ଉତ୍କଳୀୟ ସଂସ୍କୃତିର ପ୍ରତୀକ ”ରଜ”
ଭୁବନେଶ୍ବର - (CNO) ରଜ ଓଡ଼ିଶାର ଏକ ପାରମ୍ପରିକ ଗଣପର୍ବ । ଏହା ଚାରି ଦିନ ଧରି ପାଳନ କରାଯାଏ । ରଜର ପୂର୍ବ ଦିନକୁ ମାସନ୍ତ ବା ସଜବାଜ, ପ୍ରଥମ ଦିନକୁ ପହିଲି ରଜ, ଦ୍ଵିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ବସୁମତୀ ସ୍ନାନ / ଭୂମି ଦହନ କୁହାଯାଏ । ରଜସ୍’ ଶବ୍ଦରୁ ‘ରଜ’ର ସୃଷ୍ଟି । ଏହି ଶବ୍ଦର ଅର୍ଥ ରଜସ୍ୱଳା ବା ଋତୁମତୀ । ଆଷାଢ଼ ମାସର ପ୍ରଥମ ବର୍ଷାରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ହୁଏ ରଜସ୍ୱଳା । ମା'ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ, ରଜ ତିନି ଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ରହିଛି, ତେଣୁଏହି ସମୟରେ ଭୂ ଖନନ ନିଷିଦ୍ଧ ।
ଅକ୍ଷୟ ତୃତୀୟାରେ ଧାନ ଅନୁକୂଳ କରିଥିବା ଚାଷୀ, କ୍ଷେତକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ ମଧ୍ୟ, ଏହା ତା’ ପାଇଁ ବିଶ୍ରାମର ବେଳ । ଏବେ ଭୁଇଁରେ ଖାଲି ପାଦରେ ଚାଲିବା ମନା, କର୍ଷଣ ବି ମନା । ଏହି ପର୍ବ ମାଧ୍ୟମରେ ପ୍ରକୃତିକୁ ସମ୍ମାନ ଦେବା ସହିତ ନାରୀ ଜାତିକୁ ସମ୍ମାନ ଦେବାର ଏକ ସୂକ୍ଷ୍ମ ପରମ୍ପରା ପ୍ରଚଳିତ । ତେଣୁ ଏହାକୁ କେବଳ ଏକ କୃଷିଭିତ୍ତିକ ପର୍ବ ଭାବେ ବିଚାର ନ’କରି ନାରୀ ଜାତି ପ୍ରତି ସମ୍ମାନବୋଧର ଏକ ପର୍ବ ଭାବେ ମଧ୍ୟ ବିଚାର କରାଯାଏ । ଏହି ପର୍ବ ମାତୃ ଶକ୍ତି ଉପାସନା ପାଇଁ ମଧ୍ୟ ଉଦ୍ଦିଷ୍ଟ । ଓଡ଼ିଶାର ବହୁ ପ୍ରାଚୀନ କାଳରୁ ଝଙ୍କଡ଼ରେ ଦେବୀ ସାରଳା, ଯାଜପୁରରେ ଦେବୀ ବିରଜା, ବାଙ୍କୀରେ ଦେବୀ ଚର୍ଚ୍ଚିକା, ଚୌଷଠି ଯୋଗିନୀଙ୍କୁ ଏହି ଅବସରରେ ବିଶେଷ ପୂଜା କରାଯାଏ ।
