AFFILIATE MARKETING

https://binomo.com?a=90810425bb57&t=0

Monday, August 7, 2023

୫-ଟି ସଚିବ ପାଣ୍ଡିଆନ୍‌ ଦୁଇଦିନିଆ ବଲାଙ୍ଗୀର ଜିଲା ଗସ୍ତ

 ୫-ଟି ସଚିବ ପାଣ୍ଡିଆନ୍‌ ଦୁଇଦିନିଆ ବଲାଙ୍ଗୀର ଜିଲା ଗସ୍ତ



ବଲାଙ୍ଗୀର,୭ା୮ : ବଲାଙ୍ଗୀର ଜିଲାର ସମସ୍ତ ଯୁକ୍ତ ୨ ଓ ଯୁକ୍ତ ୩ କଲେଜକୁ ୫-ଟି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ କରିଛନ୍ତି। ରବିବାର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଡିଆରେ ଆୟୋଜିତ ଛାତ୍ରୀଛାତ୍ର ସମାବେଶରେ ଯୋଗଦେଇ ୫-ଟି ସଚିବ ଭି.କେ.ପାଣ୍ଡିୟାନ ଏହି ସୂଚନା ଦେଇଛନ୍ତି। ଏହା ସହିତ ଜିଲାର ସମସ୍ତ କଲେଜର ଉନ୍ନୟନ ପାଇଁ ମୁଖ୍ୟମନ୍ତ୍ରୀ ୪୦ କୋଟି ଟଙ୍କା ଅନୁଦାନ ଦେଇଥିବା ସେ ସୂଚନା ଦେଇଥିଲେ।

୫-ଟି ସଚିବ ପାଣ୍ଡିଆନ୍‌ ଦୁଇଦିନିଆ ବଲାଙ୍ଗୀର ଜିଲା ଗସ୍ତ କାର୍ଯ୍ୟକ୍ରମରେ ରବିବାର ସକାଳେ ତୁଷରା ଉଡାଜାହାଜ ପଡିଆରେ ଅବତରଣ କରିଥିଲେ। ସେଠାରୁ ସେ ପ୍ରଥମେ ତୁଷରା ସମଲେଶ୍ୱରୀ ମନ୍ଦିର ପରଦର୍ଶନରେ ଯାଇଥିଲେ। ପରେ ବେଲପଡା, ଟିଟିଲାଗଡ, ହରିଶଙ୍କର କାର୍ଯ୍ୟକ୍ରମ ସାରି ଅପରାହ୍ଣ ପ୍ରାୟ ୩ଟାରେ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଡିଆରେ ଆୟୋଜିତ ଛାତ୍ରୀଛାତ୍ର ସମାବେଶରେ ଯୋଗଦାନ କରିଥିଲେ। ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଇ ୫-ଟି ସଚିବ କହିଥିଲେ ଯେ, ଜୀବନରେ ସଫଳତା ପାଇବାକୁ ହେଲେ ପ୍ରଥମେ ଶାରୀରିକ ଏବଂ ମାନସିକ ସୁସ୍ଥତାର ଆବଶ୍ୟକତା ରହିଛି। ଛାତ୍ର ଜୀବନରେ ସେ ନିଜେ କିଭଳି ଦୈନିକ ୨୦ କିଲୋମିଟର ସାଇକେଲରେ ଯିବା ଆସିବା ପରେ ସରକାରୀ ସ୍କୁଲରେ ପାଠ ପଡୁଥିଲେ କହିଥିଲେ। ଜୀବନରେ ସଫଳତା ଆଣିବାକୁ ହେଲେ କଠୋର ପରିଶ୍ରମ ସହ ନିଜର ଲକ୍ଷ୍ୟ ସ୍ଥିର କରିବାକୁ ଜୋର ଦେଇଥିଲେ। ସେ ନିଜେ ସ୍ନାତକୋତ୍ତର ଶ୍ରେଣୀରେ ଏକ ଜାତୀୟ ପ୍ରତିଷ୍ଠାନରେ ପାଠ ପଢ଼ିବାକୁ ମନସ୍ଥ କରିଥିଲେ। ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରେ ସେ ଯେଉଁ ବିଷୟରେ ପାଠ ପଢ଼ିବା ପାଇଁ ସ୍ଥିର କରିଥିଲେ ସେଥିରେ ସର୍ବଭାରତୀୟ ସ୍ତରରେ ମାତ୍ର ଦୁଇଟି ସିଟ୍‌ ଥିଲା। ଏହାସତ୍ତ୍ୱେ ସେ ସେହି ଦୁଇଟି ସିଟ୍‌ ଭିତରୁ ଗୋଟିଏ ସିଟ୍‌ ପାଇ କିଭଳି ପାଠ ପଢ଼ିଲେ ଓ ପରେ ସିଭିଲ ସର୍ଭିସରେ ମଧ୍ୟ କୃତକାର୍ଯ୍ୟ ହୋଇଥିବା କହିଥିଲେ। ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବାକୁ ଯାଇ ଭଲ ସାଙ୍ଗ କିଭଳି ଆତ୍ମବିଶ୍ୱାସ ବଢ଼ାଏ ଏବଂ ଏହା ଜୀବନରେ କିଭଳି କାମରେ ଆସେ ସେ କହିଥିଲେ। ଏହି ଅବସରରେ ଶିକ୍ଷକମାନେ କିଭଳି ଛାତ୍ରୀଛାତ୍ରଙ୍କ ଜୀବନ ଗଠନ କରିବେ କହିଥିଲେ। ସେଠାରେ ଉପସ୍ଥିତ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଛାତ୍ରୀଛାତ୍ରଙ୍କ ପାଇଁ ଆଦର୍ଶ ପାଲଟିବାକୁ କହିଥିଲେ। ଶିକ୍ଷକମାନଙ୍କ ବିଭିନ୍ନ ବର୍ଗର ଯେଉଁ ଅସୁବିଧା ରହିଛି ତାକୁ ଆଗାମୀ ଦିନରେ ସରକାର ସମାଧାନ କରିବେ ବୋଲି ସେ କହିଥିଲେ। କେତେକ ଛାତ୍ରଙ୍କୁ ପୋଲିସ ଅଟକ ରଖିଥିବା ନେଇ ଅନ୍ୟ କେତେକ ଛାତ୍ର ଉକ୍ତ ସମାବେଶରେ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି। ଛାତ୍ର ଅଟକ ଘଟଣାକୁ ନେଇ ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ବିଶ୍ୱବିଦ୍ୟାଳୟ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସକ ଭିନିଲ କ୍ରିଷ୍ଣା, ଜିଲାପାଳ ଚଞ୍ଚଳ ରାଣା, ଏସପି ଋଷିକେଶ ଖିଲାରୀ, ଅତିରିକ୍ତ ଜିଲାପାଳ ଲମ୍ବୋଦର ଧରୁଆ, ଉପଜିଲାପାଳ କୁମାର ନାଗଭୂଷଣ ଉପସ୍ଥିତ ଥିଲେ।

ମଦ୍ୟପ ସ୍ଵାମୀର ପତ୍ନୀ ହତ୍ୟା

 ମଦ୍ୟପ ସ୍ଵାମୀର ପତ୍ନୀ ହତ୍ୟା 



ମଦ ଉଜାଡ଼ି ଦେଇଛି ସଂସାର। ମଦ ନିଶାରେ ସାତ ଜନ୍ମର ସାଥୀଙ୍କ ଜୀବନ ନେଇ ଯାଇଛି ଜହ୍ଲାଦ ସ୍ୱାମୀ। ଯାହାଙ୍କ ହାତ ସେ ସାତ ଜନ୍ମ ପାଇଁ ଧରିଥିଲା ଏବେ ତାଙ୍କୁ ପିଟିପିଟି ସବୁ ଦିନ ପାଇଁ ମାରି ଦେଇଛି। ନବରଙ୍ଗପୁର ସଦର ଥାନା ଅନ୍ତର୍ଗତ ବଡ଼ ଡାଇଭଟ୍ଟା ଗାଁରେ ଏପରି ଘଟଣା ଘଟିଛି। ଗାଁର ରବି ଖିଲ ନିଜ ସ୍ତ୍ରୀ ସସ୍ମିତା ଖିଲଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଘଟଣାଟି ଶନିବାର ରାତିରେ ଘଟିଥିବା ବେଳେ ଆଜି ମଧ୍ୟାହ୍ନରେ ସାମ୍ନାକୁ ଆସିଛି। ସବୁଦିନ ଭଳି ଶନିବାର ରାତିରେ ମଧ୍ୟ ରବି ମଦ ପିଇ ଘରକୁ ଆସିଥିଲା। ସମ୍ଭବତଃ ରବି ଓ ସସ୍ମିତାଙ୍କ ମଧ୍ୟରେ ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। କିନ୍ତୁ ଏକଥା ଗାଁ ଲୋକ କେହି ଜାଣି ନଥିଲେ। ରାତି ଅନେକ ହୋଇଯାଇ ଥିବାରୁ ରବି ଓ ତାଙ୍କ ପଡ଼ୋଶୀମାନେ ନିଜ ନିଜ ଘର ଭିତରୁ ଚାଲି ଯାଇଥିଲେ। ପଡ଼ୋଶୀମାନେ ମଧ୍ୟ ଶୋଇ ପଡ଼ିଥିଲେ।

ତେବେ ଆଜି ମଧ୍ୟାନ୍ନ ପର୍ଯ୍ୟନ୍ତ ସସ୍ମିତା ଘରୁ ନବାହାରିବାରୁ ପଡ଼ୋଶୀଙ୍କ ସହନ୍ଦେ ବଢ଼ିଥିଲା। ରବିକୁ ମଧ୍ୟ ସେମାନେ ଦେଖିବାକୁ ପାଇ ନଥିଲେ। ଫଳରେ କିଛି ଲୋକ ଏକାଠି ହୋଇ ସସ୍ମିତାଙ୍କ ଘରକୁ ଯାଇଥିଲେ। କିନ୍ତୁ ସେଠାକାର ସ୍ଥିତିକୁ ଦେଖି ସମସ୍ତେ ପୂରା ହତବାକ ହୋଇ ଯାଇଥିଲେ।

ଘର ଭିତରେ ସସ୍ମିତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିଲା। ସ୍ୱାମୀ ରବି ଖିଲ ବେଶ ଦୁଃଖର ସହ ସସ୍ମିତାଙ୍କ ମୁଣ୍ଡ ନିକଟରେ ବସି ରହିଥିଲା। ସସ୍ମିତାଙ୍କ ଦେହ ସାରା କ୍ଷତଚିହ୍ନ ରହିଥିଲା। ସେହିପରି ପେଟରେ ଛତା ଭୁଷା ଯାଇଥିବା ପଡ଼ୋଶୀମାନେ ଦେଖିବାକୁ ପାଇଥିଲେ।

ଏହା ଦେଖି ସମସ୍ତେ ଡରି ଯିବା ସହ ରବି ହିଁ ମଦ ନିଶାରେ ସସ୍ମିତାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କରି ପୁଲିସ୍‌କୁ ଖବର ଦେଇଥିଲେ। ନବରଙ୍ଗପୁର ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା।

