AFFILIATE MARKETING

https://binomo.com?a=90810425bb57&t=0

Saturday, July 29, 2023

ସମ୍ପତ୍ତି ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ।

 ସମ୍ପତ୍ତି ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ। 



ଗଞ୍ଜାମ - ସମ୍ପତ୍ତି ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ। ଭାଇକୁ ଶାବଳରେ ପିଟି ଜଣେ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଞ୍ଚାୟକ ବାସୁଦେବପୁର ଗାଁରେ। ମୃତ ଯୁବକ ଜଣକ ହେଲେ କଂସ ପ୍ରଧାନଙ୍କ ପୁଅ କୁଲୁ ପ୍ରଧାନ(୨୫)।


ଗତକାଲି ରାତି ପ୍ରାୟ ୮ଟା ସମୟରେ ଜମିଜମା ବିବାଦକୁ ନେଇ ବଡ଼ ବାପା ପୁଅ ଗୁଡୁ ଓ କୁଲୁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଉଗ୍ରରୂପ ନେଇଥିଲା। ପରେ ଗୁଡୁ ଘରୁ ଏକ ଶାବଳ ଆଣି କୁଲୁଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଗୁରୁତର ଅବସ୍ଥାରେ କୁଲୁଙ୍କୁ ପରିବାର ଲୋକେ ନିକଟସ୍ଥ ଆଡ଼ପଡା ମେଡିକାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର କୁଲୁଙ୍କୁ ମୃତ ଘୋଷଣା କରିଥିଲେ।


ପାଟପୁର ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଦୀର୍ଘଦିନ ହେଲା କୁଲୁ ଓ ଗୁଡୁଙ୍କ ଘରଙ୍କ ମଧ୍ୟରେ ଜମିଜମାକୁ ନେଇ ଝଗଡ଼ା ଲାଗି ରହିଥିଲା।

ମୋ ଝିଅକୁ ମାରିଦେଲେ

ମୋ ଝିଅକୁ ମାରିଦେଲେ



ଭଦ୍ରକ - ‘ମୋ ଝିଅକୁ ମାରିଦେଲେ। ପରିବାର ନିୟୋଜନ ଅପରେସନ ବେଳେ ଡାକ୍ତର ପରିସ୍ରା ନାଡ଼ିକୁ କାଟି ଦେବାରୁ ମୋ ଝିଅ ମରିଗଲା। ମୋ ଝିଅକୁ ମୋତେ ଆଣିଦିଅ। ସେ ଝିଅ ନଥିଲା, ସେ ମୋ ପୁଅ ଥିଲା। ମୁଁ ଏବେ ତା’ପୁଅକୁ କିପରି ମଣିଷ କରିବି।’ ଏପରି କହି ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଆଗରେ କାନ୍ଦି କାନ୍ଦି ଗଡ଼ିଯାଉଛନ୍ତି ଜଣେ ବୃଦ୍ଧ। ପରିବାର ନିୟୋଜନ ଅପରେସନ ପରେ ତାଙ୍କ ଝିଅର ମୃତ୍ୟୁ ଘଟିଛି। ନ୍ୟାୟ ମାଗିବା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ଆସିଛନ୍ତି। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ମୃତ ମହିଳା ଜଣଙ୍କ ହେଲେ ଜୟନ୍ତୀ ବେଜ।


ଅଭିଯୋଗ ଅନୁସାରେ, ଆଗରପଡା ଥାନା ଅନ୍ତର୍ଗତ ରାଉତରାୟପୁର ହୃଷିକେଶ ବେଜଙ୍କ ଝିଅ ଜୟନ୍ତୀ ବେଜ ଦୁଇ ବର୍ଷ ପୂର୍ବରୁ ଔପଦା ଗଡ଼ସାହିର ଯଶୋବନ୍ତ ବାରିକଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ଉଭୟ ଦମ୍ପତ୍ତିଙ୍କର ଏକ ଶିଶୁ ପୁତ୍ର ମଧ୍ୟ ଅଛି। ପୁଅ ସହିତ ଜୟନ୍ତୀ ବାପା ଘର ରାଉତରାପୁରରେ ରହୁଥିଲେ। ବରପଦାରେ ପରିବାର ନିୟୋଜନ ଅପରେସନ ପାଇଁ କ୍ୟାମ୍ପ କରାଯାଇଥିଲା। ଜୟନ୍ତୀ ସେଠାରେ ପରିବାର ନିୟୋଜନ ଅପରେସନ କରିବାକୁ ସ୍ଥିର କରିଥିଲେ।


ଜୟନ୍ତୀ ଆଶାକର୍ମୀଙ୍କ ପରାମର୍ଶ ନେଇ ଗତ ୨୫ ତାରିଖରେ ବରପଦାରେ ହୋଇଥିବା ଶିବିରରେ ଅପରେସନ କରିଥିଲେ। ଅପରେସନ ପରେ ସେହିଦିନ ଘରକୁ ଫେରିଥିଲେ। ଘରକୁ ଫେରିବାର କିଛି ସମୟ ପରେ ଜୟନ୍ତୀଙ୍କ ପେଟ ଫୁଲାଇ ଦେଇଥିଲା। ପରିବାର ଲୋକେ ତାଙ୍କୁ ଆଗରପଡ଼ା ହସପିଟାଲରେ ଭର୍ତ୍ତି କରିଥିଲେ। ଜୟନ୍ତୀଙ୍କ ଅବସ୍ଥା ଗୁରୁତର ହେବାରୁ ଆଗରପଡ଼ା ଡ଼ାକ୍ତର ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ। ସେଠାରେ ଜୟନ୍ତୀଙ୍କ ପେଟରେ ପାଣି ଜମିଥିବା ଡ଼ାକ୍ତର କହିଥିଲେ। ମାଇନର ଅପରେସନ କରି କଟକ ରେଫର କରିଥିଲେ। କଟକରେ ଜୟନ୍ତୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ୨୭ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଜୟନ୍ତୀଙ୍କର ମୃତ୍ୟୁ ହୋଇଥିଲା।


ଡ଼ାକ୍ତରଙ୍କ ଖାମଖିଆଲି ନୀତି ତଥା ଭୁଲ୍‌ ଅପରେସନ ଯୋଗୁ ଜୟନ୍ତୀଙ୍କୀର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ  ଦାବି କରିଛନ୍ତି। ଭଦ୍ରକ ରୁରାଲ ଥାନାରେ ଏତଲା ଦେବା ସହିତ ଜିଲ୍ଲାପାଳ ନିକଟରେ ନ୍ୟାୟ ମାଗିଛନ୍ତି।

Friday, July 28, 2023

ପାର୍ଲିଆମେଣ୍ଟ ରେ ବୁଧବାର ଦିନ ୧୨ଟାରୁ ହିଁ ଅନାସ୍ଥା ପ୍ରସ୍ତାବ ହେବା ଆକଳନ

ପାର୍ଲିଆମେଣ୍ଟ ରେ ବୁଧବାର ଦିନ ୧୨ଟାରୁ ହିଁ ଅନାସ୍ଥା ପ୍ରସ୍ତାବ ହେବା ଆକଳନ



ନୂଆଦିଲ୍ଲୀ - କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧରେ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ ଆସନ୍ତା ସପ୍ତାହରେ ଗୃହରେ ଆଗତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହି ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରାଯିବ। ସେହିପରି ଏହା ଉପରେ କେଉଁ ଦିନ ଆଲୋଚନା ହେବ, ତା’ର ତାରିଖ ମଧ୍ୟ ସୋମବାର ଧାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି।

ଅଗଷ୍ଟ ୧ ତାରିଖ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ମହରାଷ୍ଟ୍ର ଯିବାର ଅଛି। ତେଣୁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓ ଏହାର ଉତ୍ତର ସହ ଭୋଟ ବୁଧବାର ଓ ଗୁରୁବାର ହୋଇପାରେ। କାରଣ ପ୍ରଧାନମନ୍ତ୍ରୀ ମୋଦି ହିଁ ଆଲୋଚନା ଶେଷରେ ସବୁ ସଦସ୍ୟ ଉଠାଇଥିବା ପ୍ରଶ୍ନର ଉତ୍ତର ଦେବେ। ତେଣୁ ସେ ଗୃହରେ ଉପସ୍ଥିତ ରହିବା ଜରୁରୀ।

ଗୋଟିଏ ରିପୋର୍ଟରେ କୁହାଯାଇଛି ଯେ ବୁଧବାର ଦିନ ୧୨ଟାରୁ ହିଁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ। ବାଚସ୍ପତି ସବୁ ଦଳର ସଦସ୍ୟଙ୍କୁ ନିଜର ମତ ରଖିବା ପାଇଁ ଉପଯୁକ୍ତ ସମୟ ଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। 

ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୧ ଯାଏ ଚାଲିବ। ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ବିଲ ଗୃହରେ ଉପସ୍ଥାପନ କରିବାକୁ ନଜର ରଖିଛନ୍ତି। ହେଲେ ମଣିପୁର ହିଂସାକୁ ନେଇ ଗୃହ ଠିକ ଭାବେ ଚାଲି ପାରୁନି। ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ବିବୃତି ରଖୁ ନଥିବାରୁ ବିରୋଧୀ ତାଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି।

ଏହାକୁ ମାତ ଦେବା ପାଇଁ ସରକାରଙ୍କ ପାଖରେ ଆବଶ୍ୟକ ସଂଖ୍ୟା ରହିଛି। ଏକଥା ବିରୋଧୀ ଭଲ ଭାବେ ଜାଣିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବିବୃତି ପାଇଁ ବିରୋଧୀ ବାଧ୍ୟ ହୋଇ ଅନାସ୍ଥା ପ୍ରସ୍ତାବ ଆଣିଥିବା କହିଛନ୍ତି।

୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏବେ ୫ଟି ଆସନ ଖାଲି ପଡ଼ିଛି। ଫଳରେ ଏଠାରେ ମ୍ୟାଜିକ ନମ୍ବର ହେଉଛି ୨୭୦। ବିଜେପି ପାଖରେ ଏକାକୀ ୩୦୧ ସାଂସଦ ରହିଥିବା ବେଳେ ଏନଡିଏ କଥା ବିଚାରକୁ ନେଲେ ଏହା ୩୩୧ ରହିଛି।

ଭିଜିଲାନ୍ସ ଜାଲରେ ଆଉ ଜଣେ ପୁଲିସ କର୍ମଚାରୀ

 ଭିଜିଲାନ୍ସ ଜାଲରେ ଆଉ ଜଣେ ପୁଲିସ କର୍ମଚାରୀ



ଅନୁଗୋଳ - ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ପୁଲିସ କର୍ମଚାରୀ। ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନାର ମହିଳା ଏଏସ୍‌ଆଇ ଦୀପିକା ହୀରା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଏହି ଲାଞ୍ଚ କାରବାରରେ ଥାନାର ଆଉ କେହି କର୍ମଚାରୀ ସଂପୃକ୍ତ ଅଛନ୍ତି ନା ନାହିଁ, ସେ ନେଇ ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ।

