"ଜଗନ୍ନାଥରୁ ସୋମନାଥ: ୧୧୦୦ ରାଷ୍ଟ୍ରବାଦୀ ଶ୍ରଦ୍ଧାଳୁଙ୍କ ସ୍ୱାଭିମାନ ଯାତ୍ରା ସଫଳ"
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନ ପରେ ଆରମ୍ଭ, ଗୁଜରାଟରେ ଭବ୍ୟ ସ୍ୱାଗତ ଓ ସୋମନାଥ ଧାମରେ ଆଧ୍ୟାତ୍ମିକ ମିଳନର ଅନନ୍ୟ ଅନୁଭୂତି।
ସୋମନାଥ ଧାମ, ଗୁଜରାଟ, ୨୦ ଜୁନ: ଓଡ଼ିଶା ସରକାରଙ୍କ ଆୟୋଜନରେ ଏବଂ ଭାରତ ସରକାରଙ୍କ ସଂସ୍କୃତି ବିଭାଗର ସହଯୋଗରେ ଆରମ୍ଭ
ହୋଇଥିବା “ସୋମନାଥ ସ୍ୱାଭିମାନ ଯାତ୍ରା” ସଫଳତାର ସହ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରରୁ ଗତ ୧୫ ତାରିଖରେ ଏକ ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ ରେଳଗାଡ଼ିରେ ୧୧୦୦ରୁ ଅଧିକ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ।
ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯୋଗଦେଇଥିବା ରାଷ୍ଟ୍ରଭକ୍ତ ଶ୍ରଦ୍ଧାଳୁମାନେ ଭାରତର ଗୌରବମୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟ ସହ ନିଜକୁ ଅଧିକ ନିବିଡ଼ ଭାବେ ଯୋଡ଼ିବାର ସୁଯୋଗ ପାଇଥିଲେ। ଏହି ଯାତ୍ରା ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା, ଜାତୀୟ ସ୍ୱାଭିମାନ ଓ ଏକତାର ଏକ ଉଜ୍ଜ୍ୱଳ ଉଦାହରଣ ଭାବେ ପରିଗଣିତ ହୋଇଛି।
ଗୁଜରାଟର ବେରାବଲ ରେଳ ଷ୍ଟେସନରେ ପହଞ୍ଚିବା ପରେ ଶ୍ରଦ୍ଧାଳୁମାନଙ୍କୁ ଗୁଜରାଟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ନୃତ୍ୟ, ସଙ୍ଗୀତ ଓ ବାଦ୍ୟଯନ୍ତ୍ର ସହ ଭବ୍ୟ ସ୍ୱାଗତ କରାଯାଇଥିଲା।
ତୀର୍ଥଯାତ୍ରୀମାନେ ଶ୍ରୀରାମ ମନ୍ଦିର, ତ୍ରିବେଣୀ ଘାଟ, ଗୀତା ମନ୍ଦିର, ବଲ୍କା ତୀର୍ଥ, ବାଣଗଙ୍ଗା, ଗୋଲକଧାମ ଓ ସୋମନାଥ ସଂଗ୍ରହାଳୟ ପ୍ରଭୃତି ପବିତ୍ର ସ୍ଥାନ ପରିଦର୍ଶନ କରିଥିଲେ।
ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଜ୍ୟୋତିର୍ଲିଙ୍ଗ ଭାବେ ପରିଚିତ ଶ୍ରୀ ସୋମନାଥ ମନ୍ଦିରରେ ଓଡ଼ିଶାର ଶ୍ରଦ୍ଧାଳୁମାନଙ୍କ ଅପୂର୍ବ ସମାଗମ ଦେଖିବାକୁ ମିଳିଥିଲା।