ପାରିପାର୍ଶ୍ୱିକ ସ୍ଥିତି ଓ ପଡ଼ୋଶୀଙ୍କ ଅଭିଯୋଗ ଆଧାରରେ ପୁଲିସ ଏପରି ନିର୍ମମ ହତ୍ୟାକାଣ୍ଡ ପଛରେ ରବିର ହାତ ଥିବା ସନ୍ଦେହ କରିଛି। ଏଥିପାଇଁ ଅଭିଯୁକ୍ତ ରବିକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି।

ଗାଁର ଜଣେ ଯୁବକ କହିଛନ୍ତି, ମୃତ ସସ୍ମିତା ହେଉଛନ୍ତି କାମେନି ନାଗଙ୍କ ଝିଅ। ସେ ଏହି ଗାଁର ରବି ଖିଲଙ୍କୁ ୭ରୁ ୮ ବର୍ଷ ତଳେ ବିବାହ କରିଥିଲେ। ସେମାନଙ୍କର ୨ଟି ପିଲା ମଧ୍ୟ ରହିଛନ୍ତି। ଏବେ ସେମାନେ ପୂରା ଅନାଥ ହୋଇ ଯାଇଛନ୍ତି। ରବି ଖିଲ ପତ୍ନୀ ସସ୍ମିତାଙ୍କୁ ମାରି ପୁଲିସ୍‌ ପାଖରେ ରହିଛି। ସସ୍ମିତା ଆଉ ଏ ଦୁନିଆରେ ନାହାନ୍ତି। ତେଣୁ ପ୍ରଶାସନ ଓ ସରକାର ୨ ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରୁନ୍ତୁ ବୋଲି ଯୁବକ ଜଣଙ୍କ ଅନୁରୋଧ କରିଛନ୍ତି।

ପାକିସ୍ତାନରେ ଗୋଟିଏ ଯାତ୍ରୀବାହୀ ଟ୍ରେନ୍‌ର ୧୦ଟି ବଗି ଲାଇନଚ୍ୟୁତ

ପାକିସ୍ତାନରେ ଗୋଟିଏ ଯାତ୍ରୀବାହୀ ଟ୍ରେନ୍‌ର ୧୦ଟି ବଗି ଲାଇନଚ୍ୟୁତ



ଓଡ଼ିଶାର ବାଲେଶ୍ୱର ଟ୍ରେନ ଟ୍ରାଜେଡି ଲୋକଙ୍କ ମନରୁ ଲିଭି ନଥିବା ବେଳେ ଆଜି ପାକିସ୍ତାନରେ ସମାନ ଘଟଣା ଘଟିଛି। ଆଜି ପାକିସ୍ତାନରେ ଗୋଟିଏ ଯାତ୍ରୀବାହୀ ଟ୍ରେନ୍‌ର ୧୦ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ଏବେ ବି ଲାଇନଚ୍ୟୁତ ହୋଇଥିବା ବଗି ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ଉଦ୍ଧାର ଉଦ୍ୟମ ଜାରି ରହିଛି।

ମିଳିଥିବା ସୂଚନା ଅନୁସାରେ, ହାଜାରା ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ ହୋଇଛି। ଶାହଜାଦପୁର ଓ ନୱାବଶାହ ମଧ୍ୟରେ ଥିବା ସାହାରା ରେଳ ଷ୍ଟେସନ ନିକଟରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରେନଟି କରାଚିରୁ ଅବୋଟ୍ଟାବାଦ ଯାଉଥିଲା। ତେବେ ଅଧା ରାସ୍ତାରେ ସବୁ କିଛି ଓଲଟପାଲଟ ହୋଇଯାଇଛି।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପାକିସ୍ତାନ ରେଞ୍ଜର୍ସଙ୍କ ଠାରୁ ଆରମ୍ଭ କରି ସେନା, ପୁଲିସ ଓ ବିଭିନ୍ନ ଉଦ୍ଧାରକାରୀର ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତାହତଙ୍କୁ ଦୁର୍ଘଟଣାଗ୍ରସ୍ତ ଟ୍ରେନରୁ ଉଦ୍ଧାର କରି ନୱାବଶାହର ପିପୁଲ୍ସ ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ହସ୍ପିଟାଲଗୁଡ଼ିକୁ ମଧ୍ୟ ହାଇଆଲର୍ଟରେ ରହିବାକୁ କୁହାଯାଇଛି।

ତେବେ କେଉଁ ପରିସ୍ଥିତିରେ ଟ୍ରେନର ୧୦ଟି ବଗି ଲାଇନଚ୍ୟୁତ ହେଲା, ସେକଥା ଏଯାଏ ଜଣାପଡ଼ିନି। ଏହି ଯାତ୍ରୀବାହୀ ଟ୍ରେନରେ ମୋଟ ୧୭ଟି ବଗି ରହିଥିଲା। ଏହାର ଇକୋନୋମି କ୍ଲାସରେ ୯୫୦ ଜଣ ଓ ଏସି କୋଚ୍‌ରେ ୭୨ ଜଣ ବସିବାର ବ୍ୟବସ୍ଥା ରହିଛି। ତେଣୁ ମୃତାହତଙ୍କ ସଂଖ୍ୟା ଆଗକୁ ବଢ଼ିବାର ଆଶଙ୍କା ରହିଛି।

Sunday, August 6, 2023

୫୦୮ଟି ରେଳ ଷ୍ଟେସନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

 ୫୦୮ଟି ରେଳ ଷ୍ଟେସନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନସିଂ ଜରିଆରେ ପ୍ରକଳ୍ପର ଶିଳାନ୍ୟାସ କଲେ ମୋଦୀ---

୫୦୮ଟି ରେଳ ଷ୍ଟେସନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ



ନୂଆଦିଲ୍ଲୀ -- ଦେଶର ୫୦୮ଟି ରେଳ ଷ୍ଟେସନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ । ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବା ସହ ଅନ୍ୟ ସମସ୍ତ ଷ୍ଟେସନରେ ଅତିଥିମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଅନ୍ୟ ଦୁଇ ରେଳ ରାଷ୍ଟମନ୍ତ୍ରୀ ସାମିଲ ହୋଇଛନ୍ତି ।

ଏହି ଷ୍ଟେସନ୍ ଗୁଡ଼ିକୁ ଅମୃତ ଭାରତ ଯୋଜନାରେ ବିକାଶ କରାଯିବ । ଏହି ତାଲିକାରେ ଓଡ଼ିଶାର ୨୫ଟି ଷ୍ଟେସନ୍ ରହିଛି । ରାଜଧାନୀ ଭୁବନେଶ୍ୱରରେ ଲିଙ୍ଗରାଜ ଟେମ୍ପଲ ରୋଡରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ସାଂସଦ ଅପରାଜିତା ଷଡଙ୍ଗୀ, ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ରହିଥିଲେ । ଲିଙ୍ଗରାଜ ଟେମ୍ପଲ ରୋଡ୍ ଷ୍ଟେସନର ବିକାଶ ପାଇଁ ୧୯ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ସେହିପରି ୨୬ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ମଂଚେଶ୍ୱର ଷ୍ଟେସନ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତାଙ୍କ ସମେତ ଉତର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ରହିଥିଲେ ।

ବନ୍ଧୁ ପାଇଁ ଦିନଟିଏ ଫ୍ରେଣ୍ଡସିପ୍ ଡେ

 ବନ୍ଧୁ ପାଇଁ ଦିନଟିଏ ଫ୍ରେଣ୍ଡସିପ୍ ଡେ




ଭୁବନେଶ୍ବର -- ଆଜି ଫ୍ରେଣ୍ଡସିପ୍ ଡେ। ବନ୍ଧୁ ପାଇଁ ଦିନିଟିଏ। ରକ୍ତର ସମ୍ପର୍କଠୁ ବି ଅଧିକ ନିବିଡ଼। ସୁଖ ଦୁଃଖର ସାଥୀ। ଆଜିର ଦିନକୁ ସାରା ବିଶ୍ବରରେ ବନ୍ଧୁ ଦିବସ ଭାବେ ସେଲିବ୍ରେସନ କରାଯାଉଛି। ୧୯୫୮ ମସିହାରେ ଜାତିସଂଘ ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବନ୍ଧୁତ୍ବ ଦିବସ ଭାବେ ଘୋଷଣା କରିଥିଲେ । ଅସୁବିଧା ସୁଃଖ ଦୁଃଖରେ ସବୁବେଳେ ସାଥିରେ ଥାଏ ପ୍ରକୃତ ବନ୍ଧୁ ।

୧୯୫୮ ମସିହାରେ ଜାତିସଙ୍ଘ ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବନ୍ଧୁତ୍ବ ଦିବସ ଭାବେ ଘୋଷଣା କରିଥିଲା । ସେହଦିନଠାରୁ ସେଲିବ୍ରେସନ୍ ହେଉଛି ଫ୍ରେଣ୍ଡ୍ ସିପ୍ ଡେ । ଯେତେବେଳେ ବନ୍ଧୁତାର ଚର୍ଚ୍ଚା ହୁଏ ମନେପଡେ କୃଷ୍ଣ-ସୁଦାମାଙ୍କ କାହାଣୀ । ପୁରାଣରେ କୃଷ୍ଣ ସୁଦାମାଙ୍କ କାହାଣୀ ଅନେକ ଶିକ୍ଷା ଦେଇଯାଇଛି । ସୁଦାମା କୃଷ୍ଣଙ୍କର ପିଲା ଦିନର ବନ୍ଧୁ ଥିଲେ ।

ହେଲେ ଉଭୟଙ୍କ ମଧ୍ୟରେ ଧନୀ ଗରୀବର ପାର୍ଥକ୍ୟ ରହିଥିଲା । ହେଲେ କୃଷ୍ଣ ନିଜ ବନ୍ଧୁଙ୍କ ଦୁଃଖ ବୁଝିବା ସହ ତାଙ୍କୁ ସହଯୋଗ କରି ନିଜର ବନ୍ଧୁତ୍ବ ଦେଖାଇଥିଲେ । ଜଣେ ବନ୍ଧୁର ଅନ୍ୟ ବନ୍ଧୁ ପ୍ରତି କର୍ତ୍ତବ୍ୟ ଏହାର ଏକ ଜ୍ଜ୍ବଳନ୍ତ ଉଦାହରଣ ହୋଇଥିଲା । ସେହିପରି ପୁରାଣରେ ପ୍ରଭୁ ରାମ ଏବଂ ସୁଗ୍ରୀବ, କୃଷ୍ଣ-ଅର୍ଜୁନ, କର୍ଣ୍ଣ-ଦୁର୍ଯ୍ୟୋଧନ ଅନେକ ଉଦାହରଣ ରହିଛି ।

ଆବଶ୍ୟକ ରହିଥିବା ବେଳେ ବନ୍ଧୁଙ୍କ ସହଯୋଗ କରି ଏହି ସବୁ ଇତିହାସ ରଚିଛନ୍ତି । ପୁରାଣରେ ଅନେକ ଉଦାହଣ ରହିଛି ଯାହା ବର୍ତ୍ତମାନର ଯୁବପିଢୀଙ୍କ ପାଇଁ ଅତ୍ୟନ୍ତ ଶିକ୍ଷଣୀୟ । ଆଜିର ଯୁବପିଢୀ ଫ୍ରେଣ୍ଡସିପ୍ ବ୍ୟାଣ୍ଡ୍ ପିନ୍ଧାଇ, କେକ୍ କାଟି ନାଚ ଗୀତରେ ସେଲିବ୍ରେଟ୍ କରୁଛନ୍ତି ବନ୍ଧୁତ୍ବ ଦିବସ ।