ଦୁଇ ଦିନ ତଳେ ଅନୁଗୋଳ ଜିଲ୍ଲା କିଆକଟା ଥାନାର ଏଏସ୍‌ଆଇ ନବୀନ ଶତପଥୀ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସେହିପରି ଗତ ୨୧ ତାରିଖରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ। ଏକ ଜବତ ବାଲି ଗାଡ଼ିକୁ ଛାଡ଼ି ଦେବାକୁ ସେ ଏହି ଅର୍ଥ ନେଉଥିବା ବେଳେ ଧରାପଡ଼ିଥିଲେ। ଜୁଲାଇ ୧୯ ତାରିଖରେ ଜଣେ ମଦ ବ୍ୟବସାୟୀଙ୍କ ଠାରୁ ମାସିକିଆ ଚାନ୍ଦା ବାବଦକୁ ୫୦ ହଜାର ଟଙ୍କା ନେଉଥିବା ବେଳେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍‌ଆଇ ବଳି ମହାନ୍ତି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଜୁଲାଇ ୧୩ ତାରିଖରେ ୧୫ ହଜାର ଲାଞ୍ଚ ନେଲା ବେଳେ ଭୁବନେଶ୍ୱରର ସହିଦ ନଗର ଥାନା ଏଏସ୍‌ଆଇ ମମତା ବସ୍ତିଆଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ। ଜୁଲାଇ ୬ ତାରିଖରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଏଏସ୍‌ଆଇ ନିର୍ମଳ କୁମାର ସେନାପତି।

୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ନୟାଗଡ଼ ଜିଲ୍ଲା ଗଣିଆ ତହସିଲର ଅତିରିକ୍ତ ତହସିଲଦାର ବନମାଳି ପରିଡ଼ା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜୁଲାଇ ୨୫ ତାରିଖରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ମାଝୀ। ଜୁଲାଇ ୨୧ ତାରିଖରେ ୩୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଥିଲେ ବଲାଙ୍ଗିର ଡିପିସି ଅଫିସର ଜଣେ ମହିଳା ଅଧିକାରୀ ପୁଷ୍ପାଙ୍ଗିନୀ ଯୋଶୀ। ଜୁଲାଇ ୧୦ ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ବାଲେଶ୍ୱର-ମୟୂରଭଞ୍ଜ ବୃହ୍ ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ ମାନସ ରଞ୍ଜନ ଦାସ। ଜୁଲାଇ ୫ ତାରିଖରେ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ମାଲକାନଗିରି ଜିଲ୍ଲା ସିନ୍ଦ୍ରିମାଳର ରାଜସ୍ୱ ନୀରିକ୍ଷକ ସୀମାଞ୍ଚଳ ସାହୁ।

ଘୋଡ଼ା ଗାଡି

 ଘୋଡ଼ା ଗାଡି 



ମଧ୍ୟପ୍ରଦେଶ - ବସ, ଅଟୋ ରିକ୍ସା, ଇ-ରିକ୍ସା ଭଳି ସମୟରେ ଆଜି ମଧ୍ୟ ଏପରି ଏକ ସହର ଅଛି ଯେଉଁଠାରେ ଘୋଡ଼ା ଗାଡ଼ି ଚାଲୁଛି । ଘୋଡ଼ା ଗାଡ଼ି , ବଳଦ ଗାଡ଼ି ଏସବୁ ପ୍ରାୟତଃ ବନ୍ଦ ହୋଇଗଲାଣି । ଲୋକମାନେ ନିଜ ଯାତାୟାତକୁ ସହଜ ଓ ସରଳ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଛନ୍ତି । କିନ୍ତୁ ଭାରତର ଏପରି ଏକ ସହର ଅଛି ଯେଉଁଠାରେ ଲୋକମାନେ ଯିବା ଆସିବା ପାଇଁ ଘୋଡ଼ାଗାଡ଼ି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ତେବେ ଏଭଳି କିଛି ଦୃଶ୍ୟ ମଧ୍ୟପ୍ରଦେଶର ଖରଗୋନ ସହରରେ ଦେଖାଯାଇଛି । ଏଠାରେ ଦିନସାରା ଘୋଡ଼ାଗାଡ଼ି ଚଳପ୍ରଚଳ ହେଉଥିବାର ଦେଖିବାକୁ ମିଳେ । ଯାତ୍ରୀମାନେ ଆନନ୍ଦର ସହ ଯାତ୍ରାକୁ ଉପଭୋଗ କରିଥାନ୍ତି । ଏହା ପୁଣି ମାତ୍ର ୧୦ ଟଙ୍କା ଭଡ଼ାରେ । ଖରଗୋନରେ ଗତ ୫୦ ବର୍ଷ ମଧ୍ୟରେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ଏଠାକାର ଜନସାଧାରଣ ଏହି ଘୋଡ଼ାଗାଡ଼ି ଉପରେ ନିର୍ଭର କରନ୍ତି । ଏହି ଘୋଡ଼ାଗାଡ଼ିକୁ ଟମ୍‌ଟମ୍‌ ମଧ୍ୟ କୁହାଯାଏ ।

ଅନେକ ଆଧୁନିକ ଟ୍ରାନ୍ସପୋର୍ଟ ସୁବିଧା ଥିବା ସତ୍ତ୍ୱେ ଖରଗୋନରେ ଲୋକମାନେ ଘୋଡ଼ାଗାଡ଼ିରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ପ୍ରଥମ ଥର ପାଇଁ ଖରଗୋନ ଆସିଥିବା ବ୍ୟକ୍ତି ଘୋଡ଼ାଗାଡ଼ିରେ ଯାତ୍ରା କରିବାର ଆନନ୍ଦ ନେଇଥାନ୍ତି । ଏହି ଘୋଡ଼ାଗାଡ଼ି ସକାଳ ୮ଟା ସମୟରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ବସ ଷ୍ଟାଣ୍ଡ ନିକଟରେ ସହଜରେ ମିଳଥାଏ ।

ସୂଚନା ଅନୁଯାୟୀ ଖରଗୋନରେ ପରିବହନର ମାଧ୍ୟମ କମ ଥିବାବେଳେ ଯାତାୟାତ କରିବା ପାଇଁ ଲୋକମାନେ ଘୋଡ଼ାଗାଡ଼ିର ବ୍ୟବହାର କରୁଥିଲେ । କିନ୍ତୁ ସମୟରେ ପରିବର୍ତ୍ତନ ହୋଇଛି ଏହି ଘୋଡ଼ାଗାଡ଼ିର ସଂଖ୍ୟା କମି କମି ଯାଉଛି । ଜଣେ ଘୋଡ଼ାଗାଡ଼ି ଚାଳକ ରାଜେନ୍ଦ୍ର ଗାଙ୍ଗେଲଙ୍କ କହିବା ଅନୁସାରେ ଖରଗୋନରେ ସେ ୪୦ ବର୍ଷ ଧରି ଘୋଡ଼ାଗାଡ଼ି ଚଳାଉଛନ୍ତି । ପୂର୍ବରୁ ଖରଗୋନରେ ୧୫୦-୨୦୦ ଟଙ୍କା ମଧ୍ୟରେ ଘୋଡ଼ାଗାଡ଼ିର ଭଡ଼ା ଥିଲା କିନ୍ତୁ ବର୍ତ୍ତମାନ ଏହାର ଭଡ଼ା ମାତ୍ର ୧୦-୧୫ ଟଙ୍କା ହୋଇଯାଇଛି ।

ଘୋଡ଼ାଗାଡ଼ି ଚାଳକଙ୍କ କହିବା ଅନୁଯାୟୀ ଘୋଡ଼ାଗାଡ଼ିର ଭଡ଼ା ଅଧିକ ନୁହେଁ । ୫୦ ବର୍ଷ ପୂର୍ବରୁ ଘୋଡ଼ାଗାଡ଼ିର ଭଡ଼ା ଟଙ୍କାରେ ହେଉଥିଲା । ଏତେ ବର୍ଷ ପରେ ମଧ୍ୟ ଭଡ଼ାରେ ଅଧିକ ଲାଭ ହୋଇନାହିଁ । ଆଜି ମଧ୍ୟ ଖରଗୋନ ସହରରେ କୌଣସି ସ୍ଥାନକୁ ଯିବା ପାଇଁ ଜଣେ ବ୍ୟକ୍ତି କେବଳ ୧୦ ଟଙ୍କା ଭଡ଼ା ଦେଇ ଘୋଡ଼ାଗାଡ଼ିରେ ଯାତ୍ରା କରିଥାଏ । ଘୋଡ଼ାଗାଡ଼ିରେ ଖରଗୋନ ସହର ବୁଲିବା ପାଇଁ ପର୍ଯ୍ୟଟକ ଏବଂ ଯାତ୍ରୀମାନଙ୍କୁ ସୁବିଧା ମିଳିଥାଏ । ମାତ୍ର ୩୦୦ରୁ ୪୦୦ ଟଙ୍କାରେ ଆପଣ ଘୋଡ଼ାଗାଡ଼ିରେ ସମ୍ପୂର୍ଣ୍ଣ ସହର ବୁଲିପାରିବେ । ତେବେ ଯଦି ଆପଣ କେବେ ଖରଗୋନ ସହରକୁ ଯାଉଛନ୍ତି ଏହି ଘୋଡ଼ାଗାଡ଼ିରେ ଯାତ୍ରା କରିବାକୁ ଭୁଲିବେ ନାହିଁ l

ଦିନରେ ଘୁଷୁରୀ ଚରାଳି ରାତିରେ ଚୋରି

 ଦିନରେ ଘୁଷୁରୀ ଚରାଳି ରାତିରେ ଚୋରି 



ଦିନରେ ଘୁଷୁରୀ ଚରେଇବାକୁ ଯାଆନ୍ତି। ରାତି ହେଲେ ଲୋକଙ୍କ ଘରେ ପଶି କଳା କନା ବୁଲାନ୍ତି। ଏଭଳି ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁଲିସ। ଏହାସହ ସେମାନଙ୍କଠାରୁ  ସୁନା, ୨୫୦ ରୁପା ଅଳଙ୍କାର, ଘର ଭଙ୍ଗା ସାମଗ୍ରୀ ସହ ଏକ ମୃତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଏନେଇ ଖୋର୍ଦ୍ଧା ଏସ୍‌ପି ସିଦ୍ଧାର୍ଥ କଟାରିଆ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏସପିଙ୍କ ସୂଚନା ଅନୁସାରେ, ବୋଲଗଡ଼ ଥାନା ମାଣିକାଗୋଡା କୁମୁଟିସାହି ଅଞ୍ଚଳର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଭିଯୋଗକୁ ଭିତ୍ତି କରି ସ୍ପେଶାଲ ସ୍କ୍ୱାର୍ଡ ଓ ବୋଲଗଡ଼ ପୁଲିସ ମାଣିକାଗୋଡା ଜଙ୍ଗଲରେ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ପ୍ରଶାନ୍ତ ପାତ୍ର, ରାହୁଲ ପ୍ରଧାନ ଏବଂ ପ୍ରଶାନ୍ତ ନାୟକଙ୍କୁ ପୁଲିସ  ଥାନାକୁ ଆଣି ପଚରାଉରା କରିବା ସହ ସେମାନଙ୍କ ଘର ଖାନ ତଲାସୀ କରିଥିଲା। ତଲାସୀବେଳେ ସେମାନଙ୍କ ଘରୁ ୫ କେଜି ରୁପା ଅଳଙ୍କାର,   ସୁନା ଅଳଙ୍କାର, ଘର ଭାଙ୍ଗିବାରେ ବ୍ୟବହୃତ ସାମଗ୍ରୀ ସହ ଏକ ମୃତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା। ପଚରାଉଚରା କରିବା ପରେ ଏହି ସାମଗ୍ରୀ ଗୁଡ଼ିକ ସେମାନେ ଖୋର୍ଦ୍ଧା ,ନୟାଗଡ଼ ଏବଂ ପୁରୀ ଜିଲ୍ଲାରୁ ଚୋରି କରିଥିବା ମାନିଥିଲେ ଅଭିଯୁକ୍ତ।