ମହତ୍ତ୍ୱ : ମାଟି ଓ ମେଘର ଅପୂର୍ବ ମିଳନର ପର୍ବ ହେଉଛି ରଜ । ଆଦ୍ୟ ଆଷାଢର ପ୍ରଥମ ବାରି’ପାତରେ ପୃଥିବୀ ଋତୁମତୀ ହୋଇଥିବାରୁ, ଆନନ୍ଦ ଉଲ୍ଲାସରେ ଉତ୍ସବ ମୁଖର ହୋଇଉଠେ ଚତୁର୍ଦ୍ଦିଗ । ମାଟି’ର ମାତୃତ୍ଵ କାମନା କରି ସୃଷ୍ଟିର ଜୟଗାନ କରେ କୃଷକ । ଶରୀର ପାଇଁ ବିଶ୍ରାମ, ଆଉ ମନ ପାଇଁ ଆନନ୍ଦର ଅବସର ହେଉଛି ଏହି ରଜ ପର୍ବ । ପୋଡ଼ପିଠା ଖାଇ ପୁଅମାନଙ୍କ ତାସ ବାଗୁଡି ଖେଳ, ଆଉ ଝିଅମାନଙ୍କ ଗାଁ ବୁଲା, ଦୋଳି ଝୁଲା, ଅଳତା ଲଗା ସହ ରଜ ପାନ ଖାଇ ଓଠ ରଙ୍ଗେଇବାର ଇଏ ହେଉଛି ଏକ ନିଆରା ମଉକା ! ଏ ପର୍ବରେ ଆତ୍ମୀୟ ସ୍ଵଜନ ଯିଏ ଯେଉଁଠି ଥିଲେ ବି ଫେରି ଆସନ୍ତି ଘରକୁ, ବନ୍ଧୁ ବାନ୍ଧବଙ୍କ ଗହଳି, ଆଉ ହସ କୌତୁକର ଆସର ଭିତରେ କର୍ମମୟ ଜୀବନର ଅବସାଦ ଭୁଲିଯିବାକୁ ।
କିମ୍ବଦନ୍ତୀ : ଲଙ୍କାରେ ମହାପ୍ରତାପୀ ରାଜା ‘ରାବଣ’ ରାଜୁତି କରୁଥିବାବେଳେ,“ମୟ” ନାମରେ ଆଉ ଜଣେ ରାଜା ଅନ୍ୟ ଏକ ରାଜ୍ୟରେ ରାଜୁତି କରୁଥିଲେ । ଉଭୟେ ରାକ୍ଷସମାନଙ୍କର ରାଜା ହୋଇଥିବା କାରଣରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖୁବ ନିବିଡ଼ ଥିଲା । ରାଜା ‘ମୟ’ଙ୍କର ‘ମନ୍ଦୋଦରୀ’ ନାମରେ ଅତି ସୁନ୍ଦରୀ କନ୍ୟାଟିଏ ଥିଲା । ରାବଣ ଓ ମନ୍ଦୋଦରୀ ପରସ୍ପର ପ୍ରତି ଆକର୍ଷିତ ହେଲେ ଓ ମନ୍ଦୋଦରୀ ଅନ୍ତସତ୍ତ୍ୱା ହେଲେ । ମନ୍ଦୋଦରୀଙ୍କ ଗର୍ଭରୁ ଅତି ସୁନ୍ଦରୀ କନ୍ୟାଟିଏ ଜନ୍ମ ହେଲା । ଅବିବାହିତ କନ୍ୟା ଜନନୀ ହେବାର ଲୋକଲଜ୍ୟା ଭୟରେ ରାଜା ‘ମୟ’ ଉକ୍ତ ଶିଶୁ କନ୍ୟାକୁ ବିଳମ୍ବିତ ରାତ୍ରରେ ଏକ ଦୂର ରାଇଜ - ମିଥିଳା ନଗରକୁ ନେଇ ଗୁପ୍ତ ଭାବରେ ଗାତ ଖୋଳି ପୋତି ଦେଇଥିଲେ । ଶିଶୁ କନ୍ୟାଟିକୁ ମିଥିଳା ରାଜ୍ୟରେ ପୋତି ଦେଇଥିବା କାରଣରୁ ମିଥିଳାରେ ଅକାଳ ପଡ଼ିଲା । ବର୍ଷା ହେଲା ନାହିଁ । ମିଥିଳାବାସୀ ତ୍ରାହି ତ୍ରାହି ଡ଼ାକିଲେ । ମିଥିଳା ରାଜ୍ୟର ପ୍ରଜାବତ୍ସଳ ରାଜା ଥିଲେ ‘ଜନକ’ ।