ଭୁଶୁଡ଼ି ପଡିଛି ଜିଲାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା

 ଭୁଶୁଡ଼ି ପଡିଛି ଜିଲାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା



ନବରଙ୍ଗପୁର,୬।୮ -ପ୍ରତ୍ୟେକ କ୍ଷେତ୍ରରେ ମୂଳଦୁଆ ହେଉଛି ମୁଖ୍ୟ। ଶିକ୍ଷା କ୍ଷେତ୍ରରେ ପ୍ରାଥମିକ ଶିକ୍ଷାକୁ ଜ୍ଞାନ ଅର୍ଜନର ମୂଳଦୁଆ କୁହାଯାଏ। ତେବେ ଜିଲାରେ ୭୨ ବିଦ୍ୟାଳୟ ଜଣେ ଲେଖାଏ ଶିକ୍ଷକରେ ଚାଲିଛି। ଉପାନ୍ତ ହେଉ ବା ସହରାଞ୍ଚଳ, ସବୁଠି ଭୁଶୁଡ଼ି ପଡିଛି ଜିଲାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା। ଛାତ୍ରୀଛାତ୍ରଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ବ୍ୟାପକ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଶିକ୍ଷକଙ୍କ ଭିତ୍ତିଭୂମି ନ ସଜାଡ଼ିବା ଯୋଗୁ ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ନିମ୍ନମୁହାଁ ହେବାରେ ଲାଗିଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାରେ। ଯେଉଁଠି ଶିକ୍ଷକ ଅଭାବ ଯୋଗୁ ଛାତ୍ରୀଛାତ୍ର ଉନ୍ନତ ଶିକ୍ଷା ପାଇବାରୁ ବଞ୍ଚତ୍ତ ହେବା ସହ ଶିକ୍ଷକଙ୍କ ଉପରେ ମଧ୍ୟ ମାନସିକ ଚାପ ପଡୁଥିବା ଦେଖିବାକୁ ମିଳୁଛି। ନବରଙ୍ଗପୁର ଜିଲାର ୧୦ ବ୍ଲକରେ ସମୁଦାୟ ୧୧୧୨ଟି ପ୍ରାଥମିକ ବିଦ୍ୟାଳୟ ରହିଥିବାବେଳେ ୭୨ ବିଦ୍ୟାଳୟ କେବଳ ଜଣେ ଲେଖାଏ ଶିକ୍ଷକରେ ଚାଲିଛି।

ନବରଙ୍ଗପୁର ସଦର ବ୍ଲକ ଅନ୍ତର୍ଗତ ଚକାଛପର ସରକାରୀ ପ୍ରାଥମିକ ବିଦ୍ୟାଳୟ। ଗୋଟିଏ କକ୍ଷରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୨ଜଣ ଛାତ୍ରୀଛାତ୍ରଙ୍କୁ ବସାଇ ପାଠ ପଢ଼ାଯାଉଛି। ଶିକ୍ଷୟିତ୍ରୀ ଲେଖାମଣି ମୁଦୁଲି ପିଲାଙ୍କ ପାଠ ପଢ଼ା ସହ ଅଫିସ କାର୍ଯ୍ୟ କରୁଛନ୍ତି l ଫଳରେ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ବିଗତ ଦିନରେ ଏଠାରେ ୩ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଥିଲେ। ଜଣେ ଶିକ୍ଷକ ଅବସର ନେଇଥିବାବେଳେ ବେଳେ ଆଉ ଜଣେ ପଦୋନ୍ନତି ପାଇ ଅନ୍ୟ ସ୍କୁଲକୁ ଚାଲିଯାଇଛନ୍ତି। ଫଳରେ ସ୍କୁଲର ବିଭିନ୍ନ କାମ ସହ ୬୨ ଜଣ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ଅସୁବିଧା ହେଉଛି ବୋଲି ଶିକ୍ଷୟିତ୍ରୀ ଲେଖାମଣି ମୁଦୁଲି କହିଛନ୍ତି। ଏଠାରେ ଆଉ ଜଣେ ଶିକ୍ଷକ ନିଯୁକ୍ତି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେହିଭଳି ଅଗ୍ନିପୁର ପଞ୍ଚାୟତ ଅଧୀନ ଡି.ବେହେରାଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ସ୍ଥିତି ସମାନ। ୨୫ ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଶିକ୍ଷୟିତ୍ରୀ। ଫଳରେ ଅଫିସ କାର୍ଯ୍ୟ ସହ ପାଠପଢ଼ା ବ୍ୟାଘାତ ହେଉଛି। ଏପରିକି ଶିକ୍ଷୟିତ୍ରୀ ଜଣଙ୍କ ଅସୁସ୍ଥ ହେଲେ ମଧ୍ୟ ବାଧ୍ୟହୋଇ ସ୍କୁଲକୁ ଆସି ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଏଠାରେ ମଧ୍ୟ ଗୋଟିଏ ଶ୍ରେଣୀଗୃହରେ ୫ଟି ଶ୍ରେଣୀର ଛାତ୍ରୀଛାତ୍ର ବସି ପଢୁଛନ୍ତି। କାଳେ ଛାତ୍ରୀଛାତ୍ର ବାହାରକୁ ଚାଲିଯିବେ, ତେଣୁ ଗେଟ୍‌କୁ ତାଲା ପକାଇ ରଖୁଛନ୍ତି ବୋଲି ଶିକ୍ଷୟିତ୍ରୀ ସୁଜାତା ମଣ୍ଡଳ କହିଛନ୍ତି। ପିଲାଙ୍କ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା କରିବାକୁ ହେଲେ ଆଉ ଜଣେ ଶିକ୍ଷକ ନିଯୁକ୍ତି ପାଇଁ ଦାବି ହୋଇଛି। ସେମିତି ନବରଙ୍ଗପୁର ସହର ମଧ୍ୟରେ ଥିବା ବ୍ଲକ କଲୋନି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ୩୨ ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଶିକ୍ଷୟିତ୍ରୀ ରହିଛନ୍ତି। ଜିଲାର କେତେକ ସ୍କୁଲରେ ଛାତ୍ରୀଛାତ୍ର କମ୍‌ ଥିଲେ ମଧ୍ୟ ସେଠାରେ ଶିକ୍ଷକଙ୍କ ସଂଖ୍ୟା ଅଧିକ ରହିଛି। ତାହାକୁ ଜିଲା ଶିକ୍ଷା ବିଭାଗ ତର୍ଜମାକରି ଅନୁପାତଭିତ୍ତିକ ଶିକ୍ଷକ ନିଯୁକ୍ତି କରିବାକୁ ଅଭିଭାବକମାନେ ଦାବି କରିଛନ୍ତି।

ଅନ୍ୟପଟେ ଶିକ୍ଷୟିତ୍ରୀ ଶିକ୍ଷକ ଓ ଅଭିଭାବକଙ୍କ ଦାବିକୁ ଯଥାର୍ଥ ବୋଲି ଜିଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ କହିଛନ୍ତି। ଜିଲାରେ ୭୨ଟି ବିଦ୍ୟାଳୟ କେବଳ ଜଣେ ଲେଖାଏ ଶିକ୍ଷକରେ ଚାଲିଥିବା ସ୍ବୀକାର କରିଛନ୍ତି। ଏହା ଉପରେ ତର୍ଜମାକରି ଉକ୍ତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ହୋଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ହୋଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର




ଭୁବନେଶ୍ବର - ରାଜଧାନୀ ଭୁବନେଶ୍ୱରରେ ଏକ ହୋଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ସେପଟେ କମିଶନରେଟ୍‌ ପୁଲିସ୍‌ ଏନେଇ ମୁହଁ ଖୋଲୁନଥିବା ବେଳେ ଯୁବତୀଙ୍କ ବ୍ୟାଗ୍‌ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ଭଦ୍ରକ ଜିଲ୍ଲା କୁଆବାଗ ଗାଁର ଶୁଭଲକ୍ଷ୍ମୀ ସାହୁ ଆଜି ଭୋର ପ୍ରାୟ ୩ଟା ୨୦ ମିନିଟ୍‌ରେ ଲକ୍ଷ୍ମୀସାଗର କଟକ ରୋଡ୍‌ରେ ଥିବା ଏକ ହୋଟେଲକୁ ଆସିଥିଲେ। ସେ ୨୦୫ ନମ୍ୱର ରୁମ୍‌ରେ ରହିଥିଲେ। ତା’ପରଠାରୁ ସେ କବାଟ ଖୋଳିନଥିଲେ। ମଧ୍ୟାହ୍ନ ଓ ସନ୍ଧ୍ୟା ବେଳେ ଲଜ ଷ୍ଟାଫ ଡାକିଥିଲେ ମଧ୍ୟ ଶୁଣିନଥିଲେ। ପରେ ହୋଟେଲ କର୍ମଚାରୀମାନେ କବାଟ ଭାଙ୍ଗି ରୁମ୍‌ ଭିତରେ ପଶିଥିଲେ। ସେତେବେଳେ ଫ୍ୟାନ୍‌ରେ ଝୁଲୁଥିଲେ ଶୁଭଲକ୍ଷ୍ମୀ। ଓଢ଼ଣୀରେ ଝୁଲି ପଡ଼ିଥିଲେ ଲକ୍ଷ୍ମୀପ୍ରିୟ।

ହୋଟେଲ୍‌ କର୍ମଚାରୀମାନେ ଏନେଇ ଲକ୍ଷ୍ମୀସାଗର ଥାନାକୁ ଖବର ଦେଇଥିଲେ। ପୁଲିସ ହୋଟେଲରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ମୃତ ଯୁବତୀଙ୍କ ପରିବାର ଲୋକଙ୍କୁ ଏନେଇ ଖବର ଦେଇଛି ପୁଲିସ୍‌। ଆସନ୍ତା କାଲି ପରିବାର ଲୋକ ଆସିବା ପରେ ଶବ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡ଼ିଛି।

ଭୋରୁ ଭୋରୁ ହୋଟେଲ ଆସି କାହିଁକି ଆତ୍ମହତ୍ୟା କଲେ ଶୁଭଲକ୍ଷ୍ମୀ? ପ୍ରକୃତରେ ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ି ନାହିଁ। କମିଶନରେଟ୍‌ ପୁଲିସ୍‌ ବିଭିନ୍ନ ଦିଗରେ ତଦନ୍ତ ଚଳାଇଛି।

ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ଗୃହବନ୍ଦୀ ହୋଇଥିବା ଅଭିଯୋଗ କରିଛନ୍ତି

ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ଗୃହବନ୍ଦୀ ହୋଇଥିବା ଅଭିଯୋଗ କରିଛନ୍ତି l