ଏସ୍‌ପି ଆହୁରି କହିଛନ୍ତି,ଏମାନେ ସମସ୍ତେ କେଳା ସମ୍ପ୍ରଦାୟର। ସେମାନଙ୍କ ନାମରେ ବିଭିନ୍ନ ଥାନାରେ୧୦୦ରୁ ଅଧିକ ମାମଲା ରହିଛି। ଏହି ଗ୍ୟାଙ୍ଗ ସହ ଆଉ କେଉଁମାନଙ୍କ ସଂପୃକ୍ତ ଅଛି ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।

 ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବା ପରେ ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଅପିଲ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଏସ୍ପି ।

ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ପଶି ପିଲାଙ୍କୁ କାମୁଡ଼ିଲା ଶିଆଳ

 ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ପଶି ପିଲାଙ୍କୁ କାମୁଡ଼ିଲା ଶିଆଳ



ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ପଶି ପିଲାଙ୍କୁ କାମୁଡ଼ିଲା ଶିଆଳ। ପିଲାଙ୍କୁ ଉଦ୍ଧାର କରିବାକୁ ଯାଇ ଗ୍ରାମବାସୀ ମଧ୍ୟ ଶିଆଳ ଆକ୍ରମଣରେ ଶିକାର ହୋଇଛନ୍ତି। ଶିଆଳ କାମୁଡ଼ାରେ ୪ ଶିଶୁ ସମେତ ୧୦ ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଡାଲଙ୍ଗ ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଏକ ଶିଆଳ ଅଙ୍ଗନବାଡି କେନ୍ଦ୍ରକୁ ପଶି ଆସିଥିଲା। ପିଲାମାନେ ଶିଆଳକୁ ଦେଖି ପାଟିତୁଣ୍ଡ କରିଥିଲେ। ପିଲାଙ୍କ ପାଟିତୁଣ୍ଡରେ ଶିଆଳଟି ଡରିଯାଇଥିଲା। ସେଠାରୁ ପଳାଇଯିବାକୁ ଚେଷ୍ଟା କରିଥିଲା। ତାହା ହାବୁଡରେ ଯେଉଁ ପିଲା ପଡ଼ିଥିଲେ ତାକୁ କାମୁଡ଼ିଥିଲା। ପାଟି ଶୁଣି ଗ୍ରାମବାସୀ ପିଲା ଙ୍କୁ ଉଦ୍ଧାର କରିବା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚିଥିଲେ। ଶିଆଳକୁ କାବୁ କରିବା ପାଇଁ ଗ୍ରାମବାସୀମାନେ ଚେଷ୍ଟା କରିଥିଲେ। ହେଲେ ଶିଆଳଟି ମଧ୍ୟ ଗ୍ରାମବାସୀଙ୍କୁ କାମୁଡ଼ିଥିଲା। ପରେ ଗ୍ରାମବାସୀ ଶିଆଳଟିକୁ କାବୁ କରିଥିଲେ। ଆହତ ଗ୍ରାମବାସୀ ଓ ଶିଶୁଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଶିଆଳଟିକୁ ଏକ ସ୍ଥାନରେ ବାନ୍ଧି ରଖାଯାଇଛି। ଏନେଇ ବନ ବିଭାଗକୁ ଖବର ଦିଆଯାଇଛି। ବନ ବିଭାଗ ପହଞ୍ଚିବା ପରେ ଶିଆଳଟିକୁ ହସ୍ତାନ୍ତର କରାଯିବ।

ଭିଜିଲାନ୍ସ ଜାଲରେ ଗଣିଆ ତହସିଲ ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ଜାଲରେ ଗଣିଆ ତହସିଲ ଅତିରିକ୍ତ ତହସିଲଦାର 



ଗଣିଆ - ବାଲି ଗାଡ଼ି ଛାଡ଼ିବା ପାଇଁ ହୋଇଥିଲା ଡିଲ୍‌। ପୂର୍ବରୁ ୧୦ ହଜାର ନେଇଥିବା ବେଳେ ଅବଶିଷ୍ଟ ୩ ହଜାର ଟଙ୍କା ନେଉଥିବା ବେଳେ ଘର ଆଗରୁ ଅତିରିକ୍ତ ତହସିଲଦାରଙ୍କୁ ଉଠାଇ ନେଇଛି ଭିଜିଲାନ୍ସ। ଏପରି ଏକ ଘଟଣା ଆଜି ନୟାଗଡ ଜିଲ୍ଲା ଗଣିଆ ତହସିଲ କାର୍ଯ୍ୟାଳୟରେ ଘଟିଛି। ଅତିରିକ୍ତ ତହସିଳଦାରଜଣକ ହେଉଛନ୍ତି ଗଣିଆ ତହସିଲ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା ।

ନୟାଗଡ ଜିଲ୍ଲା ଗଣିଆ ତହସିଲି କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ାଙ୍କୁ ଦିନ ଆଜି ସକାଳ ୯ଟାରେ ଗଣିଆ ତହସିଲ କଲୋନୀରୁ ଉଠାଇ ନେଇଛି ଭିଜିଲାନ୍ସ ।

ଗତକାଲି ଗଣିଆ ଥାନା ରାଉତପଡ଼ା ମହାନଦୀ ଘାଟରୁ ଏକ ବାଲି ବୋଝେଇ ଗାଡ଼ି ଧରିଥିଲେ ତହସିଲ କର୍ମଚାରୀ। ଗାଡ଼ି ଛାଡ଼ିବା ନିମନ୍ତେ ୧୩ ହଜାରରେ କଥା ଛିଣ୍ଡିଥିଲା। ଗତକାଲି ଘଟଣାସ୍ଥଳରେ ଗାଡ଼ି ମାଲିକ ୧୦ ହଜାର ଦେଇଥିବା ବେଳେ ଆଜି ୩ ହଜାର ଦେବେ ବୋଲି କହିଥିଲେ। 

ଆଜି ସକାଳେ ଟ୍ରାକ୍ଟର ମାଲିକ ଗଣିଆ ତହସିଲ କଲୋନୀରେ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ାଙ୍କୁ ଅବଶିଷ୍ଟ ୩ ହଜାର ଟଙ୍କା ଦେବାକୁ ଯାଇଥିଲେ। ଉକ୍ତ ସମୟରେ ସେଠାରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଉଠାଇ ନେଇଛନ୍ତି।  ନୟାଗଡ ଓ ଭୁବନେଶ୍ୱର ଭିଜିଲାନ୍ସର ଟିମ୍‌ ମିଳିତ ଭାବେ ଅତିରିକ୍ତ ତହସିଲଦାରଙ୍କୁ ଉଠାଇ ନେଇଥିବା ଜଣାଯାଇଛି।

ଭାରତ ଗୌରବ

 ଭାରତ ଗୌରବ 



*ପ୍ରଥମ ଫଟୋରେ ଥିବା ଝାଡୁଦାର ଜଣଙ୍କ ବର୍ତ୍ତମାନର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।*

   *ଦ୍ୱିତୀୟ ଫଟୋରେ ଥିବା ଗରିବ ଅବହେଳିତ ପଛୁଆ ପଲ୍ଲୀର ମହିଳା ଜଣଙ୍କ ବର୍ତ୍ତମାନର ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ।*

  *ତୃତୀୟ ଫଟୋରେ ଥିବା ସାଧୁ ମହାରାଜ ଜଣଙ୍କ ବର୍ତ୍ତମାନର ଭାରତର ସର୍ବବୃହତ୍ ରାଜ୍ୟ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ଯନାଥ ।*

  *ଶେଷରେ ଥିବା ଅଟୋ ଡ୍ରାଇଭର ଜଣଙ୍କ ଭାରତର ଧନୀ ରାଜ୍ୟ ମହାରାଷ୍ଟ୍ରର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।*


   (ଏହା ଦର୍ଶାଏ ଯେ ଭଗବାନ କାହାକୁ କେତେବେଳେ କେଉଁଠି ପହଞ୍ଚାଇ ଦେବେ କିଏ ବା କହିବ, ହେଲେ ସେମାନଙ୍କର କଠିନ ପରିଶ୍ରମ ଓ କର୍ତ୍ତବ୍ୟ ନିଷ୍ଠା ଅତୁଳନୀୟ...🙏)

Thursday, July 27, 2023

କୋହଲି ତାଙ୍କର ୫୦୦ ତମ ମ୍ୟାଚ୍‌ରେ ୭୬ତମ ଶତକ ହାସଲ କରିଛନ୍ତି

 କୋହଲି ତାଙ୍କର ୫୦୦ ତମ ମ୍ୟାଚ୍‌ରେ ୭୬ତମ ଶତକ ହାସଲ କରିଛନ୍ତି



ନୂଆଦିଲ୍ଲୀ: ବିରାଟ କୋହଲି ଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଜବରଦସ୍ତ ଶତକ ହାସଲ କରିଛନ୍ତି। କୋହଲି ତାଙ୍କର ୫୦୦ ତମ ମ୍ୟାଚ୍‌ରେ ୭୬ତମ ଶତକ ହାସଲ କରିଛନ୍ତି। ଏହା ସହିତ ବିରାଟ ତାଙ୍କ ନାଁରେ ଏକ ବଡ଼ ରେକର୍ଡ କରିଛନ୍ତି । ବିରାଟ ତାଙ୍କର ଖଳ ଜୀବନର ୫୦୦ ତମ ମ୍ୟାଚ୍‌ରେ ଶତକ ହାସଲ କରିଥିବା ପ୍ରଥମ ଖେଳାଳି ହେବା ସହିତ ସର୍ବାଧିକ ରନ୍ ସ୍କୋର୍ କରିଛନ୍ତି । ଟେଷ୍ଟ ମ୍ୟାଚ୍‌ରେ ବିରାଟଙ୍କ ଏହା ୨୯ ତମ ଶତକ । ଚଳିତ ବର୍ଷ ଏହା ପୁର୍ବରୁ ସେ ବର୍ଡର ଗାଭାସ୍କର ଟ୍ରଫିରେ ଜବରଦସ୍ତ ଶତକ ହାସଲ କରିଥିଲେ ।

