୯ରେ ଆମେ ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବୁ। ତାଙ୍କ ଉତ୍ତରାଧିକାରୀ ଖୋଜିବାର କୌଣସି ଆବଶ୍ୟକତା ନାହିଁ। ସେ ଆମର ନେତା ଏବଂ ଆଗକୁ ରହିବେ। ଆମ ସଂସ୍କୃତିରେ ବାପା ଜୀବିତ ଥିବା ବେଳେ ଉତ୍ତରାଧିକାରୀ କଥା କହିବା ଅନୁଚିତ। ତାହା ହେଉଛି ମୋଗଲ ସଂସ୍କୃତି।

ସୂଚନାଯୋଗ୍ୟ, ନାଗପୁରରେ ଥିବା ଆରଏସଏସ ମୁଖ୍ୟାଳୟପରିଦର୍ଶନ କରିବାରେ ମୋଦି ହେଉଛନ୍ତି ଦ୍ୱିତୀୟ ପ୍ରଧାନମନ୍ତ୍ରୀ। ଅଟଳ ବିହାରୀ ବାଜପେୟୀ ୨୦୦୦ ମସିହାରେ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ତୃତୀୟ କାର୍ଯ୍ୟକାଳ ସମୟରେ ଆରଏସଏସ ମୁଖ୍ୟାଳୟ ଗସ୍ତ କରିଥିଲେ


ଉପକୁଳ ସମାଚାର 

ବନ୍ଦେ ଉତ୍କଳ ଜନନୀ 

COASTAL NEWS

ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ.

‘ମନ୍ଥା’ରେ ସର୍ବାଧିକ ପ୍ରଭାବିତ ଗଜପତି, କୋରାପୁଟ... ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ମନ୍ଥା’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ପ୍ରଭାବିତ ହୋ...