ଶ୍ରୀନଗର,୬।୮ : ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଶନିବାର ୪ ବର୍ଷ ପୂରିଛି। ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ଓ ତାଙ୍କ ଦଳର କେତେଜଣ ବରିଷ୍ଠ ନେତାଙ୍କୁ ଗୃହବନ୍ଦୀ ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି। ଶୁକ୍ରବାର ରାତିଅଧିଆ ଚଢ଼ାଉକରି ପିଡିପି ନେତାମାନଙ୍କୁ ବେଆଇନ ଭାବେ ଥାନାରେ ଅଟକ ରଖାଯାଇଥିବା ମୁଫ୍‌ତି କହିଛନ୍ତି। ଜମ୍ମୁ-କଶ୍ମୀରରେ ସବୁ କିଛି ସ୍ବାଭାବିକ ଚାଲିଛି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିବାବେଳେ ଭ୍ରାନ୍ତ ଆଶଙ୍କାକୁ ନେଇ ସେମାନଙ୍କ କାର୍ଯ୍ୟାନୁଷ୍ଠାନ ପଦାରେ ପଡ଼ିଥିବା ପିଡିପି ନେତ୍ରୀ ଟୁଇଟ୍‌ କରିଛନ୍ତି। ଗୋଟିଏ ପଟେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ପାଳନ କରିବା ଲାଗି ଆହ୍ବାନ ଦିଆଯାଇ ଶ୍ରୀନଗର ସାରା ବିଶାଳ ହୋର୍ଡିଂ ସବୁ ଲାଗିଥିବାବେଳେ ଅନ୍ୟପଟେ ଲୋକଙ୍କ ପ୍ରକୃତ ଭାବାବେଗକୁ ରୋକିବା ଲାଗି ବଳପ୍ରୟୋଗ କରାଯାଉଥିବା ସେ କହିଛନ୍ତି।

Saturday, August 5, 2023

ଆସନ୍ତାକାଲି ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶର ଏହି ୫୦୮ଟି ରେଳ ଷ୍ଟେସନ୍‌‌ର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

 ଆସନ୍ତାକାଲି ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶର ଏହି ୫୦୮ଟି ରେଳ ଷ୍ଟେସନ୍‌‌ର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।




ନୂଆଦିଲ୍ଲୀ - ଓଡ଼ିଶାର ୨୫ଟି ରେଳ ଷ୍ଟେସନ୍‌‌ ସମେତ ଦେଶର ୫୦୮ଟି ଷ୍ଟେସନ୍‌‌ର ପୁନଃନିର୍ମାଣ ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର​‌(ଆସନ୍ତାକାଲି) ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶର ଏହି ୫୦୮ଟି ରେଳ ଷ୍ଟେସନ୍‌‌ର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ୨୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ଏହି ୫୦୮ଟି ରେଳଷ୍ଟେସନ ମଧ୍ୟରେ ଓଡ଼ିଶାର ୨୫ଟି ରେଳ ଷ୍ଟେସନ ସ୍ଥାନ ପାଇଛି । ଓଡ଼ିଶାର ଖୋର୍ଦ୍ଧା ଏବଂ ସମ୍ବଲପୁର ରେଳ ଡିଭିଜନ ପରିସୀମାରେ ଥିବା ୨୫ଟି ଷ୍ଟେସନର ଉନ୍ନତୀକରଣ କରାଯିବ। ଓଡ଼ିଶାର ସମ୍ବଲପୁର ଡିଭିଜନର ୧୧ଟି ଷ୍ଟେସନ ଏବଂ ଖୋର୍ଦ୍ଧା ଡିଭିଜନର ୧୪ଟି ଷ୍ଟେସନ ପ୍ରଧାନମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ କେନ୍ଦ୍ର ସରକାର ୫୪୭ କୋଟିରୁ ଅଧିକ ଟଙ୍କା ବ୍ୟୟ କରିବେ । ଯାତ୍ରୀଙ୍କର ସୁବିଧା ଯୋଗାଇଦେବା ସହିତ ଯାତ୍ରୀମାନଙ୍କର ମାର୍ଗଦର୍ଶନ ପାଇଁ ଭଲ ଡିଜାଇନ୍‌‌ ହୋଇଥିବା ଟ୍ରାଫିକ୍‌‌ ବ୍ୟବସ୍ଥା, ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟ ଦ୍ୱାରା ଷ୍ଟେସନ୍‌‌ଗୁଡ଼ିକ ଅନୁପ୍ରାଣିତ ହେବ।

ଅମୃତ ଭାରତ ଷ୍ଟେସନ ଯୋଜନାରେ କେନ୍ଦ୍ର ସରକାର ୧ ହଜାର ୩୦୯ଟି ରେଳଷ୍ଟେସନର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଷ୍ଟେସନଗୁଡ଼ିକର ବିକାଶ ଲାଗି କେନ୍ଦ୍ର ସରକାର ରାଜ୍ୟରେ ମୋଟ ୫ ଶହ ୪୭ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । ଓଡ଼ିଶାର ୫୭ଟି ଷ୍ଟେସନ ମଧ୍ୟରୁ ୨୫ଟି ଷ୍ଟେସନର ଉନ୍ନତୀକରଣ କାର୍ଯ୍ୟ ଆସନ୍ତାକାଲିଠାରୁ ଶୁଭାରମ୍ଭ କରାଯିବ।

ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି ଇସ୍ରୋ ଦ୍ୱାରା ପ୍ରେରିତ ଚନ୍ଦ୍ରଯାନ-୩।

 ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି ଇସ୍ରୋ ଦ୍ୱାରା ପ୍ରେରିତ ଚନ୍ଦ୍ରଯାନ-୩



ଇତିହାସ ସୃଷ୍ଟି କରିବା ଦିଗରେ ଇସ୍ରୋ ଆଉ ପାଦେ ଆଗେଇଛି। ଚନ୍ଦ୍ରରେ ସଫଳତାର ସହ ଲ୍ୟାଣ୍ତ କରିବା ପାଇଁ ଇସ୍ରୋ ରଖିଥିବା ଲକ୍ଷ୍ୟ ଦିଗରେ ଆଗେଇ ଚାଲିଛି। ଆଜି ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି ଇସ୍ରୋ ଦ୍ୱାରା ପ୍ରେରିତ ଚନ୍ଦ୍ରଯାନ-୩। ଆଜି ଚନ୍ଦ୍ରଯାନ ପାଇଁ ଗୋଟିଏ ବଡ଼ ପରୀକ୍ଷାର ଦିନ ଥିଲା।

କାରଣ ଆଜି ଏହା ଚନ୍ଦ୍ରର କକ୍ଷପଥରେ ଠିକ ଭାବେ ପ୍ରବେଶ କରି ପାରୁଛି କି ନାହିଁ, ତା’କୁ ସମସ୍ତେ ଅପେକ୍ଷା କରିଥିଲେ। ତେବେ ସବୁ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପକାଇ ସନ୍ଧ୍ୟା ଠିକ୍‌ ୭ଟା ବେଳେ ଚନ୍ଦ୍ରଯାନ ୩କୁ ଚନ୍ଦ୍ରର ମାଧ୍ୟକର୍ଷଣ ବଳୟରେ ପ୍ରବେଶ କରାଇବାରେ ଇସ୍ରୋ ସଫଳ ହୋଇଛି। ବର୍ତ୍ତମାନ ଏହି ସ୍ପେଶ ଏୟାରକ୍ରାଫ୍ଟ ଚନ୍ଦ୍ରର ଗୋଟିଏ ସ୍ଥିର କକ୍ଷପଥରେ ରହିଛି।

ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୩କୁ ଉତକ୍ଷେପଣ କରାଯାଇଥିଲ। ତା’ପରେ ଏହା ପୃଥିବୀକୁ ଦୀର୍ଘ ୨ ସପ୍ତାହ ଧରି ପରିକ୍ରମା କରିଥିଲା। ଅଗଷ୍ଟ ୧ରେ ଚନ୍ଦ୍ରଯାନକୁ ଚନ୍ଦ୍ରର କକ୍ଷପଥ ଆଡ଼କୁ ପଠାଯାଇଥିଲା। ଆଜି ସନ୍ଧ୍ୟା ୭ଟାରେ ଯୋଜନା ମୁତାବକ ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି।

ପୃଥିବୀଠୁ ଚନ୍ଦ୍ରର ହାରାହାରି ଦୂରତା ୩.୮ ଲକ୍ଷ କିଲୋମିଟର। ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ପୃଥିବୀ ତୁଳନାରେ ଅତି ଦୁର୍ବଳ ହୋଇଥିବାରୁ, ଠିକ୍ ସମୟରେ ସ୍ପେଶକ୍ରାଫ୍ଟର ବେଗ ହ୍ରାସ କରିବା ହିଁ ମୁଖ୍ୟ ଚ୍ୟାଲେଞ୍ଜ ଥିଲା। ଏହାକୁ ଆଜି ସଫଳତାର ସହ ବୈଜ୍ଞାନିକମାନେ କରି ଦେଖାଇଛନ୍ତି।

ସ୍ପେଶକ୍ରାଫ୍ଟର ଅବସ୍ଥାକୁ ନିୟମିତ ଅନୁଧ୍ୟାନ କରାଯାଉଛି। ବେଙ୍ଗାଲୁରୁରେ ଥିବା ଇସ୍ରୋର ଟେଲେମେଟ୍ରାଏ, ଟ୍ରାକିଂ ଓ କମାଣ୍ଡ ନେଟୱର୍କ(ISTRAC)ର ମିଶନ ଅପରେସନ କମ୍ପ୍ଲେକ୍ସ(MOX)ରୁ ଚନ୍ଦ୍ରଯାନ ଉପରେ ନଜର ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଯାନର ସବୁ ସିଷ୍ଟମ ଠିକଠାକ ରହିଛି।

ପୂର୍ବଥର ପରି ଏଥର ଯେପରି ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ(ସୁରକ୍ଷିତ ଅବତରଣ)ରେ କୌଣସି ଯାନ୍ତ୍ରିକ ସମସ୍ୟା ନହୁଏ, ସେଥିପାଇଁ ବୈଜ୍ଞାନିକମାନେ ବିଶେଷ ଦୃଷ୍ଟି ରଖିଛନ୍ତି। ୬୧୫ କୋଟିର ଏହି ପ୍ରୋଜେକ୍ଟ ସଫଳ ହେଲେ ଚନ୍ଦ୍ରରେ ପାଦ ଥାପିବାରେ ଭାରତ ହୋଇଯିବ ବିଶ୍ୱର ଚତୁର୍ଥ ଦେଶ। ଏହା ପୂର୍ବରୁ ଆମେରିକା, ଚାଇନା ଓ ରୁଷ ଏହି ସଫଳତା ହାସଲ କରି ସାରିଛନ୍ତି।

ISRO ଅନୁଯାୟୀ, ବୈଜ୍ଞାନିକମାନେ ଚନ୍ଦ୍ରଯାନ-୩ ଉପରେ ତିନୋଟି ମୁଖ୍ୟ ଲକ୍ଷ୍ୟ ରଖିଛନ୍ତି। ସର୍ବପ୍ରଥମେ, ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ଏକ ନିରାପଦ ଓ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚାହୁଁଛନ୍ତି। ଚନ୍ଦ୍ରଯାନ-୨ ମିଶନ ମଧ୍ୟ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଉର୍ଦ୍ଦିଷ୍ଟ  ଥିଲା। ମାତ୍ର ସାମାନ୍ୟ ତ୍ରୁଟି ମିଶନକୁ ବିଫଳ କରି ଦେଇଥିଲା।