ପ୍ରଜାଙ୍କ ଦୁଃଖ ଦୁର୍ଦ୍ଦଶା ଦେଖି ସେ ଜ୍ୟୋତିଷମାନଙ୍କର ପରାମର୍ଶ ନେଲେ । ଜ୍ୟୋତିଷଗଣ ମତ ଦେଲେ - ରାଜା ନିଜେ ହଳ ଯୋଚିଲେ ଦୁର୍ଦ୍ଦିନ ଦୂର ହେବ । ପ୍ରଜାଙ୍କ ହିତ ଉଦ୍ଦେଶ୍ୟରେ ରାଜା ଜନକ ହଳ ଯୋଚିଲେ । ଏଥିରେ ଇନ୍ଦ୍ରଦେବ ସନ୍ତୁଷ୍ଟ ହେଲେ ଏବଂ ମୂଷଳ ଧାରାରେ ବର୍ଷା ହେବାକୁ ଲାଗିଲା । ମିଥିଳାବାସୀ ଆନନ୍ଦ, ଉଲ୍ଲାସରେ ଗୀତ ଗାଇ ନାଚିବାକୁ ଲାଗିଲେ । ପୌରାଣିକ ମତାନୁଯାୟୀ ସେହି ଦିନଠୁଁ ରଜ ପର୍ବର ଆରମ୍ଭ ବୋଲି ବିଶ୍ୱାସ କରାଯାଏ ।
କୁମାରୀମାନଙ୍କ ପାଇଁ ରଜ'ର ମହତ୍ତ୍ୱ : କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ଏକ ତାଲିମ ପ୍ରଦାନକାରୀ ପର୍ବ । ଆଗାମୀ ଦିନରେ ଏକ ସ୍ୱୟଂ ସଂପୂର୍ଣ୍ଣା ନାରୀ ଭୂମିକାରେ କିପରି କର୍ତ୍ତବ୍ୟ ସମ୍ପାଦନ କରିବାକୁ ପଡ଼ିବ, ତାହା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ ଏହି ରଜ ପର୍ବ ପାଳନ ଅବସରରେ । ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାର ସଂହିତାକୁ ବିଧି ଭାବେ କୁମାରୀମାନେ ପାଳିଥାଆନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟି ନାରୀ ଭୂମିକାରେ ଅବତୀର୍ଣ୍ଣ ହୁଏ, ଏହି ଆଚାର ସଂହିତା ତା’ର ସହାୟକ ହୋଇଥାଏ ।
ରଜ ତିନିଦିନ ଧରି ରଜସ୍ୱଳା ନାରୀ ଭାବେ ଧରଣୀ ମାତାକୁ କଷ୍ଟ ନ ଦେଇ, ଭୂମି କର୍ଷଣ ନ କରି ବିଶ୍ରାମ ଦେଲା ଭଳି, କଟା-ବଟା ଆଦି ଗୃହକର୍ମ ନ’କରି କୁମାରୀମାନେ ବିଶ୍ରାମ କରନ୍ତି । ଏହି ଦିନ ଧରିତ୍ରୀ ମାଆ’କୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲନ୍ତି ନାହିଁ – ଗୁଆ କିମ୍ବା କଦଳୀ ଗଛ ପଟୁଆରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି, ଯଦିଓ କାଳକ୍ରମେ ଏହା ଲୋପ ପାଇବାକୁ ବସିଲାଣି ।