ବିରାଟ ୨୦୧୯ ପରେ ୨୦୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଗୋଟିଏ ହେଲେ ଶତକ ହାସଲ କରି ପାରି ନଥିଲେ । ପ୍ରାୟ ୧୦୦୦ ଦିନ ଅପେକ୍ଷା ପରେ ବିରାଟ ଏସିଆ କପ୍ ୨୦୨୨ ଟି-୨୦ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ । ଏହାପରେ ବିରାଟ ନିଜର ପୁରୁଣା ଲୟକୁ ଫେରିଥିଲ । ଟି-୨୦ ବିଶ୍ୱକପ୍‌ରେ ବିରାଟ ଭାରତ ପାଇଁ ଟପ୍ ସ୍କୋରର ରହିଥିଲେ । ପରେ ବିରାଟ ଦିନିକିଆ ଏବଂ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ଶତକ ହାସଲ କରିଥିଲେ ।

ଏବେ ୱାଇଏସଆର କଂଗ୍ରେସର ୯ ଜଣ ସାଂସଦ ସରକାରଙ୍କୁ ରାଜ୍ୟସଭାରେ ସମର୍ଥନ କରିବେ।

 ଏବେ ୱାଇଏସଆର କଂଗ୍ରେସର ୯ ଜଣ ସାଂସଦ ସରକାରଙ୍କୁ ରାଜ୍ୟସଭାରେ ସମର୍ଥନ କରିବେ।



ଦିଲ୍ଲୀର ପ୍ରଶାସନିକ ନିଯୁକ୍ତି ଓ ବଦଳି ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଆଣିବାକୁ ଥିବା ବିଲ୍‌ ସଂସଦରେ ଉଭୟ ଗୃହରେ ବେଶ ସହଜରେ ପାରିତ ହେବ। ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପାଖରେ ଯେକୌଣସି ବିଲକୁ ପାରିତ କରିବା ପାଇଁ ଆବଶ୍ୟକ ସଂଖ୍ୟା ରହିଛି। ହେଲେ ରାଜ୍ୟସଭାରେ କେନ୍ଦ୍ରର ଦିଲ୍ଲୀ ନିୟନ୍ତ୍ରଣ ବିଲ୍‌ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ ବୋଲି କୁହାଯାଉଥିଲା।


ଏହି ସମୟରେ ଓଡ଼ିଶାର କ୍ଷମତାସୀନ ବିଜେଡିର ସହାୟତା ବିଜେପିକୁ ଆବଶ୍ୟକ ପଡ଼ିପାରେ ବୋଲି ରାଜନୀତିକ ପଣ୍ଡିତମାନେ ମତ ରଖିଥିଲେ। ହେଲେ ଏବେ ବିଜେପିକୁ ଆଉ ବିଜେଡିର ସହାୟତା ଆବଶ୍ୟକ ନାହିଁ।


ବିଜେଡି ଦିଲ୍ଲୀ ବିଲ୍‌ ଉପରେ ନିଷ୍ପତ୍ତି ଏଯାଏ ନେଇ ନଥିବା ବେଳେ ଏନଡିଏ ସରକାର ସାମାନ୍ୟ ବ୍ୟାକଫୁଟରେ ରହୁଥିଲା। କିନ୍ତୁ ଏନଡିଏ ସରକାରର ସବୁ ଆଶା ଓ ଆଶଙ୍କା ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ଜଗନମୋହନ ରେଡ୍ଡୀଙ୍କ ୱାଇଏସ୍‌ଆର କଂଗ୍ରେସ ଦୂର କରି ଦେଇଛି।


ଦଳ ପକ୍ଷରୁ କେନ୍ଦ୍ରର ଦିଲ୍ଲୀ ନିୟନ୍ତ୍ରଣ ବିଲକୁ ରାଜ୍ୟସଭାରେ ସମର୍ଥନ କରାଯିବ ବୋଲି ଘୋଷଣା କରାଯାଇଛି। କେବଳ ଦିଲ୍ଲୀ ନିୟନ୍ତ୍ରଣ ବିଲ୍‌ ନୁହେଁ, ୱାଇଏସ୍‌ଆର କଂଗ୍ରେସ ଲୋକସଭାରେ ଆଗତ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବ ବେଳେ ମଧ୍ୟ ବିଜେପି ସରକାରକୁ ସମର୍ଥନ କରିବ ବୋଲି କହିଛି।


ଏହାର ଅର୍ଥ ରାଜ୍ୟସଭାରେ ମ୍ୟାଜିକ ନମ୍ବର ଠାରୁ ସାମାନ୍ୟ ପଛରେ ରହୁଥିବା ବିଜେପି ସରକାରକୁ ୱାଇଏସ୍‌ଆର କଂଗ୍ରେସର ସମର୍ଥନ ଗେମ ଚେଞ୍ଜର ସାବ୍ୟସ୍ତ ହେବ। ୱାଇଏସ୍‌ଆର କଂଗ୍ରେସ ପାର୍ଟିର ୯ ଜଣ ସାଂସଦ ରାଜ୍ୟସଭାରେ ଥିବା ବେଳେ ଲୋକସଭାରେ ଏହି ସଂଖ୍ୟା ୨୨ ରହିଛି। ପୂର୍ବରୁ ମଧ୍ୟ ଏହି ଦଳ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ବେଳେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବାର ନଜିର ରହିଛି।


ୱାଇଏସ୍‌ଆର କଂଗ୍ରେସର ସାଂସଦମାନେ ସମର୍ଥନ ଘୋଷଣା କରିବାରୁ ଏବେ ସରକାର ବେଶ ସହଜରରେ ଦିଲ୍ଲୀ ନିୟନ୍ତ୍ରଣ ବିଲ୍‌କୁ ରାଜ୍ୟସଭାରେ ଉପସ୍ଥାପନ କରି ପାରିତ କରିପାରିବେ। 


ସୁପ୍ରିମକୋର୍ଟ ଦିଲ୍ଲୀ ପ୍ରଶାସନିକ ବଦଳି ଓ ନିଯୁକ୍ତି ଅଧିକାର ଦିଲ୍ଲୀ ସରକାରଙ୍କର ବୋଲି କହିଥିଲେ। ଏହାକୁ ମାତ୍‌ ଦେବାକୁ କେନ୍ଦ୍ର ସରକାର ତୁରନ୍ତ ଗୋଟିଏ ଅଧ୍ୟାଦେଶ ଜାରି କରି ପ୍ରାଶସନିକ ସେବାର ନିୟନ୍ତ୍ରଣ ଉପ ରାଜ୍ୟପାଳଙ୍କ ହାତରେ ରହିବ ବୋଲି ବ୍ୟବସ୍ଥା କରିଛନ୍ତି। ଏବେ ଏହି ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ(ସଂଶୋଧନ) ବିଲ୍‌ ଆଣିଛନ୍ତି। କ୍ୟାବିନେଟ ଏହି ବିଲ୍‌କୁ ଅନୁମୋଦନ ଦେଇଥିବା ବେଳେ ଖୁବଶୀଘ୍ର ସଂସଦରେ ଏହା ଉପସ୍ଥାପନ ହେବ।


ରାଜ୍ୟସଭାରେ ଏନଡିଏ ସରକାର ପାଖରେ ବିଲ୍‌କୁ ପାରିତ କରିବା ପାଇଁ ଆବଶ୍ୟକ ସଂଖ୍ୟା ନାହିଁ। ଏଥିପାଇଁ ଦଳ ବିଜେଡି ଓ ୱାଇଏସ୍‌ଆର କଂଗ୍ରେସ ମଧ୍ୟରୁ ଜଣଙ୍କର ସହାୟତା ଚାହୁଁଥିଲା। ବିଜେଡି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ହିଁ ୱାଇଏସ୍‌ଆର କଂଗ୍ରେସ କେନ୍ଦ୍ର ସରକାରଙ୍କୁ ସମର୍ଥନ ଘୋଷଣା କରିଛି। ଦଳର ନେତା ବି ବିଜୟସାଇ ରେଡ୍ଡୀ କହିଛନ୍ତି, “ଉଭୟ ପ୍ରସଙ୍ଗ(ଦିଲ୍ଲୀ ନିୟନ୍ତ୍ରଣ ବିଲ ଓ ଅନାସ୍ଥା ପ୍ରସ୍ତାବ)ରେ ଆମେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବୁ।”


ରାଜ୍ୟସଭାରେ ଦିଲ୍ଲୀ ନିୟନ୍ତ୍ରଣ ବିଲ୍‌କୁ ମାତ ଦେବା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ବିରୋଧୀଙ୍କ ସମର୍ଥନ ଲୋଡ଼ିଥିଲା। ଏଥିପାଇଁ କେଜ୍ରିୱାଲ ନିଜେ ଅଣ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟି ସମର୍ଥନ ହାସଲ କରିବାକୁ ଚେଷ୍ଟା କରିଥିଲେ। କଂଗ୍ରେସ ମଧ୍ୟ ଆପ୍‌କୁ ସମର୍ଥନ ଘୋଷଣା କରିଥିଲା। ହେଲେ ବିରୋଧୀଙ୍କ ସମର୍ଥନ ସତ୍ତ୍ୱେ ଆପ୍‌ ରାଜ୍ୟସଭାରେ ବିଲ୍‌କୁ ଅଟକାଇବାକୁ ସକ୍ଷମ ହେବନି।


ବର୍ତ୍ତମାଦ ରାଜ୍ୟସଭାର ଆସନ ସଂଖ୍ୟା ୨୩୮ ରହିଛି। ବିଲ୍‌ ପାସ୍‌ କରାଇବାକୁ ୧୨୦ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ୧୦୫ ଜଣ ସାଂସଦ ରହିଛନ୍ତି। ଶାସକ ଦଳକୁ ୫ ମନୋନୀତ ଓ ୨ ଜଣ ସ୍ୱାଧୀନ ସାଂସଦ ସମର୍ଥନ କରିବେ। ଏନଡିଏ ସପକ୍ଷରେ ମୋଟ ୧୧୨ ଜଣ ସାଂସଦଙ୍କ ସମର୍ଥନ ରହିଥିଲା।


ସରକାର ମ୍ୟାଜିକ ନମ୍ବର ପାଇଁ ଆଉ ୮ ଜଣ ସାଂସଦଙ୍କ ସମର୍ଥନ ଚାହୁଁଥିଲେ। ଏବେ ୱାଇଏସଆର କଂଗ୍ରେସର ୯ ଜଣ ସାଂସଦ ସରକାରଙ୍କୁ ରାଜ୍ୟସଭାରେ ସମର୍ଥନ କରିବେ। ଏହାର ଅର୍ଥ ଏନଡିଏ ପାଖରେ ୧୨୧ ଜଣ ସାଂସଦଙ୍କ ସମର୍ଥନ ରହିଛି। ଏପରି ସ୍ଥିତିରେ ବିଜେଡି ସମର୍ଥନ ନ କଲେ ମଧ୍ୟ ବିଜେପିକୁ କୌଣସି ପ୍ରକାରର ଫରକ ପଡ଼ିବ ନାହିଁ।