ISRO ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ରୋଭର ପ୍ରେରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଦୁଇ ସୋପାନ ଅତିକ୍ରମ କଲେ ବୈଜ୍ଞାନିକମାନେ ଚନ୍ଦ୍ର ଉପରେ ଅନେକ ପରୀକ୍ଷା-ନୀରିକ୍ଷା କରିବାକୁ ସକ୍ଷମ ହେବେ। ଏଥିପାଇଁ ଚନ୍ଦ୍ରଯାନ-୩ ମାଧ୍ୟମରେ ଚନ୍ଦ୍ରପୃଷ୍ଠକୁ ଅନେକ ଯନ୍ତ୍ର ପଠାଯିବ। ଏକ ସ୍ୱତନ୍ତ୍ର ଯନ୍ତ୍ର ମହାକାଶକୁ ପ୍ରେରଣ କରାଯିବ, ଯାହା ଜହ୍ନ ରାଇଜରୁ ପୃଥିବୀ ଉପରେ ନଜର ରଖିବ।



ଥାନାଧିକାରୀ ଙ୍କ ଗଞ୍ଜେଇ ବିକ୍ରି ଅଭିଯୋଗ ଥାନାରେ ଲଗିଲା ନିଆଁ

 ଥାନାଧିକାରୀ ଙ୍କ ଗଞ୍ଜେଇ ବିକ୍ରି ଅଭିଯୋଗ ଥାନାରେ ଲଗିଲା ନିଆଁ 



ଉତ୍ୟକ୍ତ ଲୋକେ ଫୁଲବାଣୀ ଜିଲ୍ଲାର ଫିରିଙ୍ଗିଆ ଥାନାରେ ନିଆଁ ଲଗାଇଦେଇଛନ୍ତି । ଜବତ ହୋଇଥିବା ଗଞ୍ଜେଇକୁ ଫିରିଙ୍ଗିଆ ଥାନାର ଆଇଆଇସି ବିକ୍ରି କରୁଥିବା ଅଭିଯୋଗରେ ଉତ୍ୟକ୍ତ ଲୋକେ ଆଜି ଥାନାରେ ନିଆଁ ଲଗାଇଦେଇଛନ୍ତି । ଲୋକମାନଙ୍କ ଅଭିଯୋଗ ରହିଛି କି ଏହି ଥାନା ଅଧିନରେ ଯେତେ ଚୋରା ଗଞ୍ଜେଇ ଜବତ ହେଉଛି ତାହାକୁ ଆଇଆଇସି ହୋମଗାର୍ଡଙ୍କ ସହାୟତାରେ ବିକ୍ରି କରିଦେଉଛନ୍ତି ।

ଝାରସୁଗୁଡ଼ା ରେ ଭିଜିଲାନ୍ସ ଜାଲରେ ସିଡିପିଓ

 ଝାରସୁଗୁଡ଼ା ରେ ଭିଜିଲାନ୍ସ ଜାଲରେ ସିଡିପିଓ 




ଝାରସୁଗୁଡ଼ା - ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଝାରସୁଗୁଡ଼ା (ଅର୍ବାନ) ସିଡିପିଓ ସରୋଜିନୀ ଏକ୍କା। ଗତ ଚାରି ମାସର ଛତୁଆ ବିଲ୍ ପାସ୍ କରି ଦେବା ପାଇଁ ଏକ ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ସଭାପତିଙ୍କ ଠାରୁ ସେ ଏହି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।


ସିଡିପିଓ ସରୋଜିନୀ ଏକ୍କାଙ୍କ ଠାରୁ ଭିଜିଲାନ୍ସ ଅଧିକାରୀମାନେ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛନ୍ତି। ସରୋଜିନୀ ଏକ୍କା ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି।


ଏହି ମାମଲାରେ ରାଉରକେଲା ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ମାମଲାର ତଦନ୍ତ ଜାରି ରହିଛି।


ଗତକାଲି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଜଗତସିଂହପୁର ଜିଲ୍ଲା ଏରସମା ତହସିଲର ଗୋଡ଼ା ରାଜସ୍ୱ ନିରୀକ୍ଷକ (ଆରଆଇ) ନୃସିଂହ ଚରଣ ରାଉତ। ଏକ ଜମିର ମ୍ୟୁଟେସନ ପାଇଁ ସେ ଜଣେ ବ୍ୟକ୍ତିଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟିଏ ମଞ୍ଚରେ

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟିଏ ମଞ୍ଚରେ



ଭୁବନେଶ୍ବର - ଭିତ୍ତିଭୂମି ଦୁର୍ବଳ ଥିଲେ ଦେଶର ବିକାଶ ସମ୍ଭବ ନୁହେଁ। ଦେଶର ବିକାଶ ପାଇଁ ରାଜମାର୍ଗ ସୁଦୃଢ ହେବା ଆବଶ୍ୟକ । ଭୂମି ଉପରେ ତିଆରି ହୋଇଥିବା ରାଜମାର୍ଗ ବ୍ୟକ୍ତିର ପାପୁଲିରେ ଥିବା ଭାଗ୍ୟରେଖା ସହ ସମାନ । ଦେଶର ବିକାଶ, ଦେଶର ଅର୍ଥନୀତିର ବିକାଶ ରାଜମାର୍ଗ ସହ ଓତପ୍ରେତ ଭାବେ ଜଡ଼ିତ । ’ ଆଜି ଲୋକସେବା ଭବନରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି ମତବ୍ୟକ୍ତ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।

ଆଜି ଲୋକସେବା ଭବନରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଉଭୟ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିବା ବେଳେ ପରସ୍ପରକୁ ପ୍ରଶଂସାରେ ପୋତି ପକାଇଥିଲେ ଏହି ଦୁଇ ତୁଙ୍ଗ ନେତା।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି କାମାକ୍ଷାନଗର-ଡୁବୁରୀ ୪ ଲେନ୍ NHର ଲୋକାର୍ପଣ କରିଥିଲେ । ଏହାସହ ମୋଟେର-ବାନେର ରାସ୍ତାର ସଂପ୍ରସାରଣ ପ୍ରକଳ୍ପର ଶୁଭାରମ୍ଭ ବି କରିଥିଲେ ।

ଏହି ଅବସରରେ ଗୃହ ମନ୍ତ୍ରୀ ନିଜ ଭାଷଣରେ କହିଛନ୍ତି, ଦେଶର ବିକାଶ ତଥା ଦେଶର ଭାଗ୍ୟ ରାଜମାର୍ଗ ସହ ଜଡ଼ିତ । ଗତ ୯ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ରାଜମାର୍ଗର ଉନ୍ନତି ପାଇଁ ବହୁ କାର୍ଯ୍ୟ କରିଛନ୍ତି । ବିଗତ ୯ ବର୍ଷ ଭିତରେ ନକ୍ସଲବାଦକୁ ପୂରା ନିୟନ୍ତ୍ରଣ କରାଯାଇଛି ।

ଓଡ଼ିଶାରେ ନକ୍ସଲ ଗତିବିଧି କମିଥିବାରୁ ରାଜ୍ୟ ସରକାରକୁ ଧନ୍ୟବାଦ ଦେଇଛନ୍ତି ଶାହ । ନକ୍ସଲ ମୁକାବିଲାରେ ଓଡ଼ିଶା ଆମକୁ ସର୍ବଦା ସମର୍ଥନ କରିଛି । ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ବହୁ ନୂଆ ପନ୍ଥା ଆପଣାଇଛି । ବିପର୍ଯ୍ୟୟ ମୁକାବିଲାରେ ସାରା ଦେଶକୁ ମାର୍ଗଦର୍ଶନ କରିଛି ଓଡ଼ିଶା । କେନ୍ଦ୍ର ଏବଂ ରାଜ୍ୟ ମିଶି କାମ କଲେ ବିପର୍ଯ୍ୟୟ ବି ପରାସ୍ତ ହେଉଛି ବୋଲି କହିଛନ୍ତି ଶାହ ।

 ନବୀନ ପଟ୍ଟନାୟକ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ କରିବା ସହ ଖୁବ୍‌ ଲୋକପ୍ରିୟତା ଅର୍ଜନ କରିଥିବା କହି ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଅମିତ ଶାହ । ଏହାପରେ ନିଜ ସରକାରଙ୍କ ଗୁଣଗାନ କରି ଅମିତ ଶାହ କହିଛନ୍ତି, ୨୦୧୪-୧୫ରେ ପ୍ରତିଦିନ ୧୨ କିମି ରାସ୍ତା ନିର୍ମାଣ ହେଉଥିଲା। ୨୦୨୧-୨୨ରେ ଏହା ୨୯ କିମିରେ ପହଞ୍ଚିଛି। ରାଜରାସ୍ତାର ନିର୍ମାଣ ଦ୍ୱାରା ସମଗ୍ର ଦେଶରେ ଆର୍ଥିକ ଅଭିବୃଦ୍ଧି ହେଉଛି। ବହୁ ଯୋଜନା କାର୍ଯ୍ୟକାରୀ ହେଉଛି।

ଦେଶର ପୂର୍ବ ଭାଗର ବିକାଶ ନ ହେଲେ ସମ୍ପୂର୍ଣ୍ଣ ଦେଶର ବିକାଶ ସମ୍ଭବ ନୁହେଁ। ଏଥିପାଇଁ ମୋଦି ସରକାର ପୂର୍ବ ଭାରତ ଉପରେ ଅଧିକ ଫୋକସ୍‌ କରୁଛନ୍ତି। ପୂର୍ବ ଓ ପଶ୍ଚିମ ଭାରତକୁ ଗୋଟିଏ ସମାନ ସ୍ଥାନକୁ ଆଣି ପାରିଲେ ହିଁ ବିକାଶ ସମ୍ଭବ ବୋଲି କହିଛନ୍ତି ଶାହ ।

ଏଥିସହ ସେ କହିଛନ୍ତି, ପୂର୍ବ ଭାରତ ବିଗତ ଦିନରେ ନକ୍ସଲ ପ୍ରଭାବିତ ଅଞ୍ଚଳ ଥିଲା। ଗତ ୯ ବର୍ଷରେ ମୋଦି ସରକାର ରାଜ୍ୟ ସରକାରଙ୍କ ସହ ମିଶି ନକ୍ସଲଙ୍କୁ ମୂଳୋତ୍ପାଟନ କରିବାକୁ ଚେଷ୍ଟା ଚଳାଇଛନ୍ତି। ଫଳରେ ନକ୍ସଲ କାର୍ଯ୍ୟକଳାପ ବହୁ ମାତ୍ରାରେ କମିଛି। ନକ୍ସଲ ବିରୋଧୀ ଆନ୍ଦୋଳନକୁ ତ୍ୱରାନ୍ୱିତ କରିବାକୁ ଓଡ଼ିଶା ସରକାର ବି ସବୁବେଳେ ସହଯୋଗର ହାତ ବଢ଼ାଇଛନ୍ତି। ଓଡ଼ିଶାର ବିକାଶ ପାଇଁ ମୋଦି ବହୁ କାମ କରିଥିବା କହିବାକୁ ଭୁଲି ନାହାନ୍ତି ଶାହ।