ବସୁମତୀ ସ୍ନାନ : ରଜ ପର୍ବର ଅନ୍ତିମ ଦିବସରେ ‘ମାସିକ ଧର୍ମ’ର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ, ପବିତ୍ର ହୋଇଥାଆନ୍ତି । ଏହା ବସୁମତୀ ସ୍ନାନ, ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ । ବଡ଼ି ସକାଳୁ ଶିଳପୁଆ ଓ ଲଙ୍ଗଳ ଲୁହାରେ ହଳଦୀ କନା ଗୁଡ଼ାଇ, ସିନ୍ଦୂର କଜଳ ଦେଇ, ପିଢ଼ା ଉପରେ ସ୍ଥାପନା କରି, କଳସ ଆମ୍ବଡ଼ାଳ ରଖି କ୍ଷୀରରେ ସ୍ନାନ କରାଯାଏ । ମାର୍ଗଶୀର ଶେଷ ଗୁରୁବାର ଦିନ ବନ୍ଦ ହୋଇଥିବା “ମହାଲକ୍ଷ୍ମୀ ପେଡ଼ି” ମଧ୍ୟ ଏହି ଦିନ ଖୋଲାଯାଇଥାଏ ।
ରଜ ଦୋଳି : ରଜ ପର୍ବରେ ଦୋଳି ଖେଳିବାର ପରମ୍ପରା ନିଆରା । ଏହା ରଜର ମୁଖ୍ୟ ଆକର୍ଷଣ । ଦୋଳି ଖେଳ ବିନା ରଜ ପର୍ବ ଫିକା ଲାଗିଥାଏ । ବଡ଼ି ଭୋର୍ରୁ ଗାଧୋଇ ଚନ୍ଦନ ଟିପା, ନୂଆ ପୋଷାକରେ ସଜେଇ ହୋଇ ଛୋଟରୁ ବଡ଼ ଯାଏଁ କୁଆଁରୀ ଝିଅମାନେ ବାହାରିଯାଆନ୍ତି ଦୋଳି ଖେଳିବାକୁ । ଘର ଛାତର ହୁକ, ବାରଣ୍ଡା, ଆମ୍ବଗଛଠାରୁ ବରଗଛ ସବୁଠି ଦୋଳିର ଭିଡ଼ । ପଟା ଦୋଳି, ବାଉଁଶ ଦୋଳି, ଚକ୍ରି ଦୋଳି ଆଦି ବିଭିନ୍ନ ପ୍ରକାରର ଦୋଳି ରଜ ପରମ୍ପରାକୁ ଉଲ୍ଲସିତ କରିଥାଏ । ଦୋଳି ଖେଳ ପୂର୍ବରୁ ମା’ ବସୁମତିଙ୍କୁ ସ୍ମରଣ କରି ଦୋଳି ପୂଜା କରାଯାଇଥାଏ । ଦୋଳିରେ ଛୁଟେ କୁଆଁରୀଙ୍କ ରଜଗୀତର ଲହରା ସ୍ଵର । ଦୋଳି ଚାରିପଟେ ଦୋଳି ଖେଳାଳି ଆଉ ଦେଖଣାହାରୀଙ୍କର ଭିଡ଼ ଜମିଥାଏ । ଗୋଟିଏ ଗୋଟିଏ ଜାଗାରେ ଏକାଧିକ ଦୋଳି ବନ୍ଧାଯାଇ କିଏ କେତେ ଉପରକୁ ଯାଇପାରୁଛି, ସେ ନେଇ ପ୍ରତିଯୋଗିତା ମଧ୍ୟ ହୋଇଥାଏ । ବିଭିନ୍ନ ଦଳ ମଧ୍ୟରେ ପଦକୁ ପଦ ସଜାଡ଼ି ଦୋଳି ଗୀତର ଆସର ଜମିଯାଏ । ରଜରେ ବୋଲାଯାଉଥିବା ଅଗଣିତ ଗୀତ ମଧ୍ୟରୁ କିଛି :
“ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜଲୋ, ଘେନି ନୂଆ ସଜବାଜ”
“ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତାଲୋ, ମଥାରେ ସିନ୍ଦୂର ଟୋପା”
“ଉଡ଼ିଲା ଶୁଆ ନାହାକା, ଦୋଳିଟା କାହିଁକି ଲାଗୁଛି ଏକାଲୋ, କାହା ବିନା ଏକା ଏକା”
“ପାଚିଲା ଭଇଁଚ କୋଳି, ବେକରେ ନାଇଚି ଗଜରା ମାଳିଲୋ, ଝୁଲାଅ ରଜର ଦୋଳି”