ମାଲବାହୀ ଜାହାଜରେ ନିଆଁ

 ମାଲବାହୀ ଜାହାଜରେ ନିଆଁ



ଲଣ୍ଡନ,୨୭।୭: ନେଦରଲ୍ୟାଣ୍ଡସ ଉପକୂଳରେ ପ୍ରାୟ ୩୦୦୦ କାର ନେଇ ଯାଉଥିବା ଏକ ମାଲବାହୀ ଜାହାଜରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ନେଦରଲ୍ୟାଣ୍ଡସ କୋଷ୍ଟଗାର୍ଡଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି କି ଏହି ନିଆଁ କିଛିଦିନ ଧରି ଜଳିବ। ଏହାକୁ ଲିଭାଇବାକୁ ପ୍ରୟାସ ଆରମ୍ଭ କରାଯାଇଛି।


ସୂଚନାଯୋଗ୍ୟ, ୧୯୯ ମିଟର ଲମ୍ବ ପାନାମାର କାର୍ଗୋ ଜାହାଜ ଫ୍ରେମାଣ୍ଟଲ ହାଇୱେ ଜର୍ମାନୀରୁ ଇଜିପ୍ଟକୁ ଯାଉଥିଲା କିନ୍ତୁ ମଙ୍ଗଳବାର ରାତିରେ ନେଦରଲ୍ୟାଣ୍ଡସ୍‌ ଉପକୂଳରେ ଜାହାଜରେ ନିଆଁ ଲାଗିଯାଇଥିଲା। ନେଦରଲ୍ୟାଣ୍ଡସରେ ଥିବା ଭାରତୀୟ ଦୂତାବାସ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଛି। ଦୂତାବାସ କହିଛି ଯେ ମୃତକଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରାଯାଇଛି ଏବଂ ଶୀଘ୍ର ମୃତଦେହ ଭାରତକୁ ପଠାଯିବ।

ଦୂତାବାସ କହିଛି ଯେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ୨୦ଜଣଙ୍କ ସହ ଯୋଗାଯୋଗରେ ଅଛି ଏବଂ କାର୍ଗୋ ଜାହାଜ ଚଳାଉଥିବା କମ୍ପାନୀ ସହ ସମନ୍ବୟ ରକ୍ଷା କରି ସେମାନଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି।

ଅନୁମାନ କରାଯାଉଛି କି ଜାହାଜରେ ୨୫ଟି ଇଲେକ୍ଟ୍ରିକ କାର ଥିବା ବେଳେ ଗୋଟିଏରେ ନିଅଁା ଲାଗିବାରୁ ଏହା ସବୁଆଡକୁ ବ୍ୟାପିଯାଇଥାଇପାରେ। ଅଗ୍ନୀଶମ ବିଭାଗର କର୍ମୀ ଦୀର୍ଘ ପ୍ରାୟ ୧୬ ଘଣ୍ଟା ହେବ କଠିନ ପରିଶ୍ରମ କରିଥିଲେ ବି ଏବେ ପର୍ଯ୍ୟନ୍ତ ନିଆଁ ଲିଭି ନାହିଁ। ଏବେ ଆଶଙ୍କା କରାଯାଉଛି କି ନିଆଁ ଲିଭାଇବାକୁ ବହୁପରିମାଣରେ ପାଣି ବ୍ୟବହାର ଦ୍ୱାରା ଜାହାଜଟି ବୁଡି ଯିବାର ସମ୍ଭାବନା ରହିଛି।

ବଧୂ ହତ୍ୟା ଅଭିଯୋଗ

 ବଧୂ ହତ୍ୟା ଅଭିଯୋଗ



ଓଡ଼ଗାଁ: ପୁଣି ସାମ୍ନାକୁ ଆସିଛି ବଧୂ ହତ୍ୟା ଅଭିଯୋଗ। ଏଭଳି ଘଟଣା ଘଟିଛି ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ବଧିସାହି ଗ୍ରାମରେ। ଘଟଣା ଘଟାଇ ସ୍ୱାମୀ ଓ ଶ୍ୱଶୁର ଫେରାର ହୋଇଯାଇଛନ୍ତି। ଝିଅକୁ ହତ୍ୟା କରାଯାଇଥିବା ନେଇ ବାପା ଶରଣକୁଳ ଥାନରେ ଅଭିଯୋଗ କରିଛନ୍ତି।

ସୂଚନାରୁ ପ୍ରକାଶ, ବଧିସାହି ଗ୍ରାମର ସୁବାସ ପ୍ରଧାନଙ୍କ ପୁଅ ତପନ ପ୍ରଧାନ (୩୦) ବୈଦିକ ରୀତିନୀତିରେ ନୂଆଗାଁ ଥାନା ଜିଗିନୀପଡା ଗ୍ରାମର ଭିକାରି ସ୍ବାଇଁଙ୍କ ଝିଅ ମୋନାଲିସା ସ୍ଵାଇଁ (୨୧)ଙ୍କୁ ବିବାହ କରିଥିଲେ। ତାଙ୍କ ଔରସରୁ ଏକ ଶିଶୁପୁତ୍ର ଜନ୍ମଗ୍ରହଣ କରିଛି। ସ୍ୱାମୀ ତପନ ସ୍ତ୍ରୀକୁ ଯୌତୁକ ପାଇଁ ବାରମ୍ବାର ନିର୍ଯାତନା ଦେଉଥିଲା । ତେବେ ଗତକାଲି ସକାଳ ୯ଟା ସମୟରେ ତପନ ପ୍ରଧାନ ଶଶୁରଙ୍କୁ ଫୋନ ଯୋଗେ ତାଙ୍କ ଝିଅ କବାଟ ଦେଇ ଘର ଭିତରେ ଥିବା ଏବଂ କବାଟ ଖୋଲୁନଥିବା କଥା ଜଣାଇଥିଲେ।


ଫୋନ ଶୁଣି ମୋନାଲିସାଙ୍କ ବାପା ଭିକାରି ସ୍ୱାଇଁ ଝିଅର ଶାଶୁ ଘରେ ପହଞ୍ଚିଥିଲେ। ଭିକାରି ଘରେ ପହଞ୍ଚିବା ପରେ ଘରର କବାଟ ଖୋଲାଥିବା ଓ ତାଙ୍କ ଝିଅ ଖଟ ଉପରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଭିକାରି ଶରଣକୁଳ ଥାନାରେ ଝିଅକୁ ଯୌତୁକ ଦାବି କରି ଜୀବନରେ ମାରିଦେଇଥିବା ଅଭିଯୋଗ କରିବା ପରେ ଶରଣକୁଳ ଥାନା ଅଧିକାରିଣୀ ପୁଷ୍ପଲତା ବେହେରା, ଏସ ଡି ପିଓ କିରଣ ହେମ୍ରମ୍ ଏବଂ ଓଡ଼ଗାଁ ତହସିଲଦାର ଅନିଲ ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଥିଲେ।


ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି। ଏପଟେ ସ୍ତ୍ରୀକୁ ମାରିବା ପରେ ସ୍ବାମୀ ତପନ ଓ ଶ୍ୱଶୁର ସୁବାସ ଫେରାର ହୋଇଯାଇଛନ୍ତି। ଏକ ବର୍ଷର ଶିଶୁପୁତ୍ର ମା ଛେଉଣ୍ଡ ହୋଇଥିବା ବେଳେ ସେ ବର୍ତ୍ତମାନ ଅଜାଙ୍କ ଘରେ ରହିବ ବୋଲି ଜଣାପଡ଼ିଛି। ଏ ନେଇ ପୁଲିସ ୧୫/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ପୁଅ ସହ ମିଶି ସ୍ୱାମୀକୁ ଛୁରି ଭୁସି ହତ୍ୟା କଲା ସ୍ତ୍ରୀ

ପୁଅ ସହ ମିଶି ସ୍ୱାମୀକୁ ଛୁରି ଭୁସି ହତ୍ୟା କଲା ସ୍ତ୍ରୀ





ଭଦ୍ରକ : ପୁଅ ସହ ମିଶି ସ୍ୱାମୀକୁ ହତ୍ୟା । ପାରିବାରିକ କଳହରୁ ସ୍ୱାମୀକୁ ଛୁରି ଭୁସି ହତ୍ୟା କଲା ସ୍ତ୍ରୀ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଣିତିଆ ପଂଚାୟତ ମହଲା ସାହିରେ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ସୁରେଶ ମହଲା ।


ସୂଚନା ଅନୁଯାୟୀ ସୁରେଶ ଗାଁରେ ରହି କାମ କରୁଥିବାବେଳେ ସ୍ତ୍ରୀ ସଞ୍ଜୁଲତା ଦିଲ୍ଲୀରେ ରହି କାମ କରୁଥିଲେ । ଗତ ସପ୍ତାହେ ହେଲା ଗାଁକୁ ଆସିଥିଲେ । କାମ କରିବାକୁ ଆଉ ଦିଲ୍ଲୀକୁ ନଯିବାକୁ କହିଥିଲେ ସ୍ୱାମୀ ସୁରେଶ । ଏନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସଞ୍ଜୁଲତା ଓ ତାଙ୍କର ନାବାଳକ ପୁଅ ସୁରେଶଙ୍କୁ ଛୁରୀରେ ହତ୍ୟା କରିଥିଲେ। ଘଟଣା ପରେ ସ୍ତ୍ରୀ ଓ ପୁଅକୁ ଗଛରେ ବାନ୍ଧି ମାଡ ମାରିଛନ୍ତି ଗ୍ରାମବାସୀ । ପୋଲିସ ପହଂଚି ସ୍ତ୍ରୀ ଓ ପୁଅକୁ ଅଟକ ରଖିବା ସହ ତଦନ୍ତ କରୁଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତର ଶେଷ ଦିନରେ ୧୦ଟି ଜନଜାତି ସମୁଦାୟକୁ ଭେଟିବେ

 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତର ଶେଷ ଦିନରେ ୧୦ଟି ଜନଜାତି ସମୁଦାୟକୁ ଭେଟିବେ





 

ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ତଥା ଶେଷ ଦିନ । ଏହି ଅବସରରେ ୧୦ଟି ପିଭିଟିଜି ବା ନିର୍ଦ୍ଦିଷ୍ଟ ରୂପେ ସଂକଟପ୍ରବଣ ଜନଜାତି ସମୁଦାୟକୁ  ଭେଟିବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁସାରେ, ଓଡ଼ିଶାରେ ସଉରା, ଲାଞ୍ଜିଆ ସଉରା, କୁଟିଆ କନ୍ଧ, ଡଙ୍ଗରିଆ କନ୍ଧ, ମାଙ୍କିଡ଼ିଆ, ବିରହୋର, ଜୁଆଙ୍ଗ ଆଦି ୧୩ଟି ପିଭିଟିଜି ବସବାସ କରୁଥିବାବେଳେ ଆଜି ସେମାନଙ୍କ ମଧ୍ୟରୁ ୧୦ଟି ଜନଜାତି ସମୁଦାୟର ୫ଜଣିଆ ପ୍ରତିନିଧି ଦଳ ରାଜଭବନ ପରିସରରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ। ରାଷ୍ଟ୍ରପତିଙ୍କ ପରବର୍ତ୍ତୀ କାର୍ଯ୍ୟକ୍ରମ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ରହିଛି। ଦଶବାଟିଆସ୍ଥିତ ବ୍ରହ୍ମାକୁମାରୀ ସେଣ୍ଟରର ଲାଇଟହାଉସ କଂପ୍ଲେକ୍ସରେ ଶିଳାନ୍ୟାସ ଓ ଆମ୍ବ ଚାରା ରୋପଣ କାର୍ଯ୍ୟକ୍ରମ ରହିଛି। ପରେ ସେଠାରେ ମଧ୍ୟାହ୍ନ ଭୋଜନ ଓ ଫଟୋ ସେସନ୍ ପରେ ରାଜଭବନ ଫେରିଆସିବେ ଏବଂ ଅପରାହ୍ଣରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବେ l