ଏହି ସଭାରେ ନବୀନ ପଟ୍ଟନାୟକ ନିଜ ଭାଷଣ ଆରମ୍ଭରେ ଅମିତ ଶାହଙ୍କୁ ଜଗନ୍ନାଥଙ୍କ ଭୂମିକୁ ସ୍ୱାଗତ କରିଥିଲେ। ଏହି ଅବସରରେ ସେ କହିଥିଲେ, ନୂତନ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ନୂଆ ମାଇଲ ଖୁଣ୍ଟ ସ୍ଥାପନ କରୁଛି। ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବାକୁ ହେଲେ ଯୋଗାଯୋଗକୁ ସୁଦୃଢ କରିବାକୁ ପଡ଼ିବ । ଯେପରି ଗୁରୁପ୍ରିୟା ସେତୁ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳକୁ ଯୋଗାଯୋଗ କରୁଛି। ଫଳରେ ଉକ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ଏହି ସେତୁ ବରଦାନ ସଦୃଶ୍ୟ ପାଲଟିଛି। ବିଜୁ ଏକ୍ସପ୍ରେସ ୱେ ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାକୁ ଯୋଗାଯୋଗ କରୁଛି। ଚଳିତ ବର୍ଷ ଆମେ ୬ ,୫୦୦ କିମି ରାସ୍ତା କାମ ସହ ୩ଶହ ବ୍ରିଜ କାମ କରିବାକୁ ଲକ୍ଷ୍ୟ ରଖିଛୁ । ନିକଟରେ ଆମେ ୨ଟି ଏୟାରପୋର୍ଟ କାମ ସାରିଛୁ। ଏଥିସହ ମାଲକାନଗିରିରେ ଏକ ବିମାନବନ୍ଦର କାମ ଚାଲିଛି। ଏଥିସହ ବିଭିନ୍ନ ଉନ୍ନୟନମୂଳକ କାମରେ ସହଯୋଗର ହାତ ବଢ଼ାଉଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାନ ଜଣାଇଛନ୍ତି ନବୀନ ।

ଏହି ବୈଠକରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କ ରାସ୍ତା ଓ ଉନ୍ନୟନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ୍‌ କମିଶନର ସୌମ୍ୟ ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ।

ଗତକାଲି ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏୟାରପୋର୍ଟରେ ପାରମ୍ପରିକ ବାଦ୍ୟ ଓ ନାଚଗୀତ କରି ଏକାଠି ହୋଇଥିଲେ ଦଳୀୟ କର୍ମୀ ଓ ପ୍ରଶଂସକ।

ଆଜି ମୋଦି ସରକାରୀ କାର୍ଯ୍ୟକ୍ରମ ପରେ ବିଜେପି ପଦାଧିକାରୀ ଓ କର୍ମକର୍ତ୍ତାଙ୍କ ସହ ବୈଠକ କରିବେ ବୋଲି ଜଣାଯାଇଛି। ଉକ୍ତ ବୈଠକରେ ପୂର୍ବରୁ ଦିଆଯାଇଥିବା ଟାସ୍କ କେତେ କାର୍ଯ୍ୟକାରୀ ହୋଇଛି, ସେନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ତୃଣମୂଳ ସ୍ତରରେ ସଙ୍ଗଠନ ମଜଭୁତ କରିବା ସହ ମୋଦି ସରକାରଙ୍କ ୯ ବର୍ଷର ସଫଳ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ଶାହ ଗୁରୁମନ୍ତ୍ର ଦେବେ ବୋଲି ଜଣାଯାଇଛି।

ଏଥିସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଗତକାଲି ଗଠିତ ହୋଇଥିବା ୩୫ ଜଣିଆ ଟିମ୍‌ ମୋଦିଙ୍କ ସହ ଆଲୋଚନା କରି ତାଙ୍କଠୁ ଟିପ୍ସ ନେବାକୁ ବେଶ୍‌ ଉତ୍ସୁକ ଥିବା ଦେଖିବାକୁ ମିଳିଛି l

ଇମ୍ରାନ ଖାନଙ୍କୁ ୩ବର୍ଷ ଜେଲ୍; ତୋଷାଖାନା ମାମଲାରେ ଦୋଷୀ ସାବ୍ୟସ୍ତ

 ଇମ୍ରାନ ଖାନଙ୍କୁ ୩ବର୍ଷ ଜେଲ୍; ତୋଷାଖାନା ମାମଲାରେ ଦୋଷୀ ସାବ୍ୟସ୍ତ




୦୫।୦୮ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଝଟକା । ଇମ୍ରାନ ଖାନଙ୍କୁ ୩ବର୍ଷ ଜେଲ୍ ଦଣ୍ଡ । ଏହା ସହିତ ୧ ଲକ୍ଷ ଟଙ୍କା ଜୋରିମନା ଲଗାଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ତୋଷାଖାନା ମାମଲାରେ ଦୋଷୀ ସାବ୍ୟସ୍ତ କରି ସଜା ଶୁଣାଇଛନ୍ତି କୋର୍ଟ । ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ ଇମ୍ରାନ । କୋର୍ଟଙ୍କ ରାୟ ପରେ ଇସଲାମାବାଦ ପୋଲିସ ପିଟିଆଇ ମୁଖ୍ୟଙ୍କୁ ଗିରଫ କରିଛି ।

ଟଙ୍କା ପାଇଁ ମମତା ଭୁଲିଲା ଜନ୍ମଦାତା: ମାତ୍ର ଅଢ଼େଇ ଲକ୍ଷ ଟଙ୍କାରେ ପୁଅକୁ ବିକିଲା

  ଟଙ୍କା ପାଇଁ ମମତା ଭୁଲିଲା ଜନ୍ମଦାତା: ମାତ୍ର ଅଢ଼େଇ ଲକ୍ଷ ଟଙ୍କାରେ ପୁଅକୁ ବିକିଲା





ଟିଟଲାଗଡ଼: ଟଙ୍କା ପାଇଁ ମମତା ଭୁଲିଲା ଜନ୍ମଦାତା। ମାତ୍ର ଅଡ଼େଇ ଲକ୍ଷ ଟଙ୍କାରେ ବିକି ଦେଲା ନିଜ ଜନ୍ମକଲା ପୁଅକୁ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଟିଟିଲାଗଡ଼ରେ। ଜଣେ ବାପା ତାର ୫ଦିନର ଶିଶୁ ପୁତ୍ରକୁ ୨.୫ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ବାପା ହେଲେ ଟିଟିଲାଗଡ ଝାଙ୍କରପଡାର ସନ୍ତୋଷ ପଟେଲ।

ସନ୍ତୋଷ ଓ ପୁଷ୍ପା ପଟେଲଙ୍କର ପୂର୍ବରୁ ୩ଟି ସନ୍ତାନ ଥିଲେ। ଏହା ଚତୁର୍ଥ ଶିଶୁପୁତ୍ର। ବାପା ସନ୍ତୋଷ ପୁଅକୁ କଳାହାଣ୍ଡିରେ ଜଣେ ଗ୍ରାହକଙ୍କ ପାଖରେ ବିକ୍ରି କରିଦେଇଥିଲେ। ଏହି ଘଟଣାରେ ଟିଟିଲାଗଡ଼ର ରମାଜାନ ସେଖ ଓ ଶିଶୁର ବାପା ସନ୍ତୋଷ ପଟେଲଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

 ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା




ଭୁବନେଶ୍ୱର: ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଶୁକ୍ରବାର ମଧ୍ୟ ରାତ୍ରିରେ ଭୁବନେଶ୍ୱରରେ ଆସି ପହଁଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ରାତି ପାଖାପାଖି ୧୧ଟା ୫୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ଶାହା। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଥିଲା। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ସଭାପତି ସମୀର ମହାନ୍ତି, ସାଂସଦ ବସନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ, ସଙ୍ଗୀତା ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ପ୍ରଭାତୀ ପରିଡ଼ା, ମୋହନ ମାଝୀ ପ୍ରମୂଖ ବହୁ ନେତା ଶାହାଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ଜଣାଇଥିଲେ। ଏହା ପରେ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ଯାଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ। ଆଜି କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଲୋକସେବା ଭବନର କନଭେନସନ୍ ସେଣ୍ଟରରେ କେତେକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ।ଦିନ ୧୧ଟାରେ ସୁକିନ୍ଦା – କାମାକ୍ଷାନଗର ଓ ଚଣ୍ଡିଖୋଲ – ଭଦ୍ରକ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କରିବେ ଅମିତ ଶାହା। ଏହାପରେ ଦିନ ୧୨ଟା’ରେ ମାଓବାଦୀ ଦମନ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକରେ ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ। ଏହାପରେ ୨ଟା ୦୫ରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀଙ୍କ ବୈଠକରେ ସାମିଲ୍ ହେବେ ଶାହା। ଅପରାହ୍ନ ୫ଟା ୨୦ରେ ବିମାନବନ୍ଦର ଲାଉଞ୍ଜରେ ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ ସାରି ନୂଆଦିଲ୍ଲୀ ଫେରିଯିବେ ଶାହା।

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ

 ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ 




ଭୋଗରାଇ - ରାତିରେ ଖିଆପିଆ କରି ନିଜ ଛୁଆକୁ ଧରି ଶୋଇଥିଲେ ମହିଳା। ସକାଳୁ ଛୁଆ ଉଠି ମା’କୁ ଖୋଜିବା ବେଳେ ଆଉ ପାଇଲାନି ମା’ର ପତ୍ତା । ଛାତ ଉପରକୁ ଯାଇ ଯାହା ଦେଖିଲା, ନିଜ ଆଖିକୁ ବିଶ୍ୱାସ କରି ପାରିଲାନି। କାରଣ ଛାତ ଉପରେ ପଡ଼ିଥିଲା ମା’ର ଅର୍ଦ୍ଧଦଗ୍ଧ ମୃତଦେହ । ରାତିରେ ଯିଏ ମା’ କୋଳରେ ଶୋଇଥିଲେ, ସକାଳେ ସେ ମା’ ଛେଉଣ୍ଡ ହୋଇ ଯାଇଥିବା ଖବର ପ୍ରଚାରିତ ହେବା ପରେ ସମଗ୍ର ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି।

ଏପରି ଏକ ଚାଞ୍ଚଲ୍ୟକର ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜୟନଗର ଗ୍ରାମରେ ଆଜି ସକାଳୁ ଘଟିଛି। ମୃତକ ହେଲେ ହେମନ୍ତ ପରିଡାଙ୍କ ବୋହୂ ମିଲି ପରିଡ଼ା । ମିଲିଙ୍କୁ ତାଙ୍କ ଶାଶୁ, ଶ୍ୱଶୁର ହତ୍ୟା କରିଥିବା ନେଇ ଗାଁ ଲୋକେ ଅଭିଯୋଗ କରିଥିବା ବେଳେ ସଙ୍ଗେ ସଙ୍ଗେ ନ୍ୟାୟ ପ୍ରଦାନ ଜିଦ୍‌ରେ ଅଡ଼ି ବସିଛନ୍ତି। ଏପରିକି ଉତ୍ତ୍ୟକ୍ତ ଗ୍ରାମବାସୀ ମିଲିଙ୍କ ଶାଶୁଙ୍କୁ ଟଣାଓଟରା କରି ମାରପିଟ କରିଥିବା ବେଳେ ପୁଲିସ୍‌ ଗାଡ଼ି ଆଗରେ ବସି ରହିଛନ୍ତି। 