“ପଣସ ପାଚିଲା ବନେ, ବନ ପୋଡ଼ିଗଲେ ଦୁନିଆ ଜାଣେଲୋ, ମନକଥା କିଏ ଜାଣେ”
“ଶଙ୍ଖ ମଲମଲ ଗିନା, ଦରଦ ଜାଣେ ଦରଦୀ ସିନାଲୋ, ବଣିଆ ଚିହ୍ନେଟି ସୁନା”
“ଖୋସାରେ ଖୋସିଲି ଫୁଲ, କେତେ ଦେଖାଉଛୁ ନୁଖୁରା ଗେଲରେ, ଭାଙ୍ଗି ଦେବି ତୋର ଗାଲ”
“ନଈର ଶୁଖିଲା ବାଲି, କେତେ ଫୁଲି ହେଉ ପୁଚୁକି ଗାଲିଲୋ, ଦେଖାଉଛୁ କେତେ ବେଲି”
“ଛତରା ବଜାର ହାଟ, ଛକି ବସିଥିବ ଚଗଲା କାହ୍ନୁଲୋ, ଛନ୍ଦରେ ମାଗିବ ଘାଟ”
ରଜ ପାନ : ରଜରେ ପାନ ଖାଇବା ଓ ଖୁଆଇବା ଏକ ପ୍ରାଚୀନ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ । ପାନକୁ ତାମ୍ବୁଳ, ସପ୍ତଲତା ଓ ନାଗବଲ୍ଲୀ ବୋଲି ମଧ୍ୟ କୁହାଯାଏ । ନାଗବଲ୍ଲୀ ରସ ପାନ କରି ଜଣେ ମୃତ ରାଜପୁତ୍ର ଜୀବନ ପାଇଥିବାର ପ୍ରବାଦ ରହିଛି । ତେଣୁ ଏହାକୁ ‘ପ୍ରାଣ’ ବୋଲି କୁହାଯାଉଥିଲା । କାଳକ୍ରମେ ଏହା ଅପଭ୍ରଂଶ ହୋଇ ‘ପାନ’ ହୋଇଛି । ବଡ଼ଠାକୁର ଜଗନ୍ନାଥ ପ୍ରତି ଦିନ ଭୋଜନାନ୍ତେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି । ରଜପାନର ଚମକ ଓ ମହକ ବର୍ଷ ତମାମ୍ ପାନକୁ ବଳିଯାଏ । ରଜ ପାନରେ ଗୁଆ, ଗୁଜୁରାତି, ଭଜା ଧଣିଆ, ନଡିଆ ଖଣ୍ଡ, ଚେରି, ଲବଙ୍ଗ, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ କେଶର, ଖଇର ଇତ୍ୟାଦି ୧୨ ପ୍ରକାର ମସଲା ବ୍ୟବହୃତ ହୁଏ । ଏହାକୁ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ, ଉପରେ ଲବଙ୍ଗ ଖୋସି, ଅତି ସୁନ୍ଦର ଭାବରେ ଥାଳି ଉପରେ ସଜାଇ ଦିଆଯାଇଥାଏ । ରଜ ପାନ ସମ୍ପର୍କରେ ସୁନ୍ଦର ଢ଼ଗ’ଟିଏଅଛି :
“ପାନଖିଆ ରସିକ ପାଟି, ଖୋଜି ବୁଲୁଥିଲା ରାଜାଙ୍କ ହାତୀ,
ଢାଳି ଦେଇଗଲା ଶିରରେ, ରାଜା ହୋଇଗଲା ରଜରେ”