Wednesday, July 26, 2023

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ମଞ୍ଜୁରୀ।

 ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ମଞ୍ଜୁରୀ।



ନୂଆଦିଲ୍ଲୀ - ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ମଞ୍ଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନୋଟିସ୍ ଦେଇଥିଲେ ବିରୋଧୀ, ଯାହାକୁ ଆଜି ବାଚସ୍ପତି ଓମ୍ ବିର୍ଲା ଗ୍ରହଣ କରିଛନ୍ତି। ଏନେଇ ସବୁ ଦଳର ନେତାଙ୍କ ସହ ଆଲୋଚନା କରିବି ବୋଲି ବାଚସ୍ପତି ପ୍ରତିଶୃତି ଦେଇଛନ୍ତି। ଏଥିସହ ଆଲୋଚନା କରି ବିତର୍କ ନେଇ ଗୃହରେ ଜଣାଇବେ ବୋଲି କହିଛନ୍ତି ବାଚସ୍ପତି। 


ମଣିପୁର ହିଂସା ନେଇ ଚାଲି ପାରୁନି ସଂସଦର ମୌସୁମୀ ଅଧିବେଶନ। ଜୁଲାଇ 20ରୁ ମୌସୁମୀ ଅଧିବେଶନ ଆରମ୍ଭ ଦିନରୁ ଏହି ଘଟଣାକୁ ନେଇ ଶାସକଙ୍କୁ ଘେରୁଛନ୍ତି ବିରୋଧୀ। ମଣିପୁରରେ ମହିଳାଙ୍କୁ ନିର୍ଯାତନ ଏବଂ ଭିଡିଓ ଭାଇରାଲ୍ ଘଟଣାରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ଅଡି ବସିଛନ୍ତି ବିରୋଧୀ। ଏନେଇ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ଭାରତୀୟ ରାଷ୍ଟ୍ରୀୟ ସମିତି(ବିଆରଏସ୍) ଏବଂ କଂଗ୍ରେସ ଅଲଗା ଅଲଗା ଦୁଇଟି ନୋଟିସ ଦାଖଲ କରିଥିଲେ। 


ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ ଲୋକସଭା ସଚିବଙ୍କ କାର୍ଯ୍ୟାଳୟରେ ଏକ ନୋଟିସ ଦାଖଲ କରିଥିବା ବେଳେ ବିଆରଏସର ଫ୍ଲୋର ଲିଡର୍ ନାଗେଶ୍ୱର ବାଚସ୍ପତିଙ୍କ ନିକଟରେ ଆଉ ଏକ ନୋଟିସ ଦାଖଲ କରିଥିଲେ। ନୋଟିସ୍ କ୍ରମେ ବାଚସ୍ପତି ଅନାସ୍ଥା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ଏବଂ ଏ ବାବଦରେ ଆଲୋଚନା କରି ଗୃହରେ ବିତର୍କ ନେଇ ଜଣାଇବେ ବୋଲି କହିଛନ୍ତି। 


ଅନାସ୍ଥା ପ୍ରସ୍ତାବ ବିରୋଧୀଙ୍କୁ ଗୃହରେ ସରକାରଙ୍କ ସଂଖ୍ୟା ଗରିଷ୍ଠତାକୁ ଚ୍ୟାଲେଞ୍ଜ କରିଥାଏ। ନିୟମ ଅନୁସାରେ, ଯଦି ଲୋକସଭା ବାଚସ୍ପତି ଅନାସ୍ଥା ପ୍ରସ୍ତାବ ପାଆନ୍ତି, ତେବେ ସେ ଏହାକୁ ଗୃହରେ ପଢ଼ନ୍ତି। ଏହା ପରେ ସେ ସଦସ୍ୟମାନଙ୍କୁ ଏ ବାବଦରେ ମତ ରଖିବାକୁ ଅନୁମତି ଦେଇଥାନ୍ତି। ଯଦି ଏହି ପ୍ରସ୍ତାବ ପାରିତ ହୁଏ, ତେବେ ସରକାରଙ୍କୁ ଇସ୍ତଫା ଦେବାକୁ ପଡ଼େ।

ନୋଟ ଭେଳିକି

 ନୋଟ ଭେଳିକି 



ଅନେକ ନୋଟ ଦୈନନ୍ଦିନ କାର୍ଯ୍ୟରେ ଆମ ହାତକୁ ଆସେ ଏବଂ ତା’ପରେ ବଜାରକୁ ଯାଏ। ଯେଉଁଥିରେ ୧୦ ଟଙ୍କାରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ ଅଛି। ଆମେ ୧୦, ୨୦, ୫୦ ଟଙ୍କିଆ ନୋଟ ପ୍ରତି ଅଧିକ ଧ୍ୟାନ ଦେଇ ନ ଥାଉ। କିନ୍ତୁ ଅଧିକାଂଶ ଲୋକ ବଡ ନୋଟକୁ ୨-୩ ଥର ଭଲ ଭାବରେ ଦେଖନ୍ତି, ଯେପରି ସେଗୁଡ଼ିକ ନକଲି ନ ହୋଇଥିବ। ଏହିପରି କିଛି ନୋଟ ବର୍ତ୍ତମାନ ବଜାରରେ ଚାଲୁଛି, ଯାହା ଉପରେ ଲୋକମାନେ ସନ୍ଦେହ କରୁଛନ୍ତି ଏହା ନକଲି ନୋଟ କି ନୁହେଁ? ବାସ୍ତବରେ, ବେଳେବେଳେ ନିଶ୍ଚିତ ଭାବରେ ଲୋକେ ୧୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଏପରି ନୋଟ ଦେଖିଥିବେ, ଯେଉଁଥିରେ * (ତାରକା) ଚିହ୍ନ ଛପା ହୋଇଥିବ। କେହି କେବେ ଭାବିଛନ୍ତି କି ଏହି ନୋଟ ନକଲି ହୋଇପାରେ? ବଜାରରେ ଏପରି ନୋଟ କେଉଁଠୁ ଆସେ? କାରଣ ଷ୍ଟାର୍‌ ସିରିଜ ନୋଟ କ୍ୱଚିତ ଦେଖାଯାଏ। ଅନେକ ଥର ଲୋକମାନେ ଏପରି ନୋଟ ନେବାକୁ ମଧ୍ୟ ଦ୍ୱିଧା ପ୍ରକାଶ କରନ୍ତି ।


ସେମାନଙ୍କ ମନରେ ଏକ ପ୍ରଶ୍ନ ଥାଏ ନୋଟର କ୍ରମିକ ସଂଖ୍ୟା ମଧ୍ୟରେ ଏହି ତାରକା କାହିଁକି ଏବଂ କେଉଁଠୁ ଆସିଲା । ଏହି ନୋଟ ଅସଲି ନା ନକଲି? କେବେ ଏବଂ କାହିଁକି ଷ୍ଟାର୍‌ ସିରିଜ ନୋଟ ବଜାରରେ ଦେଖାଯିବା ଆରମ୍ଭ କଲା? ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମଧ୍ୟ ଏହି ନୋଟଗୁଡିକ ଜାରି କରେ କି? ଏ ବାବଦରେ ସୋସିଆଲ ମିଡିଆରେ ଏକ ଗୁଜବ ମଧ୍ୟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଷ୍ଟାର ସିରିଜ ନୋଟଗୁଡିକ ନକଲି ବୋଲି କୁହାଯାଉଛି ଏବଂ ଲୋକଙ୍କୁ ଏହିପରି ନୋଟ ଗ୍ରହଣ ନକରିବାକୁ କୁହାଯାଇଛି।


କିନ୍ତୁ ସତ୍ୟ କ’ଣ, ତାହା ଜାଣିବା ଆବଶ୍ୟକ। ୨୦୦୬ ରେ ପ୍ରଥମ ଥର ପାଇଁ ଆରବିଆଇ ଷ୍ଟାର ସିରିଜ ନୋଟ ଜାରି କରିଥିଲେ। ଏହି ନୋଟ ଗୁଡିକ ସେହି ନୋଟ ବଦଳରେ ମୁଦ୍ରିତ ହୋଇଥାଏ ଯାହା ମୁଦ୍ରଣ ସମୟରେ ନଷ୍ଟ ହୋଇଯାଏ, କିମ୍ବା ସେଥିରେ କୌଣସି ପ୍ରକାରର ତ୍ରୁଟି ରହିଥାଏ । ସରଳ ଶବ୍ଦରେ, ଯେତେବେଳେ ନୋଟଗୁଡ଼ିକ ପ୍ରିଣ୍ଟ ହୁଏ, କିଛି ନୋଟ ଛାପିବାରେ କିଛି ଭୁଲ ହୁଏ। ଏହି କାରଣରୁ ସେହି ନୋଟଗୁଡ଼ିକୁ ହଟାଇବାକୁ ପଡିଥାଏ ଏବଂ ସେଗୁଡ଼ିକ ସ୍ଥାନରେ ନୂତନ ନୋଟ ଜାରି କରିବାକୁ ପଡିଥାଏ।


ଯେତେବେଳେ ନୂତନ ନୋଟ ଛପାଯାଏ, ସେଗୁଡିକ ଏକ ତାରକା ସହିତ ଚିହ୍ନିତ ହୁଏ, ଯାହା ଦର୍ଶାଏ ସେହି ବଣ୍ଡଲରେ କିଛି ନୋଟ ନଷ୍ଟ ହୋଇଯାଇଥିଲା, ଯେଉଁ ସ୍ଥାନରେ ଏହି ଷ୍ଟାର୍‌ ସିରିଜ ନୋଟ ଗୁଡିକ ଅନ୍ତର୍ଭୂକ୍ତ କରାଯାଇଛି। ଯଦିଓ ଏହି ନୋଟଗୁଡିକର ମୂଲ୍ୟ ସାଧାରଣ ନୋଟଗୁଡିକର ମୂଲ୍ୟ ସହିତ ସମାନ, ବ୍ୟାଙ୍କ କୌଣସି ଯାଞ୍ଚ ବିନା ଏହାକୁ ଗ୍ରହଣ କରେ। ଅର୍ଥାତ ଏହି ନୋଟଗୁଡିକ ନକଲି ନୁହେଁ। ଅପରପକ୍ଷେ, ଅନେକ ଲୋକ ଏହାକୁ ରଖିବା ପାଇଁ ଅଧିକ ମୂଲ୍ୟ ଦିଅନ୍ତି ଏବଂ କିଛି ଅନଲାଇନ ସାଇଟରେ ମଧ୍ୟ ଏହି ଷ୍ଟାର ଚିହ୍ନିତ ନୋଟ ଗୁଡିକ ଲୋକଙ୍କୁ ଭ୍ରମିତ କରି ଅଧିକ ମୂଲ୍ୟରେ ବିକ୍ରି ହୁଏ ।