ମିଲିଙ୍କ ସ୍ୱାମୀ ବାହାରେ ରହି କାମ କରୁଥିବା ବେଳେ ଘରେ ସେ ନିଜର ୬ ବର୍ଷର ପୁଅ ଓ ୨ ବର୍ଷର ଝିଅ ତଥା ଶାଶୁ, ଶ୍ୱଶୁରଙ୍କ ସହ ରହୁଥିଲେ। ତେବେ ଶାଶୁ, ଶ୍ୱଶୁର ଓ ସ୍ୱାମୀ ସବୁବେଳେ ତାଙ୍କୁ ଅଧିକ ଯୌତୁକ ଆଣିବାକୁ ନିର୍ଯାତନା ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ବହୁ ଥର ନିର୍ଯାତନା ଅସହ୍ୟ ହେବାରୁ ମିଲି ପିଲାଙ୍କୁ ଧରି ବାପ ଘରକୁ ପଳାଉଥିଲେ। ଏହାପରେ ଗାଁରେ ବୈଠକ ବସି ତାଙ୍କୁ ଶାଶୁ ଘର ଲୋକେ ଫେରାଇ ଆଣୁଥିଲେ।

ଗତ ରାତିରେ ମିଲି ନିଜ ରୁମ୍‌ରେ ଝିଅ ସହ ଶୋଇଥିବା ବେଳେ ବେଳେ ତାଙ୍କ ପୁଅ ନିଜ ଜେଜେ ବାପା ଓ ଜେଜେମା’ଙ୍କ ନିକଟରେ ଶୋଇଥିଲେ। ସକାଳୁ ଝିଅ ଉଠି ମା’କୁ ଖୋଜି ନ ପାଇବାରୁ କାନ୍ଦିଥିଲା। ଏହାପରେ ଘର ଲୋକେ ଖୋଜାଖୋଜି କରି ମିଲିଙ୍କ ମୃତଦେହ ଛାତ ଉପରେ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଆମେରିକାର ନ୍ୟୁୟର୍କ ରାସ୍ତାରେ ବିଶୃଙ୍ଖଳା

 ଆମେରିକାର ନ୍ୟୁୟର୍କ ରାସ୍ତାରେ ବିଶୃଙ୍ଖଳା 




ଓ୍ବାଶିଂଟନ,୫।୮: ଶୁକ୍ରବାର ଆମେରିକାର ନ୍ୟୁୟର୍କ ରାସ୍ତାରେ ବିଶୃଙ୍ଖଳା ଏବଂ ଦଙ୍ଗାର ପରିବେଶ ସୃଷ୍ଟି ହୋଇଥିଲା। ବାସ୍ତବରେ, ରାସ୍ତାରେ ବହୁ ସଂଖ୍ୟାରେ ଯୁବକ ଏକତ୍ରିତ ହୋଇଥିଲେ ଏବଂ ଦେଖଉ ଦେଖୁ ସେଠାରେ ଝଗଡା ଓ ପଥର ମାଡ ଆରମ୍ଭ ହୋଇଯାଇଥିଲା। ଏଥିରେ ଅନେକ ଲୋକ ଆହତ ହୋଇଥିଲେ ଏବଂ ଗାଡିଗୁଡିକ ଭଙ୍ଗାରୁଜା କରାଯାଇଥିଲା। ଏସବୁ ଘଟଣା ଜଣେ ସୋସିଆଲ ମିଡିଆ ସେଲିବ୍ରିଟି ବା ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ଏକ ବାର୍ତ୍ତା ଯୋଗୁ ଘଟିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ପ୍ରସିଦ୍ଧ ୟୁଟ୍ୟୁବର୍‌ କାଇ ସେନାଟ ଇନଷ୍ଟାଗ୍ରାମରେ ଏକ ଭିଡିଓରେ ଲାଇଭ ଆସି କହିଛନ୍ତି ଯେ ସେ ତାଙ୍କ ପ୍ରଶଂସକଙ୍କୁ ମ୍ୟାନହେଟନର ତଳ ଅଞ୍ଚଳରେ ଭେଟିବେ ଏବଂ ସେମାନଙ୍କୁ ଉପହାର ଦେବେ। ଏହି ଉପହାର ଗୁଡ଼ିକରେ, କେ ସେନାଟ ପ୍ଲେ ଷ୍ଟେସନ ୫ ଦେବା କଥା କହିଥିଲେ। କେ ସେନାଟଙ୍କ ଏହି ଭିଡିଓ ପୋଷ୍ଟ ହେବା ମାତ୍ରେ ଭାଇରାଲ ହୋଇଥିଲା ଏବଂ ୟଟ୍ୟୁବର୍‌ ଦ୍ୱାରା ଉଲ୍ଲେଖ କରାଯାଇଥିବା ସ୍ଥାନରେ ବହୁ ସଂଖ୍ୟକ ଯୁବକ ଏକତ୍ରିତ ହେବାକୁ ଲାଗିଲେ। ଭିଡ ବଢିବାରୁ କେତେଜଣ ଯୁବକ ଭିଡର ସୁଯୋଗ ନେଇ ପୋଲିସ ଉପରକୁ ପଥର ମାଡ କରିଥିଲେ ଓ କିଛି ଗାଡି ଭଙ୍ଗାରୁଜା କରିବାରୁ ହିଂସା ପରିସ୍ଥିତି ଉପୁଜିଥିଲା।

ଏମ୍‌ସ ଭୁବନେଶ୍ୱର ରେଡିଓଡାଇଗ୍ନୋସିସ୍‌ ବିଭାଗ ପକ୍ଷରୁ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି(ଆଇଆର) ସମ୍ମିଳନୀ

 ଏମ୍‌ସ ଭୁବନେଶ୍ୱର ରେଡିଓଡାଇଗ୍ନୋସିସ୍‌ ବିଭାଗ ପକ୍ଷରୁ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି(ଆଇଆର) ସମ୍ମିଳନୀ 



ଭୁବନେଶ୍ବର - ଏମ୍‌ସ ଭୁବନେଶ୍ୱର ରେଡିଓଡାଇଗ୍ନୋସିସ୍‌ ବିଭାଗ ପକ୍ଷରୁ ରାଜ୍ୟରେ ପ୍ରଥମ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି(ଆଇଆର) ସମ୍ମିଳନୀ ଏଆଇଆର ଏଡିସିଓଏନ୍‌ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି ଦୁଇ ଦିନିଆ ସମ୍ମିଳନୀରେ ଆଇଆର୍‌ର ବ୍ୟାପକ ବ୍ୟବହାର ତଥା ଏହାର କାର୍ଯ୍ୟକାରୀତା ଉପରେ ମାନସମନ୍ଥନ ହୋଇଥିଲା। ଏହି ଜ୍ଞାନକୌଶଳର ସଫଳ ଉପଯୋଗ କରି ରୋଗୀ ସେବାକୁ ସୁଗମ ଏବଂ ସରଳ କରିବା ନିମ‌ନ୍ତେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀରେ ବିଭିନ୍ନ ଯକୃତ କର୍କଟର ଚିକିତ୍ସା, ଯକୃତ(ଲିଭର୍‌) ସିରୋସିସ୍ ଚିକିତ୍ସା, ଭେରିକୋଜ୍ ଭେନ୍‌, ଶିରା ଓ ଧମନୀଜନିତ ବିଭିନ୍ନ ଜଟିଳ ରୋଗର ଚିକିତ୍ସା ପାଇଁ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଥିଲା । 

ଆଇଏସ୍‌ଭିଆଇଆର (ଜାତୀୟ ଭାସ୍କୁଲାର ଏବଂ ଇଣ୍ଟରଭେନସନାଲ ରେଡିଓଲୋଜି ସୋସାଇଟି) ଏବଂ ଓରିଆ (ଓଡ଼ିଶା ରେଡିଓଲୋଜି ଏବଂ ଇମେଜିଙ୍ଗ ଆସୋସିଏସନ୍) ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଦେଶ ବିଦେଶରୁ ବହୁ ଖ୍ୟାତିସମ୍ପନ୍ନ ବିଶେଷଜ୍ଞ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ଚିକିତ୍ସକ ଅଂଶଗ୍ରହଣ କରି ଏହି କ୍ଷେତ୍ରରେ ଏକ ସୁଗମ ପରିବେଶ ସୃଷ୍ଟି କରିବାକୁ ମତ ରଖିଥିଲେ । ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ସମସ୍ତ ପ୍ରତିନିଧିଙ୍କୁ ଏମ୍‌ସକୁ ସ୍ବାଗତ କରିବା ସହିତ ଏଭଳି ଏକ ଅଭିନବ ସମ୍ମିଳନୀ ପାଇଁ ଆୟୋଜକଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ହାର୍ଭାର୍ଡ ମେଡିକାଲ୍ ସ୍କୁଲର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ବ ଡ. ସଞ୍ଜୀବ କଲ୍‌ଭାଙ୍କ ସହ ଜାତୀୟସ୍ତରରେ ସୁପରିଚିତ ଡ. ଅଜିତ ଯାଦବ, ଡ. ରୋଚନ୍ ପନ୍ଥ, ଡ. ଅମର ମୁକୁନ୍ଦ୍‌, ଡ. ଯଶୱନ୍ତ ପଟ୍ଟିଦାର, ଡ. ରଶ୍ମୀ ପାଢ଼ୀ, ଡ. ଦୟାନନ୍ଦ ଏଲ୍‌, ଡ. ପୁଲକିତ ରଙ୍ଗର ଏବଂ ଡ. କରମଭୀର ଚାନ୍ଦେଲ ପ୍ରମୁଖ ଏହି ସମ୍ମିଳନୀ ମାଧ୍ୟମରେ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି(ଆଇଆର) ବିଭିନ୍ନ ଜଟିଳ ରୋଗର ଚିକିତ୍ସାରେ ନିର୍ବାହ କରୁଥିବା ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ। 

ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ୱ ଡ. ମାଥ୍ୟୁ ଚେରିୟାନ୍ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କ ପ୍ରେରଣାଦାୟୀ ଅଭିଭାଷଣରେ ଯୁବ ଚିକିତ୍ସକ ତଥା ବିଶେଷଜ୍ଞମାନଙ୍କୁ ଅଭିଭୂତ କରିଥିଲେ । ଗୁରୁତର ରୋଗର ସଫଳ ଚିକିତ୍ସା‌ କ୍ଷେତ୍ରରେ ଆଇଆର୍‌ ଉପଯୋଗ କରି ରୋଗୀର ଜୀବନରେ ଗୁଣବତ୍ତା ଆଣିବା ଦିଗରେ ଏହି ସମ୍ମିଳନୀ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ଡ. ଚେରିୟାନ୍‌ ପ୍ରକାଶ କରିଥିଲେ । ଓଡ଼ିଶାରେ ଆଇଆରକୁ ବ୍ୟାପକ ଭାବେ ପ୍ରୟୋଗ କରି ଚିକିତ୍ସା କ୍ଷେତ୍ରରେ ଅନନ୍ୟ ଧାରା ପ୍ରବର୍ତ୍ତନ କରିବା ନେଇ ସେ ପ୍ରସ୍ତାବ ରଖିଥିଲେ । ଏହି ସମ୍ମିଳନୀକୁ ଉଦ୍‌ଘାଟନ କରି ରାଜ୍ୟ ଡିଏମ୍‌ଇଟି ଡ. ସଚ୍ଚିଦାନନ୍ଦ ମହାନ୍ତି ରାଜ୍ୟର ସରକାରୀ ମେଡିକାଲ୍ କଲେଜଗୁଡ଼ିକରେ ଆଇଆର ବ୍ୟବହାର ବ୍ୟାପକ କରିବା ଉପ‌ରେ ମତ ରଖିଥିଲେ । ଏହି ଅବସରରେ ଏମ୍‌ସ ଭୁବନେଶ୍ୱର ଡିନ୍‌ ଡ. ପି ଆର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । 