ପିଠାପଣା : ଓଡ଼ିଆ ଘରେ ପର୍ବପର୍ବାଣୀର ଅର୍ଥ ବିଭିନ୍ନ ପ୍ରକାର ପିଠାର ଆସର । ରଜ ପୂର୍ବଦିନ ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ । ଅନ୍ୟ ପର୍ବ ଅପେକ୍ଷା ରଜପର୍ବରେ ତିଆରି ପିଠା ସଭିଙ୍କର ପ୍ରିୟ । ଏହି ଦିନ ଚକୁଳି, କାକରା ଓ ପୋଡ଼ ପିଠାର ମହକ ଘରେ ଘରେ ମହକିଥାଏ । ନଡ଼ିଆ ପୁର ଦିଆ ପୋଡ଼ ପିଠା ରଜରେ ମୁଖ୍ୟ ସ୍ଥାନ ଗ୍ରହଣ କରିଥାଏ । କାରଣ ଜଗନ୍ନାଥଙ୍କ ଛପନ ଭୋଗରେ ଏହା ସ୍ଥାନ ପାଇଥାଏ । ଏହି ପୋଡ଼ ପିଠାକୁ ତିନି ଦିନ ଧରି ଖିଆଯାଏ ।
ରଜ ଉତ୍ସବର ବ୍ୟାପକତା ଓ ବିଭିନ୍ନତା : ଓଡିଶା ବାହାରେ ପଶ୍ଚିମ ବଙ୍ଗ ଓ ଆସାମରେ ରଜପର୍ବ “ଅମ୍ବୁବାଚି” ନାମରେ ପାଳିତ ହୁଏ । ମିଥୁନ ସଂକ୍ରାନ୍ତି ଅବସରରେ ୫୨ ଶକ୍ତିପୀଠ ମଧ୍ୟରୁ ଗୌହାଟୀରେ ଥିବା ପ୍ରତ୍ୟକ୍ଷଦେବୀ କାମାକ୍ଷା’ଙ୍କ ପୀଠ ଲୋକାରଣ୍ୟ ହୁଏ । ବିଶ୍ଵାସ କରାଯାଏ, ଦେବୀ କାମାକ୍ଷା ଏହି ସମୟରେ ରଜବତୀ ହୁଅନ୍ତି । ଦେବୀଙ୍କ ମହାସ୍ନାନ ପରେ ୪ର୍ଥ ଦିନ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରନ୍ତି । ଦେଶ ବିଦେଶରୁ ଅନେକ ତାନ୍ତ୍ରିକ, ସାଧୁ ସନ୍ୟାସୀ ଏଠାରେ ଏକତ୍ରିତ ହୁଅନ୍ତି । ରଜପର୍ବ ଢ଼ାଞ୍ଚାରେ ରାଜସ୍ଥାନରେ ପାଳନ ହୁଏ ‘ଡାଜପତ୍ର’ । ଏଥିରେ କୁମାରୀମାନେ ନୂତନ ବସ୍ତ୍ର ପରିଧାନ ପୂର୍ବକ ଦୋଳି ଖେଳିଥାଆନ୍ତି ।
ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏହା ବେଶ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଥିଲେ ମଧ୍ୟ ଅବିଭକ୍ତ ସମ୍ବଲପୁର, କଳାହାଣ୍ଡି, କୋରାପୁଟ, ବଲାଙ୍ଗିର, କେନ୍ଦୁଝର ଆଦି ଜିଲ୍ଲାରେ ମଧ୍ୟ ଏହା ପାଳିତ ହେଇଥାଏ । ଢ଼େଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ୫ ଦିନ ବ୍ୟାପୀ ରଜୋତ୍ସବ ପାଳନ ହୁଏ । ଏହାର ବିଶେଷତ୍ୱ ହେଲା, ରଜ ଉତ୍ସବ ଉପଲକ୍ଷେ ଗ୍ରାମରେ ଥିବା ବାଙ୍କବିହାରୀ ମନ୍ଦିରରେ ପହିଲି ରଜ ଦିନ ଅଖଣ୍ଡ ଧୂନି ଜଳେ । ପହିଲି ରଜଠୁ ୪ ଦିନ ଧରି ଏଠାରେ ଅନ୍ନଭୋଗ ଲାଗି ହୁଏ ନାହିଁ । ଏହି ପ୍ରଥା ୨୦୦ ବର୍ଷରୁ ଅଧିକ ବୋଲି ଜଣାଯାଏ । ଏହି ଅବସରରେ ସେଠାରେ ଏକ ‘ଆମ୍ବ-ପଣସ ଯାତ୍ରା’ ଅନୁଷ୍ଠିତ ହୁଏ, ଯାହାର ବିଶେଷତ୍ୱ ହେଲା ଆମ୍ବ ଓ ପଣସର ପସରା ।