ଭକ୍ତମାନେ ଜଳାଭିଷେକ, ଆରତି ଦର୍ଶନ ଓ ବିଶେଷ ପୂଜାରେ ଅଂଶଗ୍ରହଣ କରି ଆଧ୍ୟାତ୍ମିକ ଅନୁଭୂତି ଲାଭ କରିଥିଲେ। ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ଭକ୍ତଙ୍କୁ ଉତ୍ତରୀୟ, ପ୍ରସାଦ ଓ ସ୍ମାରକ ଉପହାର ପ୍ରଦାନ କରାଯାଇଥିଲା।
ସନ୍ଧ୍ୟାରେ ଆଳତୀ ସମୟରେ ୧୧୦୦ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ମାଧ୍ୟମରେ ସୋମନାଥ ମନ୍ଦିରର ଐତିହ୍ୟ ଓ ପୁନର୍ନିର୍ମାଣର ଗୌରବମୟ ଇତିହାସ ଉପସ୍ଥାପିତ କରାଯାଇଥିଲା। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନ ଏବଂ ଆଧୁନିକ ବିକାଶରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକା ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା।
ଗୁଜରାଟ ସରକାର ଙ୍କ ପକ୍ଷରୁ ତୀର୍ଥଯାତ୍ରୀମାନଙ୍କ ପାଇଁ ଉତ୍କୃଷ୍ଟ ଆତିଥ୍ୟ ବ୍ୟବସ୍ଥା କରାଯାଇଥିଲା। ଶୀତତାପ ନିୟନ୍ତ୍ରିତ ହୋଟେଲରେ ରହଣି ସହ ବିଭିନ୍ନ ତୀର୍ଥସ୍ଥାନ ପରିଦର୍ଶନ ପାଇଁ ପ୍ରାୟ ୨୫ଟି ଏସି ବସ୍ର ବ୍ୟବସ୍ଥା ହୋଇଥିଲା।
ଓଡ଼ିଶା ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀ ଶ୍ରୀଯୁକ୍ତ ପ୍ରୀତୀଶ ପଣ୍ଡା ଙ୍କ ମେଡିକାଲ୍ ଟିମ୍ ସହିତ ଯାତ୍ରୀମାନଙ୍କ ସହିତ ଯାତ୍ରା ଯାତ୍ରୀମାନଙ୍କୁ ସୁରକ୍ଷିତ ଯାତ୍ରାର ଅନୁଭୂତି ପ୍ରଦାନ କରିଥିଲା , ସୁରକ୍ଷାକର୍ମୀ ଓ ସ୍ୱେଚ୍ଛାସେବକମାନଙ୍କ ସୁଚାରୁ ପରିଚାଳନା ଯୋଗୁଁ ତୀର୍ଥଯାତ୍ରୀମାନେ ଆନନ୍ଦିତ ହୋଇଥିଲେ l ବଙ୍ଗୋପସାଗର କୂଳରୁ ଆରମ୍ଭ ହୋଇ ଆରବ ସାଗର କୂଳରେ ସମାପ୍ତ ହୋଇଥିବା ଏହି ଆଧ୍ୟାତ୍ମିକ ଯାତ୍ରା ଓଡ଼ିଶା ଓ ଗୁଜରାଟ ମଧ୍ୟରେ ସାଂସ୍କୃତିକ ବନ୍ଧନ ଓ ଭାତୃଭାବକୁ ଆହୁରି ସୁଦୃଢ଼ କରିଛି।
ରାଷ୍ଟ୍ରପ୍ରେମୀ ଶ୍ରଦ୍ଧାଳୁ ମାନେ ଏହି ସଫଳ ଯାତ୍ରା ପାଇଁ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗର ଅଧିକାରୀ ଶ୍ରୀଯୂକ୍ତ ପ୍ରୀତୀଶ ପଣ୍ଡା, ସ୍ଵେଚ୍ଛାସେବୀ, ସ୍ବାସ୍ଥ୍ୟକର୍ମୀ, ସୁରକ୍ଷା କର୍ମୀ ତଥା ପ୍ରଧାନମନ୍ତ୍ରୀ, ଓଡିଶା ଓ ଗୁଜରାଟର ମୁଖ୍ୟମନ୍ତ୍ରୀ ତଥା ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l
No comments:
Post a Comment