ରେଡିଓଡାଇଗ୍ନୋସିସ୍ ବିଭାଗ ମୁଖ୍ୟ ଡ. ଏନ୍‌ ଦୀପ୍‌ ବାଗ୍‌, ଡ. ସୁପ୍ରଭା ନାଏକଙ୍କ ସମେତ ଆୟୋଜନ କମିଟି ସଚିବ ଡ. ସୁଦୀପ୍ତା ମହାକୁଡ଼, ଡ. ମନୋଜ ନାୟକ, ଡ. ରଂଜନ ପଟେଲ ଏବଂ ଡ. ତାରା ପ୍ରସାଦ ତ୍ରିପାଠୀ ପ୍ରମୁଖଙ୍କ ତତ୍ତ୍ବାବଧାନରେ ଏହି ସମ୍ମିଳନୀ ସଂପାଦିତ ହୋଇଥିଲା । ଉଲ୍ଲେଖଯୋଗ୍ୟଯେ ବିଭିନ୍ନ ପ୍ରକାରର ରେଡିଓଡାଇଗ୍ନୋସିସ୍‌ ନିମନ୍ତେ ଜନସାଧାରଣଙ୍କୁ ଘରୋଇ ଡାକ୍ତରଖାନାରେ ଅଧିକ ମୂଲ୍ୟ ଦେବାକୁ ପଡିଥାଏ କିମ୍ବା ରାଜ୍ୟ ବାହାରକୁ ଯିବାକୁ ପଡିଥାଏ । ମାତ୍ର ସାମ୍ପ୍ରତିକ ବର୍ଷଗୁଡିକରେ, ଏମ୍‌ସ ଭୁବନେଶ୍ୱର ରେଡିଓଲୋଜି ବିଭାଗରେ କାର୍ଯ୍ୟରତ ଦକ୍ଷ, ଯୁବ ଚିକିତ୍ସକଙ୍କ ଦ୍ବାରା ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ସହିତ ବିଭିନ୍ନ ଜଟିଳ ରୋଗର ସରଳ ଚିକିତ୍ସା ପଦ୍ଧତି ହାତକୁ ନିଆଯାଉଛି । ଏହା ଫଳରେ ସାଧାରଣଲୋକଙ୍କୁ ଏମ୍‌ସରେ ଯଥେଷ୍ଟ ଉପକାର ମିଳୁଛି ।

ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷ ପାଇଁ ଖୁସି ଖବର ଓ ମୁସଲିମ ପକ୍ଷକୁ ପୁଣି ଝଟକା ।

 ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷ ପାଇଁ ଖୁସି ଖବର ଓ ମୁସଲିମ ପକ୍ଷକୁ ପୁଣି ଝଟକା । 



ବାରଣାସୀ - ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷ ପାଇଁ ଖୁସି ଖବର ଓ ମୁସଲିମ ପକ୍ଷକୁ ପୁଣି ଝଟକା । ସପ୍ତଦଶ ଶତାବ୍ଦୀରେ ଜ୍ଞାନବାପି ମସ୍‌ଜିଦ ନିର୍ମାଣ ପୂର୍ବରୁ ସେଠାରେ ମନ୍ଦିର ଥିଲା କି ନାହିଁ, ତାହା ନିଶ୍ଚିତ କରିବା ପାଇଁ ମସ୍‌ଜିଦ ପରିସରରେ ବିଜ୍ଞାନ ସମ୍ମତ ସର୍ଭେ କରିବାକୁ ଆଲ୍ଲାହାବାଦ ହାଇକୋର୍ଟ ରାୟ ଦେଇଥିଲେ । ଏହା ଉପରେ ସ୍ଥଗିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି । 

ତେବେ ସର୍ଭେ ସମୟରେ ମସ୍‌ଜିଦ ପରିସରରେ ଯେପରି କୌଣସି କ୍ଷତି ନ ହୁଏ, ତାହା ଦେଖିବା ପାଇଁ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି । 

ସର୍ଭେ ବେଳେ କୌଣସି ଖନନ କିମ୍ବା ମସ୍‌ଜିଦ ଢାଞ୍ଚା ପ୍ରତି କ୍ଷତି ପହଞ୍ଚବା ଭଳି କିଛି କାର୍ଯ୍ୟ କରାଯିବ ନାହିଁ ବୋଲି ଏଏସ୍‌ଆଇ ଏବଂ ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଦାଲତଙ୍କୁ କହିଥିଲେ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମୁସଲମାନ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତକାଲିଠାରୁ ଏଏସଆଇ ସର୍ଭେ ଆରମ୍ଭ ହୋଇଛି । ଘଣ୍ଟାଘଣ୍ଟା ଧରି ମସଜିଦ ଭିତରେ ସର୍ଭେ କରିଥିଲେ ଏଏସଆଇ ଟିମ୍ ।

ତୁଚ୍ଛ ହେଲା ରକ୍ତ ସମ୍ପର୍କ ଭାଇକୁ ହତ୍ୟା କଲା ଭାଇ

 ତୁଚ୍ଛ ହେଲା ରକ୍ତ ସମ୍ପର୍କ ଭାଇକୁ ହତ୍ୟା କଲା ଭାଇ 



ଢେଙ୍କାନାଳ - ତୁଚ୍ଛ ହେଲା ରକ୍ତ ସମ୍ପର୍କ। ସାନ ଭାଇକୁ ଜଣେ ବ୍ୟକ୍ତି କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ସୋଗରପଷୀ ଦେହୁରୀ ସାହିରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଅଭୟ ଦେହୁରୀ। ପୁଲିସ ପ୍ରଶାନ୍ତ ଦେହୁରୀଙ୍କୁ ଗିରଫ କରି ପଚରାଉଚରା କରୁଛି।

ଗତକାଲି ସନ୍ଧ୍ୟା ସମୟରେ ଅଭୟ କୋଠ ଘରୁ ଘରକୁ ଫେରୁଥିଲେ। ଏହି ସମୟରେ ବାଟରେ ଅଭୟଙ୍କୁ କଟୁରୀରେ ଆକ୍ରମଣ କରିଥିଲେ ପ୍ରଶାନ୍ତ। ସ୍ଥାନୀୟ ଲୋକେ ଅଭୟଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ପ୍ରଶାନ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି।

କେଉଁ କାରଣ ପାଇଁ ପ୍ରଶାନ୍ତ ଅଭୟଙ୍କୁ ହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ। ଅଭୟଙ୍କ ସହ ପ୍ରଶାନ୍ତଙ୍କର କୌଣସି ପୂର୍ବ ଶତ୍ରୁତା ନଥିବା ପରିବାର ଲୋକେ କହିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Friday, August 4, 2023

ରାଜସ୍ଥାନ ହେଲା ୫୦ ଜିଲା ୧୦ ଡିଭିଜନ ବିଶିଷ୍ଟ ରାଜ୍ୟ

 ରାଜସ୍ଥାନ ହେଲା ୫୦ ଜିଲା ୧୦ ଡିଭିଜନ ବିଶିଷ୍ଟ ରାଜ୍ୟ




 

ଜୟପୁର,୪।୮: ନିର୍ବାଚନ ବର୍ଷରେ ବଜେଟ ସମୟରେ ରାଜ୍ୟରେ ୧୯ଟି ନଆ ଜିଲା ଏବଂ ତିନୋଟି ନୂତନ ଡିଭିଜନ ଗଠନ କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଘୋଷଣା କରିଥିଲେ। ବର୍ତ୍ତମାନ ଗେହଲୋଟ କ୍ୟାବିନେଟ ଏହି ନୂଆ ଜିଲା ଏବଂ ଡିଭିଜନଗୁଡ଼ିକୁ ଅନୁମୋଦନ କରିଛ। ଏହାପରେ ଏବେ ରାଜସ୍ଥାନ ୫୦ଟି ଜିଲା ଏବଂ ୧୦ଟି ଡିଭିଜନ ସହିତ ଏକ ରାଜ୍ୟ ହୋଇପାରିଛି। ଅଗଷ୍ଟ ୭ରେ ନୂତନ ଜିଲା ପ୍ରତିଷ୍ଠା ହେବ। ଏହା ସହିତ ସର୍ବଧର୍ମ ସଭା ଏବଂ ପୂଜା ପାଠ ମଧ୍ୟ କରାଯିବ।

ଏଥି ସହିତ ଜୟପୁରର ଦୁଇ ଭାଗରେ ଚାଲିଥିବା ବିବାଦ ମଧ୍ୟ ବର୍ତ୍ତମାନ ବନ୍ଦ ହୋଇଯାଇଛି। ବାସ୍ତବରେ ଜୟପୁରକୁ ଦୁଇ ଭାଗରେ ବିଭକ୍ତ କରି ଜୟପୁର ସହର ଏବଂ ଜୟପୁର ଗ୍ରାମୀଣ ଦୁଇଟି ନୂତନ ଜିଲା ଭାବରେ ସୃଷ୍ଟି ହୋଇଛି। ସେହିଭଳି ଯୋଧପୁର ସହର ଏବଂ ଯୋଧପୁର ଗ୍ରାମୀଣ ମଧ୍ୟ ଅଲଗା ହୋଇ ଦୁଇଟି ନୂତନ ଜିଲା ଗଠନ କରାଯାଇଛି। ଅନ୍ୟପକ୍ଷରେ, ଡୁଡୁକୁ ନେଇ ମଧ୍ୟ ଗେହଲୋଟଙ୍କ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଜୟପୁର ଗ୍ରାମ୍ୟରେ ଡୁଡୁରେ ଅନ୍ତର୍ଭୂକ୍ତ ହେବାକୁ ଚାହୁଁ ନ ଥିବା ଅଞ୍ଚଳକୁ ଯୋଡି କ୍ୟାବିନେଟ ଡୁଡୁକୁ ଏକ ଅଲଗା ଜିଲା କରିପାରିଛି। ଏହା ପରେ ଡୁଡୁ ରାଜସ୍ଥାନର ସବୁଠାରୁ ଛୋଟ ଜିଲା ହୋଇପାରିଛି। ଏହା ପୂର୍ବରୁ ଧୋଲପୁର ରାଜସ୍ଥାନର ସବୁଠାରୁ ଛୋଟ ଜିଲା ଥିଲା।

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...