କେନ୍ଦୁଝର ଅଞ୍ଚଳରେ ରଜ ଏକ ନିଆରା ଢଙ୍ଗରେ ପାଳନ କରାଯାଏ । ଏଠାରେ ବିଭିନ୍ନ ପ୍ରକାର ଦୋଳି ବନ୍ଧାଯିବା ପରେ ପ୍ରଥମେ ଗାଁ ‘ଦେହୁରି’, ସ୍ଵର୍ଗର ଶିଳ୍ପୀ ବିଶ୍ଵକର୍ମା’ଙ୍କ ସମ୍ମାନାର୍ଥେ ନିହାଣ, ବାରିସି ଆଦି ଦୋଳିରେ ରଖି ଝୁଲାଇଥାନ୍ତି । ଏହି ଅବସରରେ ଶବର-ଶବରୀ ନାଚ ହୁଏ । କୃଷି କର୍ମରେ ତତ୍ପର ହେବା ପାଇଁ ଶବରୀ ଶବରକୁ ପ୍ରବର୍ତ୍ତାଏ l ନୃତ୍ୟ ମାଧ୍ୟମରେ ଶବର ତା’ର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ପ୍ରତି ସମ୍ମାନ ଜଣାଏ । ଏହି ଜନଜାତିମାନଙ୍କର ବିଶ୍ଵାସ, ଯେ ମା’ ସୀତା ଏହି ଦିନ ଗର୍ଭବତୀ ହୋଇଥିଲେ ।
ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ମହୁଲଦର୍ହ ଗ୍ରାମରେ, ୨୦୧୦ରୁ ଏକ ନିଆରା ଢଙ୍ଗରେ ପାଳିତ ହୋଇଆସୁଛି ରଜ ପର୍ବ । ଏହି ଅବସରରେ ଦୁଇଟି କଣ୍ଢେଇର ବାହାଘର ହୋଇଥାଏ । ଦୁଇଜଣ ଝିଅ ବରକନ୍ୟା ବେଶରେ ବେଦୀରେ କଣ୍ଢେଇ ଧରି ବସନ୍ତି । ଏହି ବାହାଘର ଦେଖିବାପାଇଁ ସମସ୍ତ ଗ୍ରାମବାସୀଙ୍କ ସହ, ଆଖପାଖ ଗ୍ରାମରୁ ଶତାଧିକ ଲୋକ ଆସନ୍ତି । ସମସ୍ତଙ୍କ ପାଇଁ ବିବାହ ଭୋଜିର ଆୟୋଜନ କରାଯାଇଥାଏ । ନାଚଗୀତ ଆସର ଜମିବା ସହ, ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଦୋଳି ଖେଳର ମଜା ଉଠାନ୍ତି ।
କ୍ରମେ ହଜିବାକୁ ବସିଥିବା ଉତ୍କଳୀୟ ସଂସ୍କୃତିର ପ୍ରତୀକ ଓ ପରମ୍ପରାକୁ ଧରି ରଖିବା ଉଦ୍ଦେଶ୍ୟରେ ,କିଛି ବର୍ଷ ହେଲା ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥା ପକ୍ଷରୁ ଓଡିଶାର ପୁରପଲ୍ଲୀର ମହିଳାମାନଙ୍କୁ ନେଇ ରଜ ପିଠା ଓ ରଜ ପାନ ପ୍ରତିଯୋଗୀତା ଆଦିର ପ୍ରୟାସ ଆରମ୍ଭ ହୋଇଛି ।