ପୂର୍ବରୁ ଏହିପରି ନୋଟଗୁଡିକ କେବଳ ୧୦, ୨୦ ଏବଂ ୫୦ ଟଙ୍କା ମୂଲ୍ୟରେ ଛପା ଯାଇଥିଲା । କିନ୍ତୁ ୨୦୦୯ ପରଠାରୁ ଷ୍ଟାର ସିରିଜରେ ୧୦୦, ୫୦୦ ଟଙ୍କା ଏବଂ ୧୦୦୦ ଟଙ୍କା (ଯାହା ବନ୍ଦ ହୋଇଯାଇଛି) ର ନୋଟ ମଧ୍ୟ ଛପା ଯାଇଥିଲା। ଷ୍ଟାର୍‌ ସିରିଜ ନୋଟ ଗୁଡିକ ସାଧାରଣ ନୋଟ ପରି, କେବଳ ପାର୍ଥକ୍ୟ ହେଉଛି ଏହି ନୋଟଗୁଡିକର ପ୍ରଥମ ୩ ଅକ୍ଷର (ଉପସର୍ଗ) ପରେ ଏକ ଷ୍ଟାର୍‌ ସଙ୍କେତ ଥାଏ ଏବଂ ଏହା ପରେ କ୍ରମିକ ସଂଖ୍ୟା ଲେଖାଯାଇଥାଏ ।


ଷ୍ଟାର୍‌ ସିରିଜ ନୋଟ ସିରିଜ ରେ ବ୍ୟବହୃତ ପ୍ରଥମ ୩ ଅକ୍ଷର ଅନ୍ୟ ନୋଟ ସିରିଜ ରେ ବ୍ୟବହୃତ ହୁଏ ନାହିଁଦ୍‌। ସେଥିପାଇଁ ସେଗୁଡ଼ିକ ସାଧାରଣ ମୁଦ୍ରିତ ନୋଟ ଠାରୁ ସାମାନ୍ୟ ଭିନ୍ନ। ଯେତେବେଳେ ବି ଏହିପରି ନୋଟ ଦିଆଯାଏ, ସେପରି ପ୍ୟାକେଟରେ ଏକ ଷ୍ଟ୍ରିପ ରଖାଯାଇଥାଏ। ଯେଉଁଥିରେ ଲେଖାଥାଏ ପ୍ୟାକେଟରେ ଷ୍ଟାର୍‌ ସଙ୍କେତ ସହିତ ନୋଟ ଅଛି, ଯାହା ଦ୍ୱାରା ସେଗୁଡିକ ସହଜରେ ଚିହ୍ନଟ ହୋଇପାରିବ। ଏହି ନୋଟ ଗୁଡିକ ଅସଲି ଏବଂ ସାଧାରଣ କାରବାରରେ ସମ୍ପୂର୍ଣ୍ଣ ଉପଯୋଗୀ। ତେଣୁ ଗୁଜବ ପ୍ରତି ଧ୍ୟାନ ନ ଦେଇ ଏବଂ କୌଣସି ନୋଟ ସମ୍ବନ୍ଧୀୟ ସୂଚନା ପାଇଁ ସୋସିଆଲ ମିଡିଆ ଭାଇରାଲ ପୋଷ୍ଟ ବଦଳରେ ଆରବିଆଇକୁ ବିଶ୍ୱାସ କରିବା ଜରୁରୀ।

ମୁଁ ଆଇଆଇସିଙ୍କ ସ୍ୱାମୀ।

 ମୁଁ ଆଇଆଇସିଙ୍କ ସ୍ୱାମୀ



ମୁଁ ଆଇଆଇସିଙ୍କ ସ୍ୱାମୀ। ହାଇଦର ଗ୍ୟାଙ୍ଗ ସହ ବସଉଠ କରୁଛି। ଏପରି କହି ଏକ ଘରୋଇ ଟ୍ୟୁଟୋରିଆଲର ୨ ଅଧ୍ୟାପକ ପ୍ରାୟ ୨୦ ଛାତ୍ରଙ୍କୁ ସାମାନ୍ୟ ଗଣ୍ଡଗୋଳ ପାଇଁ ନିର୍ଧୂମ ଗୋରୁଗାଇ ପରି ପିଟିଛନ୍ତି। ଏଥିଯୋଗୁ ବହୁ ଛାତ୍ର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ବହୁ ଜଣ ଅସୁସ୍ଥ ଅବସ୍ଥାରେ ଘରେ ରହିଛନ୍ତି। ନୟାଗଡ଼ ଜିଲ୍ଲା ତୁଳସୀପୁରସ୍ଥିତ ଏକ ଯୁକ୍ତ-୨ ଟ୍ୟୁଟୋରିଆଲର ୨ ଅଧ୍ୟାପକ କିଛି ଛାତ୍ରଙ୍କ ଉପରେ ଏପରି ପାଶବିକ ଅତ୍ୟାଚାର କରିଛନ୍ତି।


ଅଭିଯୋଗ ଅନୁଯାୟୀ, ଗତ ସୋମବାର ରାତିରେ ନୟାଗଡ଼ ତୁଳସୀପୁର ସ୍ଥିତ ଯୁକ୍ତ ୨ ଗତିଶ୍ଵର ଟିୟୁଟୋରିଆଲ ହଷ୍ଟେଲରେ ଥିବା କିଛି ଛାତ୍ରଙ୍କ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା l ଖବର ପାଇ ଗତକାଲି କେମେଷ୍ଟ୍ରୀ ଓ ବଟନୀର ୨ ଅଧ୍ୟାପକ ଲକ୍ଷ୍ମୀଧର ଦାଶ ଓ ଦିଲ୍ଲୀପ କୁମାର ମହାନ୍ତି ହଷ୍ଟେଲରେ ପହଞ୍ଚିଥିଲେ। ସେମାନେ ପିଲାଙ୍କଠାରୁ ଘଟଣା ସମ୍ପର୍କରେ ବୁଝିବା ପରିବର୍ତ୍ତେ ପ୍ରାୟ ୨୦ ଛାତ୍ରଙ୍କୁ ପ୍ରଥମେ ଆଣ୍ଠେଇ ଦେଇଥିଲେ। ଏହାପରେ ବେତରେ ସେମାନଙ୍କୁ ନିର୍ଘାତ ପିଟି ଚାଲିଥିଲେ। ଏଥିଯୋଗୁ ବହୁ ପିଲାଙ୍କ ଶରୀରରେ ମାଡ଼ ଦାଗର ଚିହ୍ନ ରହିଛି।


ଏ ସମ୍ପର୍କରେ ବାହାରେ ପ୍ରଘଟ ନ କରିବାକୁ ଅଧ୍ୟାପକ ଲକ୍ଷ୍ମୀଧର ଦାଶ ପିଲାମାନଙ୍କୁ ଧମକ ଦେଇଥିଲେ। ମୋ’ ସ୍ତ୍ରୀ ଆଇଆଇସି, ମୁଁ ହାଇଦର ଗ୍ୟାଙ୍ଗ ସହ ବସଉଠ କରିବା ସହ ଖିଆପିଆ ବି କରୁଛି। ତେଣୁ ମୋର କିଛି କରି ପାରିବନି ବୋଲି ସେ ଛୋଟ ଛୋଟ ପିଲାଙ୍କୁ ଧମକ ଦେଇଥିଲେ। ଏପରିକି ବାହାରେ ପ୍ରଘଟ କଲେ ପ୍ରାକ୍ଟିକାଲ ମାର୍କ କାଟିଦେବାକୁ ବି ଅଧ୍ୟାପକ ଲକ୍ଷ୍ମୀଧର ଦାଶ ଧମକ ଦେଇଥିଲେ।


ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ତୁରନ୍ତ ଅଧ୍ୟାପକ ଲକ୍ଷ୍ମୀଧର ଦାଶଙ୍କୁ ଗିରଫ କରିଥିବା ବେଳେ ସଙ୍ଗେ ସଙ୍ଗେ ସେ ଜାମିନରେ ବାହାରି ଆସିଛନ୍ତି। କିନ୍ତୁ ଅନ୍ୟ ଜଣେ ଏବେ ବି ଫେରାର ଅଛନ୍ତି।


ଏଥିସହ କିଛି ପିଲାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସେମାନେ ଘରକୁ ଫେରିଥିବା ଜଣାଯାଇଛି।

ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ସାଧାରଣ ଲୋକ ହଇରାଣ ହେଉଛନ୍ତି l - ରାଷ୍ଟ୍ରପତି

 ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ସାଧାରଣ ଲୋକ ହଇରାଣ ହେଉଛନ୍ତି l - ରାଷ୍ଟ୍ରପତି 




ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ସାଧାରଣ ଲୋକ ହଇରାଣ ହେଉଛନ୍ତି । ଏଥିପାଇଁ ଅନେକ ଜୀବନ ଜେଲରେ କଟୁଛି । ନ୍ୟାୟ ବିଳମ୍ବ ପାଇଁ ପୀଡ଼ିତ ମଧ୍ୟ ହତାଶ ହୋଇପଡୁଛି । ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟ ହେବ । ୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ନିଜ ଅଭିଭାଷଣରେ ତ୍ୱରିତ୍ୱ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି।


ଜୟ ଜଗନ୍ନାଥ କହି ନିଜ ଭାଷଣ ଆରମ୍ଭ କରିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାରଗିଲ ଦିବସ ଅବସରରେ ସହିଦଙ୍କୁ ନମନ କରିଛନ୍ତି। ବୀରମାଟି କଟକକୁ ପ୍ରଣାମ କରିବା ସହ ଉତ୍କଳ ଗୌରବ ମଧୁସୂଦନ, ନେତାଜୀ ସୁଭାଷଙ୍କ କଥା ମନେ ପକାଇଛନ୍ତି ରାଷ୍ଟ୍ରପତି। ଏହି ଅବସରରେ ସେ ଓଡ଼ିଶା ହାଇକୋର୍ଟର ଗୌରବ ଗାଥା ମଧ୍ୟ ବଖାଣିବାକୁ ଭୁଲି ନାହାନ୍ତି। 


ଆଜି ହାଇକୋର୍ଟ ପ୍ରତିଷ୍ଠା ଉତ୍ସବ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। 


ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପରେ ରାଷ୍ଟ୍ରପତି ମ୍ୟୁଜିୟମ ଅଫ୍‌ ଜଷ୍ଟିସ ପରିଦର୍ଶନ କରିଛନ୍ତି। ଏହାପରେ ସେ ହାଇକୋର୍ଟରେ ମଧ୍ୟାହ୍ନ ଭୋଜନ କରି ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି।


୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ରାତିରେ ରାଜ୍ୟପାଳ ଭବନରେ ରାତ୍ରୀ ଯାପନ କରିଥିବା ରାଷ୍ଟ୍ରପତି ଆଜି ସକାଳେ ସଡ଼କ ପଥରେ ଭୁବନେଶ୍ୱରରୁ କଟକରେ ପହଞ୍ଚିଥିଲେ। ଏହାପରେ ସେ ପ୍ରଥମେ ମା’ କଟକ ଚଣ୍ଡୀଙ୍କ ଦର୍ଶନ କରି ସେଠାରୁ ମଧୁବାବୁଙ୍କ ଘର ପରିଦର୍ଶନରେ ଯାଇଥିଲେ । ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ଓ ନେତାଜୀ ସଂଗ୍ରହାଳୟ ବୁଲିଥିଲେ। ଏହାପରେ ସେ ଶୈଳବାଳା ମହାବିଦ୍ୟାଳୟୟ ଓ କଟକ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ।

ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଭବାନୀପାଟଣା ଜଳ ଯୋଗାଣ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କୁ ଘରେ ଭିଜଲାନ୍ସ ବିଭାଗ ପକ୍ଷରୁ ଚଢାଉ

 ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଭବାନୀପାଟଣା ଜଳ ଯୋଗାଣ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କୁ ଘରେ ଭିଜଲାନ୍ସ ବିଭାଗ ପକ୍ଷରୁ ଚଢାଉ




ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଭବାନୀପାଟଣା ଜଳ ଯୋଗାଣ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କୁ ଘରେ ଭିଜଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। କିଶୋରଙ୍କ ଭବାନୀପାଟଣା ସହରର ଜଳେଶ୍ଵର ମନ୍ଦିର ରାସ୍ତାରେ ଥିବା ତିନି ମହଲା ବିଶିଷ୍ଟ ବାସଭବନ ସମେତ ସରକାରୀ କାର୍ଯ୍ୟାଳୟ ଓ ପୈତୃକ ଘରେ ଭିଜିଲାନ୍ସ ଅଧିକାରୀ ଏକ କାଳୀନ ଚଢ଼ାଉ କରିଛନ୍ତି।


ଚଢ଼ାଉ ବେଳେ ବିଭିନ୍ନ ବ୍ୟାଙ୍କରେ କିଶୋରଙ୍କର ୧କୋଟି ୮୦ଲକ୍ଷ ଟଙ୍କା ଡିପୋଜିଟ୍‌ ଥିବା ଜଣାପଡ଼ିଛି। ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ  ହୋଇଯାଇଛନ୍ତି। କୋରାପୁଟ ଓ ଜୟପୁର ଡିଭିଜନର ଭିଜିଲାନ୍ସର ୩୦ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।


କିଶୋର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଅଧିକାରୀ ତଦନ୍ତ କରି ଆଜି ସକାଳେ କିଶୋରଙ୍କ ଘରେ ଚଢ଼ାଉ କରିଥିଲେ।

କାର୍ଗିଲ ବିଜୟ ଦିବସ : ପାକିସ୍ତାନ ବିରୋଧରେ ସେନାର ବିରତ୍ୱକୁ ମନେ ପକାଉଛି ସାରାଦେଶ

 କାର୍ଗିଲ ବିଜୟ ଦିବସ : ପାକିସ୍ତାନ ବିରୋଧରେ ସେନାର ବିରତ୍ୱକୁ ମନେ ପକାଉଛି ସାରାଦେଶ



 

ନୂଆଦିଲ୍ଲୀ -ଦେଶ ଆଜି ୨୪ ତମ କାର୍ଗିଲ ବିଜୟ ଦିବସ ପାଳନ କରୁଛି । କାରଗିଲ୍ ୱାର ମେମୋରିଆଲରେ ବିଜୟ ଦିବସ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଳନ କରାଯାଉଛି । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି । ୧୯୯୯ରେ ଲାହୋର ରାଜିନାମାକୁ ଅମାନ୍ୟ କରି ପାକିସ୍ତାନ ସେନା କଶ୍ମୀରର କାର୍ଗିଲ ଅଞ୍ଚଳରେ ପ୍ରବେଶ କରିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ୨ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିବା ପରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ । ଏଥିରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି ।


ମେ’ ୨୬ରେ ଭାରତୀୟ ବାୟୁସେନା ଏହାର ଅପରେସନ୍‌ ‘ସଫେଦ ସାଗର’ ଆରମ୍ଭ କରିଥିଲା। ଏଥିରେ ବାୟୁସେନାର ମିଗ୍‌-୨୧, ମିଗ୍‌-୨୭ ଓ ମିରେଜ୍‌-୨୦୦୦ ବିମାନଗୁଡ଼ିକ ଶତ୍ରୁସେନା ଉପରେ ରକେଟ୍‌ ଓ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଥିଲେ । ଏପରିକି ପାକିସ୍ତାନରେ ପଶି ବୋମା ନିକ୍ଷେପ କରିବାକୁ ମଧ୍ୟ ବାୟୁସେନା ଯୋଜନା କରିଥିଲା । ମାତ୍ର ତତ୍କାଳୀନ ଅଟଳବିହାରୀ ବାଜପେୟୀଙ୍କ ଏନ୍‌ଡିଏ ସରକାର କୌଣସି ପରିସ୍ଥିତିରେ ବି ଭାରତୀୟ ବିମାନଗୁଡ଼ିକ ନିୟନ୍ତ୍ରଣ ରେଖା ନଡେଇଁବା ପାଇଁ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଏ ଵାଇ ଟିପନିସ୍‌ଙ୍କୁ ପରାମର୍ଶ କରିଥିଲେ । ଏଥି ସହିତ ଯୁଦ୍ଧ ବେଳେ ନିୟନ୍ତ୍ରଣ ରେଖା ଡେଇଁବାକୁ ବାୟୁସେନା ଚାହିଥିଲା ବେଳେ ତାହାକୁ ମଧ୍ୟ ସରକାର ପ୍ରତ୍ୟାଖ୍ୟାନ କରିଥିଲେ ।


ଭାରତୀୟ ନୌସେନା ମଧ୍ୟ ଅପରେସନ ‘ତଲଵାର’ ଆରମ୍ଭ କରିଥିଲା, ଯେଉଁଥିରେ ପାକିସ୍ତାନୀ ବନ୍ଦର ବିଶେଷ କରି କରାଚିକୁ ତୈଳ ଓ ଇନ୍ଧନ ଯୋଗାଣ ବନ୍ଦ କରିଦେଇଥିଲା। ଏପରିକି ନୌସେନାର ପୂର୍ବତଟ ଓ ପଶ୍ଚିମତଟ ବାହିନୀ ଆରବ ସାଗରରେ ପଇଁତରା ମାରି ପାକିସ୍ତାନର ଯାବତୀୟ ବାଣିଜ୍ୟପଥ ବନ୍ଦ କରିଦେବାକୁ ଧମକାଇଥିଲା। ଏଥିରେ ଆମେରିକା ହସ୍ତକ୍ଷେପ କରିବାକୁ ପାକିସ୍ତାନ ଅନୁରୋଧ କରିଥିବା ବେଳେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ ତାହା ପ୍ରତ୍ୟାଖ୍ୟାନ କରିବା ସହ ନିୟନ୍ତ୍ରଣ ରେଖା ନିକଟରୁ ନିଜ ସୈନ୍ୟଙ୍କୁ ଫେରାଇନେବା ଲାଗି ପାକିସ୍ତାନକୁ ପରାମର୍ଶ କରିଥିଲେ। ଜୁଲାଇ ୨୬ରେ ଭାରତୀୟ ସେନା କାର୍ଗିଲ୍‌ରେ ପାକିସ୍ତାନ ନିର୍ମିତ ଘାଟିଗୁଡ଼ିକ ଧ୍ବଂସ କରି ବିଜୟ ହାସଲ କରିଥିଲେ । ଏହି ଯୁଦ୍ଧରେ ୫୨୭ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ପାକିସ୍ତାନର ୩୫୭ରୁ ୪୫୩ ଭିତରେ ସୈନିକଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା ।

୨ଟି ହୁଲକ୍ ଗିବନ ଏବଂ ୨ଟି ଲିଓପାର୍ଡ କ୍ୟାଟଙ୍କୁ ସ୍ୱାଗତ କରିଛନ୍ତି ନନ୍ଦନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ।

 ୨ଟି ହୁଲକ୍ ଗିବନ ଏବଂ ୨ଟି ଲିଓପାର୍ଡ କ୍ୟାଟଙ୍କୁ ସ୍ୱାଗତ କରିଛନ୍ତି ନନ୍ଦନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ।



ଭୁବନେଶ୍ବର - ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି। ୨ଟି ହୁଲକ୍ ଗିବନ ଏବଂ ୨ଟି ଲିଓପାର୍ଡ କ୍ୟାଟଙ୍କୁ ସ୍ୱାଗତ କରିଛନ୍ତି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ। ଅରୁଣାଚଳ ପ୍ରଦେଶ ଇଟାନଗର ପ୍ରାଣୀ ଉଦ୍ୟାନରୁ ଅଦଳ ବଦଳ ପ୍ରକ୍ରିୟାରେ ଏହି ନୂଆ ଅତିଥିଙ୍କୁ ଅଣାଯାଇଛି।


ନନ୍ଦନକାନନରୁ ବାଘ ରକି, ବାଘୁଣୀ ସୋହିନୀ ଏବଂ ଦୁଇଟି ଘଡ଼ିଆଳ କୁମ୍ଭୀର ବଦଳରେ ୨ଟି ହୁଲକ୍ ଗିବନ ଓ ଦୁଇଟି ଲିଓପାର୍ଡ କ୍ୟାଟ୍ ନନ୍ଦନକାନନ ଆସିଛନ୍ତି। ଏନେଇ ସେଣ୍ଟ୍ରାଲ୍ ଜୁ’ ଅଥୋରିଟି ପକ୍ଷରୁ ଅନୁମୋଦନ ମିଳିବା ପରେ ଇଟ୍ଟାନଗରରୁର ଏକ ଟିମ୍ ନନ୍ଦନକାନନ ଆସିଥିଲେ। ବାଘ ରକି ଓ ବାଘୁଣୀ ସୋହିନୀ ଏବଂ ଦୁଇଟି ଘଡ଼ିଆଳ କୁମ୍ଭୀରକୁ ନେଇ ଯାଇଥିଲେ। ସେହିପରି ନନ୍ଦନକାନନରୁ ଏକ ୬ଜଣିଆ ଟିମ୍ ଇଟ୍ଟାନଗର ଯାଇଥିଲେ।


ସୂଚନାଯୋଗ୍ୟ, ସୋହିନୀ ୨୦୨୧ ଏପ୍ରିଲ ୧୪ ତାରିଖରେ ଜନ୍ମଲାଭ କରିଥିଲା। ସାଧାରଣ ନାଲି ରଙ୍ଗର ବାଘୁଣୀ ଓ ମେଘା ଓ ମହାବଳ ନନ୍ଦନର ମିଳନରୁ ସୋହିନୀ ଜନ୍ମଲାଭ କରିଥିଲା। ସେହିଭଳି ରକି ୨୦୨୧୧ ମାର୍ଚ୍ଚ ୨୮ରେ ଧଳା ରଙ୍ଗର ବାଘୁଣୀ ବିଜୟା ଓ ସାଧାରଣ ନାଲି ରଙ୍ଗର ବାଘର ସେଫ୍‌ର ମିଳନରୁ ଜନ୍ମଲାଭ କରିଥିଲା।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...